odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story

ଖୁବ୍ ବ୍ୟସ୍ତବହୁଳ ଜୀବନ ମୋର । ସେହି ଭିତରୁ କେମିତିଯେ ଟିକିଏ ସମୟ ବାହାର କରି ଦୁଇ ଧାଡି ଲେଖିଦିଏ ସେକଥାଟା ସବୁବେଳେ ମୁଁ ଲେଖିସାରିବାପରେ ଚିନ୍ତାକରେ । ତେବେ କିଛିଦିନ ହେଲା ମୁଁ ଚିନ୍ତା କରିଥିଲି ଏବେ ଏ ଲେଖାଲେଖିରୁ ସାମୟିକ ବିରତି ନେବି । ହେଲେ ମୋ ଚାରିପାଖର ପ୍ରତ୍ୟେକଟି ଘଟଣା ମୋତେ ଯେମିତି ବ୍ୟସ୍ତ କରିଦେଲେ ଲେଖିବା ପାଇଁ । ମୋତେ ଲାଗିଲା ଯେମିତି ସମୟଟା ମୋତେ ଅଭିମାନ କରି ଚାଲିଯାଉଛି ରସାଳ ବସନ୍ତରୁ ରସହୀନ ବୈଶାଖ ର ପଛେପଛେ । ମୋର ମାନସିକ ସ୍ଥିତିକୁ ବୋଧେ ମୋ ପତ୍ନୀ ଠିକ୍ ପଢିନେଲେ । ହସିଦେଇ କହିଲେ " କଣ ହେଲା ! ତୁମ ଶବ୍ଦରେ ଆଉସେ ପୂର୍ବର ମାଧୂର୍ଯ୍ୟ ନାହିଁ ! କଥାରେ ନାହିଁ ଆଉ ଅଳଙ୍କାରର ଚମକ । ବହୁନାହିଁ ପ୍ରେମର ମଳୟ କି ନାହିଁ ଆଉ ସ୍ପର୍ଶରେ ଉଷ୍ମତା "। ମୁଁ ଟିକିଏ ହସିଦେଇ କହିଲି " କାହିଁକି କେଜାଣି ଏଇ କିଛିଦିନ ହେଲା କୌଣସି କାରଣ ନଥାଇବି ମନଟା କ୍ଲାନ୍ତ ହୋଇଗଲା ପରି ଲାଗୁଛି "। ମୋଠାରୁ ଏପରି କଥା ଶୁଣି ସିଏ କହିଲେ " ବୁଝିଲ ! କାରଣ ନଥାଇ କିଛିବି ହୁଏନି । ଆଉ ତୁମର ଏ ଉଦାସ ମନର ବି କାରଣ ଅଛି । ଆଉ ସେ କାରଣଟା ହେଲା ତୁମର ଅଭ୍ୟାସ "। ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି " ଅଭ୍ୟାସ "! ପତ୍ନୀ ମହାଶୟା କହିଲେ " ହଁ ହଁ ଅଭ୍ୟାସ । ଲେଖିବାଟା ତୁମର ଅଭ୍ୟାସରେ ପରିଣତ ହୋଇଗଲାଣି । ଆଉ ଆଜି ଯେତେବେଳେ ତୁମେ ନଲେଖିବାକୁ ଚେଷ୍ଟାକରୁଛ ସେତେବେଳେ ତୁମ ଅଭ୍ୟାସଟା ତୁମ ମନକୁ ବିଚଳିତ କରିଦେଉଛି " । ମୁଁ କହିଲି " ତୁମେ ଠିକ୍ କହିଛ । ଅଭ୍ୟାସଟା ବଦଳାଇବା ଖୁବ୍ କଷ୍ଟ । ଏ ଅଭ୍ୟାସ କଥାରୁ ମନେପଡିଲା ଏଇ କିଛିଦିନ ତଳର ଘଟଣା । ଏଇ ଆମ ଗୋପି ବାବୁଙ୍କ ବାପାଙ୍କ କଥା " । ମୋର ପତ୍ନୀ ଉତ୍କଣ୍ଠାର ସହ ପଚାରିଲେ " କଣ ହେଲା ବୁଢାବାଙ୍କର । ବିଚରା ବୟସର ଅପରାହ୍ନରେ ପତ୍ନୀ ତାଙ୍କର ହାତ ଛଡେଇନେଇ ସେପାରିକୁ ଚାଲିଗଲେ । କଣ କିଛି ହୋଇଥିଲା କି ବୁଢାବା ଙ୍କର "?
ପତ୍ନୀଙ୍କ ଉତ୍କଣ୍ଠାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଇ ଆରମ୍ଭକଲି " ବୁଝିଲ ! ଦୁଇଦିନ ଆଗରୁ ଗୋପି ବାବୁଙ୍କ ପଡୋଶୀ ରଞନ ବାବୁଙ୍କ ଘରକୁ ଯାଇଥିଲି । ବସୁ ବସୁ ଟିକିଏ ଡେରି ହୋଇଗଲା । ରାତି ସାତଟା ପାଖାପାଖି ବାଜିଗଲାରୁ ରଞନ ବାବୁ ମୋତେ କହିଲେ 'ଆଜ୍ଞା ଆପଣ ଆଜି ଆମ ସହିତ ବସି ଡିନର କରନ୍ତୁ ' । ମୁଁ କହିଲି 'ଆରେ ଆରେ ମୁଁ ଏତେ ଶୀଘ୍ର ଡିନର କରେନି । ମୋର ଡିନର ଟାଇମ୍ ଟିଭିଦେଖିସାରି ରାତି ଏଗାରଟା' । ଏତିକିବେଳେ ହଠାତ୍ କବାଟ୍ କେହିଜଣେ ଖଟ୍ ଖଟ୍ କଲେ । ରଞନ ବାବୁକଂର ସ୍ତ୍ରୀ ବିରକ୍ତି ପ୍ରକାଶ କରି କହୁଥିଲେ' କିଏ ଆଉ ! ଆମ ଗୋପି ବାବୁକଂର ବାପା ହୋଇଥିବେ '। ମୁଁ କହିଲି' କିଏ ଆମ ବୁଢାବା '! ସିଏ କହିଲେ 'ହଁ ହଁ ଖାଲି ଆପଣଙ୍କର ନୁହେଁ ଆମ ପୁରା କଲୋନୀର ବୁଢାବା । ରାତି ଠିକ୍ ସାତଟା ହେଲେ ଆସି ପହଞ୍ଚି ଯିବେ ଯେ ଆଠଟା ବେଳେ ଆମ ସହ ଡିନର କରି ଯିବେ । ଆମେତ ଶୀଘ୍ର ଡିନର କରି ଶୋଇଯାଉନା । ତେଣୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ । ମନା ମଧ୍ୟ କରିହେଉନାହିଁ ଆସନ୍ତୁ ନାହିଁ ବୋଲି । ମୋତେ ତ ଲାଗେ ଖାଲି ଖାଇବାକୁ ଆମ ଘରକୁ ଆସନ୍ତି ବୋଧେ '। ତାଙ୍କ ମୁହଁରୁ ଏପରି କଥା ଶୁଣି ଦୀର୍ଘ ନିଶ୍ବାସଟିଏ ଛାଡିବା ଛଡା ଆଉ କିଛି ଉତ୍ତର ନଥିଲା ମୋପାଖରେ । କଣବା କହିଥାଆନ୍ତି ସେ ବୁଢା ମଣିଷଟା ବିଷୟରେ । ତେବେ ରଞନ ବାବୁ କବାଟ ଖୋଲିଲେ । ନଇଁ ଆସୁଥିବା ଅଣ୍ଟା , ହାତରେ ବକୁଂଲି ବାଡି ଆଉ ପାକୁଆ ପାଟିରେ ଚେନାଏ ହସ ନେଇ କବାଟ ସେପାଖରେ ଛିଡା ହୋଇଥାନ୍ତି ବୁଢାବା । ରଞନ ବାବୁ ତାଂକୁ ଭିତରକୁ ଡାକିଲେ । ସମସ୍ତକୁଂ ଦୀର୍ଘଜୀବିର ଆଶୀର୍ବାଦଟେ ଦେଇ ସୋଫା ଉପରେ ବସିଗଲେ । କହିଲେ 'ବୁଝିଲୁ ପୁଅ ! ମନକୁ ଯେତେ ବୁଝେଇଲେ ବି ଜମା ବୁଝୁନି । ତୁମ ଘରକୁ ଟିକିଏ ଆସିଲେ ଯାଇ ମନଟା ଶାନ୍ତି ପାଉଛି ' । ଏହାପରେ ବୁଢାବା ଗାଁ କଥା ସବୁ ଗପିଚାଲିଲେ । ଏହା ଭିତରେ ଆଠଟା ବାଜି ସାରିଥାଏ । ରଞନ ବାବୁଙ୍କ ପତ୍ନୀ ସମସ୍ତଙ୍କପାଇଁ ଡିନରର ବ୍ୟବସ୍ଥା କଲେ । ଅନିଚ୍ଛା ସତ୍ତ୍ବେ ମୁଁ ଅଳ୍ପକିଛି ଖାଇଦେଇ ଯିବାକୁ ବାହାରିଲି । ବୁଢାବା ମୋତେ ଯିବାର ଦେଖି କହିଲେ ' ଆରେ ପୁଅ ମୋତେ ବି ସାଙ୍ଗରେ ଧରିକି ଟିକିଏ ନେଇଯା । କେତେ ସିଡିରେ ଓହ୍ଲାଇବି । ଆଉ ଏ ଲିଫ୍ଟ ଫିପ୍ଟ ମୋଦେଇ ହେଉନାହିଁ । ଗାଉଁଲି ଲୋକ ମୁଁ । ଏ ସହରୀ କଥା କଣ ଜାଣିଛି କହିଲୁ ' ! ତାଙ୍କ କଥା ଶୁଣି ମୁଁ ରହିଯାଇ ତାଙ୍କୁ ଧରିଧରି ଲିଫ୍ଟ ପର୍ଯ୍ୟନ୍ତ ଆଣିଲି । ଫାଷ୍ଟ ଫ୍ଲୋର୍ ରୁ ଗ୍ରଉଣ୍ଡ ଫ୍ଲୋର୍ ରେ ଥିବା ତାଙ୍କ ଘରକୁ ନେବା ଭିତରେ ସେ କହିଲେ ' ବାପାରେ! ଆସିବୁ ଆମ ଘରକୁ "! ଅନିଚ୍ଛା ସତ୍ତ୍ବେ ଯିବାକୁ ପଡିଲା ଗୋପି ବାବୁଙ୍କ ଘରକୁ । ଘରେ କେହି ନଥିଲେ । ମୁଁ ପଚାରିଲି ' ବୁଢାବା ! ଘରେ କଣ କେହି ନାହାନ୍ତି କି '? ଅଭିମାନ ଭରା ହସଟେ ହସିଦେଇ ବୁଢାବା କହିଲେ ' ମୋ ଘରତ କେଉଁ ଦିନରୁ ସ୍ବାର୍ଥର ଅଦିନିଆ ବତାସରେ ଭାଙ୍ଗି ଯାଇଛିରେ । ସାଥୀଟେ ଥିଲାଯେ ଛଅ ମାସ ଆଗରୁ ମୋତେ ଛାଡିଦେଇ ସେପାରିକୁ ଚାଲିଗଲା । ସଂସାର ର ନିୟମରେ ମୁଁ ବି ଆଜି ଦୁଇ ଭାଗ । ଜାଣିଛୁ ଭାଗେର ଅବଧି ଛଅ ମାସ । ଆଜି ଦୁଇ ପୁଅ ବହୂ ନାତି ନାତୁଣୀ ସମସ୍ତେ ଥାଇବି ମୁଁ ଏକା । ଭୁଲ ତ ମୁଁ କିଛି ନିଶ୍ଚୟ କରିଥିବି ପୁଅ । ନହେଲେ କଣ ପୁଅର ଫେରିବା ବାଟ ଚାହିଁଚାହିଁ ମାଟା ଆଖିବୁଜିଥାଆନ୍ତା ! ଜୀବନଟା କାଟିଦେଲିରେ ଗାଁର ସେ ଟାଇଲ ଘରେ । ଏଇଠିତ ମୃତ୍ୟୁ କୁ ଅପେକ୍ଷା । ସିଏ ଚାଲିଗଲାନିଯେ ମୋତେ ଅସହାୟ କରିଦେଇଗଲା । ସିଏ ବୁଝୁଥିଲା ମୋ ମନର ଭାଷା । ମୁହଁ ଖୋଲି କିଛି କହିବାକୁ ପଡୁନଥିଲା ମୋତେ । ହେଲେ ଏ ସହରରେତ ମୁହଁ ଖୋଲି କହିବାକୁ ଚାହିଁଲେବି କଥା ଶୁଣିବାକୁ କେହିନାହିଁ । ଏଇଠିତ ସମୟ ଠାରୁ ମଣିଷର ବେଗଟା ବେଶି । ଶବ୍ଦର ଭାଷା ଶୁଣିବାକୁ ଯେଉଁଠି ସମୟ ନାହିଁ ସେଇଠି ନିଶବ୍ଦର ପରିଭାଷା ବୁଝୁଛି କିଏ ? ରାତି ଆଠଟା ହେଉ ହେଉ ମୋ ମନକଥା ଜାଣିଲାପରି ତୋ ବୁଢୀମା ଖାଇବା ଥାଳିଟା ଧରି ଦୁଆର ମୁହଁରୁ ଡାକଟିଏ ଦେଉଥିଲା । ବୋଧେ ସେଇଥିପାଇଁ ଏ ଆଠଟା ବେଳେ ଖାଇବା ଅଭ୍ୟାସଟା ମୋର ରହିଯାଇଛି । ବହୁତ ଖରାପ ଅଭ୍ୟାସଟା କରେଇଦେଇଛି ସିଏ ' । ଏହାପରେ ଧୀର ଗଳାରେ ବଡବଡ ଆଖିକରି ବୁଢାବା କହିଲେ' ବୁଝିଲୁ ପୁଅ ଏ ଘରେ ରାତି ଏଗାରଟାରେ ଖାଇବା ହୁଏ । କେହି ମୋତେ ପଚାରନ୍ତିନାହିଁ ବା' ଭୋକ କଲାଣି ! କଣ କିଛି ଖାଇବ ? ମୋ ପେଟ ଟା ଭୋକଟାକୁ ସମ୍ଭାଳିପାରେନିରେ । ଦିନେ କଥା ହେଲାବେଳେ ଶୁଣିଲି ରଞନ ବାବୁ ଘର ଶୀଘ୍ର ଖାଇ ଶୋଇପଡନ୍ତି । ସେଇଥି ପାଇଁ ଖାଇବା ଆଶାରେ ଦୌଡିଯାଏ ତାଙ୍କ ଘରକୁ । ନା ' ନା ଏ ଅଭ୍ୟାସଟାକୁ ବଦଳାଇବାକୁ ଚେଷ୍ଟା କରିବି । ଚେଷ୍ଟା କରିବି ଏହାପରେ ରାତି ଏଗାରଟାରେ ଖାଇବାକୁ । ହେଲେ କଣ ଖାଇବି ପୁଅ ! ଏଇଠିତ ଅଧାଦିନ ହୋଟେଲରୁ ଖାଇବା ଆସେ । ଏ ବୟସରେ କଣ ସେ ଖାଇବା ମୁଁ ଖାଇ ହଜମ କରିପାରିବି ! ପାକୁଆ ପାଟିରେ ପାକୁଳି କରିକରି ସେ ଚମଡା ରୁଟିଗୁଡା କେମିତି ଖାଇବି ! ସେଇଥିପାଇଁ ଅଧାଦିନ ମିଛଟାରେ ଭୋକଲାଗୁନି କହି ପାଣି ପିଇ ଶୋଇଯାଏ । ଜାଣିଛୁ ରାତି ଅଧରେ ମୋ ପେଟଟା ଖାଲି ଭୋକରେ ଗଁ ଗଁ ଡାକୁଥାଏ । ସେତେବେଳେ ତୋ ବୁଢୀମା କୁ ମନେମନେ ଗାଳି କରିକରି କେତେବେଳେ ଯେ ଶୋଇପଡେ ଜାଣିପାରେନାହିଁ । ଗାଳିଦେବିନି କାହିଁକି କହିଲୁ ! ତାର ମୋର କଥା ହୋଇଥିଲୁ ଏକା ସାଙ୍ଗରେ ଯିବୁ ବୋଲି । ସେ କାହିଁକି ଆଗରେ ଚାଲିଗଲା ? ବୁଝିଲୁ ପୁଅ ! ରଞନ ବାବୁ ଭାରି ଭଲ ଲୋକ । ଯେଉଁଦିନ ଭୋକଟା ଅସମ୍ଭାଳ ହୋଇପଡେ ଟିକିଏ ବେଳାବେଳି ଖାଇବା ଆଶାରେ ତାଙ୍କ ଘରକୁ ଚାଲିଯାଏ । ଆରେ ପୁଅ ! ରଞନ ବାବୁଙ୍କୁ କହିଦେବୁ ଆଉ ଏ ବୁଢାବା ତାଙ୍କ ଘରକୁ ଖାଇବାକୁ ଯିବନି । ଏଥର ଏ ବୁଢା ଚେଷ୍ଟା କରିବ ଯୁବକ ହେବାକୁ । ଅଭ୍ୟାସ କରିବ ରାତି ଏଗାରଟାରେ ଖାଇବାକୁ ଆଉ ଅଭ୍ୟାସ କରିବ ହୋଟେଲର ସେ ଦାମିକା ଅଖାଦ୍ୟ ଗୁଡାକୁ ଖାଇ ହଜମ କରିବାକୁ । ଅଭ୍ୟାସ କରିବ ମୃତ୍ୟୁ ର ପାଖକୁ ଆହୁରି ପାଖକୁ ଯିବାକୁ ' । ଏତିକି ବେଳେ ବୁଢାବା ର ସ୍ବରଟା ନରମି ଆସିଲା ଆଉ ଆଖିରୁ ଖସିଆସିଲା ବୁଢୀମା ସହ ବିଚ୍ଛେଦର ଅଶ୍ରୁ ଆଉ ତାସହ ତାଳଦେଇ ଭିଜିଗଲା ମୋର ଦୁଇ ଆଖିପତା । କୌଣସି ଉତ୍ତର ନଦେଇ ଚୁପଚାପ ଗୋପି ବାବୁଙ୍କ ଘରୁ ମୁଁ ଚାଲିଆସିଲି " ।
ଏହା ଭିତରେ ଅନେକ ସମୟ ବିତିଯାଇଥାଏ । ମୋ ପତ୍ନୀ କିନ୍ତୁ ମୋତେ ଚାହିଁରହିଥାନ୍ତି ଲୋତକ ଭରା ନୟନରେ । ମୁଁ ପଚାରିଲି " କଥାତ ଅନେକ ବେଳୁ ସରିଲାଣି । ଏମିତି ଚୁପଚାପ କଣ ଦେଖୁଛ "? ସେ କହିଲେ " ଅଭ୍ୟାସ କରୁଛି ପଢିବାକୁ ତୁମ ମନ ହୃଦୟ ଆଉ ଭାବନାକୁ " ॥
॥ ଜ୍ୟୋତିରଞନ ସାହୁ ॥