odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story


" ଆଜ୍ଞା ମୁଁ ଭଗବାନ ସାହୁ ଲେଖୁଛି । କହିବାକୁ ମୋର ଆଉ ବଳ ନାହିଁ । ସ୍ବରଟାବି ଥକିପଡିଲାଣି । ସେଥିରେ ପୁଣି ମୋ କଥା ଶୁଣିବାକୁ କେହି ନାହାନ୍ତି । ସେଇଥି ପାଇଁ ଆଜି କିଛି ଲେଖିବାକୁ ଚେଷ୍ଟାକରୁଛି । ଆଜିମୁଁ ଲେଖୁଛି ମୋ ମନର କଥା । ମୋ ହୃଦୟର ଭାଷା । ଥର ଥର ହାତଟା ଆଉ ମୋର ବୋଲମାନୁନାହିଁ । ସେହିଥିରେ କାହିଁକି କେଜାଣି ମନ ବାରମ୍ବାର କହୁଛି କିଛି ଲେଖିବାକୁ । ନବେ ବର୍ଷ ବୟସରେ ହାତଟା ଚାଲୁଛି ସେହିଟାହିଁ ପ୍ରଭୂଙ୍କ ଆଶୀର୍ବାଦ । କିଛି ପାପ ବୋଧହୁଏ ମୁଁ କରିଛି । ସେଇଥିପାଇଁ ମୋ ସମୟର ସଂସାର ପାଇଁ ମୁଁ ପାଲଟିଯାଇଛି ଗୋଟିଏ ଯୁଗାନ୍ତର ଶେଷ ଖୁଣ୍ଟ । ବାପା ମା ଭାଇ ଭଉଣୀ କକା ଖୁଡୀ ପତ୍ନୀ ସହପାଠୀ ସମସ୍ତେ ଆର ପୁରକୁ ଚାଲିଗଲେ ସମୟ ଆଉ ସ୍ମୃତିର ଆଶାବାଡିଟାକୁ ମୋ ହାତରେ ଧରାଇଦେଇ । ମୋ ସ୍ମୃତିର କାନ୍ଧରେ ଆଜି ଦଣ୍ଡାୟମାନ ମୋ ସମୟର ବିଗତ ସଂସାର । ଆଜିର ସମୟ ପାଇଁ ମୁଁ ଗୋଟେ ଅଲୋଡା ଅଖୋଜା ସାମଗ୍ରୀଟିଏ । ତିନି ପୁଅ ଆଉ ଚାରିଝିଅ ଥାଉଥାଉ ମୁଁ ଆଜି ବର୍ତ୍ତମାନର ଦୁନିଆଁରେ ପୁରାପୁରି ଏକା । ଏକଦା ନିଜ ସଂସାରର ବୋଝଟା ଉଠାଇ ଉଠାଇ ଆଜି ନିଜେ ସଂସାର ପାଇଁ ଗୋଟିଏ ବୋଝ ପାଲଟି ଯାଇଛି । ବହୁତ ଡର ଲାଗୁଛି ଏକାଏକା । ନବେ ବର୍ଷର ଏ ପରିଚିତ ଦୁନିଆଁଟା ଆଜି କାହିଁକି ମୋତେ ଅଚିହ୍ନା ଅଚିହ୍ନା ଲାଗୁଛି । ପୁଅ ଝିଅ ସମସ୍ତେ ମୋପାଇଁ ଆଉ ମୁଁ ସେମାନଙ୍କ ପାଇଁ ଅଚିହ୍ନା । କାହାକୁ ଆଶ୍ରାକରି ଚାଲିବି ? କାହାକୁ ନେଇ ବଞ୍ଚିବି ? ଏକଦା ମନରେ ଥିବା ମରଣ ଭୟଟା କେଉଁ ଦିନରୁ ପାଶୋରି ସାରିଲିଣି । ଆଜି ମୃତ୍ୟୁ ଖୋଜିଲେବି ସେ ମୋସହ କାହିଁକି କେଜାଣି ଲୁଚକାଳି ଖେଳୁଛି ? ସମସ୍ତେ କୁହନ୍ତି ମୃତ୍ୟୁଟା ଭୟଙ୍କର ଆଉ ଯନ୍ତ୍ରଣାଦାୟକ । ହେଲେ ମୋତେ ଆଜି କିଏ ପଚାରନ୍ତା କି ! ମୁଁ କହିଥାନ୍ତି ଆଜି ମୋପାଇଁ ମୃତ୍ୟୁଟା ଖୁବ୍ ସୁନ୍ଦର ଆଉ ଆନନ୍ଦଦାୟକ । ଆଜି ମୃତ୍ୟୁଟା ମୋପାଇଁ ଯନ୍ତ୍ରଣା ନୁହେଁ ଜୀବନଟା ଗୋଟିଏ ଯନ୍ତ୍ରଣା ପରିମନେହେଉଛି । ମୃତ୍ୟୁତ ଯନ୍ତ୍ରଣାରୁ ମୁକ୍ତିର ବାଟ ମୋପାଇଁ । ସତରେ ଜୀବନଟା ଗୋଟିଏ ମୃଗତୃଷ୍ଣା । ଜୀବନସାରା ଗୋଟିଏ ମିଥ୍ୟାକୁ ନେଇ ମୁଁ ବଞ୍ଚି ଥିଲି । ବଞ୍ଚି ଥିଲି ଏହି ଆଶାରେ ଯେ ମୁଁ ଯାହାକରୁଛି ମୋ ପରିବାର ପାଇଁ । ଏହିମାନେ ହିଁ ମୋ ବଳ । କିନ୍ତୁ ମୁଁ ଭୁଲ୍ । ଏ ସଂସାରରେ କେହି କାହାରି ନୁହେଁ । ସମସ୍ତେ ଏକାଏକା । ନିଜ ପେଟକାଟି ବଡକରିଥିବା ସନ୍ତାନ ପାଇଁ ମୁଁ ଗୋଟିଏ ଅଯଥା ଖର୍ଚ୍ଚର ବୋଝ । ମୁଁ କଣ ଜାଣିଥିଲି ଯେଉଁ ମାନଙ୍କପାଇଁ ମୁଁ ମୋଭାଗର ହସ ସୁଖ ଆରାମ ଆଉ ଆନନ୍ଦକୁ ବଳିଦେଇଛି ସେହିମାନଙ୍କ ପାଇଁ ମୋ ବଞ୍ଚିବା ଟା ଦିନେ ଦୁଃଖର କାରଣ ହେବ ବୋଲି । ଦୁନିଆଁର ସବୁ ପୁତ୍ର ଅଜାତଶତ୍ରୁ ହୋଇପାରନ୍ତି କିନ୍ତୁ ପିତା ତ ପିତା । ନା ତାର କାନ୍ଦିବାର ଅଧିକାର ଅଛି ନା ଘୃଣାର । ତା ଜୀବନତ କଟିଯାଏ ଆଲିଙ୍ଗନରେ । କେବେ ପୁତ୍ରକୁ ତ କେବେ ପତ୍ନୀକୁ କେବେ ପୌତ୍ରକୁ ତ କେବେ ପରିଜନଙ୍କୁ ପୁଣି କେବେ ସୁଖକୁ ତ କେବେ ଦୁଃଖକୁ । ପିତା କେବେ ହିସାବ ରଖିନି ତା ତ୍ୟାଗର । ସେତ କେବଳ ହିସାବଟା ଶୁଣିଥାଏ ତା ସନ୍ତାନଙ୍କ ମୁଖରୁ । ସାନବେଳେ ପିଲାମାନେ ନିଜେ କେତେ ଖର୍ଚ୍ଚକଲେ ଆଉ ବଡ ହେଲାପରେ ପିତାଙ୍କ ପାଇଁ କେତେ ଖର୍ଚ୍ଚକଲେ ? ବାଃରେ ସମୟ ! ତୋର ହିସାବବି ମାନିବାକୁ ପଡିବ । ସବୁ ହିସାବ ଭିତରେ ମୋ ଜୀବନର ହିସାବଟା କାହିଁକି ସାରିଦେଉନି କେଜାଣି ? ଏ ଜୀବନ ରୂପି ମୃତ୍ୟୁକୁ ଆଉ ବଞ୍ଚି ହେଉନି । କେମିତି ବଞ୍ଚିବି ? ନିଜ ହାତରେ ନିଜର ସବୁ କାମ କରିପାରିବା ଭଳି ଯୌବନର ବଳ ଆଉ ମୋ ପାଖରେ ନାହିଁ । କେତେଦିନ ପର ହାତକୁ ଚାହିଁଥିବି । ସାନ ବେଳେ ମୋପିଲାଙ୍କୁ ସିନା ହାତଧରି ଚାଲିବା ଶିଖାଇଥିଲି, ଖାଇନପାରିଲେ କ୍ଷୀରରେ ରୁଟି ଚକୁଟି ଖୁଆଇଦେଉଥିଲି, ପିଲାଙ୍କର ଶୁଖିଲା ମୁହଁରେ ହସ ପାଇଁ ନିଜ ତାଳିପକା ସାର୍ଟଟା ପିନ୍ଧିଦେଇ ନୂଆ ବହି ଖାତା କିଣିବାପାଇଁ ଟଙ୍କା ବଢାଇଦେଉଥିଲି ; ହେଲେ ଆଜି ମୁଁତ ଆଉ ସାନପିଲା ହୋଇଯାଇନାହିଁ ଯେ ସେମାନେ ମୋ ହାତଧରି ଚାଲିବା ଶିଖାଇବେ , ମୋ ପାକୁଆ ପାଟିପାଇଁ ହୋଟେଲର ନାନ୍ ପୁରୀ ବଦଳରେ ହାତ ତିଆରି ନରମ ରୁଟି ଖଣ୍ଡେ କରିଦେବେ , ମୋ ମନର ଖୁସିପାଇଁ ପୁରା ପରିବାର ଏକାଠି ହୋଇଯିବେ ! ସେମାନେ ପରା ଏହା ଭିତରେ ବଡ ହୋଇଗଲେଣି । ଏତେବଡ ହୋଇଗଲେଣିଯେ ମୋତେ ତାଙ୍କ ହାତ ଧରିବାକୁ ଭୟଲାଗୁଛି ; ଭୟ ଲାଗୁଛି ତାଙ୍କୁ କହିବାକୁ ଯେ ବାପାରେ ଦେହଟା ଭଲ ଲାଗୁନି ; କାଳେ ମୋ ଦେହ ଖରାପ କଥାଟା ଶୁଣି ତାଙ୍କ ମୁହଁରୁ ହସ ଲିଭିଯିବ ! ଭୟ ଲାଗୁଛି କାଳେ ମୋପାଇଁ ଅଧିକ ଖର୍ଚ୍ଚଟା ପିଲାମାନଙ୍କ ଭିତରେ କଳହର କାରଣ ହୋଇଯିବ ! ଭୟ ଭୟରେ ବିତୁଛି ସମୟ । କଣ କରିବି ? କେଉଁଆଡେ ଯିବି ମୁଁ ମୋର ଏହି ବୟସର ଅପରାହ୍ନରେ । ବଡ ପୁଅ କହୁଛି ସାନକୁ ବେଶୀ ଗେହ୍ଲା କରି ତାପଛରେ ବହୁତ ଟଙ୍କା ସାରିଦେଇଛ ଆଉ ମୋ ଦରକାର ବେଳେ ଟଙ୍କା ଦେଉନ । ସାନ କହୁଛି ଚାକିରି ନାହିଁ ମୋର । ମୁଁ ଘର ଚଳାଇବାକୁ ଟଙ୍କା ଦେଇପାରିବି ନାହିଁ । ମଝିଆଁ ପୁଅଟା ଆଜିକୁ ପନ୍ଦର ବର୍ଷ ହେଲା କାହିଁକି କେଜାଣି ଆଉ କଥା ହେଉନାହିଁ । ଆରେ ନବେ ବର୍ଷର ବୁଢା ଗଛଟା ପାଖରୁ ଆଉ କେତେ ଆଶା କରୁଛ ? ଏବୟସରେ ଖାଲି ଯାହା ପେନସନ୍ ରୂପକ ଛାଇଟିକିଏ ଛଡା ମୁଁ ଆଉ କଣ ଦେଇପାରିବି ! କାହାକୁ ବେଶୀ ତ କାହାକୁ ଦେବାରେ ଟିକିଏ କମ୍ ହୋଇଯାଇଥିବ । ହଁ ହଁ ସେଇଟା ମୋର ବିରାଟ ଏକ ଅପରାଧ । ଭଲ ହୋଇଛି ବୁଢୀଟା ଆଗ ଚାଲିଯାଇଛି । ନଚେତ୍ ଏମାନେ ତାକୁ ମଧ୍ୟ ହିସାବ ମାଗିଥାଆନ୍ତେ ତା ଛାତିଚିରି ପିଆଇଥିବା କ୍ଷୀରର । ମାଗିଥାଆନ୍ତେ ହିସାବ କାହାକୁ କେତେ କମ୍ ଦେଇଥିଲୁ ଆଉ କାହାକୁ କେତେ ଅଧିକ ପିଆଇଥିଲୁ ! ସତରେ କେତେ କଷ୍ଟ ପାଇନଥାନ୍ତା ସିଏ ! ମୋ ପିଲାବେଳେ ମୁଁ ଗପଟେ ଶୁଣିଥିଲି । ଗଛ ଆଉ କାଠୁରୀଆ ଗପ । କାଠୁରୀଆର ସୁଖ ପାଇଁ ଫୁଲ, ଫଳ, ପତ୍ର, ଡାଳ ଆଉ ଗଣ୍ଡି ସବୁ ତାକୁ ସମର୍ପିଦେଲା କୌଣସି ଆଶା ନରଖି । ଖାଲି ଯାହା ମୂଳଟା ଥିଲାଯେ ତାକୁବି କାଠୁରୀଆ ଜାଳିଦେଲା ଶୀତରୁ ରକ୍ଷା ପାଇଁ । ସବୁ ସରିଗଲାପରେ କାଠୁରୀଆଟି ଗଛର ମୂଲ୍ୟ ବୁଝିପାରିଲା । ମୋରବି ଆଜି ଠିକ୍ ସେହି ଗଛର ମୂଳ ପରି ଅବସ୍ଥା । ସେଦିନ କାଠୁରୀଆ ସିନା ବୁଝିଗଲା ଗଛର ମୂଲ୍ୟ କିନ୍ତୁ ଏ ମୂଳଟା ଜଳିଗଲାପରେ ଦୁନିଆଁ ମୂଲ୍ୟଟା ବୁଝିବ ନା ନାହିଁ କେଜାଣି ! କାହିଁକିନା ଆଜି ଏଦୁନିଆଁ ଶିଖାଇଦେଇଛି ମୂଲ୍ୟର ପରିଭାଷା । ଏବେ ମୋ ପିଲାଙ୍କ ଆଖିରେ ମୂଲ୍ୟ ହିଁ ସବୁକିଛି । ତେଣୁ ମୋପରି ଗୋଟିଏ ମୂଲ୍ୟହୀନ ଜୀବର ବଞ୍ଚିବା କେତେ ନା ମରିବା କେତେ ! ତେବେ ସବୁଥିରେ ମୂଲ୍ୟ ଖୋଜୁଥିବା ଆଜିର ପିଢୀ କଣ ଦେଇପାରିବ ମୋ ଅସୁସ୍ଥ ପିଲାଙ୍କପାଇଁ ରାତି ପରେ ରାତି ମୋ ଆଖି ହଜାଇଥିବା ନିଦର ମୂଲ୍ୟ , ଦେଇପାରିବ ଅନ୍ତରର ବେଦନା ଉପରେ ଖେଳିବୁଲୁଥିବା ମିଥ୍ୟା ହସଟାର ମୂଲ୍ୟ , ନିଅଣ୍ଟିଆ ଘରଟାର ବାହାରେ ପତଳା କମ୍ବଳତଳେ ବିତାଇଥିବା ଅସଂଖ୍ୟ ହାଡଭଙ୍ଗା ଶୀତରାତିର ମୂଲ୍ୟ , ସାରାଦିନ ଅନ୍ୟର ଆଦେଶ ଶୁଣିଶୁଣି ରାତିରେ କ୍ଳାନ୍ତ ମନ ଆଉ ଶରୀରଧରି ପିଲାଙ୍କୁ ଦେଇଥିବା ଶିକ୍ଷାର ମୂଲ୍ୟ । ନା ଏହାର କୌଣସି ମୂଲ୍ୟନାହିଁ । କି ମୂଲ୍ୟ ଆକଳନ କରିବେ ଏହାର ଆଜିର ପିଢୀ । ମୂଲ୍ୟଟାତ ସବୁବେଳେ ସ୍ବାର୍ଥ କୈନ୍ଦ୍ରୀକ । ତେଣୁ ମୋର ଲୋଡା ନାହିଁ ମୂଲ୍ୟ । ମୁଁତ ମାଗୁନାହିଁ ଧନ ସମ୍ପତ୍ତି କି ଭୋଗ ବିଳାସ । ମୁଁତ ଚାହିଁଥିଲି ଟିକିଏ ହସ ପିଲାଙ୍କ ମୁହଁରେ ; ଶୁଣିବାକୁ ଚାହୁଁଥିଲି ମୋସହ ପଦିଏ ମିଠାକଥା ; ମାଗୁଥିଲି ତାଙ୍କର ବ୍ୟସ୍ତତା ଭରା ଜୀବନରୁ କିଛି ସମୟ ମୋସହ ବିତାଇବା ପାଇଁ , ଦରକାର କରୁଥିଲି ମୋ ସନ୍ତାନ ମାନଙ୍କ ପାଖରୁ ତିରସ୍କାର ବଦଳରେ ଟିକିଏ ଆଲିଙ୍ଗନ । ଏହାଛଡା ମୋର ଆଉ କୌଣସି ଅଭିଳାଷା ନାହିଁ ତାଙ୍କଠାରୁ । ନିଜ ହାତ ତିଆରି ମୋ ସ୍ବପ୍ନର ଘରେ ଆଜି ନିଜେ ମୁଁ ଶଙ୍କିତ ଭୟଭୀତ ଆଉ ଅପରିଚିତ । ବେଳେବେଳେ ଭାବେ ବୋଧହୁଏ ଭୁଲ ହୋଇଗଲା ସେମାନଙ୍କୁ ପରିଚୟ କରାଇ ଏନ୍ତୁଡିରୁ ଏଦୁନିଆଁ ସହ । ଭୁଲ୍ ହୋଇଗଲା ସାରା ଜୀବନଟା ତାଙ୍କର ମଙ୍ଗଳ କମନା କରିକରି । ଆରେ ନା ନା ! ମୁଁ ପରା ଗୋଟେ ପିତା । ପିତା କଣ କେବେ ନିଜ ସନ୍ତାନର ଅମଙ୍ଗଳ ଚିନ୍ତା କରିପାରେ ! ହେ ପ୍ରଭୂ ! ସେମାନଙ୍କୁ ସୁଖରେ ରଖ । ତାଙ୍କର ଦୁଃଖର ଏହି କାରଣଟାକୁ ଶୀଘ୍ର ଉଦ୍ଧାର କର । ଆରେ ! ଏ କାହାର ଏକ ଅଜଣା ପଦଧ୍ବନି ମୋ ହୃଦୟ ଶୁଣିପାରୁଛି ! ଏଇଟା ଆଉ ମୁକ୍ତି ନୁହେଁତ ! ହଁ ହଁ ଏଇଟାତ ମୁକ୍ତିର ପଦଧ୍ବନି । ଏଇଟା ମୁକ୍ତି । ଏଜନ୍ମରୁ ମୁକ୍ତି । ହେ ମୃତ୍ୟୁ ! ମୋତେ ଆଲିଙ୍ଗନ କର । ମୋତେ ଆଲିଙ୍ଗନ କର " । " ଆଉ ଏହାପରେ ଚିଠି ଲେଖିଥିବା ସେହି ବ୍ୟକ୍ତି ଜଣକ ହାର୍ଟ ଷ୍ଟ୍ରୋକ୍ ରେ ଚାଲିଗଲେ " ବୋଲି ଚିଠି ପଢୁଥିବା ବିକାଶ ବାବୁଙ୍କୁ କହୁଥାଆନ୍ତି ସାହୁ ବାବୁ ।
ବାର ବର୍ଷତଳର ଏହି ସାଇତା ଚିଠିଟା ପଢିସାରିଲା ବେଳକୁ ବିକାଶ ବାବୁଙ୍କ ମନରେ ନିଜ ପରିବାର ପ୍ରତି ଥିବା ସମସ୍ତ ଦୁର୍ଭାବନା ଦୂର ହୋଇସାରିଥିଲା । ସେ ନିଜ ଭୁଲ୍ ବୁଝିପାରି ହସିହସି ପୁଣି ତାଙ୍କ ଘରକୁ ଚାଲିଗଲେ । ସେ ଗଲାପରେ ସାହୁ ବାବୁଙ୍କ ପତ୍ନୀ ତାଙ୍କୁ ପଚାରିଲେ " କଣ ମେଡିସିନ ଦେଲଯେ ବିକାଶ ବାବୁଙ୍କର ସବୁ ରାଗ ଏକାବେଳକେ କେଉଁଆଡେ ଉଭେଇଗଲା " ? ଟିକିଏ ହସିଦେଇ ସାହୁ ବାବୁ କହିଲେ " ସେହି ମେଡିସିନ୍ ଟା ଯେଉଁଟା ଜେଜେ ଯିବା ପୂର୍ବରୁ ଆମ ପରିବାରକୁ ଦେଇଯାଇଥିଲେ " ॥
॥ ଜ୍ୟୋତିରଞନ ସାହୁ ॥