odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story

ଆପଣମାନେ ଭାବୁଥିବେ ଏଇଟା ଗୋଟିଏ ଗଳ୍ପ । ହଁ ଯଦି ଭାବିବେ ଇତିହାସ ତେବେ ଏଇଟା ଗୋଟିଏ ଗଳ୍ପ ଆଉ ଯଦି ତର୍ଯ୍ୟମା କରିବେ କାହାଣୀର ଚରିତ୍ର ସହ ଏସମାଜକୁ ତେବେ ଖୋଜିପାଇବେ ଏଯୁଗରେ ଥିବା ଅସଂଖ୍ୟ ଅଜାତଶତ୍ରୁକୁଂ । ଯେଉଁମାନେ ଜାଣିଥିବେ ଅଜାତଶତ୍ରୁର ଇତିହାସ ସେମାନେ ହୁଏତ ଚିନ୍ତାକରୁଥିବେ ଏଇଟା ଗୋଟିଏ କି ଗପ ? ଏହାକୁତ ଆମେ ଇତିହାସ ବହିରେ ପିଲାଟିବେଳୁ ପଢିଆସିଛୁ । ହଁ ଆଜ୍ଞା ! ଆପଣମାନେ ନିହାତି ପଢିଥିବେ । ତଥାପି ଥରଟେ ପଢିବାର କଷ୍ଟ କରନ୍ତୁ । ଇଏ ସେହି ଅଜାତଶତ୍ରୁ ଯାହାକୁ ଇତିହାସ କହେ ପିତୃହନ୍ତା । ଇଏ ସେହି କଳଙ୍କିତ ହରିଅଙ୍କ ବଂଶର ଜଣେ ସମ୍ରାଟ ଯେଉଁ ବଂଶ ଇତିହାସର ପୃଷ୍ଠାରେ ନିଜକୁ ଲିପିବଦ୍ଧ କରିଛି ପିତୃହନ୍ତା ବଂଶ ପରି ଗୋଟିଏ କଳଙ୍କିତ ନାମରେ । ତେବେସେ ଯାହା ହେଉ ଇତିହାସର ପୃଷ୍ଠାକୁ ତର୍ଜମା କରିବାକୁ ମୋର ଇଚ୍ଛାନାହିଁ । ସେଥିପାଇଁ ସତ୍ୟ ମିଥ୍ୟା ଠିକ୍ ଆଉ ଭୁଲ୍ ରୁ ଟିକିଏ ଉପରକୁ ଉଠି ମୁଁ ଏଠାରେ ଅଜାତଶତ୍ରୁର ସେହି ଦିଗ ଉପରେ ଆଲୋକପାତ କରିବି ଯାହା ମୋ କାହାଣୀର ଦୁଇ ଚରିତ୍ର ରାଜୁ ଆଉ ଅଜୁ ତାଙ୍କର ଇତିହାସ ଶିକ୍ଷକଙ୍କ ଠାରୁ ଶୁଣିଥିଲେ । କାହାଣୀଟି ଆରମ୍ଭ ହୁଏ ସେହି ସମୟରୁ ଯେଉଁ ସମୟରେ ଗୁଗଲ ଧରାପୃଷ୍ଠରେ ଅବତରଣ କରିନଥିଲା । ଅନ୍ୟ ଅର୍ଥରେ ଏପରି କହିହେବ ଯେ ଏଦୁନିଆଁ ଗୁରୁମୟ ଥିଲା; ଗୁଗଲମୟ ନୁହେଁ । ଯୁକ୍ତି ଉପରେ କାୟାବିସ୍ତାର କରିଥିଲା ବିଶ୍ବାସଟା । ସେହିପରି ଏକ ସମୟରେ ଭାରତ ସ୍ବାଧୀନତାର ଅନେକ ପୂର୍ବରୁ ପ୍ରତିଷ୍ଠିତ ଏକ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ ଦୁଇ ବନ୍ଧୁ ରାଜୁ ଆଉ ଅଜୁ । ଇତିହାସ କ୍ଲାସ୍ ଟା ଭାରି ବୋରିଂ ଲାଗୁଥିବାରୁ ରାଜୁ ଆଉ ଅଜୁ ସବୁଦିନ ପଛ ବେଞ୍ଚ ରେ ବସି ଢୁଳାଉଥିଲେ । ଅନେକ ସମୟରେ ଏଥିପାଇଁ ଦୁହେଁ ମାଡ ମଧ୍ୟ ଖାଉଥିଲେ । ସେଦିନ ପିଲାଙ୍କୁ ଇତିହାସ ସାର୍ ଙ୍କର କହିବାକୁ ଥିଲା ଅଜାତଶତ୍ରୁର ଇତିହାସ । ତା ବିଷୟରେ କିଛି କହିବା ପୂର୍ବରୁ ସାର୍ ପ୍ରଥମେ କ୍ଲାସ ବାହାର ପିଣ୍ଡାରେ ଆଣ୍ଠେଇ ଦେଲେ ରାଜୁ ଆଉ ଅଜୁକୁ । ଏହାପରେ ସେ ଆରମ୍ଭ କଲେ ଅଜାତଶତ୍ରୁର ଇତିହାସ । ଆରମ୍ଭ କରିବା ପୂର୍ବରୁ ସେ ପିଲାଙ୍କ ଉଦ୍ଦେଶ୍ୟରେ କହିଥିଲେ ଗୋଟିଏ ଛୋଟ କାହାଣୀ । ସାର୍ କହିଲେ " ଆଚ୍ଛା ପିଲାଏ ! କହିଲ କିଏ କିଏ ବାପା ମା ଙ୍କୁ ଜମା ଭଲ ପାଅନାହିଁ "? ସମସ୍ତେ ନୀରବ ଥିବାର ଦେଖି ଖୁସିହୋଇଗଲେ ଇତିହାସ ସାର୍ । ପୁଣି ଆରମ୍ଭ କଲେ " ବହୁତ ଭଲ ପିଲା ତୁମେ ସବୁ । ଜାଣିଛ ବହୁଦିନ ପୂର୍ବରୁ ଏଭାରତ ବର୍ଷରେ ଜଣେ ରାଜା ଥିଲେ । ସେ ଥିଲେ ଜଣେ ଉତ୍ତମ ଶାସକ । ତାଙ୍କର ଗୋଟିଏ ପୁଅ ଯିଏ ଥିଲା ଖୁବ୍ ଅତ୍ୟାଚାରୀ ଆଉ ଶାସନ ଲୋଭୀ । ଶୀଘ୍ର ରାଜା ହେବେ ବୋଲି ବନ୍ଦୀକରି ରଖିଥିଲା ନିଜର ବୃଦ୍ଧ ବାପାଙ୍କୁ । ପ୍ରଜା ଯେତେବେଳେ ଜାଣିଲେ ରାଜା ବନ୍ଦୀ ସେମାନେ ସମସ୍ତେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଲେ । ସେହି ଅତ୍ୟାଚାରୀ ପୁଅ ଏକଥା ଜାଣି ଆଦେଶ ଦେଲା ତାଙ୍କ ବାପାଙ୍କୁ ଖାଇବାକୁ ନଦେଇ ମାରିଦେବାକୁ । ଦୁରାଚାରୀ ରାଜକୁମାରର ଆଦେଶ ସାଙ୍ଗେସାଙ୍ଗେ ପାଳନ ହେଲା । ଦିନେ ଦୁଇଦିନ ଚାରିଦିନ ଏମିତି କଟିଗଲା ଉପବାସରେ ଅନେକ ଦିନ । ବୃଦ୍ଧ ରାଜା କିନ୍ତୁ ମରୁନଥିଲେ । କାରଣ କଣ ଖୋଜିଲା ବେଳକୁ ଜଣାପଡିଲା ରାଣୀ ଲୁଚାଇ ଲୁଚାଇ ରାଜାଙ୍କୁ ଖାଦ୍ୟ ନେଇ ଦେଉଥିଲେ । ରାଣୀଙ୍କୁ ଆଉ ରାଜାଙ୍କ ପାଖକୁ ଛଡାଗଲାନାହିଁ । ଉପବାସରେ କଟିଲା ରାଜାଙ୍କର ଦିନ । ଏହାଭିତରେ ରାଜକୁମାର ବାପା ହେଲେ । ବାପା ହେବାର ଖୁସିରେ ସେ ପାଗଳ ପ୍ରାୟ ହୋଇଗଲେ । ଦିନେ ରାଜପରିବାରର ସମସ୍ତେ ଭୋଜନ କରୁଥିବା ବେଳେ ରାଜକୁମାରଙ୍କର ନବଜାତ ପୁତ୍ର ତାଙ୍କ ଖାଇବା ଥାଳିରେ ପରିସ୍ରା କରିଦେଲା । ପୁତ୍ର ପ୍ରେମୀ ରାଜକୁମାର ସେହି ଖାଦ୍ୟକୁ ଆନନ୍ଦରେ ଖାଇଚାଲିଲେ । ହଠାତ୍ ସେ ତାଙ୍କ ମାତାଙ୍କୁ ପ୍ରଶ୍ନକଲେ ' ମା ! ମୋପରି ପୁତ୍ର ସ୍ନେହୀ ବାପା କିଏ ଅଛି ' ? ତାର ଏ ପ୍ରଶ୍ନରେ ଟିକିଏ ହସିଦେଇ ରାଣୀ କହିଲେ " ଜାଣିଛୁ ତୁ ଜନ୍ମ ହେବା ପୂର୍ବରୁ ରାଜ ଜ୍ୟୋତିଷ ଗଣନା କରି କହିଥିଲେ ତୁ ହେବୁ ତୋ ବାପାଙ୍କର ହତ୍ୟାକାରୀ । ଏହା ଜାଣି ମୁଁ ତୋତେ ଗର୍ଭରେ ମାରିଦେବାକୁ ସ୍ଥିରକଲି । ମୋ ସମସ୍ତ ଚେଷ୍ଟା ବିଫଳ ହେଲା । କାହିଁକିନା ତୋ ବାପାଚାହୁଁଥିଲେ ତୋର ଜନ୍ମ । ସମସ୍ତଙ୍କ ବିରୋଧ ସତ୍ତ୍ବେ ଏକୁଟିଆ ତୋ ବାପାହିଁ ତୋ ଜନ୍ମପାଇଁ ବ୍ୟାକୁଳଥିଲେ । ତୁ ଜନ୍ମ ହେବା ମାତ୍ରେ ମୁଁ ତୋତେ ରାଜ ଉଆସରୁ ତଳକୁ ଫିଙ୍ଗିଦେଲି ବଧ କରିବାପାଇଁ । ତୋର କିନ୍ତୁ ମୃତ୍ୟୁ ହେଲାନାହିଁ । ରାଜା ଏକଥା ଜାଣିଲା ବେଳକୁ ତୋ ଶରୀରରେ ବ୍ୟାପି ଯାଇଥିଲା ଗୋଟିଏ ଦୂରାରୋଗ୍ୟ ଚର୍ମବ୍ୟାଧି । ରାଜବୈଦ୍ୟ ଆସି କହିଲେ ' ଯଦି କେହି ବ୍ୟକ୍ତି ତୋ ଶରୀରର ପୂଜ ରକ୍ତକୁ ନିଜ ଜିଭରେ ଚାଟି ଚାଟି ସଫାକରେ, ତେବେ ଯାଇ ତୋ ଶରୀରଟା ଆରୋଗ୍ୟ ଲାଭ କରିବ ' । ଏକଥାରେ ସମସ୍ତେ ପଛଘୁଞ୍ଚା ଦେଲେ । ମା' ହୋଇ ମଧ୍ୟ ମୁଁ ଘୃଣାକରିଥିଲି ଏପରିକରିବାକୁ । ସେତେବେଳେ ତୋ ବାପା ହିଁ ତୋତେ ସେ ବ୍ୟାଧିରୁ ଆରୋଗ୍ୟ କରିଥିଲେ । ସେତେବେଳେ ଯଦି ତୋ ବାପା ତୋତେ ଜୀବନ ଦାନ ନକରିଥା'ନ୍ତେ ତେବେ ସେ ଆଜି ରାଜା ହୋଇ ମଧ୍ୟ ବନ୍ଦୀର ଜୀବନ ଅତିବାହିତ କରୁନଥାନ୍ତେ ' । ମା'ଙ୍କ ମୁହଁରୁ ଏକଥା ଶୁଣି ବ୍ୟସ୍ତହୋଇଉଠିଲା ଅଜାତଶତ୍ରୁ । ଦୌଡିଗଲା ବନ୍ଦୀଶାଳାକୁ । କିନ୍ତୁ ହାୟରେ ସମୟ ! ସେ ଦ୍ରୁତ ବେଗରେ ଆସୁଥିବା ଦେଖି ମୃତ୍ୟୁ କୁ ଅବସମ୍ଭାବି ବୋଲି ଭାବିନେଲେ ରାଜା ଆଉ ନିଜେ ପିନ୍ଧିଥିବା ବିଷାକ୍ତ ମୁଦ୍ରିକାଟିକୁ ଗିଳିଦେଇ ଆତ୍ମହତ୍ୟା କରିଦେଲେ । ପ୍ରୟଶ୍ଚିତ କରିବାର ସୁଯୋଗ ମଧ୍ୟ ପାଇଲେନାହିଁ ରାଜକୁମାର । ପଶ୍ଚାତାପରେ କଟିଗଲା ତାଙ୍କର ବାକି ଜୀବନ । ଆଉ ଜାଣିଛ ପିଲାଏ ସେ ରାଜ କୁମାର ଜଣକ କିଏ " ? ସବୁ ପିଲା ଏକ ସ୍ବରରେ ପ୍ରଶ୍ନକଲେ " ସେ ବଦମାସ ରାଜକୁମାର କିଏ ସାର୍ " ? ସାର୍ ଉତ୍ତର ଦେଇଥିଲେ " ସିଏ ହେଉଛି ଅଜାତଶତ୍ରୁ ; ଜାତ ହେବାପୂର୍ବରୁ ଯିଏଥିଲା ତା ପିତାର ଶତ୍ରୁ ; ଯାହା ବିଷୟରେ ଆମେ ଆଜି ପଢିବା । ତେଣୁ ପିଲାମାନେ ବାପା ମା'ଙ୍କୁ ବଡ ହୋଇ କେବେହେଲେ ହତାଦର କରିବନାହିଁ । ନଚେତ୍ ତୁମେ ସମସ୍ତେ ବୋଲାଇବ ଗୋଟିଏ ଗୋଟିଏ ବଦମାସ ଅଜାତଶତ୍ରୁ " । ଏତିକିରେ ଗପଟିର ଅନ୍ତକରି ସାର୍ ପଢାଇଚାଲିଥିଲେ ଇତିହାସ । ଏପଟେ ବାହାରେ ରାଜୁ ଆଉ ଅଜୁ ଚୁପ୍ଚାପ୍ ଆଣ୍ଠେଇ ଗପଶୁଣୁଥିଲେ । ବୋଧହୁଏ ଜୀବନରେ ଏପରିଭାବେ ଗପ ଶୁଣିବାକୁ ଭାଗ୍ୟରେ ଥିଲେ ମିଳେ । କ୍ଲାସ ସରିଲା ଆଉ ଚାଲିଗଲେ ଇତିହାସ ସାର୍ । ଜାଣନ୍ତି ଜୀବନ ଆମକୁ ପ୍ରତିଟି ସୋପାନରେ କେତେଯେ କ୍ଲାସ ନିଏ ପୁଣି କେତେଯେ କଥା ଶିଖାଉଥାଏ ତାହା ଲେଖିବସିଲେ ଅନୁଭୂତିର ଗ୍ରନ୍ଥଟିଏ ହୋଇଯିବ । ସେଦିନ ଇତିହାସ ସାର୍ କହିଥିବା ଗପଟି ଶୁଣିଥିଲେ ଦୁଇ ବନ୍ଧୁ । କିନ୍ତୁ କିଏ କଣ ଶିଖିଲା ସେକଥା ଗୁପ୍ତ ହୋଇରହିଗଲା ।
ଏହାଭିତରେ ଅତୀତର ସେହି ଶୁଣା କାହାଣୀଟା ଉପରେ ପରସ୍ତ ପରସ୍ତ ହୋଇ ଜମିଗଲାଣି ପଚିଶ ବର୍ଷର ସ୍ମୃତି। ସ୍ମୃତିର ପୃଷ୍ଠାତଳେ ଚାପିହୋଇ ରହିଯାଇଛି ସେହି କାହାଣୀ । କାହାଣୀ କହିଥିବା ଚରିତ୍ରଟି ଆଜି ସମାଜ ପାଇଁ ଅଲୋଡା ଅଖୋଜା । ଆଉ କାହାଣୀ ଶୁଣିଥିବା ଚରିତ୍ର ଦୁହେଁ ଏବେ ପିତା ଚରିତ୍ରରେ ଅବତ୍ତୀର୍ଣ୍ଣ । ସେଦିନର ରାଜୁ ଆଉ ଅଜୁ ଆଜିବି ଦୁଇ ସାଙ୍ଗ । ଦୈନିକ ଆବଶ୍ୟକତା ପାଇଁ ଦୁହେଁ ସର୍ବଦା ଜୀବନସହ ସଂଘର୍ଷରତ । ଜୀବନ ସଂଗ୍ରାମରେ ଅନେକ ଥର ଥକିପଡି ପୁଣି ଦୁହେଁ ଉଠିବାକୁ ଚେଷ୍ଟା କରନ୍ତି । ଅଭାବଟା ଅନେକ ସମୟରେ ଅଜୁର ମାନସିକ ସ୍ଥିତିକୁ ଦହଲାଇଦିଏ । ଘରେ ବୁଢା ବାପା ମା ପୁଣି ଦୁଇଟା ଝିଅପରେ ଗୋଟିଏ ଚାରି ବର୍ଷର ପୁଅ । ଏତେବଡ ପରିବାରକୁ ଅଜୁ ଏକୁଟିଆ । ଛୋଟ ପିଲାଙ୍କୁ ଟିଉସନ କରି ଯାହା ପାଏ ସେହିଥିରେ କଷ୍ଟେମଷ୍ଟେ ଚେଷ୍ଟାକରେ ଅଭାବ ପୁରଣ କରିବାକୁ । ରାଜୁର ପରିବାର କହିଲେ ତା ବାପା ଆଉ ମା । ରାଜୁ ଅବିବାହିତ । ରୋଗିଣା ବାପା ମା'ଙ୍କ କଥା ବୁଝୁବୁଝୁ କେମିତିଯେ ସମୟଟା କଟିଯାଏ ସେ ଜାଣିପାରେନାହିଁ । ଏମିତି କଟିଯାଉଥିଲା ଦୁଇ ବନ୍ଧୁକଂର ସମୟ ।
କୁହନ୍ତି ' ଅଭାବେ ସ୍ବଭାବ ନଷ୍ଟ ' ଠିକ୍ ଏହିପରି କିଛି ଘଟୁଥାଏ ଅଜୁର ଜୀବନରେ । ଅଭାବ ଆଉ ଆବଶ୍ୟକତା ଧୀରେଧୀରେ ଅଜୁର ସ୍ବଭାବରେ କେମିତି ଗୋଟିଏ ବିଚିତ୍ର ପରିବର୍ତ୍ତନ ଆଣିଦେଇଥିଲା । ନିଜ ସ୍ବାର୍ଥ ଛଡା ତାକୁ ଆଉ କିଛି ବୁଝାପଡୁନଥିଲା । ନିଜର ସଂସାରଟା ସଜାଡୁ ସଜାଡୁ ସେ ଏହା ଭିତରେ କେମିତି ଗୋଟିଏ ସ୍ବାର୍ଥପର ମଣିଷଟେ ପାଲଟିଯାଇଥିଲା । ତାର ସ୍ବାର୍ଥବାଦୀ ଗୁଣଟା ସେହିଦିନ ଚରମ ସୀମାକୁ ଟପିଯାଇଥିଲା ଯେଉଁଦିନ ରାଜୁ ଜାଣିବାକୁ ପାଇଥିଲା ଅଜୁ ତା ବୃଦ୍ଧ ବାପା ମା'ଙ୍କପ୍ରତି କରୁଥିବା ଘୃଣ୍ୟ ବ୍ୟବହାର ସମ୍ପର୍କରେ । ରାଜୁ ଅନେକ ଥର ଭାବିଛି କିଛି କହିବ । ବୋଧହୁଏ ଅନେକକଂପରି ସେ ମଧ୍ୟ ଉଚିତ୍ ଅନୁଚିତ୍ ର ଚକ୍ରବ୍ୟୁହ ଭିତରେ ଛନ୍ଦିହୋଇପଡେ । ସେଦିନ କାହିଁକି କେଜାଣି ହଠାତ୍ ବ୍ୟସ୍ତ ବିବ୍ରତ ଅଜୁ ରାଜୁ ଘରକୁ ଝଡପରି ପଶିଆସି ଭୟାତୁର କଣ୍ଠରେ ପଚାରିଲା " ଆରେ ରାଜୁ ! ମୋ ପୁଅକୁ ଦେଖିଛୁ ? ଛୋଟ ପିଲାଟା ଘର ଲୋକଙ୍କର ଅଜାଣତରେ କେଜାଣି କେଉଁଆଡେ ଚାଲିଯାଇଛି । ଘଣ୍ଟାଏ ହେଲାଣି ସବୁଆଡେ ଖୋଜିସାରିଲିଣି । ମୋ ହୃତସ୍ପନ୍ଦନଟା ବଢିବଢି ଯାଉଛି " । ଅଜୁର ଏଭଳି କଥାରେ ଉଚ୍ଚ ହସଟିଏ ହସିଦେଇ ରାଜୁ ଅଜୁର ହାତଧରି ଟାଣିନେଇଗଲା ଘର ଭିତରକୁ । ଘର ଭିତରେ ବସିଥାଆନ୍ତି ଅଜୁର ବାପା ଆଉ ପାଖରେ ଖେଳୁଥାଏ ତାଙ୍କର ଚାରିବର୍ଷର ନାତି ଟୋକା । ଅଜୁକୁ ଦେଖି ବାପା ତାର କହିଲେ " ଆରେ ! ମୁଁ ଜାଣେନାହିଁ କେତେବେଳେ କାହ୍ନୁ ଆମର ମୋ ପଛେପଛେ ଚୁପ୍ଚାପ୍ ଚାଲିଆସିଛି । ମୁଁ ତାକୁ ନେଇ ଘରକୁ ଯାଉଛି " । ଏହା କହି ଅଜୁର ବାପା ନାତିକୁ ଧରି ଘରକୁ ଚାଲିଗଲେ । ସେ ଚାଲିଗଲାପରେ ରାଜୁ ଅଜୁକୁ କହିଲା " ବୁଝିଲୁ ଅନେକ ଦିନରୁ ତୋତେ କଥାଟିଏ କହିବି କହିବି ଭାବି କହିବାକୁ ସମୟ ପାଉନଥିଲି । ମନେଅଛି ଅନେକ ଦିନ ଆଗରୁ ଆମକୁ ଇତିହାସ ସାର୍ ଗୋଟିଏ ଗପ କହିଥିଲେ । ସେହି ଗପଟାମ ଯେଉଁଟା ଆମେ ଦୁହେଁ ବାହାରେ ଆଣ୍ଠେଇ ଶୁଣିଥିଲେ " ! ଏଥର ଗପଟା ଠିକ୍ ମନେପଡିଗଲା ଅଜୁର । କହିଲା " ହଁ ହଁ ମନେପଡିଲା । ବଢିଆ ଲାଗିଥିଲା । ହେଲେ ତୁ ଆଜି କାହିଁକି ଏକଥା ମନେପକାଇଦେଉଛୁ " ? ଏହାର ଉତ୍ତରରେ ରାଜୁ କହିଲା " କାହିଁକିନା ମୁଁ ଆଜି ମୋ ସାଙ୍ଗ ଭିତରେ ସେହି ଅଜାତଶତ୍ରୁକୁ ଦେଖିପାରୁଛି । ସେଦିନ ମୁଁ ଭାବୁଥିଲି ସେ ଅଜାତଶତ୍ରୁଟା ମୋ ଆଗକୁ ଆସନ୍ତାକି ? ମୁଁ ତାକୁ ପିଟିପିଟି ମାରିଦିଅନ୍ତି । ଆଜି ତୋତେ ଦେଖି ପୁଣିଥରେ ଇଚ୍ଛାହେଉଛି ତୋ ଭିତରେ ଲୁଚିଥିବା ସେହି ଅଜାତଶତ୍ରୁଟାକୁ ହତ୍ୟା କରନ୍ତି । ସେଦିନ ବାହାରେ ଆଣ୍ଠେଇ ଗପ ଶୁଣିବାବେଳେ ମୁଁ ଭାବୁଥିଲି ସତରେ କଣ ପୁତ୍ରଟିଏ ଏତେ ସ୍ବାର୍ଥପର ହୋଇଯାଇପାରେ ! ଆଉ ଆଜି ଭାବୁଛି ତୋପରି ପୁଅଟିଏ ଯଦି ସାମାନ୍ୟ ସ୍ବାର୍ଥପାଇଁ ନିଜ ବାପା ମା କୁଂ ହତାଦର କରିପାରେ ତେବେ ସେ ଅଜାତଶତ୍ରୁ କାହିଁକି ରାଜ୍ୟ ଓ ରାଜସିଂହାସନ ପାଇଁ ନିଜ ପିତାକୁ ହତ୍ୟାକରିନଥିବ ! ଯେବେ ପବିତ୍ର ସମ୍ପର୍କ ଭିତରେ ସ୍ବାର୍ଥ ପ୍ରବେଶକରେ ସେବେ ପୁତ୍ରଟିଏ ପାଲଟିଯାଏ ଇତିହାସର ସେହି ଅଜାତଶତ୍ରୁ । ଯଦି ଚାରି ବର୍ଷର ପୁଅଟିକୁ ହଜାଇବାର ଭୟରେ ତୋ ହୃଦୟର ସ୍ପନ୍ଦନଟା ଗତିହୀନ ହୋଇପଡୁଛି ତେବେ ଥରେ ଚିନ୍ତାକଲୁ ଚାଳିଶ ବର୍ଷର ପୁଅକୁ ହଜାଇଦେଇଥିବା ଗୋଟିଏ ବାପର ହୃଦୟଟା କଣ ହେଉଥିବ ! ଜାଣିଛୁ ଆଜିବି ତୋ ବାପା ଖୋଜିବୁଲୁଛନ୍ତି ତାଙ୍କ ଅଜୁକୁ । ଯାହାକୁ ଅନେକଦିନ ଆଗରୁ ସେ ହଜାଇଦେଇଛନ୍ତି । କିଛିଦିନ ହେବ ଯେବେଯେବେ ମୋ ସହ ତାଙ୍କର ଦେଖାହୁଏ ସେ ମୋତେ ଅଶ୍ରୁଭରା ନୟନରେ ପଚାରନ୍ତି ' ବୁଝିଲୁ ମୋ ଅଜୁଟା କେଉଁଆଡେ ହଜିଯାଇଛିରେ ! ତାକୁଟିକେ ଖୋଜିଆଣନ୍ତୁନି ! ତୋ ସାଙ୍ଗଟା ପରା । ତୁ ଚାହିଁଲେ ସେ ଫେରିଆସିବ ' । ତାଙ୍କ କଥାର କୌଣସି ଉତ୍ତର ମୁଁ ଦେଇପାରେନାହିଁ । ଖାଲି ମନେମନେ ପଶ୍ନକରେ କଣ ସତରେ ଇତିହାସର ପୁନରାବୃତ୍ତି ହୁଏ ! ସତରେ କଣ ଆଜିବି ଏ ଭାରତ ବର୍ଷରେ ରହିଯାଇଛିନ୍ତି ଇତିହାସର କିଛି ଅଜାତଶତ୍ରୁ ? ପୁଣି ମନେମନେ ଚିନ୍ତାକରେ ବୋଧହୁଏ ମୁଁ ଭୁଲିଯାଇଛି ସେହି ଅଜାତଶତ୍ରୁବି ଦିନେ କହିଥିଲା 'ବୁଦ୍ଧଂ ଶରଣଂ ଗଚ୍ଛାମି ' । ଯଦି ସେ କହିପାରିଲା ତେବେ ମୋ ଆଗରେ ଛିଡା ହୋଇଥିବା ଏହି ଅଜାତଶତ୍ରୁଟା କାହିଁକି ପଶ୍ଚାତାପର ଅଗ୍ନିରେ ଜଳିନପାରିବ ! ସେଦିନ ଇତିହାସର ସେହି ଅଜାତଶତ୍ରୁ ସହ ସମୟଟା ସିନା ପରିହାସ କରି ପିତୃହନ୍ତାର କଳଙ୍କଟା ତା ମଥାରେ ବୋଳିଦେଲା ହେଲେ ଅଜୁ ତୋପାଖରେ ଆଜିବି ସମୟ ଅଛି ସେହି କଳଙ୍କରୁ ନିଜକୁ ରକ୍ଷାକରିବାପାଇଁ " । ରାଜୁ କଥାର ମର୍ମଟା ସେତେବେଳକୁ ଠିକ୍ ବୁଝିସାରିଥିଲା ଅଜୁ । ଲଜ୍ଜା ଆଉ ଅପମାନରେ ନିଜକୁ ଖୁବ୍ ଧିକ୍କାର କରିଚାଲିଥିଲା ସିଏ । ରାଜୁ ଘରୁ ବିଦାୟ ନେବା ପୂର୍ବରୁ ରାଜୁ ଅଜୁ ହାତରେ ଗୋଟିଏ ଛୋଟ ଲୁହା ଖେଳଣା ବନ୍ଧୁକଟିଏ ଧରାଇଦେଇ କହିଲା " ନେ ତୋ ପୁଅକୁ ଦେବୁ । ସେ ଖେଳିବ । ମଉସା ତୋତେ ପିଲାଦିନେ କିଣିଦେଇଥିବା ଏଇ ଖେଳଣାଟା ନିଜପାଖରେ ସାଇତି ରଖିଥିଲେ । ମୋତେ କିଛିଦିନ ଆଗରୁ ହାଟରେ ପାଇଯାଇ କହିଲେ ଆରେ ଏଇଟା ଟିକିଏ ସଜେଇ ଦେବୁତ ! ଅଜୁର ପୁଅ ଖେଳିବ " ! ରାଜୁ ହାତରୁ ସେହି ଲୁହା ଖେଳଣା ବନ୍ଧୁକଟା ଆଣୁଆଣୁ ଅଜୁ ଆଖିରୁ ବହିପଡିଲା ଦୁଇଟୋପା ଲୁହ । ଅଜୁର ଯିବା ବାଟକୁ ଚାହିଁ ରାଜୁ ଭାବୁଥାଏ ' ଆଜି ମୋ ହାତରେ ମୃତ୍ୟୁବରଣ କରିଛି ଗୋଟିଏ ଅଜାତଶତ୍ରୁ ' ।
ଜ୍ୟୋତିରଞନ ସାହୁ