odia poem on river, odia poem about river, how to write a odia poem, odia poem book, odia poem comments, odia poem for class 2, odia poem download, odia poem pdf download, odia poem song download, odia poem for magazine

କଟକ ସହର ବଡ ମେଡିକାଲ
ଆସନ୍ତି ସେଠାକୁ ରୋଗୀ ହଜାର ହଜାର
ମୟୂରଭଞିଆ ମୁଁ ଯାଇଥିଲି କାଲି
ଦେଖାଇବାକୁ ମୋ ଅସୁସ୍ଥ ଶରୀର ॥

ଡାକ୍ତର ଦେଖି ମୋ ଦୁର୍ବଳ ଶରୀର
ଲେଖିଲେ ଔଷଧ ଗୋଟିଏ ପୃଷ୍ଠାର
ସେ ଔଷଧ ପୁଣି ମିଳିବ କହିଲେ
ଅମୁକ ଦୋକାନ ଅମୁକ ଜାଗାର ॥

ଖୋଜି ଖୋଜି ଯାଇ ପହଞ୍ଚିଲି ସେଠି
ବଢାଇଦେଲି ମୁଁ ଔଷଧ ଚିଠାଟି
ଗୋଟିଏ ଔଷଧ ନଥିଲା ବୋଲି ସେ
କହିଲା ଦିଅନ୍ତୁ ମୋତେ ଦି' ମିନିଟି ॥

ଚୁପ୍ଚାପ୍ ବସି ପାଖ ଚଉକିରେ
ଚାହିଁଲି ରାସ୍ତାକୁ ଅନ୍ୟମନସ୍କରେ
ଲାଗିଲା ଯେମିତି ହଠାତ୍ କିଏ ସେ
ଡାକିଦେଲା ମୋତେ ଅଜଣା ସ୍ବରରେ ॥

ଏପଟ ସେପଟ ଦେଖିଲି ମୁଁ କେତେ
ଜାଣିପାରିଲିନି ଡାକୁଛି କିଏ ସେ
ହଠାତ୍ ଦେଖିଲି ପାହାଚ କଡକୁ
ସାତ ଆଠ ପତ୍ର ତୁଳସୀ ଗଛଟେ ॥

ଔଷଧର ଖୋଳ ଜରି ଓ ଗୁଟୁଖା
ତା ମଝିରେ ସିଏ ହସେ ଫିକା ଫିକା
ତିନି ଚାରି ପତ୍ର ପାନ ଛେପେ ନାଲି
ହାଲ୍କା ପବନରେ ଝୁଲେ ଏକା ଏକା ॥

ଲାଗିଲା ଯେପରି କହୁଛି ତୁଳସୀ
ଅନ୍ତର ବେଦନା ହୃଦୟରେ ଜାକି
ଅଭିମାନଭରା ଛନ୍ଦରେ କୁହେ ସେ
କେହି ନାହିଁ ଏଠି ଯେ ମୋତେ ଚିହ୍ନୁଛି ॥

ତୁଳସୀ କଥାରେ ମନେପଡିଗଲା
ମାଟି ଘର ପୁଣି ତୁଳସୀ ଚଉରା
ସଞବତୀ ଧରି ଚଉରା ମୂଳରେ
ପ୍ରାର୍ଥନା କରିବା ସ୍ମୃତିସେ ନିଆରା ॥

ଆଜି ସବୁଆଡେ ବଡ ବଡ କୋଠା
ସଂସ୍କାର ନିୟମ ଟଙ୍କା ପାଖେ ବଙ୍କା
ମଣିଷ ଚିହ୍ନେନା ମଣିଷକୁ ଆଜି
ବିଜ୍ଞାନ ବି କହେ କିଏ ସେ ଦେବତା ॥

ଭଙ୍ଗା ପାହାଚର କୋଣେ ଛିଡା ହୋଇ
ପଚାରେ ତୁଳସୀ ମୁହଁକୁ ଶୁଖାଇ
ନାଲି ନେଳି ଧଳା ବଟିକା ପଛରେ
ଆୟୁଷକୁ ତୁମ ସାରୁଛ କିମ୍ପାଇଁ ॥

ସୁସ୍ଥ ରଖ ସ୍ବାସ୍ଥ୍ୟ ଚିତ୍କାର କରୁଛ
ଶ୍ରେଷ୍ଠ ଜୀବ ବୋଲି ଡିଂଡିମ ପିଟୁଛ
ପ୍ରକୃତିକୁ କରି ତୁମ ହତାଦର
କି ସମାଜ ତୁମେ ଗଢିବ ଭାବୁଛ ॥

ଅଳିଆ ଗଦା ର ତୁଳସୀଟେ ମୁହିଁ
ସନମାନ ଛାଡ ଆଦରବି କାହିଁ
ଧନ କି ରତନ ନୁହେଁ ବୋଲି ବୋଧେ
ନଜର କାହାରି ମୋ ଉପରେ ନାହିଁ ॥

ତଥାପି ଦୋଷ ମୁଁ ଦେଉନି କାହାକୁ
ପଡ଼ିଛି ଆଦରି ମୋ ନିଜ ଭାଗ୍ୟ କୁ
ଜାଣିଛି ଜୀବନ ମୋର ଦୁଇ ଦିନ
ଥରଟେ ସମ୍ମାନ ଦିଅ ଏ ମାଆ କୁ ॥

ଅଜଣା ଯୁବକ ବେଗେ ଚାଲିଗଲା
ତାର ପାଦ ତଳେ ମା ଟିଏ ଥିଲା
ଚିତ୍କାର କରି ମୁଁ ଉଠିଲି ସେଠାରେ
ଟିକେ ଚାହିଁ ତଳ ବାଟ ଚାଲ ଭଲା ॥

ହସି ହସି ସେହି ଯୁବକ କହୁଛି
ଅଳିଆ ଗଦାର ଆଟେ ଏତୁଳସୀ
ଏହାକୁ ମାଡିଲେ ଦୋଷ କିଛି ନୁହେଁ
ନହେଲେ ବାଟରେ ଚାଲିବା କେମିତି ॥

ତାର କଥା ଶୁଣି ଲାଗିଲା ଯେମିତି
ଧରାଶାୟୀ ମା' ତୁଳସୀ କହୁଛି
ଏଭଳି ଭାବନା ଆସିଛି ଯେବେଠୁ
ବସୁଧା ଜନନୀ ଗୋମାତା କାନ୍ଦୁଛି ॥

ବେଶି ଦୂର ନୁହେଁ ଆଉ ସେହିଦିନ
ଭୂପତିତ ହେବେ ସର୍ବେ ସନାତନ
ଏ ଦୁନିଆଁ ଯେବେ ଚିହ୍ନି ନପାରଇ
ଦେଇ ନଜାଣଇ ମା'କୁ ସମ୍ମାନ ॥

ସହି ନପାରିଲି ମା'ର ଭତ୍ସନା
କ୍ଷମା ଚିନ୍ତିମନେ ଉଠିଲି ତତ୍କ୍ଷଣା
ଯତନେ ତାହାକୁ ଉଠାଇ ସେଠାରୁ
ଆଣି ଲଗାଇଲି ମୋ ଘର ଅଗଣା ॥

ଅଳିଆ ଗଦାର ଅଲୋଡା ତୁଳସୀ
ଚଉରାରେ ମନ୍ଦ ମନ୍ଦ ହସୁଅଛି
ହସ ଦେଖିତାର ମନେ ମୁଁ ଚିନ୍ତିଲି
ବୋଧେ ସନାତନ ଆଜି ବି ବଞ୍ଚିଛି
ବୋଧେ ସନାତନ ଆଜି ବି ବଞ୍ଚିଛି ॥

॥ ଜ୍ୟୋତିରଞନ ସାହୁ ॥