odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story

ପିଲାଦିନେ ବିଦ୍ୟାଳୟରେ ଧାଡିରେ ଛିଡା ହୋଇ ପ୍ରାର୍ଥନା କରିବା ଅନୁଭୂତିଟି ଆଜିମଧ୍ୟ ଊଣାଅଧିକେଙ୍କ ମନରେ ସତେଜ ହୋଇରହିଥିବ । ତେବେ ଯେତେବେଳେ ମୁଁ ପିଲାଦିନେ ବିଦ୍ୟାଳୟରେ ପ୍ରାର୍ଥନା କରୁଥିଲି ସେତେବେଳେ ଭାବୁଥିଲି ଏ ପ୍ରାର୍ଥନା କ୍ଲାସଟା ଏମିତି ଚାଲୁଥାଆନ୍ତା କି ! କାହିଁକିନା ପ୍ରାର୍ଥନା କ୍ଲାସଟା ସରୁସରୁ ଆରମ୍ଭ ହୋଇଯାଏ ଗଣିତ ନା'ନା' ଅଙ୍କ କ୍ଲାସ୍ । ଅନେକ ଦିନପରେ ଆଜି ଲେଖୁଲେଖୁ ଏହି ଅଙ୍କ ଶବ୍ଦଟି ମନକୁ ଆସିଗଲା । ସେଇଥିପାଇଁ ଲେଖିଲି ଅଙ୍କ କ୍ଲାସ୍ ବୋଲି । ଆଉ ମୋର ଅଙ୍କ ସାର୍ ଜଣକ ଥିଲେ ରାଗି । ରାଗି ମାନେ ଏମିତି ରାଗିଯେ ସିଏ ହସିଲେ ବି ମୋତେ ଲାଗେ ସେ ରାଗିଛନ୍ତି । ତେଣୁ ମୁଁ ଭାବେ ବୋଧହୁଏ ମୋପରି ଅନେକ ଠାକୁରଙ୍କୁ ଡାକୁଥିବେ " ଠାକୁରେ ! ଏ ପ୍ରାର୍ଥନା କ୍ଲାସଟା ଆଉଟିକିଏ ଲମ୍ବା ହୁଅନ୍ତାନି " ! ସେତେବେଳେ ସରଳ ମନରେ ଠାକୁରଙ୍କୁ ନେଇ ମୋର ନା କୌଣସି ପଶ୍ନ ଥିଲା ନା ସନ୍ଦେହ ! ଯେତେଯେତେ ମୁଁ ବଡ ହେଲି ସେତେସେତେ ମୋ ମନରେ ଠାକୁରଙ୍କୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଲା । ବିଜ୍ଞାନ ମୋତେ ଶିଖେଇଦେଲା ସନ୍ଦେହ କରିବା । ସବୁଥିରେ ପ୍ରମାଣ ଖୋଜିବା । ହେଲେ ଏହାଭିତରେ ଜୀବନର ଅନେକ କିଛି ଅନୁଭୂତି ନିରବରେ ମୋର ସନ୍ଦେହ ମୋଚନ କରିଚାଲିଛି ଭଗବାନଙ୍କ ଅସ୍ତିତ୍ବକୁ ନେଇ । ଆଜିବି ଭଗବାନଙ୍କୁ ନେଇ ଅନେକ ପ୍ରଶ୍ନ ହେତୁବାଦୀଙ୍କ ମନରେ ଉଙ୍କିମାରିଚାଲିଛି । ଆଜିବି ଅନେକ ତର୍କ ହେତୁବାଦୀ ଆଉ ଭଗବତବାଦୀଙ୍କ ମଧ୍ୟରେ । ଯେଉଁ ତର୍କର କୌଣସି ନିଷ୍କର୍ସ ନାହିଁ । ସେହିପରି ଗୋଟିଏ ତର୍କର ସେଦିନ ମୁଁ ଥିଲି ଜଣେ ନିରବ ଶ୍ରୋତା ।
ଘଡିରେ ସଂଧ୍ୟା ଛଅଟା । ଜଣେ ଗେରୁଆ ବସ୍ତ୍ରଧାରୀ ବାବା ନିଜ ସିଟ୍ ରେ ବସିଗଲେ ଧ୍ୟାନ ମୁଦ୍ରାରେ । ଟ୍ରେନର ଘର୍ଘର ଶବ୍ଦଟା ତାଙ୍କ ଧ୍ୟାନରେ କୌଣସି ବାଧା ଉତ୍ପନ୍ନ କଲାଭଳି ଜଣାପଡୁନଥାଏ । ବେଶ୍ କିଛି ସମୟ ପରେ ବାବା ଆଖି ଖୋଲିଲେ । ଅନତି ଦୂରରେ ମୁଁ ବସିଥାଏ ଗୋଟିକିଆ ସିଟ୍ ଟା ଉପରେ ଚକା ଆସନ ମାରି । ବାବାଙ୍କର ସମ୍ମୁଖ ସିଟ୍ ରେ ବସିଥାଆନ୍ତି ଜଣେ ମଧ୍ୟବୟସ୍କ ବ୍ୟକ୍ତି । ବନ୍ଧୁକରୁ ବାହାରୁଥିବା ଗୁଳି ଭଳି ରୋକଠୋକ୍ କଥା ତାଙ୍କର । ଆଉ ତାଙ୍କ କଥା ହିଁ ତାଙ୍କ ହେତୁବାଦୀ ଚରିତ୍ରଟିକୁ ସର୍ବସାଧାରଣରେ ଉପସ୍ଥାପିତ କରୁଥାଏ । ମୁଁ ଲକ୍ଷ୍ୟ କରୁଥିଲି ସେ ଖୁବ୍ ଉତ୍ସୁକତାର ସହ ଅନୁଧ୍ୟାନ କରୁଥିଲେ ବାବାଙ୍କ କାର୍ଯ୍ୟକଳାପ । ବାବା ପ୍ରତିଟି କଥାରେ ଜଣାଉଥାଆନ୍ତି ଭଗବାନଙ୍କୁ କୃତଜ୍ଞତା । ଯାହାସହ କଥା ହେଉଥାଆନ୍ତି ସମସ୍ତଙ୍କୁ କହୁଥାଆନ୍ତି " ସବୁ ଭଗବାନଙ୍କ ଇଚ୍ଛା । ଭଗବାନଙ୍କୁ ଧନ୍ୟବାଦ ଯେ ସେ ଆମକୁ ମଣିଷ ଜନ୍ମ ଦେଇଛନ୍ତି । ଏ ସମଗ୍ର ସଂସାରକୁ ସୃଷ୍ଟି କରିଛନ୍ତି "। ଅନେକ ସମୟ ଧରି ବାବାଙ୍କର କଥାବାର୍ତ୍ତା ଆଉ କାର୍ଯ୍ୟକଳାପ ଦେଖି ଆଉ ଧୈର୍ଯ୍ୟ ଧରି ବସିପାରିଲେନି ସେହି ହେତୁବାଦୀ ସଜ୍ଜନ ଜଣକ । କିଛିଟା ବିରକ୍ତି ଆଉ ତାଚ୍ଛଲ୍ୟ ଭରା ସ୍ବରରେ ସେ ପ୍ରଶ୍ନ କଲେ " କଣ ବାବା ! ସବୁକଥାରେ ଭଗବାନ, ଭଗବାନ ହେଉଛନ୍ତି । ଆଜିର ବିଜ୍ଞାନ ଯୁଗରେ ବିନା ପ୍ରମାଣରେ କଣ କିଛି ବି ବିଶ୍ବାସ କରିହୁଏ ? କଣ ପ୍ରମାଣ ଭଗବାନ ଏ ସୃଷ୍ଟି ରଚନା କରିଛନ୍ତି ? ଏ ଟ୍ରେନ, ବସ୍,ମଟର ଗାଡି, ସାଇକେଲ ସବୁକିଛି ବିଜ୍ଞାନ ବଳରେ ମଣିଷ ତିଆରି କରିଛି । ତେବେ ଆପଣ ଦେଇପାରିବେ ଭଗବାନଙ୍କ ଠିକଣା " ? ତାଙ୍କ କଥାରେ ଅବିଚଳିତ ସେ ମହାତ୍ମା ଜଣକ କୌଣସି ଉତ୍ତର ନଦେଇ ଚୁପ୍ ରହିଲେ । ମୁଁ ମନେମନେ ଭାବୁଥାଏ ' ସାରଥୀ ପରଠାରୁ ଆମ ରାଜ୍ୟରେ ଭଣ୍ଡ ବାବା ମାଳ ମାଳ । ଆଉ ଇଏ ମଧ୍ୟ ସେମାନଙ୍କ ଭିତରୁ ଜଣେ ' । କିଛି ସମୟ ଗଲାପରେ ସମସ୍ତେ ସମସ୍ତଙ୍କ ସହ ପୁଣି କଥାବାର୍ତ୍ତାରେ ମଜିଗଲେ । ସେତିକିବେଳେ ସେହି ହେତୁବାଦୀ ଭଦ୍ର ଲୋକ ପାଖରେ ବସିଥିବା ଜଣେ ଲୋକ ତାଙ୍କୁ କହିଲା " ଆଜ୍ଞା ! ଆଜିକାଲି ମୋବାଇଲ୍ ବାହାରି ସବୁକିଛି ବରବାଦ୍ କରିସାରିଲାଣି । ବୁଝିଲେ ଆଜ୍ଞା ! ମୁଁ କଣ ଟିକିଏ ଏମିତି ଲେଖାଲେଖି କରେ । ପ୍ରଶଂସା ଟିକିଏ ପାଇବା ଆଶାରେ କିଛିଦିନ ତଳେ ଫେସ୍ ବୁକରେ ମୋ ଲେଖା କିଛି ପୋଷ୍ଟ କଲି । ହେଲେ ପରେ ବହୁତ ଅନୁତାପ କଲି ଯେ କହିଁକି ମୁଁ ଫେସ୍ ବୁକ୍ ରେ ପୋଷ୍ଟ କଲି ବୋଲି । କାରଣ ମୋ ଲେଖାକୁ ଅନ୍ୟ କେହିଜଣେ ନିଜ ନାଁରେ ସେହି ଫେସବୁକ୍ ରେ ପୋଷ୍ଟ କରିଛି । ବହୁତ ବାଧିଲା ଆଜ୍ଞା । ଏ ମୋବାଇଲ୍ , କମ୍ପୁଟର ଏସବୁ ବିଷୟରେ ମୋର ଧାରଣା ଟିକିଏ କମ୍ ତ । ସେଇଥିପାଇଁ କିଛି କରିନପାରି ଚୁପଚାପ ରହିଗଲି ଆଉ ପୋଷ୍ଟ କରିବା ବନ୍ଦ କରିଦେଲି " । ଏକଥା ଶୁଣି ଭଦ୍ରଲୋକ ଜଣକ ଉଚ୍ଚ ଗଳାରେ କହିଲେ " ଆପଣ ପୋଲିସ ରେ କମ୍ପପ୍ଲେନ ଦେଲେନି ? ଏଭଳି ଚୋରଙ୍କୁ ଶକ୍ତ ପାନେ ଦରକାର ! ମୋର ମଧ୍ୟ କିଛି ରିସର୍ଚ୍ଚ ଆର୍ଟିକାଲ୍ କପି କରାହୋଇଛି । ସେଇଥିପାଇଁ ମୁଁ ଏବେ କପିରାଇଟ୍ ର ସାହାଯ୍ୟ ନେଉଛି । ଯଦି କେହି କପି କରୁଛି ତେବେ ଏଟଲିଷ୍ଟ ଅରିଜିନାଲ୍ ରାଇଟରଙ୍କ ନାଁ ଭଲା ମେନସନ୍ କରନ୍ତେ । କିନ୍ତୁ ନା । ସେ ଭୁଲ୍ ସେମାନେ କରିବେନି । କେତେ ନିର୍ଲଜ ହୋଇପାରନ୍ତି ଲୋକମାନେ ତାହାର ପ୍ରମାଣ ହେଲା ଏଭଳି ଅନେକ ଘଟଣା " । ତାଙ୍କ କଥାସବୁ ସେତେବେଳ ପର୍ଯ୍ୟନ୍ତ ବାବା ଜଣକ ଚୁପଚାପ୍ ବସି ଶୁଣୁଥାଆନ୍ତି । ସେହି ଭଦ୍ର ଲୋକଙ୍କର କଥା ଶୁଣି ବାବା କହିଲେ " ବୁଝିଲ ପୁଅ ! ତୁମେ ପଚାରିଥିବା ପ୍ରଶ୍ନର ଉତ୍ତର ତ ତୁମେ ନିଜେ ହିଁ ଦେଇଦେଲ " । ତାଙ୍କ କଥାରେ ଆଶ୍ଚର୍ଯ୍ୟ ପ୍ରକଟ କଲେ ସେହି ହେତୁବାଦୀ ବାବୁ ଜଣକ । ତାଙ୍କର ପ୍ରତିକ୍ରିୟା ଦେଖି ବାବା ଟିକିଏ ହସିଦେଇ କହିଲେ " ବାପ ! ଏତେ ଆଶ୍ଚର୍ଯ୍ୟ ହୁଅନି । ଏବେପରା ତୁମେ କହିଲ ଯିଏ ପ୍ରକୃତ ସ୍ରଷ୍ଟା ତା ନାମଟି ରହିବା ଦରକାର ! ତେଣୁ ଏ ସମଗ୍ର ସୃଷ୍ଟି ର ଯିଏ ସ୍ରଷ୍ଟା ; ତାଙ୍କ ନାମକୁ ଧରିଲେ ଅସୁବିଧା କଣ ! ବରଂ ତାଙ୍କ ନାଁ କୁ ନଧରି ନିଜ ଆତ୍ମବଡିମା ଦେଖାଇଲେ ଆମେ ହୋଇଯୁବୁ ତୁମ ଭାଷାରେ ଜଣେଜଣେ ନିର୍ଲଜ । ତେଣୁ ମୁଁ ମୋ ଜୀବନର ସମସ୍ତ ଶ୍ରେୟ ସେହି ପରମେଶ୍ୱରଙ୍କୁ ଦେଇଥାଏ । ଏହି ଜଳ,ବାୟୂ ,ଆକାଶ ,ପାହାଡ ,ନଦୀ ,ଝରଣା ,ମୁଁ ,ତମେ, ସିଏ , ଏଜୀବନ ଏସବୁତ ତାଙ୍କରି ସୃଷ୍ଟି । ତାଙ୍କ ଛଡା ଆଉ କିଏ ସୃଷ୍ଟି କରିପାରିବ ? ଏ ମଣିଷ; ଯିଏ ନିଜର ସାମାନ୍ୟ ଉପଲବଦ୍ଧିକୁ ଅନ୍ୟସହ ବାଣ୍ଟିବା ପୂର୍ବରୁ ସ୍ବାର୍ଥ ଓ ସର୍ତ୍ତର ଖସଡା ପ୍ରସ୍ତୁତ କରିଦିଏ ନା ସେହି ପରମ ଶକ୍ତି ଯିଏ ତାଙ୍କ ସୃଷ୍ଟିକୁ ନିଃସ୍ଵାର୍ଥପର ଭାବେ ବାଣ୍ଟିବା ପାଇଁ କୌଣସି ସର୍ତ୍ତ ରଖିନାହାନ୍ତି ; ଆଉ ଯାହାକୁ ମୁଁ ଭଗବାନ ବା ପରମେଶ୍ବର ବୋଲି କହେ । ଥରେ ଚିନ୍ତାକର ଯଦି ସିଏ ସ୍ବାର୍ଥ ଦେଖି ସର୍ତ୍ତ ରଖିଥାଆନ୍ତେ ତେବେ ଆମକୁ ଆମ କାର୍ଯ୍ୟକଳାପ ପାଇଁ କେଉଁ ପୋଲିସର ହାତକୁ ଟେକିଦେଇଥାଆନ୍ତେ ? ତେଣୁ ଆଉ କଣ ପ୍ରମାଣ ଦରକାର ଭଗବାନ ହିଁ ଏ ଅଦ୍ଭୁତ ସୃଷ୍ଟିକୁ ରଚନା କରିଛନ୍ତି ବୋଲି ! ତେବେ ଆମର ଦୁଃସାହସକୁ ଦେଖି ମଧ୍ୟ ସେ ନିରବ ; କାହିଁକିନା ସେ ଆମର ସ୍ରଷ୍ଟା । ସ୍ରଷ୍ଟା କେବେ ଚାହେଁନା ତା ସୃଷ୍ଟିର ବିନାଶ । ତେଣୁ ସେ ନିରବ ; ତାଙ୍କ ଅପେକ୍ଷା ସମୟକୁ । ଆଉ ଏହି କାରଣ ସବୁ ହିଁ ଭଗବାନଙ୍କୁ ମଣିଷଙ୍କ ଠାରୁ ଭିନ୍ନ କରେ । " । ତାଙ୍କ କଥାକୁ ସେଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ଅତି ଗମ୍ଭୀର ହୋଇ ଶୁଣୁଥିଲେ । ବାବାଙ୍କର ଏକଥାଗୁଡା ଆଉ କାହାକୁ କେମିତି ଲାଗିଲା ମୁଁ କିଛିକହିପାରିବିନି । କିନ୍ତୁ ବାବା ମୋ ମନ ଆଉ ହୃଦୟକୁ କିଣିନେଇଥିଲେ । ବାବାଙ୍କ କଥା ଶୁଣି ସେ ଭଦ୍ର ଲୋକ ଜଣକ ଟିକିଏ ବିଚଳିତ ହେବାପରି ମନେହେଲେ । ତଥାପି ଶେଷଥର ପଚାରିବସିଲେ " ଆଚ୍ଛା ! ଆପଣ ଭଗବାନଙ୍କ ଠିକଣାତ କହିଲେନାହିଁ "? ଏଥର ବାବା ଟିକିଏ ହସିଦେଲେ । ଟ୍ରେନଟା ମଧ୍ୟ ହର୍ଣ୍ଣ ମାରିଲା । ବାବା ହସିହସି କହିଲେ " ଭଗବାନଙ୍କ ଠିକଣା ଜାଣିବା ପୂର୍ବରୁ ମୋ ଠିକଣାଟା ଆସି ପହଞ୍ଚିଗଲା । ତେବେ ମୁଁ ଓହ୍ଲାଇବା ପୂର୍ବରୁ ଭଗବାନଙ୍କ ଠିକଣାଟା ତୁମକୁ କହିଦିଏ । ଭଗବାନଙ୍କ ଠିକଣାଟା ମଧ୍ୟ ଠିକ୍ ମୋହରି ଭଳି ଅସ୍ଥିର । କେବେ ଏଇଠି ତ କେବେ ସେଇଠି । ଏବେ ଏଇଠି ଅଛି ଏବେ ପୁଣି ନାହିଁ । ହେଲେ ଏହି କିଛି ସମୟ ଭିତରେ ଏଠାରେ ଉପସ୍ଥିତ ପ୍ରତ୍ୟେକ ସଜ୍ଜନମାନେ ହେଲେ ତାଙ୍କର ନୂଆ ଠିକଣା । ଏବେ କଥା ରହିଲା ଆପଣମାନଙ୍କ ଉପରେ । ଆପଣମାନେ କେତେଦିନ ତାଙ୍କୁ ନିଜପାଖରେ ରଖିପାରୁଛନ୍ତି " ! ଏତିକି କହି ଯନ୍ତ୍ରବତ୍ ଟ୍ରେନରୁ ଓହ୍ଲାଇ ପଡିଲେ ବାବା । ଟ୍ରେନ ଝରକା ଏପାଖରୁ ମୁଁ ଦେଖିପାରୁଥାଏ ତାଙ୍କ ପ୍ରସନ୍ନ ବଦନ । ଆଉ ଏହାଭିତରେ ମୁଁ ବି ହୋଇଉଠିଥାଏ ପ୍ରସନ୍ନ ଭଗବାନଙ୍କ ଠିକଣାଟା ପାଇ । ମନେମନେ ଡାକୁଥାଏ " ହେ ପ୍ରଭୁ ! ତୁମ ଠିକଣାଟା ଜଣାଇଦେଇଥିବାରୁ ତୁମକୁ କୋଟି ପ୍ରଣାମ " ! ସେଦିନ ମୋ ମନଟା କାହିଁକି କହିଲା' ସବୁ ବାବା କଳଙ୍କିତ ନୁହନ୍ତି ' ।
ଜ୍ୟୋତିରଞନ ସାହୁ