odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story

ଅନେକ ଥର ମୁଁ ଭାବିଛି ଏ କଥାଟିର ଆରମ୍ଭ କେଉଁଠାରୁ କରିବି ? ସତରେ କଣ ସବୁ ଆରମ୍ଭଟା ଆମରି ଇଚ୍ଛାରେ ହୁଏ ! ଆମ ଜୀବନରେ ଘଟୁଥିବା ପ୍ରତ୍ୟେକ ଘଟଣା କଣ ଆମ ନିର୍ଦ୍ଧାରିତ ଯୋଜନାର ଅନ୍ତର୍ଭୁକ୍ତ ! ତର୍ଯ୍ୟମା କରିବସିଲେ ଏହା ଗୋଟିଏ ନିଷ୍କର୍ଷବିହୀନ ଯୁକ୍ତିଟିଏ । କାହିଁକିନା ଆଜିବି ବିଜ୍ଞାନ ଆଉ ବିଶ୍ବାସ ମଝିରେ ଥିବା ଦୂରତାଟା ଅନେକ ବେଶି । ଆଜିବି ଆଧ୍ୟାତ୍ମ୍ୟ ଚେତନାରେ ଅବିଶ୍ବସ୍ୟ ବିଶ୍ବାସଟା ବଳବତ୍ତର ହୋଇରହିଛି । ଆଜିବି ବିଜ୍ଞାନର ପରିସୀମା ବାହାରେ ଘଟୁଥିବା ଅନେକ ଘଟଣାର ପ୍ରମାଣ କେବଳ ଅନୁଭବୀର ଅନୁଭବ ଭିତରେ ସୀମିତ । ଅନୁଭବର କୌଣସି ପ୍ରମାଣ ନଥାଏ ଆଉ ପ୍ରମାଣ ବିନା ବିଜ୍ଞାନ ବୁଝିନଥାଏ । ଏହିସବୁ ଭିତରେ ଅନେକ ଅଛନ୍ତି ଯେଉଁମାନେ 'କରି କରାଉ ଥାଉ ତୁହି , ତୋବିନୁ ଆନ ଗତି ନାହିଁ ' ରେ ବିଶ୍ବାସ କରନ୍ତି । ମୁଁ ମଧ୍ୟ ସେହିମାନଙ୍କ ଭିତରୁ ଜଣେ । ତେବେ ଅନେକ ସମୟରେ ଚପଳ ଜ୍ଞାନଟା ମୋର ପ୍ରମାଣ ଖୋଜେ ଜ୍ଞାନର ସେପାଖରେ ବିଚରୁଥିବା ଭଗବତ୍ ବିଶ୍ବାସ ଉପରେ । ବାରମ୍ବାର ପ୍ରଶ୍ନକରିଚାଲେ ଭଗବାନଙ୍କର ଅସ୍ଥିତ୍ବ ଉପରେ । ଆଉ ବାରମ୍ବାର ମୋର ଅନୁଭବର ପ୍ରମାଣଟା ନିଜର ଅକ୍ଷମତା ପ୍ରକାଶକରେ ଅବିଶ୍ବାସର ପରିଧିରେ ସୀମିତ ଥିବା ମୋର ଜ୍ଞାନ ବାରିଧିକୁ ଅତିକ୍ରମଣ କରିବାରେ । ବାରମ୍ବାର ପ୍ରଶ୍ନ ପରେ ପ୍ରଶ୍ନ ମୋ ଆଗରେ ମୁଣ୍ଡଟେକି ଛିଡାହୋଇଯାଆନ୍ତି ସମୟ ସମୟରେ । ଏଇତ କିଛି ଦିନତଳେ ହଠାତ୍ ଯାଇ ପହଞ୍ଚିଲି ବଡଦାଣ୍ଡରେ । ସମ୍ମୁଖରେ ସ୍ନାନ ମଣ୍ଡପ । ମଣ୍ଡପରେ ଚତୁର୍ଦ୍ଧାମୂରତି । ମଧ୍ୟରାତ୍ରର ଅନ୍ଧକାରଟା ତା ଆଗରେ ଫିକାଫିକା ଲାଗୁଥିଲା । ତୁଳସୀ , ପଦ୍ମ ଆଉ ନାନାଦି ପୁଷ୍ପରେ ଖୁବ୍ ଭାରିଭରି ଲାଗୁଥିଲା ସିଏ । ଲାଗୁଥିଲା ସ୍ନାନରେ ନୁହେଁ ତା ଶରୀର ରେ ଲଦିଦିଆଯାଇଥିବା ପତ୍ର ପୁଷ୍ପ ର ଭାରରେ ସିଏ ଅସୁସ୍ଥ ଆଉ ଅଣନିଶ୍ବାସୀ । ମେଘନାଦ ପାଚେରୀର ସେପାଖରେ ସିଏ ଆଉ ପାଚେରୀ ଏପାଖ ବଡ ଦାଣ୍ଡରୁ ଏକ ଲୟରେ ମୋ ଆଖିଦ୍ବୟ ଅନୁସରଣ କରୁଥାଏ ତାର ସମ୍ମୋହନକାରୀ ରୂପଲାବଣ୍ୟକୁ । ଏମିତି ଅନୁସରଣ କରୁକରୁ ଆଖିରେ ଆଖି ମିଶିଗଲା । ହଠାତ୍ ଲାଗିଲା ଯେମିତି ସିଏ ମୋତେ ପଚାରୁଛି "ଆରେ ! ମୋତେ ଏମିତି କଣ ଦେଖୁଛୁ " ? ସରଳିଆ ମନଟା ମୋର ଆଖିରେ ଆଖିରେ ହସିଦେଇ ଉତ୍ତର ଦେଲା " କଣ ଆଉ ଦେଖିବି ? ଖାଲି ପ୍ରମାଣ କରିବାକୁ ଚେଷ୍ଟାକରୁଛି ମୁଁ ପଢିଥିବା ନିଉଟନ୍ଙ୍କ ତୃତୀୟ ନିୟମଟା ଠିକ୍ ନା ଭୁଲ୍ " ! ! ! ଏତିକିବେଳେ ତା ଦେହରେ ପଡିଥିବା ତୁଳସୀ ମାଳକୁ ପାଇବାପାଇଁ ମାଡିଆସିଲା ଜନସମୁଦ୍ର । ଆଉ ସେ ତୁଳସୀ ମାଳକୁ ଭକ୍ତ ବୋଲାଉଥିବା ଲୋକେ ଅବିଳମ୍ବେ ଖିନ୍ଭିନ୍ କରିପକାଇଲେ ଠିକ୍ ଗୋଟିଏ ଶାଗୁଣା ପଲର ମୁର୍ଦ୍ଦାର ଶୀକାରପରି । ଅବିଶ୍ବାସର ପରିଧିରୁ ଜ୍ଞାନଟା ମୋର ତାଚ୍ଛଲ୍ୟଭରା ହସଟେ ହସିଦେଇ ପ୍ରଶ୍ନକଲା " ଏଇଟା କଣ ଭକ୍ତିର ପରିଭାଷା ? ଏଇଟା କ'ଣ ଜଣେ ଭକ୍ତର ପରିଚୟ ? ତୋର ଏହି ଅଧାଖଣ୍ଡିଆ କାଠଗଡଟା କଣ ଦେଇପାରିବ ମୋ ପ୍ରଶ୍ନର ଉତ୍ତର " ? ଭକ୍ତ ଆଉ ଭକ୍ତିର କି ପ୍ରମାଣ ଦେଇ ସନ୍ତୁଷ୍ଟ କରିଥାନ୍ତି ତାକୁ ! ଦ୍ବନ୍ଦ୍ବ ଆଉ ନିଃସହାୟତାର କରୁଣ ଚାହାଁଣିରେ ଶେଷଥର ତାକୁ ଚାହିଁଦେଲି । ଭକ୍ତିର ପରିଭାଷାଟା ନବୁଝାଇ ସେଦିନ ସିଏ ଚଳିଗଲା ଅସୁସ୍ଥ ଶରୀରନେଇ ଅଣସର ଘରକୁ । ସେଠାରୁ ଉତ୍ତର ନପାଇ ଚୁପ୍ଚାପ୍ ଚାଲିଆସିଲି ଅନେକ ପ୍ରଶ୍ନ ଚିହ୍ନକୁ ସାଥିରେନେଇ ।
ମୁଁ କିନ୍ତୁ ଜାଣିଥିଲି ସେ ଉତ୍ତର ଦେବ । କାହିଁକିନା ନିଉଟନ୍ଙ୍କ ତୃତୀୟ ନିୟମଟା ସତ୍ୟ ବୋଲି ତାକୁ ପ୍ରମାଣ ଦେବାକୁ ପଡିବ । ପ୍ରଶ୍ନ ଯେତେବେଳେ କରିଛି ଉତ୍ତର ସିଏ ନିଶ୍ଚୟ ଦେବ । ସେ ଅଣସରରୁ ଫେରିଲାପରେ ଉତ୍ତର ଦେଲା । ଖାଲି ଯାହା ସ୍ଥାନ ସମୟ ଆଉ ପରିସ୍ଥିତି ବଦଳିଯାଇଥିଲା । ସେଦିନ ପୁରୀର ସ୍ନାନ ମଣ୍ଡପର ସ୍ଥାନ ନେଇଥିଲା ବାରିପଦା ଗୁଣ୍ଡିଚା ମନ୍ଦିର । ମନ୍ଦିର ମଧ୍ୟରେ ସିଏ ଆଉ ତାକୁ ମନ୍ଦିର ବାହାରେ ଅବଲୋକନ କରୁଥାଏ ମୁଁ । ଅଭିଯୋଗ ଶୂନ୍ୟ ମୁଦ୍ରାରେ ମୁଁ ଚାହିଁରହିଥାଏ ତାକୁ । ଏମିତି ଚାହିଁବା ଭିତରେ ମନେପଡିଗଲା ସ୍ନାନବେଦିରେ ଛାଡିଆସିଥିବା ସେହି ଅସମାହିତ ପ୍ରସଙ୍ଗଟା । ଏହାଭିତରେ ଅନେକ ଲୋକ ଦର୍ଶନ କରି ଚାଲିଯାଉଥିଲେ । ହାତରେ ତୁଳସୀ ମଥାରେ ଚନ୍ଦନ ଆଉ ମୁଖରେ ପ୍ରଭୂନାମ ଏତିକି ହିଁ ଭକ୍ତଟିଏର ପରିଚୟ ପାଇଁ ବୋଧେ ଯଥେଷ୍ଟ । ମନେମନେ କହିଲି " ପ୍ରଭୂ ! ମୋ ପ୍ରଶ୍ନଟା ମୋତେ ଅବୁଝା । ମୁଁ ଆଉ ତୁମ ଉତ୍ତର କଣ ବୁଝିବି " ? ଏହା ଭିତରେ ଅନେକ ସମୟ ବିତିଯାଇଥାଏ । ମୁଁ ଆଉ ମନ୍ଦିର ଭିତରକୁ ନଯାଇ ଯିବାକୁ ବାହାରିଲି । ହଠାତ୍ ଦେଖିଲି ପାଗଳଟିଏ ମାଡିଆସୁଛି ମନ୍ଦିର ଆଡକୁ । ଉନ୍ମୁକ୍ତ ଶରୀର । ନା ଲଜ୍ୟା ନା ଅପମାନ ନା ମାନ ନା ସମ୍ମାନ ନା ଭୟ ନା ସଙ୍କୋଚ । ଏସବୁଥିରୁ ସେଥିଲା ଉର୍ଦ୍ଧରେ । ମୁଣ୍ଡରେ କେଶ ଆଉ ମୁହଁରେ ଥିବା ଦାଢିର ଭୟଙ୍କର ସଂଯୋଗଟା ତାକୁ ଅନ୍ୟମାନଙ୍କ ଆଖିରେ ସଜାଇଦେଉଥିଲା ଏକ ଘୃଣ୍ୟ ଚରିତ୍ର । ପାଗଳଙ୍କ ପରି ଥିଲା ତାର ବ୍ୟବହାର । କିନ୍ତୁ ସବୁଜାଣିଲାପରି ମନ୍ଦିର ଆଗରେ ଖୁବ୍ ସଞ୍ଜମତାର ସହ ଛିଡା ହେଲା ସିଏ । କଣ ଭାବିଲା କେଜାଣି ହାତ ଦୁଇ ଟେକିଦେଲା ଅବୁଝା ଢଙ୍ଗରେ କାଳିଆ ପାଇଁ । ମୁହଁରୁ ତାର ସ୍ବତଃ ବାହାରି ଆସିଲା " ଜୟ ଜଗନ୍ନାଥ " । ଆଉ ଏତିକିବେଳେ ଆକାଶରେ ତାଣ୍ଡବ କରୁଥିବା କଳାମେଘମାଳା ଝଙ୍କାରିତ କରିଦେଲେ ବର୍ଷାର ମୂର୍ଚ୍ଛନା । ହଠାତ୍ ବର୍ଷିବାକୁ ଲାଗିଲା ପ୍ରଚଣ୍ଡ ବାରିଧାରା । ଶୂନ୍ୟକୁ ଉଠିଥିବା ତାର ହାତ ପାପୁଲିରେ ଭରିଗଲା ବର୍ଷାଜଳ । ସତେଯେପରି ସେ ପାଗଳକୁ ମିଳିଗଲା ପ୍ରଭୂଙ୍କ ପାଦୁକା ପାଣି । ଅପୂର୍ବ ସନ୍ତୋଷରେ ତାକୁ ଉଦରସ୍ଥ କରି ପ୍ରଭୂଙ୍କୁ ଧନ୍ୟବାଦ ଜଣାଇ ନାଚିନାଚି ଚାଲିଗଲା ନିଜ ଅଜଣା ପଥରେ । ନା ଅଭିମାନ ନା ଅଭିଯୋଗ , ନା କାମନା ନା ଲାଳସା , ନା ଦୁଃଖ ନା ଅଶ୍ରୁ , ତା ମୁଖମଣ୍ଡଳରେ ଖେଳିବୁଲୁଥିଲା ଏକ ଚରମ ଆତ୍ମତୃପ୍ତି । ଏତିକିବେଳେ ମୋ ଗାଲଟା ଅନୁଭବକଲା ଉଷ୍ମତାର ସ୍ପର୍ଶ । ହାତମାରି ଦେଖିଲା ବେଳକୁ ତାକୁ ହାତ ପାପୁଲିରୁ ଧୋଇଦେଲା ଅମାନିଆ ବର୍ଷା । ସେ ପାଗଳକୁ ଅନୁଧ୍ୟାନ କରୁକରୁ ମୋ ଅଜାଣତରେ ମୁଁ ମଧ୍ୟ ସେହି ବର୍ଷାରେ ଅସରାଏ ଭିଜିଯାଇଥିଲି । ମୁହଁ ଫେରାଇ ଥରେ ଦେଖିଲି କାଳିଆ ର ହସହସ ମୁଖମଣ୍ଡଳକୁ । ମନେମନେ କହିଲି "ଓହୋ! ଏଇଥି ପାଇଁ ତୁ ମୋତେ ବର୍ଷାରେ ଭିଜାଇ ଏଇଠି ଛିଡ଼ା କରାଇ ଦେଲୁ " ! ଅପେକ୍ଷା ନକରି ଦୌଡିଗଲି ଗାଡି ପାଖକୁ । ଗାଡ଼ିର ଲୁକିଂ ଗ୍ଲାସ୍ ପୋଛୁପୋଛୁ ନଜର ପଡିଲା ନାଲି ପଡିଯାଇଥିବା ମୋ ଆଖି ଯୋଡିକ ଉପରେ । କିଛିକ୍ଷଣ ସେହି ଲୁକିଂ ଗ୍ଲାସରେ ନିଜକୁ ନିରୀକ୍ଷଣ କଲାଭିତରେ ବୋଧହୁଏ ପ୍ରମାଣ ଖୋଜୁଥିବା ଜ୍ଞାନ ଚକ୍ଷୁକୁ ମିଳିଯାଇଥିଲା ଉତ୍ତର, ସେହି ଅସମାହିତ ପ୍ରସଙ୍ଗଟିର । ଆଉ ବିଳମ୍ବ ନକରି ସେହି ବର୍ଷାରେ ବର୍ଷାରେ ଗାଡି ଧରି ମୁଁ ଚାଲିଯାଉଥିଲି ନିଜ ଘରକୁ ଅନ୍ୟମନଷ୍କ ଭାବରେ ଠିକ୍ ସେହି ପାଗଳଟିର ପରି ।
॥ ଜ୍ୟୋତିରଞନ ସାହୁ ॥