odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story

ନାଁ'ଟା ଯେମିତି ହେଇଛି ; ସେଥିପାଇଁ ଅନେକେ ହୁଏତ ଅଭିଯୋଗ କରିପାରନ୍ତି । କଥା କଣକି ଆଜିକାଲି ଯେକୌଣସି ଖବରର ଟାଇଟେଲଟା ଦମଦାର ହେବାଦରକାର । ନହେଲେ କେହି ପଡିବେନାହିଁ । ଶିକ୍ଷା ଆଜି ଏତେ ବିସ୍ତାରିତ ଯେ ଲୋକ ଟାଇଟେଲ ପଢିଦେଇ କହିଦେଉଛନ୍ତି ଖବରଟା କଣ ? ଭିତରେ ମସଲା ଅଛି ନା ନାହିଁ ? ମୋ ଟାଇଟେଲଟା ଦେଖି ଆଉ କିଏ ପଢନ୍ତୁ ନପଢନ୍ତୁ ଟିନ୍ ଏଜର୍ସମାନେ କିନ୍ତୁ ଲୁଚାଛପାରେ ନିହାତି ପଢିବାକୁ ଚେଷ୍ଟାକରିବେ । ଚେଷ୍ଟାକରିବେନି କେମିତିଯେ ! ଟାଇଟେଲଟା ପରା ଚୁମ୍ବନ ଉପରେ ଆଧାରିତ । ଯେଉଁ ଚୁମ୍ବନଟା ଶିଶୁପାଇଁ ସ୍ନେହ ପ୍ରେମିକା ପାଇଁ ପ୍ରେମ ପତ୍ନୀ ପାଇଁ ବିଶ୍ବାସ ଆଉ ଯନ୍ତ୍ରଣାରେ ସାନ୍ତ୍ବନାର ପ୍ରତୀକ । ତେବେ ଆଜି ମୁଁ ଆପଣଙ୍କୁ ଏହି ଚୁମ୍ବନର ଭିନ୍ନଏକ ପରିଚୟ ଉପରେ କହାଣୀଟିଏ କହିବି । ଆବଶ୍ୟ କାହାଣୀରେ କିଛି ନୂତନତ୍ବ ନାହିଁ କିନ୍ତୁ ବୁଝିପାରିଲେ ବୋଧହୁଏ ଚୁମ୍ବନର ଏକ ନୂତନ ସଂଜ୍ଞାଟିଏ ଆପଣ ଆବିଷ୍କାର କରିବେ ।
ଶିଶିର ବାବୁ ଜଣେ ସଫ୍ଟୱେର ପ୍ରୋଗ୍ରାମର । ରୁହନ୍ତି ବାଙ୍ଗାଲୁରୁରେ । ମୁଁ ବେଳେବେଳେ ଭାବେ ଏଇ ସଫ୍ଟୱେର ପ୍ରୋଗ୍ରାମଟା କଣ ? ଏଇଟା ଆଉ ଆମ ପୁରୁଣାକାଳିଆ ତନ୍ତ୍ରମନ୍ତ୍ର ପରି କିଛି ନୁହେଁତ ! ସେତେବେଳେର ତନ୍ତ୍ରମନ୍ତ୍ରଟା ଆଜିର ଯନ୍ତ୍ର ଯୁଗରେ ବୋଧହୁଏ ଏଇ ପ୍ରୋଗ୍ରାମ ର ରୂପ ନେଇଯାଇଛି । ତେବେ ସେଯାହାହେଉ ଶିଶିର ବାବୁ କିନ୍ତୁ ଜଣେ ନାମକରା ପ୍ରୋଗ୍ରାମର । ୟୂ ଏସ୍ ଫେରନ୍ତା । ଏତେସବୁ ଭିତରେବି ବାବୁ ଟିକିଏ ସଙ୍କୁଚିତ ମନର ; ଆଧୂନିକ ଯୁଗରେ ଯାହାକୁ କହନ୍ତି ନେରୋ ମାଇଣ୍ଡେଡ । ହଁ ଆଜ୍ଞା ! ଆଜିର ଯୁଗରେ ରୀତି ନୀତି ସଂସ୍କାର କଥା କହିଲେ ଲୋକେ କହନ୍ତି ନେରୋ ମାଇଣ୍ଡ । ତାଙ୍କର ଷ୍ଟ୍ରିକ୍ଟ ପ୍ରିନ୍ସିପୁଲ ପାଇଁ ସ୍ତ୍ରୀ ଆଉ ପିଲାମାନେ ମଧ୍ୟ ତାଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ । ତେବେ ହଁ , ହୋଇଯାଆନ୍ତି ସିଏ ନେରୋ ମାଇଣ୍ଡ ଆଉ ଷ୍ଟ୍ରିକ୍ଟ ଯେତେବେଳେ କଥାଉଠେ ପିଲାମାନଙ୍କୁ ମାତ୍ରାଧିକ ସ୍ବାଧୀନତାର; ଯେତେବେଳେ କଥାଉଠେ ବୃଦ୍ଧ ବାପା ମା'ଙ୍କସହ ବ୍ୟବହାରରେ ଶାଳୀନତା ରକ୍ଷାକରିବାର ଆଉ ଯେତେବେଳେ କଥାଉଠେ ପିଲାଙ୍କର ଗତିବିଧି ଲକ୍ଷ୍ୟ କରିବାର ।
ସେଦିନର କଥା । ଶିଶିର ବାବୁଙ୍କର ପୁରା ଫ୍ୟାମେଲୀ ଯାଇଥିଲା ବାଙ୍ଗାଲୁରୁର ଗୋଟିଏ ପାର୍କ ବୁଲିବାପାଇଁ । ତେବେ ସେଠାରେ ଯାହା ଦେଖିଲେ ସେଥିରେ ନିଜକୁ ଖୁବ୍ ଅସହଜ ମନେକଲେ ଶିଶିର ବାବୁ । ପତ୍ନୀଙ୍କୁ ଗୋଟିଏ ପାଖକୁ ଡାକି କହିଲେ " ଛି ଛି ! ମୁଁ ସେଇଥିପାଇଁ ପିଲାଙ୍କୁ ନେଇ ଏ ପାର୍କ ଫାର୍କ ଆସିବାକୁ ଚାହେଁନାହିଁ । ଦେଖୁଛନା ! କେମିତି ଏ ଅଭଦ୍ର ପୁଅ ଝିଅ ଗୁଡାକ ପରସ୍ପର ଚୁମ୍ବନରେ ବ୍ୟସ୍ତ । କଣ ଇଫେକ୍ଟ ହେବ ଏହାର ଆମ ପିଲାଙ୍କ ଉପରେ । ଚାଲଚାଲ ଜଲଦି ପଳେଇବା ଆମ ଘରକୁ " । ତାଙ୍କର ଏକଥାରେ ପତ୍ନୀ ମହାଶୟା ବିରକ୍ତ ହୋଇକହିଲେ " ତୁମର ସେ ନେରୋ ମେଣ୍ଟାଲିଟି ପାଇଁ ମୁଁ ତୁମଉପରେ ବିରକ୍ତ ହୁଏ । ୟୁ ଏସ୍ ରେ ଏତେ ବର୍ଷ ରହି ଆସିଲାପରେବି ତୁମେ ଯେଉଁ ଗାଉଁଲି ଓଡିଆକୁ ସେଇ ଗାଉଁଲି ଓଡିଆ ହୋଇରହିଗଲ । ଚୁମ୍ବନଟା ପରା ଆଜିକାଲିର ଫ୍ୟାସନ ହୋଇଗଲାଣି " । ଏତିକିବେଳେ ଦୂରରେ ଥାଇ ଦୁହିଁକଂର କଥା ହାଲ୍କାହାଲ୍କା ଶୁଣିପାରୁଥିଲେ ତାଙ୍କ ପୁଅ ଆଉ ଝିଅ । ଟିକିଏ ଏକାନ୍ତର ସୁଯୋଗନେଇ ଶିଶିର ବାବୁଙ୍କର ଝିଅ ତା ମମ୍ଙ୍କୁ କହିଲା " ମମ୍ ! ଡ୍ୟାଡ୍ କେବେ ତୋତେ ପ୍ୟାରସେ କିସ୍ କରିଛନ୍ତିନା " ! ଏକଥା ଶୁଣି ତାର ମମ୍ ହସିଦେଇ କହିଲେ" ମୋର ତ କାହିଁ ମନେ ପଡୁନି"! ଏହାପରେ ତାଙ୍କ ଝିଅ କହିଲା " ମମ୍ ! ତୁ କେମିତି ଏଭଳି ଏକ ଆନରୋମାଣ୍ଟିକ ଲୋକଟାକୁ ନିଜ ଜୀବନ ସାଥୀ କଲୁ କହିଲୁ ! ତାଙ୍କର ଏତେ ରୁଲ୍ ରେଗୁଲେସନ ତୋତେ ଅଣନିଶ୍ବାସୀ କରିଦେଉନି " ! ମା ଆଉ ଝିଅଙ୍କର ଏହି କଥୋପକଥନଟା କିନ୍ତୁ ଶିଶିର ବାବୁଙ୍କ କାନରେ ଉଣା ଅଧିକେ ପଡିଯାଇଥିଲା । ସେ ବୁଝିପାରୁଥିଲେ ତାଙ୍କ ପ୍ରତି କିଭଳି ମନୋଭାବ ରହିଛି ତାଙ୍କ ଫ୍ୟାମିଲିର । ସେଦିନ ପାର୍କରୁ ଘରକୁ ଫେରିବା ରାସ୍ତାରେ କାର୍ ଡ୍ରାଇଭ୍ କରୁକରୁ ହଠାତ୍ ଶିଶିର ବାବୁ କହିଲେ " ଆଚ୍ଛା କହିପାରବ କିଏ ଗରମ ହେଲେ କଠିନ ଆଉ ଥଣ୍ଡା ହେଲେ ତରଳିଯାଏ "? ସମସ୍ତେ ଏକାସାଙ୍ଗରେ କହିଲେ " ନା ନା ଆମେ ଜାଣିନୁ । ତୁମେ କୁହ ଉତ୍ତରଟା " । ଏହାଶୁଣି କିଛି ସମୟ ନୀରବ ରହିଲେ ଶିଶିର ବାବୁ । ଆଉ ତା'ପରେ କହିଲେ" ମୋବାପା ମାନେ ତୁମ ଜେଜେ ଜଣେ ଭଲ ଶିକ୍ଷକ ଥିଲେ । ଭାରି ଷ୍ଟ୍ରିକ୍ଟ । ମୁଁ ପିଲାବେଳେ ବହୁତ ଦୁଷ୍ଟ ଥିଲି । ସବୁଦିନ ମୋ ଦୁଷ୍ଟାମୀର ଲମ୍ବା ଚଉଡା ଲିଷ୍ଟ ସଂଧ୍ୟାବେଳେ ବାପାଙ୍କ ପାଖରେ ଥିବ । ମୁଁବି ରେଡି ହୋଇଯାଇଥାଏ ମାଡଖାଇବା ପାଇଁ । ଦିନେଦିନେ ମାଡଖାଇ ରାତିରେ ଜ୍ବର ଆସିଯାଏ ମୋତେ । ସମସ୍ତେ ମୋତେ ପଚାରନ୍ତି ଏତେ ମାଡ ଖାଉଛୁ ! ତଥାପି ତୋ ବଦମାସି ଯାଉନି ! ବାରମ୍ବାର ଭୁଲ କରୁଛୁ । କଣ ପାଇଁ ଏତେ ଦୁଷ୍ଟ ହେଉଛୁ ? ଜାଣିଛ ଆଜି ପର୍ଯ୍ୟନ୍ତ ସେହି କଣ ର ଉତ୍ତର ମୁଁ କାହାରିକୁ କହିନଥିଲି । ଆଜି କହୁଛି ଶୁଣ । ମୁଁ ପିଲାଦିନୁ ଦେଖିଆସୁଥିଲି ବାପାଙ୍କର କଠିନ ହୃଦୟଟା । କିନ୍ତୁ ଜାଣ ସେ କଠିନ ହୃଦୟଟାବି ତରଳିଯିବାର ମୁଁ ଅନୁଭବ କରିଛି । ରାତିରେ ଶୋଇବା ବେଳେ ମୁଁ ଅନୁଭବ କରେ ଗୋଟିଏ ସ୍ନେହବୋଳା ସ୍ପର୍ଶ । ଅନୁଭବ କରେ କେହିଜଣେ ମୋତେ ଚାହିଁରହି ନୀରବରେ ଅନେକ କିଛି କହୁଛନ୍ତି । ମୁଁ ସବୁ ଜାଣିପାରେ । ମୁଁ ଜାଣିପାରେ ସିଏ ମୋ ବାପା । ମୁଁ କିନ୍ତୁ ଚୁପଚାପ ଶୋଇଥାଏ । ଦିନେ ଦିନେ ମୁଁ ଅନୁଭବ କରେ ମୋ ଶରୀରରେ ଝରିପଡୁଥିବା କେଇବୁନ୍ଦା ଜଳ ବିନ୍ଦୁ । ଆଉ କେବେକେବେ ପୁଣି ଯେତେବେଳେ ମୋ ବାପା ମୋ କପାଳରେ , ମୋ ଗାଲରେ ସୂକ୍ଷ୍ମ ଚୁମ୍ବନଟିଏ ଥୋଇଦେଇ ଚାଲିଯାଆନ୍ତି ; ସତ କହୁଛି ସେତେବେଳେ ସେ ଚୁମ୍ବନର ବୋଝରେ ମୋ ଅଜାଣତରେ ଜଳର ଦୁଇଧାରା ଆଖି କୋଣଦେଇ ଝରିଯାଇ ଓଦାକରିଦିଏ ମୋ ତକିଆ । ମୋ ମନ ବାରମ୍ବାର ଇଚ୍ଛାକରେ ସେହି ସ୍ପର୍ଶ , ବାରମ୍ବାର ଖୋଜେ ସେହି ଚୁମ୍ବନର ଅନୁଭୂତି , ସବୁଜାଣି କିଛି ନଜାଣିବାର ଅନୁଭୂତି , ନୀରବରେ ଅନେକ କିଛି କହିବାର ଅନୁଭୂତି । ଦୁଷ୍ଟ ଥିଲି ନା ସେଥିପାଇଁ ବାରମ୍ବାର ଦୁଷ୍ଟାମୀ କରୁଥିଲି ସେହି ଅନୁଭୂତିକୁ ସାଉଁଟିବା ପାଇଁ । ପରବାୟ ନଥିଲା କେତେଥର ପିଠି ଫାଟିବ କେତେ ଗାଳି କେତେ ବେତ ଭାଙ୍ଗିବ । କାହିଁକିନା ମୁଁ ଚିହ୍ନି ସାରିଥିଲି ବାପାଙ୍କର ହୃଦୟଟା । ଯେଉଁ ହୃଦୟଟା କ୍ରୋଧର ଉଷ୍ଣତାରେ କଠିନ ଆଉ ସ୍ନେହର ଶୀତଳତାରେ ତରଳିଯାଉଥିଲା । ମୁଁ ଆଜିବି ଭୁଲିପାରିନାହିଁ ବାପାଙ୍କର ସେହି ଚୁମ୍ବନ ଯାହା ସୂକ୍ଷ୍ମଭାବେ ଲିପିବଦ୍ଧ ହୋଇରହିଯାଇଛି ଅନୁଭୂତିର ମାନସ ପୁସ୍ତକରେ । ଚୁମ୍ବନତ ଗୋଟିଏ ସ୍ବର୍ଗୀୟ ଅନୁଭବ ଯାହା ଆବଶ୍ୟକ କରେନାହିଁ ପ୍ରଦର୍ଶନ " । ଠିକ୍ ଏତିକିବେଳେ ଫୋନ୍ ଆସିଲା ଶିଶିର ବାବୁଙ୍କ ମୋବାଇଲକୁ । ଭାଇ କଲ୍ କରି କହିଲେ " ଆରେ ! ବାପାଙ୍କ ଦେହ ସିରିୟସ୍ । ଶୀଘ୍ର ଓଡିଶା ଆସ୍ " । ତୁରନ୍ତ ଫ୍ଲାଇଟ୍ ଧରି ଶିଶିର ବାବୁ ତଥା ତାଙ୍କର ପୁରା ଫ୍ୟାମିଲି ଓଡିଶାରେ ତାଙ୍କ ଘରେ ଆସି ପହଞ୍ଚିଗଲେ । ଘରେ ଜୀବନର ଅନ୍ତିମ ଶଯ୍ୟାରେ ସମୟକୁ କିଛିସମୟ ଜାବୁଡି ଧରିରଖିଥା'ନ୍ତି ଶିଶିର ବାବୁଙ୍କ ବାପା । ବାପାଙ୍କର ଶେଷ ଅବସ୍ଥା ଦେଖି ଦୌଡିଗଲେ ବାପାଙ୍କ ପାଖକୁ ଶିଶିର ବାବୁ । ଲୁହ ଭିଜା ଓଠରେ ବାପାଙ୍କ କପାଳରେ ଆଙ୍କିଦେଲେ ସୂକ୍ଷ୍ମ ଚୁମ୍ବନଟିଏ । ଆଉ ଏହାର ଅଳ୍ପ ସମୟ ପରେ ଜୀବନଟା ବିଦାୟ ଜଣାଇ ଚାଲିଗଲା ସେହି ଅଜଣା ରାଇଜକୁ ।
ବାପାଙ୍କର କ୍ରିୟାକର୍ମ ସାରି ଫ୍ଲାଇଟ୍ ରେ ଫେରୁଥାନ୍ତି ଶିଶିର ବାବୁଙ୍କର ପରିବାର । ହସଲିଭା ଓଠରେ ସମସ୍ତେ ଥାଆନ୍ତି ନୀରବ । ନୀରବତାକୁ ଭାଙ୍ଗି ଶିଶିର ବାବୁଙ୍କର ପତ୍ନୀ ତାଙ୍କୁ କହିଲେ " ବାପା ବୋଧହୁଏ ତୁମକୁ ହିଁ ଅପେକ୍ଷା କରିଥିଲେ । ଅପେକ୍ଷା କରିଥିଲେ ତୁମ ଚୁମ୍ବନର ସ୍ପର୍ଶପାଇଁ " । ପତ୍ନୀଙ୍କ ମୁହଁରୁ ଏହିକଥା ଶୁଣି ଶିଶିର ବାବୁ ଦୀର୍ଘ ନିଶ୍ବାସଟିଏ ଛାଡି କହିଲେ " ସତ କହିଛ ତୁମେ । କିନ୍ତୁ ଠିକ୍ ବୁଝିପାରିଲନି । ଆଜି ପର୍ଯ୍ୟନ୍ତ ବାପାଙ୍କର ପ୍ରତ୍ୟେକଟି ଚୁମ୍ବନରେ ସ୍ନେହ ଥିଲା ସତ କିନ୍ତୁ ସେହି ଚୁମ୍ବନରେ ଭରିରହିଥିଲା ପୁତ୍ର ମୋହ । ଆଉ ଜାଣିଛ ଯେଉଁଠି ମୋହ ଥାଏ ସେହିଠାରେ ପ୍ରେମ ନଥାଏ । ସେଦିନର ସେହି ଶେଷ ଚୁମ୍ବନରେ କିନ୍ତୁ ମୋହ ନଥିଲା । ମୋର ସେହି ଶେଷ ଚୁମ୍ବନରେ ଭରିରହିଥିଲା ଅନାବିଳ ପ୍ରେମ । ବାପାଙ୍କର ପ୍ରତ୍ୟେକ ଚୁମ୍ବନର ପ୍ରତିବଦଳରେ ମୁଁ ତାଙ୍କୁ ଦେଇଥିଲି ପ୍ରେମର ସେହି ଶେଷ ଚୁମ୍ବନର ଉପହାର । ସତରେ ଜୀବନର ପ୍ରଥମ ପ୍ରେମଚୁମ୍ବନର ଅନୁଭୂତ ଅତି ଚମତ୍କାର "। ଆଉ ଏହାଭିତରେ ଫ୍ଲାଇଟ୍ ଯାଇ ପହଞ୍ଚି ସାରିଥିଲା ବାଙ୍ଗାଲୁରୁ ଏୟର ପୋର୍ଟରେ ॥
॥ ଜ୍ୟୋତିରଞନ ସାହୁ ॥