odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story
ରତିକାନ୍ତ ଦଣ୍ତପାଣି ; ବୟସ ୬୨ ବର୍ଷ । ନାଁଟା କହିଦେଲେ ସାରା ଉତ୍ତରପୁର ଗାଁଟା ଚିହ୍ନିଯାଏ । ହେଲେ ଦଣ୍ଡ ସାର୍ ନାଁରେ ସିଏ ସମସ୍ତଙ୍କ ପାଖରେ ପରିଚିତ । ପେଶାରେ ଥିଲେ ବିଦ୍ୟା ମନ୍ଦିର ଶିକ୍ଷକ କିନ୍ତୁ ନିଶା ଅଭିନୟ । କିଛି ପିଲାଙ୍କୁ ନେଇ ଗାଁରେ କରିଛନ୍ତି ଗୋଟିଏ ଅଭିନୟ କ୍ଲବ୍ । ବଛାବଛା ପିଲା କିଛି ମଧ୍ୟ ଅଭିନୟ ଶିଖନ୍ତି ଦଣ୍ଡ ସାର୍ ଙ୍କର ନିର୍ଦ୍ଦେଶନାରେ । ବିଦ୍ୟା ମନ୍ଦିରଟା ଗୋଟିଏ ବେସରକାରୀ ସ୍କୁଲ । ସେଠାରୁ ଯାହା ମିଳୁଥିଲା ସେହିଥିରେ ଚଳୁଥିଲା ତାଙ୍କର ସଂସାର । ଆଜି ତାଙ୍କର ସଂସାର କହିଲେ ଦୁଇ ପୁତ୍ର ଆଉ ପୁତ୍ର ବଧୂ ତଥା ତିନି ନାତି ନାତୁଣୀ । ପତ୍ନୀ ଛଅ ବର୍ଷ ପୂର୍ବରୁ ତାଙ୍କୁ ଏକା କରି ଚାଲିଯାଇଛନ୍ତି ଆରପୁରକୁ । ନିଃସଙ୍ଗତାର ଜୀବନ ତାଙ୍କର । କାରଣଟା କଣ ବୋଲି ଭାବୁଛନ୍ତି ? କାରଣ ସେହି ଗୋଟିଏ । ବାର୍ଦ୍ଧକ୍ୟର ବୋଝ । ବୋଝ ତ କୁହାଯିବ ନାହିଁ ! ଅଭିଶାପ ! ଅଭିଶାପ ତାଙ୍କ ପାଇଁ ଆଉ ବୋଝ ତାଙ୍କର ପୁତ୍ର ଓ ପୁତ୍ର ବଧୂ ମାନଙ୍କ ପାଇଁ । ଯେପରି ଫଳହୀନ ବୃଦ୍ଧ ଗଛଟା ମୂଲ୍ୟହୀନ ହୋଇପଡେ ସମାଜ ପାଇଁ ଠିକ୍ ସେହିପରି ଦଣ୍ଡ ସାର୍ ଆଜି ମୂଲ୍ୟହୀନ ତାଙ୍କ ପରିବାର ଭିତରେ । ପ୍ରାୟ ଦଶ ବର୍ଷ ପୂର୍ବେ ତାଙ୍କୁ ଶିକ୍ଷକତାରୁ ବାଧ୍ୟତା ମୂଳକ ଅବ୍ୟାହତି ଦିଆଯାଇଥିଲା ବିଦ୍ୟା ମନ୍ଦିରରୁ । କାହିଁକିନା ଆଜିର ସମୟରେ ମାନବ ସମ୍ବଳର ପ୍ରାଚୁର୍ଯ୍ୟ ଅଧିକ । ସେଥିପାଇଁ ବୋଧେ ଆଜି ମୂଲ୍ୟହୀନ ହୋଇପଡିଛି ଏ ମାନବ ସମ୍ବଳଟା । ଖୁବ୍ ଶସ୍ତା ହୋଇଉଠିଛି ଆଜି ମୂଲ୍ୟ ମାନବର । ତେବେ ଚାକିରିରୁ ଅବ୍ୟାହତି ନେଲାପରେ ମଧ୍ୟ ଟିଉସନ କରି ନିଜ ଭବିଷ୍ୟତ ପାଇଁ କିଛି ସଞ୍ଚୁଥିଲେ ଦଣ୍ଡ ସାର୍ । ହେଲେ ଆଜିକାଲି ଆଉ ସେ ହ୍ୟାପ୍ ପ୍ୟାଣ୍ଟ କିମ୍ବା ଫ୍ରକ୍ ପିନ୍ଧା ଛାତ୍ର ଛାତ୍ରୀ ନାହାନ୍ତି କି ନାହାନ୍ତି ଆଉ ବସ୍ତାନିକୁ ତଳେ ଥୋଇଦେଇ ଚକାଆସନ ମାରି ତଳେ ବସିପଡିବା ଭଳି ବିଦ୍ୟାର୍ଥୀ । ଏବେ ଗାଁ ପାଖ ସହରରେ ଗଢିଉଠିଲାଣି ଅନେକ କୋଚିଂ ସେଣ୍ଟର । ତେଣୁ ଦଣ୍ଡ ସାର୍ ଆଜି ରୋଜଗାର ଶୂନ୍ୟ । ଏତେସବୁ ଭିତରେବି ସ୍ବାଭିମାନୀ ଦଣ୍ଡ ସାର୍ ଙ୍କର ଅଭିନୟର ନିଶାଟା ଆଜିବି ବଳବତ୍ତର । ସମୟ ଛଡାଇନେଇଛି ବୟସ ଆଉ ପରିସ୍ଥିତି ଦେଇଚାଲିଛି ବ୍ୟାଧିର ଉପହାର । ବ୍ଲଡ ପ୍ରେସର ଡାଏବେଟିସ୍ ପନ୍କ୍ରିୟାଟିକ୍ ପ୍ରୋବଲେମ୍ ମାଡିମାଡି ଚାଲିଛି ଦଣ୍ଡ ସାର୍ ଙ୍କୁ । ତଥାପି ସାର୍ ଚଳଚଞ୍ଚଳ ।
କିଛିମାସ ପୂର୍ବର ସେଦିନଟାକୁ ଭୂଲିପାରୁନାହାନ୍ତି ଦଣ୍ଡ ସାର୍ । ଯେଉଁଦିନ ଦୁଇ ପୁଅ ତାଙ୍କର ମ୍ୟାଡିସିନ ବାବଦ ଖର୍ଚ୍ଚକୁ ନେଇ ଆରମ୍ଭ କରିଦେଲେ ଘରେ ଶୀତଳ ଯୁଦ୍ଧ । କହିବସିଲେ " ବାପ ହୋଇ କଣ କରିଛ ତୁମେ ଆମ୍ଭ ମାନଙ୍କ ଭବିଷ୍ୟତ ପାଇଁ ? ଜୀବନ ସାରା ସେ ବେସରକାରୀ ସ୍କୁଲରେ ପିଲାଙ୍କ ଭବିଷ୍ୟତ ସଜାଡୁ ସଜାଡୁ ନିଜର ତଥା ଆମ୍ଭ ମାନଙ୍କ ଭବିଷ୍ୟତଟାକୁ ଅନ୍ଧକାର କରିଦେଲ । ଚିନ୍ତା କଲନାହିଁ କଣ କରିବା ଆମେ ଭବିଷ୍ୟତରେ ? କିପରି ରୋଜଗାର କରିବା ? କଣ କରି ପେଟ ପୋଷିବା ? ଆରେ ରାସ୍ତା କଡର କୁକୁର ମାନେବି ପିଲା ଜନ୍ମ କରି ବଡ କରିଦେଉଛନ୍ତି ! ତୁମେ ଆମ ଜୀବନଟାକୁ ମଧ୍ୟ ଠିକ୍ ସେହିଭଳି କରିଦେଇଛ । କିଛିତ ରଖିପାରିଲନି ଆମ ପାଇଁ । ଏବେ ଆମର ସ୍ବଳ୍ପ ରୋଜଗାରରେ କେମିତି ଚଳେଇବୁ ତୁମକୁ " ? ଏକଥା ମାନସିକ ସ୍ତରରେ ଖୁବ୍ ଆଘାତଦେଲା ଦଣ୍ଡ ସାର୍ ଙ୍କୁ । କିଛି କହିଲେ ନାହିଁ ଦଣ୍ଡ ସାର୍ । କିନ୍ତୁ ମନ ହୃଦୟ ତାଂକର ଭାଙ୍ଗି ଚୁରମାର୍ ହୋଇଗଲା । କଣ କରିବେ କିଛି ଚିନ୍ତା କରିପାରୁନଥିଲେ । ଶିକ୍ଷକତା ଆଉ ଅଭିନୟ ଭିତରେ କେତେବେଳେଯେ ବୟସଟା ଅତିକ୍ରାନ୍ତ ହୋଇଗଲା ଜଣାପଡିଲାନି । କେବେ ଚିନ୍ତା କରିବାକୁ ସମୟ ମିଳିଲାନି ଯେ ବଡ ହୋଇ କଣ କରିବେ ପୁଅମାନେ । ଜାଣିପାରିଲେନି କେବେ ସମୟଟା ଦଉଡିଗଲା ଆଉ ପିଲାମାନେ ବଡ ହୋଇଗଲେ । ମନେମନେ ଭାବୁଥିଲେ 'କିଛି ଭୁଲ ତ କହିନାହାନ୍ତି ସେମାନେ ! କଣ କରିବେ ? ଏ ବୁଢାଟାର ବି ଖର୍ଚ୍ଚ କିଛି କମ୍ ନୁହେଁ । ପ୍ରାଇଭେଟ ଫ୍ୟାକ୍ଟ୍ରିରେ ଝାଳ ବୁହାଇ ଯାହା ଦୁଇ ପଇସା ରୋଜଗାର କରୁଛନ୍ତି ତାଙ୍କ ଭବିଷ୍ୟତ ପାଇଁ ରଖିବେ ନା ଏ ଶୁଖିଆସୁଥିବା ବୁଢା ଗଛକୁ ବଞ୍ଚାଉଥିବେ । ଠିକ୍ କହିଛନ୍ତି ସେମାନେ ' । ଗଛ ଫଳଟା ଅନ୍ୟପାଇଁ ପିତା ହୋଇପାରେ କିନ୍ତୁ ଗଛ ପାଇଁ ... ... । ତେଣୁ ସବୁ କଥାକୁ ପିଠିରେ ପକାଇ ପିଲାଙ୍କ ପାଇଁ ଶୁଭ ମନାସି ବାହାରିଗଲେ ଅଭିନୟ କ୍ଲବ ପଟେ । ବାଟରେ ପଡେ ପଗୁ ସାହୁ ମ୍ୟାଡିସିନ ଷ୍ଟୋର । ତା ଦୋକାନରୁ ସବୁବେଳେ ଦଣ୍ଡ ସାର୍ ତାଙ୍କର ପ୍ରେସର ଟ୍ୟାବଲେଟ ଆଣନ୍ତି । ସେଦିନ ମଧ୍ୟ ସେଠାରୁ ଆଣିବାକୁଗଲେ ତାଙ୍କର ପ୍ରେସର ଟ୍ୟାବଲେଟ । ହଠାତ୍ ଦେଖିଲେ ପର୍ସରେ ଟଙ୍କା ନାହିଁ । ଫେରିଯାଉଥିଲେ । କିନ୍ତୁ ପଗୁ ପଛରୁ ଡାକି ସାର୍ ଙ୍କୁ ଗୋଟିଏ ଧଳା ପଲିଥିନ୍ ଭିତରେ ମ୍ୟାଡିସିନ୍ ଭର୍ତ୍ତିକରି ଦେଇଦେଲା । କହିଲା " ସାର୍ ! ସମୟ ଦେଖି କେବେ ଦେଇଦେବେ । ଗୋଟିଏ ମାସ ପାଇଁ ଦେଇ ଦେଉଛି " । ପଗୁଟା ସାର୍ ଙ୍କର ଷ୍ଟୁଡେଣ୍ଟ । ଖୁବ୍ ସମ୍ମାନ ଦିଏ ସାରଙ୍କୁ । ପଗୁ ପାଖରୁ ମ୍ୟାଡିସିନ ନେଇ ସାର୍ ହସିଦେଇ ଚାଲିଗଲେ ।
ଏହା ଭିତରେ ବିତିଯାଇଛି ଚାରିମାସ । ଦଶହରା ସମୟ । ଦଶମୀ ରାତି ପାଇଁ ପୂର୍ଣ୍ଣ ପ୍ରସ୍ତୁତ ମୁକ୍ତାକାଶ ରଙ୍ଗମଞ୍ଚ । ପ୍ରସ୍ତୁତ ଥାଆନ୍ତି ଆଖପାଖର ତିନି ଚାରୋଟି ଗାଁର ଦର୍ଶକ ଦଣ୍ଡ ସାରଙ୍କର ନାଟକ ଦେଖିବାକୁ । ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା ଆଜିର ନାଟକଟା ଦଣ୍ଡ ସାରଙ୍କର ଶେଷ ନିର୍ଦ୍ଦେଶିତ ଆଉ ଅଭିନୀତ ନାଟକ । ଏହାପରେ ଅଭିନୟରୁ ଅବ୍ୟାହତି ନେବେ ଦଣ୍ଡ ସାର୍ । ଖୁବ୍ ଜୋରଦାର୍ ପ୍ରଚାର କରୁଥାଏ ପଗୁ । କହୁଥାଏ " ଏ ମୋର ନିଦ୍ରିତ ରାତ୍ରିର ଜାଗ୍ରତ କଳାପ୍ରେମୀ ବନ୍ଧୁଗଣ ! ଆଜି ଉତ୍ତରପୁର ରଙ୍ଗମଞ୍ଚରେ ଆପଣଙ୍କ ପ୍ରିୟ ଦଣ୍ଡ ସାରଙ୍କର ଅଭିନିତ ଶେଷ ନାଟକ ଦେଖିବାର ସୁଯୋଗ ନିଅନ୍ତୁ । ଭୁଲନ୍ତୁ ନାହିଁ ବନ୍ଧୁଗଣ ! ନାଟକଟିର ନାଁ 'ଅଭିନୟ' " । ରାତି ନଅଟାରେ ଆରମ୍ଭ ହେଲା ନାଟକ ' ଅଭିନୟ ' । ସମସ୍ତେ ଉତ୍ସୁକତାର ସହ ଉପଭୋଗ କରୁଥାନ୍ତି ନାଟକ । ଆସିଲା ସେହି ଦୃଶ୍ୟଟି । ଯେଉଁ ଦୃଶ୍ୟରେ ଦୁଇ ପୁଅଙ୍କର ଅଭିନୟ କରୁଥିବା କଳାକାର ଦଣ୍ଡ ସାରଙ୍କୁ କହୁଛନ୍ତି " ବାପ ହୋଇ କଣ କରିଛ ତୁମେ ଆମ୍ଭମାନଙ୍କ ଭବିଷ୍ୟତ ପାଇଁ ? ଜୀବନସାରା ସେ ବେସରକାରୀ ସ୍କୁଲରେ ପିଲାଙ୍କର ଭବିଷ୍ୟତ ସଜାଡୁ ସଜାଡୁ ନିଜର ତଥା ଆମ୍ଭ ମାନଙ୍କର ଭବିଷ୍ୟତଟାକୁ ଅନ୍ଧକାର କରିଦେଲ । ଚିନ୍ତା କଲନାହିଁ କଣ କରିବା ଆମେ ଭବିଷ୍ୟତରେ ? କିପରି ରୋଜଗାର କରିବା ? କଣ କରି ପେଟ ପୋଷିବା ? ଆରେ ରାସ୍ତା କଡର କୁକୁର ମାନେବି ପିଲା ଜନ୍ମକରି... ... ..." । ଏତିକି କହୁ କହୁ ହଠାତ୍ ଅଟକି ଗଲେ ଦୁଇ କଳାକାର । " ଓଃ !ମୋ ମୁଣ୍ଡ ଭିତରଟା କଣ ହୋଇଯାଉଛି ! କଣ ହୋଇଯାଉଛି ! " କହି ଅଭିନୟରତ ଦଣ୍ଡ ସାର୍ ହଠାତ୍ ସେହି ରଙ୍ଗମଞ୍ଚ ଉପରେ ଟଳିପଡିଲେ । ସମସ୍ତେ ନିରବ । ଦର୍ଶକ ଉତ୍ସୁକ ଆଉ କଳାକାର ଦୁହେଁ ତଟସ୍ଥ । ଦର୍ଶକେ ଭାବୁଥାନ୍ତି କଣ ହେବ ଏହାପରେ ? କଳାକାର ଦୁହେଁ ଚିନ୍ତାରେ ପଡିଥାନ୍ତି ' ଏଇଟାତ ସ୍କ୍ରିପ୍ଟରେ ନଥିଲା । ଦଣ୍ଡ ସାର୍ କଣ ମନକୁ ମନ ଅଭିନୟ କରୁଛନ୍ତି ' । କିଛି ସମୟ କଟିଗଲା ନିଶବ୍ଦ ଆଉ ନିରବରେ । ହଠାତ୍ ପଗୁ ଦୌଡିଯାଇ ଭିଡିଧରିଲା ଦଣ୍ଡ ସାରଙ୍କୁ । ଦର୍ଶକେ ଭାବୁଥାନ୍ତି ନାଟକ ଚାଲିଛି । ପଗୁ ବଡ ପାଟିରେ ଚିତ୍କାର କରି କହିଲା " ସାର୍ " ! ସେପଟୁ ମାଇକ୍ ରେ କୁହାଗଲା " ଦଣ୍ଡ ସାରଙ୍କର ଶରୀର ଅସୁସ୍ଥ । ନାଟକ ଏହିଠାରେ ସମାପ୍ତ କରାଗଲା " । ଏହାପରେ ସମସ୍ତେ ଘେରିଗଲେ ଦଣ୍ଡ ସାରଙ୍କୁ । ସାର୍ କିନ୍ତୁ ଥାଆନ୍ତି ନିରବ ନିରୁତ୍ତର ନିର୍ବିକାର । ସାର୍ ନେଇସାରିଥିଲେ ଅଭିନୟରୁ ଚିରଦିନ ପାଇଁ ଅବସର । ପଗୁ ଓ ଅନ୍ୟମାନେ ଟେକିନେଲେ ସାରଙ୍କର ନିଷ୍ପ୍ରାଣ ଶରୀରଟାକୁ ତାଙ୍କ ଘର ଭିତରକୁ । ଡାକ୍ତର ବାବୁ ଆସି ଦଣ୍ଡ ସାରଙ୍କୁ ମୃତ ଘୋଷଣା କଲେ । ହଠାତ୍ ପଗୁର ନଜର ପଡିଲା ସାରଙ୍କ ରୁମରେ ଥିବା ଥାକ ଉପରେ । ସେଠାରେ ସେହି ଧଳା ପଲିଥିନ ଭିତରେ ରଖାଯାଇଥିଲା ଗୋଟିଏ ମାସର ପ୍ରେସର ଟ୍ୟାବଲେଟ । ' ତା ମାନେ କଣ ସାର୍ ଚାରମାସ ହେଲାଣି ପ୍ରେସର ଟ୍ୟାବଲେଟ ଖାଇନଥିଲେ ' ! ଏହିକଥାଟା ପଗୁ କୁ ବିବ୍ରତ କରିପକାଇଲା । ବ୍ୟସ୍ତ ହୋଇ ସେ ଡାକ୍ତରଙ୍କୁ ପଚାରିଲା " ସାରଙ୍କର କଣ ହୋଇଥିଲା "? ଡାକ୍ତର କହିଲେ " ବୋଧହୁଏ ବହୁତ ଟ୍ୟାନସନରେ ବ୍ଲଡ ପ୍ରେସର ବଢିଯାଇ ବ୍ରେନ ଷ୍ଟ୍ରୋକ୍ କରିଗଲା " । ତାଙ୍କ କଥା ଶୁଣି ପଗୁ ଚିନ୍ତା କରୁଥିଲା ସାରଙ୍କର ମୃତ୍ୟୁର ପରିଭାଷା । ଚିନ୍ତା କରୁଥିଲା ଏ ମୃତ୍ୟୁଟା ଅପମୃତ୍ୟୁ, ଆକସ୍ମିକ , ହତ୍ୟା ନା ଆତ୍ମହତ୍ୟା ? ମନେମନେ କହୁଥାଏ " ସାର୍ ! ପ୍ରକୃତରେ ଆପଣ ଜଣେ ଦକ୍ଷ ଅଭିନେତା । ଆପଣଙ୍କ ବଳିଷ୍ଠ ଅଭିନୟ ପାଖରେ ଆଜି ହାରିସାରିଛି ଅଭିନୟର ଏହି ଦୁନିଆଁ । ଆଜି ଆପଣ ପ୍ରମାଣ କରିଦେଲେ ଯେ ଜଣେ ପିତା ହିଁ ହୋଇଥାଏ ଦୁନିଆଁ ର ଶ୍ରେଷ୍ଠ ଅଭିନେତା । କେହି ବୁଝୁ କି ନବୁଝୁ; ମୁଁ କିନ୍ତୁ ବୁଝିସାରିଛି ଆପଣଙ୍କ ହୃଦୟ ର ବ୍ୟଥା ; ମାପିସାରିଛି ଆପଣଙ୍କ ଅଭିନୟ ର ଗଭୀରତା ।" । ଏତିକିବେଳେ ରାମ ସାହୁ ଦଣ୍ଡ ସାରଙ୍କର ପୁଅମାନଙ୍କ ପାଖକୁ ଯାଇ କହିଲା " ବିଧିର ବିଧାନ ତ ମାନିବାକୁ ପଡିବ । ତେବେ ମୁଁ ଚେଷ୍ଟା କରିବି ଯେତେ ଶୀଘ୍ର ସମ୍ଭବ ସାରଙ୍କର ଇନ୍ସ୍ୟୁରାନସ୍ ଟଙ୍କାଟା ତୁମ୍ଭମାନଙ୍କୁ ମିଳିଯାଉ " । ପଗୁକୁ ଲାଗିଲା ଯେପରି ରାମ ସାହୁ ମୁହଁରୁ ଏକଥା ଶୁଣି ଦୁଇ ଭାଇ ଟିକିଏ ଆଶ୍ବସ୍ତ ହୋଇଯାଉଥିଲେ । ବୋଧହୁଏ ସେମାନେ ଭାବୁଥିଲେ ' ଯା' ହେଉ ଏଇ ଟଙ୍କାରେ ବାପାଙ୍କର କାମଟା ତ ଉଠିଯିବ ' ! ! !
॥ ଜ୍ୟୋତିରଞନ ସାହୁ ॥