odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story

ଓଡ଼ିଶାର ଏକ ଆଦିବାସୀ ବହୁଳ ଜିଲ୍ଲାକୁ ନୂଆକରି ଆସିଥାଆନ୍ତି ଜଣେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଡିଇଓ । ନାମ ଧରଣୀଧର ସେଠୀ । ଭାରି ରାଗି ଆଉ ଷ୍ଟ୍ରିକ୍ଟ । ତାଙ୍କ ପାଖରେ କାର୍ଯ୍ଯରତ ପ୍ରତ୍ୟେକଟି କର୍ମଚାରୀ ଖୁବ୍ ଜଗିରଖି କଥାକୁହନ୍ତି ତାଙ୍କ ଆଗରେ । ସେଠୀ ସାରଙ୍କର ଇଚ୍ଛା ତାଙ୍କ ଅଧୀନରେ ଥିବା ପ୍ରତ୍ୟେକଟି ସରକାରୀ ବିଦ୍ୟାଳୟ ଯେପରି ବେସରକାରୀ ଇଂରାଜୀ ବିଦ୍ୟାଳୟ ଗୁଡିକର ସମକକ୍ଷ ହେଉ । ଏକ୍ଷେତ୍ରରେ ସାର୍ ଙ୍କର ଚିନ୍ତାଧାରା ଖୁବ୍ ଉତ୍ତମ । ସେ ଆସିବା ଦିନରୁ ସବୁ ସରକାରୀ ଶିକ୍ଷକ ସିଧା ହୋଇଗଲେଣି । ମାନେ ସମୟାନୁବର୍ତ୍ତୀ / ପନ୍କଚୁଆଲ । ଟାଇମ୍ ରେ ସ୍କୁଲରେ ପହଞ୍ଚିବା , ଟାଇମ୍ ରେ ବନ୍ଦ କରିବା , ପିଲାଙ୍କ ପଢା ତଦାରଖ କରିବା ଇତ୍ୟାଦି ଇତ୍ୟାଦି । ଅଧିକାଂଶ ଦିନ ସାର୍ କୌଣସି ନା କୌଣସି ବିଦ୍ୟାଳୟ ଚେକିଂରେ ଯାଇ ପହଞ୍ଚିଯାଆନ୍ତି । ଟିକିଏ ଭୁଲ୍ ଦେଖିଲେ ସାଙ୍ଗେସାଙ୍ଗେ ଏକସନ୍ । ଆଉ ଯେଉଁଦିନ ସାରଙ୍କର ମୁଡ୍ ବିଗିଡି ଯାଇଥାଏ ସେଦିନ ଅଧିନସ୍ଥ କର୍ମଚାରୀମାନେ ମଧ୍ୟ ପ୍ରମାଦ ଗଣନ୍ତି । କଥାକଣକି ସାରଙ୍କର ଘରେ ତାଙ୍କର ରୋଗିଣା ବାପା ଅଛନ୍ତି । ଅଧିକାଂଶ ଦିନ ତାଙ୍କ ରକ୍ଷଣାବେକ୍ଷଣା ପାଇଁ ପତ୍ନୀଙ୍କ ସହ ଯୁକ୍ତିତର୍କ । ଯେଉଁଦିନ ଘରୁ ବିଗିଡି ଯାଇଥିବେ ସେଦିନ ଅଫିସଟା ଖାଲି ଉଠିବ ପଡିବ । ଦିନେ ବହୁତ ଟେନସନ୍ ରେ ସାର୍ ଆସି ଅଫିସ୍ ରେ ପହଞ୍ଚିଲେ । ସାର୍ ଙ୍କର ମୁଡ୍ ଦେଖି କେହି ତାଙ୍କ ପାଖକୁ ଆଉ ଯିବାକୁ ସାହସ କଲେନାହିଁ । ବହୁ ସମୟପରେ ଅଫିସର ବଡବାବୁ ଆଚାର୍ଯ୍ୟ ବାବୁ ସାରଙ୍କ ପାଖକୁ ଗଲେ । ହେଲେ ଯାଇ ଦେଖିଲେ ସାର୍ ସେଦିନ ଖୁବ୍ ଚିନ୍ତାରେ । ଆଚାର୍ଯ୍ୟ ବାବୁ ପଚାରିଲେ " ସାର୍ କଣ ହୋଇଛି ? କିଛି ପ୍ରୋବଲେମ୍ ରେ ଅଛନ୍ତି କି " ? ଦୀର୍ଘ ଶ୍ବାସଟେ ଛାଡି ସେଠୀ ସାର୍ କହିଲେ " ପ୍ରୋବଲେମ୍ ଆଉ କଣ ଆଚାର୍ଯ୍ୟ ବାବୁ ! ପ୍ରବଲେମ୍ ତ ସେଇ ଗୋଟିଏ । ମୋ ବାପା ଆଉ । ଆପଣତ ଜାଣନ୍ତି ତାଙ୍କୁ ସତୁରୀ ଟପିଲାଣି । ମିସେସ୍ ତାଙ୍କର ସବୁକାମ କରିବାକୁ ଅସମର୍ଥ । ଘରର କାମ ପୁଣି ବାପାଙ୍କ କାମ ସବୁକାମ କଲାବେଳକୁ ସେ ବିରକ୍ତି ପ୍ରକାଶ କରୁଛି । ତେଣୁ ବାପାଙ୍କର କିଛିକାମ ମୋତେ କରି ଅଫିସ୍ ଆସିବାକୁ ପଡୁଛି । ସେଥିପାଇଁ ମୋତେ ଦିନେଦିନେ ଆସିବାକୁବି ବିଳମ୍ବ ହୋଇଯାଉଛି । ମୁଁ ଯଦି ବିଳମ୍ବରେ ଆସିବି ତାହାହେଲେ ଅନ୍ୟମାନଙ୍କୁ କଣ କହିବି ? ବାପାଙ୍କ କାମ କରିବା ଆଉ ସମ୍ଭବ ହୋଇପାରିବ ନାହିଁ ବୋଲି ମୁଁ ଅନୁଭବ କଲିଣି । ଭାବୁଛି ଓଲ୍ଡ ଏଜ୍ ହୋମ୍ ରେ ଛାଡିବି ନଚେତ୍ ଏହାର କିଛି ବିକଳ୍ପ ବ୍ୟବସ୍ଥା କରିବି " । ତାଙ୍କ କଥା ଶୁଣି ଚୁପ୍ ରହିଲେ ଆଚାର୍ଯ୍ୟ ବାବୁ । କିଛି ସମୟପରେ କହିଲେ " ସାର୍ ! ଆଜିପରା ବର**ପୁର ସ୍କୁଲ ସରପ୍ରାଇଜ୍ ଭିଜିଟ୍ କରିବାକୁ ଯିବାକଥା । ଆପଣଙ୍କ ମନଟା ଭଲ ନାହିଁ । ଆଉ କେଉଁଦିନ ସୁବିଧା ଦେଖି ଯିବା " ।
ଆଚାର୍ଯ୍ୟ ବାବୁଙ୍କ ପାଖରୁ ଏକଥା ଶୁଣି ସେଠୀ ସାର୍ ତୁରନ୍ତ ଚେୟାର ଛାଡି ଭିଜିଟ୍ ପାଇଁ ରେଡି ହୋଇଗଲେ । ଦିନ ଏଗାରଟା ପାଖାପାଖି ଦଳବଳ ନେଇ ପହଞ୍ଚିଗଲେ ବ****ପୁର ସ୍କୁଲରେ । ତାଙ୍କୁ ଦେଖି ସବୁ ଦିଦି ସାର୍ ଛାନିଆଁ । ଡିଇଓ ସାର୍ ଦେଖିବାକୁ ପାଇଲେ ଅଳ୍ପ ପିଲାଙ୍କ ଉପସ୍ଥାନ । ଜାଣିବାକୁ ପାଇଲେ ପିଲାଙ୍କର ପରୀକ୍ଷା ଚାଲିଛି । ଏତିକି ବେଳେ ସ୍କୁଲରେ ସ୍କୁଟି ଚଲେଇ ଆସି ପହଞ୍ଚିଲେ ଜୟନ୍ତୀ ଦିଦି । ହଠାତ୍ ଡିଇଓ ସାରଙ୍କୁ ସମ୍ମୁଖରେ ଦେଖି ଟିକିଏ ନର୍ଭସ ହୋଇଗଲେ ସିଏ । ବିରକ୍ତି ପ୍ରକାଶ କରି ଡିଇଓ ସାର୍ ବିଳମ୍ବର କାରଣଟା ପଚାରିଲେ । ଟିକିଏ ଭୟଭୀତ ସ୍ବରରେ ଦିଦି କହିଲେ " ସାର୍ ! ବାବାଙ୍କ ଦେହ ଖରାପତ । ତାଙ୍କୁ ଡାକ୍ତରଙ୍କୁ ଦେଖାଇ ଆସୁଆସୁ ଡେରି ହୋଇଗଲା । ମୁଁ ହେଡ୍ ଦିଦିଙ୍କୁ ଜଣାଇଦେଇଥିଲି ମୋର ଟିକିଏ ଡେରି ହେବ ବୋଲି " । ବାପାଙ୍କ ପାଇଁତ ସକାଳୁ ସେଠୀ ସାରଙ୍କର ମୁଡ୍ ଅଫ୍ ହୋଇକି ଥିଲା । ଜୟନ୍ତୀ ଦିଦିଙ୍କ ଠାରୁ ପୁଣି ବାପାଙ୍କ ଦେହ ଖରାପଟା ବିଳମ୍ବର କାରଣ ବୋଲି ଜାଣି ଆହୁରି ବିରକ୍ତ ହୋଇଗଲେ ସେଠୀ ସାର୍ । କହିଲେ " ଘରେ କଣ ଆଉ କେହି ନାହାନ୍ତି ? ଛୁଟି ନେଇଗଲେନି ! ଆରାମରେ ବାପାଙ୍କୁ ଡାକ୍ତର ଦେଖାଇଥାନ୍ତେ " ! ଏହାପରେ ଆଉ ଅଧିକ କିଛି ନକହି କିମ୍ବା ନଶୁଣି ସିଧା ଜୟନ୍ତୀ ଦିଦିଙ୍କ କ୍ଲାସ୍ କୁ ପଶିଗଲେ । ସେଦିନ ଜୟନ୍ତୀ ଦିଦି କରାଉଥିବା ପରୀକ୍ଷାର ବିଷୟ ଥାଏ ଚିତ୍ରାଙ୍କନ । ଡିଇଓ ସାର୍ କ୍ଲାସର ପିଲାଙ୍କୁ ନିରୀକ୍ଷଣ କରୁକରୁ ନଜରରେ ପଡିଲା ରୁମ୍ ର କୋଣକୁ ଟିକିଏ ଦୂରରେ ଛୋଟ ପିଲାଟି କଣ ସବୁ ଗାରେଇଚାଲିଛି । କେତେବେଳେ ପାଖ ପିଲାର ରବର କୁ ନେଇ ଖାତାରେ ଘସିଦେଉଛି ତ କେତେବେଳେ ନିଜ ହାତର ଆଙ୍ଗୁଳି ଟିକୁ ରବର ଭଳି ଘସିଦେଉଛି । ଛିଣ୍ଡା ସାର୍ଟ ଆଉ ଛିଣ୍ଡା ପ୍ୟାଣ୍ଟ ପୁଣି ଛୋଟ ପରିବା ବ୍ୟାଗ୍ ରେ କିଛି ଛିଣ୍ଡା ବହିଧରି ବସିଥାଏ ପିଲାଟି । ଡିଇଓ ସାର୍ ଉତ୍ସୁକତାର ସହ ପିଲାଟିକୁ ପାଖକୁ ଡାକିଲେ । ସିଂଘାଣି ଭଡ ଭଡ କରି ପିଲାଟି ପାଖକୁ ଆସିଲା । ସାର୍ ପଚାରିଲେ " ଦେଖି କିପରି ଚିତ୍ର ଆଙ୍କିଛୁ " ? ପିଲାଟି ପରୀକ୍ଷା ଖାତା ସାରଙ୍କ ହାତକୁ ବଢାଇଦେଲା । ସାର୍ ଦେଖିଲେ ଅଦ୍ଭୁତ ଚିତ୍ର ସବୁ । ସେ ଚିତ୍ରରୁ କିଛି ବୁଝାପଡୁନଥିଲା । ତେଣୁ ସାର୍ ପଚାରିଲେ " ଆରେ ଯେଉଁ ଚିତ୍ରଟା କରିବାକୁ ଦିଆଯାଇଛି ସେଇଟାକୁ ନକରି ଏଇଟା କଣ କରିଛୁ " ? ପିଲାଟି ନାକ ସଁ ସଁ କରି ବୁଝାଇବା ଢଙ୍ଗରେ ନିଜ ଭଙ୍ଗା ପେନସିଲର ପଛପାଖଟାରେ ଚିତ୍ରକୁ ଛୁଆଁଇ କହିଲା " ସାର୍ ! ଏଇଟା ମୋର୍ ବାପା ଏଇଟା ମୋର୍ ମା ଆଉ ଏଇ ମଝିଟା ମୁଇଁ । ମୋର ମା ମୋର୍ ହାତ୍ ଟା ଧରିଛି ଆର୍ ମୁଇଁ ମୋର୍ ବାପା କେ ଧରିଛେଁ " । ତାର ସେ ବିଚିତ୍ର ଚିତ୍ର ସବୁକୁ ଦେଖି ଆଉ ପିଲାଟିର କଥା ଶୁଣି ତାଚ୍ଛଲ୍ୟ ଭରା ହସଟେ ହସି ସାର୍ ପଚାରିଲେ " ଆଚ୍ଛା ! ଚିତ୍ରରେ ତୋର ମା ତୋତେ ଧରିଛି । ଆଉ ତୁ ! ତୁ ତୋର ବାପାକୁ ଧରିଛୁ ! ତୋ ବାପାକୁ ତୁ ସମ୍ଭାଳି ପାରିବୁ ନା " ! ଏହାକହି ହସିଗଲେ ସେଠୀ ସାର୍ ଆଉ ତାଙ୍କ ସହିତ ଆସିଥିବା ଦୁଇଜଣ କର୍ମଚାରୀ । ଏହା ଦେଖି ରାଗ ମିଶା ଅଭିମାନରେ ସେହି ଛୋଟ ବାଳୁତ ପିଲାଟି ଖୁବ୍ ଜୋର୍ ରେ ଚିତ୍କାର କରି କହିଲା " ମୋର୍ ବାପାର୍ ଗୋଟେ ଗୋଡଟା ନାହିଁନି । ଟ୍ରକ୍ ରୁ ପଡିକରି କଟିଯାଇଛି । ସେଥିଲାଗି ମୁଇଁ ତାକୁ ଧରିଛି । ନାଁହିଲେ ସେ ପଡିଯିବନାଇଁ । ଗୋଟେ ଗୋଡ୍ ରେ କେମତି ଛିଡାହେବ ସିଏ ଯେ ମୋତେ ଧରବ ! ଜୟନ୍ତୀ ଦିଦି ଆମକୁ କହିଛନ୍ ବାପା ମା'ର ସେବା କରବ । ସେମାନକେ ସାହାଯ୍ୟ କରବ । ମୋର୍ ବାପାକେ ମୁଇଁ ନାଇଁ ଧରିଲେ ଆଉ କିଏ ଧରବ " !! ପିଲାଟିର ଏଭଳି ସରଳ ଉତ୍ତରଟା ଜଟିଳ କରିଦେଲା ସେଠାରେ ଉପସ୍ଥିତ ସମସ୍ତଙ୍କର ବିଜ୍ଞ ମସ୍ତିଷ୍କ ଗୁଡିକୁ । ହଠାତ୍ ନିରବିଗଲା ପରିବେଶଟା । ସମସ୍ତେ ଚୁପ୍ । କିଛି ସମୟପରେ ପିଲାଟିର ସିଂଘାଣି ଭଡଭଡ ନାକଟିକୁ ନିଜ ହାତରେ ସଫା କରି ସେଠୀ ସାର୍ ଅଫିସ୍ କୁ ଯିବାକୁ ବାହାରିଲେ । ସାଙ୍ଗରେ ଯାଇଥିବା ଆଚାର୍ଯ୍ୟ ବାବୁ ହଠାତ୍ ମନେପକାଇଦେଇ ସେଠୀ ସାରଙ୍କୁ କହିଲେ " ସାର୍ ! ସେ ଜୟନ୍ତୀ ଦିଦିଟା ଉପରେ କଣ ଏକ୍ସନ ନେବା ? ଏତେ ଡେରିରେ ସ୍କୁଲ ଆସିଛି " ! ଏକଥା ଶୁଣି ଟିକିଏ ହସିଦେଇ ସେଠୀ ସାର୍ ଗାଡି ଭିତରେ ବସିଗଲେ । ରାସ୍ତା କହୁଥାଆନ୍ତି " ବୁଝିଲେ ଆଚାର୍ଯ୍ୟ ବାବୁ ! ବେଳେବେଳେ କିଛି ଡ୍ୟୁଟି ପନକ୍ଚ୍ୟୁଆଲିଟି ଠାରୁ ଉର୍ଦ୍ଧରେ ଥାଏ । କିଛି ଡ୍ୟୁଟି କୁ ଆମେ ଇଚ୍ଛା କରିବି ଏଭଏଡ୍ କରିପାରିବାନି । ଠିକ୍ ଯେମିତି କିଛି ଶିକ୍ଷା ଆମ ପାଠ ବହି ଆମକୁ ଦେଇପାରେନି" । ଆଉ ସେହିଦିନ ପାଖରୁ ସେଠୀ ସାର୍ ବାପାଙ୍କ କାମ କରିଆସି ଅଫିସ୍ ରେ ଚିଡିଚିଡି ହୁଅନ୍ତି ନାହିଁ ; କି କାହା ଉପରେ ଡ୍ୟୁଟିକୁ ନେଇ ତୁରନ୍ତ ଡିସିପ୍ଲିନାରୀ ଏକ୍ସନ ନିଅନ୍ତି ନାହିଁ ॥
॥ ଜ୍ୟୋତିରଞନ ସାହୁ ॥