odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story

ଏକଥା ଟା ଟିକିଏ ନିଆରା। ହଁ ! ଲେଖିବା ଆଗରୁ ଗୋଟିଏ କଥା ନିହାତି ଜଣାଇବା ଜରୁରୀ। ସେଇଟା ହେଲା ସବୁ ମଣିଷଙ୍କ ଲକ୍ଷ୍ୟ ଟା କେତେବେଳେ ବି ସମାନ ନଥାଏ। ଆଉ ତାପରେ ବି ଗୋଟିଏ ମଣିଷ ର ଇଚ୍ଛା ଉପରେ ଅନ୍ୟ ର ଇଚ୍ଛା ଟା ଲଦିଦେବା ମଧ୍ୟ ଆଦୌ ଯୁକ୍ତି ସଂଗତ ନୁହେଁ। ଆଜି ର ସମାଜ ରେ କିଛି ମୁଷ୍ଟିମେୟ ଗୋଷ୍ଠୀ ଅଛନ୍ତି ଯେଉଁ ମାନଙ୍କର ଯୁକ୍ତି ଟା ଠିକ୍ ଯେପରି 'ଘରେ ଭାତ ନାହିଁ ଯଦି ପଲାଉ ଖାଅ'। ଶୀତ ତାପ ନିୟତ୍ନ୍ରୀତ କୋଠରୀ ଭିତରୁ ବାହାର ଖରା ଟା ସିନା ଦେଖିହୁଏ ହେଲେ ହୃଦୟଙ୍ଗମ କରିହୁଏନି। ସମାଜରେ ଯେତେବେଳେ ଅଦିନ ରେ ଜୀବନଟିଏ ଝଡିଯାଏ ସେତେବେଳେ ସମାଜ ଦିନ କେଇଟା କାନ୍ଦେ କିନ୍ତୁ ସବୁଦିନ କାନ୍ଦେ ନାହିଁ। କେତେ ବିଚିତ୍ର ଏ ସମାଜ, ଗୋଟିଏ ନିର୍ବୋଧ ଶିଶୁ ଠାରୁ ମଧ୍ୟ ବହୁ ଗୁଣ ରେ ନିର୍ବୋଧ। କାହିଁକି ନା ଶିଶୁ ଟିଏ ଭୁଲ୍ କରି ଶିଖିଥାଏ କିନ୍ତୁ ଆମର ସମାଜ ଟା ବାରମ୍ବାର ଭୁଲ୍ କଲାପରେ ବି ଶିକ୍ଷା ପାଏନାହିଁ। ଆଜି ସମାଜ ର ମୂଳଦୂଆ ସାଜିଛି ଅର୍ଥ। ତେଣୁ ଆଜିର ଦୁନିଆଁ ଟା ଅର୍ଥ ସର୍ବସ୍ବ ପାଲଟିଯାଇଛି। ନୈତିକ ଶିକ୍ଷାର ଅଭାବ ଟା ବହୁଳମାତ୍ରାରେ ପରିଲିକ୍ଷିତ ହେଉଛି। ତେବେ ଛାଡନ୍ତୁ ସେସବୁ କଥା। କଥା ଆମର ଥିଲା ମଣିଷ ର ଲକ୍ଷ୍ୟ। ଏହିଭଳି ଜୀବନ ର ଏକ ଲକ୍ଷ୍ୟ ନେଇ ପ୍ରତିଯୋଗୀତା ଦୁନିଆଁ ମାନେ କମ୍ପିଟେଟିଭ୍ ୱର୍ଲଡ୍ ରେ ନୂଆ କରି ପାଦ ଥାପିଥାନ୍ତି ଅନେକ ପ୍ରତିଭା। କିଛି ସଫଳ ତ କିଛି ବିଫଳ ହୁଅନ୍ତି।  ସେହି ଦୁନିଆଁ ରେ ସଫଳତା ପାଇଥିବା ଜଣେ ବ୍ୟକ୍ତି ହେଲେ କୌସ୍ତୁଭ ସାରସ୍ବତ ମିଶ୍ର ଓରଫ୍ କାହ୍ନା। କର୍ମ ଭାରତୀୟ ରେଳ ରେ ଜଣେ ଲୋକୋ ପାଇଲଟ୍, ଜାତି ରେ ବିପ୍ର ,ରଙ୍ଗ ଗୌର, ପିତା ଗାଁ ହନୁମାନ ମନ୍ଦିର ପୂଜକ ଆଉ ବଡ ଭାଇ ବଳିଆ ଓରଫ୍ ବଳି ଗାଁ ଡେଲି ମାର୍କେଟ ର ଜଣେ କୁକୁଡା କଟାଳୀ। ବାସ୍ ଏତିକି ହିଁ ତାଙ୍କ ପରିଚୟ।

            ଆଜି ଟ୍ରେନ ଟା ୪ ଘଣ୍ଟା ବିଳମ୍ବ ଅଛି ଷ୍ଟେସନ ଛାଡିବାକୁ। ଇଞିନ୍ ଭିତରେ ବସି ଚୁପ୍ଚାପ୍ ରେଳଧାରଣା କୁ ଦେଖୁଦେଖୁ ମିଶ୍ର ବାବୁ ଭାବୁଥାନ୍ତି ତାଙ୍କର ସେହି ସଂଘର୍ଷମୟ ଦିନ ଗୁଡିକ। ଯେଉଁ ଦିନ ରେ ସେ ପରିଚିତ ହେଉଥିଲେ ମିଶ୍ର ବାବୁ ନୁହେଁ କାହ୍ନା ହିସାବ ରେ।

            ସେତେବେଳେ   କାହ୍ନା ଡିପ୍ଲୋମା ସାରି ଆସି ଘରେ ରହିଥିଲା କିଛି ଦିନ। ଇଚ୍ଛା ଥିଲା ଡିଗ୍ରୀ ଟେ କରିଦେବ। କିନ୍ତୁ ଅର୍ଥ କାହିଁ? କିଏ ଦେବ ଅର୍ଥ? ଋଣ କରି ପଢିବା ରେ ବାପା ଅସନ୍ତୁଷ୍ଟ। କଣ କରିବ? ଏଠି ତ ଶିକ୍ଷା ର ଦଲାଲି ଚାଲିଛି। ଯେଉଁଠି ଧନୀ ଘର ପିଲାଏଁ ଉତ୍ତମ କୋଚିଂ ନେଇ ପରୀକ୍ଷା ଦେଉଛନ୍ତି ସେଠାରେ କାହ୍ନା କୁ ପଚାରେ କିଏ? ସେ କୋଉ ଆଇନ୍ଷ୍ଟାଇନ୍ ହୋଇଛି ଯେ ଅଳିଆ ରୁ ଗଜା ବୋଲାଇବ। ହେଲେ ଖୁବ୍ ଭଲ ନହେଲେ ବି ଉତ୍ତମ ରେଙ୍କିଂ ଥିଲା କାହ୍ନା ର। କିନ୍ତୁ ସରକାରୀ କଲେଜ୍ ଟେ ମିଳିଲା ନାହିଁ। ଆଉ ରହିଲା ବେସରକାରୀ ଶିକ୍ଷା ଅନୁଷ୍ଠାନ! ସେଗୁଡିକୁ ଶିକ୍ଷା ଅନୁଷ୍ଠାନ ନକହି ରକ୍ତ ଶୋଶକ ଯନ୍ତ୍ର କହିବା ଭଲ। କାହ୍ନା ବାପା ବିଚରା ଏତେ ରକ୍ତ କାହିଁ? ତେଣୁ କାହ୍ନା ତାଇଚ୍ଛା କୁ ସେହିଠାରେ ଜଳାଞଳୀ ଦେଇ ଠିକ୍ କଲା ଆଉ ଅଧିକ ପଢିବ ନାହିଁ। ବଡ ଭାଇ କହିଲା " ଆରେ! କୁକୁଡା କଟା ଟା ଶିଖିଯା। ତୋପାଇଁ ଦୋକାନ ଟେ ଖୋଲିଦେବି"। ହେଲେ କାହ୍ନା ମନ ନୀରବ ରେ ପ୍ରତିବାଦ କରିଉଠିଲା। ଇଚ୍ଛା ଉପରେ ଇଚ୍ଛା ର ପ୍ରଭୂତ୍ବ କୁ ସବୁବେଳେ ସମ୍ମାନ ମିଳିନପାରେ। ଠିକ୍ ସେହିପରି କିଛି କରିବସିଲା କାହ୍ନା। ଘରୁ ଅନୁମତି ନେଇ ଚାଲିଗଲା ରାଜଧାନୀ। ଆଉ ସେହି ରାଜଧାନୀ ର ଅନେକ ଦୁନିଆଁ ଭିତରେ ଅନାଲୋଚିତ ଏକ କ୍ଷୁଦ୍ର ଦୁନିଆଁ କୁ ଆପଣେଇ ନେଲା କାହ୍ନା। ଆଉ ସେଇଟା ଥିଲା ଚାକିରି ଟିଏ ପାଇଁ ପ୍ରତିଯୋଗୀତା ର ଦୁନିଆଁ ରେ ନିଜକୁ ପ୍ରସ୍ତୁତ କରିବା। ଯେଉଁ ଦୁନିଆ ରେ ଖାଲି ପୃଥିବୀ ଟେ ଅଛି ସମୟ କହିବାକୁ ସୂର୍ଯ୍ୟ ନାହିଁ ଯେଉଁଠି ଯନ୍ତ୍ରଣା ଅଛି କିନ୍ତୁ ଅଶ୍ରୁ ବାହାରିବାକୁ ରାସ୍ତା ନାହିଁ ଯେଉଁଠି କାରାଗାର ର ଶିକୁଳି ନାହିଁ କିନ୍ତୁ ସ୍ବାଭିମାନ ର ଅଭେଦ୍ୟ ଦୁର୍ଗ ଟେ ଅଛି। ଏହିଭଳି ଏକ ଦୁନିଆଁ କୁ ଲମ୍ଫପ୍ରଦାନ କଲା କାହ୍ନା ମନରେ ଅନେକ ଆଶା ଆଉ ଆଖି ରେ ଅସୁମାରୀ ସ୍ବପ୍ନ ନେଇ।

           ଅଜଣା ଦୁନିଆଁ ରେ ତାର ପ୍ରଥମ ବନ୍ଧୁ ସାଜିଥିଲା ପଦିଆ ଓରଫ୍ ପ୍ରଦୀପ। ସେ କାହ୍ନା କୁ ନେଇ ରଖିଥିଲା ନିଜ ଛୋଟିଆ ରୁମ୍ ରେ । ଆଉ ସେହି ରୁମ୍ ରେ ପୂର୍ବ ରୁ ସ୍ବାଗତ ପାଇଁ ପ୍ରସ୍ତୁତ ଥିଲା ପିଲାଟିଏ ନାଁ ତାର ବିଭୂ କୃପା ଓରଫ୍ ବିଭୂ। ବାପା ମା ତାର ବହୁ ପୂଜା ପାଠ ପରେ ଦୁଇ ଝିଅପରେ ପାଇଥିଲେ ବିଭୂ କୁ। ସେଥିପାଇଁ ବୋଧେ ନାଁ ଟା ଦେଇଥିଲେ ବିଭୂ କୃପା। ତେବେ ସେ ଯାହା ହେଉ ସେହି ଛୋଟିଆ ରୁମ୍ ଭିତର ର ସଂସାର ରେ ଗୋଟିଏ ସୂତ୍ର ରେ ବାନ୍ଧି ହୋଇଗଲେ ତିନୋଟି ପ୍ରାଣୀ। ସୁଖ ଦୁଃଖ ର ତିନି ସାଥୀ। ଏ ଦୁହିଁ କଂ ଠାରୁ ବିଭୂ ଥିଲା ବୟସରେ ବଡ। ଦୀର୍ଘ ଚାରି ବର୍ଷ ର ଅଭିଜ୍ଞତା ଏହିଦୁନିଆଁ ରେ। ତେଣୁ ପଦିଆ ଆ ଉ କାହ୍ନା ବିଭୂ କୁ ବଡ ଭାଇ ନୁହେଁ ଜଣେ ଗୁରୁ ହିସାବରେ ସମ୍ମାନ ଦେଉଥିଲେ। ତା ବାପା ଜଣେ ହୋଟେଲ ର ରାନ୍ଧୁଣିଆ ମାନେ କୁକ୍। ଆଉ ବିଭୂ ଉପରେ ଦୁଇ ଜଣ ବିବାହ ଯୋଗ୍ୟା ଭଉଣୀ। ଏହିଭଳି ଏକ ପରିବାର କୁ ପ୍ରତିନିଧିତ୍ବ କରୁଥିବା ବିଭୂ ବାସ୍ତବିକ ଜଣେ ଯୋଗ୍ୟ ପିଲା ଥିଲା। ଖୁବ୍ ଜ୍ଞାନ ତାର ସମସ୍ତ ବିଷୟରେ। କିନ୍ତୁ କାହିଁକି କେଜାଣି ପ୍ରତିଥର ଭାଗ୍ୟ ଦେବୀ ହୋଇଯାଉଥିଲେ ତାଉପରେ ଅସନ୍ତୁଷ୍ଟ। ସେ ହୋଇଯାଉଥିଲା ଅଯୋଗ୍ୟ ହେଲେ ତା ଛାତ୍ର ମାନେ ଥିଲେ ବିଦ୍ୟାଳୟ ରେ ପ୍ରଥମ ଆଉ ହେଉଥିଲେ ଉଚ୍ଚ ପ୍ରଶଂସିତ। ଜଣେ ଉତ୍ତମ ଟିଉସନ ସାର୍ ହିସାବରେ ରାଜଧାନୀ ର କିଛି ଅନ୍ଚଳରେ ଖୁବ୍ ନାଁ ଥିଲା ତାର। ସେହି ଟିଉସନ ରେ ନିଜର ପ୍ରତିପୋଷଣ ପରେ ଘରକୁ କିଛି ସାହାଯ୍ୟ କରୁଥିଲା ବିଭୂ। ବିଭୂ ର ସୁପାରିଶ ରେ ପଦିଆ ଆଉ କାହ୍ନା କୁ ମିଳିଥିଲା ଦୁଇଟି ଲେଖାଏଁ ଟିଉସନ ପିଲା। ଯେଉଁଥିରେ ସୁରୁଖୁରୁ ରେ ଚଳିଯାଉଥିଲା ପଦିଆ ଆଉ କାହ୍ନା ର ଖର୍ଚ୍ଚ। ବାକି ରହିଲା ପଦିଆ। ବାପା ତାର ଚାଷୀ। ବାପାଙ୍କର ଏକା ଜିଦ୍ ଚଷା ପୁଅ ଚାଷ କରିବନିତ କରିବ କଣ? କିନ୍ତୁ ସେଥିରେ ପଦିଆ ର ମନ ନଥିଲା। ତେଣୁ ମା ଠାରୁ ଅନୁମତି ନେଇ ସହରକୁ ଚାଲିଅସିଲା ଚାକିରି ଅନ୍ବେଷଣ ରେ। ଆସିଲା ବେଳେ ମା ତାର ହାତର ଦୁଇଟା ସୁନା ଚୁଡି ବିକି ଟଙ୍କା ବଢାଇଦେଲା ପଦିଆକୁ। ପଦିଆ ମନା କରିବାରୁ ମା ତାର କହିଲା" ବାପା! ତୁ ଚାକିରି ଟେ କଲେ ମୁଁ କେତେ ସୁନା ଚୁଡି ପିନ୍ଧିବି ରେ। ଏ ସୁନା ଚୁଡିଟା ମୋର କଣ ହେବ? ମୋ ସୁନା ଟା ପରା ଏ ଟଙ୍କା ରଖ"। ସେଦିନ ଲୁହ ଛଳଛଳ ଆଖିନେଇ ଟଙ୍କା ଧରି ରାଜଧାନୀ କୁ ଚାଲିଆସିଥିଲା ପଦିଆ ଚାକିରି ର ସନ୍ଧାନ ରେ। ଏହି ତିନି ବେସାହାରା ପ୍ରାଣୀ ବନିଯାଇଥିଲେ ପରସ୍ପର ର ସାହାରା।

          ଏହା ଭିତରେ ବିତିଯାଇଥିଲା କିଛି ବର୍ଷ। ଆଉ ଏହାରି ଭିତରେ ତିନି ବନ୍ଧୁ ଦେଖିସାରିଥିଲେ ଅସଫଳତା ର ଅନେକ ରୂପ। ପ୍ରତିଥର ର ଅସଫଳତା ପରେ ପୁଣି ଶକ୍ତି ଲଗାଇ ଦୁନିଆଁ ସହ ଲଢିବା ପାଇଁ ଅଣ୍ଟା ଭିଡୁଥିଲେ ତିନି ବନ୍ଧୁ । ଏକଦା ପରୀକ୍ଷା ପାଇଁ ତିନିଜଣ ଯାଉଥିଲେ ମାୟା ନଗରୀ ମୁମ୍ବାଇ ରେଲଵେ ପରୀକ୍ଷା ଦେବାପାଇଁ। ମନରେ ମୟାନଗରୀ ର ଅସୁମାରୀ ସ୍ବପ୍ନ। ସମସ୍ତେ କହୁଥିଲେ ଏଠାରେ ଚାକିରି ଟେ ମିଳିଗଲେ ଜୀବନ ପୂରା ରଙ୍ଗୀନ ହୋଇଉଠିବ। ଏହିପରି ଅନେକ କଥା ଗପିଗପି ସାଧାରଣ ବଗି ରେ ଯାତ୍ରା କରୁଥିଲେ ତିନି ପ୍ରାଣୀ। ହଠାତ୍ ଦେହ ଅସୁସ୍ଥ ହୋଇପଡିଲା କାହ୍ନା ର। ଆଉ ଉପାୟ ନପାଇ ବିଭୂ ଆଉ ପଦିଆ ଓହ୍ଲାଇବା ପାଇଁ ମନସ୍ଥ କଲେ। କିନ୍ତୁ କାହ୍ନା କହିଲା " ଭାଇ ମୋର ସମୟ ଅଛି ତୁମେ କିନ୍ତୁ ମୋ ପାଇଁ ଜୀବନ ର ଗୋଟିଏ ଯୁଦ୍ଧ ରୁ ପଳାତକ ହୁଅନି"। କାହ୍ନା ର ଏହି କଥା ଶୁଣି ଭାବ ବିହ୍ବଳ ହୋଇପଡିଲା ବିଭୂ। ଆଉ ଡେରି ନକରି ସିଧା ଯାଇ ସ୍ଲିପର ବଗି ରେ ଚଢିଗଲେ ତିନିଜଣ । ଏଠାରେ କହିବା ବାହୁଲ୍ୟ ଭାରତୀୟ ରେଳରେ ସାଧାରଣ ବଗି ରେ ଯାତ୍ରା ଟା ଏଭରେଷ୍ଟ ଆରୋହଣ ଠାରୁ କୌଣସି ଗୁଣ ରେ କମ୍ ନୁହେଁ। ଏହାଭିତରେ ଟିଟି ଆସି ପହନ୍ଚିପହ ଟିକଟ୍ ଚେକିଂ ପାଇଁ। ବିଭୂ ବଢାଇଦେଲା ଜେନେରାଲ ଟିକଟ୍ ତିନୋଟି। ମିନତୀ କରି କହିଲା" ସାର୍! ୟେ ମେରା ଛୋଟା ଭାଇକା ତବିୟତ୍ ଅଚାନକ୍ ଖରାବ୍ ହୋଗୟା। ୧୮ ଘଣ୍ଟା ଜେନେରାଲ୍ ମେଁ ବୈଠବୈଠ କର   ତବିୟତ୍ ଖରାବ୍ ହେ ଇସ୍କା। ବୁଖାର ଭି ହେ।ଆପ୍ ଖୁଦ୍ ଦେଖିଏ କ୍ୟା ହାଲତ ହୋଗଇ ହେ ଇସ୍କି। କୁଛ୍ ନେହିଁ ଆପ୍ ଆପ୍ ବସ୍ ପରମିଶନ୍ ଦେ ଦିଜିଏ ହମ୍ ୟହାଁ  ଇସ୍ ଲେଟ୍ରିନ୍ କେ ପାସ୍ ବୈଠ୍ କର ମୁମ୍ବାଇ ପହୁନ୍ଚଜାୟେଙ୍ଗେ। ଔର ଥୋଡି ଦୁରକି ତ ବାତ ହେ ସର୍। ଜାନେଦିଜିୟେ ନା"। ଏତେ ଗୁଡାଏ କଥା ବିଭୂ ଏକ ନିଶ୍ବାସରେ ବିକଳ ହୋଇ କହିଗଲା ଟିଟି କୁ। ବିଭୂ କଥା ଶୁଣି ଟିଟି ରାଗରେ ପଞ୍ଚମ ହୋଇ ଉଠିଲା। କହିଲା" ତୁମ୍ ଜୈସୋ କୋ ମେ ଆଚ୍ଛି ତରହ ସେ ଜାନ୍ତା ହୁଁ। ଚୋର୍ ଶାଲୋ ପୈସା ବଚାତେ ହୋ। ୧୦୦୦ ରୁପୟେ ଫାଇନ୍ ଦୋ। ବରନା ଐସି ହାଲତ୍ କରୁଙ୍ଗା ନାନୀ ୟାଦ୍ ଆଜାୟେଗି। ପୈସା ହେ ତୋ ଦୋ ବରନା ଉତ୍ରୋ ଶାଲୋଁ ଡବ୍ଲୁ ଟି ମାର୍ କେ ହ୍ୟାବିଟ୍ ହୋଗୟା ହେ ତୁମ୍ ଲୋଗୋଁ କୋ"। ଏତିକି କହି ବିଭୂ ଛାତିରେ ସେ ଅମଣିଷ ଟିଟି ଟା କଷିଦେଲା ଏକ ଶକ୍ତ ଧକ୍କା। ବିଭୂ ଯାଇ ପିଟି ହୋଇଗଲା ଟ୍ରେନ୍ ର ଲୁହା କବାଟରେ। ତଥାପି ବୁଭୂ ଗୋଡ ଧରି କହିଲା "ସାର୍ ! ଜାନେ ଦୋ ସାର୍ ରେଲ୍ୱେ କା ପରୀକ୍ଷା ହେ କଲ୍"। ଏହାଶୁଣି ଟିଟି କହିଲା " କୁଛ୍ ପାସ୍  ହେ ? କୋଟେ ମେଁ ଆତେ ହୋ କେ ନହିଁ?" ବିଭୂ କହିଲା" ସାର୍! କୋଟେ ବାଲେ ହୋତେ ତୋ ଜେନେରାଲ୍ ମେଁ କ୍ୟୋଁ ଜାତେ"? ଏହା ଶୁଣି ଟିଟି କହିଲା" ତବ ତୋ ମୁଶ୍କିଲ୍ ହେ। ଉତରୋ ଉତରୋ ତୁମ୍ ସବ୍ ୟହାଁ ଉତରୋ । ଜେନେରାଲ୍ ମେଁ ଜାନା ହେ ତୋ ଜାଓ ବରନା ଆପନା ରାସ୍ତା ଦେଖୋ"। ଏହାଶୁଣି ତିନି ବନ୍ଧୁ ଚୁପ୍ ଚାପ୍ ଟ୍ରେନ୍ ରୁ ଓହ୍ଲାଇ ପଡିଲେ। କାହ୍ନା ଦେଖିଲା ବିଭୁ ଭାଇ ର ଆଖିରେ ଲୁହ। ତା କାନ୍ଧରେ ହାତ ରଖିଦେଲା କାହ୍ନା। ହଠାତ୍ ଭୋଭୋ ହୋଇ କାନ୍ଦି ଉଠିଲା ବିଭୂ। କହିଲା" ଧୀକ୍ ରେ ଜୀବନ କେତେ ନିଷ୍ଠୁର ତୁ ହୋଇପାରୁ? ହେ ଭଗବାନ୍ ତୁ କଣ କିଛି ଜାଣିନୁ? ଆଉ କେତେ କଷ୍ଟ କେତେ ଅପମାନ ଦେବୁ? ମୋତେ ତୋ ପାଖକୁ ନେଇଯା ଆଉ ଲଢିବାକୁ ମୋର ବଳ ନାହିଁ"।   ଏତିକି କହି ସେ ଟ୍ରେନ୍ ଆଗକୁ ମାଡି ଯିବାକୁ ଉଦ୍ୟମ କରନ୍ତେ ପଦିଆ ଆଉ କାହ୍ନା ତା ହାତ ଟିକୁ ଟାଣି ଧରିଲେ। ତିନିଜଣଙ୍କ ଆଖିରେ ଲୁହ ର ବନ୍ୟା। ଯେଉଁ ବନ୍ୟା ମାଡିଆସିଥିଲା ସମାଜ ଠୁ ବହୁ ଦୂର ରେ ଆଉ ଖେଳେଇ ଦେଇଥିଲା ଏକ ନୀରବ ବିବଶତା। ଏହା  ଭିତରେ କାହ୍ନା ନିଜକୁ ପ୍ରସ୍ତୁତ କଲା ଯିବାପାଇଁ ମୁମ୍ବାଇ। ଆଉ ଥିଲା ୬ଘଣ୍ଟା ର ରାସ୍ତା। ସମସ୍ତ ଶକ୍ତି ଲଗାଇ କାହ୍ନା ଦୌଡିଲା ଆଉ କହିଲା" ଦୌଡ ସମସ୍ତେ ନଚେତ୍ ଏ ଶେଷ ଟ୍ରେନ୍ ଟା ହାତରୁ ଚାଲିଯିବ। ଆମେ ସମୟ ରେ ପହଞ୍ଚି ପାରିବୁନି"। କାହ୍ନା ର ଉତ୍ସାହ ଦେଖି ବିଭୂ ଆଉ ପଦିଆ ଦୌଡିଦୌଡି ଚଢିଗଲେ ଟ୍ରେନ ର ଜେନେରାଲ ବଗିରେ। ଆଉ ଲଢିଗଲେ ଆଉଗୋଟିଏ ଯୁଦ୍ଧ।

ଏହିପରି ଅନେକ ନିରାଶା ଆଉ ଆଶା ମଧ୍ୟ୍ ରେ ସଂଘର୍ଷ କରିଚାଲିଥିଲେ ତିନି ବନ୍ଧୁ । ଏହି କିଛି ବର୍ଷ ଭିତରେ କେତେଯେ ହାଇଦାସପିସ୍ ତିରୋରୀ ଆଉ ପାନିପଥ୍ ଯୁଦ୍ଧ ଲଢିଥିଲେ ସେମାନେ ତାର ହିସାବ ନାହିଁ। କାହିଁକିନା ସରକାରୀ ଚାକିରି ରେ ଯୋଗ୍ୟ ବିବେଚିତ ହେବା ମଧ୍ୟ କୌଣସି ପାନିପଥ ଯୁଦ୍ଧ ଠାରୁ କିଛି କମ୍ ନୁହେଁ।

ଏହିପରି ବର୍ଷ ପରେ ବର୍ଷ ପ୍ରତିଯୋଗିତା ପରେ ପ୍ରତିଯୋଗିତା ରେ ବାରମ୍ବାର ବିଫଳତାର ସ୍ବାଦ ଟା ଚାଖି ଚାଖି ହୃଦୟଟା ତାଙ୍କର ପାଷାଣ ପାଲଟିଯାଇଥିଲା। ଏମିତି ଏକ ସମୟରେ ହଠାତ୍ ଖବର ଆସିଲା ପଦିଆ ର ମା ଆଉ ଏଦୁନିଆଁ ରେ ନାହାନ୍ତି। ସଭିଁଙ୍କ ମନରେ ଭରିଗଲା ଉଦାସିନତା। କାନ୍ଦକାନ୍ଦ କଣ୍ଠରେ ପଦିଆ ର ସେ ଦିନ କଥା ଆଜି ବି କାହ୍ନା ର ମନେପଡିଯାଏ।  ପଦିଆ କହିଥିଲା" ମା ଲୋ! ତୁ ଚାଲିଗଲୁ। ଏ ପୁଅ ଟିକୁ ଛାଡି ଯାନା ଲୋ। ତୋର ଏ ନିକ୍କମା ପୁଅଟା ତୋ ହାତ ଟିକୁ ଖାଲି କରିଦେଲା। ଟିକିଏ ଜଗିଲୁନି ପୁଅ ତୋର ସରକାରୀ ଚାକିରି ଟେ ପାଇଥିଲେ ତୋପାଇଁ ସୁନା ବାହୁଟି ଦୁଇଟା କରିଥାନ୍ତା ଲୋ। ତୁ ଚାଲିଆ ମା ତୁ ଯୋଉଠିଅଛୁ ଚାଲିଆ,ଚାଲିଆ..."। କାହ୍ନା ଆଉ ବିଭୁ ଦୁହେଁ ନିର୍ବିକାର । କଣ କହି ଆଶ୍ବାସନା ଦେବେ ପଦିଆକୁ! ତରଳି ଯାଉଥିଲା ତିନୋଟି କଠିନ ହୃଦୟ  ରାଜଧାନୀର ସେ ଅଖୋଜା କୋଠରୀରେ। ରାଜଧାନୀ ର ଉଚ୍ଚ ଅଟ୍ଟହାସ୍ୟ ଆଉ ମୋହନୀୟ ଆଲୋକରେ ହଜିଯାଉଥିଲା ତିନି ବନ୍ଧୁଙ୍କ ଆର୍ତ୍ତ ଚିତ୍କାର।

       ସମୟ କିନ୍ତୁ ନିଜ ରାସ୍ତାରେ ଧାବମାନ। ଦିନେ   ସମୟ ଆସି ପହଞ୍ଚିଲା ଯେବେ ବିଭୂର ବୟସ ଆଉ ତାକୁ  ପ୍ରତିଯୋଗୀତା ଦୁନିଆଁ ରେ ରହିବା ପାଇଁ ଅନୁମତି ପ୍ରଦାନ କଲାନାହିଁ। ଏହିପରି ଏକ ସମୟରେ ବିଭୂ ର ସେଇଟା ଥିଲା ଶେଷ ପରୀକ୍ଷା ସରକାରୀ ଚାକିରି ପାଇଁ ସେହି ପ୍ରତିଯୋଗୀତା ଦୁନିଆଁ ରେ। ସେହି ପରୀକ୍ଷା ପାଇଁ ତିନିଜଣ ପୂର୍ଣ୍ଣ ପ୍ରସ୍ତୁତି ରେ ଲାଗିପଡିଥିଲେ । ଦିନ ରାତି ଏକ କରି ପରିଶ୍ରମ କଲେ ପରୀକ୍ଷା ରେ କିପରି କୃତକାର୍ଯ୍ୟ ହେବେ। ଇଚ୍ଛାଥିଲା ଏହିଥର ଏକ ସାଙ୍ଗରେ ତିନିଜଣ ପ୍ରତିଯୋଗିତା ବୈତରଣୀ ପାରି କରିବେ। ପରୀକ୍ଷା ସରିଲା ଆଉ ଫଳ ବି ଆସିଲା। ହେଲେ ସଫଳତା ଭିତରେବି କାହାରି ମନରେ ପ୍ରଶନ୍ନତା ନଥିଲା। କାହିଁକି ନା ତାଙ୍କର ବିଭୂ ଭାଈ ପୁନର୍ବାର ବିଫଳତା ର ଦ୍ବାର ରେ ଉପନୀତ ଥିଲା। ପାଗଳ ପରି ହୋଇ ଉଠିଲା ବିଭୂ। ହସି ହସି କହିଲା" ଏ ସାଙ୍ଗ ! ଚାକିରି ଆଉ ହେବନି ରେ। ମୋ ନାନୀ ଦୁଇଟା କେତେ ଆଶା କରି ପଡିରହିଛନ୍ତି ଭାଈ ତାଙ୍କର ସରକାରୀ ଚାକିରି କରିବ ଆଉ ଭଉଣୀଙ୍କୁ ଶାଶୂ ଘର କୁ ବିଦା ଦେବ। କଣ କରିବି ମୁଁ? କଣ କରିବି ମୁଁ"? ଏହା କହିକହି ଟଳ ଟଳ ହୋଇ ନିଜ ବେଡ ପାଖ କୁ ଚାଲିଗଲା ବିଭୂ। କାହ୍ନା ଆଉ ବଳିଆ ଦୁହେଁ ନିରୁତ୍ତର। ମୁଖରେ ହସ ନାହିଁ ମନରେ ଖୁସି ନାହିଁ ଆଉ ପେଟ ରେ ଭୋକ ନାହିଁ। ରାତି ଟା ସେମିତି କଟିଗଲା। ସକାଳ ହେଲା। ପ୍ରଥମ କିରଣ ପଡୁପଡୁ ଚିତ୍କାର କରି ଉଠିଲା ପଦିଆ। ସାଙ୍ଗେ ସାଙ୍ଗେ ଉଠିପଡିଲା କାହ୍ନା। ଏ କଣ ଥିଲା? ବେଡ ଖାଲି ଆଉ ତା ଉପରେ ରଖାଅଛି ଚିଠି ଟିଏ। ସେଥିରେ ଲେଖାଥିଲା 'ଏ ନିଷ୍ଠୁର ଦୁନିଆଁ ର କଟୁତା କୁ ସହିବାକୁ ମୋର ଆଉ ଶକ୍ତି ନାହିଁ।  ଯୌତୁକ ରୂପି ଦାନବ କବଳରୁ ମୋ ନାନୀଙ୍କୁ ରକ୍ଷା କରି ନପାରିଥିବାରୁ ମୁଁ ଜଣେ କାପୁରୁଷ। ବିଫଳତାର ଜ୍ବାଳା ରେ ଆଉ ବଞ୍ଚିବାକୁ ସୃହା ନାହିଁ। କ୍ଷମାଦେବ ମୋତେ। ତୁମର ବିଭୂ'।
ସେଦିନର ସକାଳ ଖବରକାଗଜରେ ବାହାରି ପଡିଲା ଆଉ ସକାଳୁ ସକାଳୁ ନ୍ୟୁଜ ରେ ପ୍ରସାରିତ ହେଲା ' ରାଜଧାନୀ ଉପକଣ୍ଠ ରେ ଅଜଣା ବ୍ୟକ୍ତି ର ରେଳ ସମ୍ମୁଖ କୁ ଆସି ଆତ୍ମହତ୍ୟା' ।  ଶରୀର ଥଣ୍ଡା ପଡିଗଲା କାହ୍ନା ଆଉ ପଦିଆର । ହେଲେ ନିୟତି ର ଏହି କୋଠର ସତ୍ୟ କୁ ତାଙ୍କୁ ସ୍ବୀକାର କରିବାକୁ ହିଁ ପଡିଲା।

ବିଭୂ ର ଅନ୍ତିମ ସଂସ୍କାର ତାର ଗାଁ ଅନନ୍ତପୁର ରେ ହେଲା। ସେଠାରେ ଉପସ୍ଥିତ ଥିଲେ କାହ୍ନା ଆଉ ପଦିଆ। ବିକଳ ବିଳାପ ର ପରିବେଶ ରେ ଥରିଉଠୁଥିଲା ଦୁହିଁଙ୍କ ହୃଦୟ। ଅଶ୍ରୁ ର ଗଙ୍ଗା ରେ ସେଦିନ ଅଭାବ ପଡିଗଲା ଜଳ ବିନ୍ଦୁ। ଏତିକି ବେଳେ ଗାଁ ପୋଷ୍ଟ ପିଅନ ଆସି ପହଞ୍ଚିଲା ବିଭୂ ଘରେ। ହେଲେ ସେଠାକାର ପରିବେଶ ଦେଖି ଯିବାକୁ ଉଦ୍ୟତ ହୁଅନ୍ତେ କାହ୍ନା ସମସ୍ତଙ୍କର ଅଗୋଚର ରେ ତା ପାଖରେ ଆସି ପହଞ୍ଚିଗଲା। ପଚାରିଲା 'କଣ କିଛି ଆଣିଛ?' ସେ କହିଲା "ହଁ! ବୁଭୂ ର କଣ ଗୋଟିଏ ଚିଠି ଆସିଛି"। ତରତର ହୋଇ ସେଇଟିକୁ ଖୋଲି ପକାଇଲା କାହ୍ନା।  ଆଉ ଦେଖିଦେଲାପରେ ସତେ ଯେପରି  ଆଖି ରେ ଶ୍ରାବଣ ର ବନ୍ୟା ଆସିଗଲା। ସେ ଲେଟର ରେ ଲେଖାଥିଲା " ୟୂ ଆର ପ୍ରୋଭିଜନାଲି ସିଲେକ୍ଟେଡ ଫର ଜୁନିୟର ଇଞିନିୟର (ସିଗ୍ନାଲ୍)',ଆର୍ ଆର୍ ବି ମୁମ୍ବାଇ"। ଦୀର୍ଘ ଦେଢ ବର୍ଷପରେ ଆସିଥିଲା ସଫଳତା ର ବାର୍ତ୍ତା। କିନ୍ତୁ ଶୁଣିବାକୁ କେହି ନାହିଁ। ସେଦିନ କାହ୍ନା ଉପଲବ୍ଧି କଲା ଜୀବନ ରେ ବେଳେବେଳେ ଏହିଭଳି ମୂଲ୍ୟହୀନ ସଫଳତା ବି ମିଳେ। ବାଃ ବାଃ ରେ ସମୟ କି ଖେଳ ତୋର। ତୋ ଖେଳ ରେ ହଜିଗଲା ଗୋଟିଏ ଜୀବନ। କାହ୍ନା ଆଉ ପଦିଆଙ୍କର କହିବାକୁ ଆଉ କିଛି ଉପାୟ ନଥିଲା। କାହ୍ନା ସେ ଚିଠି ଟିକୁ ନେଇ ଥୋଇଦେଲା ନିଶ୍ଚେତ ବିଭୂ ର ଛାତି ଉପରେ। ଯାହା ପାଇଁ ଜୀବନ ଟା ମୂଲ୍ୟହୀନ ହୋଇପଡିଲା ସେଇଟିକୁ ସାଥିରେ ନେଇ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଗଲା ବିଭୂକୃପା ଏ ଧରା ଧାମ ରୁ। ତା ଜୁଇ ନିଆଁ ଭିତରୁ କାହ୍ନା ଦେଖୁଥାଏ ତାର ଗୁରୁ ର ସେ ବିଷର୍ଣ୍ଣ ବଦନ ଆଉ କାନ ରେ ବାଜୁଥାଏ "ଏ ସାଙ୍ଗ ! ଦେଖ୍ ଚାକିରିଟା ହୋଇଗଲା ରେ"।

    ବୋଧହୁଏ ବିଭୂକୃପା ଉପରେ ବିଭୂଙ୍କର ଏତିକି ହିଁ କୃପା ଥିଲା। ହଠାତ୍ ଟ୍ରେନ ଛାଡିବାର ସିଗ୍ନାଲ୍ ମିଳିଗଲା। ମିଶ୍ର ବାବୁ ରେଳଧାରଣା ଉପରେ ଦୃଷ୍ଟି ନିକ୍ଷେପ କଲେ , ଆଉ ଆଖି ର ଦୁଇ ବୁନ୍ଦା ଅଶ୍ରୁ ଖସିପଡିଲା ତାଙ୍କ ଝାଳୁଆ ପାପୁଲି ଉପରେ  ॥

<<ଜ୍ୟୋତିରଞନ ସାହୁ>>