
ଦୂର ଦିଗ୍ ବଳୟେ ଅସ୍ତମିତ ରବି
ଧ୍ରୂମିୟ ଗୋଧୂଳି ଅଷ୍ଟମ ସ୍ବରେ
ଗାଏରେ ଗୋପାଳ ଧ୍ବନିତ ଛାଗଳ
ହୃଦୟେ ଅପୂର୍ବ ପୁଲକ ଭରେ ॥
କୋଳାହଳମୟ ସବୁ ବୃକ୍ଷରାଜି
ବନଉପବନେ ଗୁଞରେ ଧ୍ବନି
ଦୂଷିତ ରହିତ ବିହଙ୍ଗ ମହ୍ଲାରେ
କର୍ଣ୍ଣ ପାଏ ତୃପ୍ତି ସେ ଧ୍ବନି ଶୁଣି ॥
ଚଷାପୁଅ ପୁଣି ବାହୁଡେ ଘରକୁ
ସୁବର୍ଣ୍ଣ ଭଣ୍ଡାର କାନ୍ଧରେ ବୋହି
ବୁଝେନା ସଂସାର ମୂଲ ତା ସ୍ବେଦର
କଷଣ ଜାଣଇ ଏକାତା ମହୀ ॥
ଘର ଅଗଣାର ଚଉରା ମୂଳରେ
ବୃନ୍ଦାବତୀ ନାମେ ବାଜେରେ ଘଣ୍ଟ
କି ବଡ କି ଛୋଟ ସର୍ବେ ଏକତ୍ରିତ
ଶୁଣନ୍ତି ସଭିଏଁ ଶ୍ରୀଭାଗବତ ॥
ବଖାଣିଲି ଯାହା ପଲ୍ଳୀଦୃଶ୍ୟ ସବୁ
ହେଲାଣି ଅତୀତ ଧ୍ରୁମିତ ସ୍ମୃତି
ହୋଇଯିବ କାଳେ ସମୟ ପ୍ରଭାବେ
ଦୁର୍ବଳ ସ୍ମୃତି କୁ ଦୁର୍ବଳ ଦୃଷ୍ଟି ॥
ଆଜିର ସହର ମାୟା ସରୋବର
ପଦୁଅଁ ଆଶାରେ ପଙ୍କରେ ଲୋଟି
ସହରୀ ମଣିଷ ସୁଖ ଖୋଜିବୁଲେ
ବିତେରେ ଜୀବନ ଅର୍ଥ ସାଉଁଟି ॥
ଶାନ୍ତି ଖୋଜିବୁଲେ ସହରୀ ମଣିଷ
ବିତୁଛି ଜୀବନ ହରଷ ଦୁଃଖେ
ପଲ୍ଳୀବାସୀ ସର୍ବେ ହୁଅନ୍ତି ଭ୍ରମିତ
ଦୂରକୁ ସୁନ୍ଦର ପର୍ବତ ଦିଶେ ॥
ପଲ୍ଲୀଦୃଶ୍ୟ ଆଜି ସ୍ମୃତିର ପୃଷ୍ଠାରେ
ନୀତି ପରମ୍ପରା ଆଜି ବିସ୍ମୃତ
କସ୍ତୁରୀ ସନ୍ଧାନେ କସ୍ତୁରୀର ମୃଗ
ସମ ପଲ୍ଲୀବାସୀ ଭ୍ରମେ ଭ୍ରମିତ ॥
ସହରୀ ସଭ୍ୟତା ସ୍ପର୍ଶ ପାଇବାକୁ
ବ୍ୟାକୁଳ ସମସ୍ତ ପଲ୍ଲୀଜନ
ଦିନସେ ଆସିବ ଜଗତ ଝୁରିବ
ଫେରନ୍ତା କି ଥରେ ପଲ୍ଲୀ ଜୀବନ ॥
॥ ଜ୍ୟୋତିରଞନ ସାହୁ ॥
0 Comments