odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story

ବେଳେବେଳେ ମଜାରେ ମଜାରେ ଆମେ ଅନେକ କଥା କହିଥାଉ । ହେଲେ ଅନେକ ସମୟରେ ଏହି ମଜାରେ ମଜାରେ କହିଥିବା କଥା ଅନେକ ଗୁରୁତ୍ବ ବହନ କରିଥାଏ । କିଏ ବୁଝେ ଆଉ କିଏ ତାକୁ ମଜାରେ ଉଡାଇଦିଏ । ମଜା ମଜାରେ ଅନେକ ଗହନ କଥା କହିପାରିବା ଭଳି ବ୍ୟକ୍ତି ଏସଂସାରରେ ଖୁବ୍ କ୍ବଚିତ୍ ଦେଖିବାକୁ ମିଳନ୍ତି । ବରଜୁପୁର ବୋଲି ଗାଁଟିରେ ଅଛନ୍ତି ଜଣେ ସେହିଭଳି ବ୍ୟକ୍ତିତ୍ବର ଅଧିକାରୀ । ବୟସଟା ଏପର୍ଯ୍ୟନ୍ତ ଛଡାଇ ନେଇପାରିନାହିଁ ତାଙ୍କ ମୁହଁରୁ ହସ ଆଉ ସେହି କଥାକୁହା ହସପେଡିଟା । ତାଙ୍କ କଥା ଶୁଣିଲେ ଜମିଯାଏ ହସର ଆସର । ସିଏ ଆଉକେହି ନୁହେଁ ବରଜୁପୁର ଗାଁର ଫଗଳୁ ଜେଜେ । ନାଁଟା ହିଁ କହିଦିଏ ତାଙ୍କ ବ୍ୟକ୍ତିତ୍ବ । ଫଗଳୁ ଜେଜେକୁଂ ଏବେ ସତୁରୀ ଛୁଇଁଲାଣି । ପତ୍ନୀ ସଂକରୀ ଚାରି ବର୍ଷ ଆଗରୁ ତାଂକୁ ଜୀବନ ପଥରେ ଏକାଏକା ଛାଡି ଚାଲିଯାଇଛନ୍ତି ଅଫେରା ବାଟରେ । ଦୁଇ ପୁଅ ଭିତରୁ ଜଣେ ଆମେରିକା ଆଉ ଜଣେ ଦିଲ୍ଲୀରେ କରାଇନେଇଛନ୍ତି ନିଜନିଜର ଠିକଣା । ଝିଅ ଝୁମୁରୀ ଅଛି ବାଙ୍ଗାଲୁରୁରେ । ସ୍ବାମୀ ତାର ଜଣେ ସଫ୍ଟୱେର ଇଞିନିୟର । ସେଇଥିପାଇଁ ଗାଁ ଲୋକେ କହନ୍ତି " ଆରେ ଫଗଳୁ ବୁଢାର ଚିନ୍ତା କଣ ? ପୁଅ ଝିଅ ସମସ୍ତେ କୁଳକୁ ଲାଗିଯାଇଛନ୍ତି । ସେଇଥିପାଇଁ ବୁଢାର ହସ ବାହାରୁଛିନା... " ! ଲୋକତ ଆଜ୍ଞା କହିବେ । ତେବେ ଛାଡନ୍ତୁ ଲୋକଙ୍କ କଥା । ଏବେ ଯିବା କାହାଣୀର ଆଉ ଦୁଇ ଚରିତ୍ର ଉପରକୁ । ଜଣେ ମୁନା ଆଉ ଜଣେ କୁନା । ଦୁହେଁ ଦୁଇ ବନ୍ଧୁ । ସେମାନେ ଦୁହେଁ ମଧ୍ୟ ଚାକିରି କରନ୍ତି ଦୂର ଦେଶରେ । ପାଖାପାଖି ଦେଢ ବର୍ଷପରେ ଦୁଇ ବନ୍ଧୁ ଗାଁକୁ ଆସିଛନ୍ତି । ପରସ୍ପରକୁ ପାଖରେ ପାଇ ଦୁହେଁ ଥାଆନ୍ତି ଖୁବ୍ ଖୁସି । ଉପଭୋଗ କରିଚାଲିଛନ୍ତି ପ୍ରତିଟି ମୂହୁର୍ତ୍ତକୁ । ଏତିକିବେଳେ ଗାଁର ଗଉରା ସାହୁ ଖବର ଦେଲା " ଆରେ ! ତୁମ ଦୁଇଟାଙ୍କୁ ଫଗଳୁ ଜେଜେ ଖୋଜୁଛି । ସମୟ ବାହାର କରି ଟିକିଏ ବୁଲିଆସିବ । ବୁଢା ତୁମ ଦୁଇଟାକୁଂ ଦେଖିଲେ ଖୁବ୍ ଖୁସି ହୋଇଯିବ "। ଗଉରା ସାହୁ ପାଖରୁ ଏକଥା ଶୁଣି ଦୁହେଁ ପ୍ରସ୍ତୁତ ହୋଇଗଲେ ଆସନ୍ତାକାଲି ଫଗଳୁ ଜେଜେଙ୍କ ପାଖକୁଯିବାପାଇଁ ।
ଦିନ ଏଗାରଟା ସମୟରେ ଧୂ ଧୂ ଖରାବେଳଟାରେ ଦୁଇ ବନ୍ଧୁ ଯାଇପହନ୍ଚିଲେ ଫଗଳୁ ଜେଜେଙ୍କ ଘରେ । ଘରେ ପଶୁପଶୁ ତାଙ୍କର ବିରାଟ ପୁରଘରଟା ସେମାନଙ୍କୁ ପ୍ରତ୍ୟୟମାନ ହେଉଥାଏ ଠିକ୍ ଗାଁମୁଣ୍ଡ ବୁଢା ବରଗଛ ପାଖ ମଶାଣି ଭୂଇଁଟାପରି । ଚାରିଆଡେ ଖାଁ ଖାଁ ଆଉ ପ୍ରଚଣ୍ଡ ନିରବତା । ପରିବେଶଟା ଠିକ୍ ଜହ୍ନମାମୁଁର ବେତାଳ କଥା ପରି ଅନୁଭୂତି ଦେଉଥାଏ । ହଠାତ୍ ବିକ୍ରମ କାନ୍ଧରେ ବେତାଳକୁ ବୋହି ଆଣିବାପରି କାନ୍ଧରେ ନାଲି ଗାମୁଛା ଆଉ ହାତରେ କୋଦାଳଟା ଧରି ବାଡିପଟ କବାଟକୁ ଠେଲି ମାଡିଆସୁଥିଲେ ଫଗଳୁ ଜେଜେ । ସେତେବେଳେଯାଇ ଘରର ନିର୍ଜନତା ଭିତରେ ଦୁଇ ବନ୍ଧୁ ଠାବକଲେ ମଣିଷର ଉପସ୍ଥିତି । ଦୁର୍ବଳ ଦୃଷ୍ଟି ଶକ୍ତି ଭିତରେ କିନ୍ତୁ ମୁନା ଆଉ କୁନାକୁ ଦୂରରୁ ଠିକ୍ ଚିହ୍ନିଦେଲେ ଫଗଳୁ ଜେଜେ । ଜେଜେଙ୍କୁ ଦେଖୁ ଦେଖୁ ଦୁଇ ବନ୍ଧୁ ଦୌଡିଯାଇ ଗୋଡ ଛୁଇଁ ପ୍ରଣାମ କଲେ । ଆଶିଷର ଅମାପ ଅଦୃଶ୍ୟ ଧନ ଓଜାଡି ଦେଲେ ଫଗଳୁ ଜେଜେ ଦୁଇ ବନ୍ଧୁଙ୍କ ଉପରେ । ଦୁଇ ବନ୍ଧୁ ଦେଖିଲେ ଜେଜେଙ୍କର ଆଉ ପୂର୍ବ ଚମକ ନାହିଁ । ହସର ପେଡିରେ ଯେପରି ଚାବି ପଡିଯାଇଛି । ନଜର ଲାଗିଯାଇଛି ଫଗଳୁ ଜେଜେଙ୍କର ହସହସ ମୁହଁକୁ । ଦେହରୁ ନିଗିଡି ପଡୁଥିବା ଝାଳକୁ ଦେଖି ମୁନା ପଚାରିଲା " ଜେଜେ ! ଏତେ ଖରାରେ ତୁମେ ବାଡିପଟେ ଏ କୋଦାଳ ନେଇ କଣ କରୁଥିଲ " ? ତାର ପ୍ରଶ୍ନର ଉତ୍ତରରେ ହସିଦେଇ ଫଗଳୁ ଜେଜେ କହିଲେ " ଆରେ ନାତିଆ ! କଣ ଆଉ କରିବି ? ସେହି ଗଛ ଲଗାଉଥିଲି " । ଏହା ଶୁଣି କୁନା ପଚାରିଲା " କଣ ଜେଜେ ତିରିଶି ବର୍ଷ ତଳୁ ଗଛଲଗା ଚାଲିଛି ଯେ ଏପର୍ଯ୍ୟନ୍ତ ସରିଲାନି ? କଣ କରିବ ଆଉ ଏ ବୟସରେ ଗଛ ଲଗେଇ " ? ଏଥର ଟିକିଏ ଜୋରରେ ହସି ଫଗଳୁ ଜେଜେ କହିଲେ " ମନେ ଅଛି ଆଜିକୁ ଚବିଶି ବର୍ଷତଳେ ମୋତେ ସ୍କୁଲରୁ ଫେରିଲାବେଳେ ପଚାରିଥିଲୁ ଜେଜେ ଆମେ ଗଛ ଲଗାଇବା କାହାପାଇଁ ? ଆଉ ତା ଉତ୍ତରଟା ତୋବହିର ସେ ବୁଢା ଟା କଣ ଦେଇଥିଲା ଭୁଲିଗଲୁ ! ତୁ ନିଜେ ପରା ମୋତେ ପଢି ଶୁଣେଇଥିଲୁ " । ଏଥର ତିନିଜଣ ମିଶି ଖୁବ୍ ଜୋର ରେ ହସିଲେ । ସେତେବେଳେ ଫଗଳୁ ଜେଜେଙ୍କୁ ଦେଖି ଲାଗୁଥାଏ ସତେଯେପରି ଅନେକ ଦିନପରେ ସେ ଆଜି ହସୁଛନ୍ତି ! କଥାରେ କଥାରେ କେତେବେଳେ ବାଡି ଆମ୍ବ ଆଉ ପଣସ ଆଣି ଗଦାକରିଦେଲେ କୁନା ଆଉ ମୁନା ପାଇଁ । ଘରର ଦଉଡିଆ ଖଟରେ ତିନିଜଣ ବସି କଥାହେଉ ହେଉ ଫଗଳୁ ଜେଜେ ହଠାତ୍ କହିଲେ " ଆରେ ବୁଝିଲ ! ତୁମେ ଦୁହେଁ ମୋ ନାତିଆପରି । ଏବୁଢା ଜେଜେଟାର ଛୋଟ କଥାଟିଏ ରଖିବ " ! ଫଗଳୁ ଜେଜେଙ୍କର ଏପରି କଥାରେ ପରିବେଶଟା ହଠାତ୍ ଗମ୍ଭୀର ହୋଇଉଠିଲା । ଦୁଇ ବନ୍ଧୁ କହିଲେ " ହଁ ଜେଜେ । କଣ କଥା କୁହ ? ଆମେ ନିଶ୍ଚୟ ତୁମ କଥା ରଖିବୁ " । ଏଥର ଫଗଳୁ ଜେଜେ ଟିକିଏ ଉତ୍ସାହିତ ହୋଇକହିଲେ " କଥା କଣ କି ! ମୁଁ ଭାବୁଥିଲି ମୋର ତ ଜାଗା ଅନେକ ପଡିଛି । ଏଇଠି ଗୋଟିଏ ଅନାଥାଶ୍ରମ ଖୋଲିଥା'ନ୍ତି । ଏବେ ବୟସ ସାଥୀ ଦେଉନି । ତୁମେ ଦୁଇଜଣ ଯଦି ସାହାଯ୍ୟ କରନ୍ତ ତେବେ ମୋ ଇଚ୍ଛାଟା ପୁରଣ ହୁଅନ୍ତା " । ଫଗଳୁ ଜେଜେଙ୍କର ଏପରି କଥାଶୁଣି ଦୁହେଁ କହିଲେ " ହଁ ହଁ ଆମେ ନିଶ୍ଚୟ ସାହାଯ୍ୟ କରିବୁ । କିନ୍ତୁ କାହିଁକି ଜେଜେ ! ଏବୟସରେ କଣ ପାଇଁ ଏକଥା ଚିନ୍ତାକଲ "? ଏହାର ଉତ୍ତରରେ ଶୋକ ମିଶା ହସରେ ଫଗଳୁ ଜେଜେ କହିଲେ " ଆରେ ଏ ନାତିଆମାନେ ! ଏବୁଢାଟା ପାଚିଲା ପତରଟାରେ । କେତେବେଳେଯେ ପବନର ପାହାରରେ ଖସିପଡିବ ଜଣାନାହିଁ । ତୋ ସଂକରୀ ଜେଜେମା ମୋତେ ଛାଡି ଚାଲିଗଲା । ନା ପୁଅ ଆସିଲା ପାରିଲା ନା ତାର ମଲା ମୁହଁଟା ଦେଖିପାରିଲା ! ବଡ ଚାକିରି ବଡ ସହର ବଡ ଦରମା ହେଲେ ସବୁ ବଡ ଭିତରେ ମନ ଆଉ ହୃଦୟଟା କେତେବେଳେଯେ ଛୋଟ ହୋଇଗଲା ସେମାନଙ୍କର ମୁଁ ଜାଣିନାହିଁ । ଜଣେ ପୁଅ ମା'ର ଶବ ସତ୍କାର ଖର୍ଚ୍ଚଟା ପଠାଇଦେଲା । ଆଉ ଜଣେ ଆସିବା ପୂର୍ବରୁ ଯିବାର ଯୋଜନା କରିସାରିଥିଲା । ଜ୍ବାଇଁ ଙ୍କୁ ଝିଅ ମୋବାଇଲରେ ବୁଢୀର ମଲାଶରୀରଟାକୁ ଦେଖାଉଥିଲା । ତା ଶବ ଚାରିପାଖରେ ଘେରିଥିବା ଲୋକଗୁଡାକ କାହିଁକି କେଜାଣି ମୋତେ ଗୋଟିଏ ଗୋଟିଏ ଶାଗୁଣା ଭଳି ଦେଖାଯାଉଥିଲେ । ସତରେ ବାପା କେହି ଜଣକ ଆଖିରେ ମୁଁ ଦେଖୁନଥିଲି ବୁଢୀପାଇଁ ଦିଟୋପା ଲୁହ । ମୋ ନିଜର ରକ୍ତ ସମ୍ପର୍କଙ୍କ ଆଖିରେ ଯେତେବେଳେ ମୁଁ ଦେଖିପାରୁଥିଲି ମିଥ୍ୟା ଶୋକର ସତ୍ୟ ଅଭିନୟ ସେତେବେଳେ ମୁଁ ଅନ୍ୟଠାରୁ କଣ ଆଶା କରିବି ! ମଢ ଉଠିଲା କିନ୍ତୁ ଶୁଭିଲାନି କ୍ରନ୍ଦନର ସ୍ବର । ପୁଅ କହୁଥାଏ ଯେତେଶୀଘ୍ର ହେବ କାମଟା ସୁରୁଖୁରୁରେ ଉଠିଯାଉ । ସମୟ ନାହିଁ ମୋ ହାତରେ । ଝିଅ ଗୋପନରେ କହୁଥାଏ ମା'ର ଦେହରେ ଆଉ ଗହଣା ରହିଯାଇନାହିଁତ ! ଉଠେଇବା ପୂର୍ବରୁ ଭଲକି ଚେକ୍ କରି ମା'ରଶବ ଉଠେଇବ । ଏସବୁ ଭିତରେ ଧିକ୍କାର କରିଚାଲିଥାଏ ମୁଁ ନିଜକୁ ନିଜେ । ପ୍ରଶ୍ନ କରିଚାଲିଥାଏ ତାହେଲେ ମୋପାଇଁ କାନ୍ଦିବ କିଏ ? ମୁଁ ମଲାପରେ କିଏ ଝରାଇବେ ଆଉ ଲୁହ ମୋପାଇଁ ? ମୋର ତ ଲୋଡାନାହିଁ ଦିଟୋପା ଲୁହର ଅଭିନୟ । ମୁଁ ତ ଚାହୁଁନାହୁଁ ଧୂଳିର ଅସ୍ତରଣରେ ଆଚ୍ଛାଦିତ ଫୋଟୋଫ୍ରେମର କାରାଗାର ଭିତରେ ଦେଖାଯିବାକୁ । ମୋପରି ସାଧାରଣ ଲୋକଟିଏତ ଚାହେଁ ନିର୍ମଳ ହୃଦୟଟି ଭିତରେ ଛୋଟିଆ ଜାଗାଟିଏ ପାଇବାକୁ । ଚାହେଁ ସ୍ମୃତିର ଅଶ୍ରୁବନ୍ଧନରେ ମୃତ୍ୟୁପରେ ମଧ୍ୟ ବାନ୍ଧିହୋଇ ରହିବାକୁ " । ଫଗଳୁ ଜେଜେଙ୍କର ଏକଥା ଶୁଣି ଚୁପ୍ ଥାଆନ୍ତି କୁନା ଆଉ ମୁନା । ସେମାନଙ୍କର ନିରବତାକୁ ଦେଖି ଫଗଳୁ ଜେଜେ ହସିହସି କହିଲେ " କଣ କିରେ ! ଭାରି ଗମ୍ଭୀର ଜଣାପଡୁଛ ? ଆରେ ସେଦିନ ସିନା ତୁମ ସାହିତ୍ୟ ବହିର ସେ ବୁଢାଟା ସ୍ବାର୍ଥଶୂନ୍ୟ ଉତ୍ତରଟେ ଦେଇଥିଲା ଗଛ ଲଗାଇବା କାହା ପାଇଁ ପ୍ରଶ୍ନର ; କିନ୍ତୁ ଆଜି ଏବୁଢାଟା ଟିକିଏ ସ୍ବାର୍ଥପର ହୋଇଯାଇଛିରେ । ସ୍ବାର୍ଥପର ହୋଇଯାଇଛି ନିଜପାଇଁ , ଅଭିନୟ ଶୂନ୍ୟ ଲୁହ ଦି'ଟୋପା ପାଇଁ ଆଉସ୍ମୃତିର ରାଇଜରେ ଜାଗା ଟିକିଏ ପାଇଁ । ସେଇଥିପାଇଁ ଖୋଲୁବାକୁ ଚାହୁଁଛି ଅନାଥାଶ୍ରମଟିଏ । ନିଜ ରକ୍ତ ପାଇଁ ମୁଁ ସିନା ଅଦରକାରୀ ପାଲଟିଯାଇଛି ହେଲେ ମୋର ଆଜି ଇଚ୍ଛା ହେଉଛି ସେହି ଅନାଥ ମାନଙ୍କ ପାଇଁ ମୁଁ ପାଲଟିବି ସେମାନଙ୍କ ଦୁନିଆଁ । କିଛିନହେଲେ ସେହି ବାପା ମା ଛେଉଣ୍ଡ ପିଲାଗୁଡାତ ମୋତେ ମନେମନେ ଝୁରିବେ । ତାଙ୍କ ଆଖିରୁ ଝରୁଥିବା ଲୁହରେତ ଆଉ ଅଭିନୟର ଚିହ୍ନ ନଥିବ । ହାଃ ହାଃ ହାଃ ମୁଁତ ନିଶ୍ଚିତ ହୋଇମରିପାରିବି ଯେ ମୋପାଇଁ କେହିତ ଲୁହ ଝରାଇବେ । ଆଉ ନାତିଆମାନେ ମୋରତ ତିନିଟା ତିନିଟା ଥାଇ ଅବସ୍ଥା ଏମିତି । ତୁମେତ ସବୁ ଗୋଟିଏରେ ଥକିପଡିଲ । ଥରେ ଚିନ୍ତା କରିଛ କିଏ ଥିବ ବୁଢାକାଳରେ ତୁମପାଖରେ । ତୁମ ଅବସ୍ଥା ଆଉ ମୋପରି ନହେଉ । କୋକେଇ ବନ୍ଧା ହେଉଥିବ । କାନ୍ଦ ଶୁଭୁନଥିବ । ଶବ ମଶାଣି ମୁହାଁ ଥିବ କିନ୍ତୂ ପଛରେ ନିଜର କେହିନଥିବେ । ପୁଅ ଝିଅ ନାତି ନାତୁଣି ସବୁଥାଇ ମଧ୍ୟ ଲାଗୁଥିବ ଯେମିତି ଯାଉଛି କେହିଜଣେ ଅନାଥର ଶବ । ସେଇଥିପାଇଁ ମୁଁ ଚିନ୍ତା କରିଛି ଯେ ଯଦି ସମସ୍ତେ ଥାଇ ମୁଁ ଅନାଥ ତେବେ ସେହି ଅନାଥଙ୍କ ପାଇଁ ମୁଁ କାହିଁକି ସବୁକିଛି ନହୋଇଯିବି ? ମଲାବେଳକୁ ଶାନ୍ତିରେ ଆଖିତ ବୁଜିଥିବି ! ଶୁଣି ନପାରୁଥିଲେ ମଧ୍ୟ ମୋ ଶବଟାର କାନରେ ବିଚ୍ଛେଦର ସ୍ବରଟାତ ଗୁଞରୁଥିବ " ! ଅଭିମାନ ଭରା ଏକଥା ସବୁ କହୁକହୁ ଫଗଳୁ ଜେଜେ ହଠାତ୍ ନୀରବିଗଲେ । ଛଳଛଳ ଆଖି ଯୋଡିକୁ କାନ୍ଧରେ ପଡିଥିବା ନାଲି ଗାମୁଛାଟିରେ ପୋଛିବାକୁ ଲାଗିଲେ । ଫଗଳୁ ଜେଜେଙ୍କ କଥାଗୁଡା ଏହାଭିତରେ ଏତେଯେ ଗମ୍ଭୀର ହୋଇପଡିଥିବ ଏକଥା ଦୁଇବନ୍ଧୁ ସ୍ବପ୍ନରେବି ଭାବିନଥିଲେ । ଫଗଳୁ ଜେଜେଙ୍କ କଥାରେ ଆଉ ପୂର୍ବର ହାଲୁକାପଣ ନଥିଲା । କଥାଗୁଡା ଲାଗୁଥିଲା ଖୁବ୍ ଭାରୀ ଭାରୀ । ତାଙ୍କ କଥା ଶୁଣି ଦୁଇ ବନ୍ଧୁ ଚିନ୍ତାକରୁଥିଲେ' ସତେତ ! ଭବିଷ୍ୟତରେ ଆମେ ଆଉ ଭାବୁନଥିବାତ ଆମ ପାଇଁ ପୁଣି କାନ୍ଦିବ କିଏ ' ? ॥
॥ ଜ୍ୟୋତିରଞନ ସାହୁ ॥