odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story

ଆଜି ଅନେକ ଦିନପରେ କିଛି ଲେଖିବାକୁ ସମୟ ପାଇଛି । ଲେଖାଟା ନିହାତି ଭଲ ନହେଲେବି କିଛି ଖରାପ ମଧ୍ୟ ଲାଗିବନାହିଁ ବୋଲି ମୋର ଆଶା । ଏ କଥାଟି ରାଜୁ ବାବୁଙ୍କର । ଯାହା ତାଙ୍କ ସହ ଘଟିଯାଇଛି ଏହି କିଛିଦିନ ତଳେ । ସେଦିନ ରାଜୁ ବାବୁ ତାଙ୍କ ମା ଙ୍କୁ ନେଇ *** ହସ୍ପିଟାଲ ଯାଇଥିଲେ । ମା ତାଙ୍କର ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ନିଜ କାମ ନିଜେ କରିବାକୁ ସମର୍ଥ । କାହାରି ଉପରେ ନିର୍ଭର କରିବା ଭଳି ଅବସ୍ଥା ଏପର୍ଯ୍ୟନ୍ତ ତାଙ୍କର ଆସି ନାହିଁ । ହେଲେ ମଧ୍ୟ ଏହି କିଛିଦିନ ତଳେ ହଠାତ୍ କାହିଁକି କେଜାଣି ତାଙ୍କର ଶରୀର ଅସୁସ୍ଥ ହୋଇଉଠିଲା । ଘର ପାଖ ଡାକ୍ତର ଅସମର୍ଥ ହୋଇପଡିବାରୁ ବ୍ୟସ୍ତ ହୋଇ ରାଜୁ ବାବୁ ମା ଙ୍କୁ ନେଇ ଛୁଟିଗଲେ ରାଜଧାନୀ । ରାଜଧାନୀ ! ! ! ବଡ ସହର ବଡ ଲୋକ ବଡ ଡାକ୍ତରଖାନା ; ଆଉ ଏହିସବୁ ବଡ ବଡ ଭିତରେ କେଉଁଠି ହଜିଯାଉଛି ଛୋଟ ଛୋଟ ହୃଦୟ ସବୁ; ବଞ୍ଚିବାର ଛୋଟ ଛୋଟ ଆଶା ସବୁ । କିଛି ବୁଝିହେଉନଥିବ ବୋଧହୁଏ । ହେଉ ! ଏବେ ଯିବା କାହାଣୀ ଉପରକୁ । ସେଦିନ ରାଜୁ ବାବୁ ମା ଙ୍କୁ ନେଇ ପହଞ୍ଚିଲେ *** ହସ୍ପିଟାଲରେ । ଚାରିଆଡେ ଜନ ଗହଳି । ସମସ୍ତଙ୍କ ଭିତରେ ବଞ୍ଚିବାର ଦୁର୍ବାରଲାଳସା । ସେମାନଙ୍କୁ ଦେଖିଲେ ଲାଗୁଥାଏ କି ସତେ ଯେମିତି ଆଈମା କାହାଣୀର ସେହି ମାଙ୍କଡ ଟା ଏଇଠି କେଉଁଠି ନିକିତି ଧରି ବସିଛି ଆଉ ଅନେକ ମିଠାମିଠା କଥାଛଳରେ ବିଲେଇ ମାନଙ୍କର ପିଠାରୁ ପୁଳାପୁଳା ଖାଇଚାଲିଛି । ସେଦିନ ରାଜୁ ବାବୁ ଦେଖିପାରୁଥାଆନ୍ତି ଲୋକମାନଙ୍କର ଅସହାୟତାକୁ । ଆଉସେହି ଅସହାୟତାକୁ ଦେଖୁଦେଖୁ ପ୍ରଶ୍ନଚିହ୍ନ ଗୁଡା ସ୍ବତଃ ଆଙ୍କି ହୋଇଯାଉଥାଏ ପିଲାଦିନେ ମା ଙ୍କ ପାଖରୁ ପାଇଥିବା ସନାତନ ଧର୍ମର ନୀତିଶିକ୍ଷା ଗୁଡିକ ଉପରେ । ତର୍ଯ୍ୟମା କରୁଥାଆନ୍ତି ଆଜିର ସମୟକୁ ! ଏହାଭିତରେ କେତେବେଳେ ଯେ ସେବାଟା ବ୍ୟବସାୟ ର ମାନ୍ୟତା ପାଇଗଲା ସେହିକଥାଟା ଚିନ୍ତା କରୁକରୁ ହଠାତ୍ ରାଜୁବାବୁଙ୍କର ନଜର ପଡିଗଲା ଦୁଇଟି ଚେୟାର ସେପାଖରେ ବସିଥିବା ୫୦/୫୫ବର୍ଷର ଜଣେ ବ୍ୟକ୍ତିଙ୍କ ଉପରେ । କେମିତି କେଜାଣି ରାଜୁବାବୁ ସତେଯେପରି ଦେଖିପାରିଲେ ସେ ଲୋକଟିର ଅଦେଖା ଲୁହଗୁଡା । ଚିନ୍ତାରେ ଜଡସଡ ତାଙ୍କ ମନଟା ଭିତରେ ଲୁଚିରହିଥିବା ହୃଦୟର ଅପଢା ଦୁଃଖସବୁକୁ ପଢିବା ପାଇଁ କିଛିଟା ନିକଟକୁ ଚାଲିଗଲେ ରାଜୁବାବୁ ସେହି ଅଜଣା ଲୋକଟିର । ମନର ବେଦନା ଆଗରେ ଭାଙ୍ଗିଗଲା ନିରବତା ; ଲୁଚିଗଲା ପର ଆପଣାର ସେହି ମିଥ୍ୟା ସଂଜ୍ଞାଟା । କିଛିଟା ସମୟ ଦୁହିଁଙ୍କୁ ବନ୍ଧିପକାଇଲା ଗୋଟେ ଅବୁଝା ସମ୍ପର୍କରେ । କଥା ହେଉହେଉ ଲୋକ ଜଣକ ବଖାଣି ବସିଲେ ନିଜ ହୃଦୟର ବ୍ୟଥା ରାଜୁବାବୁଙ୍କ ସମ୍ମୁଖରେ । ନିଜର ପରିଚୟଟା ରାଜୁବାବୁଙ୍କର ପରିଚୟର ପାଖାପାଖି । ମାନେ ହେଲା ଲୋକ ଜଣକ ଜଣେ ନିମ୍ନ ମଧ୍ୟବିତ୍ତ ପରିବାର ର ସ୍ବଳ୍ପ ଆୟକାରୀ । ପ୍ରକୃତରେ ଏହି ପରିଚୟଧାରୀ ସମାଜିକ ଶ୍ରେଣୀଟା ସତେଯେପରି ଦୁନିଆଁ ଦାଣ୍ଡରେ ଅନାଥ । ଏମାନେ ଏ ସମାଜର ଏଭଳି ଏକ ଶ୍ରେଣୀ ଯାହାଙ୍କ ପାଖରେ ନା ଥାଏ ବିପିଏଲ୍ କାର୍ଡ ନା ଏପିଏଲ୍ ର ଦମ୍ଭ ; ନା ଅର୍ଥର କୁବେର ଏମାନେ ନା ମନ୍ଦିର ପିଣ୍ଡାର ଭିକ୍ଷୁକ ଏମାନେ ; ନା ହୃଦୟରେ ସାହସ ଅଛି ନା ଭୀରୁତାର ପରିପ୍ରକାଶକ ଏମାନେ । ଏମାନେତ କେବଳ ସ୍ବପ୍ନ ଦେଖି ଜାଣନ୍ତି ; ଜୀବନ ସହ ନିରବଚ୍ଛିନ୍ନ ଭାବେ ସଂଘର୍ଷ କରିଜାଣନ୍ତି; ହସିବା ଆଗରୁ କାନ୍ଦିବାର ଯନ୍ତ୍ରଣା କୁ ଅନୁଭବ କରନ୍ତି । ଏହିପରି ଏକ ସାମାଜିକ ଶ୍ରେଣୀରୁ ଆସିଥିବା ସେହି ବ୍ୟକ୍ତି ଜଣକ ରାଜୁ ବାବୁଙ୍କୁ କହିଲେ " ବୁଝିଲେ ଆଜ୍ଞା ! ମା' ମୋର *** ରୋଗରେ ପୀଡିତ । ଡାକ୍ତର କହୁଛନ୍ତି ଖୁବ୍ ଶୀଘ୍ର ଅପରେସନ ଦରକାର । ସାତ ଆଠ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । କେଉଁଠୁ ଆଣିବି ଏତେ ଟଙ୍କା ! ଚାରିଆଡେ ଖାଲି ଅନ୍ଧାର ଦିଶୁଛି । ମା' ଟା ମୋର ଭଲହେବ ବୋଲି ଦୌଡିଆସିଥିଲି ଯେ ; ହେଲେ ମୋର ଆର୍ଥିକ ଅବସ୍ଥାଟା ମୋତେ ଉପହାସ କରିଦେଲା । ଭଲ ଡାକ୍ତର ପାଖରେ ଦେଖାଇ ମା' ଙ୍କୁ ଭଲ କରିଦେବି ବୋଲି ଭାବିଥିଲି । ହେଲେ ଏ ଛୋଟ ହୃଦୟଧାରୀ ଡାକ୍ତରଗୁଡା ମୋ ମା'ର କି ଚିକିତ୍ସା କରିବେ ! ଶାଗୁଣାମାନେ ବି ମଡା ଛାଡିଦେବେ କିନ୍ତୁ ଏମାନେତ ମଡା ଦେହରୁ ବି ରକ୍ତ ଶୋଷିନେବେ । ଆଜ୍ଞା ! ମୁଁ ବହୁତ ଅସହାୟ ହୋଇପଡିଛି । କଣ କରିବି ? ଆମ ଘର ପାଖରେ କିଣିଥିବା ଦଶ ଡେସିମିଲ ଜାଗାଟା ବିକିଦେବି ବୋଲି ଭାବୁଥିଲି । ହେଲେ ମୋ ପତ୍ନୀ କହିଲେ 'ସେତିକିତ ଆମର ସମ୍ବଳ । ଆଗକୁ ଝିଅ ବାହାଘର ପୁଣି ପୁଅଟା ବେକାର । ମା' ତ ପାଚିଲା ପତର କିନ୍ତୁ ଆମ ପୁଅ ଝିଅଙ୍କରତ ଭବିଷ୍ୟତ ଅଛି ' । ତା କଥାରେ ମଧ୍ୟ ଯଥାର୍ଥତା ଅଛି । କଣ କରିବି ? କେମିତି ଭଲ କରିବି ମା'ଙ୍କୁ " ? ସେହି ଲୋକଟିର କଥାରେ ବାରି ହୋଇପଡୁଥିଲା ଅସହାୟତା । ତାଙ୍କ କଥା ଶୁଣି ରାଜୁ ବାବୁ କହିଲେ " ଦେଖ ! ଅନ୍ୟ କିଛି ଉପାୟ ଯଦି ମିଳିପାରେ " ! ହଠାତ୍ ଛୋଟ ପିଲାଙ୍କପରି କାନ୍ଦିବାକୁ ଲାଗିଲେ ବ୍ୟକ୍ତି ଜଣକ । ଆଉ କାନ୍ଦିକାନ୍ଦି କହୁଥାନ୍ତି " କେମିତି ଏତେ ସ୍ବାର୍ଥପର ମୁଁ ହୋଇଯିବି ? ମୋର ରୋଜଗାର ନଥିଲାବେଳେ ଏଇ ମା ଦିନେ ମୋ ପିଠିରେ ଥାପୁଡାଇ କହିଥିଲା ଆରେ ବା ! ଜମାରୁ ବ୍ୟସ୍ତ ହୋନା । ମୁଁ ପରା ବଞ୍ଚିଛି । ତୁ ନିଜ ଗୋଡରେ ନିଜେ ଛିଡା ନହୋଇପାରିଲେ ତୋର ଏ ମା'ଟା ତୋ ବୋଝ ମୁଣ୍ଡାଇବାର ବଳ ରଖିଛିରେ ! କିଛି ନହେଲେ ମୁଁ ବଞ୍ଚିଥିବା ଯାଏ ତୋତେ ପୋଷିବି । ଆଉ ମୁଁ ... " ! ଏତିକି କହୁକହୁ ସେ ବ୍ୟକ୍ତି ଜଣକ ଚେୟାରରୁ ଉଠି ଡାକ୍ତରଖାନାର ଏକ ଵାର୍ଡ ଭିତରକୁ ଚାଲିଗଲେ । ତାଙ୍କ କାନ୍ଦଟା ରାଜୁ ବାବୁଙ୍କ ମନକୁ ଆନ୍ଦୋଳିତ କରିଦେଲା । ଆଉ ସ୍ଥିର ହୋଇ ବସିପାରିଲେନି ସିଏ । ଚାଲିଗଲେ ନିଜ ଵାର୍ଡକୁ ।
ଏ ଘଟଣାର ଦୁଇଦିନ ପରେ ହଠାତ୍ କାଉଣ୍ଟର ପାଖରେ ଦେଖାହେଲେ ସେହି ବ୍ୟକ୍ତି ଜଣକ । ସାଙ୍ଗରେ ଥିଲେ ତାଙ୍କର ପତ୍ନୀ ଆଉ ମା । ହେଲେ ଖୁବ୍ ଅଦ୍ଭୁତ ଥିଲା ତାଙ୍କର ବ୍ୟବହାର । ରାଜୁ ବାବୁଙ୍କୁ ନଦେଖିଲା ନଚିହ୍ନିଲା ପରି ଆଗକୁ ମାଡିଯାଉଥିଲେ ସିଏ । ଠିକ୍ ଜଣେ ଅପରାଧୀ ପରି । ତାଙ୍କର ଏତାଦୃଶ ବ୍ୟବହାର ଦେଖି ରାଜୁବାବୁ ତାଙ୍କୁ ଡାକିବାଟା ଆଉ ଉଚିତ୍ ମନେକଲେନାହିଁ । ହେଲେ ରାଜୁବାବୁ ସେ ବ୍ୟକ୍ତି ଜଣକ ତାଙ୍କ ମା'ଙ୍କୁ କହୁଥିବାର ଶୁଣିଲେ " ଆରେ ! ତୋର କିଛି ହୋଇନି । ତୁ ଘରକୁ ଗଲେ ଶୀଘ୍ର ଭଲ ହୋଇଯିବୁ " । ତାଙ୍କ କଥା ଶୁଣି ମା ତାଙ୍କର କହୁଥାଆନ୍ତି " ହଁ ହଁ ବା ! ତୁ ମୋତେ ଶୀଘ୍ର ଘରକୁ ନେଇଗଲୁ ! ମୁଁ ସେଇଠି ଭଲ ହୋଇଯିବି । ଏଇଠି ରହିଲେ ମୁଁ ଆହୁରି ଶୀଘ୍ର ମରିଯିବି " । ସେହି ସମୟରେ ସେହି ବ୍ୟକ୍ତିଙ୍କ ମୋବାଇଲକୁ କେହିଜଣେ ଫୋନ୍ କଲେ । ଉତ୍ତରରେ ବ୍ୟକ୍ତି ଜଣକ କହିଲେ " ନା ନା ! ମା' ର ସେମିତି କିଛି ହୋଇନି । ସେ ମେଡିସିନ୍ ଖାଇ ରେଷ୍ଟ ନେଲେ ଶୀଘ୍ର ଭଲହୋଇଯିବ " । ସେମିତି କଥା ହେଉହେଉ ବ୍ୟକ୍ତି ଜଣକ ହସ୍ପିଟାଲ ଛାଡିଦେଲେ । ତାଙ୍କର ଯିବା ବାଟକୁ ନିର୍ବାକ ହୋଇ ଚାହିଁଥାଆନ୍ତି ରାଜୁ ବାବୁ । ହଠାତ୍ ପାଖରେ ଛିଡା ହୋଇଥିବା ରାଜୁବାବୁଙ୍କର ଛଅ ବର୍ଷର ସାନ ଝିଅ ପାଟିକରି ପଚାରିଲା " ବାପା ! ସେଇଠି କଣ ଲେଖା ହୋଇଛି " ? ରାଜୁବାବୁ ହସିଦେଇ କହିଲେ " ଷ୍ଟାଣ୍ଡ ଇନ୍ କ୍ଯୁ " । ଝିଅ ପଚାରିଲା "କ୍ଯୁ ମାନେ "? ରାଜୁବାବୁ କହିଲେ " କ୍ଯୁ ମାନେ ଧାଡି ମାନେ ଲାଇନ୍ " । ଝିଅ ଏ ଉତ୍ତରରେ ସନ୍ତୁଷ୍ଟ ନହୋଇ କହିଲା " କ୍ଯୁ ଫର୍ କ୍ବେଶ୍ଚେନ୍ ମାନେ ପ୍ରଶ୍ନ । ବାପା ! ହେଇ ଦେଖ! ଦେଖୁନ କ୍ଯୁ " । ଏହାପରେ ରାଜୁ ବାବୁ ଝିଅ ବଢାଇଥିବା ଆଙ୍ଗୁଳି ଦିଗକୁ ଦୃଷ୍ଟି ବୁଲାଇଲେ । ଦେଖିଲେ କ୍ଯୁ ରେ ଛିଡା ହୋଇଛନ୍ତି ଜଣେ ବୃଦ୍ଧ । ଆଖିରେ ଯନ୍ତ୍ରଣାର ଚିହ୍ନ । ଆଉ ତାଙ୍କ ଶରୀର !!! ଶରୀରଟା ଗୋଟିଏ କ୍ଯୁ ମାନେ ପ୍ରଶ୍ନ ଚିହ୍ନପରି । କିଛି ସମୟ ସେ ବୃଦ୍ଧକୁଂ ଦେଖିଲାପରେ ଝିଅକୁ ଧରି ଵାର୍ଡ ଭିତରକୁ ଚାଲିଗଲେ ରାଜୁ ବାବୁ ଆଉ ମନେମନେ ଭାବୁଥାନ୍ତି ' କେମିତି ସମ୍ପର୍କଟା ଏତେ ସ୍ବାର୍ଥପର ହୋଇଯାଇପାରେ !! କେମିତି ସମ୍ପର୍କ ଟା ପକେଟ୍ ଆଉ ପରିସ୍ଥିତି ର ଦାସ ହୋଇ ଯାଇପାରେ !! ତେବେ ସତରେ କଣ ଆମ ଭଳି ଲୋକଙ୍କ ପାଇଁ ବାର୍ଦ୍ଧକ୍ୟଟା ବିରାଟ ଏକ କ୍ୟୁ ମାନେ ପ୍ରଶ୍ନ ଚିହ୍ନ " ? ? ? ॥
॥ ଜ୍ୟୋତିରଞନ ସାହୁ ॥