odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story

ଖୁବ୍ କାର୍ଯ୍ୟ ବ୍ୟସ୍ତ ଥାଆନ୍ତି ସାହୁବାବୁ । ବର୍ଷ ଶେଷ ହୋଇଆସିଲାଣି ତ ତେଣୁ ୱାର୍କ ଲୋଡ ବହୁତ ଅଧିକ । ନିଶ୍ବାସ ମାରିବାକୁ ଫୁରସତ୍ ନାହିଁ । କଣ କରିବେ ! ବାପା କହୁଥିଲେ 'ଧନରେ ସି.ଟି. କରି ମାଷ୍ଟର ଚାକିରିଟିଏ କର । ବୁଢା କାଳରେ ପାଖରେ ତୋତେ ଦେଖିତ ଟିକେ ପାରିବା '। କିନ୍ତୁ ସେତେବେଳେ ତାଙ୍କ କଥାଗୁଡା ସାହୁବାବୁଙ୍କୁ ଖାଲି ପିତା ପିତା ଲାଗୁଥିଲା । ସବୁ ପିଲା ଇଞିନିୟରିଂ କରୁଛନ୍ତି । ସେ ନକଲେ ତାଙ୍କୁ ସବୁ ଛି ଛି କରିବେନି ! ତାପରେ ପୁଣି ତାଙ୍କର ପ୍ରେମିକା ଆଉ ଏବେ ର ପତ୍ନୀ ଚାରୁଲତା ଓରଫ୍ ଚାରୁ ମଧ୍ୟ ଇଞିନିୟରିଂ କରୁଛନ୍ତି । ତେଣୁ ଯାହାହେଉ ସେ ଇଞିନିୟରିଂ କରିବେ ହିଁ କରିବେ । ଆଉ ତାଙ୍କର ଜିଦ୍ ମଧ୍ୟ ପୁରଣ କରଥିଲେ ବାପା । ଉଭୟ ଚାରୁ ମ୍ୟାଡାମ ଏବଂ ସାହୁବାବୁ ବର୍ତ୍ତମାନ ଗୋଟିଏ ମଲ୍ଟିନେସନାଲ କମ୍ପାନୀ ରେ ଉଚ୍ଚପଦସ୍ଥ ଅଫିସର ।
ଆଜିର କାର୍ଯ୍ୟବ୍ୟସ୍ତତା ଭିତରେ ହଠାତ୍ ସାହୁ ବାବୁଙ୍କ ମୋବାଇଲ କୁ କଲ୍ ଆସିଲା । ତରତର ହୋଇ ସାହୁବାବୁ କଲ୍ ରିସିଭ୍ କଲେ । ସେପଟୁ କାନ୍ଦକାନ୍ଦ ସ୍ବରଟେ ଭାସି ଆସିଲା । ସାହୁବାବୁ ରୁକ୍ଷ ଗଳାରେ ପଚାରିଲେ " କଣ ହେଲା ? କାନ୍ଦୁଛ କାହିଁକି "? " ବାବାରେ ! ମା ଦେହ ଜମାରୁ ଭଲ ନାହିଁ । ତୋତେ ନାତି ଟୋକା ବୋହୂଙ୍କୁ ଦେଖିବ ବୋଲି ସିଏ ଭାରି ଇଚ୍ଛା କରୁଛି । ତୁମେ ଶୀଘ୍ର ଟିକଏ ଆସିଲେ ହୁଅନ୍ତାନାହିଁ ! ବିଚାରୀ ଟା ତୋତେ ଟିକେ ଦେଖିବ ବୋଲି ଭାରି ଛଟପଟ ହେଉଛିରେ । ଦୁଇ ବର୍ଷ ହେଲାଣି ତୋ ବାଟ କୁ ମା ତୋର ଚାହିଁବସିଛି । ବାବା ସମୟ ବାହାର କରି ଟିକିଏ ଆ " କହି ନୀରବ ରହିଲେ ସାହୁ ବାବୁଙ୍କ ବାପା । ଏହା ଶୁଣି ସାହୁବାବୁ କହିଲେ " ବାବା ! ମା ନବୁଝିଲା ନାହିଁ । ତୁମେତ ବୁଝ ! କାମ ଲୋଡ ବହୁତ । ଛୁଟିମିଳିବା ବି ମୁସ୍କିଲ । ମା କୁ କୁହ ପିଲାଙ୍କ ଭଳି ହେଉନି । ପରିସ୍ଥିତି ବୁଝିବାକୁ ଚେଷ୍ଟା କରୁ । ମୋ କ୍ୟାରିୟର ଏବେ ପୁରା ପିକ୍ ରେ ଅଛି । ମୋ ପାଖରେ ଆଦୌ ସମୟ ନାହିଁ । ତାର ଟ୍ରିଟମେଣ୍ଟ ପାଇଁ ଯାହା ଖର୍ଚ୍ଚ ହେବ କୁହ ମୁଁ ପଠାଇଦେଉଛି । ରାତିରେ ଘରକୁ ଗଲେ ଭିଡିଓ କନ୍ଫରେନସିଂ କରି ମା ସହ କଥାହୋଇଯିବା "। ଏତିକି କହି ଫୋନ ଟିକୁ ଡିସକନେକ୍ଟ କରିଦେଲେ ସାହୁବାବୁ । ଏପଟେ ସାହୁବାବୁଙ୍କ ମା ସାହୁବାବୁଙ୍କ ବାପା ଙ୍କୁ ପଚାରିଲେ " କଣ କହିଲା ? ବାବା ମୋର ଆସିବ ନା ! ମୁଁ ଜାଣେ ମା ଦେହ ଖରାପ ଜାଣି ସେ ନିଶ୍ଚୟ ଆସିବ "। ଏହା ଶୁଣି ସାହୁବାବୁଙ୍କ ବାପା କହିଲେ " ବୁଝିଲ ଶ୍ରାବଣୀ ! ଆମ ପୁଅ କଣ ମୋ ପରି ମାଷ୍ଟ୍ରିଆ ଚାକିରି କରିଛି ! କେତେବଡ କମ୍ପାନୀରେ କେତେ ପଇସା ପାଉଛି । କହିଛି ତୁମ ଭଲ ହେବାପାଇଁ ଯେତେ ପଇସା ଦରକାର ସେ ପଠେଇଦେବ "। ଏହାପରେ ରାତି ରେ ଘରେ ପହଞ୍ଚି ସାହୁବାବୁ ଚାରୁଙ୍କୁ ସବୁ କଥା କହିଲେ । ଭିଡିଓ କନ୍ଫରେନ୍ସିଂ କରି ମା ସହ କଥା ହେଲେ ପୁରା ପରିବାର । କଥାରେ କଥାରେ ଚାରୁ ମ୍ୟାଡାମ୍ ଶାଶୁ ମା'ଙ୍କୁ କହିଲେ " ମା ! ସ୍ବୟମ୍ ର ପରୀକ୍ଷା ହେବ ଆର ମାସ । ଆପଣ ତ ଜାଣନ୍ତି କେତେ ଟଫ୍ କମ୍ପିଟିସନ । ତା ଉପରେ ଅଫିସ୍ ର ୱାର୍କ ଲୋଡ । ସମୟ ମିଳୁନାହିଁ ଯିବାପାଇଁ । ଭାବିଛୁ ଏଇ ଥର ସ୍ବୟମ୍ ର ଏକ୍ସଜାମ ପରେ ଘର କୁ ଯାଇବୁଲିଆସିବା "। ଏସବୁ କଥା ଶୁଣି ବାପା ମା ଦୁହେଁ ଚୁପ୍ ରହିଲେ ।
ଏହାପରେ ବିତିଗଲା କିଛି ଦିନ । ଦିନେ ଅଫିସ୍ ରୁ ଥକି ଘରେ ପହଞ୍ଚିଲେ ସାହୁବାବୁ । କୌଣସି ଗୋଟିଏ କଥା ନେଇ ମନମାଳିନ୍ୟ ହୋଇଗଲା ସ୍ବାମୀ ଆଉ ସ୍ତ୍ରୀଙ୍କ ମଧ୍ୟରେ । ଉତ୍କ୍ଷିପ୍ତ ହୋଇ ସାହୁବାବୁ ହାତ ଉଠାଇଦେଲେ ଚାରୁମ୍ୟାଡାମ କଂ ଉପରକୁ । ଏତିକିବେଳେ କେଉଁଠି ଥିଲା ସ୍ବୟଂ କେଜାଣି ଦଉଡିଆସି କୁଣ୍ଢାଇଧରିଲା ମା ଚାରୁ କୁଂ । କାନ୍ଦିକାନ୍ଦି କହୁଥାଏ " ମମି କୁ ପିଟନି ମମି କୁ ପିଟନି "। ଉଠିଥିବା ହାତ ଟା ସ୍ବତଃ ଫେରିଆସିଲା ସାହୁବାବୁଙ୍କର । ଆଖି ଆଗରେ ନାଚିଉଠିଲା ପିଲାଦିନ ର ସେହି ଘଟଣା ।
ସେଦିନ ସାହୁବାବୁଙ୍କ ବାପା ସାହୁବାବୁଙ୍କ ଖରାପ ରେଜଲ୍ଟ ପାଇଁ ଖୁବ୍ ପିଟାମରା କରୁଥିଲେ । ମା ତାଙ୍କର ବାଡିପଟେ ଲୁଗା ଶୁଖାଉଥିଲେ । ସାହୁବାବୁଙ୍କ ପାଟି ଶୁଣି ସବୁଛାଡି ଦେଇ ଦଉଡିଆସିଲେ । ତାଙ୍କୁ ବାପାଙ୍କ ପାଖରୁ ଛଡାଇ ନେଇ କୋଳେଇ ଧରିଲେ । ଏହା ଦେଖି ସାହୁବାବୁଙ୍କ ମା ଙ୍କ ଉପରେ ବାପା ତାଙ୍କର ପ୍ରଚଣ୍ଡ ରାଗିଯାଇ କହିଲେ " ତୁମର ଗେହ୍ଲା ପାଇଁ ପିଲା ଟା ନଷ୍ଟ ହୋଇଗଲାଣି"। ଏହା କହି ଦୁଇ ପାହାର ତାଙ୍କ ପତ୍ନୀ ଅର୍ଥାତ ସାହୁବାବୁକଂ ମା'ଙ୍କ ଉପରେକଷିଦେଲେ । ମା ର କାନ୍ଦ ଦେଖି ଜାବୁଡିଧରିଲେ ସାହୁବାବୁ ତାଙ୍କ ମା କୁ । ଆଉ ଲୁହ ଭିଜା ଆଖିରେ କହିଲେ " ବାପା ମୋତେ ପିଟ । ମା କୁ ପିଟନି । ମୁଁ ଏଥର ଭଲ ପଢିବି "। ସେତେବେଳେ ବାପା ତାଙ୍କର କହିଥିଲେ " ହେଉ ହେଉ ରେ ପୁଅ ଦେଖିବା ବଡ ହେଲେ କେତେ ମା ପ୍ରେମ ରହୁଛି "? ପୁଅ କୁ ପାଖକୁ ଭିଡିଧରି ମା ତାଙ୍କର କହିଥିଲେ " ଦେଖିବ ପୁଅ ମୋର ଭଲ ପାଠ ପଢି କେତେଦେଶ ବୁଲିବ । ତୁମ ପରି ମାଷ୍ଟ୍ରିଆ ଚାକିରି କରି ସବୁବେଳେ ଘରେ ଗରଗର ହେବନି "। ଏହା କହି ପୁଅ ର ମଥାରେ ବୋଳିଦେଲେ ଏକ ସ୍ନେହଭରା ଚୁମ୍ବନ ଆଉ ସାହୁ ବାବୁଙ୍କ ଓଠରେ ବି ସେତେବେଳେ ଖେଳିଯାଉଥିଲା ଚେନାଏ ହସ । ଏହି କଥା ଟା ଭାବୁଭାବୁ ହଠାତ୍ କାହିଁକି ମା କଥାଟା ଭାରି ମନେପଡିଲା ସାହୁବାବୁଙ୍କର । ଚାରୁ ଙ୍କୁ ରୋକଠୋକ୍ ଶୁଣାଇଦେଲେ "ଆମେ କାଲି ଘର କୁ ଯିବା "।
ଏତିକିବେଳେ ସାହୁବାବୁଙ୍କ ମୋବାଇଲ କୁ ଭିଡିଓ କଲ୍ ଟେ ଆସିଲା ଘର ନମ୍ବର ରୁ । ହେଲେ ରିସିଭ୍ କଲାବେଳକୁ ଦେଖାଗଲା ଗାଁ ର ପିଲାବେଳ ର ସାଙ୍ଗଟିଏ । ସେ କହିଲା " କଣ କିରେ ତୁ କେମିତିକା ପୁଅ ? ମା ର ଶବସତ୍କାର ଚାଲିଛି । ଆଉ ତୁ ଆସିନୁ " ! ମୁଣ୍ଡରେ ବଜ୍ରାଘାତ ହେବାପରି ଲାଗିଲା ସାହୁବାବୁଙ୍କୁ । " କଣ କହୁଛୁ ତୁ "? ଆଶ୍ଚର୍ଯ୍ୟାନ୍ବିତ ହୋଇ ପ୍ରଶ୍ନ କଲେ ସାହୁବାବୁ । ଆଉ ତାଙ୍କ ସାଙ୍ଗ ଫୋନ ଟି ଧରାଇଦେଲେ ସାହୁବାବୁଙ୍କ ବାପାଙ୍କୁ । ବସିଯାଇଥିବା ଗଳା ରେ ଜୋରଦେଇ ସାହୁବାବୁଙ୍କ ବାପା ଚେଷ୍ଟାକଲେ କହିବାକୁ । କହିଲେ " ଆରେ ବୁଲୁ ! ମୁଁ ଜାଣେ ତୁ ବହୁତ ବିଜି ଥିବୁ । ସେଇଥିପାଇଁ ତୋତେ ହଇରାଣ କରିଲିନାହିଁ । ଏଇଠି ଦେଖ ତୋ ମା ର ମୁହଁକୁ । ତା ଆଖି କୁ ଯେଉଁଟା ତୋ ବାଟ ଚାହିଁଚାହିଁ ଥକିପଡିଲାରେ । ଏଇ ତୋ ମା ଟା ଥିଲା ଯେ ସବୁବେଳେ କହେ ଟିକିଏ ଫୋନ କର ନା । ଆଉ ସିଏ ନାହିଁ । ମୁଁ ବି ତୋତେ ଆଉ ବେଶୀ ହଇରାଣ କରିବିନି ରେ । ଏଇ ଦେଖୁନୁ ତୋ ମା ଟା ଗଲାପରେ ବି ତୋତେ ହଇରାଣ କରୁଛି । ଯିବା ଆଗରୁ ମୋତେ କହିଥିଲା ଶୁଣୁଛ ମୋ କିଛି ହୋଇଗଲେ ବୁଲୁ କୁ ଟିକିଏ ଭିଡିଓ କଲ କରି ମୋତେ ଦେଖେଇ ଦେବଗୋ । ସେଇ ବନ୍ଦ ଆଖିରେ ବି ମୁଁ ଦେଖିପାରିବି ତାକୁ ଆଉ ସେଇ ବନ୍ଦ ଓଠରେ ବି ଖୁବ୍ ଜୋର ରେ ଡାକିବି ତାକୁ । ବୁଲୁ...ଉ...ଉ... "। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କଲେ ସାହୁବାବୁଙ୍କ ବାପା । ଆଉ ଦେଖୁଦେଖୁ ଭୂଇଁରେ ଟଳିପଡିଲେ ସିଏ । ସାହୁ ବାବୁ ଚିତ୍କାର କରି କହୁଥାନ୍ତି " ବାପା....ଆ...ଆ...ଆ.... । ମା...ଆ...ଆ..."। ଏପଟେ ସ୍ବୟଂ ଜାବୁଡିଧରିଥାଏ ତା ମା କୁ କେଉଁ ଏକ ଅଜଣା ଭୟ ର ଆଶଙ୍କା ରେ ॥
॥ ଜ୍ୟୋତିରଞନ ସାହୁ ॥