"ଶୁଣୁଛ ସୁରଭି! ସେ ଦିନ ତୁମ କଥା ନ ମାନି ସେ ବାଇଆ ଚଢ଼େଇ ର ବସାଟିକୁ ଭାଙ୍ଗି ଦେଲି ବୋଲି ବୋଧହୁଏ ଆଜି ଆମ ବସାଟିକୁ ସମୟର ସୁଅଟା ଭାଙ୍ଗି ଦେଲା। ଆଉ ସେଇ ରାଗରେ ତୁମେ ବି ମୋତେ..."।
             ଏତିକି ବେଳେ ଶୀତଳ ପବନ ର ଏକ କୋମଳ ସ୍ରୋତ ଟା ନିରୁ ଜେଜେଙ୍କ ଶରୀରକୁ ସ୍ପର୍ଶ କରି ଚାଲିଗଲା। ମୃଦୁ ହସ ଟିଏ ହସିଦେଇ ନିରୁ ଜେଜେ କହିଲେ"ତୁମେ ମୋ କଥା ଶୁଣୁଛ ନା ସୁରଭି! ମୁଁ ଜାଣେ ତୁମେ ମୋତେ କେବେ ବି ରାଗି ନାହଁ କି ଆଜି ବି ରାଗୁନ। ତୁମେ କଣ ଭାବୁଛ ମୁଁ ଜାଣିପାରିବିନି। ତୁମର ପ୍ରତ୍ୟେକଟି ଉପସ୍ଥିତି କୁ ମୁଁ ଅଚିରେ ବାରିପାରେ। ତୁମେ କେବେ ଅଭିମାନ କରିପାରନା କି ଆଜିବି କରୁନା। ଆଉ କେହି ନହେଲା  ନାହିଁ କିନ୍ତୁ ତୁମ ମନ ଶରୀର ଆତ୍ମା ର ସୁରଭି କୁ ମୁଁ ସବୁବେଳେ ଅନୁଭବ କରୁଛି। ତୁମେ ଜାଣ ସୁରଭି ଆଜି ମୋତେ ପଚସ୍ତରୀ ବର୍ଷ ପୁରିଗଲା। ଆଉ ତୁମେ ମୋତେ ଦେଇଥିବା ରାଣକୁ ଦଶ ବର୍ଷ"। ଏତିକି କହୁ କହୁ ଅଗଣାରେ ଥିବା ବୁଢା ଆମ୍ବ ଗଛ ଟା ମୂଳରେ ପଡିଥିବା ଦଉଡିଆ ଖଟ ଟା ଉପରେ ଏକ ଦୀର୍ଘ ନିଶ୍ବାସ ଛାଡି ଲୋଟିପଡିଲେ ନିରୁ ଜେଜେ। ଆଖି ପଲକ କୁ ଓଦା କରିଦେଇ ବହିଆସିଲା କେଇବୁନ୍ଦା ଅଶ୍ରୁ ।ଦିନ ଦ୍ବିପହରଟାରେ ସେହି ଦଉଡିଆ ଖଟ ଟା ଉପରେ ପଡିଥାନ୍ତି ଏକ ଯୁଗାନ୍ତ କାରୀ ଚରିତ୍ର।
              ନିରୁ ଜେଜେ! ସମୟ ର ବିବର୍ତ୍ତନ ରେ ଏଭଳି ଏକ ସୋପାନରେ ଉପନୀତ ଯେଉଁଠାରେ ଅତୀତ ବର୍ତ୍ତମାନ ଆଉ ଭବିଷ୍ୟତ ସମସ୍ତେ ବିଚ୍ଛିନ୍ନ ହେବାକୁ ବ୍ୟଗ୍ର। ଆଉ ବିଚ୍ଛିନ୍ନ ନହୋଇ ପାରିବାର ଗୋଟିଏ କାରଣ ନିରୁ ଜେଜେ। ହରିପୁର ଗ୍ରାମରେ ସେ ଜଣେ ବିଶେଷ ବ୍ୟକ୍ତିତ୍ବ। ଆବାଳ ବ୍ରୁଦ୍ଧବନିତା ସମସ୍ତକଂର ସେ ଅତି ଆପଣାର ନିରୁ ଜେଜେ। ସରଳ ନିଷ୍କପଟ ଉଦାରମନା ଚରିତ୍ରଟିଏ ସେ।
ନିରଞନ ଦାସ ମହାପାତ୍ର ଓରଫ ନିରୁ ଜେଜେ କଂର କୌଣସି ପରିଚୟ ର ଆବଶ୍ୟକତା ନାହିଁ। ତାଂକର ପାଚିଲା ବାଳ ପାକୁଆ ପାଟି କୌତୁକିଆ କଥା ଆଉ ନାତିଆ ସମ୍ବୋଧନ ଟା ହିଁ ତାଂକର ପରିଚୟ ପାଇଁ ଯଥେଷ୍ଟ। ସୁରଭି ତାଂକର ସହଧର୍ମିଣୀ। ଜୀବନ ର ଚାଳିଶି ଟି ବସନ୍ତ ନିରୁ ଜେଜେକଂ ସେବାରେ ହସି ହସି ସମର୍ପି ଦେଲେ ସିଏ। ସମ୍ପୂର୍ଣ ହରିପୁର ଗାଁ ଲୋକେ ରାମ ସୀତା ଯୋଡି ନୁହେଁ ନିରୁ ସୁରଭି ଯୋଡି ର ଉଦାହରଣ ଦିଅନ୍ତି। କେହି କେବେ ହେଲେ ସୁରଭି ମା ହାତରୁ ନଖାଇ ତାଂକ ଘରୁ ଫେରିବାର ଉଦାହରଣ ନାହିଁ। ଗୌର ବର୍ଣ ସାଂଗକୁ କଥାରେ ଆତ୍ମିୟତା ଆଉ ବ୍ୟବହାରରେ ଶାଳିନତା ସୁରଭି ମାକଂ ନା କୁ ଦ୍ବିଗୁଣିତ କରେ। ଏହି ଦୁଇ ଚରିତ୍ର ସହ ଯୋଡା ଆଉ କିଛି ଚରିତ୍ର। ସେମାନେ ହେଲେ ତାଂକର ଚାରି ପୁତ୍ର। ଶ୍ରଦ୍ଧାରେ ନା ଦିଆଯାଇଥିଲା ରାମ ଲକ୍ଷ୍ମଣ ଭରତ ଶତ୍ରୁଘନ। ଏହି ଚାରି ପୁତ୍ରକଂ ଅଳି ଅର୍ଦ୍ଦଳି କୁ ମଥାପାତି ସହିଯାଉଥିଲେ ବାପା ମା ଦୁହେଁ। ପିଲା କଂ ଚରିତ୍ର ଗଠନରେ କୌଣସି କାର୍ପଣ୍ୟତା କରିନଥିଲେ ସେମାନେ। ଏକ ଯୌଥ ପରିବାର ର ବ୍ୟସ୍ତତା ଭିତରେ ଗଡିଚାଲିଥିଲା ନିରୁ ଜେଜେ କଂ ସମୟ। ଜଣେ ପରେ ଜଣେ ଦୁଇଭାଇ ଏକା କରି ଛାଡିଚାଲିଗଲେ ଆରପାରିକୁ। ନିଜ ଭାଇ କଂ ସନ୍ତାନ ମାନେ କ୍ରମଶଃ ସମ୍ପର୍କରେ  ବଢାଇବାକୁ ଲାଗିଲେ ଦୂରତା। ସମୟ କ୍ରମେ ଦାରିଦ୍ରତା ପାଲଟିଗଲା ଦୂରତା ର ପ୍ରମୁଖ କାରଣ। ଉଦାରବାଦୀ ନିରୁ ଜେଜେ ଅଳ୍ପ କିଛି ଚାଷଜମି ନେଇ ପୂର୍ବପୁରୁଷ ର ସେହି ଭଂଗା ଖପର ଘରଟାରେ ପରିବାର ସହ ରହିଗଲେ ଏକାଏକା। ବିଶ୍ବାସ ଥିଲା ତାଂକର ଚାରି ପୁଅ  ଭିତରେ ଥିବା ସମ୍ପର୍କ ର ସୂତା ଖିଅଟିକୁ ଦ୍ରୁଢ ଭାବେ ବାନ୍ଧିରଖିବେ। ଅତୀତ ର ଯେଉଁ ତିକ୍ତତା କୁ ସେ ନିଜ ଭାତ୍ରୁତ୍ବ ର ସମ୍ପର୍କରେ ଅନୁଭବ କରିଥିଲେ ତାହାକୁ ନିଜ ସନ୍ତାନ ମାନଂକ ମଧ୍ୟରେ ଥିବା ସମ୍ପର୍କରେ ସ୍ରୁଷ୍ଟି ହେବାକୁ ଚାହୁଁନଥିଲେ। ଏପଟେ ପତ୍ନୀ ସୁରଭି କଂର ଲାଳନ ପାଳନ ଓ ବାତ୍ସଲ୍ଯ ପ୍ରେମ ରେ ଭରିରହିଥିଲା ନିଜ ସନ୍ତାନ ମାନକଂ ପ୍ରତି ଅତୁଟ ବିଶ୍ବାସ। ଯେଉଁ ବିଶ୍ବାସ ମା ପକ୍ଷୀଟିଏ ତାର ଖନ୍ଡିଉଡା ପାଇଁ ପ୍ରସ୍ତୁତ ଶାବକ ମାନଂକ ଦୁର୍ବଳ ପକ୍ଷ ଦ୍ବୟରେ କରିଥାଏ। ସେହି ବିଶ୍ବାସ କୁ ପାଥେୟ କରି ଖଣ୍ଡିଉଡା ଦେଉଥିବା ଶାବକଟି ଦିନେଉଡିଯାଏ  ସୁଦୂର ଗଗନକୁ ବିନା କୌଣସି ଦ୍ବିଧାରେ। ମା ହିଁ ଶିଖାଇଥାଏ ନିଜ ପକ୍ଷ ଦ୍ବୟର ବଳ ଉପରେ ବିଶ୍ବାସ ରଖିବା ପାଇଁ। ଠିକ୍ ଏହିପରି ଏକ ବିଶ୍ବାସ ରହିଥିଲା ବାପା ମା କଂର ନିଜ ଚାରି ସନ୍ତାନ ମାନଂକ ଯୋଗ୍ୟତା ଆଉ ସମ୍ପର୍କ  ଉପରେ।


                              ଧୀରେଧୀରେ ଗଡିଚାଲିଲା ସମୟର ଚକ ଆଗକୁ ଆଗକୁ। ସେଦିନର ସେହି କୋମଳ ଶିଶୁରୂପି ଚାରା ଗଛ ଗୁଡିକ ମହାଦ୍ରୁମରେ ପରିଣତ ହୋଇସାରିଥିଲେ। କିନ୍ତୁ ଗଛ କୁ ଜଗିଥିବା ମାଳୀ ଉପନୀତ ହୋଇସାରିଥିଲେ ବୟସର ଅନ୍ତିମ ସୋପାନରେ। ବୟସ ର ଅପରାହ୍ନରେ ଏକା ପଡିଗଲେ ମା ସୁରଭି ଆଉ ନିରୁ ଜେଜେ। ଝାଟିମାଟି ର ସେ ନୀଡ ଠାରୁ ଦୂରେଇଗଲେ ଚାରିପୁଅ। ଗଢିତୋଳିଲେ ନିଜ ନିଜର ବାସ। ସ୍ବାଧୀନତାର ଦ୍ବାହିଦେଇ ଛିନ୍ଡାଇଦେଲେ ସମ୍ପର୍କର ଡୋରୀକୁ। ପରିବାର ର ପାରସ୍ପରିକ ସମ୍ପର୍କଟା ହୋଇପଡିଲା ଅଲୋଡା। ସମ୍ପର୍କ ହିସାବ କରିବସିଲା ଲାଭକ୍ଷତି ର ଅଛିଣ୍ଡା ଗଣିତ। ଗୋଟିଏ ଗର୍ଭରୁ ଜାତ ଚାରି ସନ୍ତାନଂକୁ ଏ ଦୁନିଆଁ ଶିଖାଇ ଦେଲା   ସମ୍ପର୍କରେ ଅର୍ଥର ମୂଲ୍ୟ। ସ୍ବାର୍ଥ ପାଦେ ଆଗକୁ ଚାଲିଗଲା ଆଉ ସମ୍ପର୍କ ପାଦଟେ ପଛରେ ପଡିଗଲା। ସମ୍ପର୍କର ଏହି ଦୁର୍ବଳ ଡୋରୀଟିକୁ ସଜାଡୁ ସଜାଡୁ ଅତିଷ୍ଠ ହୋଇପଡିଲେ ସୁରଭି। ସେଦିନ ସୁରଭି ଏକାନ୍ତରେ ନିରୁ ଜେଜେ କୁଂ କହୁକହୁ କହିଦେଲେ"ଏଇ ଯଦି ଉଚ୍ଚ ଶିକ୍ଷା ର ଫଳ ତେବେ ମୁଁ ମୋ ଅପାଠୁଆ ଜୀବନରେ ବୋଧହୁଏ ଶିକ୍ଷାର ଅର୍ଥ ଟିକୁ ଭୁଲ ଆକଳନ କରିଦେଲି। ଯଦି ଉଚ୍ଚଶିକ୍ଷା ର ପ୍ରତିଦାନ ଏଇଆ,ତେବେ ମୁଁ କହିବି ସଂସାର ର କୌଣସି ମା ଆଉ ତାଂକ ସନ୍ତାନ ମାନକଂ ପାଇଁ ସ୍ବପ୍ନ ବିଭୋର ହେବାର ଆବଶ୍ୟକତା ନାହିଁ।"

                            ପ୍ରକ୍ରୂତରେ କାରଣଟି ହେଲା ନିରୁ ଜେଜେ କଂ ଚାରିପୁଅ ଉଚ୍ଚଶିକ୍ଷା ଲାଭକରି ରାଜ୍ୟରେ ଉଚ୍ଚପଦ ପଦବୀର ଅଧିକାରୀ ହୋଇଗଲେ। ଅର୍ଥର ପ୍ରାଚୁର୍ଯ୍ଯ ପାଖରେ ବନ୍ଧାପଡିଗଲେ ସେମାନେ। ମା ବାପା କଂର ଆଦେଶ ଉପଦେଶ ଅନୁମତି ଯେପରି ମୂଲ୍ଯହୀନ ହୋଇପଡିଲା ସେମାନକଂ ପାଇଁ। ଜଣକଂ ଇଚ୍ଛା ଅନ୍ଯ ପାଇଁ କୌଣସି ମହତ୍ବ ରଖିଲା ନାହିଁ। ନିସର୍ତ୍ତ ପ୍ରେମ ବିବାହରେ ପରମୂହୁର୍ତ୍ତରେ ପଡିଗଲା ସର୍ତ୍ତର ଅନେକ ଲକ୍ଷ୍ମଣ ରେଖା। ଯେଉଁ ରେଖାର ଗୋଟିଏପଟେ ରହିଗଲା ନିରୁଜେଜେ ଆଉ ସୁରଭି ମା କଂ ସେ ଝାଟିମାଟି ର ନୀଡ ଆଉ ଅନ୍ୟପଟେ ସନ୍ତାନ ମାନକଂର ଇଚ୍ଛା ଆବଶ୍ୟକତା ଓ ସ୍ବାଧୀନତା। ମା ସୁରଭି କଂର ଅନୁଶାସନ ପରମ୍ପରା ନୀତି ନିୟମ ରେ ବୋଧହୁଏ ଦୁର୍ବିସହ ହୋଇପଡିଲା ନବବିବାହିତା ପୁତ୍ରବଧୁ ମାନଂକ ଜୀବନ। ଆଧୁନିକତା ର ସ୍ପର୍ଶରେ ଜୀବନକୁ ଉପଭୋଗ କରିବାକୁ ଶିଖିଥିବା ଆଧୁନିକ ଶିକ୍ଷିତା ନାରୀ କଂ ପାଇଁ ମା ସୁରଭି କଂର ପରମ୍ପରା ଆଉ ରିତି ନୀତି  ଥିଲା ବିଗ୍ୟାନ ସମ୍ମତ ଅନ୍ଧବିଶ୍ବାସ। ବୋଧହୁଏ ଭୁଲିଗଲେ ସେମାନେ ଏହି ଅନ୍ଧବିଶ୍ବାସ ଟା ହିଁ ଗଢିତୋଳିଛି ତାଂକ ସ୍ବାମୀ କଂ ସଫଳତାକୁ। ଧୀରେଧୀରେ ସ୍ବାର୍ଥକୈନ୍ଦ୍ରିକ ହୋଇପଡିଲେ ନିରୁଜେଜେ କଂର ପ୍ରତ୍ୟେକଟି ସନ୍ତାନ। ଏପରି ଏକ ସମୟ ଆସି ଉପନିତ ହେଲା ଯେଉଁଦିନ ବାପା ମା କଂର ରକ୍ଷଣା ବେକ୍ଷଣା ପାଇଁ ହେଉଥିବା ବ୍ୟୟ ର ସେ ଅଛିନ୍ଡା ଗଣିତରେ ଘରେ ଚାଲିଲା ଶୀତଳ ଯୁଦ୍ଧ। ଏହିସବୁ ଭିତରେ ପରସ୍ପର ଠାରୁ ଦୂରେଇ ଯିବାର ବାହାନା ଖୋଜାଚାଲିଲା। ମାତ୍ର ଏତେ ଦିନ ନୀରବରେ ଥିବା ନିରୁଜେଜେ ଅତିଷ୍ଠହୋଈ ସମ୍ପର୍କ ଛିନ୍ନ କରିବାର କୋଠର ନିଷ୍ପତ୍ତି ନେଲେ ଯେଉଁଦିନ ଶତ୍ରୁଘନ ର ଧର୍ମପତ୍ନୀ ସୁରଭି କୁଂ ମୂର୍ଖ କହି ସମ୍ବୋଧନ କଲା। ଦେଖୁ ଦେଖୁ ମା ଚଢେଇର ଝାଟିମାଟି ର ନୀଡଟା ଭାଂଗିଗଲା ଆଉ ପିଲାମାନେ ଉଡିଗଲେ ପରସ୍ପର ର ବିପରୀତ ଦିଗରେ।

                       ବାପା ମା କଂ ଠାରୁ ଦୂରତାଟା ଏହାଭିତରେ ଅନେକ ବଢିଯାଇଥିଲା ପିଲାମାନକଂର। ସେମାନେ ମଧ୍ୟ ନିଜନିଜର ସାଂସାରିକ ଜୀବନରେ ବ୍ୟସ୍ତ ହୋଇପଡିଥିଲେ। ମା ବାପା କଂର ଇଚ୍ଛା ସ୍ବପ୍ନ ମନ ର କୌଣସି ସ୍ଥାନ ନଥିଲା ସେମାନଂକ ବ୍ୟସ୍ତବହୁଳ ଦିନଚର୍ଯ୍ଯା ଭିତରେ। ଯେଉଁ ମୁକ୍ତ ପବନର ଅନ୍ବେଷଣରେ ଚାରି ପୁତ୍ର ମା ର ନୀଡ ଟାକୁ ପଛ କରି ଚାଳିଅସିଲେ; ସେହି ପୁଅମାନଂକର କର୍ମମୟ ଜୀବନରେ ମୁକ୍ତ ପବନଟା ମରୁ ର ମରିଚୀକା ପାଲଟି ଯାଇଥିଲା। ଅର୍ଥର ପ୍ରାଚୁର୍ଯ୍ୟ ସମ୍ମୁଖରେ ସ୍ନେହ ପ୍ରେମ ର ମୂଲ୍ୟ ହୋଇପଡିଥିଲା ନଗନ୍ଯ। ସେଦିନ ସିନା ସୁଦାମାର ପ୍ରେମରସ ରେ ପୂର୍ଣ ଖୁଦ ମୁଠାଏ ହୋଇପଡିଥିଲା ସଂସାର ର ସବୁଠାରୁ ଅମୂଲ୍ୟ ଦ୍ରବ୍ୟ ଏବେ କିନ୍ତୁ  ମା ର ପ୍ରେମକୁ ଆକଳନ କରାଯାଉଛି ଅର୍ଥର କଷଟି ରେ। ଦୁଃଖର ବିଷୟ ମମତା ଆଜି ପ୍ରାଚୁର୍ଯ୍ୟ ପାଖରେ ମୂଲ୍ୟହୀନ।
          ତଥାପି ମା ମନ ତ ଟିକିଏ ବ୍ୟାକୁଳ ହୋଇପଡିଲା ପୁତ୍ର ପୌତ୍ର ମୋହରେ। ଦିନେ ମା ସୁରଭି ନିରୁଜେଜେ କୁଂ କହିଲେ"ହେଇଟି ଶୁଣୁଛ ଟିକିଏ ରାମ ପାଖ କୁ ଯାଆନ୍ତେ ନି! ବହୁତ ଦିନ ହେଲା ନାତିଟୋକାଟାକୁ ଦେଖିନାହିଁ।" ସୁରଭି କଂର ସରଳ ମୁହଁଟିକୁ ଚାହିଁ ମନାକରିପାରିଲେ ନାହିଁ ନିରୁଜେଜେ। ହାତଧରି ନେଇଗଲେ ପୁଅ ପାଖକୁ। ପୁଅ ତାଂକର ରାଜ୍ୟ ସଚିବାଳୟର ଜଣେ ଉଚ୍ଚପଦସ୍ଥ କର୍ମଚାରୀ। ବୋଧହୁଏ ରାଜ୍ୟ ସାରା ର ଲୋକ କୁଂ ସମୟ ଦେଉ ଦେଉ ନିଜ ପିତା ମାତା କୁଂ ସମୟଟା  ଅଭାବ ପଡିଯାଉଛି। ସେଠାରେ ପହନ୍ଚି ରହିବା ଭିତରେ ସୁରଭି କଂ ଅସୁସ୍ଥ ଶରୀର ଯେମିତି ଅଧୈର୍ଯ୍ୟ  କରିପକାଇଲା ପୁତ୍ରବଧୂକୁଂ। ଅନିଚ୍ଛାକ୍ରୂତ ସେବାଟା ଯେମିତି ବାରି ହୋଇପଡୁଥିଲା ସେଠାରେ। ଦିନେ କାହାରିକୁ କିଛି ନକହି ନିରୁଜେଜେ ଆଉ ସୁରଭି ମା ଫେରିଗଲେ ତାଂକର ସେହି ପୁରୁଣା ନୀଡକୁ। ପୁଅ ମଧ୍ୟ ଜାଣିବାକୁ ଚେଷ୍ଟା କଲାନାହିଁ ବାପା ମା କଂର ଏଭଳି ହଠାତ୍ ଚାଲିଯିବାର କାରଣ।
               ଏହାଭିତରେ ବିତିଯାଇଛି ଅନେକ ବର୍ଷ। ହଠାତ୍ ଆଜି ଦିନଦ୍ବିପ୍ରହର ରେ ଘରେ ପହନ୍ଚିଛନ୍ତି ସମ୍ପୂର୍ଣପରିବାର। କାରଣଟା ଥିଲା ନାତି ନାତୁଣୀ କଂ ଜିଦ୍ ଏଥର ଜେଜେ କଂ ଜନ୍ମଦିନ ପାଳନ ହେବ ଗାଁ ରେ। ସେଇଥିପାଇଁ ଏକାଠି ହୋଇ ଆସିଛନ୍ତି ସମସ୍ତ ପରିବାର। ସମସ୍ତ ନାତି ନାତୁଣୀ ଦଉଡିଯାଇ ଘେରିଯାଇଛନ୍ତ୍ରି ନିରୁଜେଜେ ଶୋଇଥିବା ଖଟ ଚାରିପଟେ। କିନ୍ତୁ ନିରୁ ଜେଜେ ବୋଧହୁଏ ଜାଣିପାରିଲେନି ; କାହିଁ କିଛି ଶବ୍ଦତ କଲେନାହିଁ। ଏଥର ସମସ୍ତେ ମିଶି ଖୁବ୍ ଜୋର ରେ ପାଟିକଲେ। କିନ୍ତୁ ତଥାପି ନିରୁ ଜେଜେ ନୀରବ। ଦଉଡି ଆସିଲେ ପୁତ୍ର ଆଉ ପୁତ୍ର ବଧୂ। ଖୁବ୍ ଜୋର ରେ ହଲାଇଦେଲେ ଦଉଡିଆ ଖଟ ଟାକୁ। ଲାଗିଲା ଜେଜେ ବୋଧହୁଏ ଆଜି ଖୁବ୍ ଅଭିମାନ କରିଛନ୍ତି ସମସ୍ତକୁଂ। ମିଳିତ ଭାବେ ଏକ ଉଚ୍ଚ ସ୍ବର ଖେଳିଗଲା ସମସ୍ତ ଅଗଣାରେ।
                 ସଭିଏଁ ଉଚ୍ଚ ସ୍ବର ରେ ଡାକଟିଏ ଦେଲେ " ମା ! ତୁ କୋଉଠି ଅଛୁ ଶୀଘ୍ର ଚାଲିଆ। " ହେଲେ ଘର ଭିତରଟା ଥିଲା ଶୁନ୍ଶାନ୍। କେହି ହେଲେ ଆସିଲେ ନାହିଁ ବାହାରକୁ। ଆଶ୍ଚର୍ଯ୍ୟ ଭରା ନୟନରେ ପ୍ରତ୍ୟେକେ ପ୍ରତ୍ୟେକ କୁଂ ଦେଖୁଥିଲେ। ଆଉ ଦେଖୁ ଦେଖୁ ଖବରଟା ପ୍ରଚାର ହୋଇଗଲା ନିରୁଜେଜେ ଆଉ ନାହାନ୍ତି। ସମସ୍ତ ହରିପୁର ଗାଁ ଆଜି କାନ୍ଦି ଉଠିଲା। ସଭିଁକଂ ଆଖିରେ ଧାର ଧାର ଲୁହ ଆଉ ହ୍ରୁଦୟ ରେ ଅସୁମାରୀ କୋହ। ସମସ୍ତେ ଧାଇଁ ଗଲେ ସେହି ଝାଟିମାଟି ର ଖପର ଘର ଦିଗକୁ। ଏହା ଭିତରେ  ନିରୁ ଜେଜେ କଂ ଦେହାନ୍ତ ଖବରଟା ପହନ୍ଚି ଯାଇଥିଲା ହରିପୁର ଗାଁ ସ୍ବାସ୍ଥ୍ୟ କେନ୍ଦ୍ର ର ଡଃ ମିଶ୍ର କଂ ପାଖରେ। ଖବର ପାଇ ପହନ୍ଚି ଗଲେ  ଡଃ ମିଶ୍ର  ନିରୁ ଜେଜେ କଂ ଘରେ। ଘରେ ପୁତ୍ର ଆଉ ପୁତ୍ରବଧୂ ମାନଂକ ଉପସ୍ଥିତିଟାକୁ ଦେଖି ଏକ ତାଚ୍ଛଲ୍ୟ ଭରା ହସଟିଏ ହସିଦେଲେ ଡଃ ମିଶ୍ର। କହିଲେ " ଏତେ ଶୀଘ୍ର ମନେପଡିଲା ଗାଁ କଥା।" ବ୍ୟସ୍ତ ହୋଇ ରାମ ପଚାରି ପକାଇଲା"ମା କଂର କଣ ହୋଇଥିଲା"?
     ଗୋଟିଏ ଦୀର୍ଘ ନିଶ୍ବାସ ପକାଇ ଡଃ ମିଶ୍ର କହିଲେ" ସେ ଦିନ ଯେତେବେଳେ ତାଂକର ବ୍ଲଡ ରିପୋର୍ଟ ଦେଖିଲି ମୁଁ ଦୁଃଖରେ ଭାଂଗି ପଡିଲି। କାରଣ ଥିଲା ମୁଁ ଜାଣିଲି ଖୁବ୍ ଶୀଘ୍ର ମୁଁ ଆଉ ଜଣେ ମା କୁଂ ହରାଇବାକୁ ଯାଉଥିଲି ଯେହେତୁ ତାଂକର ବ୍ଲଡ କ୍ୟାନସର ହୋଇଥିଲା। ହାତରେ ସମୟ ବି ଥିଲା ବହୁତ କମ୍। ତେବେ ତୁମ ମା କୁଂ ଏ ରୋଗର ଭୟାଭୟତା ଥିଲା ଅଜଣା । ତେଣୁ ଯେଉଁଦିନ ତୁମ ପାଖକୁ ତୁମ ବାପା ମା ଯିବାକୁ ବାହାରିଲେ ସେଦିନ ତାଂକର ଦେଖାହୋଇଥିଲା ମୋ ସାଂଗରେ। ସେ ମୋତେ କହିଲେ" ବୁଝିଲୁ ପୁଅ ମୋ ବଡ ପୁଅ ପାଖ କୁ ଯାଉଛି। ବଡ ଚାକିରି କରିଛି ସିଏ। ସେ ମୋତେ ସଂଗେ ସଂଗେ ଭଲ କରିଦେବ। ତୁ ଦେଖିବୁନି ଦିନ କେଇଟା ରେ ମୁଁ ପୁଣି ଠିକ୍ ହୋଇ ଚାଲିଆସିବି"। ସୁରଭି ମା କଂର ସେଇ କେଇପଦ କଥା ଶୁଣି ମୁଁ ହସ୍ପିଟାଲ ରେ ଯାଇ ଖୁବ୍ କାନ୍ଦିଲି। ସତରେ କଣ ଠାକୁରେ ତୁମେ ସୁରଭି ମା ର ଭରସା ଟିକୁ ଭାଂଗିଦେବ! ଶେଷରେ ମୁଁ ହାରିଗଲି ଆଉ ମାର ଭରସାଟା ବି ହାରିଗଲା। କିନ୍ତୁ ତୁମ୍ଭ ମାନଂକୁ କହି କଣ ହେବ ? ତୁମ୍ଭ ମାନଂକ ପାଇଁ ବାପା ମା ତ ଖନ୍ଡିଏ ଅଦରକାରୀ କାଗଜ ଠୁ ଅଧିକ ନୁହେଁ। ଅନେକ ଥର ମୁଁ ପୁଅ ମାନଂକୁ ଜଣାଇବାକୁ କହିଛି। କିନ୍ତୁ ପ୍ରତି ଥର ସେ କହନ୍ତି ଆଉସେ ଅଛିନ୍ଡା ଗଣିତଟା କଷିବାକୁ ମୋର ଆଉ ବଳ ନାହିଁ ବାପା । କଣ କରିବି ଏପଟେ ପାଗେଳିଟା ମୋତେ ରାଣ ଦେଇଛି ପରା ତା ପିଲା ମାନଂକୁ ହଇରାଣ ହରକତ ନକରିବାକୁ"।
   
                       ଆଉ ଅଧିକ କିଛି କହିପାରିଲେନି ଡାକ୍ତର ମିଶ୍ର । କଣ୍ଠ ତାଂକର ବାଷ୍ପରୁଦ୍ଧ ହୋଇଆସିଲା। ଭରିଗଲା ପ୍ରତ୍ୟେକଟି ଜନମାନସର ଆଖିରେ ଲୋତକ। ଅନ୍ତିମ ବିଦାୟ ଜଣାଉଥିଲେ ସଭିଏଁ ନିରୁଜେଜେ କୁଂ। ରାମ ନିର୍ବାକ ହୋଇ ଚାହିଁଥାଏ ବାପାକଂ ମୁଖମଣ୍ଡଳକୁ ଆଉ ଲକ୍ଷ୍ମଣ ଅଗଣା ରେ ଥବା ସେ ଖଜୁରୀ ଗଛ ର ଗଣ୍ଡି କୁ ଯାହାକୁ ନିରୁ ଜେଜେ ସେଦିନ କାଟିଦେଇଥିଲେ ଲକ୍ଷ୍ମଣ ପାଇଁ। ଦୁଷ୍ଟାମି ଆଳରେ ଖଜୁରୀ ଗଛରେ ଥିବା ବାଇଆ ଚଢେଇର ବସା ଟିକୁ ଭାଂଗିବାକୁ ଯାଇ ଗଛରୁ ପଡି ହାତ ଭାଂଗି ପକାଇଥିଲା ଲକ୍ଷ୍ମଣ। ସେହି ରାଗରେ ମା ସୁରଭି କଂ ବାରଣ ସତ୍ତ୍ବେ ନିରୁଜେଜେ କାଟିଦେଇଥିଲେ ଖଜୁରୀ ଗଛଟା। କଥାଟା ଭାବୁ ଭାବୁ ଲକ୍ଷ୍ମଣର ନୟନ ଯୁଗଳରେ ଭରିଗଲା ପଶ୍ଚାତାପ ର ଅଶ୍ରୁ। ଏପଟେ ଭରତ ଆଉ ଶତ୍ରୁଘନ ବାହାରିଲେ ଦାହ ସଂସ୍କାର ପାଇଁ ବାଡିପଟ ଆମ୍ବ ତୋଟାରୁ ଗଛଟିଏ କାଟିବାକୁ।

                     କିନ୍ତୁ ଏ କଣ? ହଠାତ୍ ସେ ଦୁହିଁ କଂ କରୁଣ ବିଳାପରେ ଧ୍ୟାନ ଭାଂଗିଗଲା ରାମ ଆଉ ଲକ୍ଷ୍ମଣର। ସମସ୍ତେ ଧାଇଁଗଲେ ବାଡିପଟ ଆମ୍ବତୋଟା କୁ। ଦେଖିଲେ ଦୁହେଁ ଆମ୍ବ ଗଛକୁ ଧରି ବିଳାପ କରିଚାଲିଛନ୍ତି। ସମସ୍ତେ ପାଖ କୁ ଯାଇ ଦେଖିଲେ ଆମ୍ବ ଗଛରେ ଖୋଦେଇ ହୋଇଛି ପରିବାର ପ୍ରତ୍ୟେକ ସଦସ୍ୟ କଂ ନାମ। ରାମ ଦଉଡିଗଲା ଆଉ ଗୋଟିଏ ଗଛପାଖକୁ ; ଆଉ ଏହିପରି ଦଉଡିବୁଲିଲା ସଂମ୍ପୂର୍ଣ ଆମ୍ବ ତୋଟାରେ। ତୋଟାର ପ୍ରତ୍ୟେକଟି ଗଛରେ ଖୋଦେଇ ହୋଇଥିଲା ପ୍ରତ୍ୟେକ ସଦସ୍ୟକଂ ନାମ। ଲାଗୁଥିଲା ପୁରା ଆମ୍ବ ତୋଟାଟି ଏକ ସମ୍ପୂର୍ଣ ପରିବାର। କାହାକୁ କାଟିବେ ସେମାନେ?
ଏପରି ଏକ ପରିସ୍ଥିତି ଯାହା ରଚିଦେଲା ହାହାକାର। ଆଉ ଧୈର୍ଯ୍ୟ ନଥିଲା କାହାରି। ଚାରିପୁଅ ଯାଇବସିପଡିଲେ ସେଇ ବୁଢା ଆମ୍ବ ଗଛ ତଳେ ନିରୁଜେଜେ କଂ ମୁନ୍ଡ ପାଖରେ। ବୋଧହୁଏ ଆଜି କଥାକହୁଥିଲା ମା ସୁରଭି କଂ ଦିଆ ସଂସ୍କାର ଆଉ ଅନୁଶାସନ।
                         ସମସ୍ତେ ନିର୍ବିକାର। ହଠାତ୍ ସାନ ନାତୁଣୀଟି କହିଉଠିଲା "ବାବା ଦେଖ! ସେଇଠି କଣ ଲେଖା ହୋଇଛି?
ସମସ୍ତେ ସେ ଦିଗକୁ ଧ୍ୟାନ କେନ୍ଦ୍ରିତ କଲେ। ଦେଖିଲେ ବୁଢା ଆମ୍ବ ଗଛରେ ଖୋଦିତ ହୋଇଛି କେବଳ ଗୋଟିଏ ନାଁ,'ସୁରଭି'। ଆଉ ସେହି ନାଁକୁ କୁନ୍ଢାଇ ଧରି ବିଳାପ କରିଉଠିଲା ସମସ୍ତ ପରିବାର। ସେଦିନ ସେହି ଆମ୍ବ ଗଛର କାଠରେ ସମାପ୍ତ ହେଲା ନିରୁଜେଜେ କଂ ଦାହସଂସ୍କାର  ଆଉ ଯବନିକା ପଡିଗଲା ଏକ ଯୁଗର। ଆଜି ଅନେକ ନିରୁଜେଜେ ଆଉ ସୁରଭିମା ଏକାନ୍ତ ଆଉ ନିଃସଂଗ। ତାଂକର ନିଃସଂଗତା ପ୍ରଶ୍ନବାଚୀ ସ୍ରୁଷ୍ଟିକରୁଛି ମଣିଷକୁ ସାମାଜିକପ୍ରାଣୀ ବୋଲି କହବାରେ। ତେବେ ପ୍ରକ୍ରୁତରେ ଆଜିର ସମାଜରେ ପରିବାର ର ସ୍ଥିତିଟା କଣ??????

ଜ୍ୟୋତିରଞନ ସାହୁ
(ୟୂ ଟ୍ୟବ୍ ରେ ପ୍ରସାରିତ )