ଆଜି ସକାଳୁ ସକାଳୁ ଖବର କାଗଜ ଟା ଓଲଟାଉଥିବା ସମୟରେ ମୋ ପାଞ୍ଚ ବର୍ଷ ର ଝିଅ  ଆସି ମୋତେ ପ୍ରଶ୍ନକଲା " ବାପା ! ଏଇଟା କଣ "? ମୁଁ ତା ବହିର ଛବିଦେଖି କହିଲି " ଏଇଟା ଭଲଚର୍ ; ମାନେ ଶାଗୁଣା "। କୁନି ମନରେ ଥିବା ତାର ଅନେକ ବିସ୍ମୟ ସୂଚକ ବାକ୍ୟ ଗୁଡା ଭିତରୁ ସେ ଗୋଟିଏ କହିଲା " ବାପା ! ତୁମେ ଶାଗୁଣା ଦେଖିଛ " ! ତା ମନରେ ଥିଲା ଶାଗୁଣା କୁ ନେଇ ଅନେକ କୌତୁହଳ । ପୁଣି ସିଏ ପ୍ରଶ୍ନକଲା " ବାପା ! ସେ ଶାଗୁଣା ଗୁଡା କଣ ବହୁତ ଡେଞର କି ? ସାର୍ କହୁଥିଲେ ସେମାନେ ବହୁଉ.ଉ.ଉ.ତ ଅଗଲି ଦେଖିବାକୁ । ଏଇ ଦେଖୁନ ଫୋଟ ଟା । କେମିତି ଦେଖାଯାଉଛି ! ଛି ... " ! ତା କଥା ଶୁଣି ମୁଁ ତା ମୁଣ୍ଡରେ ମୋ ହାତ ଟା ସାଉଁଳୁ ସାଉଁଳୁ କହିଲି " ନା ରେ ମୋ ଏଞଲ ; ସେମାନେ ଦେଖିବାକୁ ସିନା ଅଗଲି କିନ୍ତୁ ତାଂକ କାମଟା ଚମତ୍କାର "। ଏତିକି କହୁକହୁ ମୋ ମନରେ ଆଂକିହୋଇଗଲା ଆମ ଗାଁ ଶେଷ ମୁଣ୍ଡକୁ ଲାଗିଥିବା ଶାଳଜଂଗଲ ଆଉ ସେଠାରେ ରହୁଥିବା ଶହଶହ ଶାଗୁଣା ପରିବାର । ଲୋକ ଡରୁଥିଲେ ସେ ଅଞ୍ଚଳ କୁ ଯିବାପାଇଁ । ଗ୍ରାମ୍ୟ ମନୋଭାବ ରେ ସେ ଅଞ୍ଚଳ ଥିଲା ଅଭିଶପ୍ତ । ଗାଁ ରେ ମରୁଥିବା ଗାଈ ଗୋରୁ ଛେଳି ଆଦି କୁଂ ନେଇ ଫିଗିଂଦିଆଯାଏ ସେହି ଜଂଗଲ ସଂଲଗ୍ନ ଏକ ବିରାଟ ପଡିଆରେ ଯାହାକୁ କୁହାଯାଉଥିଲା ଶାଗୁଣା ପଡିଆ । ଆଉ ଫିଗିଂ ଦେବାର ପରବର୍ତ୍ତୀ ଦୃଶ୍ୟଥାଏ ସତରେ ଅଭିଶପ୍ତ । କିନ୍ତୁ ଆଜି  ଆଧୁନିକତା ର ନାଁ ରେ ସେ ସବୁଜ ଜଂଗଲ ଟା ରୂପାନ୍ତରିତ ହୋଇଯାଇଛି କଂକ୍ରିଟ୍ ଜଂଗଲରେ ଆଉ ବିକାଶ ନାଁ ରେ  ହୋଇଗଲା ପ୍ରକୃତି ର ବିନାଶ । ଆଜି ସେଠାରେ ଗଢିଉଠିଥିବା ଫ୍ୟାକ୍ଟରୀ କୁ ଦେଖିଲେ ମନ ର ଦୃଶ୍ୟପଟକୁ କେବେ ଆସିବନି ସେ ଘଞ୍ଚ ଶାଳ ଜଂଗଲ କିମ୍ବା ସେହି ଶହଶହ ଶାଗୁଣା ପରିବାର । ଆଜି ଯେତେବେଳେ ମୁଁ ସେହିଜାଗା ରେ ଛିଡାହୁଏ ; ମନକୁ ମନ  ଭାବେ କେଉଁଆଡେ ଗଲେ ସେ ଶାଗୁଣା ସବୁ ? ନା ' ବୋଧହୁଏ ତାଂଗ ଘରସବୁ ଉଜୁଡିଯିବାରୁ କେଉଁଠି ଯାଇ ନିଶ୍ଚୟ ଅନସନ ନହେଲେ ଷ୍ଟାଇକ୍ କରୁଥିବେ ନିଜ ଦାବି ହାସଲ ପାଇଁ । ପିଲାବେଳେ ତ କେବେ ଶୁଣିନଥିଲି ତାଂକର ଷ୍ଟ୍ରାଇକ କରିବା କଥା । ବୋଧହୁଏ ଆଜି ର ସମାଜ ପାଖରୁ ଶିଖିଗଲେ !

         ଏଭଳି କିଛି କଥା ମୋ ମନର ଦୃଶ୍ୟପଟରୁ ନଲିଭନ୍ତେ ମୋ ଧର୍ମପତ୍ନୀ ଆସି ହଠାତ୍ ଟିଭି ର ଭୋଲ୍ୟୁମ୍ ଟା ବଢାଇଦେଲେ । ସେତିକିବେଳେ କିଛି ଅସହଜ ଦୃଶ୍ୟସବୁ ଭାସିବୁଲିଲା ଟିଭି ପରଦା ଉପରେ । ହଠାତ୍ କାହିଁକି ଟକିଏ ଅସହଜ ହୋଇପଡିଲି ମୁଁ ।  ଲାଗିଲା କେହିଜଣେ ଯେମିତି ମୋର ଅଭିଭାବକ ହେବାଉପରେ ଆଂକି ଦେଉଛି ବିରାଟ ଏକ ପ୍ରଶ୍ନ ଚିହ୍ନ ? ଆଉ କାଳବିଳମ୍ବ ନକରି ଧର୍ମପତ୍ନୀ କଂ ହାତରୁ ଟିଭି ରିମୋଟ ଟା ନେଇ ଖୋଲିଦେଲି ଓଡିଆ ନ୍ୟୁଜ ଚ୍ୟାନେଲ । ସେଥିରେ ଥିଲା ଜଣେ ନିରୀହ ବାଳିକା ର ଆତ୍ମହତ୍ୟା ର ଚାଞ୍ଚଲ୍ୟକର ଖବର ।  ଖବର ଟା ଜାଣି ଶିହରୀ ଉଠିଲା ମୋର ଶରୀର କେଉଁ ଏକ ଅଜଣା ଆତଂକ ରେ । ଝିଅ ମୋର ପଚାରିଲା " ବାପା ! ଏ ଝିଅଟା କଣ ପାଇଁ ମରିଗଲା " ? କଣ ଉତ୍ତର ଦେବି କିଛି ଜାଣିପାରିଲିନି ତା ପ୍ରଶ୍ନ ର । ତାକୁ ଭିଡିଆଣିଲି ନିଜ କୋଳ କୁ । ତା ଆଖିରେ ଆଖି ମିଶାଇ ତାକୁ କହିଲି " ମା' ରେ ଏକୁଟିଆ ଯିବୁନି ବାହାରକୁ । ତୁ ପରା କହୁଥିଲୁ ଭଲଚର୍ ଗୁଡା ବହୁତ ଅଗଲି ଆଉ ଡେଞର  ବୋଲି । ସତରେ ଲ ମା ସେ ଭଲଚର୍ ଗୁଡାନା ଭାରି ଡେଞର ।  ସେଇ ଭଲଚର୍ ମାନେ ଆସି ଏଇ ଝିଅଟିକୁ ପରା ତାଂକ ମୁନିଆଁ ଥଣ୍ଟରେ କାମୁଡି କାମୁଡି ମାରିଦେଇଛନ୍ତି " ।

                  ଏତିକି କହି ତାକୁ କାଖକରି ନେଇଗଲି ଛାତ ଉପରକୁ । ନିଶବ୍ଦ ରେ ଶାନ୍ତିରେ ଟିକିଏ ନିଶ୍ବାସ ମାରିଲି । ସେହି ଛାତ ଉପରେ ଛିଡା ହୋଇ ନଜର ପକାଇଲି ଏକଦା ଶାଳ ଜଂଗଲ ଥିବା ସେହି କଂକ୍ରିଟ ଜଂଗଲ ଉପରେ । କାହିଁ କିଛି ତ ଦେଖାଯାଉନି କଳା ଆକାଶରେ । ଦିଶୁଛି ଯଦି ଖାଲି ଧୂଆଁ ଆଉ ଧୂଳି । ମନେମନେ ଭାବିଲି  ବହୁଦିନରୁ ମୋ ମନ ଖୋଜୁଥିବା ଶାଗୁଣା ଗୁଡା ଆଜି ଆଉ ଆମ ଭିତରେ ଲୁଚିଯାଇନାହାନ୍ତିତ ! ହଁ ' ବୋଧହୁଏ ସେଇଥିପାଇଁ ଏ ମଣିଷ ଗୁଡା ଶାଗୁଣା ପାଲଟିଗଲେଣି । ସେଦିନ ର ସେହି ଶାଳବଣ ଶାଗୁଣା ଗୁଡାକୁଂ ସିନା ଦରକାର ହେଉଥିଲା ମଢକ ର ପଚା ମାଂସ କିନ୍ତୁ ଆଜି  ଏ ମଣିଷ ରୂପି ଶାଗୁଣା ଗୁଡାକୁଂ ଦରକାର ଖାଲି କଅଁଳ ଶିଶୁ ର ନରମ ମାଂସ । କେଉଁଆଡେ ଯିବି ମୁଁ ମୋ ଝିଅ କୁ ନେଇ । ସେଦିନ ସିନା ବାରଣ ଥିଲା ଗାଁ ମୁଣ୍ଡ ର ସେ  ଅଭିଶପ୍ତ ଶାଳବଣ ପାଖ ଶାଗୁଣା ପଡିଆ ପାଖକୁ ଯିବାପାଇଁ ; କିନ୍ତୁ ଆଜି କେଉଁଆଡେ ବାରଣ କରିବି ନଯିବାପାଇଁ ! ଚାରିଆଡେ ତ ମଣିଷରୂପି ଶାଗୁଣା ଗୁଡା ଘୁରିବୁଲୁଛନ୍ତି ଭଦ୍ରାମି ର ମୂଖା ପିନ୍ଧି । ଏସବୁ କଥା ଚିନ୍ତା କରୁକରୁ ଆଖି ମୋର ସ୍ବତଃ ବୁଜିହୋଇଯାଉଥାଏ । ଠିକ୍ ସେତିକିବେଳେ ଝିଅ ମୋର ମୋତେ ଜାବୁଡିଧରି  ପାଟିକରିଉଠିଲା " ବାପା ! ଦେଖ ଭଲଚର "। ମୁଁ ଆଖି ଖୋଲି ଦେଖିଲି ଦୂର ଆକାଶରେ ଫ୍ୟାକ୍ଟ୍ରି ର କଳା ଧୂଆଁ ଭିତରେ ଉଡିବୁଲୁଥିଲା ଗୋଟିଏ ଛଞ୍ଚାଣ । ମୁଁ  ଝିଅ କୁ ନିଜ ଛାତିରେ ଭିଡିଧରି ଭାବବିହ୍ବଳ ହୋଇ କହିଉଠିଲି " ନା ' ନା' ସେଇଟା ଭଲଚର୍ ନୁହେଁ କାଇଟ୍ । ତୁ ଜମାରୁ ଡରନା । ତୋତେ ଭଲଚର୍  କାମୁଡିବା ଆଗରୁ  ବାପା ତୋର ଏଇ ହାତରେ ତାକୁ ମାରି ଟିକ୍ ଟିକ୍ କରିଦେବ । ହଁ  ହଁ ସେ ଭଲଚର୍ ଗୁଡାକୁ ତୋ ବାପା ମାରି ଟିକ୍ ଟିକ୍ କରିଦେବ " ! ( ସମାପ୍ତ )

॥ ଜ୍ୟୋତିରଞନ ସାହୁ ॥
jrs.2013rediffmail@gmail.com