" ମା ' ମା ମୋତେ ଦୁଇ ଟଙ୍କା ଦେ " ବୋଲି ଅତି ବିକଳରେ ମାଗୁଥାଏ ପିଲାଟି । ବୟସ ବେଶୀ ନୁହେଁ ଏଇ ଆଠ ଦଶ ବର୍ଷ ହେବ । ତାର ବିକଳ ହୋଇ ମାଗିବାଟା ତା ମା ଉପରେ କୌଣସି ପ୍ରଭାବ ପକାଉ ନଥାଏ । କିଛି ସମୟପରେ ମା ତାର କହିଲା " ମୁଁ ଜାଣିଛି ତୁ ମୋଠାରୁ ଟଙ୍କା ନେଇ ଝାଲ ମୁଢି ବାଲା ପାଖରୁ ଝାଲ ମୁଢି କିଣୁଛୁ । ଆଜିକୁ ୫ ଦିନ ହେଲାଣି ତୁ ସବୁଦିନ ମୋ ପାଖରୁ ଦୁଇ ଟଙ୍କା ନେଇ ସ୍କୁଲ କୁ ଯାଉଛୁ । ଆଜିଠୁ ଆଉ ଟଙ୍କା ଦେବା ବନ୍ଦ । ତୋ ବାପା ଆସିଲେ ଟଙ୍କା ତାଙ୍କଠୁ ମାଗିବୁ "।  ମା ଠାରୁ ଏ ଭଳି କଥା ଶୁଣି ଭଙ୍ଗା ମନଟା ତାର ମୁଖ ଆଇନା ରେ ପ୍ରତିବିମ୍ବିତ ହେଉଥିଲା । ତେବେ ମନେମନେ ଭାବିଲା ଠିକ୍ ଅଛି । ମା ନଦେଲା ନାହିଁ ବାପାଙ୍କ ପାଖରୁ ମାଗିନେବି । ଆଉ ଏହାପରେ ପିଲାଟି ବହିବସ୍ତାନୀ ଧରି ଚାଲିଗଲା ଗାଁପାଖ ସ୍କୁଲ କୁ । ସଂଧ୍ୟା ହୋଇ ରାତିହେଲା । କିନ୍ତୁ ଦେଖାନଥିଲା ପିଲାଟିର । ରାତିରେ ବାପା ତାର ଘରେ ଆସି ପହଞ୍ଚିଲେ । ସ୍ନେହରେ ଖୋଜିବୁଲିଲେ ପୁଅକୁ ।  କିନ୍ତୁ ସ୍କୁଲ ରୁ ପହଞ୍ଚି ନଥିଲା ପୁଅ ତାଙ୍କର । ବ୍ୟସ୍ତବିବ୍ରତ ମା ବାପା ଦୁହେଁ ଖୋଜିବୁଲିଲେ ଚାରିଆଡେ କେଉଁଆଡେ ଗଲା ପୁଅ ତାଙ୍କର ! ରାତି ଦୁଇଘଡି ହେବ ପାଖ ଗାଁ ହରି ବୈଦ୍ୟ ଆଉ ଦୁଇ ଚାରିଜଣ ଆସି ଖବର ଦେଲେ ପିଲାଟିର ଆକ୍ସିଡେଣ୍ଟ ହୋଇଛି । ବାପା ମା ଦୁହେଁ ଦୌଡିଗଲେ ତାଙ୍କ ପୁଅ ପାଖକୁ । ଦେଖିଲେ ପୁଅ ର ମୁଣ୍ଡରେ ଗଭୀର କ୍ଷତ । ସକାଳୁ ଅଳି କରୁଥିବା ପୁଅ ରାତି ରେ ତାଙ୍କର ଅଳି କୁ କର୍ଣ୍ଣପାତ କରୁନଥାଏ । ଏହାଦେଖି ବାପା ମା ଦୁହେଁ ଭାସିଗଲେ ଦୁଃଖ ର ମନ୍ଦାକିନୀ ରେ । ପାଖ ଗାଁ ବୈଦ୍ୟ ଆସି କାନ୍ଦିକାନ୍ଦି କହୁଥାନ୍ତି " ଭାରି ଭଲ ପିଲାଟି ଆଜ୍ଞା । କହୁଥିଲା ମଉସା ମଉସା ବାପା ମୋର ନା ବସ୍ ରେ ହେଲପର ଅଛନ୍ତି । ଜାଣିଛ ହେଲପର ମାନେ କଣ ? ଯିଏ ଅନ୍ୟ କୁ ହେଲ୍ପ କରେ । ଦିନ ସାରା ବସ୍ ରେ ଲୋକ କୁଂ ହେଲପ୍ କରି କରି ଥକିଯାଇଥାନ୍ତି ବାପା ମୋର । ରାତିରେ ଆସି ପହଞ୍ଚିଲେ କହନ୍ତି କାହ୍ନୁ କାହ୍ନୁ ବାପାରେ ମୋ ଗୋଡ ଉପରେ ଛିଡା ହୋଇ ଟିକିଏ ମାଡିଦେଲୁ । ହଁ ! ଆହୁରିବି କହୁଥିଲା ଜାଣିଛ ମଉସା ରାତିରେ ବାପା ଜମାରୁ ଶୋଇପାରନ୍ତିନି । ଖାଲି ଉଃ ଆଃ ହେଉଥାନ୍ତି । ତୁମେ ଟିକେ ତୁମର ତେଲ ଦିଅନ୍ତନି ! ଯାହାକୁ ଲଗେଇଲେ ବଥା ଚାଲିଯାଏ । ସେହି ତେଲଟା ମୁଁ ମୋ ବାପା ଙ୍କୁ ଘଷିଦିଅନ୍ତି । କିନ୍ତୁ ମଉସା ମୋ ପାଖରେ ତ ଏଇ ଏତିକି ପଇସା ଅଛି । ମୁଁ ତା ମୁଣ୍ଡରେ ହାତ ବୁଲାଇଆଣି  କହିଲି ଯା ଏ ତେଲ ନେଇ ତୋ ବାପା ଗୋଡରେ ମାରିଦେବୁ । ସବୁବଥା ଚାଲିଯିବ । ଭଲ ହୋଇଗଲେ ଆଣି ବାକି ପଇସା ଦେଇଦେବୁ । କେତେ ଖୁସି ହୋଇଗଲା ସିଏ ! ହାଟ ରେ ମୋ ପାଖରୁ ତେଲ ନେଇ ସାଇକେଲ ଧରିଚାଲିଆସିଲା କିଛିବାଟ । ମୋ କଥା ଶୁଣିବାକୁ ବି ସମୟ ନଥିଲା ତା ପାଖରେ । ଖୁବ୍ ଜୋର ରେ ସାଇକେଲ ପ୍ୟାଡେଲ ମାରୁଥିଲା ସିଏ । ମୁଁ ପଛରୁ ପାଟିକରୁଥିଲି ଆରେ ଏତେ ଜୋର ରେ ସାଇକେଲ ଚଲାନା । ସେ ପଛକୁ ବୁଲି ପାଟିକରି କହୁଥିଲା ମଉସା ସ୍କୁଲ ଛୁଟିବେଳ ହେଲାଣି । ଘରେ କେହି ଜାଣିନାହାନ୍ତି । ଏତିକି କହୁକହୁ ସାଇକେଲ ରେ ଭାରସାମ୍ୟ ହରାଇ ଯାଇ ବାଡେଇ ଗଲା ରାସ୍ତାକଡ ପଥର ଟା ଉପରେ । ସବୁ ଲୋକ ଦୌଡିଯାଇ ନେଇଗଲେ ତାକୁ ଡାକ୍ତରଖାନା । କିନ୍ତୁ ଆମେ ତାକୁ ରଖିପାରିଲୁନି ଆଜ୍ଞା ! ରଖିପାରୁଲୁନି । ଆମକୁ କ୍ଷମା କରିଦେବେ "। ଏହା କହି ଖୁବ୍ କାନ୍ଦିଲେ ସେ ବୈଦ୍ୟ ଜଣକ । ପରିବେଶରେ ଖେଳିଗଲା ହାହାକାର ।


            ପରଦିନ ସକାଳୁ ଗାଁ ସାରା ଖବର ଟା ବ୍ୟାପିଗଲା । ଖବରପାଇ ପିଲାଟିର ସାଂଗ ଆସିଲା ତା ଘରକୁ ସାଙ୍ଗ ସହ ଶେଷ ସାକ୍ଷାତ ପାଇଁ । କିନ୍ତୁ ସେତେବେଳକୁ ବହୁତ ସମୟ ବିତିଯାଇଥିଲା । ବନ୍ଧୁ ତାର ଅଭିମାନ କରି ଚାଲିଯାଇଥିଲା ସମସ୍ତକୁଂ ଛାଡି ବହୁଦୂରକୁ । ଫୁଲ ଦିଆ ଫୋଟ ଟା ପାଖରେ ଛିଡା ହୋଇ ଚିତ୍କାର କରି କାନ୍ଦିବାକୁ ଲାଗିଲା କାହ୍ନୁ ର ସାଙ୍ଗ । ଧୈର୍ଯ୍ୟଧରି ରହିପାରିଲେ ନାହିଁ କାହ୍ନୁ ର ବାପା । ଭିଡିଧରିଲେ ପିଲାଟିକୁ ନିଜ ଛାତିରେ । ଆଶ୍ବାସନା ଦେଇଚାଲିଲେ ପିଲାଟିକୁ । ଅନେକ ସମୟପରେ ନିଜ ହାଫପ୍ୟାଣ୍ଟ ଭିତରୁ ପିଲାଟି ବାହାର କଲା ଗୋଟିଏ ପୁରୁଣା ଛୋଟ ଶାଲିମାର ତେଲ ଡବା । କହିଲା " ମଉସା ମୁଁ ସ୍କୁଲ ରୁ ଫେରିଲାବେଳେ ବାଟରେ କାହ୍ନୁ ମୋତେ ଏ ତେଲଡବା ଟା ଦେଇ କହିଥିଲା  ବାପା ଙ୍କୁ କହିବୁ ସିଏ ଏ ତେଲଟା ଗୋଡରେ ଲଗାଇବେ ।  " । ମୁଁ ତାକୁ ପଚାରିଲି" ତୁ ଯିବୁନିକି ଘରକୁ ! ସିଏ ଦରହସା ମୁହଁରେ କହିଲା ମୋର ଘର କୁ ଯିବା ରାସ୍ତା ଟା ବନ୍ଦ ହୋଇଯାଇଛିରେ ! ତୁ ମୋର ଏତିକି ସାହାଯ୍ୟ  କରିଦେ ଏ ତେଲ ଡବା ଟା ନେଇ ଆମ ଘରେ ଦେଇଦେବୁ "। ଏହାକହି ସେ ଶାଲିମାର ତେଲ ଡବା ଟା କାହ୍ନୁବାପାଙ୍କ ହାତ କୁ ବଢାଇଦେଲା । ଆଉ ଏହା ଦେଖି ସତେ ଯେପରି ସେ ଫୋଟ ଭିତରୁ କାହ୍ନୁ କହୁଥାଏ " ବାପା ! ଆଉ ତୁମ ଗୋଡବଥା ହେବନି ଗୋ ... "  ॥

॥  ଜ୍ୟୋତିରଞନ ସାହୁ  ॥