ଆଜି ଖରାବେଳେ ଆମ ଘରକୁ ଜଣେ ଗେରୁଆ ବସ୍ତ୍ର ଧାରୀ ବାବା ଆସିଥିଲେ । ଗେଟ୍ ସେପଟରୁ ଛିଡା ହୋଇ କହୁଥାନ୍ତି " ସାଇଁ କେ ନାମ ପେ ଦେ ଦେ ବାବା ; ସାଇଁ ତେରା ଦୁଃଖ ହରେଗା "। ହଠାତ୍ କଣ ହେଲା କେଜାଣି ମୋର ପାଞ୍ଚ ବର୍ଷର ପୁଅ ଘର ଭିତରକୁ ଦୌଡିଗଲା ଗଲା ଆଉ ଦୌଡିଯାଇ ମୋ ଧର୍ମପତ୍ନୀ ମାନେ ତା ମା କୁ କହିଲା " ମାମା , ମାମା ଦେଖିବ ଆସ କିଏ ଆସିଛନ୍ତି " ! ପତ୍ନୀ ମହାଶୟା ବାହାରକୁ ଆସି ସେ ଗେରୁଆ ବସ୍ତ୍ରଧାରୀ ବାବା କୁ ଦେଖି ମୁହଁଟା ଆମ୍ବିଳା କରିଦେଲେ । ପୁଅ ମୋର କିନ୍ତୁ ଗୋଟିଏ ଛୋଟ ଗିନାରେ ଚାଉଳ ନେଇ ଘରୁ ବାହାରିଆସିଲା । ତାକୁ ଚାଉଳ ଆଣିବାର ଦେଖି ଚିଡିଉଠିଲେ ମୋର ଧର୍ମପତ୍ନୀ । ହେଲେ ମୋଠାରୁ ସାହସ ପାଇ ପୁଅ ମୋର ମାଡିଗଲା ଗେଟ୍ ଆଡକୁ । ତା ପଛେପଛେ ମୁଁ ଚାଲିଥାଏ । ତାର ଏତାଦୃଶ କାର୍ଯ୍ୟରେ ଖୁସି ହୋଇଗଲେ ସାଧୁ ଜଣକ । ତା ମୁଣ୍ଡରେ ଆଉଁଷି ଦେଉ ଦେଉ କହିଲେ " ବେଟା ! ତେରା ଏ ବେଟା ତୁଝସେଭି ଜ୍ୟାଦା ନାମ ଶୌହୁରତ କମାଏଗା । ଫିର ମୁଲାକାତ ହୋ  ନା ହୋ ୟେ ୟାଦ ରଖନା ଇସକି ମାଥେ କି ଲକିର କହତିହେ କୁଛ ତ ବାତ ହେ ତେରେ ବେଟେ ମେଁ "। ଏହା କହି ସେ ମୋ ପୁଅ ହାତରୁ ଚାଉଳ ନେଇ ଚାଲିଗଲା । ଏହାପରେ ଘର ଭିତକୁ ପଶୁପଶୁ ପତ୍ନୀ ମହାଶୟା କହିଲେ " ଏ ଠକ ଭଣ୍ଡ ମିଛୁଆକୁଂ ନତଡି କଣ ପାଇଁ ଏମାନକୁଂ ଆସ୍ପର୍ଦ୍ଧା ଦେଉଛ ? ପୁଅଟା ଚାଉଳ ନେଇ ଘରୁ ଗଲାବେଳେ ମନାନକରି ଆହୁରି ତାକୁ ଆଖିଠାରି ଯିବାକୁ କହୁଛ "! ଏତିକିବେଳେ ମୋ ପତ୍ନୀକଂ ତାଳରେ ତାଳ ମିଳେଇଦେଲେ ମୋ ବାପା ଆଉ ମା । ସମସ୍ତେ ଗୁଡାଏ କଥା ଆଉ ଗୁଡାଏ ଉପଦେଶ ଦେଇ ଚାଲିଗଲେ । ତାଂକୁ ପ୍ରତିବାଦ କରିବାକୁ ମୋର ଇଚ୍ଛାନଥିଲା । ଆବଶ୍ୟ କିଛି ମିଛ କହୁନଥିଲେ ସେମାନେ । ଅଜିକାଲିର ସମାଜଟା ଆଉ ବିଶ୍ବାସ ଯୋଗ୍ୟ ହୋଇରହିନାହିଁ । ତେବେ ମୁଁ କିନ୍ତୁ ଚୁପଚାପ୍ ସୋଫା ଉପରେ ବସି ଭାବୁଥିଲି ଆମ ଗାଁ ହାଟର ସେ ବଉଳ ଗଛ ତଳ ଜାଗାଟା ବିଷୟରେ ।

                      ଆମ ଗାଁରେ ଶୁକ୍ର ବାରଟା ସାପ୍ତାହିକ ହାଟପାଳି । ମୋର ହେତୁ ପାଇବା ଦିନରୁ କାଁ ଭାଁ ଯଦି କେବେ ମୁଁ ହାଟ ଯାଇନଥିବି । ନହେଲେ ଗାଁରେ ରହିବା ଭିତରେ ପ୍ରତ୍ୟେକ ହାଟପାଳିରେ ମୋର ହାଟ ଯିବାଟା ନିଶ୍ଚିତ । ସାନବେଳେ ବାପାକଂର ଭଂଗା ସାଇକେଲଟାରେ ଆଗରେ ବସି ଯାଉଥିଲି , ଆଉ ବଡ ହେଲାପରେ ଏକାଏକା ସଉଦା ପାଇଁ ହାଟକୁ ଚାଲିଯାଏ । ଏଇ ମୋର ସାନରୁ ବଡ ହେବାଭିତରେ ଅନେକ କିଛି ବଦଳି ଯାଇଥିଲା ଗାଁ ହାଟର ଦୃଶ୍ୟରେ । ଯଦି କିଛି ବଦଳି ନଥିଲା ସେଇଟା ଥିଲା ହାଟ ମଝିର ବଉଳ ଗଛ ଆଉ ତା ତଳେ ଛୋଟିଆ ଜାଗାଟିରେ ସତରଞିଟିଏ ମେଲି ବସିଥିବା ବକରୁ ନନା । ଭାରି ବକବକ ହୁଅନ୍ତି ବୋଲି ତାଂକ ନାଁ ବକରୁ । ପ୍ରକୃତ ନାଁ ବକରୁ ନୁହେଁ କିନ୍ତୁ ସେହି ନାଁରେ ବିଖ୍ୟାତ । ତାଂକ ଭଲ ନାଁଟା ମୁଁ ଜାଣିନି କି ଜାଣିବାକୁ କେବେ ଚେଷ୍ଟାବି କରିନି । ପିଲାଟି ବେଳୁ ସେ ମୋତେ ଚିହ୍ନିଛନ୍ତି । ମୁଁ ଦେଖିଛି ତାଂକର କଳା ମଚମଚ ଲମ୍ବା ଦାଢି ଧବ ଫରଫର ହେବାର । ଏସବୁ ଭିତରେ କିନ୍ତୁ ତାଂକର ଜାଗା ସେଇ ଗୋଟିଏ ; ହାଟ ମଝିର ସେ ବଉଳ ଗଛ । ସମୟ ଗଡିଚାଲିଥାଏ ଆଉ ଏହାଭିତରେ ମୋର ପଢାଟାବି ସରିଯାଇଥାଏ । କିନ୍ତୁ ମୁଁ ଥାଏ ବେକାର ଯୁବକଟିଏ । ମନରେ ଧୀରେଧୀରେ ବିରକ୍ତି ଭାବଟିଏ ଘର କରିଯାଇଥାଏ । ଘର ଲୋକକଂର ପ୍ରତ୍ୟେକଟି କଥାରେ ଖୁବ୍ ଚିଡିଚିଡି ହୋଇପଡୁଥାଏ ମୁଁ । ମୋର ବ୍ୟବହାରରେ ଘର ଲୋକ କିଛି ନକହିପାରିଲେ ମଧ୍ୟ ଖୁବ୍ ମନ ଦୁଃଖ କରୁଥିଲେ । ମୁଁ ନିଜକୁ ଘର ପାଇଁ ଗୋଟିଏ ବୋଝ ବୋଲି ଭାବିନେଇଥିଲି । ସରକାରୀ ଚାକିରିଟିଏ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ମୋର ପ୍ରତ୍ୟେକ ଥର ବ୍ୟର୍ଥ ଯାଉଥାଏ । ଦିନକୁ ଦିନ ହତାଶ ହୋଇପଡୁଥିଲି ମୁଁ । ହତାଶାଟା ଏତେମାତ୍ରାରେ ବଢିଯାଇଥିଲାଯେ ଶେଷରେ ଚିନ୍ତାକଲି ମୋଦେଇ  ଆଉ ଏ ସରକାରୀ ଚାକିରି ହେବନି । ଏହିଭଳି ଏକ ହତାଶାଭରା  ମନରେ ସେଥର ମୁଁ ହାଟକୁ ଯାଇଥାଏ । ଚୁପ୍ଚାପ ବକରୁ ନନା ଦୋକାନ ପାଖରେ ଥିବା ସାପ୍ତାହିକ ଖଟିରେ ବସିବସି ନନାକଂ ଦୋକାନ ଆଡକୁ ଚାହିଁଥାଏ । ମୋର ଅଜ୍ଞାତରେ ସେ ମୋତେ ଲକ୍ଷ୍ୟ କରୁଥିଲେ ବୋଧେ । ହଠାତ୍ ମୋତେ ଡାକିଲେ ତାଂକ ପାଖକୁ । ଖଟିରେ ଥିବା ମୋର ଅନ୍ୟ ସାଂଗମାନେ କହିଲେ " ବୁଢା ପାଖକୁ ଜମାରୁ ଯା ନା । ବକର ବକର କରି ତୋ ମୁଣ୍ଡାଟାକୁ ଆହୁରି ଖରାପ କରିଦେବ । ଗୁଡାଏ ମିଛ ସତ କହି ତୋ ମନଟାକୁ ବଶ କରିନେବ "। ସାଂଗ ମାନକଂର କଥାସବୁ ଶୁଣି ମଧ୍ୟ କାହିଁକି କେଜାଣି ମୁଁ ସେଦିନ ଗୋଟିଏ ଯନ୍ତ୍ରମାନବ ପରି ବକରୁ ନନା ପାଖକୁ ଚାଲିଗଲି । ଅନ୍ୟମାନକଂ ମୁହଁରେ ବକରୁ ନନା ଜଣେ ଭଣ୍ଡ ଭବିଷ୍ୟବକ୍ତା । ହାତ ଆଉ ମୁହଁ ଦେଖି କଣ ମିଛ ସତ କରି ଗୁଡାଏ କହିଦିଅନ୍ତି । ମନକୁ ବୁଝାଇବା ପାଇଁ ଧରାଇ ଦିଅନ୍ତି କିଛି ଦାମୀ ରତ୍ନ ପଥର । ସେଦିନ କିନ୍ତୁ ମୋର ଇଚ୍ଛା ହେଉଥିଲା ବକରୁ ନନାକଂ ପାଖରୁ ଶୁଣିବାକୁ ସେହି ମିଛ ସତଗୁଡା । ମୁଁ ତାଂକ ପାଖରେ ପହନ୍ଚିଗଲାପରେ ସେ ମୋତେ ହଠାତ୍ କହିପକାଇଲେ " କଣ ଚାକିରି ହେଉନି ବୋଲି ଟେନସନ ହେଉଛୁ "! ତାଂକ କଥା ଶୁଣି ଚମକି ପଡିଲି ମୁଁ । ମନ ଭିତରେ ଖେଳିଗଲା ଗୋଟିଏ ଅପୂର୍ବ ତରଂଗ । ସତେ ଯେପରି ବୈଶାଖର ପିନାକରେ ମୃତ ପ୍ରାୟ  ନିର୍ଝରିଣୀ  ରେ ସନ୍ଚାର ହେଉଥିଲା ଜୀବନ ରୂପି ଜଳବିନ୍ଦୁ । ଏହାପରେ ନନା କହିଲେ " ଏମିତି କହିବିନି । ତା ପାଇଁ ପଇସା ଲାଗିବ "। ଏକଥା ଶୁଣି ମୋର ମୁହଁଟା ଶୁଖିଗଲା । ମୋର ଶୁଖିଲା ମୁହଁଟା ଦେଖି ହସିଦେଇ ବକରୁ ନନା କହିଲେ " ଆରେ ଆରେ ମୁହଁଟା ଶୁଖାଇଦେଲୁ ଯେ ! ମୁଁ ଏବେ ପଇସା ମାଗୁନାହିଁ ମ ! ଯେଉଁଦିନ ତୁ ସରକାରୀ ଚାକିରି କରିବୁ ତାପରେ ମୋ ପାଉଣା ଦେବୁ । ବୁଝିଲୁ "। ବକରୁ ନନାକଂ କଥା ଶୁଣି ଅଭିମାନ ଭରା ହସଟେ ହସିଦେଇ ମୁଁ ସେଦିନ କହିଥିଲି " ହୁଃ ! ସରକାରୀ ଚାକିରି ଆଉ ମୁଁ । ଚାକିରି ପାଇଁ ବୟସ ସରିଆସିଲାଣି । ଆଉ କଣ ଚାକିରି । ପଇସା ଦରକାର ଯଦି କୁହ ମୁଁ ଏମିତି ହିଁ ଦେଇଦେବି । ମୋତେ ଏ ମିଛ କଥାଗୁଡା କୁହନା"! ମୋ କଥା ବୋଧେ ବକରୁ ନନାକୁ ଟିକିଏ ବାଧିଲା । ବସିଥିବା ଜାଗାରୁ ଛିଡା ହୋଇପଡି ତାଂକର ପାକୁଆ ପାଟିରେ ସେ କହିଲେ " ବୁଝିଲୁ ତେଲି ପୁଅ ! ଏ ନନାଟା ଏମିତି ଏଇଠି ଚାଳିଶି ବର୍ଷ ହେଲା ବସିନି ! ଯା ଏଇ ଚାରିମାସ ଭିତରେ ଯଦି ତୋର ସରକାରୀ ଚାକିରି ନହୁଏ ତାହାହେଲେ ମୁଁ ଏ ଜାଗା ଛାଡିଦେବି । ଆଉ ହଁ ; ଏହି ଦୁଇମାସ ଭିତରେ ତୁ ଯେଉଁ ପରୀକ୍ଷା ଦେବୁ କୃତକାର୍ଯ୍ୟ ହେବୁ ନିଶ୍ଚିତ "। ବକରୁ ନନା ମୁହଁରୁ ଏ ଦମ୍ଭୀକତା ପୂର୍ଣ୍ଣ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୋ ଭଳି ବୁଡି ଯାଉଥିବା ଗୋଟିଏ ଲୋକର କୁଟାଖିଅ ଟିଏ ପାଲଟିଗଲେ ବକରୁ ନନା । ମନଟା ରହି ରହି କହୁଥାଏ ' ଆରେ ଏ *** ପରୀକ୍ଷାଟାରେ ମୋର ହୋଇଯିବନିତ ! ବକରୁ ନନା କଥାଟା ଯଦି ସତ ହୁଏ ତାହେଲେ ମୋର ଆସନ୍ତା ପରୀକ୍ଷାରେ ସଫଳତା ନିଶ୍ଚିତ "! ମନରେ ହୃଦୟରେ ସୃଷ୍ଟିହେଲା ଗୋଟିଏ ଅଦ୍ଭୁତ ଉଦ୍ଦୀପନା । ଏକ ଅପୂର୍ବ ଆତ୍ମ ବିଶ୍ବାସରେ ଚହଟିଉଠିଲା ମୋ ମୁଖମଣ୍ଡଳରେ । ଆଉ ଏଇ ହଜିଯାଇଥିବା ଆତ୍ମ ବିଶ୍ବାସଟିକୁ ଖୋଜିବୁଲୁଥିଲି ମୁଁ ଅନେକ ଦିନରୁ । ତେବେ ନନାକଂ କଥାଟା ସତ ହେଲା । ସରକାରୀ ଚାକିରିଟିଏ ମିଳିଗଲା ମୋତେ । ଖୁସିରେ ଆତ୍ମହରା ହୋଇଯାଥିଲି ସେଦିନ ଯେଉଁଦିନ ମୋ ହାତରେ ଜୟେନିଂର ଲେଟର ଥିଲା । ମନେମନେ ଖୁବ୍ ଖୋଜୁଥିଲି ବକରୁ ନନାକୁଂ । ଚାକିରି ରେ ଜଏନ କରିବାର ଗୋଟିଏ ମାସପରେ ଖଟିର ସମସ୍ତକୁଂ ଖାସକରି ବକରୁ ନନାକୁଂ ସରପ୍ରାଇଜ୍ ଦେବାକୁ ମାଡିଗଲି ହାଟକୁ । କଥାରେ କଥାରେ କହିଲି ମୋର ଚାକିରି ହେବା କଥା । ସାଂଗରେ ନେଇଥିବା ମିଠାସବୁ ବାଣ୍ଟିଦେଲି ସାଂଗମେଳରେ । ହେଲେ ମନଟା ମାନୁନଥାଏ । ଆଖି ଯାଇ ଲାଖିରହିଥାଏ ସେହି ବଉଳ ଗଛ ମୂଳରେ । ଖାଲି ପଡିଥାଏ ବକରୁ ନନାକଂ ଜାଗାଟା । ଅପେକ୍ଷା କରିକରି ସଞହେଲା । ଏଥର ଅସ୍ଥିର ହୋଇ ପଚାରିଦେଲି " ଆଚ୍ଛା ବକରୁ ନନା ଆଜି ଆସିବେନି "! ମୋ କଥା ଶୁଣି ଖଟିରେ ଥିବା ମୋର କିଛି ସାଂଗ ହସି ହସି କହିଲେ " ଆରେ ଜାଣିନୁ କି ! ସେ ବ୍ଲଫ୍ ମାଷ୍ଟରଟାର ପନ୍ଦର ଦିନ ପୂର୍ବରୁ ଏକ୍ସିଡେଣ୍ଟରେ ଡେଥ ହୋଇଯାଇଛି । ବିଚରା ବୁଢାଟା ହାତଦେଖି ସମସ୍ତକଂର ଭବିଷ୍ୟତ କହୁଥିଲା ; ଆଉ ନିଜ ଭବିଷ୍ୟତଟା ଦେଖିପାରିଲାନି ! ବୁଢାଟା ପକ୍କା ମିଛୁଆଟେ "। ଆଉ କିଛି କହିବାକୁ ଭାଷାନଥିଲା ମୋର । ପାଟିଟା କେମିତି ବାକ୍ ଶୂନ୍ୟ ହୋଇପଡିଲା । ସମସ୍ତକଂର ଅଗୋଚରରେ ଆଖି ମୋର ଛଳଛଳ ହୋଇଉଠିଲା । ମୋର ଛଳଛଳ ଆଖି ଦୁଇଟା ଚାହିଁରହିଥିଲା ବଉଳ ଗଛ ତଳ ସେହି ଜାଗାଟିକୁ ଯେଉଁ ଜାଗାରେ ରକମ ରକମର ରତ୍ନ ପଥର ମେଲିଦେଇ ବସୁଥିଲେ ବକରୁ ନନା । ଇଚ୍ଛା ହେଉଥିଲା ଖୁବ୍ ଜୋର ରେ ଚିତ୍କାରକରି କହିଥାନ୍ତି ବକରୁ ନନା ଦେଖ ତୁମ କଥାଟା ସତ ହୋଇଯାଇଛି । ଏଥରତ ତୁମ ଜାଗାକୁ ଫେରିଆସ । ମୁଁ ତୁମ କଥାକୁ ଆଉ କେବେହେଲେ ଅବିଶ୍ବାସ କରିବିନି । ପ୍ଲିଜ ନନା ଫେରିଆସ । ହେଲେ କିଏ ବୁଝୁଥିଲା ସେତେବେଳେ ମୋ ମନର ଅବସ୍ଥା । ଖଟିରେ ବୁଝାଇବାକୁ ଚେଷ୍ଟା କରୁଥିଲି ମୋ ମନର କଥା । ହେଲେ ଜାଣିପାରୁନଥିଲି କେଉଁଠାରୁ ଆରମ୍ଭ କରିବି ? ମନ କଥା ମନତଳେ ଚାପିଦେଇ ଅପେକ୍ଷା କଲି ନିର୍ଜନତାକୁ । ସମସ୍ତେ ଗଲାପରେ ଧୀରେଧୀରେ ସେହି ଜାଗା ପାଖକୁ ଯାଇ ମୋ ଭାଗର ଶେଷ ମିଠାଟା ଛୋଟ ଗାତଟିଏ କରି ପୋତିଦେଲି  ଠିକ୍ ସେହି ଜାଗାଉପରେ । ଆଉ ବକରୁ ନନାକଂ ପାଉଣା ବାବଦକୁ ଏକ ହଜାର ଟଂକା ଦାନ କରିଦେଲି ଅନାଥାଶ୍ରମକୁ ।

                    ଏହି କଥାଟା ଭାବୁଭାବୁ ମନଟା ମୋର ଭାରୀ ହୋଇଯାଇଥିଲା । ହଠାତ୍ ମୁଁ କହିଲି " ଲୀନା "! ଦୌଡିଆସିଲେ ମୋ ଧର୍ମପତ୍ନୀ । ମୋର ବିଷାଦଗ୍ରସ୍ତ ମୁଖମଣ୍ଡଳକୁ ଦେଖି କହିଲେ" କଣ ! ଆମ କଥାରେ ମନ ଦୁଃଖ କରୁଛ କି "? ମୁଁ ତାଂକ ମୁହଁ କୁ ଟିକିଏ ଚାହିଁଦେଇ କହିଲି " ନା ' ନା ଏମିତି ଡାକିଦେଲି "।  ଆଉ ସିଏ ଗଲାପରେ ମୁଁ ମନେମନେ ଭାବୁଥାଏ " ଲୀନା ! ତୁମେ ସତ କହିଛ । ଏ ଦୁନିଆଁରେ ଭଣ୍ଡ ମିଛ ଭରିଗଲାଣି । ମିଥ୍ୟା କବଳିତ ଆଜି ବିଶ୍ବାସ । ହେଲେ ବେଳେବେଳେ ଏହି ମିଛଟା ଶହେ ସତ କୁ ଟପିଯାଏ । ବେଳେବେଳେ ଏହି ମିଛଟା ବନ୍ଚିବାର ନୂଆ ବାହାନାଟିଏ ପାଲଟିଯାଏ । ଏ କଥାଟା ମୋପରି ଅନେକ ବୁଝିବା ଲୋକ ପାଇଁବି ବେଳେବେଳେ ଅବୁଝା ହୋଇ ରହିଯାଇଛି । ତେଣୁ କଣ ଆଉ ମୁଁ ବୁଝେଇବି ତୁମକୁ  " ॥

॥  ଜ୍ୟୋତିରଞନ ସାହୁ  ॥
jrs.2013rediffmail@gmail.com