ବାହାଘର ପରେ ଇତିର ମନଟା ଆଦୌ ଭଲ ନାହିଁ ।  କେମିତି ଭଲ ରହିବ ଯେ ! ସିଏ ହାତ ଧରିଥିବା ଲୋକଟା ପରା ପୁରାପୁରି ଅନରୋମାଣ୍ଟିକ୍ , ସାଧାସାଧା । କେତେ ସ୍ବପ୍ନ ଦେଖିଥିଲା ଇତି ନିଜ ବୈବାହିକ ଜୀବନକୁ ନେଇ । ତାର ସବୁ ସାଙ୍ଗ ଲଭ୍ ମ୍ୟାରେଜ୍ କରିଗଲେ । ଖାଲି ଇତିକୁ  ଛାଡି । ତେବେ ସେଥିରେ ତାର ଦୁଃଖ ନାହିଁ । ଦୁଃଖ ଏତିକି ଯେ ସେ ଭାବିଥିଲା ବାହାଘର ପରେ ପରୀ ରାଇଜ ପରି କୌଣସି ଏକ ସୁନ୍ଦର ଜାଗାରେ ତାଙ୍କ ସହ ବିତେଇବ ଜୀବନର କିଛି ସ୍ମରଣୀୟ ମୁହୂର୍ତ୍ତ । ଯାହା ସାରା ଜୀବନ ପାଇଁ ଅଭୂଲା ସ୍ମୃତି ହୋଇରହିବ ମନର ମାନସ ଗ୍ରନ୍ଥରେ । କେବେ ବାର୍ଦ୍ଧକ୍ୟର କଷାଘାତରେ ତ କେବେ ଦଗାଦିଆ ଜୀବନର  କ୍ରୁର ପ୍ରହାରରେ ବିଚଳିତ ହୋଇପଡୁଥିବା କ୍ଷତାକ୍ତ ମନର ଯନ୍ତ୍ରଣାକୁ ଦିନେ ଉପଶମ କରିବ ସେହି ସ୍ମୃତି ଟିକକ । ହେଲେ ତାର ସମସ୍ତ ସ୍ବପ୍ନ ବିବାହ ପରେ ଧୂଳିସାତ ହୋଇଗଲା । ଏଭଳି ଗୋଟିଏ ଅନରୋମାଣ୍ଟିକ୍ ଲୋକଟାକୁ ଜୀବନ ସାଥୀ ରୂପେ ବାଛି ଇତି କିଛି ଭୁଲ୍ କରିନାହିଁ ତ ! ! ! ଏହି ପ୍ରଶ୍ନଟା ସମୟ ଅସମୟରେ ବାରମ୍ବାର ବିବ୍ରତ କରେ ଇତିକୁ । ଆଉ ସବୁଥର ପରି ଏଥରବି ଇତି ବୁଝେଇଦିଲା ତା ମନକୁ ଯେ ଏଇଟା ତା ଭାଗ୍ୟ ବୋଲି । ଅନେକ ସମୟରେ ଫେସ୍ ବୁକ୍ ରେ ସାଂଗମାନେ ନିଜ ସ୍ବାମୀକଂ ସହ ଛାଡିଥିବା କିଛି ବିଶେଷ ଫୋଟ ସବୁକୁ ଦେଖି ମନେମନେ ନିଜପାଇଁ ଖୁବ୍ ଅବଶୋଷ କରେ ଇତି । ଇର୍ଷାନ୍ବିତ ହୋଇଉଠେ ଫୋଟରେ ସାଂଗମାନକଂର ହସହସ ଓଠସବୁକୁ ଦେଖି । ମନେମନେ ଖୁବ୍ ବିରକ୍ତ ବି ହୋଇଯାଏ ନିଜ ସ୍ବାମୀ ଉପରେ । ଭାବେ' ଏ ଲୋକଟା ସତରେ ମୋତେ ଭଲପାଏ ନା ଇଏ ଆରମ୍ଭରୁ ଏମିତି ସିଧାସାଧା ' ! ଇତିର ମନେପଡେ କଲେଜ ବେଳର କଥା । ସାଙ୍ଗମାନେ କୁହାକୁହି ହୁଅନ୍ତି " ଆଜିର ଟାଇମ୍ ରେ  ଆରେଞ ମ୍ୟାରେଜ୍ କିଏ କରିବ ! ଝିଅ ପୁଅକୁ ଜାଣିନଥିବ କି ପୁଅ ଝିଅକୁ । ପରସ୍ପର କେମିତି ଚଳିବେ ! ଦୁଇଟା ଅଜଣା ପ୍ରାଣୀ ଗୋଟିଏ ଘରେ କେମିତି ଜୀବନ କାଟିବେ ! ଯଦି ପରସ୍ପର ର ମନ ନମିଶିଲା ! କଥା ନମିଶିଲା !  ତେବେତ କଥା ଶେଷ । ସେ ନିଶବ୍ଦ ପ୍ରେମ ରେ ଜୀବନଟା ଅନ୍ଧାର ।  ନା ! ବାବା ! ଆମେ ଆରେଞ ମ୍ୟାରେଜ୍ କରିବୁନି । ପ୍ରଥମେ ଜାଣିବୁ ପରସ୍ପରକୁ । ଯଦି ମନ ମିଶିଲା ତେବେଯାଇ ବାହାଘର କଥା ଚିନ୍ତା କରିବୁ । ନହେଲେ ନାହିଁ । କିନ୍ତୁ ନଜାଣି ନଶୁଣି କାହାରିକୁ ଜୀବନ ସାଥୀ କରିବାର ଭୁଲ୍ ଆମେ କରିବୁନି । ନା କଣ କହୁଛୁ ଇତି " ! କଣ ଆଉ ଅବା କହିବ ସେ ! "ହେଁ" ! ଟେକହି ସବୁ ବୁଝି ନବୁଝିବାର ଅଭିନୟ ଯାହା କରେ । ବୋଧହୁଏ ସତ କହୁଥିଲେ ସେମାନେ । ନଜାଣି ନଶୁଣି ଏପରି କାହା ହାତଧରିଦେଲେ ସ୍ବପ୍ନ ପୁରଣ ହୁଏନା । ଏକଥା ଏବେ ମର୍ମେମର୍ମେ ଉପଲବ୍ଧି କରୁଛି ଇତି । କାହାକୁ କହିବ ନିଜ ମନକଥା । ପ୍ରକୃତି କାହାରି କଣ କେବେ ବଦଳେ ! ତେବେ କଣ ଏମିତି ହିଁ ନିଶବ୍ଦ ପ୍ରେମ ରେ ଜୀବନଟାକୁ ରଙ୍ଗହୀନ କରି ବିତାଇବାକୁ ପଡିବ ଇତିକୁ ! ଏକଥା ଭାବିଲେ ବେଳେବେଳେ ଆଖିରେ ତାର ଲୁହ ଚାଲିଆସେ ଆଉ କେହିଯଦି ପଚାରିଦିଏ ଏ ଲୁହର କାରଣଟା କଣ ବୋଲି ତେବେ ଅଭିମାନିଆ ହସଟେ ହସିଦେଇ କଟା ପିଆଜ ଗୁଡାକୁ ଖାଲି ମିଛଟାରେ ଦୋଷ ଦେଇଦିଏ ଇତି । କେତେଦିନ ଆଉ ଏହି କଟା ପିଆଜ ଗୁଡା ଦୋଷ ମୁଣ୍ଡାଉଥିବେ ଇତିପାଇଁ ସେକଥା କେବଳ ସମୟ କହିବ । କେବେ ଖୁସିରେ ଗୋଲାପଟିଏ ଆଣିବା କି ଛୋଟକାଟର ଜିନିଷ ଟିଏ ଉପହାର ଦେବା ଆଜିପର୍ଯ୍ୟନ୍ତ ଇତିର ସ୍ବାମୀଙ୍କ ଦ୍ବାରା ହୋଇପାରିନାହିଁ । ସେ ଏସବୁକୁ ପସନ୍ଦ କରନ୍ତି ନାହିଁ । ବିବାହପରେ ଏହାଭିତରେ ଦୁଇଟା ଜନ୍ମଦିନ ଚାଲିଗଲାଣି ଇତିର । କିନ୍ତୁ ସ୍ବାମୀକଂ ପାଖରୁ ଶୁଖିଲା ହସ ,ଶିବ ମନ୍ଦିରରେ ପୂଜା ଛଡା ସେ ଆଉ କିଛି ଜାଣିନାହିଁ । ତାର ସେ କେକ୍ କଟା ସାଙ୍ଗ ମାନଙ୍କ ସହ ମଉଜମସ୍ତି ସବୁ ଭୁଲିଗଲାଣି ସିଏ, ଏ ଅନରୋମାଣ୍ଟିକ୍ ଲୋକଟା ପାଖରେ ରହିରହି । ଏତେସବୁ ଭିତରେବି ଇତିର ସ୍ବାମୀ କିନ୍ତୁ ଇତିର ମନକୁ କଷ୍ଟ ଦେଲାଭଳି କୌଣସି କଥା କେବେହେଲେ କହିନାହାନ୍ତି । ସିଧାସାଧା ଛନ୍ଦକପଟ ବିହୀନ ଲୋକଜଣେ ଇତିର ସ୍ବାମୀ । ନିଜକୁ ନିଜ ସ୍ବାମୀଙ୍କ ଢାଞ୍ଚାରେ ଢାଳିବାକୁ ଅନେକ ଚେଷ୍ଟା କରି ମଧ୍ୟ ଅସମର୍ଥ ହୋଇପଡୁଥାଏ ଇତି  । ଘରପାଖ ମାର୍କେଟକୁ ଛାଡିଦେଲେ ପତିପତ୍ନୀ ଦୁହେଁ ଆଉ କେଉଁଆଡେ ବୁଲିଯିବାର କେହି କେବେ ଦେଖିନାହାନ୍ତି । ତେବେ ହଁ ଇତିର ସ୍ବାମୀ ତାକୁ ନେଇ ଅନେକ ଥର ଯାଇଛନ୍ତି ଦୂର ସହରକୁ । କିନ୍ତୁ ବୁଲାଇବାପାଇଁ ନୁହେଁ । ନିଜ ରୋଗୀଣା ମା ପାଇଁ । କଥା କଣକି ଇତିର ଶାଶୁମା ଙ୍କ ଦେହ ଅନେକ ଦିନରୁ ଆଉ ଭଲରହୁନାହିଁ । ଦିନକୁ ଦିନ ବିଗିଡିବାରେ ଲାଗିଛି । ତେଣୁ ପୁଅ ଏ ସହର ସେ ସହର ବୁଲିବୁଲି ସବୁ ବଡବଡ ଡାକ୍ତରଖାନାରେ ମାକୁ ଦେଖାଇ ସାରିଲାଣି । କିଛିଦିନ ଅନ୍ତରାଳରେ ରୋଗଟା ଦେହକୁ ମାଡିଆସି ଖରାପ କରିଦେଉଛି । ଦୁର ସହରରେ ଶାଶୁ ମା'ର ସେବାପାଇଁ ଇତିର ଉପସ୍ଥିତିଟା ନିହାତି ଆବଶ୍ୟକ ହୋଇପଡେ । ବିବାହ ପରଠାରୁ ଇତି ଖାଲି ସେବା କରିଚାଲିଛି ନିଜ ଇଚ୍ଛା ଆକାଂକ୍ଷା ଆଉ ସ୍ବପ୍ନକୁ ହତ୍ୟା କରିକରି । ନିଜ ଇଚ୍ଛାରେ ସେ ନା ବଞ୍ଚି ପାରୁଛି ନା ମରିପାରୁଛି । ବେଳେବେଳେ ତାର ଇଚ୍ଛାହୁଏ ଏପରି ଜୀବନକୁ ହାରିଦେବା ପାଇଁ । କିନ୍ତୁ ପର ମୁହୂର୍ତ୍ତରେ ମନେପଡିଯାଏ ସ୍ବାମୀଙ୍କ ସେହି ସରଳିଆ ମୁହଁଟା । କେଉଁ ଏକ ଅଜଣା ଶକ୍ତି ସତେଯେପରି ତାକୁ ଟାଣିରଖେ ଏଭଳି ଚିନ୍ତାଧାରାରୁ । ତାମାନେ କଣ ଇତି ତାଙ୍କୁ ଭଲ ପାଉଛି ! ନା ! ନା ! ଏଭଳି ଗୋଟିଏ ପଥର ହୃଦୟର ବ୍ୟକ୍ତିତ୍ବକୁ କିଏ କଣ ପାଇଁ ଭଲ ପାଇବ ! ଯିଏ ଖାଲି ନିଜ ସ୍ବାର୍ଥ ଛଡା ଆଉ କାହାରି ମନ କେବେ ବୁଝିବାକୁ ଚେଷ୍ଟା କରିନି । ସରକାରୀ ଚାକିରିଟା ଛାଡିଦେଲେ ଆଧୁନିକା ସ୍ତ୍ରୀଟିଏ ଖୋଜୁଥିବା କୌଣସି ଗୁଣ ଇତି ତା ସ୍ବାମୀକଂ ଭିତରେ ଖୋଜିପାଏ ନାହିଁ । ଶଯ୍ୟାରେ ପ୍ରେମ ଭିନ୍ନ ଆଉ ଏକ ପ୍ରେମବି ଲୋଡିଥାଏ ନାରୀଟିଏ । ଯେଉଁ ପ୍ରେମଟା ଦୂରେଇଦିଏ ନାରୀ ମନର ନିଃସଂଗତାକୁ ସେହି ପ୍ରେମର ଅଭାବଟା ସବୁବେଳେ ଜାଳିଦେଉଥାଏ ଇତିକୁ । ଏଭଳି ଲୋକ କୁ ବିବାହ କରିବା ଠାରୁ ଭଲଥିଲା ସେ କୁଆଁରୀ ହୋଇ ରହିଯାଇଥାଆନ୍ତା । ମଧ୍ୟବିତ୍ତ ପରିବାରରେ ଇତିକୁ ନିୟଣ୍ଟିଆ ଲାଗୁଥିବା ବଡ କୋଠାଘରଟା ଭିତରେ ନିଜକୁ ଖୁବ୍ ଅଣନିଶ୍ବାସୀ ମନେକରୁଥାଏ ସିଏ । ନିଜପାଇଁ ବଞ୍ଚିବା ବିବାହ ପରଠାରୁ ସେ ଭୁଲିଯାଇଛି । ଅନେକ କିଛି କରିପାରିବାର ସ୍ବପ୍ନଟା ତାର ଏହାଭିତରେ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି । ଆଜି ସଂଧ୍ୟାବେଳେ ଇତିର ସ୍ବାମୀ ତାକୁ କହିଲେ " କାଲି ଆମେ *** ଯିବା ମା'ର ଚେକଅପ୍ ପାଇଁ । ତୁମେ ରେଡି ହୋଇଯିବ" ।


ସ୍ବାମୀଙ୍କ ମୁହଁରୁ ଏକଥା ଶୁଣି ପୁଣି ଗୋଟିଏ ଦୀର୍ଘ ଶ୍ବାସଟେ ଛାଡିଲା ଇତି । ମନେମନେ ଭାବୁଥାଏ ' ବହୁତ ହୋଇଗଲା ସେବା । ଏଥର ଡାକ୍ତର ଖାନାରୁ ଆସିଲାପରେ ଏହାର ଗୋଟିଏ ଶେଷ ସମାଧାନ କରିବାକୁ ପଡିବ । ଆଉ ଏହିପରି ଜୀବନକୁ ନଷ୍ଟ କରିହେବନାହିଁ ' । ଏହାଭିତରେ ଡାକ୍ତରଖାନାରୁ ଆସିବାର ଦୁଇଦିନ ହୋଇଗଲାଣି । ଇତି ମନେମନେ ସ୍ଥିର କଲାଣି ସେ ଏବେ ଏହି ସମ୍ପର୍କରୁ ନିଜକୁ ମୁକ୍ତ କରିବ । ସେଦିନ ଅଧରାତିରେ ହଠାତ୍ ଇତି ଦେଖିଲା ସ୍ବାମୀ ତାର ବେଡ୍ ରେ ନାହାନ୍ତି । ଏହା ଦେଖି ଖୋଜିବାକୁ ବାହାରିଲା ଇତି । ଏତିକିବେଳେ ପାଖ ରୁମ୍ ରେ ଧିରେଧିରେ କାଶିବାର ଶବ୍ଦ ଶୁଣିପାରିଲା ଇତି । କାନ ଡେରି ଶୁଣିବାକୁ ଚେଷ୍ଟାକଲା କଣ ହେଲା ବୋଲି । ଭିତରୁ ଶାଶୁ ମା କହୁଥିବାର ଶୁଣାଗଲା " ଆରେ ପୁଅ ! ତୁ ଆସିଲୁଯେ ବହୂ ଉଠିପଡିନି ତ ! ବିଚାରୀ କି ଦିନ କି ରାତି ସବୁବେଳେ ଘର କାମରେ ଲାଗିଛି । ବିଶ୍ରାମ ନାହିଁ ତା ଜୀବନରେ " । ଏଥର ସ୍ବାମୀତାର କହୁଥିବାର ଶୁଣିଲା " ସବୁଦିନ ପରି ଆଜିବି ଖୁବ୍ ସତର୍କତାର ସହ ଆସିଛି ଯେପରି ଇତି ନଉଠିବ " । ଏହାପରେ ଥର୍ମୋମିଟରରେ ମା'ର ଜ୍ବରଟା ମାପିଦେଇ ଡାକ୍ତର ଦେଇଥିବା ଔଷଧକୁ ମା'କୁ ଖୁଆଇଦେଲେ ଇତିର ସ୍ବାମୀ । ଏଥର ଧୀରେଧୀରେ ମା'ର ପାଦଟା ଘସିଦେଉଦେଉ କହିଲେ " ମା'ଲ ! ତୁ ଜମାରୁ ବ୍ୟସ୍ତ ହୋନା । ଏହିଥର ତୁ ନିଶ୍ଚୟ ଭଲ ହୋଇଯିବୁ । ଡାକ୍ତର କହିଛନ୍ତି ଏ ମେଡିସିନ୍ ରେ ତୋ ଦେହ ନିଶ୍ଚୟ  ଭଲହୋଇଯିବ ।  ମୁଁ ଭୟ କରୁଥିଲି କାଳେ କିଛି ଖରାପ କହିବେ ! ସେ କିନ୍ତୁ ଟେଷ୍ଟ ରିପୋର୍ଟ ଦେଖି ସବୁ ଠିକ୍ ଅଛି ବୋଲି କହିଲେ । ଜାଣିଛୁ ସେଇଥି ପାଇଁ ମୁଁ ଇତିକୁ ସାଙ୍ଗରେ ନେଇକି ଯାଏ । ସେ ସାଙ୍ଗରେ ଥିଲେ ସବୁ ଭଲ ହୁଏ । ମୁଁ ବହୁତ ଥର ଦେଖିଛି ସେ ମୋ ସାଙ୍ଗରେ ଥିଲେ ବଡବଡ ପ୍ରୋବଲେମ୍ ବି ଆପେଆପେ ସଲ୍ଭ ହୋଇଯାଏ । ସିଏ ମୋ ପାଇଁ ବହୁତ ଲକି । ସିଏ ଆମ ଘର ପାଇଁ ଯେତିକି କରୁଛି ତା ପ୍ରତିବଦଳରେ ମୁଁ ତାକୁ କିଛିବି ଦେଇପାରିନି । ଆଉ ସିଏବି କେବେ ମୁହଁ ଖୋଲି ମୋପାଖରୁ କିଛି ଲୋଡିନାହିଁ । ମୁଁ ଜାଣେ ସେ ବହୁତ କଷ୍ଟ କରୁଛି । ସିଏ ନଥିଲେ କଣ ଯେ ହୁଅନ୍ତା ଆମ ଦୁଇଜଣଙ୍କର ସେକଥା ଭାବିଲେ ମୋ ମୁଣ୍ଡ ଖରାପ ହୋଇଯାଏ " । ଏକଥା ଶୁଣି ମା କହିଲେ " ମୋ ଦେହ ତ ଟିକିଏ ଠିକ୍ ହୋଇ ଆସିଲାଣି । ବୋହୂଟାକୁ ନେଇ ତା ବାପ ଘର ପଟେ ଟିକେ ବୁଲିଆ " । ଏହାଶୁଣି ଇତିର ସ୍ବାମୀ କହିଲେ " ଆଲ ! ତୁ ଟିକେଭଲ ହୋଇଯା । ତୁ ହସିଲେ ସିନା ଆମେ ହସିବୁ । ଇତିର ସେବା ସାର୍ଥକ ହେବ । ତାପରେ ତୁ ଦେଖିବୁନି ମୁଁ ତାକୁ ସବୁଆଡେ ବୁଲାଇ ଆଣିବି " । ହଠାତ୍ ଇତିର ଶାଶୁମା କାଶିବାକୁ ଆରମ୍ଭ କଲେ । କାଶିକାଶି କହିଲେ " ବାପାରେ ! ସେ କପଡଟା ଦେଲୁ । ନହେଲେ ମୋ କାଶ ଶବ୍ଦରେ ବୋହୂର ନିଦ ଭାଙ୍ଗିଯିବ " । ପୁଅ ହାତରୁ କପଡାଟା ନେଇ ମା' କହିଲେ " ଯା ଯା ଶୋଇବୁ । ସିଏ ସେପଟେ ଏକୁଟିଆ ଶୋଇଛି " । ଆଉ ଅଧିକ କିଛି ନକହି ଇତିର ସ୍ବାମୀ ଫେରିଲେ ନିଜ ରୁମ୍ ଆଡକୁ । ବାଟରେ ଭେଟିଗଲେ ଇତିକୁ । ଚମକିପଡି ପଚାରିଲେ " ଆରେ ! ତୁମେ ଏଇଠି କଣ କରୁଛ " । କୌଣସି ଉତ୍ତର ନଦେଇ ସ୍ବାମୀଙ୍କୁ ଖୁବ୍ ଜୋରରେ କୁଣ୍ଢାଇ ଧରିଲା ଇତି । ଇତିର ନିଶବ୍ଦ କ୍ରନ୍ଦନକୁ ଉପଲବ୍ଧି କରିପାରୁଥିଲେ ତାର ସ୍ବାମୀ । ଆଉ ବୋଧହୁଏ ଆଜି ଇତି ପାଇଯାଇଥିଲା ସିଏ ଖୋଜୁଥିବା ସେହି ଭିନ୍ନ ପ୍ରେମଟିକୁ । ଯେଉଁ ପ୍ରେମଟା ଥିଲା ନିଃଶବ୍ଦ । ସେ ବୁଝିପାରିଥିଲା ନିଃଶବ୍ଦ ପ୍ରେମର ପରିଭାଷାକୁ ।  ଥାଆନ୍ତେକି ତାର ସାଙ୍ଗମାନେ ; ତେବେ ସେ ଆଜି ସେମାନଙ୍କୁ ବୁଝାଇଦିଅନ୍ତା ନିଃଶବ୍ଦ ପ୍ରେମରେ ଥିବା ମଧୁରତାକୁ ; ନିରବ ପ୍ରେମ ଭିତରେ ଥିବା ମାଦକତାକୁ ॥

॥  ଜ୍ୟୋତିରଞନ ସାହୁ ॥
jrs.2013rediffmail@gmail.com