ମୁଁ ବି ଜଣେ ବିଜ୍ଞାନର ଛାତ୍ର । ଘରୁ ୧୦୦କି.ମି. ଦୂରରେ ରହିଥିବା ମୋର କର୍ମକ୍ଷେତ୍ରଟା ବି ବିଜ୍ଞାନର ଚାରିପାଖରେ ଛନ୍ଦାଛନ୍ଦି । ସେଥିପାଇଁ ମୁଁ ଭାବେ କଳା ସଂସ୍କୃତି ଆସ୍ଥା ଆଉ ପରମ୍ପରାକୁ ଭଲପାଇବାଟା ବୋଧହୁଏ ମୋର କୌଣସି ଜିନ୍ଗତ ତ୍ରୁଟି । ଆଉ ଏହି ତ୍ରୁଟି ପାଇଁ ମୁଁ ସବୁବେଳେ ପରୀକ୍ଷିତ ହୁଏ ହୃଦୟ ର ବିଶ୍ବାସ ଆଉ ଅର୍ଜିତ ଜ୍ଞାନ ର ଶୀତଳ ଯୁଦ୍ଧରେ । କେତେବେଳେ ହୃଦୟ ର ବିଶ୍ବାସ ତ ଆଉ କେତେବେଳେ ଅର୍ଜିତ ଜ୍ଞାନର ବିଜୟ ହୁଏ । ଏଇ ଯେମିତି ବିଲେଇ ରାସ୍ତା କାଟିଚାଲିଗଲେ ମନେପଡିଯାଏ ମୋର ବୁଢୀମା କଥା । ସେତେବେଳେ ହୃଦୟଟା ଟିକେ ବିଚଳିତ ହୋଇପଡେ ଆଉ ମନକହେ ଟିକିଏ ଦେଖିଚାହିଁ ଗାଡିଚଲା ଆଗରେ ବିପଦ ଥାଇପାରେ । ଜ୍ଞାନଟା କିନ୍ତୁ ମସ୍ତିଷ୍କକୁ କହେ ' ଆରେ ସେଇଟା ଗୋଟିଏ ପ୍ରାଣୀ । ଏଘର ସେଘର ଖାଦ୍ୟପାଇଁ ଦୌଡିବୁଲିବା ତାର କାମ । ତାପରେବି କେତେକେତେ ଜୀବ ରାସ୍ତାରେ ଦୌଡିବୁଲୁଛନ୍ତି । ସେତେବେଳେ ଏ ବିଲେଇଟା କଣ ଦୋଷ କଲା "? ହୃଦୟ ର ବିଶ୍ବାସ  ଆଉ ଜ୍ଞାନର ଏହି ଦ୍ବନ୍ଦ୍ବ ଭିତରେ ମୁଁ  ମସ୍ତିଷ୍କକୁ ଟିକିଏ ସାବଧାନ ଆଉ ହୃଦୟକୁ  ଟିକିଏ ଦୃଢକରିଦିଏ । ପରେ ନିଜକୁନିଜେ ତାଚ୍ଛଲ୍ୟଭରା ହସଟେ ହସି ପ୍ରଶ୍ନକରେ ଗୋଟିଏ ବିଜ୍ଞାନ ଷ୍ଟୁଡେଣ୍ଟ ହୋଇ ମୁଁ କେମିତି ଏଭଳି ଭିତ୍ତିହୀନ କଥାଗୁଡାକରେ ବିଶ୍ବାସ କରିପାରେ ! ତେବେ ଛାଡନ୍ତୁ ସେସବୁ କଥା । ଆଜି ସଂଧ୍ୟାବେଳେ ମୁଁ ବାଲକନିରେ ବସି ଘରଚାରିପାଖରେ ବସନ୍ତର ମୃଦୁମଳୟ ସ୍ପର୍ଶରେ ପରିବର୍ତ୍ତତ ପ୍ରକୃତିକୁ ଉପଭୋଗ କରୁକରୁ ମନେପଡିଗଲା ବିଗତ ଦିନର ଘଟଣାଟିଏ ।

                              ଏଇକିଛିଦିନ ପୂର୍ବରୁ ଆମର ଜଣେ ପରିଚିତ ଗୋଟିଏ ବଡ ଅଣ୍ଡିରା ବତକଟିଏ ଆମ ଘରକୁ ଆଣିଦେଲେ ମାରିଖାଇବାପାଇଁ । ବାପାକଂର ଭାରି ଇଚ୍ଛାଥାଏ ଶୀତଦିନେ ବତକ ମାଂସ ଟିକିଏ ଖାଆନ୍ତେ । ହେଲେ ଏତେ ସୁନ୍ଦର ବତକଟିକୁ ଦେଖି ପାନ୍ଚ ବର୍ଷର ପୁଅ ମୋର କହିଲା " ବାପା ବାପା ! ଏ ବତକଟା ଆମର କେତେସୁନ୍ଦର ହୋଇଛିଗୋ ! ମିସ୍ କହୁଥିଲେ ବତକ କୁ ଡକ୍ କହନ୍ତି । ଆଉ ଜାଣିଛ ମୋର ସାଂଗ କହୁଥିଲାନା ତାଂକ ବତକଟା ଅଣ୍ଡାଦିଏ । ସିଏ ସବୁଦିନ ବତକ ଅଣ୍ଡା ଖାଏ । ମୁଁବି ନା ଏବେ ବତକ ଅଣ୍ଡା ଖାଇବି " । ତାକଥା ଶୁଣି ମୁଁ ଜୋରରେ ହସିଦେଇ କହିଲି " ଆରେ ଏଇ ବତକଟା ଅଣ୍ଡା ଦେବନି "। ମୋର ହସଟା ବୋଧହୁଏ ମୋ ପୁଅକୁ ଭଲ ଲାଗିଲାନି । ଅଭିମାନ ଭରା ସ୍ବରରେ ସିଏ କହିଲା " କିଏ କହିଲା ଅଣ୍ଡା ଦେବନି ? ଏ ବତକ ! ଅଣ୍ଡାଦେବୁ ନା "! ଏତିକିବେଳେ ବତକଟା ଜୋରରେ ବୋବାଇବାକୁ ଲାଗିଲା । ପୁଅ ମୋର ଏଥର ଖୁସି ହୋଇଯାଇ କହିଲା " ଦେଖିଲ ବାପା ! ବତକଟା ହଁ କହୁଛି । ଅଣ୍ଡାଦେବ ସିଏ । ଆଉ ମୁଁ ଖାଇବି "। ତାକଥା ଶୁଣି ମୁଁ ଜାଣିଦେଲି ଇଏ ଆଉ ବାପାକୁଂ ଖୁଆଇଦେବନି । ଆଉ ସତକୁ ସତ ତାହା ହିଁ ହେଲା । ବତକଟା ଆଉ ମରାହୋଇପାରିଲାନାହିଁ । ଯେଉଁ ଦିନ ବି ମୋ ପୁଅ ର ଅଜାଣତରେ ମାରିବାକୁ ଯୋଜନା ହୁଏ ସେଦିନ ପୂଜା କିମ୍ବା ସଂକ୍ରାନ୍ତି ପଡିଥିବ । ଏହିଭଳି ବିତିଚାଲିଲା ଦିନ ପରେ ଦିନ ।

                        ବତକଟା ଆସିବାର କିଛି ଦିନ ପରେ ମୁଁ ଲକ୍ଷ୍ୟ କଲି ଅଥବା ମୋତେ ସେହିଭଳି ମନେହେଲା ଯେମିତି ତାର ଚିରାଚରିତ ଜଳ କ୍ରୀଡା ନକରିପାରି ସେ ନିରାଶ । ସେଥିପାଇଁ ମୁଁ ସେ ବତକଟିକୁ ଧରି ଚାଲିଲି ଘର ପାଖରେ ଥିବା ଗୋଟିଏ ଛୋଟ ଗଡିଆ ପାଖକୁ । ମୋ ସହିତ ତାଳଦେଇ ଚାଲିଥାଏ ମୋ ପୁଅ । ସିଏ ଆଗେଆଗେ ଆଉ ବତକ ଧରି ମୁଁ ତା ପଛେପଛେ । ବାଟଗଲା ଲୋକ ଦେଖୁଥାନ୍ତି ଆମ ବାପ ପୁଅକଂ କାର୍ଯ୍ୟକଳାପ । ଆଉ ଏହାପରେ ସେ ବତକ ଗୋଡରେ ଲମ୍ବା ଦଉଡିଟେ ବାନ୍ଧିଦେଇ ଛାଡିଦେଲି ତାର ପ୍ରାକୃତିକ ବାସସ୍ଥଳୀରେ । ଆନନ୍ଦରେ ସିଏ ଦୌଡିଗଲା ଗଡିଆ ଭିତରକୁ । ଉଚ୍ଚସ୍ବରରେ ଶବ୍ଦକରି ସତେଯେପରି ସିଏ ଜଣାଇଦେଉଥିଲା ତା ଉପସ୍ଥିତିକୁ ସେହି ଗଡିଆ ଚାରିପଟର ମୂକସାକ୍ଷୀ ମାନକୁଂ । ପୁଅ ମୋର ତାଳିମାରି କହୁଥାଏ " ବାପା ବାପା ! ଦେଖ ବତକଟା କେତେ ଖୁସିରେ ପହଁରୁଛି । ଆମେ ଟିକେ ଡେରୀରେ ଘରକୁ ଯିବା । ସିଏ ଆଉଟିକିଏ ପାଣିରେ ଖେଳୁ । ନହେଲେ ସିଏ କାନ୍ଦିବ ଯେ ! ଆଉ ଅଣ୍ଡା ଦେବନି " ! ମୋ ପୁଅ ମୁହଁରୁ ଏଇକେଇପଦ କଥା ଶୁଣି ମୁଁ ନିଶ୍ଚିନ୍ତ ହୋଇ ନିଶ୍ବାସଟିଏ ଛାଡିଲି । ଭାବୁଥିଲି ' ଯାହେଉ ପୁଅଟା ଏବୟସରେ ଅକୁହା ଅବୁଝା ଭାଷାଟା ଠିକ୍ ବୁଝିପାରୁଛି । ଯେଉଁ ଭାଷାଟା ମଣିଷ ବୁଝିବାକୁ ଯୁଗବିତିଯାଏ '। ଏହାପରେ କିଛିସମୟ ସେହି ଗଡିଆ ତୁଠରେ ବତକଟିକୁ ଜଗି ତାକୁ ସାଂଗରେ ନେଇ ଆମେ ବାପ ପୁଅ ଘରକୁ ଆସିଲୁ । ଆମର ଏହି କାମଟି  ପାଇଁ ଆମେ ଘରେ ହୋଇପଡିଲୁ ଉପହାସର ପାତ୍ର । ହେଲେ କିଏ ବୁଝୁଥିଲା ଯେ ଏହାଭିତରେ ମୋର ପୁଅଟା ଜୀବନର ଗୋଟିଏ ବିରାଟ ଅବୁଝା ଅଧ୍ୟାୟ ବୁଝି ଶେଷକରିସାରିଲାଣି ବୋଲି । ତେବେ ଏସବୁ ଭିତରେ ବତକ ଟିକୁ ଗଡିଆକୁ ନେବା କାମଟା ଚାଲିଥାଏ ଆମ ବାପ ପୁଅକଂର । କିଛିନହେଲେବି ଅନ୍ତତଃ ସପ୍ତାହରେ ଯେଉଁ ଦୁଇଦିନ ମୁଁ କର୍ମକ୍ଷେତ୍ରରୁ ଘରକୁ ଆସେ ସେହି ଦୁଇଦିନ ନିଶ୍ଚିତ ବତକଟିକୁ ବାନ୍ଧି ଗଡିଆ ନେଇଯାଏ ଆଉ ସାଥୀରେ ଥାଏ ମୋର ଚିରାଚରିତ ପର୍ଟନର ମୋ ପୁଅ । ସେଦିନ ଦ୍ବିପ୍ରହରରେ ଭାତ ଖାଉଥିବା ସମୟରେ ଖାଇବା ତାଳୁରେ ଲାଗି ମୋର ଖୁବ୍ କାଶହେଲା । ସାଂଗେ ସାଂଗେ ମୋ ବୁଢୀମା କହିଲା " ଧୀରେ ଧୀରେ ଖାଉନୁ ! କିଏରେ ସିଏ ଯିଏ ତୋତେ ଏତେ ମନେପକାଉଛି "? ପଛରେ ଥାଇ ମୋର ମା ହସିହସି କହିଲେ " କିଏ ଆଉ ? ସେହି ବତକଟା ହୋଇଥିବ । ମାଲିକକୁ ଆଜି ଦେଖିଦେଇଛିନା । ତେଣୁ ମନେପକାଇଦେଉଛି ଯେ ଗଡିଆ ବୁଲିବା ସମୟ ହୋଇଗଲାଣି " । ମା ମୁହଁରୁ ଏକଥା ଦିପଦ ଶୁଣି ମୋ ବୁଢୀମା କହିଲା " ଆରେ ଆରେ ଦେଖିବୁ ଏ ବତକଟା ମଲାବେଳକୁ ବି ତୋ ନାଁଟା ଭଜୁଥିବ । ମାଲିକତ ଖଣ୍ଡେ ପାଇଛି ସିଏ "। ଏସବୁ କଥା ଶୁଣି ମୁଁ କହିଲି " ତୁମ୍ଭେମାନେ ସବୁ କେଉଁ ଯୁଗରେ ଅଛ ? ତାଳୁରେ ଲାଗିଲେ ମନେପଡେ ! ମଲାବେଳକୁ ମୋ ନାଁ ଭଜୁଥିବ । ହାଃ ହାଃ ହାଃ । ପୁଣି ମୋତେ ମନେକରୁଛି କିଏ ! ଗୋଟେ ବତକ " ! ମୋ କଥା ନସରୁଣୁ ବୁଢୀମା ମୋର ମିଛରାଗ ମିଶା କଣ୍ଠରେ କହିଲେ " ହେଉ ହେଉ । ମୋ କଥା ତୋତେ ମିଛ ମୋତେ ସତ । ବିଜ୍ଞାନ ଯୁଗର ପିଲାତ  ତୁ । ତୁ କାହୁଁ ଜାଣିବୁ ଏସବୁ " । ମୋ ମୁହଁରେ କିନ୍ତୁ ଖେଳୁଥିଲା ତା କହୁଥିବା କଥା ପ୍ରତି ଅବିଶ୍ବାସର ଦାମ୍ଭୀକ ହସଟିଏ । ଏହିସବୁ ଭିତରେ କିନ୍ତୁ ଗୋଟିଏ କଥା ସତଥିଲା ଯେ ସେ ବତକଟା ସହ ମୋର ଗଢିଉଠିଥିଲା ଗୋଟିଏ ଅଦୃଶ୍ୟ ସମ୍ପର୍କ । ଏହିପରି ବିତିଯାଇଛି ତିନି ସପ୍ତାହ ।

                       ଚତୁର୍ଥ ସପ୍ତାହରେ ଘରୁ ଆସିବାର  ଦୁଇଦିନ ହୋଇଥାଏ । ମୁଁ ନିତ୍ୟକର୍ମ ସାରି ଅଫିସ୍ ବାହାରୁଥାଏ ଯିବାପାଇଁ । ମିରର୍ ଦେଖି ଲାଗିଲା ଯେମିତି  ଦାଢିଗୁଡା ଅମାନିଆ ହୋଇ ବଢିଚାଲିଛନ୍ତି । ସାଂଗେସାଂଗେ ଆଗପଛ ଚିନ୍ତାନକରି ସେଭିଂ ପାଇଁ ପ୍ରସ୍ତୁତ ହୋଇଗଲି । ହେଲେ ବୋଧହୁଏ ମୋର ଟିକିଏ ଅସାବଧାନତା ପାଇଁ ବ୍ଲେଡଟା ମୋ ଆଂଗୁଳିରେ ସୃଷ୍ଟିକରିଦେଲା ଏକ ଗଭୀର କ୍ଷତ । ଧାରଧାର ରକ୍ତ ବହିଗଲା । ଯନ୍ତ୍ରଣାରେ ଶିହରୀ ଉଠିଲା ମୋର ସମ୍ପୂର୍ଣ୍ଣ ଶରୀରଟା । ନିଜର ଅସାବଧାନତା ପାଇଁ ମନେମନେ ନିଜକୁ ଖୁବ୍ ଗାଳିକରିଚାଲିଥାଏ । ଠିକ୍ ସେତିକିବେଳେ ଘରୁ ଫୋନ ଆସିଲା । ଫୋନ୍ ରେ ଶୁଭୁଥାଏ ମୋ ପୁଅର କାନ୍ଦ । ମୁଁ କିଛି କହିବା ଆଗରୁ ସିଏ କାନ୍ଦିକାନ୍ଦି  କହିଲା " ବାପା ! ଜେଜେବାପାନା ଏବେ ବତକଟା ମାରିଦେଲେ । କେତେ କାନ୍ଦୁଥିଲା ସିଏ । କେତେପାଟି କରୁଥିଲା । ବହୁତ କାଟୁଥିଲା ତାକୁ । ତୁମେ ଆସିଲେନା ଜେଜେବାପାକୁଂ ପିଟିବ "। ତାକଥା ନସରୁଣୁ ବାପା ମୋର ଫୋନ ତାପାଖରୁ ନେଇ କହିଲେ " ଆରେ ଆଜି ତୋ ଶଳାମାନେ ଆସିଛନ୍ତି । ହେଉ ହେଉ ଆମ ବାବା ପାଇଁ ଆଉ ଗୋଟିଏ ବଡ ବତକ ଆଣିଦେବୁତ " । ମୋତେ ଆଉ କିଛି ଶୁଣାଯାଉନଥାଏ ମୋ ବାପାକଂ କଥା । ମୋ କାନରେ ବାଜୁଥାଏ ମୋ ପୁଅର ସେହି ଛଳନା ବିହୀନ ବିକଳ କାନ୍ଦ ଆଉ ମୋ ବୁଢୀମା ର ସେହି କଥା " ଏ ବତକଟା ମଲାବେଳକୁବି ତୋନାଁ ଟା ଭଜୁଥିବ "। ସବୁଥରପରି ସେଥର ମଧ୍ୟ ମୁଁ ଛିଡାହୋଇଥାଏ  ବିଶ୍ବାସ ଆଉ ଜ୍ଞାନର ଦୋଛକିରେ  ନିର୍ବିକାର ଚିତ୍ତରେ । ହୃଦୟର ବିଶ୍ବାସଟା ଯାହାକିଛିବି କହୁନା କାହିଁକି ଅର୍ଜିତ ଜ୍ଞାନଟା କିନ୍ତୁ କହୁଥାଏ ' ଏସବୁ ହୋଇଛି କେବଳ ଅସାବଧାନତା କାରଣରୁ । ସାବଧାନ ହୋଇ କାମଟା କରିଥିଲେ ଏଭଳି ହୁଅନ୍ତା ନାହିଁ । ଆଉ ଡେରିନକରି ଟ୍ରିଟମେଣ୍ଟ କର ' । ଏହାପରେ ମଧ୍ୟ କାହଁକି କେଜାଣି ମୋ ଆଖି ଦୁଇଟି ଯନ୍ତ୍ରଣାଶୂନ୍ୟ ହୋଇ ଚାହିଁରହିଥାନ୍ତି ସେହି  କଟିଯାଇଥିବା ଆଗୁଂଳିରୁ ବହିପଡୁଥିବା ଧାରଧାର ରକ୍ତକୁ ଆଉ ମୋ  ମନ ଭାବୁଥାଏ ' ସତରେ ଆଜି କିଏ ଜିତିଛି ? ହୃଦୟ ରୁ ଆସୁଥିବା ବିଶ୍ବାସ ନା ମୋର ଅର୍ଜିତ ଜ୍ଞାନ " ! ଆଜି କିନ୍ତୁ ବାଲକନି ଉପରେ ଛିଡାହୋଇ ସଂଧ୍ୟାସମୟର ମନ୍ଦମନ୍ଦ  ମଳୟ ସ୍ପର୍ଶରେ ମୋତେ କେଉଁଠି ନା କେଉଁଠି ଅନୁଭବ ହେଉଛି ସତେ ଯେପରି ମୋର ଅର୍ଜିତ ଜ୍ଞାନର ଦାମ୍ଭୀକତା ଉପରେ ସେହି ଗଡିଆତୁଠର ଖଜୁରୀ ଗଛ ମୂଳରେ ଛିଡା ହୋଇଥିବା ବିଶ୍ବାସଟା ଅଭିମାନ ଭରା ହସଟେ ହସିଦେଉଛି । ସବୁଥରତ ଏହିପରି ହିଁ ହୁଏ । ଜ୍ଞାନଟା ପ୍ରମାଣ ଦେଇ ନିଜର ଉପସ୍ଥିତି ସାବ୍ୟସ୍ତ କଲାବେଳକୁ ଉପେକ୍ଷିତ ବିଶ୍ବାସଟା ମୋତେ ଉପହାସ କରି ଦଉଡିଯାଉଥାଏ ଦୂରଦିଗବଳୟର ସେପାରିକୁ ॥

॥  ଜ୍ୟୋତିରଞନ ସାହୁ  ॥
jrs.2013rediffmail@gmail.com