ରାଜଧାନୀ ଅଭିମୂଖେ ଛୁଟିଚାଲିଥାଏ ବସ୍ ଟିଏ । ହଠାତ୍ ହାତ ଦେଖାଇ ବସ୍ କୁ ଛିଡାକଲା ଜଣେ ସ୍ତ୍ରୀ ଲୋକ । ତରତର ହୋଇ ଉଠିଆସିଲା ବସ୍ ଉପରକୁ । ଝାଳରେ ପିନ୍ଧାଶାଢୀ ଟା ଅନେକାଂଶରେ ହୋଇପଡିଛି ଓଦା । ସେଥିରେ ପୁଣି ବସ୍ ଟାବି ଭିଡ । କିଛି ସମୟପରେ ଜଣେ ଭଦ୍ରବ୍ୟକ୍ତି ବସ୍ ରୁ ଓହ୍ଲାଇଲେ । ଆଉ ତାଂକ ସିଟ୍ ରେ ବସିପଡିଲା ସେ ସ୍ତ୍ରୀ ଲୋକ ଜଣକ । କିଛି ଚିନ୍ତା କରିବା ପୂର୍ବରୁ କେହିଜଣେ କହିଲା " ହେ ! ଭଲ ଭାବରେ ମଣିଷ ଭଳିଆ ବସ୍ । ମୋ ଆଡକୁ କଣ ମାଡିଆସୁଛୁ "? ଚାରିଆଡକୁ ଦୃଷ୍ଟି ପକାଇ କିଏ କହିଲା ବୋଲି ଜାଣିବାକୁ ଚେଷ୍ଟାକଲା ସ୍ତ୍ରୀ ଲୋକ ଜଣକ  । ଦେଖିଲା ପାଖସିଟ୍ ରେ ବସିଥିବା ଜଣେ ସୁନ୍ଦରୀ ତରୁଣୀ ଟିଏ ବିରକ୍ତିଭରା ଆଖିରେ ତାକୁ ଦେଖୁଛି । ତରୁଣୀ ଟିର ଆଖିରେ ସିଏ ପଢିପାରିଲା ତାପ୍ରତି ସେ ତରୁଣୀ ମନରେ ଭରିରହିଥିବା ଘୃଣାଭାବ କୁ । ଘୃଣା ହେବନି ବା କାହିଁକି ? ବାର୍ଦ୍ଧକ୍ୟ ର ଛାପ ବୟସ ର ବହୁ ପୂର୍ବ ରୁ ତା ଶରୀର ରେ ଉପନୀତ । ପୁଣି ପେଟ ର ଭାରକୁ ପିଠିରେ ଲଦିଲଦି ଶରୀର ରୁ ଛୁଟିଆସୁଥାଏ ସ୍ବେଦ ର ଗନ୍ଧ । କେମିତି ପାଖରେ ବସନ୍ତା ସେ ସୁନ୍ଦରୀ ତରୁଣୀଟି । ଏ  କଣ କାମନା ର ସ୍ବେଦ ହୋଇଛି ଯେ ରଜନୀଗନ୍ଧା ର ଅନୁଭୂତି ଦେବ ଏତ ଶ୍ରମ ର ସ୍ବେଦ ନା! ତେବେ ସେ ସ୍ତ୍ରୀ ଲୋକଟି ଟିକିଏ ହସିଦେଇ କହିଲା " ନା ନା ! ମୁଁ ଏଇ କଡକୁ ବସିଛି । କଟକ ରେ ଓହ୍ଲେଇ ଯିବି ଝିଅ । ତୁ ଆରାମ ରେ ବସ "। ରାଗ ଗରଗର ହୋଇ ତରୁଣୀ ଜଣକ କଡେଇ ହୋଇ ବସିଲା । କିଛି ସମୟ ପରେ ସେହି ସ୍ତ୍ରୀ ଲୋକ ଜଣକ ଗୁଣୁଗୁଣୁ ହୋଇ କିଛି କହିବାରେ ଲାଗିଲା । ଏଥିରେ ବିରକ୍ତ ହୋଇ ସେ ସୁନ୍ଦରୀ ତରୁଣୀ ଜଣକ କହିଲା " କଣ ଚୁପ୍ ହୋଇ ବସିପାରୁନୁ ? ଅସଭ୍ୟ ମ୍ଳେଚ୍ଛ ଲେଡି କୋଉଠୁ ଚାଲିଆସିଲା କେଜାଣି ! ତୁ ଚୁପ୍ ଚାପ୍ ବସିବୁ ଯଦି ବସ ନହେଲେ କନ୍ଡକ୍ଟର କୁ କହି ଏଠୁ ଉଠେଇ ଦେବି ବୁଝିଲୁ "। ତା କଥା ଶୁଣି ସ୍ତ୍ରୀ ଲୋକଟି କହିଲା " କଣ ପାଇଁ ରାଗୁଛୁ ଝିଅ ? ସମୟ ମିଳିଲାରୁ ଟିକିଏ ରାମ ନାମ ଜପୁଥିଲି "। ଏହାଶୁଣି ତରୁଣୀ ଜଣକ ଆହୁରି ରାଗିଯାଇ କହିଲା " ତୋର ରାମ ନାମ ରୁ ମୋତେ କଣ ମିଳିବ । କଣ ନା ରାମ ନାମ । ଚୁପ୍ କର । ଜାଣିପାରୁନୁ ତୋ ରାମ ନାମ ଟା ମୋତେ ଡିସ୍ଟର୍ବ କରୁଛି ବୋଲି " ? ଏହା ଶୁଣି ଚୁପ୍ ରହିଲା ସ୍ତ୍ରୀ ଲୋକଟି  ।  କଥା କଣ କି ସେ ତରୁଣୀ ଜଣକ କାନରେ ଇୟର ଫୋନ ଦେଇ କାହାସହ ଧୀର ଗଳାରେ କିଛି ଅନ୍ତରଂଗ ଆଳାପରେ ବ୍ୟସ୍ତ ଥିଲା । ତେଣୁ  ରାମ ନାମ ଟାବି ତା କାନ କୁ ବୋଧହୁଏ ବିଳାପ ର ଅନୁଭୂତି ଆଣୁଥିଲା ।

ନୀରବରେ କଟିଗଲା କିଛିସମୟ । ଏହାପରେ ସେହି ସ୍ତ୍ରୀ ଲୋକଟି କହିଲା " ଆଲୋ ଝିଅ ! କଟକ କେଡେବଡ ଜାଗା କିଲୋ ? ମୋ ପୁଅ ପାଇଁ ଟଂକା ନେଇ ଯାଉଛି । ପହଞ୍ଚି ପାରିବିତ ? ତାର ଟଂକା ଦରକାର ବୋଲି ହଠାତ୍  ଜଣାଇଲା । କଣ କରିବି ? ସେଇଥିପାଇଁ କ୍ବିଣ୍ଟାଲେ ଧାନ କୁ ଚାଉଳ କରି ବିକି ଦେଇ ସିଧା ବସ୍ ଧରି ପୁଅ ପାଖକୁ ଯାଉଛି । କଟକ ଆଗରୁ କେବେ ଯାଇନାହିଁ ତ । ସେଇଥି ପାଇଁ ଟିକିଏ ଡରଡର ଲାଗୁଛି "। ତାର କଥା କୁ ତାଚ୍ଛଲ୍ୟ କରି ତରୁଣୀ ଜଣକ କହିଲା " ଯଦି ଏତେ ଡର ତେବେ ଯାଉଛୁ କାହିଁକି ? ତୁମଭଳି ମୂର୍ଖ ଆଉ ଡରୁଆ ଲେଡି କଂ ପାଇଁ ନାରୀ ଆଜି ଅବହେଳିତ "। ତା କଥା ଶୁଣି ସେ ସ୍ତ୍ରୀ ଲୋକଟି ଆଉ ଅଧିକ କିଛି ନକହି ଚୁପ୍ ରହିଲେ । ବସ୍ ଯାଇ କଟକ ରେ ପହଞ୍ଚିଲା । ଓହ୍ଲେଇ ଯାଉଯାଉ ସେ ସ୍ତ୍ରୀ ଲୋକଟି କହିଲା " ମା ଲୋ ! ସାହସୀ ହୁଅ । କିନ୍ତୁ ନାରୀ ଟିଏ ହୋଇ ନାରୀ କୁ ମିଠା କଥା ପଦେ କୁହ । ଏହି ମିଠା କଥା ହିଁ ନାରୀ ର ପରିଚୟ "। ଏକଥା ଶୁଣି ତାର ଯିବା ବାଟକୁ ଚାହିଁ ରହିଲା ସେ ତରୁଣୀଟି । ଏହା ଭିତରେ ବସ୍ ବି ଆଗେଇଚାଲିଗଲା ତା ଗନ୍ତବ୍ୟ ସ୍ଥଳକୁ ।

                    ଏ ଘଟଣା କୁ ବେଶ୍ କିଛି ବର୍ଷ ବିତିଗଲା । ନିୟତି ପୁଣି ଦୁହିଁକୁଂ  ଏକାଠି ହେବାର ସୁଯୋଗଦେଲା ।  ଏଥର କିନ୍ତୁ ବଦଳିଯାଇଥିଲା ପରିବେଶ ଆଉ ପରିସ୍ଥିତି । ଗୋଟିଏ ନାଁ କରା ହସ୍ପିଟାଲ ର ୫ ନଂ କେବିନ ର ଦୁଇ ନଂ ବେଡରେ ଅସୁସ୍ଥ ହୋଇ ପଡିଥାଏ ସେଦିନ ର ସେ ସୁନ୍ଦରୀ ତରୁଣୀ । ପାଖରେ ଘେରି ରହିଥାନ୍ତି ଆତ୍ମୀୟସ୍ବଜନ ।  କଷ୍ଟରେ ବିଳାପ କରୁକରୁ ହଠାତ୍ ନଜର ପଡିଲା ତାର ବେଡ ନଂ ୱାନ ଉପରେ । ସେହି ବେଡରେ ଏଡମିଟ ଥିବା ବୃଦ୍ଧା ଜଣକ ଟିକିଏ ଜଣାଶୁଣା ଭଳି ମନେହେଲା ତାକୁ ।  ସେ ପଚାରିଲା " ଆପଣକୁଂ ବୋଧହୁଏ ମୁଁ କେଉଁଠି ଦେଖିଛି । ସେଦିନ ସେ ବସ୍ ରେ ... "। ସେ ବୃଦ୍ଧା ଜଣକ  କହିଲେ " ହଁ ରେ ଝିଅ । ବସ୍ ରେ ତୋର ମୋର ଭେଟ ହୋଇଥିଲା । କଣ ହୋଇଛି ତୋର "? ଏ ପ୍ରଶ୍ନ ରେ ନୀରବି ଗଲା ତରୁଣୀ ଜଣକ । କିଛି ସମୟପରେ ଡାକ୍ତର ବାବୁ ଆସି ସେ ତରୁଣୀ ପାଖରେ ପହଞ୍ଚିଲେ ।  ଗମ୍ଭୀର ଆଉ ବିରକ୍ତି ଭରା ସ୍ବର ରେ ପଚାରିଲେ " ଏବର୍ସନ କେତେ ମାସ ହେଲାଣି "? ଏ ପ୍ରଶ୍ନରେ ଯେତିକି ଆଶ୍ଚର୍ଯ୍ୟ ସେ ତରୁଣୀ ନହେଲା ତାଠାରୁ ଅଧିକ ଆଶ୍ଚର୍ଯ୍ୟ ହେଲେ ତାର ଆତ୍ମୀୟ ମାନେ । ଜଣାପଡିଲା ଅନୈତିକ ସମ୍ପର୍କ ର ଭୁଲ୍ ଆଜି ବିରାଟ ଆକାର ଧରିସାରିଲାଣି । କିଛି ଭୁଲ ପଦକ୍ଷେପ ଯୋଗୁଁ ତରୁଣୀ ଜଣକ ଓଭାରିଆନ୍ କ୍ୟାନସର ରେ ପିଡୀତା । ଉପାୟଶୂନ୍ୟ ତରୁଣୀ ଆଉ ତାର ପରିବାର ଡାକ୍ତର କଂ ଗୋଡ ଧରି ବଞ୍ଚାଇ ଦେବା ପାଇଁ କାକୁତିମିନତି କରିବାରେ ଲାଗିଲେ । କିଛି ଚିନ୍ତା କରିକରି ଡାକ୍ତର ବାବୁ ଅନ୍ୟମନସ୍କ ଭାବେ କେବିନରୁ ଚାଲି ଯାଉ ଯାଉ ନର୍ସ କୁ କହୁଥାନ୍ତି ସାହୁ ସାର୍ କୁଂ ଏ କେଶ୍ ଦିଅ । ଅନେକ ସମୟପରେ ସେ ବୃଦ୍ଧା ଜଣକ ସେ ତରୁଣୀ କୁ କହିଲେ " ବୁଝିଲୁ ମା ! ମଣିଷ ଜାତି କିମ୍ବା ଶରୀର ରେ ନୁହେଁ ମନ ରେ ମ୍ଳେଚ୍ଛ ହୁଏ ।  ତୁ ବ୍ୟସ୍ତ ହୋନା । ମୁଁ ଭଗବାନ କୁଂ ଡାକୁଛି ସେ ନିଶ୍ଚୟ ତୋତେ ଭଲ କରିଦେବେ " । ବୃଦ୍ଧା କଂ କଥା ଶୁଣି ତରୁଣୀ ଜଣକ କହିଲେ " ମା ! ମୋ ଭୁଲ୍ ପାଇଁ ମୋତେ କ୍ଷମା କରିଦିଅ "। ଏକଥା ଶୁଣି ବୃଦ୍ଧା ଜଣକ କହିଲେ " ଆରେ ମା ! ସେଦିନ ଏ ମ୍ଳେଚ୍ଛ ମୁହଁରୁ ଯେଉଁ ରାମ ନାମ ଟା ତୋତେ ଡିସ୍ଟର୍ବ କରୁଥିଲା ସେହି ମ୍ଳେଚ୍ଛ ରାମ ଆଜି ତୋତେ ଏ କଷ୍ଟରୁ ମୁକ୍ତି ଦେବେ । ଆଶ୍ଚର୍ଯ୍ୟ ହୋଇ ତରୁଣୀ ପଚାରିଲେ " ମା ! ମୁଁ କିଛି ବୁଝିପାରିଲିନି "। ଏକଥା ଶୁଣି ବୃଦ୍ଧା ଜଣକ ଅଳପ ହସିଦେଇ ଫୋନ କରି କହିଲେ " ଆରେ ରାମ ! ବାବା ମୋ ବେଡ ପାଖକୁ ଟିକିଏ ଆସିବୁ ତ "! ଏହାର କିଛି ସମୟ ପରେ ଜଣେ ଡାକ୍ତର ସେ କେବିନ ଭିତରକୁ ବ୍ୟସ୍ତ ହୋଇ ପଶିଆସିଲେ । "କଣ ହେଲା ମା"? ବୋଲି ପ୍ରଶ୍ନ କଲେ । ବୃଦ୍ଧା ଜଣକ ସେ ତରୁଣୀ ର ପରିବାର କୁ ପରିଚୟ ଦେଇ କହିଲେ " ଏ ମୋ ପୁଅ ରାମଚନ୍ଦ୍ର ସାହୁ "। ସାଙ୍ଗେସାଙ୍ଗେ ସେ ତରୁଣୀ ର ପରିବାର ଲୋକ କହିଲେ " ତା ହେଲେ ଆପଣ କଣ ସେହି ବିଖ୍ୟାତ କ୍ୟାନସର ସ୍ପେସାଲିଷ୍ଟ ଡଃ ରାମଚନ୍ଦ୍ର ସାହୁ ସାର୍ "! ପଛରୁ ଆଉ ଜଣେ ଡାକ୍ତର ପଶି ଆସୁଆସୁ କହିଲେ " ହଁ ହଁ ଇଏ ସେହି ଡଃ ରାମଚନ୍ଦ୍ର ସାହୁ ସାର୍ " ।

॥  ଜ୍ୟୋତିରଞନ ସାହୁ  ॥