ଏ ଦୁନିଆଁରେ ସବୁକିଛି ଚୋରି ହୁଏ । କେବେ ଧନ ତ କେବେ ମନ କେବେ ସମୟ ତ କେବେ ସ୍ବପ୍ନ କେବେ ଗୌରବ ତ କେବେ ଅଧିକାର । ତେବେ କହିପାରିବେ ଏମିତି ଏ ଦୁନିଆଁରେ କିଏ ଅଛି ଯିଏ କେବେହେଲେ ଚୋରି କରିନାହିଁ ? ମୁଁ ତ ଜାଣିନାହିଁ । ଯଦି ପାଠକ ଭିତରୁ କିଏ ଜାଣିଥିବେ ସେଇଟା ମୁଁ କହିପାରିବିନି । କିନ୍ତୁ ହଁ କେବେ ଚିନ୍ତା କରିଛନ୍ତି ଚୋରି କରିବା ଆଉ ତାହା କରିବା ପଛର କାରଣଟା ସମ୍ପର୍କରେ ! ମୁଁ ଭାବେ ଅନେକ ସମୟରେ ଏ ଆଖି ଯାହା ଦେଖେ ଆଉ ଯାହା ଶୁଣେ ସବୁ ଠିକ୍ ନଥାଏ । ଯଦି ଠିକ୍ ଥାଆନ୍ତା ତାହା ହେଲେ ମୋ ମନ ଭିତରଟା ଅନେକ ସମୟରେ ଅନେକ କିଛି କାରଣରୁ ପଶ୍ଚାତାପର ଅଗ୍ନିରେ ଜଳୁନଥାନ୍ତା ! ଏଇ ଯେମିତି ପଶ୍ଚାତାପର ଅଗ୍ନିରେ ଆଜି ହୁଁ ହୁଁ ହୋଇ ଜଳୁଛନ୍ତି ସଂଗ୍ରାମ ବାବୁ । ସଂଗ୍ରାମ ବାବୁ ଜଣେ ପୋଲିସ୍ ଅଧିକାରୀ । ବୟସ ପଇଁଚାଳିଶ ପାଖାପାଖି ହେବ । ଭାରି ରୁକ୍ଷ ସ୍ବଭାବର । ସ୍ତ୍ରୀ ତାଙ୍କର ତଦୃପ । ସଂଗ୍ରାମ ସହିତ ସମା ର ପୁରା ରାଜ ଯୋଟକ ଯୋଡି । ତାଙ୍କର ଏପରି ସ୍ବଭାବରେ ଖାଲି ଯାହା ହନ୍ତସନ୍ତ ହେଉଛନ୍ତି ସଂଗ୍ରାମ ବାବୁଙ୍କର ବାପା । ମା ତାଙ୍କର  ଆରପାରି କୁ ଚାଲିଯାଇନାହାନ୍ତି ଯେ ମୁକ୍ତିପାଇଯାଇଛନ୍ତି ।

               ସଂଗ୍ରାମ ବାବୁଙ୍କ ବାପାଙ୍କର ଟିକିଏ ମସ୍ତିଷ୍କ ବିକୃତି ଅଛି । ତାମାନେ ନୁହେଁ ସେ ଜଣେ ପାଗଳ । ତେବେ କାହିଁକି କେଜାଣି ବେଳେବେଳେ ହଠାତ୍ ସିଏ ବିଚିତ୍ର ବ୍ୟବହାର କରନ୍ତି । କହିବା ବାହୁଲ୍ୟ ଯେ ଏଥିପାଇଁ ପୁଅ ବହୂଙ୍କର ବେଳେବେଳେ ତାଙ୍କ ପ୍ରତି ହାତ ଉଠାଇବା  ପର୍ଯ୍ୟନ୍ତ କଥାଚାଲିଯାଏ । ସେଦିନର ଘଟଣା । ବାପାଙ୍କୁ ଘରେ ଏକା ଛାଡିଦେଇ ମାର୍କେଟ ଚାଲିଗଲେ ସ୍ବାମୀ ସ୍ତ୍ରୀ ଦୁଇଜଣ । ଆସିଲେ ରାତି ୧୧ଟା ବେଳେ । ଆସି ଦେଖନ୍ତିତ ବାପା ଘରେ ନାହାନ୍ତି । ସମା ପ୍ରଥମେ ଦୌଡିଗଲେ ନିଜ ଶୋଇବା ଘରକୁ । ସେଠାରେ ଦେଖିଲେ ତାଙ୍କ ଆଲମାରୀ ଖୋଲାଅଛି । ବ୍ୟସ୍ତ ହୋଇ ପାଟିକରିଉଠିଲେ" ଚୋର ଚୋର " । "ଚୋର ପଶିଥିଲା ଆମ ଘରେ" କହି ପାଟିକଲେ  । ତାଙ୍କ ପାଟିଶୁଣି ଆଖପାଖର ପଡୋଶୀ ଦୌଡିଆସିଲେ ସଂଗ୍ରାମ ବାବୁକଂ ଘରକୁ । ସମସ୍ତେ ଦେଖିଲେ ଆଲମାରୀ ଖୋଲା ଅଛି । କିଛି ପଡୋଶୀ ପଚାରିଲେ " ଆଲମାରୀ ଭିତରେ ଯାହାଥିଲା ତାହା ଅଛିନା ଚୋରି ହୋଇଯାଇଛି " ? ଏହା ଶୁଣି ସମା ଦୌଡିଯାଇ ଆଲମାରୀଟିକୁ ତନ୍ନତନ୍ନ କରି ଦେଖିବାକୁ ଲାଗିଲେ । ଏତିକି ବେଳେ କେଉଁଠି ଥିଲେ କେଜାଣି ସଂଗ୍ରାମ ବାବୁଙ୍କର ବାପା ଧୀରେଧୀରେ ଘରକୁ ଫେରୁଥାଆନ୍ତି । ଦୂରରୁ ତାଙ୍କୁ ଦେଖିଦେଇ ଦୌଡିଗଲେ ସଂଗ୍ରାମ ବାବୁ ତାଙ୍କ ପାଖକୁ । ପାଗଳ ପାଗଳ କହି ଦୁଇ ଚାରି ବିଧା କଶିଦେଲେ ବାପାଙ୍କ ପିଠିରେ । ପରେ  ପୋଲିସିଆ ଠାଣିରେ କର୍କଶ ଗଳାରେ ପାଟିକରି ପଚାରିଲେ " ହୋଇରେ ପାଗଳ ! ଘର ଖୋଲାଛାଡିଦେଇ କେଉଁଆଡେ ଯାଇଥିଲୁ ? କିଛି ବୁଦ୍ଧି ଅଛି ନା ସବୁ ଖାଇସାରିଲୁଣି ? ଘରେ ଚୋର ପଶିଗଲାଣି , ତୋର ବୁଲିବା ହେଉଛି ! ମୋତେତ ଲାଗୁଛି ତୁ ବୋଧେ ଚୋରି କରିଛୁ । ଦେଖା କଣ ଲୁଚଉଛୁ  " ?  ଏହାକହି ବାପାଙ୍କର ହାତଟା ଖୁବ୍ ଜୋରରେ ଭିଡିଧରିଲେ ସଂଗ୍ରାମ ବାବୁ । ହାତରେ ଧରିଥିବା ଖାଦ୍ୟ ପୁଟୁଳିଟା ହାତରୁ ଖସିପଡିଲା । ଏହାଦେଖି ରାଗରେ ପଞ୍ଚମ ହୋଇଗଲେ ସଂଗ୍ରାମ ବାବୁ । କହିଲେ " ହେଇରେ ଏଇଟା ଚୋର । ସତକହ କେତେ ଟଙ୍କା ଚୋରି କରିଛୁ ? ନହେଲେ ତୋର ଏ ସବୁ ପାଗଳାମୀ ଛଡେଇଦେବି ହାଜତକୁ ନେଇ " । ଡରି ଡରି ତାଙ୍କ ବାପା କହିଲେ " ମୋତେ ଭୋକ ଲାଗିଲା । ତୁ ତ ପଳେଇଲୁ । କଣ କରିଥାନ୍ତି କହିଲୁ । ସେଇଥିପାଇଁ ରଘୁଆ ଦୋକାନକୁ ... "। ଆଉ ଆଗକୁ କହିବାକୁ ନଦେଇ ସଂଗ୍ରାମ ବାବୁ କହିଲେ " ଓହୋ ସେଇଥିପାଇଁ ରଘୁଆ ଦୋକାନକୁ ଯାଇଥିଲ ଟଙ୍କା ଚୋରିକରି ଖାଇବା ଆଣିବା ପାଇଁ " । ଏହାକହି ଆଉ ଦୁଇବିଧା ଲଦିଦେଇ ଘୋସାରି ଘୋସାରି ଘରକୁ ନେଇଗଲେ ବାପାଙ୍କୁ । ପୋଲିସିଆ ବାବୁ ତ। ତେଣୁ କେହି କିଛି କହିବାକୁ ସାହାସ କରୁନଥାନ୍ତି । ଏତିକିବେଳେ ସମା ଭିତରୁ ବଡ ପାଟିରେ କହୁଥାଆନ୍ତି " ନା ନା ସବୁ ଠିକ୍ ଅଛି । ଚୋର ବୋଧେ କିଛି ନେଇପାରିନାହିଁ । ସେ ନେବା ଆଗରୁ ଆମେ ବୋଧେ ପହଞ୍ଚି ଗଲୁ " ! ଏହାପରେ ସେହି ବିରାଟ ଝଡଟା ପ୍ରସମିତ ହେବାକୁଲାଗିଲା । ସମସ୍ତେ ଯେଯାହା ଘରକୁ ଚାଲିଗଲେ । ସେହି ରାତିରେ ସଂଗ୍ରାମ ବାବୁ ଆଉ ତାଙ୍କ ସ୍ତ୍ରୀ ବହୁତ ଗାଳିକଲେ ତାଙ୍କ ବାପାଙ୍କୁ । ସବୁ ଶୁଣି ଚୁପଚାପ ଯାଇ ଶୋଇପଡିଲେ ତାଙ୍କର ବାପା । ରାତି ପାହି ସକାଳ ହେଲା । ସକାଳୁ ସକାଳୁ ଫୁଲ ତୋଳିଲାବେଳେ ରଘୁଆ ସହ ଦେଖାହୋଇଗଲା ସଂଗ୍ରାମ ବାବୁ ଙ୍କର । ରଘୁଆ ଦୋକାନ ଖୋଲିବାକୁ ଯାଉଥିଲା । ସଂଗ୍ରାମ ବାବୁକଂ ସହ ଦେଖା ହୋଇଯିବାରୁ ସାଇକେଲରୁ ଓହ୍ଲାଇପଡି କହିଲା " ଆଜ୍ଞା ନମସ୍କାର ! ଗତକାଲି ରାତିରେ ଆପଣଙ୍କ ବାପା ମୋ ଦୋକାନରେ ଏଇ ଫୋଟୋଟା ଛାଡିଚାଲିଆସିଥିଲେ । ଆପଣଙ୍କ ପିଲାବେଳର ଫୋଟୋଟା । ସେତେବେଳେ ଆପଣ ଚେୟାରରେ ବସି ମଧ୍ୟ ଜାଣିନଥିଲେ । କେତେ ଖୁସି ହୋଇ ମୋତେ ଦେଖାଉଥିଲେ । ତାଙ୍କ ଖୁସିଦେଖି ଲାଗୁନଥିଲା ତାଙ୍କର ମୁଣ୍ଡଦୋଷ ଅଛି ବୋଲି । ଆପଣଙ୍କର ସେହି ପିଲା ଦିନର ଫୋଟଟା ମୋତେ ଦେଖାଇ ଦେଖାଇ କହୁଥାନ୍ତି ' ଏଇଟା ମୋ ସମୁ ର ପିଲାବେଳର ଫୋଟୋ । କେତେ ଗୁଲୁଗୁଲିଆ ଦେଖାଯାଉନି ! ଆଜି କାହିଁ ବହୁତ ମନ ହେଲା ମୋ ସମୁ କୁ ଦେଖିବାକୁ । ଜାଣିଛୁ ଜାଣିଛୁ ମୁଁ ଯେତେବେଳେ ମିଛରେ ରାଗିଯାଇ ଖାଉନଥିଲିନା ସିଏ ତା କୁନି କୁନି ହାତରେ ମୋତେ ଖୁଆଇଦେଇ କହେ ବାପା ରାଗନି । ଆଉ ମୁଁ ବି ତାକୁ ସ୍ନେହରେ କୁଣ୍ଢାଇ ଧରୁଥିଲି । ଆଜିକୁ ବହୁତ ଦିନ ହୋଇଗଲାଣି ମୁଁ ତାକୁ ଆଉ କୁଣ୍ଢାଇ ନାହିଁ । ଆରେ ସିଏ ସିନା ବଡ ହୋଇଗଲା । ହେଲେ ମୁଁ ତ ବୁଢାହୋଇଗଲି ରେ । ତାର କଅଁଳିଆ କଣ୍ଠଟା ସିନା ଗମ୍ଭୀର ହୋଇଗଲା କିନ୍ତୁ ମୋ କଣ୍ଠଟାତ ଶୁଖିଆସିଲାଣି । ଜାଣିଛୁ ଆଜି ବହୁତ ଦିନପରେ ମୋ ସମୁକୁ ପାଇଛି  । ଆଜି ଘରକୁ ଗଲେ ରାତିରେ ତା ସହ ବସି ବହୁତ କଥା ହେବି । ହଁ ହଁ ଆଜି ବହୁତ କଥା ହେବି ' । ଏହାକହି ମୋ ଟେବୁଲ ଉପରୁ ଖାଇବା ପୁଡିଆଟା ଧରି ଚାଲିଆସିଲେ । ଟଙ୍କାଟା ପୁଅ ଦେବ ବୋଲି କହିଥିଲେ । ଆସିଲାବେଳେ ବୋଧେ ଆପଣଙ୍କ ଫୋଟଟା ହଜାଇଦେଇଥିଲେ । ଦୋକାନ ବନ୍ଦ କଲାବେଳେ ଏଇଟାକୁ ମୁଁ ଦୋକାନ ଆଗରେ ପଡିଯାଇଥିବାର ଦେଖିବାକୁ ପାଇଲି " । ଏହାକହି ଫୋଟୋ ଟିକୁ ସଂଗ୍ରାମ ବାବୁଙ୍କୁ ଦେଇ ନିଜ ଟଙ୍କା ଧରି ଦୋକାନ ଖୋଲିବାକୁ ଚାଲିଗଲା ରଘୁଆ । ରଘୁଆ ଗଲାପରେ ସଂଗ୍ରାମ ବାବୁ ଦୌଡିଯାଇ ଆଲମାରୀରେ ଥିବା ନିଜ ଫୋଟୋ ଆଲବମ୍ଟିକୁ ଓଲଟାଇ ପକାଇଲେ । ଦେଖିଲେ ଆଲବମ୍ ରେ ତାଙ୍କର ପିଲାବେଳର ସେହି କଳାଧଳା ଫୋଟୋଟା ନାହିଁ । ଅତି ଯତ୍ନରେ ରଘୁଆ ଦେଇଯାଇଥିବା ତାଙ୍କର ସେହି ଫୋଟୋକୁ ପୋଛି ଆଲବମ୍ ଭିତରେ ପୁରାଇଦେଉଦେଉ ଭାବୁଥାଆନ୍ତି ତାମାନେ ବାପା ଏଇଟାକୁ ଚୋରି କରିଥିଲେ । ଏଥର କିନ୍ତୁ ଆଉ ରାଗନଥିଲା ସଂଗ୍ରାମ ବାବୁଙ୍କର ବାପାଙ୍କ ପ୍ରତି । ସେତେବେଳକୁ ସାତଟା ପାଖାପାଖି ହେଲାଣି । ଏତେ ସମୟ ବାପାଙ୍କର ଉଠିବାର କୌଣସି ଆଭାସ ନପାଇ ବ୍ୟସ୍ତ ହୋଇ ଗଲେ ତାଂକ ରୁମ୍ ଭତରକୁ । ଦେଖିଲେ ବାପା ଶୋଇଛନ୍ତି ଚାଦର ଘୋଡାଇହୋଇ । ଜରିର ଖାଦ୍ୟରୁ କିଛି ମାତ୍ର ଖାଇଛନ୍ତି । ପାଖରେ ପାଣି ଜଗ୍ ତଳେ ଚପାଯାଇ ରଖାଯାଇଛି ଚିଠିଟିଏ । ଚିଠିରେ ଲେଖାଥିଲା " ବାପାରେ ବହୁତ ଭୋକଲାଗିଲା । ବାକିରେ ରଘୁଆ ଦୋକାନରୁ ଖାଇବା ଆଣିଆସିଲି । ତା ପଇସାଟା ଦେଇଦେବୁ । ନହେଲେ ମୁଁ ଏଜନ୍ମରେ ତାର ଋଣୀ ହୋଇରହିଯିବିରେ । ଆଉ ହଁ ମୁଁ ତୋ ଆଲମାରୀରୁ ଚୋରି କରିଥିଲି । ଚୋରି କରିଥିଲି ମୋ ସ୍ମୃତିକୁ ତୋ ପାଖରୁ । ଆଉ ସେଇଟାକୁ ବି ହଜେଇଦେଲି । ମୋତେ କ୍ଷମା କରିଦେବୁ ବାପା " । ଚିଠିଟିକୁ ପଢି ବ୍ୟସ୍ତ ହୋଇ ସଂଗ୍ରାମ ବାବୁ ହଲାଇଦେଲେ ବାପାଙ୍କୁ । ଏଥର କିନ୍ତୁ ବାପା ଭଲ ହୋଇଯାଇଥିଲେ । ଆଉ ପାଗଳାମୀ ନଥିଲା ତାଙ୍କର । ଆଉ ପାଗଳଙ୍କପରି ବକବକ କରୁନଥିଲେ ସିଏ । ସେ ଥିଲେ ନୀରବ । ଠିକ୍ ରାତିର ଅନ୍ଧକାର ପରି । ଏତିକିବେଳେ ସଂଗ୍ରାମ ବାବୁଙ୍କର ଚିତ୍କାର ଶୁଣି ଦୌଡିଆସିଲେ ସମା । ଦେଖିଲେ ବାପାଙ୍କର ଗୋଡକୁ ଜାବୁଡିଧରିଛନ୍ତି ସଂଗ୍ରାମ ବାବୁ । ଆଜି ଅନେକ ଦିନପରେ ସଂଗ୍ରାମ ବାବୁ ସମୟ ଆଉ ସୁଯୋଗ ପାଇଛନ୍ତି ବାପାଙ୍କୁ କୁଣ୍ଢାଇଧରିବାକୁ । ଆଉଥରେ ପୁଣି ସଂଗ୍ରାମ ରୁ ସମୁ ପାଲଟିଯିବାକୁ   ॥

॥   ଜ୍ୟୋତିରଞନ ସାହୁ  ॥
jrs.2013rediffmail@gmail.com