ସହରର ବଡ ବଜାର ଟ୍ରାଫିକ୍ ଛକ ପାଖ ଗରମା ଗରମ ଜଳଖିଆ ଦୋକାନରେ ସକାଳ ବେଳା ଜଳଖିଆଟା ଖାଉଥିଲେ କୁମାର ବାବୁ । କିଛି ସମୟ ପରେ ତାଂକ ପାଖ ଚେୟାରରେ ଆସି ବସିଲେ ଜଣେ ଲେଡିଜ୍ ଟ୍ରାଫିକ୍ ପୋଲିସ । ସାର୍ଟରେ ଲାଗିଥିବା ବ୍ୟାଚ୍ ରେ ଲେଖାଥିଲା ତାଂକ ନାଁ ଅସୀମା ରାଉତରାୟ । ଖୁବ୍ ଜଲଦି ଜଲଦି ଜଳଖିଆ ଖାଇଦେଇ ଚାଲିଗଲେ ଅସୀମା ମ୍ୟାଡାମ୍ ନିଜ ଡ୍ୟୁଟିକୁ । କିଛି ସମୟପରେ କୁମାର ବାବୁ ମଧ୍ୟ ଜଳଖିଆ ଖାଇବା କାମଟା ସାରି ବାହାରିଲେ ନିଜ ଡ୍ୟୁଟିରେ । କୁମାର ବାବୁ ଜଣେ ମେଡିସିନ ରିପ୍ରେଜେନଟେଟିଭ୍ । ଜଣେ ଡାକ୍ତରକଂର ଏପଏଣ୍ଟମେଣ୍ଟ ନେଇଥିଲେ କୁମାର ବାବୁ । ଜଲଦି ଜଲଦି ରେ ଘରେ ଛାଡି ହୋଇଯାଇଥିଲା ହେଲମେଣ୍ଟଟା । ଧରିନେଲେ ଟ୍ରାଫିକ୍ ପୋଲିସ୍ । ଆଉ ସେ ଟ୍ରାଫିକ ପୋଲିସ ଜଣକ  ଆଉ କେହିନୁହେଁ ସେହି ମ୍ୟାଡାମ ଯିଏ କୁମାର ବାବୁକଂ ପାଖରେ ବସି ସେହି ଜଳଖିଆ ଦୋକାନରେ ଜଳଖିଆ ଖାଉଥିଲେ । ମ୍ୟାଡାମକୁଂ ଦେଖୁଦେଖୁ କୁମାର ବାବୁ କହିଲେ " ମ୍ୟାଡାମ  ମୋତେ ଚିହ୍ନିପାରିଲେ "? ମ୍ୟାଡାମ କହିଲେ " ନା' ; ସେକଥା ଛାଡ । ଆଗ ୧୦୦୦ଟଂକା ଫାଇନ୍ ଦିଅ "। ଫାଇନ୍ କଥା ଶୁଣି ମୁଣ୍ଡ ବୁଲାଇଦେଲା କୁମାର ବାବୁକଂର । ଫାଇନ୍ଟାବି କିଛି କମ୍ ନଥିଲା । ଗାଡିଟିକୁ ପାଖ ବରଗଛ ମୂଳରେ ଛିଡାକରାଇ ବହୁକଷ୍ଟରେ ପକେଟରୁ ହଜାରେ ଟଂକା ବାହାରକରି ଦେଲେ । ସାଙ୍ଗେ ସାଙ୍ଗେ ଅସୀମା ମ୍ୟାଡାମ ହୋମଗାର୍ଡକୁ ଡାକି ୧୦୦୦ଟଂକା ଦେଇଦେଲେ । କିଛି ବୁଝିପାରୁନଥିଲେ କୁମାର ବାବୁ । କହିଲେ " ଫାଇନ୍ ଦେଲି ; ଏବେତ ଛାଡନ୍ତୁ " । " ଟିକିଏ ଅପେକ୍ଷା କରନ୍ତୁ" କହିଲେ ଅସୀମା ମ୍ୟାଡାମ୍ । କିଛି ସମୟପରେ କୁମାର ବାବୁ ପଚାରିଲେ " ମ୍ୟାଡାମ ! କଣ ପାଇଁ ହଇରାଣ କରୁଛନ୍ତି ? ଅର୍ଜେଣ୍ଟ କାମ ଅଛି । ଛାଡିଦିଅନ୍ତୁନା "? କୌଣସି ଉତ୍ତର ନଦେଇ ଚାଲିଗଲେ ଅସୀମା ମ୍ୟାଡାମ୍ । ଷ୍ଟପ୍ ଆଉ ଗୋ'ର ଡାଇରେକ୍ସନ ଦେଉଦେଉ ମନପଡିଗଲା ସେହି ପୁରୁଣା ଅଣଲେଉଟା ପୃଷ୍ଠାଟା । ଯାହାକୁ ସିଏ ଆଜିଯାଏ ହୃଦୟ ଭିତରେ ବନ୍ଦକରି ରଖିଛନ୍ତି । ମନେପଡିଯାଉଥିଲା ଯୌବନର ସେ ଖସରା ବାଟଟା । ମନେପଡିଯାଉଥିଲା ନିଜର ପ୍ରଥମ ଆଉ ଶେଷ ପ୍ରେମ ଆଶିଷକଂର ସେହି ରକ୍ତ ଭିଜା ମୁହଁଟା ।


                            ସେଦିନ ଆଶିଷକଂର କଥା କାଟିନପାରି ବେଳାଭୂମି ବୁଲିଯିବାକୁ ରାଜି ହୋଇଯାଇଥିଲେ ଅସୀମା । ଗୋଟିଏ ନିମ୍ନ ମଧ୍ୟବିତ୍ତ ରକ୍ଷଣଶୀଳ ପରିବାରରେ ଜନ୍ମହୋଇ ପ୍ରେମକରିବାଟା ବୋଧେ କୌଣସି ଅପରାଧରୁ କମ୍ ନୁହେଁ । ଆଉ ସେହିଭଳି ଅପରାଧଟେ କରିଦେଇଥିଲେ ଅସୀମା । ପ୍ରେମତ ପ୍ରେମ । ପ୍ରେମ କଣ ବୁଝେ ଦୁନିଆଁର ଅଘୋଷିତ ସୀମାରେଖା; ମର୍ଯ୍ୟାଦାର ଅଦୃଶ୍ୟ ଲକ୍ଷ୍ମଣ ରେଖା ! ତେଣୁ ସେହି ପ୍ରେମର ବନ୍ଧନରେ ବାନ୍ଧିହୋଇ ଉଡିଯାଉଥିଲେ ଦୁଇ ପ୍ରେମପକ୍ଷୀ ସଭିଁକଂ ଦୃଷ୍ଟିଅଢୁଆଳରେ ସଂସାରର କଟକଣାକୁ ଉପହାସକରି । ମୁହଁରେ ବନ୍ଧାଥିବା କଳା କପଡାଟା ପ୍ରତିବନ୍ଧକ ସାଜିଥାଏ ଅସୀମାକଂ ପରିଚୟ ଉପରେ ।କିଛିସମୟପରେ ଦୁହେଁ ଯାଇ ପହଁଞ୍ଚିଗଲେ ସାଗର ତଟର ବେଳାଭୂମି ପାଖରେ । ସେପଟେ ସାଗରର ତରଙ୍ଗାୟିର ଜଳରାଶି ଆଉ ଏପାଖରେ ତରଙ୍ଗାୟିତ ଯୌବନ । କିଛିସମୟପାଇଁ ପ୍ରେମରେ ଲୁଚକାଳି ଖେଳୁଥିଲା ଦୁଇ ଶରୀରର ଚାରି ନୟନ । ହଠାତ୍ କଣଗୋଟିଏ ମନେପଡିଗଲା  ଆଶିଷକଂର । "ଟିକିଏ ଅପେକ୍ଷା କର" କହି ଚାଲିଗଲେ ଆଶିଷ ଅସୀମାକୁଂ ଏକା ଛାଡିଦେଇ । ଏହାଭିତରେ ଅନେକ କିଛି ସୁନେଲୀ କଳ୍ପନାରେ ଭାସିଯାଉଥିଲା ଅସୀମାକଂ ମନ । ହୃଦୟର ସ୍ପନ୍ଦନଟା ପ୍ରତିକ୍ଷଣ ବଢିବଢି ଚାଲିଥାଏ । ହଠାତ୍ ଅସୀମା ଦେଖିଲେ ଅଳ୍ପ ଦୂରରେ ଥିବା ପିଚୁରାସ୍ତା ଉପରକୁ ମାଡିଯାଉଥାଏ ଗୋଟିଏ ଜନ ସମୁଦ୍ର । ଅସୀମା ମଧ୍ୟ ବହିଗଲେ ସେହି ଜନ ସମୁଦ୍ରର ସୁଅରେ । ସେଠାରେ ଯାଇ ଦେଖିଲେ କେହିଜଣେ ବାଇକ୍ ଆରୋହୀ କ୍ଷତାକ୍ତ ହୋଇପଡିଥିଲେ ସେହି ପିଚୁ ରାସ୍ତା ଉପରେ । ମୁଣ୍ଡରେ ଆଘାତଟା ଏତେ ଭୟକଂର ଥିଲା ଯେ ରକ୍ତ ସାଜିଥିଲା ପ୍ରତିବନ୍ଧକ ସେହି ଅଜ୍ଞାତ ଯୁବକର ପରିଚୟ ଉପରେ । ତେବେ ସମସ୍ତକଂ ଭିତରେ ଏକୁଟିଆ ଅସୀମା ହିଁ ମନେମନେ ଉଠାଇ ସାରିଥିଲେ ପ୍ରତିବନ୍ଧକଟା ସେହି ଅଜ୍ଞାତ ଯୁବକର ପରିଚୟ ଉପରୁ । ହୃଦୟଟା ଥରିଉଠିଲା ଆଉ ମୁଖଟା ବାକ୍ଶୂନ୍ୟ ହୋଇପଡିଲା । ଗୋଟିଏ ଅଜଣା ଭୟ ମନ ମସ୍ତିଷ୍କରେ ଖେଳିଗଲା । ସାହସ କରି ପରିଚୟଟା ସର୍ବସାଧାରଣରେ ପ୍ରକାଶ କରିପାରିଲେନି ଅସୀମା । ବୋଧହୁଏ ସେହି ମୂହୁର୍ତ୍ତରେ ସ୍ବାର୍ଥପର ହୋଇପଡିଥିଲେ ସିଏ । ସେହି ମୂହୁର୍ତ୍ତରେ ତାଂକୁ ଦେଖାଯାଉଥିଲା ସଂସାରର ଅଘୋଷିତ ସୀମାରେଖା ଆଉ ମର୍ଯ୍ୟାଦାର ଅଦୃଶ୍ୟ ଲକ୍ଷ୍ମଣ ରେଖାଟା । ସମସ୍ତେ କୁହାକୁହି ହେଉଥାନ୍ତି ପିଲାଟା ହେଲମେଟ୍ ପିନ୍ଧିଥିଲେ ହୁଏତ ବଞ୍ଚି ଯାଇପାରିଥାନ୍ତା । ଲୁହ ଛଳଛଳ ଆଖି ଦେଖୁଥାଏ ଆଶିଷକଂର ମୃତ ଶରୀର ପାଖରେ ପଡିଥିବା ସେହି ରକ୍ତ ଭିଜା ରକ୍ତ ଗୋଲାପଟିକୁ । କିଏ ଜାଣିଥିଲା ସେହି ଅପେକ୍ଷାଟା ପାଲଟିଯିବ ଗୋଟେ ଅନ୍ତହୀନ ଅପେକ୍ଷା । କିଏ ଜାଣିଥିଲା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦଟା ପଡିବା ପୂର୍ବରୁ ସରିଯିବ ଲେଖାଯାଉଥିବା ଜୀବନର ପୃଷ୍ଠାଟା ।

             ହଠାତ୍ ଗୋଟିଏ ଗାଡିର ଉଚ୍ଚ ଶବ୍ଦରେ ଭାବନା ରାଜ୍ୟରୁ  ଫେରିଆସିଲେ ଅସୀମା ମ୍ୟାଡାମ୍ । ସେତିକିବେଳେ ହୋମ୍ଗାର୍ଡ ଆସି ତାଂକୁ ଧରାଇଦେଲା ନୂଆ ହେଲମେଟଟିଏ । ହସିହସି ଅସୀମା ମ୍ୟାଡାମ୍ ତାହାକୁ ଧରାଇଦେଲେ କୁମାର ବାବୁକୁଂ । କହିଲେ " ଜାଣନ୍ତି ବେଳେବେଳେ ଅପେକ୍ଷାଟା ଅନ୍ତହୀନ ହୋଇପଡେ । ଆପଣ ହେଲ୍ କୁ ମିଟ୍ କରିବେନି ମିଟ୍ କରିବେ ନିଜ ଆତ୍ମୀୟ ମାନକୁଂ । ଭୁଲିଯାଆନ୍ତୁ ନାହିଁ ଯେ ଆପଣକୁଂ ସେମାନକଂ ପାଖକୁ ଫେରିବାକୁପଡିବ ଯେଉଁମାନେ ଆପଣକୁଂ କହିଥାନ୍ତି ଘରକୁ ଶୀଘ୍ର ଫେରିବ । ଆମେ ରହିଥିବୁ ତୁମ ଅପେକ୍ଷାରେ " ॥

॥  ଜ୍ୟୋତିରଞନ ସାହୁ  ॥
8895156355
jrs.2013rediffmail@gmail.com