‍୧୦୮  ଆମ୍ବୁଲାନସ୍ଟା ବିକଟାଳ ଶବ୍ଦକରି ମାଡିଆସିଲା ତେଲିସାହି ଆଡକୁ । ଗାଡି ଡ୍ରାଇଭର ତେଲିସାହି ଛକରେ ଆସି ପଚାରିଲା" ଆଜ୍ଞା ସାହୁବାବୁକଂ ଘର କେଉଁଠି "? ଗାଁ ଟୋକା ହାତ ବଢାଇ ଦେଖାଇଦେଲେ 'ସେଇ ଯେଉଁ ବଡ ନଡିଆ ଗଛଟେ ଅଛି ; ସେଇଟା ସାହୁବାବୁକଂ ଘର '। ଆମ୍ବୁଲାନସ୍ ଆସି ଜୋରଦାର୍ ସାଇରନ ବଜାଇବାକୁ ଲାଗିଲା । ଘରୁ ବାହାରି ଆସିଲେ ସାହୁବାବୁ । ଡ୍ରାଇଭର କୁ କହିଲେ " ଚାଲ୍ ଚାଲ୍ । ନିଧି ମଉସା ଘରକୁ ଚାଲ । କେତି ମାଉସୀ ଦେହ ଆଦୌ ଭଲନାହିଁ । ହସ୍ପିଟାଲ ନେବାକୁ ପଡିବ" । ଏହାପରେ ସେହି ଆମ୍ବୁଲାନ୍ସରେ ହସ୍ପିଟାଲ ଆସିଲେ କେତି ମାଉସୀ ଆଉ ସାଂଗରେ ଆସୁଥାନ୍ତି ନିଧି ମଉସା । ଆମ୍ବୁଲାନ୍ସ ଭିତରେ ପ୍ୟାସେଣ୍ଟ ବେଡରେ ଶୋଇଥାନ୍ତି କେତି ମାଉସୀ । ନିଧି ମଉସା ଆଉ ସାହୁବାବୁ ସାମନା ସାମନି ହୋଇ ବସିଥାନ୍ତି । ଉଭୟ ଥାଆନ୍ତି ଚୁପଚାପ୍ । କିଛି ସମୟପରେ ମାଉସୀ କଷ୍ଟରେ ଛଟପଟ ହେବାକୁ ଲାଗିଲେ । ସାହୁବାବୁ ଦେଖିଲେ ନିଧିମଉସା ତରତର ହୋଇ କଣ ଗୋଟିଏ ଗାମୁଛାର ଗଣ୍ଠି ଫିଟାଇ ବାହାରକଲେ । ଆଶ୍ଚର୍ଯ୍ୟର କଥା ସେଇଟା ଥିଲା ଗୋଟିଏ ଚାମଚ୍ । ନୂଆଟିଏ ଭଲା ହୋଇଥାନ୍ତା ! କେଉଁ ଅମଳର ଜଂକ ଲଗା ଚାମଚ୍ ଟା ; ସେଥିରେ ପୁଣି ମଝି କଣା । ସାହୁବାବୁ ପାଟିକରି ଉଠିଲେ " ଆରେ ଆରେ ! ମେଡିସିନ ପଡିଯିବ ଯେ ସେହି କଣା ଚାମଚ୍ଟିରୁ "। ସାହୁବାବୁକଂ କଥା ଶୁଣି ସ୍ମିତହାସ୍ୟ ଟିଏ ହସିଦେଇ ନିଧିମଉସା କହିଲେ " ବୁଝିଲୁ ବାପ! ଏଇଟା ପରା ଯାଦୁ ଚାମଚ୍ । ଏଇ ଚାମଚ୍ ରେ ମ୍ୟାଡିସିନ୍ ଖାଇଲେ ସିଏ ପୁରା ଭଲ ହୋଇଯିବ "। ଟିକିଏ ଆଶ୍ଚର୍ଯ୍ୟ ହୋଇ ସାହୁବାବୁ ପଚାରିଲେ " କେମିତି "? ନିଧି ମଉସା କହିଲେ " ଏଇଟା ପରା ତୋ ମାଉସୀର ଲକ୍ଷ୍ମୀ ଚାମଚଟା । ସିଏ କୁହେ ତାର ଦେହ ଖରାପ ହେଲେ ତାକୁ ଏଇ ଚାମଚ୍ ରେ ଔଷଧ ଦେବାକୁ "। ନିଧିମଉସା କଥା ଶୁଣି ସାହୁବାବୁ ପୁଣି ପଚାରଲେ "କଣ ଅଛି ଏହି ଚାମଚରେ "? ଏଥର ଟିକିଏ ଗମ୍ଭୀର ହୋଇପଡିଲେ ନିଧିମଉସା । କହିଲେ " ସେଦିନ ମୋ ସାତ ବର୍ଷର ପୁଅଟା ଜ୍ବରରେ କମ୍ପୁଥାଏ । ପନ୍ଦର ଦିନ ହେବ ପିଲାଟା ମୋର କିଛି ଖାଇନଥାଏ । ଡାକ୍ତରବାବୁ ମୋତେ କହିଥିଲେ ବୁଝିଲୁ ନିଧି ଏ ଔଷଧଟା ନେଇଯା । ସକାଳ ସଂଧ୍ୟା କରି ଠିକ୍ ଚାମୁଚେ ଚାମୁଚେ ଏଥିରୁ ତୋ ପୁଅକୁ ଦେବୁ । ଘରକୁ ଆଣି କେତି ହାତରେ ଔଷଧଟା ଧରାଇଦେଉ ଦେଉ ତାକୁ କହିଲି ଡାକ୍ତର ବାବୁ କହିଛନ୍ତି ସକାଳ ସଂଧ୍ୟା ଚାମୁଚେ ଚାମୁଚେ ଔଷଧ ଦେବୁ । କେତି କହିଲା ଜହ୍ନ ତାରା ଦିଶୁଥିବା ଘରେ ଚାମଚ୍ କେଉଁଠୁ ଆସିବ ? କିଛି ସମୟପରେ କେତି କହିଲା ରୁହ ରୁହ ପ୍ରଧାନ ସାହେବ ଘରେ ଗୋଟେ ଚାମଚ ଅଛି । ଆଉ ଏଇଟା ସେଇ ଚାମଚ୍ । ତାଂକ ଚିନିଡବାରେ ପଡିଥିଲା । କେତି କୁହେ ଏଇ କଣା ଚାମଚଟାରେ ଚିନି ପକାଇ ଚା' ଟା ଟିକିଏ ଘାଣ୍ଟିଦେଲେ ସାହେବକୁ କୁଆଡେ ଅମୃତ ପରିକା ଲାଗେ । ଅମୃତଟା ତା ହାତରେ ଥିଲା ନା ସେ ଚାମଚରେ କେଜାଣି କିନ୍ତୁ କେତି ମାଗିବାରୁ ସାହେବ ତା'ର ଚାମଚଟା କଣା ହୋଇଗଲାଣି କହି ଦେଇ ଦେଇଥିଲେ । ଅନେକ ଆଶା ନେଇ ଦଉଡ଼ି ଆସିଥିଲା ସେଇ ଚାମଚରେ ପୁଅକୁ ଟିକିଏ ଔଷଧ ଖୁଆଇବ ବୋଲି । ହେଲେ ତାର ଆସିବାଟା ଟିକିଏ ଡେରି ହୋଇଗଲା । ସେ ଆସିବା ଆଗରୁ ପୁଅଟା ଆଖିବୁଜିଦେଇଥିଲା । ପାଗେଳିକଂ ଭଳି ହୋଇଗଲା କେତି । ପୁଅର ବନ୍ଦ ମୁହଁଟା ଖୋଲିଦେଇ ଢାଳିଗଲା ଚାମଚା ଚାମଚା ଔଷଧ । କାହିଁକି କେଜାଣି ସେହିଦିନ ଠାରୁ ସେ ଚାମଚ ସହିତ ତାର ଗୋଟିଏ ଅଜଣା ସମ୍ପର୍କ ଗଢିଉଠିଲା । ପଚାରିଲେ କହେ ' ଆରେ ଏଇଟାରେ ପରା ମୋ ଗପୁ ଔଷଧ ଖାଇଥିଲା । ଆଜିବି ତା ସ୍ପର୍ଶଟା ମୁଁ ଏ ଚାମଚରେ ଅନୁଭବ କରେ । ଜାଣ ଯେବେଯେବେ ମୁଁ ଏ ଚାମଚରେ ଔଷଧ ଖାଏ ମୋତେ ଲାଗେ ମୋ ଗପୁ ମୋ ଓଠରେ ଚୁମଟିଏ ଦେଇ କହୁଛି ମା ତୁ ବ୍ୟସ୍ତ ହୋନା..ଲ । ଦେଖିବୁ ତୁ ନିଶ୍ଚୟ ଭଲ ହୋଇଯିବୁ '। କେତି ମୁହଁରୁ ଏକଥା ଶୁଣିବାପରେ ମୁଁ ଆଉ କୌଣସି ପ୍ରଶ୍ନ ତାପାଇଁ ରଖିନାହିଁ ଏ ଚାମଚ୍ କୁ ନେଇ । ତାର ଯେବେଯେବେ ଦେହ ଖରାପ ହୁଏ , ମୁଁ ଏଇ କଣା ଚାମଚଟାରେ ତା ମୁହଁରେ ଢାଳିଦିଏ ଚାମଚା ଚାମଚା ଔଷଧ । ଆଉ ସିଏ ବହୁତ ଶୀଘ୍ର ଭଲବି ହୋଇଯାଏ । ଆଚ୍ଛା ବାପ ! ସତ କହିଲୁ ଏଥର ଏତେଦିନ ହେଲାଣି ସିଏ କଣ ପାଇଁ ଭଲ ହେଉନି " ? ନିଧିମଉସା ଠାରୁ ଏକଥା ଶୁଣି ସାହୁବାବୁକଂର ଆଖି ଛଳଛଳ ହୋଇଉଠିଥାଏ । ଗାଁ ସ୍ବାସ୍ଥ୍ୟ କେନ୍ଦ୍ରର କମ୍ପାଉଣ୍ଡର ସାହୁ ବାବୁ କିପରି କହିବେ ନିଧି ମଉସା କୁଂ ଯେ ଏଥର ତାଂକର କେତି ମାଉସୀ ଆଉ ଏ କଣା ଚାମଚରେ ଭଲ ହେବନି ବୋଲି । ମିଛ କହିଛି କେତି ମାଉସୀ ଯେ ଏଇଟା ଯାଦୁ ଚାମଚ ବୋଲି । ସାହୁ ବାବୁ ଚିନ୍ତାକଲେ' କଣ କହିଦେବି ସତକଥାଟା ନା ସମୟକୁ ଅପେକ୍ଷା କରିବି ! ଯଦି କହିଦେବି ତେବେ କେମିତି ସାମନା କରିବ ନିଧି ମଉସା ଏ ବୟସରେ ଏହି କଠୋର ସତ୍ୟକୁ ' ! ଏତିକିବେଳେ ଖୁବ୍ ଜୋରରେ ଛାତି ଧଡଧଡ ହେଲା କେତି ମାଉସୀର । ସାହୁବାବୁ ଦେଖିଲେ ତରତର ହୋଇ ସବୁଜାଣିଲାପରି ନିଧି ମଉସା ପାଖରେ ରଖିଥିବା ଗଂଗା ଜଳକୁ ଚାମଚରେ ଢାଳି ନେଉନେଉ ଦୁଇ ବୁନ୍ଦା କଣାଦେଇ ଆଗ ପଡିଗଲା କେତି ମାଉସୀର ପାଟିଉପରେ । ଆଉ ଦେଖୁଦେଖୁ ନିଶ୍ଚଳ ହୋଇଗଲା କେତି ମାଉସୀର ଶରୀରଟା । ହସିହସି ନିଧି ମଉସା କହୁଥାନ୍ତି " ଦେଖିଲୁ ବାପ ! ଏ ଚାମଚରେ ଯାଦୁ ଅଛି । ସେଇଥିପାଇଁତ କେମିତି ତୋ ମାଉସୀ କଷ୍ଟରୁ ମୁକ୍ତି ପାଇଗଲା ଦେଖିଲୁ ! ସେଇଥିପାଇଁ ପରା ତୋ ମାଉସୀ କହେ ମୋତେ ଏଇ କଣା ଚାମଚରେ ଔଷଧ ଦେବ " । ସାହୁବାବୁ କିନ୍ତୁ ଚାହିଁରହିଥାନ୍ତି ମଉସା ହାତରେ ଥିବା ସେ ଚାମଚକୁ ଆଉ ଭାବୁଥାନ୍ତି ସତରେ ଜୀବନଟା ଚାଲିଯିବ ବୋଲି ମଉସା ଜାଣିଥିଲା ନା ସେ ଚାମଚଟା ! କେମିତି ସବୁ ଜାଣିପାରିଲାଭଳି କେତି ମାଉସୀର ଶେଷ ନିଶ୍ବାସଟା ଯାଉଯାଉ ଠିକ୍ ସମୟରେ ସେ ଚାମଚର କଣାଦେଇ ବରଷିଗଲା ଗଂଗା ଜଳ ! ଏହିକଥାକୁ ଭାବୁଭାବୁ ନଜର  ପଡିଲା ନିଧି ମଉସାକଂ ଉପରେ । ସାହୁବାବୁ ଦେଖିଲେ ନିଧି ମଉସାକଂ ହସହସ ମୁହଁଟା ଏକଲୟରେ ଚାହିଁଥାଏ କେତି ମାଉସୀର ନିଷ୍ପ୍ରାଣ ଶରୀରଟାକୁ ॥



॥ ଜ୍ୟୋତିରଞନ ସାହୁ  ॥