ସେଦିନ ଥାଏ ଗୁରୁବାର । ଦେବ ସାର୍ ସ୍କୁଲରୁ  ଆସି ଗୋଡ ହାତ ଧୋଇ ଅପରାହ୍ନ ରେ ନଟ ଖଟି ଆଡେଟିକେ ମାଡିଗଲେ । ହରିପୁର ଗାଁ ର ପୂରା ଖବର ନଟଖଟିରେ ମିଳିଯିବ । ପ୍ରକୃତରେ ନଟ ଚା ଦୋକାନଟା ଠିକ୍ ଗାଁ ମଝିରେ । ଗାଁ ଯାକର ଟୋକା କଂ ଖଟିଟା ସେଇଠି । ବହୁ ପୂର୍ବରୁ ସେଇପାଖରେ ଗାଁ ଭାଗବତ ଟୁଙ୍ଗୀଟା ଥିଲା । ଏବେ ଆଉ ସେଠି ଭାଗବତ ଶୁଭୁନାହିଁ ମୋବାଇଲ ର ସିନେମା ଗୀତ ଶୁଭୁଛି ।

 ନଟ ଅଜା ବୟସ ୭୦ ଉପରେ ହେବ । ଏବେ ବି ଆମର ଠୁ  ଦୁଇଗୁଣ ଅଧିକ କାମ କରିଦେବେ ସିଏ । ପଚାରିଲେ କହନ୍ତି "ଆମେ ଯେଉଁ ଖାଦ୍ୟ ଖାଇଛୁ ତୁମେ ସାତ ଜନ୍ମରେ ଆଉ ଖାଇବାକୁ ପାଇବନାହିଁ ରେ ନାତିଆ ମାନେ । ସେତେବେଳ ର ଶାଗ ଆଉ ବଡିଚୁରା ର ସ୍ବାଦ ଆଜିର ତୁମ୍ଭମାନକଂର ଫାଇବ ଇସ୍ଟାର ହୋଟେଲ ଖାଇବାରେ ବି ମିଳିବନି "। ଖଟିର ପିଲା କଂ ସହ ଥଟ୍ଟା କରିବାଟା ନଟ ଅଜା କଂ ଗୋଟେ ସଉକ । ତେବେ ସେଦିନ ନଟଅଜା ଥାନ୍ତି ନୀରବ । ଖଟି ଟା ବି ଖାଁ ଖାଁ । ଦେବ ସାର୍ କୁଂ ଛାଡି ଆଉ କେହି ନଥିଲେ ଖଟିରେ । ଦେବ ସାର୍ ପଚାରିଲେ " ଆଜି କଣ ଖଟି ଖାଲି ! ଆଉ ଅଜା ଖବର କଣ ? ମୁହଁଟା ତୁମର ଶୁଖିଲା ଶୁଖିଲା ଦିଶୁଛି ? କଣ କିଏକିଛି କହିଲା କି " ? ଟିକିଏ କଷ୍ଟରେ ଅନିଚ୍ଛାକୃତ ହସଟେ ହସି କହିଲେ " ନା ରେ ନାତିଟୋକା ! ଏମିତି ଟିକେ ମନଟା କାହିଁ ଭଲ ଲାଗୁନିତ ସେଇଥି ପାଇଁ ଚୁପ୍ ଚାପ୍ ବସିଛି  "। ହେଲେ ଦେବ ସାର କୋଉ ଛାଡିବା ଲୋକ । ଟିକିଏ ଆପଣାର ହୋଇ ପଚାରିଦେଲେ " ଅଜା ! ଘରେ କେହି କଣ କିଛି କହିଲେ କି ? ତୁମର ପୁଅ ସହ ତ ପଟୁନଥିଲା । ସିଏ କଣ କିଛି କହିଲା କି "? ଏଥର ଆଉ ସମ୍ଭାଳି ହୋଇ ରହିପାରିଲେ ନାହିଁ ନଟ ଅଜା । ଛୁଆ କଂ ଭଳି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ଦେବ ସାର୍ ଯାଇ ଭିଡିଧରିଲେ ନଟ ଅଜା କୁଂ ।  କିଛିସମୟ ପରେ ନଟ ଅଜା କହିଲେ " କଣ କହିବିରେ ପୁଅ  ! କହିଲେ କୁଳ କୁଟୁମ୍ବ କୁ ଲାଜ । ଜାଣିଛୁ ଆଜିକୁ ଚାରିଦିନ ହେଲାଣି ତୋ ଆଈ ନା ଖାଇ ପାରୁଛି ନା ପାଣି ଦି ମୁନ୍ଦା ପି' ପାରୁଛି । ତା ଅବସ୍ଥା ଦେଖି ମୋର ବି ଖାଇବା ପିଇବା ର ଠିକ୍ ଠିକଣା ନାହିଁ । ସେହିଥିରେ ପୁଅମୋର କହୁଛି ଆମେ ବଢାବୁଢୀ ଦୁଇଟା କୁଆଡେ ଅଭିନୟ କରୁଛୁ "। ଏତିକି କହି ପୁଣି କାନ୍ଦିବାକୁ ଲାଗିଲେ ନଟ ଅଜା । ଦେବ ସାର୍ ବ୍ୟସ୍ତ ହୋଇ ପଚାରିଲେ " କଣ ହୋଇଛି ଆଈ ର "?  କୋହଭରା କଣ୍ଠରେ ନଟ ଅଜା କହିଲେ " କଣ ହୋଇଛି ମୋତେ ଜଣାନାହିଁରେ ବାବା ।  କିନ୍ତୁ ପେଟବଥାରେ ଖାଲି ଗଡିବୁଲୁଛି । ନା ଖାଇପାରୁଛି ନା ପି ପାରୁଛି ।  ପୁଅ ଡାକ୍ତରଖାନା ନେଇଥିଲା । ଡାକ୍ତର କହିଲେ ଏଇଠି କିଛି ହୋଇପାରିବନି । କଟକ ନେବାକୁ ପଡିବ । ପୁଅ କହୁଥିଲା କୁଆଡେ ୨୦୦୦୦ ପାଖାପାଖି ଟଙ୍କା ଖର୍ଚ୍ଚ ହେବ । ମୋପାଖରେ ଏତେ ଟଙ୍କା କାହିଁ ? ଗତକାଲି ରାତିରେ ଯାଉଥିଲି ପୁଅପାଖ କୁ । ଛାତିରେ ପଥର ରଖି ଭାବିଥିଲି କହିଥାନ୍ତି ମୋ ପାଖରେ ତ ପଇସା ନାହିଁ । ଆମର ସେ ପୋଖରୀତଳ ଜମି ଦି ମାଣ ରୁ ମାଣେ ବିକିଦେଇ ତା ମା କୁ କଟକ ନେଇ ଭଲକରି ଆଣୁ । କିନ୍ତୁ ଦୁଆର ପାଖରେ ପହଞ୍ଚି ଶୁଣିଲି ବହୂ ମୋ ପୁଅ କୁ କହୁଛି ଏ ବୁଢା ବୁଢୀ କଂ ପଛରେ ଆଉ ଟଙ୍କା ଖର୍ଚ୍ଚ କରି କିଛି ଲାଭ ନାହିଁ । ଏମାନଂକର ତ ଯିବାବେଳ ହେଲାଣି ହେଲେ ଆମର ତ ପୁରା ଜୀବନ ପଡିଛି । ଏଇଠି ଯାହା ହେଇପାରବ କର । ଦେହ ଭଲକରିବାକୁ ଯାଇ ଯେମିତି ଜମିବାଡି ନବିକ । ତା କଥା ଶୁଣି ମୁଁ ସେଇ ଦୁଆର ମୁହଁରୁ ଚାଲିଆସିଲି । ତୋ ଆଈ କୁ ସାମନା କରିବାର ସାହସ ଆଉ ମୋର ନଥିଲା । ତୁ କହୁନୁ କଣ କହି ତା ମନଟାକୁ ମୁଁ ବୁଝାଇଥାନ୍ତି ? ସେ କିନ୍ତୁ ମୋ ଆଖି କୁ ପଢିନେଲା ବୋଧେ । ସେଇଥି ପାଇଁ ଆଜି ସକାଳ ପହରୁ ସେ ମୋତେ ବାରମ୍ବାର କହିଚାଲିଲା ମୋତେ ଟିକେ ବିଷ ଆଣିଦିଅ । ଏ କଷ୍ଟ ଆଉ ସମ୍ଭାଳିପାରିବିନି କି ତୁମର ଶୁଖିଲା ମୁହଁ ଆଉ ଦେଖିପାରିବିନି " । ଏକଥା କହୁକହୁ ନଟ ଅଜା କାନ୍ଦିକାନ୍ଦି ବାହାରେ ପଡିଥିବା କାଠ ବେଞ୍ଚ ଉପରେ ବସିପଡିଲେ  ।ଦେବ ସାର୍ ଅଜା କଂ କଥା କୁ ନିର୍ବିକାର ଚିତ୍ତରେ ଶୁଣିଚାଲିଥିଲେ । ନଟ ଅଜା କଂ ଲୁହ ସରସର ମୁହଁ ଟା ଧୋଇବା ପାଇଁ ଦେବ ସାର୍ ପାଣି ଲୋଟାଏ ଆଣି ନଟ ଅଜା କୁଂ ଧରାଇଦେଲେ । ସେହି ପାଣିରେ ମୁହଁ ଧୋଉଧୋଉ ନଟ ଅଜା କହିଲେ " ବୁଝିଲୁ ବାପା ଏତିକିରେ ମୋ ଦୁଃଖଟା ସରିନିରେ !  ଜାଣିଛୁ ଆଜି ସକାଳୁ ମୋ ପୁଅ ଆସି ମୋତେ କହିଲା ଟଙ୍କା ଯୋଗାଡ ହୋଇଯାଇଛି । ମୁଁ  ଖୁବ୍ ଖୁସିହୋଇଗଲି । ହେଲେ ଯେତେବେଳେ  ଜାଣିଲି ସେ ପଇସା ପାଇଁ ଗଉରୀ କୁ କଂସେଇ ହାତକୁ ଟେକିଦେଇଛି ମନ ଟା ମୋର ଅସ୍ଥିର ହୋଇଉଠିଲା । ମୁଁ ତାକୁ ପଚାରିଲି ତୁ ଏ କଣ କଲୁ । ଏଇ ଗଉରୀ ର କ୍ଷୀର ରକ୍ତ ହୋଇ ତୋର ଆଉ ତୋ ପୁଅ ର ଦେହରେ ବହୁଛି । ତୁ ତାକୁ ସେ କଂସେଇ ଟାକୁ ବିକି ଦେଲୁ! ସେ ଜବାବ କଣ ଦେଲା ଜାଣିଛୁ? କହିଲା ଗାଈ ଟା ବୁଢ଼ୀ ହେଲାଣି ।ଆଗ ଭଳି ଆଉ କ୍ଷୀର ବି ଦେଉନି । କଣ ହେବ ଏ ବୁଢ଼ୀ ଗାଈ ଟା ରଖି । ସେ କଂସେଇ ଆହୁରି କୁହ ୧୨୦୦୦ ହଜାର ଟଙ୍କା ରେ ନେବାକୁ ରାଜି ହୋଇଗଲା । ନହେଲେ କିଏ ନେଇଥାନ୍ତା ଏ ବୁଢ଼ୀ ଗାଈ ଟିକୁ । ତା କଥା ଶୁଣି ମୋର ଆଉ କିଛି କହିବାର ନଥିଲା । ଆଜି ଗୁରୁବାର ସନ୍ଧ୍ୟା ବେଳେ ଆସି ସେ କଂସେଇ ଟା ମୋ ଗଉରୀ କୁ ନେଇ ଯିବ ରେ । ମୁଁ ଲକ୍ଷ୍ମୀ ଛଡା ହୋଇ ଗଲି ରେ ବାପା ମୁଁ ଲକ୍ଷ୍ମୀ ଛଡା ହୋଇ ଗଲି " କହି ଭୂଇଁ ରେ ଗଡିଗଲେ ନଟ ଅଜା ।

      ସେତିକି ବେଳକୁ ଲୋକ ଟା ଗଉରୀ କୁ ନେଇ ସେହି ବାଟ ଦେଇ ଯାଉଥିଲା । ନଟ ଅଜା କୁ ଦେଖି ଗଉରୀ କୁଦ ଟେ ମାରି ଆସି ନଟ ଅଜା କୁ ଚାଟିବାକୁ ଲାଗିଲା। ଅଜା ସ୍ନେହ ରେ ଗଉରୀ ମୁଣ୍ଡ କୁ ଆଉଁସି ଦେଉ ଦେଉ ଦେବ ସାର୍ କୁଂ କହିଲେ " ବା ବା ! ଏ ଦୁନିଆରେ କେହି ମଣିଷ ପାଇଁ କଂସେଇ ନାହାନ୍ତି କି! ଯିଏ ଆମ ପରି ଗରୀବ ,, ବ୍ଯାଧିଗ୍ରସ୍ତ , ଅଲୋଡା ଅଖୋଜା ବୁଢ଼ା ବୁଢ଼ୀ ଙ୍କ ପରି ଅଦରକାରୀ ମଣିଷ ଗୁଡାକୁ  ନେଇ ଯାଉଥାନ୍ତା । ଆଉ ବଦଳ ରେ ଓଜାଡି ଦେଉଥାନ୍ତା କିଛି ଟଙ୍କା "! ନଟ ଅଜା ଙ୍କ ଏ କଥା ଗୁଡା ସେତେବେଳକୁ ଦେବ ସାର୍ ଙ୍କ ହୃଦୟ ଟା କୁ କ୍ଷତାକ୍ତ କରିସାରିଥିଲା । ଏତିକି ବେଳେ ଲୋକ ଟି ଗଉରୀ ର ପଘା ଟା ଭିଡି ଧରିଲା। ଆଉ ତା ହାତକୁ ଭିଡ଼ି ଧରିଲେ ଦେବ ସାର୍ ।  ଲୋକ ଟି କହିଲା "ଏହା ପାଇଁ ୧୨୦୦୦ ଟଙ୍କା ଦେଇଛି "। ଏହା ଶୁଣି ଦେବ ସାର୍ କହିଲେ" ଅଜା ଙ୍କ ଗଉରୀ କୁ ଛାଡି ଦିଅ । ଆଉ ମୋ ସହିତ ଆସ "। ଏତିକି କହି ନଟ ଅଜା ଙ୍କୁ  କୁଣ୍ଢେଇ ଧରି ଦେବ ସାର୍ କହିଲେ" ଅଜା ତୁମେ ଗଉରୀ କୁ ନେଇ ଘରକୁ ଯାଅ । ପୁଅ କୁ କହିବ ଆଈ କୁ କଟକ  ନେଇ ଭଲକରି ଆଣୁ "। ଅଜା ସ୍ନେହ ରେ ଦେବ ସାର୍ ଙ୍କ ମୁଣ୍ଡ କୁ ଆଉଁସି ଦେଇ ଗଉରୀ କୁ ନେଇ ଘରକୁ ଗଲେ ।

         ଏପଟେ ଦେବ ସାର୍ କଂସେଇ କୁ ନେଇ ନିଜ ଘରକୁ ଗଲେ । ଘରେ ପହଞ୍ଚି ପତ୍ନୀ ମିତା ଙ୍କୁ କହିଲେ " ଶୁଣୁଛ ମିତା! ମୋତେ ୧୫୦୦୦ଟଙ୍କା ଦିଅ । ଜଣକୁ ଦେବାକୁ ଅଛି " । ମିତା କହିଲେ " ଆରେ  ଚାରିମାସ ପରେ ଆଜିତ ଦରମା ଘରକୁ ଆଣିଛ, ସେଥିରେ ଆଜିପୁଣି ଗୁରୁବାର । କାଲି ଦେଲେ ହେବନି"? ଦେବ ସାର୍ ମିତା କୁଂ ସମସ୍ତ ଘଟଣା ବିଷୟରେ ବିସ୍ତାର ରେ ବର୍ଣ୍ଣନା କଲେ । ସବୁଶୁଣି ମିତା କହିଲେ " ଆମର ଘରଖର୍ଚ୍ଚ ଅଛି ପୁଣି ତୁମେ ବାପା ମା କଂ ଶ୍ରାଦ୍ଧ ପାଇଁ ଗୟା ଯିବ । ଟଙ୍କା ... ... ... "! " ବୁଝିଲ ମିତା ହୁଏତ ଏଇ ଟଙ୍କା  ଅଭାବରେ ମୁଁ ଏ ବର୍ଷ ଶ୍ରାଦ୍ଧ ପାଇଁ ଯାଇନପାରେ ! କିନ୍ତୁ ଜାଣିଛ ଆମର ଏଇ ଟଂକା ଟା ଦୁଇଟି ମା ର ଜୀବନ ଆଉ ଜଣେ ଅଭାବି ବାପା ର ଓଠରେ ହଜିଯାଇଥିବା ହସ ଆଣିଦେବ  । ଏହାଠୁ ବଡ ଶ୍ରଦ୍ଧାଞଳୀ ଆମ ବାପା ମା କଂ ପାଇଁ ଆଉ କଣ ହୋଇପାରେ "! ନିର୍ବିକାର ହୋଇ ଚାହିଁଥାନ୍ତି ମିତା ଦେବ ସାର କଂ ମୁହଁ କୁ। ଦେବ ସାର୍ ପଚାରିଲେ " କଣ ଭାବୁଛ ମିତା "?  ମିତା କହିଲେ " ଭାବୁଛି ତୁମପରି ଯଦି ସମସ୍ତେ ଅନ୍ୟର  ଦୁଃଖ କୁ କିଛିକିଛି ବାଣ୍ଟି ନିଅନ୍ତେ ତେବେ ଏ ଦୁନିଆଁ ରୁ ଦୁଃଖ ପୁରାପୁରି ଅପସରି ଯାଆନ୍ତା । ପୁଣି ଭାବୁଛି ଯେମିତି  ମୁଁ ସବୁ ଜନ୍ମରେ ତୁମକୁ ହିଁ ସ୍ବାମୀରୂପେ ପାଏ "! ତାଙ୍କ କଥା ଶୁଣି ଦେବ ସାର୍ ହସିହସି କହିଲେ " ବଡ ଭୁଲ କରିବ । ଏ ଜନ୍ମରେ ତ ତୁମର ଅଭାବ ଦୂରକରି ପାରୁନାହିଁ । ବାକି ଜନ୍ମରେ କଣ କରିବି "? ସେତେବେଳକୁ ମିତା ୧୫୦୦୦ ଟଙ୍କା ଆଣି ଦେବ ସାର୍ କଂ ହାତରେ ଧରାଇଦେଇ କହିଲେ "ଅଭାବ ଟା ସିନା ଦୂର କରିପାରିବନି ହେଲେ ମୁଁ ଜାଣେ ତୁମେ କେବେ ମୋ ହୃଦୟ ଟା ବି ଭାଙ୍ଗିବନି "। ମିତାକଂ ମୁହଁ ରୁ ଏକଥା ଶୁଣି ଦେବ ସାର୍ ତାଙ୍କ କପାଳରେ ଆଙ୍କିଦେଲେ ଏକ ସରୁ ଚୁମ୍ବନ  ॥

॥  ଜ୍ୟୋତିରଞନ ସାହୁ  ॥
jrs.2013rediffmail@gmail.com