ଦାସ ବାବୁ କଂ ପରେ ପଣ୍ତା ବାବୁ ବୋଲି କେହିଜଣେ ନୂଆ ଭଡାବାଲା ଆସିଲେ ରାଉତ ବାବୁ କଂ ଘରେ ଭଡାରେ ରହିବାପାଇଁ । ରାଉତ ବାବୁ ତ କଟକରେ ଚାକିରୀ କରନ୍ତି । ପୁରା ପରିବାର ଟା କଟକ ରେ । ସେଇଥିପାଇଁ ତାଂକ ଘରେ ଯେକେହି  ବି ଘରଭଡା ରେ ରହେ ତାର ସବୁ ଅସୁବିଧା କୁ ବୁଝାବୁଝି କରନ୍ତି ସାହୁବାବୁ । ଏପରିକି ଘରଭଡା ଟା ବି ସାହୁବାବୁ କଂ ମାଧ୍ୟମରେ ଯାଇ  ରାଉତ ବାବୁ କଂ ପାଖରେ ପହନ୍ଚେ ।  ସାହୁବାବୁ ରାଉତ ବାବୁ କଂ ପଡୋଶୀ ।ପଡୋଶୀ କହିଲେ ଭୁଲ୍ ହୋଇଯିବ । କାହିଁକିନା  ଦୁଇ ଘର ର ସମ୍ପର୍କ ଗୋଟିଏ ପରିବାର ଭଳି । ସାହୁବାବୁ କଂର ପରିବାର କହିଲେ ବୁଢା ବାପା ମା ତାଂକ ସ୍ତ୍ରୀ ୦୪ବର୍ଷ ର ପୁଅ ସୁନୁ ଓ ତାଂକ ଭାଇ ଆଉ ଭାଇବୋହୂ । ଭାରି ଭଦ୍ର ତାଂକ ପରିବାର ର ପ୍ରତ୍ୟେକଟି ସଦସ୍ୟ ।

               ଏବେ ତାଂକର ନୂଆ ପଡୋଶୀ ସାଜିଲେ ପଣ୍ତାବାବୁ । ଲୋକ ହିସାବରେ ଭାରି ଭଲ ଲୋକ । ଧୀରେଧୀରେ ଦୁଇ ପଡୋଶୀ କଂ ମଧ୍ୟରେ ଘନିଷ୍ଠତା ବଢିଲା । ଉଭୟେ ଉଭୟକଂ ପରିବାର ବିଷୟରେ ଉଣା ଅଧିକେ ଜାଣିବାକୁ ପାଇଲେ । କଥାବାର୍ତ୍ତା ରୁ ସାହୁ ବାବୁ ଜାଣିଲେ ଦୁହେଁ ୦୬ ମାସ ହେବ ବିବାହ କରିଛନ୍ତି । ଆଉ  ପଣ୍ଡାବାବୁ ଉଦ୍ୟାନ ବିଭାଗରେ ଜଣେ ସହକାରୀ ଯନ୍ତ୍ରୀ ରୂପେ କାର୍ଯ୍ୟରତ । କିଛିଦିନ ବେଶ୍ ଭଲରେ ଗଲା । ଦିନେ ହଠାତ୍ ଅଧରାତି ରେ ପାଟିତୁଣ୍ଡ ଶୁଭିଲା ପଣ୍ଡାବାବୁ କଂ ଘରେ । ଏଭଳି  ଛିଟକାଟ ର ବଚସା ରାତି ଅଧରେ ପଣ୍ଡାବାବୁ କଂ ଘରେ କିଛି ନୁଆ ନୁହେଁ । ହେଲେ ଆଜି ଅତ୍ୟଧିକ ପାଟି ଶୁଣି ସାହୁବାବୁ ଦଉଡିଗଲେ ପଣ୍ଡାବାବୁ କଂ ଘର କୁ । ଦେଖିଲେ ପଣ୍ଡାବାବୁ ମଦ ନିଶାରେ ନିଜ ଆୟତ୍ତରେ ନାହାନ୍ତି । ତାଂକ ପତ୍ନୀ ରୁମ୍ ର ଗୋଟିଏ କୋଣରେ ଭୟଭୀତ ଅବସ୍ଥାରେ ଖୁବ୍ କାନ୍ଦୁଥାନ୍ତି । କୌଣସି ପ୍ରକାରେ ବୁଝାଶୁଝା କରି ରାତି ଟି ପାହିଗଲା । ଏହି ଘଟଣା ର କିଛିଦିନ ପରେ ଦିନେ ସାହୁବାବୁ କଂ ଧର୍ମପତ୍ନୀ କହିଲେ " ଶୁଣୁଛ ! ପଣ୍ଡାବାବୁ ଆଉ ତାଂକ ସ୍ତ୍ରୀ କଂ  ମଧ୍ୟରେ କିଛି ବି ଠିକ୍ ନାହିଁ । ପଣ୍ଡାବାବୁ କୁଆଡେ ଆଉ ଗୋଟିଏ ଝିଅ କୁ ଭଲ ପାଉଥିଲେ । ହେଲେ ଘର ଲୋକ କଂ କଥାରେ ଏରେଞ ମ୍ୟାରେଜ କଲେ । ଏବେ ବାହାଘର ପରେ ମଧ୍ୟ ପୁଣି ସେ ପୁରୁଣା ପ୍ରେମିକା ସହ ତାଂକର ଭାବ ଦିଆନିଆ ଚାଲିଛି । ଆମେ ଏଠାରେ ପିଲାଛୁଆ ଧରି ରହିଛୁ । ତୁମେ କିଛି ଗୋଟିଏ କର ନଚେତ୍ ଏ ଫ୍ୟାମେଲି କୁ ଏଠାରୁ ବିଦା କର । ଏଭଳି ଲୋକ ଏଇଠି ରହିବା ଦରକାର ନାହିଁ "। ପତ୍ନୀ କଂର କଥା ଶୁଣି ଚୁପ୍ ରହିଲେ ସାହୁବାବୁ । ଭାବୁଥିଲେ ପଣ୍ଡାବାବୁ କଂ ସ୍ତ୍ରୀ କଥା । 'କଣ କରିବ ବିଚାରୀ ଟା । ଯିବ ମହିଳା କମିଶନ ନଚେତ୍ ପୋଲିସ୍ ଷ୍ଟେସନ ।  ପରିବାର କୁ ଜଣାଇଲେ ମିଳିବ ନା ନା ମୁନି କଂ ନା ନା ମତ । ତାପରେ ଛିଡିଯିବ ସମ୍ପର୍କ ର ଏ ଡୋରୀଟା । ହୁଏତ ଦୁହେଁ ଆଧୁନିକ ଦୁନିଆଁରେ ପୁଣିଥରେ ଗଢିତୋଳିବେ ନିଜନିଜର ନୂତନ ସମ୍ପର୍କ । କିନ୍ତୁ କଣ ଆଉ ଫେରିଆସିବ  ସେହି ବିଶ୍ବାସ ଟା ଅବିଶ୍ବସ୍ୟ ସମ୍ପର୍କ ଉପରେ '?

                       ଏହାରି ଭିତରେ ବିତିଯାଇଛି କିଛିଦିନ । ଦିନେ ସକାଳୁ ସକାଳୁ ପଣ୍ଡାବାବୁ ହସିହସି ଆସି ସାହୁ ବାବୁ କୁଂ କହିଲେ " କଣ ଆଜ୍ଞା ! ଗୋଟେ ଗଞା ରଖିଛନ୍ତି ଯେ ସକାଳ ଟାରୁ ଶୁଆଇ ବସାଇ ଦେଉନି । ଭୋର ରୁ ଯାଇ ଠିକ୍ ଆମ ବେଡ ରୁମ୍ ଝରକା ପାଖରେ ଗଳା ଫଟାଇ ଚିତ୍କାର କରୁଛି । ଯେତେ ଘଉଡାଅ ପୁଣି ଯେ କଥା କୁ ସେଇ କଥା । କହିବି ବୋଲି ଅନେକ ଥର ଭାବିଛି । କିନ୍ତୁ ଭାବେ କାଳେ ଆପଣ ଖରାପ ଭାବିବେ ! କଥାଟା ହେଉଛି ଗଞା ଟା ଛନଛନିଆ ହୋଇଛି । ଦେଖନ୍ତୁ ନହେଲେ , ଏ ନୂଆ ବର୍ଷରେ ଏଇଟାକୁ  ଫିଷ୍ଟ କରିଦେବା । ଏ ଗୋଟାଏ ଗଞା ରଖି କଣ କରିବେ ? ଘର ଦ୍ବାର ସବୁଆଡେ ମଳତ୍ୟାଗ କରି  ଖାଲି ଯାହା ଅପରିଷ୍କାର କରୁଛି "। ଏହା ଶୁଣି ସାହୁବାବୁ ମଧ୍ୟ ଟିକିଏ ହସିଦେଇ କହିଲେ " ଏଇଟା କୁ ଅନେକଥର ଭାବିଛି ଫିଷ୍ଟ କରିଦେବି ନଚେତ୍ ବିକ୍ରି କରିଦେବି । କିନ୍ତୁ ହାତ ଯାଇନି । ଖାଲି ଏଇ ଗଞା ନୁହେଁ ଗୋଟିଏ ଅଣ୍ଡାଦିଆ ମାଈ କୁକୁଡାଟିଏ ବି  ଥିଲା । ୬ ମାସ ପୂର୍ବ ରୁ ଜଣେ କୁକୁଡା ବାଲା ପାଖରୁ କିଣିଆଣିଥିଲି ଦୁଇଟା କୁଂ । ପର ବି ଉଠିନଥିଲା ଦୁଇଟା କଂର । କଥାକଣ କି କିଛିମାସ ପୂର୍ବ ରୁ ଯେଉଁ ପ୍ଲାଷ୍ଟିକ୍ ଅଣ୍ଡା ନ୍ୟୁଜ ଟି ଆସିଥିଲା ତା ପରଠାରୁ ମୁଁ ଡିସିସନ ନେଇଥିଲି ଆଉ ମୋ ପୁଅ କୁ ବାହାର ବିଦେଶୀ ଅଣ୍ଡା ଖୁଆଇବିନାହିଁ । ଛୋଟ ପିଲାଟା । କଣ ନାଇଁ କଣ ହେବ । ତେଣୁ ଯେତେଯାହା ହେଉ ଦେଶୀ ଅଣ୍ଡା ଖାଇବ ସିଏ । ସେଇଥିପାଇଁ ସେ କୁକୁଡା ଛୁଆ ଦୁଇଟା ଆଣି ଅତିଯତ୍ନ ରେ ଘରେ ରଖିଲି । ଭଲ ଖାଦ୍ୟ ଆଉ ଯତ୍ନ ପାଇ କୁକୁଡା ଛୁଆ ଦୁଇଟା ଖୁବ୍ ଶୀଘ୍ର ବଢିଗଲେ । ଦୁଇଟି ଯାକ କୁକୁଡା ଆମର ଏଇ ଘର ଚାରିପାଖରେ ହିଁ ଘୂରିବୁଲନ୍ତି । ତାଂକର ଖାଇବା ଟାଇମ୍ ହେଲେ ବାଡିପଟେ ଆସି ତାଂକ ଖାଇବା ଖାଇଦିଅନ୍ତି । ଜାଣନ୍ତି ଗଞାଟାକୁ ଆଗ ଯେତେ ଖାଇବା ଦେଲେ ବି ମାଈ କୁକୁଡା ଟା ପ୍ରଥମେ ଖାଇଲା ପରେ ସେ ଖାଇବ । ମୋ ପୁଅ ତ ଆ ଆ ଡାକିଦେଲା ମାନେ ଯେଉଁଠି ଥିଲେବି ଦୁଇଟା ଦଉଡି ଆସନ୍ତି ପାଖକୁ । ଦୁଇମାସ ପୂର୍ବ ରୁ ମାଈ କୁକୁଡା ଟା ପ୍ରଥମ କରି ଅଣ୍ଡାଦେବା ଆରମ୍ଭ କରିଥିଲା । ୮/୯ ଟା ଅଣ୍ଡା ଦେଇଥିବ କି କଣ ଦିନେ ଆମର ବାହାର କୁ ହଠାତ୍ ଯିବା ଦରକାର ପଡିଲା । ଘର ର ସମସ୍ତେ ଚାଲିଗଲୁ ଆଉ ଭୁଲିଗଲୁ କୁକୁଡା ଗୁଡାକଂ କଥା । ବ୍ୟସ୍ତତା ଭିତରେ ଏହାବି ମନେ ପଡିଲାନି କୁକୁଡା ଟା ଅଣ୍ଡା ଦେଉଛି ବୋଲି । ଯେତେବେଳେ ମୋର ମନେପଡିଲା ମୁଁ  ମୋ କାମ ଟା ଶୀଘ୍ର ସାରି ଘର କୁ ଫେରିଆସିଲି । ଦେଖିଲି କୁକୁଡା ଦୁଇଟା ଘର ପାଖାପାଖି ନାହାନ୍ତି । ଜଗିରହିଲି ସଂଧ୍ୟା ପର୍ଯ୍ୟନ୍ତ । ନା ଗଞା ଟାର ଦେଖାଥିଲା ନା ସେ ମାଈ କୁକୁଡା ଟାର । ତେବେ ଅନ୍ଧାର ହେବା ଆଗରୁ ଗଞାଟା କେଉଁଠି ଥିଲା କେଜାଣି ଚାଲିଆସିଲା । କିନ୍ତୁ ସେ ଅଣ୍ଡା ଦିଆ ମାଈ କୁକୁଡା ଟିର ଅଫେରା ବାଟ କୁ ଦୁଇମାସ ହେଲାଣି ଏ ଗଞା ଟା ଚାହିଁବସିଛି । କିଛିଦିନ ପର୍ଯ୍ୟନ୍ତ ଗଞା ଟା ନା ଖାଇଲା ନା ପିଇଲା ସବୁବେଳେ ରାଉତବାବୁ କଂ ପାଚେରୀ ଉପରେ ଛିଡା ହୋଇ ଖୁବ୍ ବୋବାଇଲା । ତାର ସେ ଡାକରେ ଗଞା ର ଦାମ୍ଭିକପଣ ନଥିଲା । ଥିଲାବରଂ ଆକୁଳତା ବିବଶତା ଆଉ ଅନ୍ତହୀନ ବିଚ୍ଛେଦ ରେ ପୂର୍ଣ୍ଣଚ୍ଛେଦ ର ପ୍ରତୀକ୍ଷା । ଆଜି ପର୍ଯ୍ୟନ୍ତ ସେ ଖାଇସାରି ଅଧିକାଂଶ ସମୟରେ ରାଉତ ବାବୁ କଂ ବେଡରୁମ୍ ପାଖ ଝରକା ନିକଟରେ ବେଦନାଭରା ଚିତ୍କାର କରେ । ବୋଧହୁଏ ତାର ସାଥୀ ର  ଅଫେରା ବାଟ ଟା ରାଉତବାବୁ କଂ ସେହି ବେଡରୁମ୍ ପାଖ ଦେଇ ଯାଇଛି । ତା ସାଥୀଟା ସିନା ଚାଲିଯାଇପାରିଲା ସେ ଅଫେରା ବାଟରେ କିନ୍ତୁ ବିଚରା ଗଞାଟା ଦେଖିଛି ସେ ଅଫେରା ବାଟ ଟିର କିୟଦଂଶ । ସେଥିପାଇଁ ସେ ହୋଇଯାଇଛି ବିବଶ । ଜାଣନ୍ତି ଆଜ୍ଞା ଯେବେଠାରୁ ସେ ସାଥୀହରା ହୋଇଛି ସେବେଠାରୁ ସେ କହୁନାହିଁ ସୂର୍ଯ୍ୟ ଦେବତା ହେ ! ଉଠ । ମୋତେ ଲାଗେ ସେ ଯେପରି କହୁଛି ସାଥୀ ରେ କୋଉଠି ଅଛୁ ତୁ ଫେରିଆ ' ଫେରିଆ । ସେହି ଦିନଠାରୁ ମୁଁ ଯେମିତି ବୁଝିପାରୁଛି ତା ଭାଷା । ନିରୀହ ପକ୍ଷୀଟା । ନା ତାର ଆମ ଭଳି ବୁଦ୍ଧି ଅଛି ନା ଜ୍ଞାନ ଯେ ଜାଣିପାରିବ ତା ସାଥୀ ଟା ଆଉ କେବେ ତା ପାଖକୁ ଫେରିଆସିବନି ବୋଲି । କିନ୍ତୁ ହଁ' ସେ ମୋତେ ଶିଖେଇଦେଇଛି ଗୋଟିଏ ସମ୍ପର୍କ ର ପରିଭାଷା । ଏବେ ଆପଣ କୁହନ୍ତୁ କେମିତି ମୁଁ ତାର ଅନିଷ୍ଟ କରିବି । ତାକୁ ଦାନା ଦେଈ ଆଶ୍ରାଦେଇ କେମିତି ତାସହ ବିଶ୍ବାସଘାତକତା କରିବି । ତାର ବୁଦ୍ଧି ଜ୍ଞାନ ନଥାଇ ଯଦି ମୋତେ ସମ୍ପର୍କ ର ଏତେ ବଡ ଶିକ୍ଷା ଦେଇପାରିଲା ତେବେ କେମିତି ତା ତୁଳନାରେ ମୁଁ ନିଜେ ମାନବିକତା ର ନିମ୍ନସ୍ତର କୁ ଖସିଯାଇପାରିବି । ତେଣୁ ମୁଁ ତାକୁ ଛାଡିଦେଇଛି ତା ଜୀବନ ଜିଇଁବାପାଇଁ " ।

           ସାହୁ ବାବୁ କଂ ଠାରୁ ଏ ଗଞା ଉପାଖ୍ୟାନ ଟା  ଶୁଣିବାପରେ ଏବେ ଆଉ କେହି ଶୁଣିବାକୁ ପାଉନାହାନ୍ତି ଅର୍ଦ୍ଧରାତ୍ର ର ସେହି ପଣ୍ଡା ଉପାଖ୍ୟାନ କୁ ॥

॥   ଜ୍ୟୋତିରଞନ ସାହୁ  ॥
www.odiastories.in