କାହାଣୀ ର ନାଁ ଟା ପଢିଲେ ନିଶ୍ଚୟ ଟିକିଏ ଅଡୁଆ ଲାଗୁଥିବ। କିନ୍ତୁ ଏଇଟା ଜୀବନ ର ଅଡୁଆ ସୂତା ଭଳି ଏତେ ଟା ଅଡୁଆ ନୁହେଁ। ଜୀବନ ର ଏଇ ଅଡୁଆ ସୂତା ରୁ ନିଜକୁ ମୁକୁଳାଇବାରେ କେବେ ସମ୍ପୂର୍ଣ୍ଣ ଜୀବନଟା କମ୍ ପଡିଯାଏ ଆମେ ଜାଣିପାରୁନା। ଆମରି ଆଖି ଆଗରେ ସଂସାର ରେ କେତେ ଯେ ପରିବର୍ତ୍ତନ ହୋଇଗଲାଣି ତାହାକୁ ତର୍ଜମା କରିବାକୁ କାହାରି ପାଖରେ ସମୟ ନାହିଁ। କାହିଁକି କେଜାଣି ବିଜ୍ଞାନ ଯୁଗରେ କଳାର ଆଦର ଟା ଧୀରେଧୀରେ କମିବାରେ ଲାଗିଛି। ଇତିହାସ ପଢିବାକୁ ଆଉ ଆଗ୍ରହ ନାହିଁ। କେତେ ଆଶ୍ଚର୍ଯ୍ୟ କଥା ଯିଏ ନିଜେ ଦିନେ ଇତିହାସ ପାଲଟିବ ସେହିଁ ଇତିହାସ କୁ ତାଚ୍ଛଲ୍ୟ କରୁଛି। ଇତିହାସ ବିଗତ ସମୟ ର ଏକ ଅମୂଲ୍ୟ ଗ୍ରନ୍ଥ ଯାହା ଦରକାର କରେ ନାହିଁ ଅଗାଧ ପାଣ୍ଡିତ୍ୟ, ଦରକାର କରେ ଖାଲି 'ଅନୁଭବ' । ଇତିହାସ ହେଉଛି କାଳ ଚକ୍ର ର ଏକ ସୁଦୃଶ୍ୟ ବରଦାନ ଯାହା ପାଖରେ ସମୟ କବଳିତ।

କେବେ ଚିନ୍ତା କରିଛନ୍ତି ଜୀବନ ର ସର୍ବାଧିକ ଆନନ୍ଦ କେବଳ ଇତିହାସ ରେ ମିଳେ ବୋଲି । ଇତିହାସ କଣ? କିଛି ସ୍ମ୍ରୁତି ମାତ୍ର। ଯେଉଁ ସ୍ମ୍ରୁତି ସବୁ ଯେତେବେଳେ ଦୃଶ୍ୟ ପଟ ରେ ଝପ୍ସା ହୋଇ ଆଂକି ହୋଇଯାଏ ସେତେବେଳେ ମନରେ ଖେଳିଉଠେ ଆନନ୍ଦ ହିଁ ଆନନ୍ଦ। ଆଉ ଯେତେବେଳେ ସେ ସ୍ମ୍ରୁତି ର ଇତିହାସ ଟା ତାର ଅଫେରା ବାଟରେ ଚାଲିଯାଏ ସେତେବେଳେ ତା ପଛରେ ଛାଡିଯାଏ ବିରହ ର ବେଦନା ଅତୀତ ଆଉ ବର୍ତ୍ତମାନ ମଧ୍ୟରେ।  ଏହିଭଳି କିଛି ସ୍ମ୍ରୁତି କୁ ଆଜି ମନେମନେ ସଜାଡୁଥାନ୍ତି ରଞନ ବାବୁ ।

ରଞନ ବାବୁ ଏକ ଚରିତ୍ର ଯିଏ ନିଜର ପରିଣତ ବୟସରେ ଉପନୀତ। ଏହି ବୟସରେ ହାତରେ ବାଡି ଖନ୍ଡେ ଧରି ବାହାରି ଯାଆନ୍ତି ଖବର କାଗଜ ଆଣିବାକୁ। ଏହା ତାଂକର ନିତି ଦିନିଆ ଅଭ୍ୟାସ। ଆଜି ଖବର କାଗଜ ଆଣୁ ଆଣୁ  ପିଲାଟିଏ ଆସି କହିଲା " ମଉସା ଦୁଇ ଟଂକା ଦବ! ସେ ଗପ ବହି ଟା କିଣି ଥାନ୍ତି। ବଢିଆ ବହିଟା। ଦୁଇ ଟଂକା ମୋ ପାଖରେ କମ୍ ଅଛି ତ"। ତାର ଏହି କଥା ରେ ଯେମିତି ରୋମାନ୍ଚିତ ହୋଇଉଠିଲେ ରଞନ ବାବୁ। ହାତରେ ଦୁଇ ଟଂକା ଦେଉ ଦେଉ ପଚାରିଲେ" କୋଉ ବହି ଟା ନେଲୁ ଦେଖିବା"? ପିଲାଟି କହିଲା"ଜହ୍ନ ମାମୁଁ"। ଆଉ କିଛି ନକହି ତା ହାତ କୁ ଦୁଇ ଟଂକା ବଢାଇ ଦେଲେ ରଞନ ବାବୁ। ନିଜ ହାତ ରେ ସେ କୁନି ପିଲା ର ପିଠି ରେ ଥାପୁଡେଇ ଦେଇ କହିଲେ" ବାବୁ ରେ ଏ ବହି ଦିନେ ତୋର ବହୁତ ମନେ ପଡିବ। ତୁ ଯେତେବେଳେ ମୋ ବୟସ ର ହୋଇଯିବୁ ସେତେବେଳେ ଆଜି କଥା ଟା ମନେପକାଇବୁ"। ପିଲାଟି କିଛି ବୁଝିନପାରି ବଲବଲ କରି ଚାହିଁ ଚାଲିଗଲା। ବାଟ ରେ ଆସୁ ଆସୁ ରଞନ ବାବୁ କଂର କିଛି ଝାପ୍ସା ସ୍ମ୍ରୁତି ସବୁ ମନ ର ଦୃଶ୍ୟପଟ ରେ ଜୀବନ୍ତ ହୋଇଉଠିଲା।

                 ରଞନ ବାବୁ କଂର ପିଲାଦିନ କଟିଥିଲା ଏକ ଅନାମଧେୟ ପାହାଡିଆ ଗାଁରେ। ଯେଉଁ ଗାଁ ଆଜିଭଳି ବିକଶିତ ନଥିଲା। ଯେଉଁଠି ଗାଡି ମଟର ଟିଏ ସପନ ଆଉ ରାତି ହେଲେ ଅନ୍ଧାର। ଏଭଳି ଏକ ସ୍ଥାନ ରେ ନିଜର ହେତୁ ପାଇବା ଦିନଠାରୁ ବାପା ମା କଂ ପରେ  କାହାକୁ ଯଦି ସେ ପ୍ରଥମେ ଚିହ୍ନିଥିଲେ ସେ ହେଲେ ' ଦାଦୁ '। ଆଜିବି ଦାଦୁ କହିଲେ ମନେପଡିଯାଏ ଟାଂଗରା ମୁଣ୍ଡ ପଛରେ କେଇ କେରା ପାଚିଲା ଚୁଟି କୁ ଲମ୍ବା ପାଚିଲା ଦାଢି, ଖଣ୍ଡେ ମଇଳା ଧଳା ହାଫ୍ ସାର୍ଟ ଆଉ ଖାକି ହାଫ୍ ପେଣ୍ଟ୍ , ପାଦରେ ପଛ ପଟ ଘୋରିପଡିଥିବା ହଳେ ଚପଲ ଆଉ ଘଣ୍ଟି ଲଗା ପୁରୁଣା ସାଇକେଲ। ସେହିଥିରେ ସେ ଘୁରିବୁଲୁଥିଲା ସାରା ଗାଁଟି ଯାକ କିଛି ଖବର କାଗଜ ଆଉ ମ୍ୟାଗାଜିନ୍ ଧରି ରଞନ ବାବୁ କଂ ଜନ୍ମ ର ଯଥେଷ୍ଟ ପୂର୍ବ ରୁ। ସାରା ଗାଁ ର ସିଏ ଦାଦୁ। କହନ୍ତି ସେ କୁଆଡେ ବଂଗାଳି ତ ସେଇଥିପାଇଁ ଦାଦୁ ନାଁ ରେ ସେ ପରିଚିତ ହୋଇଗଲା । ତାର ବଙ୍ଗଳା ମିଶା ଓଡିଆ ଶୁଣିବାକୁ ଯେପରି ମିଠା ଲାଗୁଥିଲା ତାର ସ୍ବଭାବ ଟା ଥିଲା ତାଠାରୁ ଅଧିକ ମିଠା। ରଞନ ବାବୁ କୁଂ ପିଲାଦିନେ ସମସ୍ତେ ପୁପୁ ବୋଲି ଡାକୁଥିଲେ। ଭାରି ଭଲପାଉଥିଲେ ସମସ୍ତେ ପୁପୁ କୁ। ଆଉ ଦାଦୁ ବି ସବୁଦିନ ପୁପୁ ଘର ରାସ୍ତା ଦେଇ ଗଲାବେଳେ ପୁପୁ ବୋଲି ବଡପାଟିରେ ସ୍ନେହ ଭରା ଡାକଟେ ଦେଇ ଚାଲିଯାଉଥିଲା। ଛୋଟ ବେଳେ ପ୍ରଥମେ ପ୍ରଥମେ ଖୁବ୍ ଡରୁଥିଲା ପୁପୁ  ଦାଦୁ ର ରୂପ ଦେଖି। କିନ୍ତୁ କାଳକ୍ରମେ ତା ସହ ଏକ ସ୍ନେହ ସମ୍ପର୍କ ର ଡୋରୀ ଟିଏ ଛନ୍ଦି ହୋଇଗଲା। ଜରାଗ୍ରସ୍ତ ତାର ଦୁର୍ବଳ ଶରୀର ରେ କର୍ମ ର ବୋଝ ଟା ସ୍ପଷ୍ଟ ବାରିହୋଇପଡୁଥିଲା। ଯାହାକୁ ବୋଧହୁଏ ବାରିପାରି ପୁପୁ ଦିନେ ଦାଦୁ ର ଫେରିବା ବେଳ ରେ ତା ହାତ କୁ ଗାମୁଛା ଟିଏ ବଢାଇ ଦେଇ କହିଲା"ଦାଦୁ ବହୁତ ଗରମ୍। ଝାଳ ପୋଛିପକାଅ"। ଆଖି ଛଳଛଳ ହୋଇଉଠିଲା ଦାଦୁ ର। ଏହାପରେ ରଞନ ବାବୁ କଂ ମା ସହ ଦାଦୁ ର ଯେଉଁଠାରେ ବି ଭେଟ ହେଉ ନା କାହିଁକି ଦାଦୁ କହେ" ବଉଦି ତୁମାର ଛେଲେ ଟା ଖୁବ୍ ଭାଲ । ଈଶ୍ବର ତାର୍ ମଂଗଳ କରୁନ୍"। ଦାଦୁ ମୁହଁରୁ ବହୁବାର ଏ କଥା ଟା ଶୁଣି ସାନ ବେଳୁ ପୁପୁ ଜଣେ ଭଲପିଲା ହେବା ର ଚେଷ୍ଟାରେ ଲାଗିପଡିଥିଲ।। କାହିଁକିନା ଭଲ ଖରାପ ର ପରିଭାଷା ସେତେବେଳେ ତାକୁ ଜଣାନଥିଲା। ତେଣୁ ଚେଷ୍ଟାଥିଲା କଣ କଲେ ସେ ଆହୁରି ଭଲପିଲା ଟେ ହେବ। ପିଲାଟି ବେଳୁ ଭଲପିଲା ହେବାର ଇଚ୍ଛାଟା କେଉଁଠି ନା କେଉଁଠି ଦାଦୁ ହିଁ ରଞନ ବାବୁ ଓରଫ୍ ପୁପୁ  ମନରେ ସୃଷ୍ଟି କରିଥିଲା।

ସେତେବେଳେ ପୁପୁ ଓରଫ୍ ରଞନ ବାବୁ  କଂର ଘରେ ପଇସା ପତ୍ର ର ଅଭାବ ଥିଲା। ସେଇଥିପାଇଁ ଦାଦୁ ମାଗଣାରେ ପେପର ପଢିବାକୁ ଦେଉଥିଲା ଆଉ ସଂଧ୍ୟା ପୂର୍ବରୁ ତାକୁ ନେଇ ଯାଉଥିଲା। ପୁପୁ ର ସବୁଦିନ ର କାମହେଲା ସକାଳୁ ଦାଦୁ କୁ ରାସ୍ତାରେ ଜଗିବା। ଦାଦୁ ଘନ୍ଟି ବଜେଇ ଆସିଲେ ପୁପୁ ଦୌଡୁଥିଲା ରାସ୍ତା କୁ। ସେତେବେଳେ ପ୍ରତି ମାସରେ ପୁପୁ ଘରେ ଜହ୍ନ ମାମୁଁ ପତ୍ରିକା ଟିକୁ ଦାଦୁ ମାଗଣାରେ ପଢିବାକୁ ଦେଇଯାଉଥିଲା। ଆଉ ପଢିସାରିଲା ପରେ  ପୁପୁ ର ମାଁ ପୁଣି ତାକୁ ଫେରାଇ ଦେଉଥିଲେ ଦାଦୁ କୁ। ସେତେବେଳେ ଲେଖାପଢା ଜାଣିନଥିବା ଛୋଟ ବାଳକ ପୁପୁ ବସିବସି ମା କଂ ସହ ଜହ୍ନ ମାମୁଁ ର ଛବି ସବୁ ଦେଖୁଥିଲା। ବେଳେବେଳେ ଜିଦ୍ କଲେ ମାଁ ତାକୁ କିଛି ଗପ ପଢି ଶୁଣାଇ ଦେଉଥିଲେ। ଗପ ଶୁଣୁଶୁଣୁ ନିଦ ଆସିଗଲେ ବି ଜହ୍ନ ମାମୁଁ ର ସ୍ବପ୍ନ ଦୁନିଆଁରେ ଘୂରିବୁଲୁଥିଲା ପୁପୁ।  ଆଜି ବି ପୁପୁ ଓରଫ୍ ରଞନ ବାବୁକଂ  ମନେପଢିଯାଏ ସେତେବେଳେ ଶୁଣିଥିବା ଆଉ ଦେଖିଥିବା ଜହ୍ନ ମାମୁଁ ର ସେ ଛବି , ସେ ବହ୍ନି ଦ୍ବୀପ ର ବାଘ ଛାଲ ପିନ୍ଧା ଆଉ ବିଲୁଆ ମୁହାଁ ମଣିଷ , ପୁଣି ଅସରନ୍ତି ବେତାଳ କଥା ର ଖନ୍ଡା ଧରା ରାଜା ଆଉ ସେ ଭୟକଂର ମଣିଷ ଖପୁରୀ ଗଛ । ଆହୁରି ବି ରାମାୟଣ ମହାଭାରତ ଉତ୍ତର ରାମାୟଣ ର ସେ ଅଭୁଲା ଚିତ୍ର ସବୁ କେତେବେଳେ କେମିତି ରଞନ ବାବୁ କଂ ଦୃଶ୍ୟପଟ ରେ ଆଜିବି ନାଚିଯାଆନ୍ତି। ପିଲାଟିର ଜହ୍ନ ମାମୁଁବହି ପ୍ରତି ଅହେତୁକ ଆକର୍ଷଣ ଦେଖି ଦିନେ ଦାଦୁ କହିଲେ " ବୁଝିଲୁ ବାବା ! ଜେ ଦିନ୍ ତୁମେ ବହି ପଢିବ ନା ସେ ଦିନ୍ ଆମି ତୋତେ ଏ ଜହ୍ନ ମାମୁଁ ଟା ପୁରା ଦିଏଦେବ। ଆଉ ନେବନି। ଖାଲି ଛବି ଦେଖ୍ଲେ ହବନି। ବାବା ଭଲ କି ପାଠ ପଢ"। ତାର ଏଇ କେଇପଦ କଥା ପୁପୁ ଓରଫ୍ ରଞନ ବାବୁ କଂ ମନରେ ପାଠପଢା ପ୍ରତି ଅହେତୁକ ଶ୍ରଦ୍ଧା ଆଣିଦେଲା। ବିଦ୍ୟାଳୟ ଯାଉ ଯାଉ ଯେତେ ଶୀଘ୍ର ସମ୍ଭବ ପୁପୁ ବହି ପଢିବା ଶିଖିଗଲା । ଯେଉଁଦିନ ପୁପୁ ପ୍ରଥମେ ବହି ପୁରା ପଢିବା ଶିଖିଗଲା ଖୁସି ହୋଇ ଘରକୁ ଦୌଡିଯାଇ ଦାଦୁ ଦେଇଥିବା ଜହ୍ନ ମାମୁଁ ଟିକୁ  ଓଲଟାଇପକାଇଲା ପଢିବା ପାଇଁ। ମାଁ କୁଂ ଆତ୍ମହରା ହୋଇ ଡାକି କହିଲା 'ଦେଖ୍ ମା ମୁଁ ତୋତେ ଜହ୍ନ ମାମୁଁ ପଢି ଶୁଣେଇ ଦେଉଛି'। ଏତିକି କହି ଧୀରେଧୀରେ ପୁପୁ ପଢିଦେଲା ଗୋଟିଏ ଗପ'ଚତୁର ରାଜା'। ପୁପୁ ର ଏତେ ଖୁସି ଦେଖି ତା ମାଁ କହିଲେ "ଏଥର ଆମେ ଜହ୍ନ ମାମୁଁ ଘର କୁ ମଗାଇବା। ମୁଁ ବାବା କୁଂ କହିବି"। ଏକଥା ଶୁଣି ପୁପୁ ମନ ଖୁସି ରେ ଆତ୍ମହରା ହୋଇଉଠିଲା। ଭାବିଲା" ଯାହେଉ ଏଥର ଜହ୍ନମାମୁଁ ଆମ ଘରେ ରହିବ। ଦାଦୁ ଆଉ ନବନି। ମୁଁ ତାକୁ ମନ ଭରି ଦେଖିବି ଆଉ ପଢିବି"।

                                        ଏହିକଥା ଭାବିଭାବି ତାକୁ ଆଉ ରାତିରେ ନିଦ ହେଲାନାହିଁ। ସକାଳୁ ଉଠି ସିଧାଯାଇ ରାସ୍ତା ଉପରେ ଦାଦୁ ର ଅପେକ୍ଷା ରେ ରହିଲା ପୁପୁ। ସବୁଦିନ ପରି ଆଜି ତ କାହିଁ ଦାଦୁ ର ସାଇକେଲ ଘଣ୍ଟି ଟା ଶୁଭିଲାନି। ବହୁତ ସମୟ ବିତିଗଲା। ଦାଦୁ ଆସିବାର କୌଣସି ସୂଚନା ନଥିଲା। ପୁପୁ କିନ୍ତୁ ଜଗିଥାଏ ଦାଦୁ ର ଆସିବା ବାଟକୁ। ମା ଯାଇ ତାକୁ ବହୁତ ବୁଝାଇଲେ ଯେ ଦାଦୁ ଆଜି ଆସିନପାରେ।  କିନ୍ତୁ ପୁପୁ ର ଜିଦ୍ ସେ ଦାଦୁ କୁ କହିବ ସେ ଏଥର ଜହ୍ନ ମାମୁଁ ପଢିପାରୁଛି। ଖରା ଯାଇ ମୁନ୍ଡ ଉପରେ ପହନ୍ଚିଲା ; କିନ୍ତୁ ଦାଦୁ ର ଦେଖାନଥିଲା।   ପୁପୁ ର କାନ୍ଦ କାନ୍ଦ ମୁହଁ କୁ ନିଜ ଛାତିରେ ଜଡିଧରିଲେ ତା ମା। କହିଲେ" ବ୍ୟସ୍ତ ହୋନା ଦାଦୁ ନିଶ୍ଚୟ ଆସିବ। ଆଉ ତୁ ତା କୁ କହିବୁ ମୁଁ ତୁମ ସବୁ ବହି ପଢି ସାରିଦେବି। ମୋର କେତେ ପାଠ ହୋଇଯିବ। ତୁମେ ପାଠ ରେ ମୋଠୁ ହାରିଯିବ"। ପୁପୁ ଦେଖିଲା ମା କଂ ଆଖି ରୁ ଦୁଇ ଟୋପା ଲୁହ ଖସିଆସି ତା ମୁନ୍ଡ ଉପରେ ପଡିଲା। ବାଳୁତ ମନ ତାର କିଛି ବୁଝିପାରିଲା ନାହିଁ।

କିନ୍ତୁ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ରଞନ ବାବୁ ଅପେକ୍ଷା କରିଛନ୍ତି ତାଂକ ଦାଦୁ ଆସିବ। ଦାଦୁ କଥାଟା ଭାବି ଭାବି ଆସିଲା ବେଳେ ରଞନ ବାବୁ ତାଂକ କଳ୍ପନା ଚକ୍ଷୁ ରେ ଦେଖୁଥାନ୍ତି ଦାଦୁ ତାଂକର ସାଇକେଲ ଘଣ୍ଟିଟା ମାରି ଚାଲିଯାଉଛନ୍ତି ସତେକି ନଶୁଣିଲାପରି ଆଉ  ତା ପଛେପଛେ ଦୌଡୁଛି ପିଲାଟିଏ। ହେଲେ ଏ କଣ ସେ ପିଲା ଆଉ କେହିନଥିଲା  ସେ ଥିଲା ପୁପୁ। ଦାଦୁ ପଛେପଛେ ଦୌଡୁ ଦୌଡୁ ବଡ ପାଟି ରେ ଡାକ ଛାଡୁଥାଏ" ଏ ଦାଦୁଉଉଉ... ଜହ୍ନ ମାମୁଁ ଅଛି "?

<<ଜ୍ୟୋତିରଞନ ସାହୁ>>
jrs.2013rediffmail@gmail.com