କିଛି ସ୍ମୃତି ପିଲାଦିନର । ଯାହା ଲିଭି ଯାଇଥିଲା ମନ ର କଳାପଟା ରୁ । କିନ୍ତୁ ଆଜି  ପାଖାପାଖି ୩୦ ବର୍ଷ ପରେ  କଟକ ବସ୍ ଷ୍ଟାଣ୍ଡ ରେ ସେ ସ୍ମୃତି ଟା କଥା କହୁଥିଲା । " ସାର୍ ମ୍ୟାଡାମ ମାତ୍ର ୧୦ ଟଂକା ରେ ନିଜ ପିଲା କୁଂ ଇଂରାଜୀ ଶିଖାନ୍ତୁ ଏହି ଛବିଳ ଇଂରାଜୀ ଶିକ୍ଷା ବହି ଦ୍ବାରା । ଆଉ ଛବିଳ ମଧୂବର୍ଣ୍ଣବୋଧ ଯେଉଁଥିରେ ଆପଣମାନେ ପିଲାକୁଂ ଓଡିଆ ବର୍ଣ୍ଣମାଳା ଯୁକ୍ତାକ୍ଷର ସହଜରେ ଶିଖାଇପାରିବେ । ପାନ ବିଡି ଚା ଖାଇ ଦିନରେ କେତେ ଟଂକା ସାରିଦେଉଛନ୍ତି ଆଜ୍ଞା । ହେଲେ ମୋ ପାଖରୁ ୧୦ଟଂକା ରେ ଏହି ଦରକାରୀ ବହି ଟି ନେଇଯାଆନ୍ତୁ । ପିଲା କଂ ଦରକାର ରେ ଆସିବ "। ବହି ଗୁଡିକୁ ଦେଖି ବଡ ଆଗ୍ରହ ରେ ତାଠାରୁ ମାଗିଲି ଦେଖିବା ପାଇଁ । ଉତ୍ସୁକତା ର ସହ ଓଲଟାଇଗଲି ପୃଷ୍ଠାପରେ ପୃଷ୍ଠା ।  ଧୀରେ ଧୀରେ ହାତ ବୁଲାଇ ଆଣିଲି ପ୍ରତ୍ୟେକ ଟି ପୃଷ୍ଠା ଉପରୁ । ସ୍ପର୍ଶ ଶକ୍ତି ମୋର ଅନୁଭବ କରୁଥିଲା ସେ ପ୍ଲେନ ପେପର ଉପରେ ଛପାଯାଇଥିବା ପ୍ରତ୍ୟେକ ଟି ଅକ୍ଷର କୁ ଆଉ ପ୍ରତ୍ୟେକ ଟି ଚିତ୍ର କୁ । ବାହାର କୁ ୩୫ବର୍ଷ ର ଶରୀର ଟା ମନରେ ପାଲଟି ଯାଇଥିଲା ୫ବର୍ଷ ର ଜ୍ୟୋତି କିଛିସମୟ ପାଇଁ । ସେହି ସମୟ ଭିତରେ ମୁଁ ଜଈଁଥିଲି ସ୍ମୃତି କୁ । ସେହି ଲେଖା ସେହି କଳା ଧଳା ଚିତ୍ର । ବ୍ୟସ୍ତ ହୋଇ ଓଲଟାଇ ପକାଇଲି  ଛବିଳ ମଧୁ ବର୍ଣ୍ଣବୋଧ ବହି ଟିର ପୃଷ୍ଠା ନଂ ୨୫ ଆଉ ୨୬ । ମନେମନେ ଗୁଣୁଗୁଣୁ ହୋଇଗଲି କି ସୁନ୍ଦର ଆହା କି ଆନନ୍ଦମୟ.... । ଏହାସହ ଆଖିଆଗରେ ନାଚିଯାଉଥିଲା ସ୍କୁଲ ର ଝାକୁଂଡିଆ କାଜୁଗଛ ମୂଳରେ ଧାଡିଧାଡି ପିଲାକଂ ମେଳ ରୁ ସକାଳ ର ସେହି ପ୍ରାର୍ଥନା " କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର...."। ଏତିକିବେଳେ କାହାରି ଏକ ଅଜଣା ସ୍ପର୍ଶ ରେ ଫେରିଆସିଲି ସେହି ସ୍ମୃତି ର ରାଜ୍ୟ ରୁ । ବୁଲିପଡି  ଦେଖିଲି ବହି ବିକ୍ରିକରୁଥିବା ପିଲା ଟି ପଚାରୁଛି" ସାର୍ ବହି ଟା ନେବେ "! ମୁଁ କିଛି ନକହି ତା ହାତକୁ ବଢାଇଦେଲି ୧୦୦ଟଂକା । ସେ ପକେଟ ଖୋଜାଖୋଜି କରି ୬୦ ଟଂକା ପାଇଲା । କହିଲା " ସାର୍ ! ଆଉ କିଏ ଏ ବହି ନେଉଛି ! ସକାଳୁ ଏପର୍ଯ୍ୟନ୍ତ ମାତ୍ର ଛଅଟି ବହି ବିକିଛି । ବହି ଦେଇଦିଅନ୍ତୁ ସାର୍ । ମୋ ପାଖରେ ଫେରାଇବାକୁ ଆଉ ଟଂକା ନାହିଁ"। ଏତିକି କହି ସେ ବହିନେବା ପାଇଁ ହାତ ବଢାଇଲା । ମୁଁ ବହି ଗୁଡିକୁ ବ୍ୟାଗ ଭିତରେ ରଖିଦେଇ ମୋ ହାତ ତା ଆଡକୁ ହାତ ବଢାଇଦେଲି । ସେ କିଛି ସମୟ ମୋ ମୁହଁ କୁ ଚାହିଁଲା ଆଉ ୬୦ ଟଂକା ମୋ ହାତ କୁ ବଢାଇଦେଲା । ଏତିକିବେଳେ ବସ୍ ଟି କଟକ ଷ୍ଟାଣ୍ଡ ଛାଡିବାକୁ ପ୍ରସ୍ତୁତ ହୋଇସାରିଥିଲା । ସେ ତରତର ହୋଇ ବସ୍ ରୁ ଓହ୍ଲାଇଗଲା । ସେ ଯିବାପରେ ପାଖରେ ବସିଥିବା ମୋ ପତ୍ନୀ ମହାଶୟା କହିଲେ " ତୁମକୁ ପାରିହେବନି । ଜାଣୁଜାଣୁ ଠକିଗଲ "! ମୁଁ ସ୍ମିତ ହସ ଟିଏ ଦେଇ ମନେମନେ କହିଲି " ତୁମେ ବୁଝିପାରିବନି ଲୀନା । ବେଳେବେଳେ ଠକିଯାଇଥିବା ଲୋକ ର ବି କିଛି ଅଜଣା ଲାଭ ଥାଏ"। ଆଉ ଏହାପରେ ବସ୍ ସିଟ୍ ରେ ଆଉଜି  ହୋଇ ମୋ ପତ୍ନୀ ର ଅବୁଝା ମୁହଁ ଟିକୁ ମନଭରି ଦେଖୁଥିଲି ମୁଁ ॥

॥  ଜ୍ୟୋତିରଞନ ସାହୁ  ॥
jrs.2013rediffmail@gmail.com