ମଧ୍ୟରାତ୍ରିର ଘନ ଅନ୍ଧାର । ସେଥିରେ ପୁଣି  ଦାଉ ସାଧୁଥାଏ ଧାରା ଶ୍ରାବଣ । ମଝିରେ ମଝିରେ ବିଜୁଳିର ଚକମକ୍ ଆଲୁଅଟା ଧସେଇହୋଇ ପଶିଆସୁଥାଏ ୧୯୩୬ ମସିହାରେ ତିଆରି ରଙ୍ଗପୁର ଗାଁ ମଝିର ସେହି ପୁରୁଣା କୋଠାଭିତରକୁ । ସେହି ଶିଉଳି ଲଗା କୋଠାର ଗୋଟିଏ କୋଠରୀ ଭିତରେ ପଡିଥିବା ଏକ ଚୌକି ଉପରେ ବସିଛନ୍ତି ଆଦିତ୍ୟ ବାବୁ । ଚୁପଚାପ୍ ସେହି ଚୌକିଟା ଉପରେ ବସି ନିରୀକ୍ଷଣ କରିଚାଲିଥା'ନ୍ତି ଗୋଟିଏ ଚେହେରାକୁ । ଯେଉଁ ଚେହେରାଟା ତାଙ୍କ ଆଗରେ ପଡିଥିବା ବେଡ୍ ଉପରେ ଚୁପ୍ଚାପ୍ ଆଖି ବନ୍ଦକରି ଶୋଇଛି । ଏଇ ଚେହେରାଟା ସହିତ ଆଦିତ୍ୟ ବାବୁଙ୍କର ଦୀର୍ଘ ଦିନର ପରିଚୟ । ପରିଚୟ ସେହିଦିନରୁ ଯେତେବେଳେ ସେ ଚେହେରାରେ କୁଞ୍ଚ ପଡିନଥିଲା ; ଥକିପଡିଥିବା ଆଖି ଗୁଡିକ ଯେତେବେଳେ ହରିଣୀ ଆଖିପରି କଥା କହୁଥିଲା ଆଉ ଦୁଗ୍ଧ ବର୍ଣ୍ଣ କେଶରାଶି ଯେତେବେଳେ କଳା ବାଦଲର ଭ୍ରମ ସୃଷ୍ଟି କରିଥିଲା । ଆଜିବି କିନ୍ତୁ ସେହି କୁଞ୍ଚିତ ଚେହେରା ଥକାଥକା ଆଖି ଆଉ କାଶତଣ୍ଡୀ କେଶରେ ଖୁବ୍ ସୁନ୍ଦର ଦିଶୁଥାଏ ସେହି ଚେହାରାଟି ଆଦିତ୍ୟ ବାବୁଙ୍କ ଆଖିରେ । ସେ ଯେତେଯେତେ ଦେଖୁଥାଆନ୍ତି ସେତେସେତେ ଅନ୍ତରର କୋହଟା ଅଦୃଶ୍ୟ ଲୁହର ରୂପନେଇଯାଉଥାଏ । ବାରମ୍ବାର ଉଠିଯାଉଥାଏ ହାତଟା ଆଉ ସାଉଁଳି ଦେଉଥାଏ ସେହି ଧବଳ କେଶରାଶିକୁ । ଇଚ୍ଛା ହେଉଥାଏ ଆଉଥରେ ଜୀବନ୍ତ ହୋଇଉଠନ୍ତାକି ଅତୀତର ସମୟଟା ; ପୁଣି ଫେରି ଆସନ୍ତାକି ସେହି ଅଫେରା ଯୌବନଟା ; ତାହାହେଲେ ସେ ଆଜି ଆଙ୍କି ଦିଅନ୍ତେ ସେହି କୁଞ୍ଚିତ ଚେହେରାଟିର କପାଳରେ ଉଷ୍ଣ ଚୁମ୍ବନଟିଏ । ହଠାତ୍ ମନେପଡିଯାଏ ଆଦିତ୍ୟ ବାବୁଙ୍କର ପ୍ରଥମ ଚୁମ୍ବନର ସେହି ଅଭୁଲା ରାତି । ଯେଉଁ ରାତିରେ ପ୍ରଥମକରି ଦୁଇଟି ଶରୀର ଦୁଇଟି ଆତ୍ମା ସାତ ଜନ୍ମପାଇଁ ସାଥୀ ହୋବାର ବଚନନେଇ ଏକାକାର ହେବାକୁ ହୋଇପଡୁଥିଲେ ବ୍ୟଗ୍ର ।  ଅଚିହ୍ନା ଅଚିହ୍ନା ଦୁଇ ଚେହେରା ସେହିଦିନ ଜଣାପଡୁଥିଲେ ଖୁବ୍ ଚିହ୍ନା ଚିହ୍ନା । ସେଦିନ ଦୁଇ ଶରୀରର ମହାମିଳନ ପରେପରେ ଆଦିତ୍ୟ ବାବୁ ପଚାରିବସିଥିଲେ ଗୋଟିଏ ନିଆରା ପ୍ରଶ୍ନ । ପଚାରିଲେ " ସତ କହିବ  ଆମର ଏ ମିଳିନଟା ଦୁଇଟି ଆତ୍ମାର ନା ବାସ୍ କେବଳ ଗୋଟିଏ ଶାରୀରିକ ଆକର୍ଷଣ ମାତ୍ର " ? ଏଭଳି ଏକ ବିଚିତ୍ର ପ୍ରଶ୍ନରେ ନିରବତା ଖେଳିଯାଇଥିଲା ପରିବେଶରେ । ସେହି ନିରବତା ଭିତରେ ଆଉ କେବେହେଲେ ସେ ପ୍ରଶ୍ନର ଉତ୍ତର ଲୋଡିନାହାନ୍ତି ଆଦିତ୍ୟ ବାବୁ । ଏହା ଭିତରେ ସେ ପ୍ରଶ୍ନକୁ ବିତିଗଲାଣି ଚାଳିଶି ବର୍ଷ । ପ୍ରଶ୍ନଟାବି ଲିଭିଯାଇଥିଲା ସ୍ମୃତିର ଦୃଶ୍ୟପଟରୁ । ତେବେ ଆଜି କାହିଁକି  କେଜାଣି ସେ ପ୍ରଶ୍ନଟା ମନେପଡିଗଲା ଆଦିତ୍ୟ ବାବୁଙ୍କୁ । ସେହି ଅବାନ୍ତର ପ୍ରଶ୍ନଟା ଭାବିଭାବି ମନେମନେ ହସିଚାଲିଥିଲେ ସିଏ । କାହିଁକି କେଜାଣି ସେହି ନିର୍ବୋଧ ପ୍ରଶ୍ନଟା ପାଇଁ ଆଜି ନିଜକୁ ନିଜେ ଖୁବ୍ ଲଜ୍ଜିତ ମନେକରୁଥାଆନ୍ତି ଆଦିତ୍ୟ ବାବୁ । ଆଜି ସିଏ ଅନୁଭବ କରୁଛନ୍ତିଯେ ବେଳେବେଳେ ସବୁ ପ୍ରଶ୍ନର ଉତ୍ତର ନଥାଏ । ବେଳେବେଳେ ଅନେକ ପ୍ରଶ୍ନର ଉତ୍ତରଟା ସମୟ କହିଦିଏ । ଆଉ ଜାଣନ୍ତି ଯେତେବେଳେ ସମୟ କୌଣସି ପ୍ରଶ୍ନର ଉତ୍ତର ଦିଏନା ; ସେତେବେଳେ ଅପମାନ ,ଅନୁତାପ, ଅବଶୋଷ ଆଉ ଅଶ୍ରୁ ଛଡା ପାଖରେ ଆଉ କିଛିନଥାଏ । ଏହିକଥାସବୁ ଭାବୁଭାବୁ ହଠାତ୍ ଝରକା ସେପାଖରେ ଶୁଣାଗଲା କାଉର କା' କା' ରାବ । ଦୂର ଗାଁ ମୁଣ୍ଡରୁ ଭାସିଆସିଲା କୁକୁଡାର ଡାକ । ଚମକି ଉଠିଲେ ଆଦିତ୍ୟ ବାବୁ । କଣ ଏତେ ଶୀଘ୍ର ସୂର୍ଯ୍ୟୋଦୟର ସମୟ ହୋଇଗଲା ବୋଲି ଭାବି ବ୍ୟସ୍ତ ହୋଇଉଠିଲେ ସିଏ ।  ଚାହିଁଦେଲେ କାନ୍ଥରେ ଟଂଗାଯାଇଥିବା ପେଣ୍ଡୁଲମ୍ ଘଣ୍ଟାଟିକୁ । ଯେଉଁଟା ଆଜିକୁ ତିରିଶି ବର୍ଷ ହେଲାଣି ଅବିଶ୍ରାନ୍ତ ଦୌଡିଚାଲିଛି । ସେହି ଘଣ୍ଟାଟା ଜଣାଇଦେଲା ସମୟ ଭୋର ସାଢେ ଚାରିଟା । ଆଖି ଛଳଛଳ ହୋଇଉଠୁଥାଏ ଆଦିତ୍ୟ ବାବୁକଂର । କାହିଁକିନା ଘଣ୍ଟା ସୂଚାଇ ଦେଲାଣି ସମୟ ବିଚ୍ଛେଦ ହେବାର । ପୁଣିଥରେ ସେହି ଚେହେରାଟିକୁ ମନଭରି ଦେଖିସାରି ହାତରେ ତାହାର ଅସଜଡା କେଶରାଶିକୁ ସାଉଁଳିଦେଇ ଚାଲିଯିବାକୁ ବାହାରିଲେ ଆଦିତ୍ୟ ବାବୁ । ଦୁଆର ଟପିବାକୁ ଆଉ ଦୁଇ ପାହୁଣ୍ଡ ଅଛି , ଭାସିଆସିଲା ଗୋଟିଏ ଅତି ପରିଚିତ ସ୍ବର ' ଆଦିତ୍ୟ ! ଆଜିବି କଣ ତୁମେ ମୋତେ ସାଥୀରେ ନନେଇ ଏକାଏକା ଛାଡିଚାଲିଯିବ ' ? ଚଳଚଞ୍ଚଳ  ପାଦ ଦୁଇଟି ହଠାତ୍ ଅଟକିଗଲା ସେହିଠାରେ । ବୁଲି ଦେଇ ପଛକୁ ଚାହିଁରହିଲେ ଆଦିତ୍ୟ ବାବୁ । ମୁହଁରେ ଖେଳୁଥାଏ ଦୁଃଖ ଯନ୍ତ୍ରଣା ଆଉ ଆନନ୍ଦର ତ୍ରିବେଣୀ ସଙ୍ଗମ । ଆଖିରେ ଲହଡି ଭାଙ୍ଗୁଥାଏ ଲୁହର ସମୁଦ୍ର । କିଛି ସମୟପରେ ଥରଥର କଣ୍ଠରେ ଆଦିତ୍ୟ ବାବୁ ପଚାରିଲେ " ତୁମେ ମୋତେ ଦେଖିପାରୁଛ କଲ୍ୟାଣୀ " ? ଆଖିରେ ଅସରାଏ ଲୁହ ଆଉ ବାଷ୍ପରୁଦ୍ଧ କଣ୍ଠରେ ଖାଲିଯାହା ମୁଣ୍ଡ ହଲାଇ ନିଜର ସମ୍ମତି ଜଣାଇଲେ କଲ୍ୟାଣୀ ଦେବୀ । କଲ୍ୟାଣୀ ଦେବୀ ହେଉଛନ୍ତି ଆଦିତ୍ୟ ବାବୁଙ୍କର ପ୍ରେମିକା । ଦୀର୍ଘ ୪୫ବର୍ଷପରେ ପୁଣି ମହାମିଳନ ହେଉଛି ଦୁଇଟି ଆତ୍ମାର । ଅନେକ ସମୟ ଧରି ପରସ୍ପର ପରସ୍ପରକୁ ମନଭରି ଦେଖୁଥିଲେ । ହଠାତ୍ ଆଦିତ୍ୟ ବାବୁ କିଛି କହିବାକୁ ଉଦ୍ୟତ ହୁଅନ୍ତେ କଲ୍ୟାଣୀ ଦେବୀ ତାଙ୍କ କଥାରେ ବାଧାଦେଇ କହିଲେ" ତୁମେ ମୋତେ ଏବେ ଆଉ କିଛି କୁହନାହିଁ ଆଦିତ୍ୟ । ଆଜି ଖାଲି ତୁମକୁ ମୁଁ ମନଭରି ଦେଖିବାକୁ ଚାହୁଁଛି । ଦେଖିବାକୁ ଚାହୁଁଛି ମୋର ସେହି ୪୫ବର୍ଷ ତଳର ଆଦିତ୍ୟଙ୍କୁ । ସତରେ ଆଦିତ୍ୟ ତୁମେ ମୋତେ ବହୁତ କଷ୍ଟ ଦେଇଛ । ଜୀବନର ଏହି ପଇଁଚାଳିଶ ବର୍ଷ ମୁଁ ତୁମକୁ ନଦେଖି କେମିତି କାଟିଛି ସେକଥା କେବଳ ମୁଁ ହିଁ ଜାଣେ । ତୁମେ ସିନା ସ୍ବାର୍ଥପର ହୋଇପଡିଲ ଆଦିତ୍ୟ ! ମୁଁ କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକଟି ମୁହୁର୍ତ୍ତରେ ତୁମ ଉପସ୍ଥିତିକୁ ଅନୁଭବ କରେ । ଜାଣ ସେଦିନ ତୁମ ପାଖରେ ନିଜକୁ ସମର୍ପିଦେବାପରେ ମୋର ଶରୀରଟା ଆଉ କାହାରି ସ୍ପର୍ଶ ଜାଣିପାରିନାହିଁ । ଦେଖ ଆଜିବି ମୋର ନିର୍ଜୀବ ଶରୀରଟାରୁ ଖାଲି ତୁମରି ବାସ୍ନା ବାହାରୁଛି । ଆଜିବି ଏଶରୀରରେ ଜୀବନ୍ତ ଅଛି ତୁମର ସେଦିନର ପ୍ରଥମ ସ୍ପର୍ଶର ଅନୁଭୂତି । ସେହି ଅନୁଭୂତିଟିକୁ ମୁଁ ଆଜି ପର୍ଯ୍ୟନ୍ତ ସାଉତି ରଖିଛି । ସେହି ଅନୁଭୂତି ଉପରେ ଆଉ କାହାର ଅଧିକାରକୁ ମୁଁ ସ୍ବୀକୃତି ଦେଇନାହିଁ ଆଦିତ୍ୟ । ସେଦିନ ବି କଲ୍ୟାଣୀ ତୁମର ଥିଲା ଆଉ ଆଜିବି ଏ କଲ୍ୟାଣୀ କେବଳ ତୁମର । ଖାଲିଯାହା ସେଦିନ ତୁମ ହୃଦୟ ର ସ୍ପନ୍ଦନ ଟା ତୁମସହ ବିଶ୍ବାସ ଘାତ  କଲାପରେ ମୋ ଜୀବନଟା ଆମ ଦୂରତ୍ବର କାରଣ ହୋଇଗଲା । କଣ କରିଥା'ନ୍ତି ଆଦିତ୍ୟ ! ଆତ୍ମହତ୍ୟା ! ସେଇଟାତ ପାପ ! ସେଇଥିପାଇଁ ଅପେକ୍ଷା କରିଥିଲି ମୃତ୍ୟର ବିଜୟକୁ । ମୃତ୍ୟୁ ବି ଖୋଜୁଥିଲା ଗୋଟେ ସୁଯୋଗ । ଆଉ ଦେଖ ! ଆଜି ସେ ସୁଯୋଗ ତାକୁ ମିଳିଯାଇଛି । ଜୀବନ ହାରିଯାଇଛି ମୃତ୍ୟୁ ପାଖରେ ଆଉ ମୁଁ ତୁମ ପାଖକୁ ଚାଲିଆସିଛି ଆଦିତ୍ୟ " । ଏତିକି କହି କଲ୍ୟାଣୀ ଦେବୀ ଜାବୁଡିଧରିଲେ ଆଦିତ୍ୟଙ୍କୁ । ଆଉ ଏହାପରେ ଆଦିତ୍ୟ ଧୀର ଗଳାରେ କହିଲେ " ବୁଝିଲ କଲ୍ୟାଣୀ ! ଦୀର୍ଘ ୪୫ବର୍ଷ ଧରି ସବୁଦିନ ରାତିରେ ମୁଁ ତୁମ ପାଖକୁ ଆସେ । ତୁମ ନିଦ୍ରିତ ଶରୀରଟିକୁ ମନଭରି ଦେଖେ । ତୁମ ସହ ମନ ଭରି କଥାହୁଏ । ତୁମେ କିନ୍ତୁ ମୋ କଥା ଶୁଣିପାରନା କି ମୋତେ ଦେଖିପାରନା । ଦିନେଦିନେ ଅଧରାତିରେ ମୋ ସ୍ମୃତିରେ ତୁମ ଆଖିରୁ ଝରୁଥିବା ଲୁହକୁ ମୁଁ ଅନେକ ସମୟରେ ପୋଛିଦେବାକୁ ଚେଷ୍ଟାକରେ । କିନ୍ତୁ ପ୍ରତିଥର ମୁଁ ହାରିଯାଏ କଲ୍ୟାଣୀ । ସେଇଥିପାଇଁ  ଅପେକ୍ଷାରେ ଥାଏ ସେହି କ୍ଷଣକୁ ଯେଉଁ କ୍ଷଣରେ ତୁମେ ମୋତେ ଦେଖିପାରି କହିବ ଆଦିତ୍ୟ ତୁମେ ମୋତେ ଅପେକ୍ଷା କରିଛ ! ଆଉ ସେହି କ୍ଷଣକୁ ଅପେକ୍ଷା କରିକରି ପଇଁଚାଳିଶ ବର୍ଷ ବିତିଗଲା । ଜାଣିଛ ତୁମ ନିଦ୍ରିତ ଆଖି ଯୋଡିକୁ ମୁଁ ଯେତେଯେତେ ଦେଖୁଥାଏ ସେତିକି ସେତିକି ଅନୁଭବ କରୁଥାଏ ପ୍ରେମର ସଂଜ୍ଞାଟିକୁ । ତୁମକୁ ଦେଖି ମୁଁ ଜାଣିପାରେ ପ୍ରକୃତରେ ଆମ ପ୍ରେମ କେବଳ ଏକ ଶାରୀରିକ ଆକର୍ଷଣ ନୁହେଁ । ଆମ ପ୍ରେମତ ପବିତ୍ର ଆଉ ଶାଶ୍ବତ । ଆଉ ଦେଖ ଆଜି ଆମ ପ୍ରେମରେ ମିଳନ ହେଉଛି ଦୁଇଟି ଆତ୍ମାର " । ଏହାପରେ ଆଦିତ୍ୟ ବାବୁ ନିଜ ବାହୁବନ୍ଧନରେ ବାନ୍ଧିନେଲେ କଲ୍ୟାଣୀ ଦେବୀଙ୍କୁ । ଦୁହେଁ ଦୂରକୁ ଯିବା ପୂର୍ବରୁ ଶେଷଥର ପାଇଁ କଲ୍ୟାଣୀ ଦେବୀ ଚାହିଁଲେ ବେଡ୍ ଉପରେ ପଡିଥିବା ନିଜର ନିର୍ଜୀବ ଶରୀରଟିକୁ । ସେ ପୁଣିଟିକିଏ ହସିଦେଇ ଆଦିତ୍ୟ ବାବୁଙ୍କୁ ଚାହିଁ କହିଲେ " ଦେଖୁଛ ଆଦିତ୍ୟ ! ୪୫ବର୍ଷ ତୁମକୁ  ଅପେକ୍ଷା କରିକରି କଲ୍ୟାଣୀର ଆଖି ଯୋଡିକବି କେମିତି ଥକିପଡିଥିଲା । ଆଜିଯାଇ ସିଏ ଚିରଦିନ ପାଇଁ ବିଶ୍ରାମ ପାଇଛି । ଦେଖୁଛ ଦେଖୁଛ କେମିତି କଲ୍ୟାଣୀର ମୁହଁରୁ ଝରିପଡୁଛି ଆତ୍ମତୃପ୍ତିର ଝଲକ । ମୁଁ ଏଥର ଯାଉଛି କଲ୍ୟାଣୀ " । କଲ୍ୟାଣୀ ଦେବୀଙ୍କ ନୀରବ ନିଶ୍ଚଳ ଶରୀରଟା କୁ ଶେଷ କୃତଜ୍ଞତା ପୂର୍ବକ ଆଦିତ୍ୟ ବାବୁ କହିଲେ "  ତୁମକୁ ଧନ୍ୟବାଦ ତୁମର ୪୫ବର୍ଷର ଅପେକ୍ଷା ପାଇଁ । ତୁମେ ସାଜିଛ ପ୍ରେମରେ ଅପେକ୍ଷାର ଉଦାହରଣ । ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଯାହାର ଆଖି ଯୋଡିକ ମୋତେ ପ୍ରତିକ୍ଷଣ ଆଶ୍ବାସନା ଦେଇଚାଲିଥିଲା ଆଉ କହୁଥିଲା ' ବ୍ୟସ୍ତ ହୁଅନା ଆଦିତ୍ୟ । ମୁଁ ପରା ଅଛି କେବଳ ତୁମ ଅପେକ୍ଷାରେ '  ॥

॥   ଜ୍ୟୋତିରଞନ ସାହୁ   ॥
jrs.2013rediffmail@gmail.com