
ବିତୁଛି ସମୟ ସରୁଛି ଜୀବନ
ପଞ୍ଚ ଇନ୍ଦ୍ରିୟର ଲାଳସା ଭୋଗେ
କେବେ ପୋଡା କେବେ କଞ୍ଚାର ଲାଳସା
ଏହି କି ଜୀବନ ମଣିଷ ଚାହେଁ ?
ପଞ୍ଚ ଇନ୍ଦ୍ରିୟର ଉତ୍ପାତେ ସଂସାର
ତ୍ରାହି ତ୍ରାହି କହେ ନଶୁଣେ ଜୀବ
ସାଧନା ସଂସ୍କୃତି ରସାତଳଗାମୀ
ମାନବ ସତେକି ହେଲା ଦାନବ !
ହଜୁଛି ସଭ୍ୟତା ମାନବ ଧରାରୁ
ସମୟ ଯାଉଛି ଆଗକୁ ମାଡି
ସଂସାର ବିନ୍ଧାଣୀ ଭାବୁଥିବେ ବସି
ଶ୍ରେଷ୍ଠ କହି ଦେଲୁ କାହାକୁ ଗଢି !
ମାୟାର ସଂସାରେ ବାୟା ଏ ମାନବ
କାମନା ବାସନା ନିଶାରେ ଭୋଳ
ବଞ୍ଚିବା ପାଇଁକି ଜୀବନର କଳା
ଭୁଲିଛି ମାନବ ଗ୍ରାସୁଛି କାଳ ।
ମାନବ ମୂଖାରେ ଦାନବ ଭ୍ରମନ୍ତି
ସଭ୍ୟ ସଭ୍ୟତାର ଆଳ ଦେଖାଇ
ଭ୍ରମିତ ମାନବ ଭ୍ରମରେ ମାୟାର
ଅଣ୍ଟି ନିଆଁରେନି ଜକୁ ଜାଳଇ ।
ଦୁଃଖ ତାଡନାରେ ସର୍ବେ ବିଚଳିତ
ସୁଖର ସଂଜ୍ଞାକୁ ଖୋଜନ୍ତି ସର୍ବେ
ମାୟା ମୃଗ ସାଜି ସୁଖ ଘୂରିବୁଲେ
ବାନ୍ଧିବ ମଣିଷ ଭାବୁଛି ଗର୍ବେ !
କେତେଦିନ ଆଉ ମିଥ୍ୟା ଅହଂକାର
ଗର୍ବରେ ପୋଷିତ ହେବ ମାନବ
ଲୁଣ୍ଠିତ ପ୍ରକୃତି କୁଣ୍ଠିତ ତା'ମନ
ମାନବକୁ ଶ୍ରେଷ୍ଠ କିଆଁ କହିବ !
ବେଶି ଦୂର ନାହିଁ ବିନାଶର ପର୍ବ
ଗୋଟିଏ ଯୁଗକୁ ଥରଟେ ଆସେ
ଅପେକ୍ଷା କରିଛି ଉପେକ୍ଷିତ ଧରା
ରକ୍ତେ ହସିବ ସେ ଶ୍ରେଷ୍ଠ ବିନାଶେ ॥
॥ ଜ୍ୟୋତିରଞନ ସାହୁ ॥
0 Comments