" ମେଁ....ମେଁ...ମେଁ...। ବୁଝିଲୁ ରାଧା ଆଜି ରାତିଟା ଆମ ସମ୍ପର୍କ ର ଶେଷ ରାତି । ଆ ପାଖକୁ ଟିକେ । ମୁଁ ତୋତେ ଆଉ ଆମ ପିଲା ମାନଙ୍କୁ ମନଭରି ଶେଷଥର ପାଇଁ ଦେଖିନିଏ ରେ "। ଏହି କଥା ଶୁଣି ଆଖି ଛଳଛଳ ହୋଇଗଲା ରାଧା ର । ଥର ଥର ସ୍ବର ରେ କହିଲା " କେଡେ ନିର୍ଦୟୀ ଏଇ ଆମ ମାଲିକଟା । କିଛି ଦିନପୂର୍ବ ରୁ ଆମ ବଡ ଛୁଆ ଟାକୁ ବିକିଦେଲା । ଗୌରୀ କହୁଥିଲା କୁଆଡେ ରାଘବ ବୁଢା ପୁଅ ବାହାଘର ରେ ସମସ୍ତେ କହୁଥିଲେ ମାଂସ ଖୁବ୍ ବଢିଆ ହୋଇଥିଲା ! ସେ କଥା ଶୁଣି କେମିତି ଧୈର୍ଯ୍ୟ ଧରି ମୁଁ ଗୁହାଳ କୁ ଫେରିଛି ସେଇକଥା ଟା ମୋ ମନ ଜାଣେ । ଏଇତ ପନ୍ଦର ଦିନ ପୂର୍ବ ରୁ ମୁଁ ତାକୁ ହରେଇଛି । ଆଉ ଆଜି ତୁ ବି କହୁଛୁ ମୋତେ ଛାଡି ଚାଲିଯିବୁ । ହେ ଭଗବାନ ! କାହିଁକି ଆମ କୁ ଏତେ ଦଣ୍ଡ ଦେଉଛୁ ? ଆମକୁ ଜନ୍ମ ଦେଇଛୁ କଣ ଅନ୍ୟର ଖାଦ୍ୟ ହେବାପାଇଁ ! ତୁ କଣ ଜାଣିନୁ ଆମର ବି ମନ ଅଛି । ଶରୀର ଟା ଦେଇଛୁ ଯେତେବେଳେ କଷ୍ଟ ବି ହେଉଛି " । ଏତିକି କହି ରାଧୁ ଗୋପାଳ ର ମାଈ ଛେଳି ରାଧା ତା ମୁହଁ ଟାକୁ ନେଇ ଘଷିବାକୁ ଲାଗିଲା ଦାଢୁ ବୋଦା ର ତେଲିଆ ଦିଶୁଥିବା ପିଠିଟା ଉପରେ । ରାଧା ର ଝାଉଁଳା ମୁହଁ ଆଉ ଛଳଛଳ ଆଖି ରୁ ବହୁଥିବା ପାଣି ଧାର କୁ ନିଜ ଜିଭରେ ଚାଟି ଦେଉଦେଉ ଦାଢୁ ବୋଦା କହିଲା " ମନ ଦୁଃଖ କରୁଛୁ କିରେ ପାଗିଳି । ଜମାରୁ ମନ ଉଣା କରନା । ଆମ ଜୀବନ ତ ଏଇଆ । ନା ଆମ ଦେଇ ହଳ ହେବ ନା ଆମେ ବୋଝ ବୋହିପାରବା । ସେଥିପାଇଁ ତ ଆମର ଗୋଟିଏ ହିଁ ବାଟ । ସମସ୍ତେ ଆବଶ୍ୟ ଦିନେ ସେହି ବାଟେ ଯିବେ । କିନ୍ତୁ ଆମ ପ୍ରତି ଅନ୍ୟାୟ ହେଉଛି । କାହିଁକିନା ଆମର ଅନିଚ୍ଛା ସତ୍ତ୍ବେ ଏ ମଣିଷ ଗୁଡା ବଳପୂର୍ବକ  ଆମକୁ ସେହି ରାସ୍ତା ରେ  ଠେଲିଦିଅନ୍ତି ।  ହେଉ ! କଷ୍ଟ ତ ହେବ । ହେଲେ ଦୁଃଖ ଏତିକି ଯେ ଜୀବ ଶ୍ରେଷ୍ଠ ହୋଇ ଜୀବ କୁ ଚିହ୍ନିପାରୁନି ଏ ମଣିଷ । ଛାଡ ସବୁ ଭଗବାନଙ୍କ ଇଚ୍ଛା ।  ହେଲେ ତୁ କିନ୍ତୁ ଭଗବାନଙ୍କୁ ଗାଳିକରନା । ଜାଣିଛୁ କେଡେ ଭାଗ୍ୟ ମୋର ! କାଲି ମୋତେ ଗାଁ ଠାକୁରାଣୀ ପାଖରେ ବଳିଦେବେ ।  ଲୋକେ କହୁଛନ୍ତି ମୋ ରକ୍ତ ପିଇଲେ କୁଆଡେ ମା ର ଶୋଷ ମେଣ୍ଟିଯିବ । ଆଉ ମୋ ମଲା ଦେହଟା ଭୋକ ମେଣ୍ଟାଇଦେବ ଭକ୍ତ ଙ୍କର । କାଲି ମୋର ଏ ଦେହଟା ଧରାଶାୟୀ ହୋଇଯିବା ପରେ  ଏ ଗାଁ କୁ ରୋଗ କି ମରୁଡି କିଛି ବି ଆସିବନି "। ଦାଢୁ ର କଥା କୁ ମଝି ରେ ଅଟକାଇ ରାଧା ତାକୁ ପ୍ରଶ୍ନ କଲା " ରୋଗ କି ମରୁଡି ନଆସିଲେ କଣ ଏ ମଣିଷ ଗୁଡା ଆମକୁ ମୁକ୍ତ କରିଦେବେ ? କଣ ମା ତୋ ରକ୍ତ ପିଇଦେଲେ ଆମକୁ ତା ପଣତରେ ଘୋଡାଇ ଦେଇ ମଣିଷଙ୍କ ଅତ୍ୟାଚାର ରୁ ଆମକୁ ରକ୍ଷା କରିଦେବ ? ଆରେ ଦାଢୁ ! ମା ତ ପଥର ଟାରେ ! ହେଲେ ଆମ ଦେହ ରେ ତ  ରକ୍ତ ଅଛି ମାଂସ ଅଛି ଆମର ଜୀବନ ଅଛି କଷ୍ଟ ବି ହେଉଛି ଆଉ ସବୁଠାରୁ ବଡକଥା ଆମର ଗୋଟିଏ ହୃଦୟ ବି ଅଛି ଯେଉଁଥିରେ ଭରିରହିଛି ମୋ ପିଲାକଂ ପାଇଁ ଅନାବିଳ ସ୍ନେହ । ହେଲେ ଏକଥା ନା ମା ବୁଝୁଛି ନା ମଣିଷ । ମା କୁ ରକ୍ତ ଦରକାର ଆଉ ମଣିଷ କୁ ମାଂସ " !  ରାଧା ର କଥାରେ ଟିକିଏ ବିଚଳିତ ହୋଇଉଠିଲା ଦାଢୁ । କହିଲା " ଆଉ ଅଭିମାନ କରନା ରାଧା । ଦେଖିବୁ ଏ ମଣିଷ ଗୁଡା ବି କେମିତି ଦଣ୍ଡ ପାଇବେ ! ମୁଁ ତ ଯାଉ ଯାଉ ଭୋକିଲା ପେଟ ର ଆହାର ହୋଇଯିବି କିନ୍ତୁ ଭାବୁଛି ଏ ମଣିଷ ଗୁଡାଙ୍କ କଥା । କଣ ହେବ ଏମାନଙ୍କର ?  ଏ ରାଧା ! ମୋ କଥା ମନେରଖିଥିବୁ ଦିନ ଆସିବ ଆମ ଦେହ ର ଦାମ୍ ଟା ମଣିଷ ଜୀବନ ଠାରୁ ଆହୁରି ମହଙ୍ଗା ହୋଇଯିବ ରେ "! ଏହା କହି ଚୁପ୍ ରହିଲା ଦାଢୁ । ଆଉ ଏଥୁଅନ୍ତେ ରାଧା ଦାଢୁ କୁ ସ୍ନେହରେ ରାତିସାରା ଚାଟିବାକୁ ଲାଗିଲା ।

     ରାତି ପାହି ସକାଳ ହେଲା । ଗୁହାଳ ର ସବୁ ଛେଳିଙ୍କୁ ଛାଡିଦିଆଗଲା କେବଳ ଦାଢୁ କୁ ଛାଡି । ମନ ଦୁଃଖରେ ରାଧା ଚାଲିଥାଏ ଗାଁ ରାସ୍ତା ର କଡେକଡେ । ତାର ସେହି ମେଁ ମେଁ ଡାକ ଭିତରେ ଥିବା ବେଦନା ଟା ବୁଝିବାକୁ ଏ ମଣିଷ ସମାଜଟା ଥିଲା  ଅସମର୍ଥ । ରାଧା ଚାଲିଥିଲା ଆଗକୁ ଆଗକୁ ଆଉ ଚାଲିଚାଲି ଯାଇ ଧରିଲା ଗାଁ ସଂଲଗ୍ନ ଜାତୀୟ ରାଜପଥ କୁ । ହଠାତ୍ ଦେଖିଲା ଟ୍ରକ୍ ଟିଏ ଗୋଟିଏ ସାଇକେଲ ଆରୋହୀ କୁ ଧକ୍କାଦେଇ ଚାଲିଗଲା । ଖରାବେଳଟାରେ ରାଜପଥ ର ସେ ଉତ୍ତପ୍ତ ପିଚୁ ସଡକ ଉପରେ ରକ୍ତ ଜୁଡୁବୁଡୁ ସାଇକେଲ  ଆରୋହୀ ଟି କହୁଥାଏ " ପାଣି... ପାଣି ..."। ସେତିକି ବେଳେ ସେହି ଗାଁ ର ବିଷ୍ଣୁ ସାହୁ ତା ଭାଇ ସହ ଯାଉଥିଲା ସେହି ବାଟରେ । ରାସ୍ତାରେ ପଡିଥିବା ସେ ଲୋକ ଟା ପାଖକୁ ଦୌଡିଗଲା ବିଷ୍ଣୁ ସାହୁ । ଦେଖିଲା ' ଆରେ ଏ ତ ରାଧୁ ର ପୁଅ । ଏହାର ଏ କି ଅବସ୍ଥା ! ଇଏ ବଞ୍ଚିବ ନା ନାହିଁ ସନ୍ଦେହ "! ଏତିକିବେଳେ ସାଥିରେ ଥିବା ତା ଭାଇ କହିଲା " ଆରେ ଏଇଟା ମରିଯିବ ନା କଣ ! ଚାଲଚାଲ ନହେଲେ ପୋଲିସ ଜାଲରେ ଫସିଯିବା । ଗାଁ ରେ ଯାଇ ଖବର ଟା ଦେଇଦେବା । ଗାଁ ଲୋକ ଆସିଲା ଭିତରେ ଯଦି ବଞ୍ଚିଥିବ ତ ଭଲ ନହେଲେ ଆମେ ତ ଏ ପୋଲିସ ଫୋଲିସ୍ ଝମେଲା ରୁ ରକ୍ଷାପାଇଯିବା । ଆଜି ପୁଣି ମାଁ ଙ୍କ  ପୂଜା । ଚାଲ ଦେଖିବା କଣ ହେଉଛି ? କେହି ପୁଣି ସାଙ୍ଗେ ସାଙ୍ଗେ ଆସୁଛନ୍ତି କି ନାହିଁ "। ଏହା କହି ଦୁହେଁ ଚାଲିଗଲେ ଗାଁ କୁ । ଏପଟେ ପାଣି ପାଣି କହି ଜୀବନ ଯୁଦ୍ଧ ରେ ହାରିଗଲା ରାଧୁ ର ପୁଅ । ଏହି ଭିତରେ ଅନେକ ଗାଡି ଅନେକ ପଥିକ ଅନେକ ସାଇକେଲ ଆଉ ବାଇକ୍ ଆରୋହୀ ରାସ୍ତାରେ ଚାଲିଯାଉଥିଲେ ରାଧୁ ପୁଅ ର ନିର୍ଜୀବ ଶରୀର ଟାକୁ ଦେଖିଦେଖି ।

     ଏସବୁକୁ ଦେଖି ଦୌଡିଦୌଡି ରାଧା ଯାଉଥାଏ ତା ମାଲିକ ରାଧୁ ଗୋପାଳ ଘର କୁ । ହଠାତ୍ ଅଟକିଗଲା ଘଣ୍ଟ ଶବ୍ଦରେ । ଦେଖିଲା ଗାଁ ମୁଣ୍ଡ ଶାଳୁଆ ମୂଳରେ ଗ୍ରାମଦେବୀଙ୍କ ପାଖରେ ବିଶାଳ ଜନସମୁଦ୍ର । ଦାଢୁ ର ମୃତ ଶରୀର ରୁ ଖଣ୍ଡେ ପାଇବାକୁ ସମସ୍ତେ ବ୍ୟାକୁଳ । ରାଧା  ବୁଲି ଚାହିଁଲା ଦୂରରେ ଥିବା ରାଜପଥ କୁ । ଆଉ ମନେପକାଉଥିଲା ଦାଢୁ ର କଥା " ଦେଖିବୁ ଆମ ଦେହ ର ଦାମ୍ ଟା ମଣିଷ ଜୀବନ ଠାରୁ ଆହୁରି ମହଙ୍ଗା ହୋଇଯିବ ରେ " !

॥  ଜ୍ୟୋତିରଞନ ସାହୁ  ॥
jrs.2013rediffmail@gmail.com