କଥାଟିର ଆରମ୍ଭ ହୁଏ ଆଜିକୁ ପନ୍ଦର ବର୍ଷ ପୂର୍ବରୁ ଯେତେବେଳେ ମୁଁ ଘରଠାରୁ ଚାରିଶହ କି.ମି. ଦୂରରେ ରହି ପାଠ ପଢୁଥିଲି । କିଛି ପାଠ କିଛି ମଉଜ ମସ୍ତିରେ କଟିଯାଉଥିଲା ମୋର ଦିନ । ସତକହିବାକୁ ଗଲେ ସେହି ସମୟଟା ହିଁ ଥିଲା ମୋ ଜୀବନର ଗୋଲଡେନ୍ ପିରିୟଡ୍ । ଆଜିବି ମଝିରେ ମଝିରେ ମନଟା ଫେରିଯାଏ ସେହି ଅତୀତକୁ । ସେତେବେଳେ ପକେଟଟା ସିନା ଖାଲି ହେଲେ ମନ ଭିତରେ ଅସୁମାରି ସ୍ବପ୍ବ ଭର୍ତ୍ତି । ଚେହେରାଟା ଯଦିଓ ରୋମିଓ ର ପାଖାପାଖି ନୁହେଁ ତଥାପି ମନ ର ଜୁଲିୟଟ ଟା ମଝିରେ ମଝିରେ ସ୍ବପ୍ନରେ ଆସି ମତୁବାଲା କରାଇଯାଉଥାଏ ରାତି । ବହୁତ କଷ୍ଟରେ ବାପା ପଠାଉଥିବା ଦୁଇ ତିନିଶହ ଟଙ୍କାରେ ମୁଁ ପାଲଟିଯାଉଥିଲି ଗୋଟେ ଫକୀର ରଜା । ସେତେବେଳେ କଲେଜକୁ ଯିବା ଆସିବାପାଇଁ ସୁବିଧା ହେବ ବୋଲି ବାପା ତାଙ୍କର ସାଇକେଲଟା ମୋତେ ଦେଇଥିଲେ । ଏବେ ଭାବୁଛି ବୋଧହୁଏ ମୁଁ ବୋଲି ସେହି ସାଇକେଲରେ ଚଢି କଲେଜର ସେହି  ସୁନ୍ଦରୀ ତରୁଣୀ ମାନଙ୍କ ଆଗଦେଇ ଯାଉଥିଲି । ନଚେତ୍ ଆଉ କେହିପିଲା ଚାଲିଚାଲି ଯାଆନ୍ତା ପଛେ ସେହି ମୂଲ୍ୟହୀନ  ସାଇକେଲଟାରେ କେବେ ବସିନଥାନ୍ତା । ତେବେ ଛାଡ ଗତସ୍ୟ ଅନୁଶୋଚନାଂ ନାସ୍ତି । ତେବେ ମୋର ସେହି ଜରାଜୀର୍ଣ୍ଣ ସାଇକେଲଟା ଉପରେବି ବୋଧେ କାହାରି ଖରାପ ନଜର ପଡିଗଲା । ଛଅ ମାସ ଯାଇଛି କି ନାହିଁ ଦିନେ ଜଣେ ସିନିୟର ଭାଇ ମୋ ସାଇକେଲ ନେଇଗଲେ ଯେ ଆଉ ସେ ସାଇକେଲ ମୋପାଖକୁ ଫେରିଲା ନାହିଁ । କଥା କଣକି ମୋର ଜଣେ ସିନିୟର ଭାଇ ସାଇକେଲ ନେଇ ରାତିରେ ଖାଇବାକୁ ଗଲେ ସିନା କିନ୍ତୁ କେତେ ରାତିରେ , କେତେବେଳେ ଆଉ କେଉଁ ଅବସ୍ଥାରେ ଫେରିଥିଲେ ସେକଥା ମୋତେ ଜଣା ନଥିଲା । ପରେ ଏତିକି ଜଣା ପଡିଲା ସାଙ୍ଗରେ ଆଉ ସାଇକେଲଟା ଆସିପାରିନଥିଲା । ପ୍ରଥମ ଥର ପାଇଁ ବିଚ୍ଛେଦର ଦୁଃଖଟା କଣ ତାକୁ ଅନୁଭବ  କରୁଥିଲି । କେତେ କଷ୍ଟ ହୁଏ ବିଚ୍ଛେଦରେ ତାହା ମନ ବୁଝିପାରୁଥିଲା । ଜୀବନରେ ପ୍ରଥମ ଥର କିଛି ଗୋଟିଏ ବଡ ଜିନିଷଟେ ଚୋରି ହୋଇଗଲେ ମନର ମାନସିକ ସ୍ଥିତି କିଭଳି ହୁଏ ତାହାର ଅନୁଭବ ପାଇସାରିଥିଲା ଏ ମନ । ସେଦିନ ମୁଁ ବୁଝିପାରିଲି ଗୋଟିଏ ମୂଲ୍ୟହୀନ ଜିନିଷର ଦୁର୍ମୂଲ୍ୟ ଆବଶ୍ୟକତାଟା କଣ ?  ଦଦରା ସାଇକେଲଟାରବି ଯେ କେତେ ମହତ୍ତ୍ବ ଥାଇପାରେ ସେଦିନ ତାହା ମୁଁ ଉପଲବ୍ଧି କଲି । ଭଙ୍ଗା ଦଦରା ଯାହା ବିହେଉ ସାଇକେଲଟା ତ ମୋରଥିଲା ନା ମୋର ଯିବା ଆସିବାର ସାଥୀ । ତେଣୁ ରାଗଟା ପଞ୍ଚମ କୁ ଉଠିଗଲେ ବି ଗୋଟେ ବିଷହୀନ ଧଣ୍ଡ ଭଳି ନୀରବି ଗଲି କାହିଁକି ନା ସେପଟେ  ସନିୟର ମାନଙ୍କ ଦ୍ବାରା ରେଗିଙ୍ଗ୍ ଭୟ । ମନେମନେ ଭାବିଲି ହେ ପ୍ରଭୂ କଣ କଲ ? ଏଇଟା ମୋ ବାପାଙ୍କର ଝାଳବୁହା ଧନର ସାଇକେଲ ଥିଲା । ହଠାତ୍ ମନେପଡିଲା ଜେଜେମା କଥା । ସେ କହେ " ବୁଝିଲୁ ଟୋକା ! ଝାଳ ବୁହା ପରିଶ୍ରମର ମୂଲ୍ୟ କେବେ ବେକାର ଯାଏନି । କେଉଁ ଆଡୁ ନା କେଉଁ ଆଡୁ ସେ ତା ଫଳ ନିଶ୍ଚୟ ଦେବାଟା ଦେବ "। ତେବେ ମନଟା କଣ ବୁଝୁଛି ! ସେ ପ୍ରଶ୍ନ କରୁଥାଏ ବାପାଙ୍କର ଝାଳବୁହା ଧନର ଏ ସାଇକେଲଟା କେମିତି ଚୋରି ଚୋରିହୋଇଗଲା ? ଏ ଘଟଣା ଘଟିବାର ଛଅ ମାସ ବିତିଯାଇଥାଏ । ୟା , ତା ସାଇକେଲରେ ଲିଫ୍ଟ ମାଗି କଲେଜ୍ ଯିବା ଆସିବା ଚାଲିଥାଏ । ପାଉଁଶ ତଳର ନିଆଁ ଭଳି  ଦଦରା ସାଇକେଲଟାର ସ୍ମୃତିଟା ମନଟାକୁ ରହିରହି କହୁଳାଇଦେଉଥାଏ । ହଠାତ୍ ଖବର ମିଳିଲା କଲେଜରେ ଲଟେରୀ ହେବ ।  ସାଙ୍ଗରେ ପୁରସ୍କାର ବି ରହିବ । ପ୍ରଥମ ପୁରସ୍କାର ସୁଜୁକି ମେକ୍ସ ୧୦୦ ଦ୍ବିତୀୟରେ ଫ୍ରିଜ୍ ଆଉ ତୃତୀୟରେ ହିରୋ ସାଇକେଲ । ସେଇଟା ପୁଣି ମୋଟା ଚକର ସିଧା ହେଣ୍ଡଲ ଥିବା ରଙ୍ଗୀନ ସାଇକେଲ । ପ୍ରତ୍ୟେକ ପିଲା ପାଇଁ ଟିକଟ ଟିଏ ବାଧ୍ୟତାମୂଳକ ଥିବାରୁ ଅନିଚ୍ଛା ସତ୍ତ୍ବେ ଅଭାବି ପକେଟରୁ ବହୁତ କଷ୍ଟରେ ଲଟେରୀ ପାଇଁ ପଚାଶ ଟଙ୍କା ବାହାର କଲି । ବାହାର କରୁକରୁ ମନେମନେ ଭାବୁଥାଏ ' ହେ ପ୍ରଭୂ ! ସାଇକେଲଟା ତ ଛଡାଇ ନେଲ । ଏବେ ପକେଟରୁ ଅଯଥାରେ ପଚାଶ ଟଂକା ବି କାଢିନେଉଛ । ମୋର ପାଞ୍ଚ ଦିନର ଖାଇବାଟା ତୁମେ ଛଡାଇ ନେଉଛ । ଏକଥାଟା ମନେ ରଖିବ " । ବୋଧହୁଏ ମୋର ସେହି ବିକଳ ପ୍ରର୍ଥନା ଭଗବାନଙ୍କ କାନରେ କେମିତି ବାଜିଗଲା । ଲଟେରୀ ଖେଳରେ ମୋର ତୃତୀୟ ପୁରସ୍କାର ମାନେ ସାଇକେଲଟା ବାଜିଗଲା । ମୁଁ ଲଟେରୀ ଦେଖିବାକି ଯାଇନଥିଲି । କିନ୍ତୁ ସାଙ୍ଗମାନେ ରାତିରେ ଆସି ମୋ ଟିକଟ ଚେକ୍ କରି କହିଲେ ' ଆରେ ତୋର ସାଇକେଲ ବାଜିଛିରେ ! ଆଉ ଲିଫ୍ଟ ନେବାକୁ ପଡିବନି ' । ଏକଥା ଶୁଣିଦେଇ ସତରେ ସେଦିନ ମୋ ଆଖିରେ ଲୁହ ଚାଲିଆସିଲା । ବାପାଙ୍କର ଝାଳବୁହା ଧନର ସେ ଦଦର‍ା ସାଇକେଲଟା ପାଇଁ ନିଜକୁ ନିଜେ ଅପରାଧୀ ସଜାଇ ପଶ୍ଚାତାପର ଅଗ୍ନିରେ ଜଳୁଥିବା ମନଟା ଭିତରେ ସେଦିନ ଖେଳିଯାଉଥିଲା ଅନନ୍ଦାଶ୍ରୁ ର ବନ୍ୟା । ପ୍ରଶମିତ ହୋଇଯାଉଥିଲା ଦୀର୍ଘ ଛଅମାସର  ଅନ୍ତର୍ଦହନ ପୀଡା ।  ସେଦିନ ମନଟା ଏତେ ଆନନ୍ଦିତ ହୋଇଯାଇଥିଲା ଯେ ଆଉ ରାତିରେ ନିଦ ନଥିଲା । ସାରା ରାତି କଡ ଲେଉଟାଇ ଅପେକ୍ଷା କରିଥିଲି ସକାଳର ସୂର୍ଯ୍ୟକୁ । ମନଟା ବ୍ୟସ୍ତ କରିଦେଉଥିଲା ସେ ଆଖିରେ  ଦେଖିବ ଲଟେରୀ ରେଜଲ୍ଟ । ସତରେ ସେଥିରେ ବାହାରିଥିଲା ମୋର ଲଟେରୀ ନମ୍ବରଟା । କିଛି ସମୟ ହାତରେ ଥିବା ଲଥେରୀ ଟିକଟକୁ ଚାହିଁ ଅଶ୍ରୁର ବୋଝରେ ଭାରୀ ଜଣାପଡୁଥିବା ଆଖି ଦୁଇଟିରେ ଚାହିଁଲି ସକାଳର ସ୍ବଚ୍ଛ ନୀରବ ନୀଳ ଆକାଶକୁ । ଅନୁଭବ କରୁଥିଲି ଝାଳବୁହା ଧନର ମହତ୍ତ୍ବକୁ । ମନଟା କହୁଥିଲା  ସତରେ ପରିଶ୍ରମର ମୁଲ୍ୟଟା କେବେ ବ୍ୟର୍ଥ ଯାଏନା । ଜୀବନର କେଉଁ ମୋଡରେ ସମୟ ତାହାକୁ ନିଶ୍ଚୟ ପରିଶୋଧ କରିଦିଏ ।

                    ଏହା ଭିତରେ ବିତିଗଲାଣି ପନ୍ଦର ବର୍ଷ । ଆଜିବି ସେଦିନର ଅନୁଭବଟା ସତେଜ ଅଛି । ବିଗତ ଦିନର ପରିଶ୍ରମର ମୂଲ୍ୟଟା ସମୟ ମୋତେ ଦେଇସାରିଛି । ଅଭାବର ନିବୃତ୍ତ ଖୋଳଟା ଭିତରୁ ମୁଁ ନିଜକୁ ମୁକୁଳେଇ ସାରିଛି । ସେଦିନ ସାଇକେଲ ଚୋରି ପରଠାରୁ ମୋର ଦାୟିତ୍ବବୋଧବି ବଢିଯାଇଛି ଆଉ ତାସହ ତାଳଦେଇ ହୃଦୟଟା ଆପଣାଇନେଇଛି ବାପା ମା ଭାଇ ମାନଙ୍କ ପାଇଁ ଥିବା କର୍ତ୍ତବ୍ୟପରାୟଣତାକୁ । ସବୁ ଦାୟିତ୍ବ ଭିତରେ ଗୋଟିଏ ଦାୟିତ୍ବକୁ ମୁଁ ଆଉ ସୂଚାରୁ ରୂପେ କରିପାରୁନାହି ଆଉ ସେଇଟା ହେଲା ମୋ ପୁଅ ଭାଗର କିଛି ସମୟ । ଆଜିର ସହରରେ ଆଉ ଗାଁର ସେହି ସ୍ବାଧୀନତା ନାହିଁ । ଏଇଠି ପାଦେପାଦେରେ ଭୟ । ଦିନସାରା ଗାଁର ଧୂଳି ମାଟିରେ ଖେଳି ସଂଧ୍ୟାରେ ଘରେ ପହଞ୍ଚିଲେ ମଧ୍ୟ ସମସ୍ତେ ନିଶ୍ଚିନ୍ତ ଥାଆନ୍ତି । ନା କେହି ବିଳମ୍ବ ପାଇଁ ବିବ୍ରତ ଥାଏ ନା କାହାରି ମନରେ ଥାଏ କିଛି ଅଘଟଣର ଭୟ ! କିନ୍ତୁ ଆଜିର ଆଧୁନିକ ସମୟରେ ସହରୀକରଣର ମାୟା ଜାଲଟା ଭାରି ଭୟ ଲାଗୁଛି । ଘରୁ ବାହାରକୁ ଯାଇ ଫେରିବାର ନିର୍ଭର ପ୍ରତିଶ୍ରୁତି ଦେବାକୁ ଆମେ ଅକ୍ଷମ । ଖାଲି ଘର ବାହାରେ ନୁହେଁ ଆଜି ଘରର ଚାରିକାନ୍ଥ ଭିତରେବି ଆଧୁନିକ ଦୁନିଆଁଟା ସୁରକ୍ଷିତ ଅଛି ବୋଲି ମୁଁ ଭାବୁନାହିଁ ।  ବେଳେବେଳେ ଲାଗେ ସେଦିନର ଧିର ସମୟଟା ଆଜି କେଜାଣି କେମିତି ଏତେ ବ୍ୟସ୍ତ ହୋଇପଡିଛି ! ଆଜି ମୋତେ ଲାଗେ ସଂଗ୍ରାମ ମୃତ୍ୟୁ ସହ ନୁହେଁ ବରଂ ମଣିଷକୁ ଜୀବନ ସହ କରିବାକୁ ପଡୁଛି । ଆଜି ମୋ ପାଖରେ ଗାଡି ମଟର ସବୁ ଥାଇ ମଧ୍ୟ ସେଦିନର ସେ ଲଟେରୀ ଜିତା ହିରୋ ସାଇକେଲଟା ସେମିତି ଅଛି । ଭେଟେରାନ୍ ହୋଇଯାଇଥିଲେବି ଚିରସବୁଜ ପରି ଲାଗୁଛି ସେଇଟା । ତାକୁ ଦେଖିଦେଲେ ସ୍ମୃତିର ସମୟଟା ସଶରୀରେ ମୋ ଆଗରେ ଆସି ଛିଡାହୋଇଯାଏ । ଆନେକ ଚେଷ୍ଟାକରିଛି ସେହି ସ୍ମୃତିର ସ୍ମାରକଟିରେ ପୁଅକୁ ସାରା ସହରଟା ବୁଲେଇବି । ଟିକିଏ ବଡ ହୋଇଗଲେ ତାକୁ ମୋର ଏହି ଲଟେରୀ ଜିତା ସାଇକେଲର ଷ୍ଟୋରୀଟା ଶୁଣେଇବି । କିନ୍ତୁ ସେ ସାଇକେଲଟା ଭେଟେରାନ୍ ହେବା ଆଗରୁ ସମୟ ଆଉ ପାରିବାରିକ ତଥା ସାମାଜିକ ଦାୟିତ୍ବ ମୋତେ ଭେଟେରାନ୍ ସଜେଇଦେଇଛି । ଛୋଟ ପିଲାଙ୍କ ସହ ଛୋଟ ପିଲା ହୋଇ ଯିବାର କଳା ମୁଁ ଭୁଲି ସାରିଛି ।  ସେଦିନ ମୁଁ ଅଫିସ୍ ରୁ ଆସି ଘରେ ପହଞ୍ଚିଲା ବେଳକୁ କିଛି ଗୋଟିଏ ଶୂନ୍ୟ ସ୍ଥାନ ଥିଲା ପରି ଲାଗିଲା । ଜାଣିବାକୁ ପାଇଲି ବାପା ମୋର ସେ ଲଟେରୀ ସାଇକେଲ ଟା ଘରପାଖ  ପିଲାଟିକୁ ଦେଇ ଦେଇଛନ୍ତି । ଜଣେ ଅଭାବି ବାପର ସେହି  ପିଲାଟା ସବୁଦିନ ଚାଲିଚାଲି କ୍ଷୀର ବିକିବାକୁ ଯାଉଥିଲା । ସେହି କ୍ଷୀର ବିକା ଟଙ୍କାରେ ତାଙ୍କ ପରିବାର ଚଳୁଥିଲା । ଜାଣିବା ପରେ କ'ଣ କରିବି ଆଉ କଣ କହିବି କିଛି ଜାଣିପାରୁନଥିଲି । ଲାଗିଲା ଯେମିତି ଖୁସିହେବାର କାରଣ ଟିଏ ହଜିଗଲା । ମନଟା ବ୍ୟସ୍ତ ହୋଇ ଉଠିଲା ଆଉ ରାଗଟା ବି ପ୍ରଚଣ୍ଡ ହେଲା । ମନର ସମସ୍ତ ଗ୍ଳାନି ବାପାଙ୍କ ଉପରେ ଶୁଝାଇଦେଲି । ସବୁଶୁଣି ବାପା ଚୁପଚାପ୍ ଥାଆନ୍ତି । ମୋ ମନଟା ମାନିବାକୁ ପ୍ରସ୍ତୁତ ନୁହେଁ ଯେ ମୋ ଜେଜେମା କହିଥିବା ' ଝାଳ ବୁହା ପରିଶ୍ରମର ମୂଲ୍ୟ କେବେ ବ୍ୟର୍ଥ ଯାଏନା ' ଭୁଲ ବୋଲି । କାହିଁକିନା ମୋ ଲଟେରୀ ଜିତା ସାଇକେଲଟା ସେତେବେଳକୁ ଆଉ ମୋର ହୋଇ ରହିନଥିଲା ।

             ଏହାର କିଛିଦିନ ପରେ ଦିନେ ଅଫିସ୍ ରୁ ଆସି ଗାଡି ଷ୍ଟାଣ୍ଡ କରୁକରୁ ମୋ ବାପା ମୋତେ ଡାକି କିଛି ଦେଖିବାକୁ କହିଲେ । ମୁଁ ଦେଖିଲି ଘରଠାରୁ ଅଳ୍ପଦୂର ରେ ମୋର ଲଟେରୀ ଜିତା ସାଇକେଲଟା ଗଡୁଥିଲା । ହେଲେ ସେହି ଲଟେରୀ ସାଇକେଲର ପଛ କେରିୟର କୁ ଖୁବ ଜୋରରେ ଜାବୁଡି ଧରି ବସିଥିଲା ମୋ ପୁଅ । ଖୁବ୍ ସୁରକ୍ଷିତ ମନେକରୁଥିଲା ସିଏ ସେହି ସାଇକେଲ କେରିୟର ଉପରେ ବସି । ମନରେ ଥିଲା ଅପୂର୍ବ ଖୁସି । ଓଠରେ ଖେଳୁଥିବା ହସର ତରଙ୍ଗଟା ମୋ କାନରେ ପ୍ରତିଧ୍ବନିତ ହେଉଥିଲା । ସତରେ ଖୁବ୍ ଖୁସିଥିଲା ସିଏ । କିଛି ସମୟପରେ ମୋ ବାପା ମୋ ମୁହଁକୁ ଚାହିଁ କହିଲେ " ଦେଖୁଛୁ କେତେ ଖୁସି ଅଛି ମୋ ନାତି ! ସେଦିନ ତୋର ସାଇକେଲଟା ଦରକାର ଥିଲା ବୋଲି ମୋ ଭଙ୍ଗା ସାଇକେଲ ବଦଳରେ ଭଗବାନ ତୋତେ ଏହି ହିରୋ ସାଇକେଲଟା ଦେଲେ । ଆଉ ଆଜି ପୁଣି ଭଗବାନ ଏ ହିରୋ ସାଇକେଲ ଟା ବଦଳରେ ତୋ ପୁଅ ଓଠରେ ଭରିଦେଉଛନ୍ତି ତା ଭାଗର ଖୁସି " । ଏତିକି କହି ଚୁପ୍ ରହିଲେ ମୋ ବାପା। ମନେ ମନେ ମୁଁ ଭାବୁଥିଲି ସତେତ ଯେଉଁ ଖୁସି ମୁଁ ମୋ ପୁଅକୁ ଦେବା କଥା ସେହି ଖୁସି ଟା ମୋର ଏ ଲଟେରୀ ସାଇକେଲ ଟା ଆଜି ପୁରଣ କରି ଦେଇଛି ‌। ମୋ ପାଖରୁ ଚାଲି ଗଲା ପରେ ମଧ୍ୟ ପ୍ରତିବଦଳରେ ଫେରାଇ ଦେଇଛି ମୋ ପୁଅ ଓଠରେ ହସ । ଏବେବି ମୋର ଲଟେରୀ ଜିତା ସାଇକେଲଟା ଚାରିଟା ହୋଇଗଲେ ମୋ ଘର ଦୁଆର ମୁହଁରେ ଘଣ୍ଟି ବଜାଏ । ମୋ ପୁଅ ସଜବାଜ ହୋଇ ଦୌଡିଯାଏ ଦୁଆର ପାଖକୁ । କେରିୟରରେ ବସିବା ପରେ କିନ୍ତୁ ଟା'ଟା' କରିବାକୁ ଭୁଲିନଥାଏ ସିଏ । ତାର ସେହି ଟା'ଟା' ଜଣାଇଦିଏ ଝାଳବୁହା ଧନର ମହତ୍ତ୍ବ କେବେ ବ୍ୟର୍ଥ ଯାଇନଥାଏ  । ସମୟ ତାକୁ ଯେ କୌଣସି ରୂପେ ପରିଶୋଧ କରିଦିଏ । ସତରେତ energy can nither be created nor be destroyed,it only transforms from one form to others.

॥ ଜ୍ୟୋତିରଞନ ସାହୁ ॥
jrs.2013rediffmail@gmail.com