ଏହାଭିତରେ ବିବାହକୁ ଆଠ ବର୍ଷ ବିତିଗଲାଣି । କିନ୍ତୁ ଆଜିବି ଇତି ମନରେ ପୂର୍ଣ୍ଣତା ନାହିଁ । ଆଜିବି କେଉଁଠି ନା  କେଉଁଠି ମନରେ ତାର ଖେଳିବୁଲୁଛି ଶୂନ୍ୟତା । ଯେଉଁ ଶୂନ୍ୟତାର ଅନ୍ତରାଳରେ ରହିଛି କିଛି ଅକୁହା କଥା କିଛି ଅଦେଖା ଦୁଃଖ ଆଉ କିଛି ଅବଶୋଷ । କାହିଁକିନା ସେ ଆଜିବି ମା ହୋଇ ଶାଶୂ ଘରେ ପାଇନାହିଁ ଜଣେ ମା'ର ମର୍ଯ୍ୟାଦା । କାରଣଟା କଣ ବୋଲି ଭାବୁଛନ୍ତି ? କାରଣ ସେହି ଗୋଟିଏ । ଯେଉଁ କାରଣଟା ଆଜିବି ମିଞିମିଞି ଦୀପ ଶିଖାଟି ପରି କେଉଁଠି ନା କେଉଁଠି କାହାରି ନା କାହାରି ମନରେ ଜଳିଚାଲିଛି । ମାତୃତ୍ବର ସ୍ପର୍ଶ ପାଇ ମଧ୍ୟ ଇତିର ଗର୍ଭଟା ଆଜି ପର୍ଯ୍ୟନ୍ତ ଦେଇପାରିନାହିଁ ଚୌଧୁରୀ ବଂଶକୁ ତାର ଉତ୍ତରଦାୟାଦ । ଜନ୍ମ ଦେଇପାରିନାହିଁ ଗୋଟିଏ ପୁତ୍ର ସନ୍ତାନ । ଚାରି ବର୍ଷ ବ୍ୟବଧାନରେ ଦୁଇ କନ୍ୟାରତ୍ନଙ୍କର ମା ବୋଲାଇବାପରେ ମଧ୍ୟ ଚାରିଗୋଟି ନିଷ୍ପାପ ଗର୍ଭସ୍ଥ କନ୍ୟା ଭ୍ରୂଣର ସେ ଜଣେ ନିରବ ହତ୍ୟାକାରିଣୀ । ତାର ନିରବତା ସାଜିଥିଲା ତାହାର ସ୍ବ-ଗର୍ଭସ୍ଥ ଭ୍ରୂଣଙ୍କର ହତ୍ୟାର କାରଣ ଆଉ ସେହି ନିରବତାଟା ହିଁ ଆଜି ସଜାଇ ଦେଇଛି ସେ ଅବଳାଟିକୁ ଗୋଟିଏ ଅପରାଧୀ ରୂପରେ । କଣ ସେ କରିବ ! ! ! ପ୍ରକାଶଙ୍କୁ ଦରକାର ଗୋଟିଏ ପୁଅ । ନଚେତ୍ ଚୌଧୁରୀ ବଂଶର ଯବନିକା ପଡିଯିବ । ଧନ ସମ୍ପଦ ଜମିବାଡି ସବୁ ନିରର୍ଥକ ହୋଇଯିବ । ତେଣୁ ଇତି ମଧ୍ୟ ଚାହୁଁନାହିଁ ଇତି ହସ୍ତରେ ଲେଖାଯାଉ ଚୌଧୁରୀ ବଂଶର ଇତି । ସେ ପ୍ରସ୍ତୁତ ନୁହେଁ ଶୁଣିବାକୁ ଯେ କେହି ତାକୁ କଟାକ୍ଷ କରୁ ସେ ଚୌଧୁରୀ ବଂଶକୁ ଉତ୍ତରଦାୟାଦ ଦେବାକୁ ଅସମର୍ଥ । ପୁତ୍ରର ପ୍ରତୀକ୍ଷାରେ ଇତି ବୈବାହିକ ଜୀବନର ଆଠଟି ବର୍ଷ ଅତିବାହିତ କରିସାରିଲାଣି । ଆଜିବି ପ୍ରକାଶଙ୍କର ଇଚ୍ଛାକୁ ସମ୍ମାନ ଜଣାଇ ଇତି କରିଚାଲିଛି ଗୋଟିଏ ପୁତ୍ରର ପ୍ରତୀକ୍ଷା । ସେ ନିଜେ ମଧ୍ୟ ଜାଣେନାହିଁ କେବେ ଅନ୍ତହେବ ତା' ପ୍ରତୀକ୍ଷାର ! କେବେ ସେ  ଚୌଧୁରୀ ବଂଶରେ କାରଣ ସାଜିବ ଖୁସିର  ! ତାର ଅପେକ୍ଷା ଖାଲି ସମୟକୁ । ଆଜି  ପ୍ରକାଶଙ୍କ ସହିତ ନିଜ ପ୍ରେମର  ପ୍ରତ୍ୟେକଟି ସ୍ପର୍ଶରେ ଆନନ୍ଦ ଅପେକ୍ଷା ସେ ଆଭାସ ପାଏ ପଦଧ୍ବନି ଭୟର । ପ୍ରେମର ବାସ୍ତବିକ ସଂଜ୍ଞାକୁ ସେ ଅନେକ ବର୍ଷ ପୂର୍ବରୁ ଭୁଲିସାରିଲାଣି । ଏବେତ ପ୍ରେମର ପ୍ରତ୍ୟେକଟି କ୍ଷଣରେ ସେ ଅନୁଭବ କରୁଛି ଭବିଷ୍ୟତର ଯନ୍ତ୍ରଣାକୁ । ଭୟ ଲାଗୁଛି ପ୍ରେମର ଶବ୍ଦଟା ଉଚ୍ଚାରଣ କରିବାକୁ । ସେହି ଭୟରେ ଭୟରେ ନିଜକୁ ସଜାଇହେଉଛି ପୁନର୍ବାର ହତ୍ୟାକାରିଣୀର ପରିଚୟ ପାଇବାକୁ । କାରଣ ସେ ପରା ଗୋଟିଏ ଅବଳା ; ଯାହାର ବଳ ନାହିଁ ନିଜ ସହ ହେଉଥିବା ଅନ୍ୟାୟର ପ୍ରତିବାଦ କରିବାକୁ କିନ୍ତୁ ବଳ ଅଛି ଜଣେ ହତ୍ୟାକାରିଣୀର ପରିଚୟ ପାଇବାକୁ ; ଯାହାର ବଳ ନାହିଁ ସଂସାରର ତାଡନା ଶୁଣିବାକୁ କିନ୍ତୁ ବଳ ଅଛି ଗୋଟିଏ ନିଷ୍ପାପ ଜୀବନର ମୃତ୍ୟୁର ଯନ୍ତ୍ରଣା ଶୁଣିବାକୁ । ତେବେ ଆଜି ପୁଣି ଏକ ପରୀକ୍ଷାର ସମୟ ଆସି ଉପନୀତ । କିଏ ଜାଣେ ଏହି ପରୀକ୍ଷାରେ ଇତି କୃତକାର୍ଯ୍ୟ ହୋଇଥିବ କି ନା ! ! !

                    ଆଜି ଦ୍ବିପ୍ରହରରେ ପ୍ରକାଶ ଫୋନକରି ଇତିକୁ କହିଲେ " ଆଜି ସଂଧ୍ୟାବେଳେ ଡଃ ଦାସଙ୍କ ଏପଏଣ୍ଟମେଣ୍ଟ ନେଇସାରିଛି ।  ଛଅଟା ବେଳକୁ ତାଙ୍କ କ୍ଲିନିକ୍ ରେ ଆସି ପହଞ୍ଚିଥିବ । ମୁଁ ଅଫିସ୍ ରୁ ସିଧାଯାଇ କ୍ଲିନିକ୍ ରେ ପହଞ୍ଚିବି " । " ଠିକ୍ ଅଛି " କହି ଫୋନ ରଖିଲେ ଇତି । ଏଇତ କିଛିଦିନ ପୂର୍ବରୁ ରାତିରେ ପ୍ରକାଶ କହୁଥିଲେ ' ଜାଣିଛ ଇତି ! ସାହୁ ବାବୁଙ୍କର ଫାଷ୍ଟ ଚାନ୍ସରେ ପୁଅ । ଆଉ ତାଙ୍କର ପିଲାପିଲି କିଛି ଦରକାର ନାହିଁ ବୋଲି ଅଫିସ୍ ରେ କହୁଥିଲେ । ସତକଥା ଆଜିକାଲି ଗୋଟିଏ ପିଲାକୁ ମଣିଷ କରିବାକୁ ଅବସ୍ଥା ଖରାପ ହୋଇଯାଉଛି । ଆମରବି ଯଦି ପୁଅଟେ ହୋଇଯାଇଥାଆନ୍ତା ତେବେ ଆଉ ଚିନ୍ତାନଥିଲା । ଆମେବି  ଗୋଟିଏରେ ଫ୍ୟାମିଲି ପ୍ଲାନିଂ କରିନିଅନ୍ତେ ! ଦେଖିବା ଭଗବାନଙ୍କ କେବେ ଇଚ୍ଛା । ତାଙ୍କୁ ଡାକ ଯେମିତି ଏଥର ତୁମ କୋଳରେ ଆମ ପୁଅ ଖେଳୁ " ! ପ୍ରକାଶଙ୍କ କଥାର କୌଣସି ଉତ୍ତର ନଦେଇ  ସେଦିନ ସେ ଅବଳାଟି ନିରବରେ ନିଜ ଉପରେ ଅଭିମାନ ଭରା ହସଟେ ହସିଦେଲା । କାହିଁକିନା ପ୍ରତିବାଦର ସାମର୍ଥ୍ୟ ତାପାଖରେ ନଥିଲା । ଆଉ ଆଜି ପୁଣି ଏକ ପରୀକ୍ଷା ତା ଆଗରେ । ନର୍ସିଂହୋମ୍ ର କାଠ ବେଞ୍ଚଟା ଉପରେ ବସିବସି ଅନ୍ୟମନସ୍କ ଭାବରେ ତାର ନଜର ପଡିଗଲା କାନ୍ଥରେ ଲାଗିଥିବା ବୋର୍ଡ ଉପରେ । ଯେଉଁଥିରେ ଲେଖାଥିଲା " ଏଠାରେ ଭ୍ରୂଣର ଲିଙ୍ଗ ଚିହ୍ନଟ ହୁଏ ନାହିଁ । ଏହା ଆଇନଗତ ଅପରାଧ " । ଏହା ପଢିଦେଇ ମନେମନେ ଅନେକ ହସିଗଲା ଇତି । ଭାବୁଥାଏ କିଏ ଏ ଆଇନ୍ ଟା କଲା କେଜାଣି ? ସିଏ ବୋଧେ ଜାଣିନାହିଁ ଏଇଠି ଆଇ-ନ୍ ର ଆଇଟା ବନ୍ଧାବୋଲି । ଏହାଭିତରେ ଇତିର ନମ୍ବରଟା ପାଖେଇ ଆସିଲା । ହେଲେ ଏପର୍ଯ୍ୟନ୍ତ ପ୍ରକାଶଙ୍କର ଦେଖାନଥିଲା । ପ୍ରକାଶଙ୍କର ଆସିବାରେ ବିଳମ୍ବ ହେବା ଦେଖି ଇତି ମନେମନେ ନିଶ୍ଚୟକଲା ସେ ଏକୁଟିଆ ଯାଇ ଚେକ୍ କରିନେବ । ଏକଥାଟା ଭାବି ବେଞ୍ଚରୁ ଉଠୁଉଠୁ ହଠାତ୍ ଧପ୍ ହୋଇ ପୁଣି ବସିପଡିଲା ଭୟର ପଦଧ୍ବନିରେ । ' ଯଦି ଆଗଥର ପରି ଏଥରବି ଝିଅଟିଏ ଥିବ , ତେବେ କଣ ହେବ ତାର ! ହେ ଭଗବାନ !ମୋର ଏ ସମସ୍ୟାର କଣ  ସମାଧାନ କରିବ ତୁମେ !  କେମିତି ନିଜ ଜିଭ ଲେଉଟିବ ପ୍ରକାଶଙ୍କୁ କହିବାକୁ ଯେ ଏଥରବି ସେ ହାରିଯାଇଛି ପରୀକ୍ଷାରେ । କେମିତି ପୁଣିଥରେ ପ୍ରକାଶଙ୍କ ଇଙ୍ଗିତରେ ନିଜ ଗର୍ଭକୁ ଗୋଟିଏ କଂସେଇ ଖାନାର ମାନ୍ୟତାଦେଇ ନିଜେ ପାଲଟିଯିବ ଗୋଟିଏ ନିର୍ଦ୍ଦୋଷ ଜୀବନର ହତ୍ୟାକାରିଣୀ'  !!!  ହଠାତ୍ ସେ ଅବଳାର ମନଟା ଚିତ୍କାର କରି କହି ବସିଲା "ବାସ୍ ...! ବହୁତ ହୋଇଗଲା । ଏଥର ଆଉ ନୁହେଁ । ଏଥର ଇତି ପ୍ରତିବାଦ କରିବ । ଜୀବନର ଶେଷ ପ୍ରତିବାଦ । ପୁଅ ହେଉ ବା ଝିଅ ଏଥର ପୂର୍ଣ୍ଣଚ୍ଛେଦ ପଡିବ ପରୀକ୍ଷାର । ପୂର୍ଣ୍ଣଚ୍ଛେଦ ପଡିବ ପ୍ରତୀକ୍ଷାର । ଯଦି ଝିଅଟିକୁ ପ୍ରକାଶ ଆପଣାଇବାକୁ କୁଣ୍ଠାବୋଧକରି ପୁଣି ନଷ୍ଟ କରିବାର ଦୁଃସ୍ଥ ମାନସିକତା ପୋଷଣ କରନ୍ତି , ତେବେ ଏଥର ଆଉ ପୂର୍ବ ଘଟଣାର ପୁନୋରାବୃତ୍ତି ହେବନାହିଁ । ଏଥର ଏ ଇତି ଲଂଘିଯିବ ସମ୍ପର୍କର ଲକ୍ଷ୍ମଣ ରେଖା । ପ୍ରତିବାଦ କରିବ ନିଜ ଉପରେ ହେଉଥିବା ଶାରୀରିକ ଆଉ ମାନସିକ ନିର୍ଯ୍ୟାତନାର । ଜଣାଇଦେବ ଏଦୁନିଁଆକୁ ଯେ ପିତା ବିନା ବି ପାଳନ ସମ୍ଭବ । ସିନ୍ଦୁର ବିନା ବି ସଂସାର ସମ୍ଭବ । ବିନା ପ୍ରକାଶରେ ବି ଇତି ଚାଲିପାରିବ ଜୀବନର ପଥେ ଏକାଏକା । ଏକା ଲେଖିପାରିବ ଜୀବନର ଜୟ ଯାତ୍ରା । " । ଏହାପରେ ଇତି ଆଉ ପୂର୍ବଭଳି ବିଚଳିତ ନଥିଲା । ଏଥର ମାନସିକ ସ୍ତରରେ ସେ ଥିଲା ପୂର୍ଣ୍ଣ ପ୍ରସ୍ତୁତ ଆଗତ ପରୀକ୍ଷା ପାଇଁ । ପୂର୍ଣ୍ଣ ପ୍ରସ୍ତୁତ ପ୍ରକାଶକୁ ମଧ୍ୟ ସମ୍ମୁଖୀନ ହେବାପାଇଁ ।

           ଏହାପରେ ଏକାଏକା ଟେଷ୍ଟ ପାଇଁ ଚାଲିଗଲା ଇତି ଡାକ୍ତରକଂ ପାଖକୁ । କିଛି ସମୟର ପରୀକ୍ଷା ପରେ ଡଃ ଦାସ୍ କହିଲେ " ମିସେସ୍ ଚୌଧୁରୀ  ! ମିଃ ଚୌଧୁରୀ ଆଜି କଣ ଆସିନାହାନ୍ତି " ? ଧିରେ ମୁଣ୍ଡ ହଲାଇ ମନା କଲେ ଇତି । ଏଥର ଡଃ ଦାସ୍ କହିଲେ " କନ୍ଗ୍ରାଚୁଲେସନ୍  ମିସେସ୍ ଚୌଧୁରୀ ! ଏଥର ମେଲ୍ ବେବି କନ୍ସିଭ ହୋଇଛି । "। ଏହା ଶୁଣି ନିଜ କାନ ଉପରେ ବିଶ୍ବାସ କରିପାରୁନଥିଲା ଇତି । ଏହି କଥାଟା ଶୁଣିବାକୁ ହିଁତ ସେ ଦୀର୍ଘ ଆଠ ବର୍ଷ ହେଲାଣି ଅପେକ୍ଷା କରିଛି । ତେବେ ସତରେ କଣ ସେ ଗୋଟିଏ ପୁତ୍ର ସନ୍ତାନର ଜନନୀ ହେବାକୁ ଯାଉଛି ! ଏହା ଭାବି ଖୁସିରେ ଆତ୍ମହରା ହୋଇପଡୁଥିଲା ଇତି । ଏତେ ଦିନରେ ସିଏ ଆଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ଯେ  ।  ମନେମନେ ଭାବିଲା ପ୍ରକାଶଙ୍କୁ ସରପ୍ରାଇଜ୍ କରିବ ଏଥର  ।  ହେଲେ ସିଏ ଜାଣିନଥିଲା ଆଉ ଗୋଟିଏ ପରୀକ୍ଷା ତା ବାଟ ଚାହିଁବସିଛି । ଇତିର ଖୁସି ଦେଖି ବିଶ୍ବାସ ହେଉନଥିଲା ଯେ ଏହି କିଛି ସମୟ ପୂର୍ବରୁ ନିଜକୁ ଅବଳା ପରିଚୟର ଖୋଳ ଭିତରୁ ବାହାରକରିବାକୁ ଚେଷ୍ଟା କରୁଥିବା ଇଏ ହେଉଛି ସେହି ନାରୀ । ଲାଗୁଥାଏ ମନରେ ଉଙ୍କିମାରୁଥିବା ଖୁସିର ଲହଡିରେ ଯେପରି ଆହୁରି ଭୟକଂର ହୋଇଉଠୁଛି ଇତିର ଅବଳା ଚରିତ୍ରଟା ।  ଏତିକିବେଳେ କ୍ଲିନିକର ପାହାଚଟା ଓହ୍ଲାଉ ଓହ୍ଲାଉ ଫୋନ୍ଟା ବାଜିଉଠିଲା । ଖୁବ୍ ଉତ୍ସୁକତାର ସହ ପ୍ରକାଶ କରିଥିବା ଫୋନ୍ କଲ୍ ଟିକୁ ରିସିଭ୍ କଲେ ଇତି । ସେପଟୁ କାହାର ଏକ ଅଜ୍ଞାତ ସ୍ବରଟେ କହିବାର ଶୁଣାଗଲା " ଆଜ୍ଞା ! ଏ ସାର୍ ଙ୍କର ଏକ୍ସିଡେଣ୍ଟ ହୋଇଯାଇଛି । ଶିଘ୍ର ସିଟି ହସ୍ପିଟାଲ ପହଞ୍ଚନ୍ତୁ । ମେଁ ବି ହି ଇଜ୍ ନୋ ମୋର୍ " । ଆଉ ଶୁଣିବାକୁ ଧୈର୍ଯ୍ୟ ନଥିଲା ଇତିର । ପାଗଳିନୀ ପରି ସ୍କୁଟିକୁ ଧରି ମାଡିଗଲା ସିଟି ହସ୍ପିଟାଲ୍ । ଆଖିରୁ ଝରିପଡୁଛି ଧାରଧାର ଲୁହ । ନିଷ୍ଠୁର ଭଗବାନ କଣ ତା ଖୁସିକୁ ଗୋଟିଏ କ୍ଷଣବି ସହିପାରିଲେନି !  ସେତ ବିଚ୍ଛେଦ ଚାହିଁନଥିଲା । କିଛି ସମୟ ପୂର୍ବରୁ ଇତି ସଞ୍ଚିଥିବା ସାହସର ଦୁର୍ଗଟା ହଠାତ୍ ଯେପରି ଧ୍ବସ୍ତ ବିଧ୍ବସ୍ତ ହୋଇଗଲା । ନିର୍ବାକ ପାଲଟି ଯାଇଥିବା ଇତି  ସମୟର ପ୍ରହାର ରେ ସତେଯେପରି ଭାଙ୍ଗି ଖଣ୍ଡଖଣ୍ଡ ହୋଇପଡିଲା ।  ନିଜ ଅବଳାର ପରିଚୟଟା ନିଜ ଦେହରୁ କାଢି ଦୂରକୁ ଫିଙ୍ଗି ଦେବାପାଇଁ ଯେତେ ଚେଷ୍ଟା କରୁଥାଏ ସମୟ ଆଉ ପରିସ୍ଥିତି ତାକୁ ସେତେ ଅବଳାର ପରିଚୟ ଦେଇ ତାକୁ ଘୋଡାଇ ଦେଉଥାଆନ୍ତି ! ବାରମ୍ବାର ଚେତାଇଦେବାକୁ ଚେଷ୍ଟା କରୁଥାଆନ୍ତି ତା' ପରିଚୟ ଗୋଟିଏ ଅବଳାର । ସତରେ କଣ ଇତି ପୁଣିଥରେ ନିଜକୁ ଅବଳାର ଖୋଳଟା ଭିତରେ ଲୁଚାଇ ରଖିଦେଲା !  ସମୟ ଆଉ ସମାଜିକ ବ୍ୟବସ୍ଥା ପାଖରେ ସବୁଥର ପରି ପୁଣି କଣ ଗୋଟିଏ ଅବଳାର ପ୍ରତିବାଦର ସ୍ବରଟା ଛନ୍ଦି ହୋଇପଡିଲା !   ପ୍ରକାଶ ବିନା ଏକାଏକା ଜୀବନର ବାଟଟା ଚାଲିବାକୁ ସାହସ କରିଥିବା ଇତି କଣ ନିଷ୍ଠୁର ସତ୍ୟ ଆଗରେ ନିଜକୁ ସମର୍ପଣ କରିଦେଲା  ! ! କଣ ପୁଣି ଫେରିଗଲା ସେହି ଅବଳା ଇତିର ପରିଚୟ ନେଇ ! ଏସବୁ ପ୍ରଶ୍ନର ଉତ୍ତର ପାଇଁ କରିବାକୁ ହେବ ଅପେକ୍ଷା ସମୟର । କିନ୍ତୁ ହଁ ; ମୁଁ ଜାଣିଛି ଜୁଇର ନିଆଁଟା ଶାନ୍ତ ପଡିବା ଆଗରୁ ଇତିର ଲୁହଟା ଶାନ୍ତ ପଡିଯାଇଥିଲା । କୋମଳ ମନଟା ଏହା ଭିତରେ କଠିନ ହୋଇସାରିଥିଲା । ଖାଲି ବାହ୍ୟ ଆବରଣଟା ବଦଳାଇଦେଲେ ଅବଳାର ସଂଜ୍ଞାଟା କେବେ ବଦଳିଯିବନି । ସେଥିପାଇଁ ତାକୁ ଲଢିବାକୁ ପଡିବ ଜୀବନର ପ୍ରତିଟି କ୍ଷଣ ସହ ; ଜୀବିକା ପାଇଁ ସଂଘର୍ଷ କରିବାକୁ ପଡିବ ଅହରହ ଆଉ ଶେଷରେ ତାକୁ ଜିତିବାକୁ ପଡିବ ଜୀବନ ସଂଗ୍ରାମରେ । ତେବେ ଯାଇ "ସ"ର ବିଜୟ ହେବ । ଏଥିରୁ କିଏ କଣ ବୁଝିଲା ସେ କଥା ମୁଁ କହିପାରିବିନି । ମୁଁ କିନ୍ତୁ ପାଇସାରିଥିଲି ଇତି ଆଖିରେ ଆତ୍ମବିଶ୍ବାସର ଝଲକ , ବୁଝିସାରିଥିଲି ସେ ଅବଳାଟି ଏବେ ପୂର୍ଣ୍ଣ ପ୍ରସ୍ତୁତ ଜୀବନ ସଂଗ୍ରାମରେ  ତାକୁ ଆଗକୁ ଅପେକ୍ଷା କରିଥିବା ଅନେକ ଗୁଡିଏ ପରୀକ୍ଷା ନିମନ୍ତେ । ଏବେ ଜୀବନର ପ୍ରତ୍ୟେକଟି ସୋପାନରେ ସିଏ ପରୀକ୍ଷା ଦେବ । ସଂସାର ଅପେକ୍ଷା କରିଛି ତାର ଜୀବନ ସଂଗ୍ରାମ ଦେଖିବାକୁ ; ତାର ପରୀକ୍ଷା ନେବାକୁ ।  କାହିଁକିନା ସେ ଜଣେ ଅବଳା ॥

॥  ଜ୍ୟୋତିରଞନ ସାହୁ  ॥
jrs.2013rediffmail@gmail.com