ହରିପୁର ଗାଁର ହରି ପ୍ରସାଦ ସାହୁ । ଡାକ ନାଁ ହରି । କିନ୍ତୁ ଯେବେଠାରୁ ଗାଁ ଛାଡି ରାଜଧାନୀର ଗୋଟିଏ ବ୍ୟସ୍ତବହୁଳ ଛକରେ ଠେଲା ମେଲି ପକୋଡା ବିକୁଛି ସେବେଠାରୁ ତା ନାଁଟା ହରି ରୁ ହିରୋ ହୋଇଯାଇଛି । ପ୍ରଥମେ ପ୍ରଥମେ ଏହି ନାଁଟା ଅଡୁଆ ଅଡୁଆ ଲାଗୁଥିଲା । ଏବେ କିନ୍ତୁ ଦେହସୁହା ହୋଇଗଲାଣି । ବେ ହରି ! ଆବେ ହିରୋ ! ଏଃ ହରି ! ଆରେ ହିରୋ ! ଏଗୁଡାକ ହେଉଛି ହରି  ନାଁ ପୂର୍ବର ସମ୍ବୋଧନାତ୍ମକ ଅଳଙ୍କାର । କେତେ ପ୍ରକାରର ଗ୍ରାହକଙ୍କର କେତେ ପ୍ରକାରର ସମ୍ବୋଧନ । ଜାଣନ୍ତି ଏ ହରି ବିଜ୍ଞାନରେ ଗ୍ରାଜୁଏଟ୍ । ସରକାରୀ କିମ୍ବା ବେସରକାରୀ ଚାକିରିଟିଏ ପାଇଁ ସାତ ବର୍ଷ ପୂର୍ବରୁ ରାଜଧାନୀ ଆସି ଏବେ ଏହିଠାରେ ନିଜର ଠିକଣା କରିନେଇଛି । ଘର ଲୋକ ଆଜିବି ଜାଣନ୍ତି ପୁଅ ତାଙ୍କର ରାଜଧାନୀରେ ଚାକିରି କରୁଛି । ହେଲେ କେହି ଜାଣନ୍ତି ନାହିଁ ପୁଅ ତାଙ୍କର ରାଜଧାନୀରେ ଠେଲାଟିଏ କରି ପକୋଡା ବିକୁଛି ବୋଲି । ଗାଁ କୁ ଫେରିବାକୁ ଆଉ ସାହସ  ନାହିଁ । ଦାରିଦ୍ର୍ୟତାର ଜାତି ନେଇ ସେ ଆସିଛି ଏ ଦୁନିଆଁକୁ । ସ୍ବାଭିମାନ ଆଉ ଆତ୍ମସମ୍ମାନର ପୁଞି ଟିକକ ଛଡା ଆଉ ସମ୍ବଳ ବୋଲି ତାପାଖରେ କିଛି ନାହିଁ । ସେଥିରୁ ମଧ୍ୟ ପକୋଡା ଦୋକାନ କଲା ପରେପରେ ଆତ୍ମସମ୍ମାନଟିକୁ ସେ ହରାଇସାରିଲାଣି । ଛାତି ତଳକୁ ଚାଖଣ୍ଡେ ପେଟଟା ପାଇଁ ସେ ବାଜିଲଗାଇ ଦେଇଛି ନିଜର ସଞ୍ଚିତ ପୁଞି । ଲାଭାର୍ଥରୁ କିଛି ପ୍ରତିମାସ ଗାଁକୁ ପଠେଇ ନିଜର କର୍ତ୍ତବ୍ୟ ପୁରାକରିଦିଏ ହରି ଓରଫ୍ ହିରୋ ।

                ହିରୋର ପକୋଡା ସ୍ବାଦଟା ଖୁବ୍ ନିଆରା ବୋଲି ତାପାଖରେ ବହୁତ ଭିଡ । ସବୁ ଲୋକଙ୍କୁ ଜଣା ହିରୋର ପକୋଡା ଖୁବ୍ ହାଇଜେନିକ୍ । ତାର ପକୋଡା ଯେଉଁଭଳି ପିୟୋର ହିରୋ ଲୋକ ହିସାବରେ ବି ସେହିଭଳି ଖୁବ୍ ପିୟୋର । ବ୍ୟବହାର ଖୁବ୍ ମାର୍ଜିତ । ଲୋକଙ୍କୁ ଠକିବାର କଳା ତାକୁ ଜଣାନାହିଁ । ସେହି ପକୋଡା କରୁକରୁ ମଧ୍ୟ ଲୋକଙ୍କୁ ବିଜ୍ଞାନର ଅନେକ କଥା କଥାଛଳରେ ଶିଖାଇଦିଏ ହିରୋ ।  ତା କଥାକୁ ଅନେକ ଥଟ୍ଟାପରିହାସରେ ଉଡାଇ ଦିଅନ୍ତି ତ ଆଉ କିଛି ତାଚ୍ଛଲ୍ୟ ଭରା କମେଣ୍ଟ କରିବାକୁ ମଧ୍ୟ ପଛାଇନଥାନ୍ତି । ସତକଥା ସେ କେଉଁ ଆଇ ଆଇ ଟି ପ୍ରଫେସର ହୋଇଛି ଯେ ତା କଥାର କିଛି ମହତ୍ତ୍ବ ଅଛି । ସେତ ସାମାନ୍ୟ ଗୋଟାଏ ପକୋଡା ଦୋକାନି । ତାକଥାକୁ କିଏ କାହିଁକି ଗୁରୁତ୍ବ ଦେବ ନା ତାକୁ କିଏ କାହିଁକି ପ୍ରେଷ୍ଟିଜ୍ ଦେବ ! ପାଖ  ସରକାରୀ ଅଫିସ୍ ର ବାବୁ ମାନେ ତାପାଖରେ ସଂଧ୍ୟାହେଲେ ଖୁବ୍ ଭିଡ କରନ୍ତି । ବ୍ୟବହାର ଏମିତି ଯେମିତି ସେମାନେ ସରକାରୀ ଚାକିରିୟା ବୋଲି ବିଶ୍ବ ବିଜେତା ଆଉ ହରି ପକୋଡା ଦୋକାନି ସମାଜର ଗୋଟିଏ ଇତ୍ୟାଦି ଶ୍ରେଣୀଭୁକ୍ତ । ତେବେ ଛାଡନ୍ତୁ ସେକଥା । ସବୁଦିନ ହରି କିନ୍ତୁ ସେହି ସରକାରୀ ବାବୁମାନଙ୍କର ବାହାପିଆ କଥା ଶୁଣୁଥାଏ । ସରକାରୀ ବାବୁ ଆଉ ସେଠାକୁ ଆସୁଥିବା ଅନେକ ସୁଟ୍ ବୁଟ୍ ପିନ୍ଧା  ବାବୁମାନଙ୍କର ଠାଣି ଚାହାଣି ଆଉ ସମ୍ମାନ ଦେଖି ମନେମନେ ନିଜକୁ ନିଜେ ଖୁବ୍ ଅବଶୋଷ କରେ ସିଏ । ଭାବେ ବୋଧହୁଏ ଏ ଦୁନିଆଁ ଟା ଖାଲି ଏହି ସୁଟ ବୁଟ୍ ଆଉ ଏ ସରକାରୀ ବାବୁମାନଙ୍କର । ତାଙ୍କ ସହ ନିଜକୁ ତୁଳନା କରିବାଟା ବି ପାପ । ତା ଦେହରୁତ ଖାଲି କୁକୁଡା ଆଉ ଖାସି ମାଂସର ଅମିଷ ଗନ୍ଧ ବାହାରୁଛି । ସେ କେମିତି ଏ ଅତର ଦିଆ ବାବୁଙ୍କ ସମକକ୍ଷ ହେବ ! ତା ଜୀବନଟା ବୋଧେ ଖାଲି ସାର୍ ମ୍ୟାଡାମ କହିକହି ବିତିଯିବ ! ତେବେ ସେଥିପାଇଁ ତାର ଦୁଃଖ ନାହିଁ । ଦୁଃଖ ଖାଲି ଏତିକି ଯେ କେବେ ସ୍ବପ୍ନରେ ମଧ୍ୟ ଭାବିନଥିବା ଜୀବିକାଟିକୁ ଆଦରି ନେଲାପରେ ନିଜ ସମ୍ମାନ ଟିକକକୁ ମଧ୍ୟ ସିଏ  ହରାଇସାରିଛି । ସେହି ଭୟରେ ଗାଁକୁ ଫେରିବାକୁ ଆଉ ତାର ମୁହଁନାହିଁ । ସବୁଦିନ ଦୋକାନ ବନ୍ଦ କଲାପରେ ଉପରେ ଲେଖାଥିବା ' ହିରୋ ପକୋଡା' ଲେଖାଟିକୁ ପଢେ   ହରି । ସେହି ଭିତରେ ଖୋଜିବୁଲେ ନିଜର ପରିଚୟ । କ୍ଲାନ୍ତମନରେ ଖୋଜିବୁଲେ ଟିକିଏ ଆତ୍ମସମ୍ମାନ ।


                    ସେଦିନ ହିରୋ ପକୋଡା ଦୋକାନ ଖୁବ୍ ଭିଡ ଥିଲା । ସେହିଭିତରେ କିଛି ସୁଟ୍ ବୁଟ୍ ପିନ୍ଧା ବାବୁ କଥାହେଉଥାଆନ୍ତି " ପିଲାଗୁଡା ମଣିଷ ହେଉନାହାନ୍ତି । କେତେ କରିବ ! ପାଠ ପଢିଲେ ସିନା ! ସାତ ଲକ୍ଷ ଦେଇ ପାଠ ପଢାଉଛି । ତେଣିକି ତା ଭାଗ୍ୟ " । ସେତିକି ବେଳେ ଆଉ ଜଣେ ବାବୁ ଦୋକାନରେ ଲାଗିଥିବା ଟିଭି ରେ କଣ ଦେଖି ଦେଇ ଚିତ୍କାର କରି କହିଲେ " ପିଲା ଲକ୍ଷ ଲକ୍ଷ ଦେଇ ପାଠ ପଢିବେ ଆଉ କରିବେ କଣ ପକୋଡା ଦୋକାନ ! ଦେଖୁନ ଏ ନେତା କେତେ ନିର୍ଲଜ ହୋଇଗଲେଣି ! ଏତେ ଟଙ୍କା ଖର୍ଚ୍ଚ କରି ପିଲା ଆମର ପାଠ ପଢିବେ କଣ ଏଇ ପକୋଡା ଦୋକାନ ଖୋଲିବା ପାଇଁ ! ଆରେ ଏ ହିରୋ ! ଜଲଦି ପକୋଡା ଆଣ । ମୁଣ୍ଡ ଗରମ ହେଲାଣି " । ହରି ପକୋଡା ଦେଇ ଫେରିଲା ବେଳେ କାନରେ ପଡିଲା ଟିଭିରେ କିଛି ଯୁକ୍ତିତର୍କ ଚାଲିଛି । ଜାଣିବାକୁ ପାଇଲା ଦେଶର ପ୍ରଧାନ ମନ୍ତ୍ରୀ କୁଆଡେ କହିଛନ୍ତି 'ଚାକିରି ନମିଳୁଛି ଯଦି ପକୋଡା ଦୋକାନ କର । ସେଥିରେବି ସମ୍ମାନ ଅଛି '। କିଛି ସମୟ ପାଇଁ ପାଦଟା ସ୍ଥିର ହୋଇଗଲା ହିରୋର । ବୋଧହୁଏ ଆଜି ଅନେକ ଦିନପରେ ହିରୋ ଭିତରେ ହରି ଦେଖିପାରୁଥିଲା ନିଜକୁ । ଗର୍ବରେ ଫୁଲିଉଠୁଥିବା ଛାତିଟାକୁ ଯଥାସମ୍ଭବ ଚେଷ୍ଟା କରୁଥିଲା ନିଜ ନିୟନ୍ତ୍ରଣରେ ରଖିବାକୁ । ଏତେ ଦିନ ଯେଉଁ ଆତ୍ମସମ୍ମାନ ଟିକକକୁ ଖୋଜୁଥିଲା ଆଜି ତାହା ମିଳିଗଲା ପରି ଲାଗୁଥିଲା । ଲାଗୁଥିଲା ଯେମିତି ବାବୁ ପଣିଆ ଠାରୁ ଉର୍ଦ୍ଧକୁ ଉଠି ପ୍ରଥମ ଥର କେହି ଜଣେ ଜୀବିକାକୁ ସମ୍ମାନ କରିବା ଶିଖାଉଥିଲା । ଏତିକି ବେଳେ ହଠାତ୍ ବ୍ରେକିଂ ନ୍ୟୁଜ୍ ଆସିଲା ରାଜଧାନୀର ଏକ ଛକରେ ଓଭର ବ୍ରିଜ୍ ଭୁଶୁଡିପଡି ଅନେକ ଲୋକ ମୃତାହତ ହୋଇଛନ୍ତି । କିଛି ସମୟ ଭିତରେ ଦୋକାନଟା ଖାଲି ହୋଇଗଲା । ଟିଭିରେ କିଛି ସରକାରୀ କର୍ମଚାରୀଙ୍କ ନାଁ ମଧ୍ୟ ଆସୁଥଲା । କିଛି ନାଁ ଶୁଣିଲା ଶୁଣିଲା ଲାଗୁଥିଲା । ଆଉ କିଛି ଚିହ୍ନିଲା ଚିହ୍ନିଲା । କିଛି ସମୟ ନୀରବରେ ଛିଡା ହେବାପରେ ମନେମନେ ଟିକିଏ ହସିଦେଲା ହିରୋ । ଟିକିଏ ଶୁଘିଂଦେଲା ନିଜ ଆଇଁଷିଆ ଦେହଟିକୁ । " ନା ! ମୋ ଦେହରୁ ମଲା ମଣିଷର ଗନ୍ଧତ ଆସୁନାହିଁ । ଏଇଟା ଚିକେନ ପକୋଡାର ଆଇଁଷିଆ ଗନ୍ଧ " । ଆଜି ପ୍ରଥମଥର ପାଇଁ ହରି ଗର୍ବରେ ପଢ଼ୁଥିଲା" ହିରୋ ପକୋଡା " ।

॥  ଜ୍ୟୋତିରଞନ ସାହୁ  ॥
jrs.2013rediffmail@gmail.com