ସେଦିନ ଦାଶ ବାବୁ ଘରେ ପହଞ୍ଚି ଦେଖିଲେ ତାଙ୍କ ଝିଅ ଘରେ ନାହିଁ । " ନନ୍ଦିନୀ ! ନନ୍ଦିନୀ " କହି ଡାକ ମାରିଲେ । ପତ୍ନୀ ରୋଷେଇ ଘରୁ ବାହାରି ଆସି କହିଲେ " ଓହୋ! ସେ ତଳେ ଖେଳୁଛି । ଯାଇ ଡାକିଆଣ "। ଦାଶ ବାବୁ ତଳକୁ ଯାଇ ଦେଖନ୍ତି ତାଙ୍କ ଝିଅ ପାଖବସ୍ତି ର ଗୋଟିଏ ଅଜଣା ଝିଅ ସହ ଖେଳୁଛି । ରାଗ ରେ ଘୋସାଡି ଘୋସାଡି ଝିଅ କୁ ଘରକୁ ନେଇଗଲେ । ଖୁବ୍ କାନ୍ଦିଲା ନନ୍ଦିନୀ । ଅବୁଝା ମନ ତାର ମନେମନେ ଅନେକ ପ୍ରଶ୍ନ ପଚାରି ଚାଲିଥାଏ । ମନ ଟା ବି ବିଦ୍ରୋହ କରିଉଠୁଥାଏ । ଘର ବାଲକନି ରୁ ଛିଡାହୋଇ ଦେଖୁଥାଏ ତାର ସେହି ମଳିମୁଣ୍ଡିଆ ସାଙ୍ଗ ରାଧା କୁ । ଦାଶ ବାବୁ ନନ୍ଦିନୀ କୁ କହିଲେ "ଆଉ ଯେପରି ନଦେଖେ ସେ ଅସ୍ପୃଶ୍ୟ ଅପରିଷ୍କାର ରାଧା ସହ ମିଶି  ଖେଳୁଥିବାର " । ୫ବର୍ଷ ର ଅବୁଝା ଝିଅଟେ ବି ସବୁ ବୁଝିଗଲାପରି ହୁଁ ଟେ ମାରିଲା ।

                  ଏହାର କିଛିଦିନ ପରେ ଅଫିସ୍ ରେ ହଠାତ୍ ଦାଶ ବାବୁ କୁଂ ସୋସାଇଟି ରୁ ଫୋନ ଆସିଲା " ଆଜ୍ଞା! ଆପଣଙ୍କ  ପତ୍ନୀ ଆଉ ଝିଅଙ୍କର ଆକ୍ସିଡେନ୍ଟ ହୋଇଯାଇଛି। ଶୀଘ୍ର *** ହସ୍ପିଟାଲ ପହଞ୍ଚନ୍ତୁ "। ବିଚଳିତ   ଦାଶ ବାବୁ ଦଉଡିଗଲେ ହସ୍ପିଟାଲ । ଦେଖିଲେ ପତ୍ନୀ କୁଂ ସାମାନ୍ୟ ଆଘାତ ଲାଗିଛି । ଝିଅ ର କିନ୍ତୁ ହାତ ଟିଏ ଆଉ ଗୋଡ ଟିଏ ଭାଙ୍ଗିଯାଇଛି । ମୁଣ୍ଡରେ ଆଘାତ ଲାଗି ନନ୍ଦିନୀ ସଂଜ୍ଞାହୀନ । ଧୈର୍ଯ୍ୟହରା  ଦାଶ ବାବୁ ପଚାରିବସିଲେ " ମିନୁ! ଏମିତି କେମିତି ହୋଇଗଲା"? ଏତିକିବେଳେ ଡାକ୍ତର ବାବୁ ବ୍ୟସ୍ତ ହୋଇ ରୁମ୍ ରେ ଆସି  କହିଲେ " ପ୍ୟାସେଣ୍ଟ ର ଅବସ୍ଥା ଭଲ ନୁହେଁ । ଇମିଡିଏଟ୍ ଅପରେସନ ଦରକାର " । ଓଟି କୁ ନେଇଆସ । ଚାଲିଥାଏ ଅପରେସନ । ଏତିକି ବେଳେ "ରାଧା !ରାଧା !" କହି ପାଗଳିନୀ ପରି ଦଉଡି ଦଉଡିଆସୁଥାନ୍ତି ଜଣେ ମହିଳା । ସାଙ୍ଗରେ କିଛି ସମ୍ପର୍କୀୟ ଥାଆନ୍ତି । "ମୋ ରାଧା କାହିଁ ? ମୋ ରାଧା କାହିଁ"? ବୋଲି ପ୍ରଶ୍ନ କରିଚାଲିଥାନ୍ତି ମହିଳା ଜଣକ ସମସ୍ତ କୁଂ । ସମସ୍ତେ ଥାନ୍ତି ନିରୁତ୍ତର । ଦାଶ ବାବୁ ପଚାରିଲେ " ଏ କିଏ "? ମିନୁ କହିଲେ " ଇଏ ମୋତି । ରାଧା ର ମା । ତା ଝିଅ କୁ ଖୋଜୁଛି "। " କୋଉ ରାଧା ? ସେହି ବସ୍ତି ର ଅପରିଷ୍କାର ଅସ୍ପୃଶ୍ୟ ଝିଅଟା ଯାହା ସହ ମିଶି ନନ୍ଦିନୀ ଖେଳୁଥିଲା "? ବୋଲି ପ୍ରଶ୍ନକଲେ ଦାଶବାବୁ । " ହଁ ହଁ ସେହି ମଳିମୁନ୍ଡିଆ ରାଧା ଯିଏ ଆଜି ତୁମ ଝିଅର ଜୀବନ କୁ ରକ୍ଷା କରିବାକୁ ଯାଇ ନିଜ ଜୀବନ ସହ ଲୁଚକାଳି ଖେଳିଦେଲା" ଦୁଃଖ ର ସହ କହିଲେ ନନ୍ଦିନୀର ମା । ଆଶ୍ଚର୍ଯ୍ୟ ହୋଇ ଦାଶବାବୁ ପଚାରିଲେ "ମାନେ ...?"

              ଏହାର ଉତ୍ତର ରେ କାନ୍ଦିକାନ୍ଦି ଦାଶବ‍ାବୁ କଂ ପତ୍ନୀ କହିଲେ " ଆଜି ଗ୍ରୋସେରୀ ନେଇ ଘରକୁ ଫେରିଲା ବେଳେ ମୋ ସ୍କୁଟି ର ଚକ ଟା ହଠାତ୍ ଗୋଟିଏ ଗାତରେ ପଡି ଓଲଟିପଡିଲା । ମୁଁ ରାସ୍ତାର ଗୋଟିଏପଟେ ଆଉ ଆରପଟ ରାସ୍ତା ଉପରେ ମୁଣ୍ଡ କଚାଡି ପଡିଗଲା ନନ୍ଦିନୀ । ଏତିକି ବେଳେ ବିପରୀତ ଦିଗରୁ ଦୃତଗତିରେ ଆସୁଥିଲା ଗୋଟିଏ କାର୍ । ଆଉ ଠିକ୍ ସେତିକିବେଳେ ରାସ୍ତାର ଆରପାଖରେ ପ୍ଲାଷ୍ଟିକ୍ ଜରି ଗୋଟାଉ ଥିଲା ରାଧା । ଦୌଡିଗଲା ନନ୍ଦିନୀ ପାଖକୁ । କାର୍ ଟି ରାଧା କୁ ଧକ୍କା ଦେଇ ରହିଗଲା । ଆଉ ଆମ ନନ୍ଦୁ ର ଜୀବନଟା ରକ୍ଷାକରିବାକୁଯାଇ ରାଧା ସବୁଦିନ ପାଇଁ ଆଖିବୁଜିଦେଲା " । " ଏ କଣ କହୁଛ ତୁମେ "? ଦାଶବାବୁ କଂ କଣ୍ଠ ରୁ ଭାସିଆସୁଥାଏ ଅନୁତାପ ର ସ୍ବର ।

      ଏତିକି ବେଳେ ଡାକ୍ତର ବାବୁ ଓଟି ରୁ ବାହାରି କହିଲେ " ଅପରେସନ ସକ୍ସେସ୍ "। ଦାଶବାବୁ ପଚାରିଲେ " କଣ ହୋଇଥିଲା ମୋ ଝିଅ ର "? ଉତ୍ତର ରେ ଡାକ୍ତର ବାବୁ କହିଲେ " ମିଃ ଦାଶ ! ଆପଣ କଂ ଝିଅ ର ହାର୍ଟ ଟ୍ରାନସପ୍ଲାନ୍ଟ ସକସେସଫୁଲି ଡନ୍। ନାଓ ସି ଇଜ୍ ସେଫ୍।  ୟୂ ସୁଡ ଗିଭ୍ ଥେଙ୍କସ ଟୁ ରାଧା ଯିଏ ନିଜ ଜୀବନ ଦେଇ ଆପଣଙ୍କର ଝିଅକୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚେଇଲା।  ଖାଲି ବଞ୍ଚେଇନି ବରଂ ନିଜର ହାର୍ଟ ଟିର ଟ୍ରାନସପ୍ଲାନ୍ଟ କରାଇ ଆପଣଙ୍କ ଝିଅର ଭବିଷ୍ୟତ ଟାକୁବି ସୁରକ୍ଷିତ କରିଦେଲା । ଆପଣଙ୍କ ଝିଅର ହାର୍ଟ ରେ ସିଭିୟର ପ୍ରୋବ୍ଲମ ଥିଲା । ସେଥିପାଇଁ ଏକ୍ସିଡେଣ୍ଟ ର ସକ୍ ପରେ ସେନ୍ସ ଫେରୁନଥିଲା ।  ଓକେ ! ଥେଙ୍କସ୍ "।

ଡାକ୍ତର ଙ୍କ କଥା ଶୁଣି ଦାଶ ବାବୁ କଣ କହିବେ କିଛି ଚିନ୍ତା କରିପାରୁନଥିଲେ । ଅନେକ ସମୟପରେ ଯେତେ ବେଳେ ନନ୍ଦିନୀ ଆଖି ଖୋଲିଲା ତାର ପ୍ରଥମ ପ୍ରଶ୍ନ ହେଲା " ରାଧା କାହିଁ"? ଛଳ ଛଳ ଆଖି ରେ ଦାଶ ବାବୁ ନନ୍ଦିନୀ ର ମୁଣ୍ଡକୁ ଆଉଁସି ଦେଉ ଦେଉ କହିଲେ" ମା ରେ ସିଏ ଏ ସ୍ବାର୍ଥ ପର ଦୁନିଆରୁ କିଛି ସମୟ ପାଇଁ ବିରତି ନେଇଛି।  ସିଏ ପୁଣି ଆସିବ । ହଁ ହଁ ଆସିବ ସିଏ ଯେଉଁ ଦିନ ମୋ ପରି ଅନେକ ବାପାଙ୍କ ମନ ଠିକ୍ ତୋ ଭଳି ହେଇଯିବ "!  ସେ ଦିନ ପରି ଆଜିବି ନନ୍ଦିନୀ କିଛି ବୁଝି ପାରୁନଥାଏ । ତଥାପି ବାପା ଙ୍କର କାନ୍ଦୁରା ମୁହଁ କୁ ଦେଖି ସବୁ ବୁଝି ଗଲା ପରି ହଁ ଟେ ମାରିଲା । ତାର ସେହି ଅବୁଝା ମୁହଁ କୁ ଦେଖି ରହିଥାନ୍ତି ଦାଶ ବାବୁ । ସେତିକି ବେଳେ ଦାଶ ବାବୁ ଙ୍କୁ ଲାଗିଲା ଯେମିତି କେହି ଜଣେ ତାଙ୍କୁ ଡାକୁଛି "ମଉସା ' ମଉସା "। ଚାରିଆଡେ ଚାହିଁ ଦେଖିଲେ ଦାଶ ବାବୁ । କିନ୍ତୁ ଜାଣି ପାରିଲେନି କିଏ ତାଙ୍କୁ ଡାକୁଛି? କିଛି ସମୟ ପରେ ତାଙ୍କୁ ଲାଗିଲା ଯେମିତି ନନ୍ଦିନୀ ର ହୃଦୟ ଟା ତାଙ୍କୁ ଡାକୁଛି ଆଉ କହୁଛି " କଣ ମଉସା ଜାଣିପାରୁନାହାନ୍ତି ମୁଁ ରାଧା କହୁଛି । ମୁଁ ଜାଣେ ଆପଣଙ୍କ ପାଇଁ ଅର୍ଥ ଆଉ ଆଭିଜାତ୍ୟ ସମ୍ପର୍କ ର ମୂଳଦୂଆ । ସେଥିପାଇଁ ସେଦିନ ସିନା ନନ୍ଦିନୀ କୁ ମୋ ଠାରୁ ଅଲଗା କରି ଦେଲେ ହେଲେ ଆଜି କଣ କରିପାରିବେ ? ଆଜି କଣ ଆପଣ କହିପାରିବେ ମୋର ଦାରିଦ୍ର୍ୟତା ଆଉ ମୋର ଅସ୍ପୃଶ୍ୟ ଶରୀର ଟା ପରି ମୋର ହୃଦୟ ଟା ବି ଅସ୍ପୃଶ୍ୟ "? ? ?

( ବି.ଦ୍ର. ତା ୧୧।୦୩।୨୦୧୮ ଆକାଶ ବାଣୀ ବାରିପଦାରୁ ରାତି ଘ୦୯.୩୦ମି ରେ ସ୍ବକଣ୍ଠରେ ପ୍ରସାରିତ) ॥

।।  ଜ୍ୟୋତିରଞ୍ଜନ ସାହୁ  ।।
jrs.2013rediffmail@gmail.com