ସବୁଦିନ ସକାଳୁ ସକାଳୁ ରେଡିଓ ଏଫ୍ ଏମ୍ ରେ ଆର୍ ଜେ ଆକାଶର ଜୀବନର କିଛି ରଙ୍ଗ କାର୍ଯ୍ୟକ୍ରମରେ ଛୋଟ ଛୋଟ ଷ୍ଟୋରୀ ଶୁଣିବାଟା ରାଜୁର ଗୋଟେ ଅଭ୍ୟାସ ହୋଇଗଲାଣି । ନୂଆ ନୂଆ ଇଞିନିୟରିଂ  କଲେଜ ଯାଉଛି ସେ । କିଛି ପୁରୁଣା ସମୟକୁ ପଛରେ ଛାଡି କିଛି ନୂଆ ଆଶାରେ ସଜେଇହୋଇ ଯୁବ ମନଟା ତାର ଦେଖିଚାଲିଛି ଅନେକ ସ୍ବପ୍ନ । ରକ୍ତରେ ଲହଡି ମାରୁଥିବା ଯୌବନର ଜୁଆରଟା କୂଳଲଂଘିବାକୁ ବ୍ୟଗ୍ର । ରାଜଧାନୀର  ଚାକଚକ୍ୟରେ କବଳିତ ଯୁବମନଟା ତାର ଇଚ୍ଛା କରୁଛି  ଉଡିବୁଲିବାକୁ । ଯୌବନର ପ୍ରଥମ ପଦାର୍ପଣରେ ସେ ବୋଧେ ଭୁଲିଯାଇଥିଲା ତା ବାପା ରାଜଧାନୀର ଜଣେ ମାମୁଲି ଅଟୋ ଚାଳକ । ସାରାଦିନ ଅକ୍ଳାନ୍ତ ପରିଶ୍ରମ କରି ସଂଧ୍ୟାବେଳକୁ ହିସାବ କରନ୍ତି ଝାଳର ମୂଲ୍ୟଟା କେତେ ? ନା ନିଶାର କବଳିତ ନା ବଦଖର୍ଚ୍ଚି ସିଏ । ଟଙ୍କାଟିଏ ଖର୍ଚ୍ଚ କରିବା ଆଗରୁ ଦଶଥର ଚିନ୍ତା କରୁଥିବେ ! ସତରେ ସଂସାର ଦାୟିତ୍ବଟା ବଢିଗଲେ ମଣିଷ ନିଜପାଇଁ ବଞ୍ଚିବା ଭୁଲିଯାଏ । ହେଲେ ରାଜୁର ଏବେ କଣବା ଦାୟିତ୍ବ! ସେଇଥିପାଇଁ ଆଖିରେ ତାର ଆଖିଏ ରଙ୍ଗୀନ ସ୍ବପ୍ନ ଆଉ ମନଟା ପାଲଟି ଯାଇଛି  ମନପବନ ଘୋଡା ।

                  ରାଜୁ ବାପାଙ୍କର ସ୍ବପ୍ନ ପୁଅ ତାଙ୍କର ଭଲ ପାଠପଢି ଭଲ ରୋଜଗାର କରୁ । ସେଇଥିପାଇଁ ନିଜର ଚିରିଯାଇଥିବା ସାର୍ଟ କୁ ମଧ୍ୟ ଅଣଦେଖାକରି ରାଜୁର ସବୁ ଅଭାବକୁ ପୁରଣ କରିବାକୁ ସେ ସଦା ଚେଷ୍ଟିତ । ନିଜ ପୁଅର ପାଠପଢା ପାଇଁ ଦରକାର ପଡିଲେ ସେ  ନିଜ ଶରୀରର ସବୁଯାକ ରକ୍ତ ଝାଳ ରୂପରେ ନିଗାଡିଦେବାକୁ ପ୍ରସ୍ତୁତ । ରାଜୁର ବାପା ଅଳ୍ପ ପାଠୁଆ କିନ୍ତୁ ଖୁବ୍ ସ୍ବାଭିମାନି । ବେଳେବେଳେ ବୋଧହୁଏ ଏମିତି ହୋଇଯାଏ ଯେତେବେଳେ ସଂସ୍କାର ଆଉ ସ୍ବାଭିମାନବି ଯୌବନର ଖସରା ବାଟରେ ଝୁଣ୍ଟିପଡେ ।ଆଜି ରାଜୁ ମଧ୍ୟ ସେହି ବାଟରେ ଟିକେ ଝୁଣ୍ଟିପଡିଛି । ପ୍ରଥମେ ପ୍ରଥମେ ମିଛ ବାହାନାରେ ବାପାଙ୍କୁ ଟଙ୍କା ମାଗିବାକୁ ଲେଉଟୁ ନଥିବା ଜିଭଟା ଏବେ ଏକାମରେ ଖୁବ୍ ପାରଙ୍ଗମ ହୋଇଗଲାଣି । ବାପା ତାର ଜାଣନ୍ତି କି ନା କେଜାଣି କିନ୍ତୁ ଯେତେଥର ରାଜୁ ଟଙ୍କା ମାଗିଛି ସେ ବିନା କୌଣସି ପ୍ରଶ୍ନରେ ତାକୁ ଯୋଗାଇଦେଇଛନ୍ତି । ଏମିତି ଠକୁ ଠକୁ ପାଖେଇ ଆସିଲା ପରୀକ୍ଷା । ସେଦିନ ହଠାତ୍ ରାତି ଅଧରେ ରାଜୁ ପାଖକୁ ଆସି ବାପା ତାର ପ୍ରଶ୍ନ କଲେ " ବାପା ! ପାଠ ପଢୁଛୁ ତ " ? ତାଙ୍କ ଥକିପଡିଥିବା ସ୍ବରଟା ଖୁବ୍ ଭାରିଭାରି ଜଣାପଡୁଥିଲା ରାଜୁକୁ । ବାପା ଆଜି କେମିତି ଅଲଗା ଅଲଗା ଜଣାପଡୁଥିଲେ । ହୃଦୟଟା ଆନ୍ଦୋଳିତ ହୋଇଉଠିଲା । ରାଜୁର ମନଟା ମନକୁ ମନ ପ୍ରଶ୍ନକଲା ' ବାପା ମୁଁ କରୁଥିବା ଠକାମି ଆଉ ଭୁଲ୍ କାମ ସବୁ ଜାଣିଗଲେକି ? ସାରା ସହରଟାତ ସିଏ ଘୁରିବୁଲନ୍ତି । ମୋ ଭୁଲ୍ କିଛି ତାଙ୍କ ନଜରରେ ପଡିଯାଇନିତ ' !!! ରାତି ପାହି ସକାଳ ହେଲା । ଏଫ୍ ଏମ୍ ଟା ଖୋଲୁଖୋଲୁ ଭାସି ଆସିଲା " ଆପଣମାନେ ଶୁଣୁଛନ୍ତି ଜୀବନର କିଛି ରଙ୍ଗ ମୋ ସାଥିରେ ମାନେ  ୱିଥ୍ ଆର୍ ଜେ ଆକାଶ । ଏଇଟା ମିଶାଇ ଚାରିଥର ଅଣ୍ଡାଦେଲାଣି ମା ପାରା । ଆଉ ସବୁଥର ସେ ପୋଡାମୁହାଁ ବିଲେଇଟା ଆସି କେତେବେଳେ ଅଣ୍ଡା ତ କେତେବେଳେ ମା ପାରାର କଅଁଳିଆ ଛୁଆ ଗୁଡାକୁ ଖାଇଦେଉଥିଲା । ପାଖ ବିଲଡିଂ ର ବାବୁଲା ଆଖିରେ ସବୁଥର ଧରାପଡିଯାଏ ସେ ବିଲେଇ । ବାବୁଲାର ପଢା ରୁମ୍ କାଚ ସେପାଖରେ ଦାସ ବାବୁକଂ ଛାତ ଉପରେ ସେ ପାରାଟା ଅଣ୍ଡାଦିଏ । ବାବୁଲା ଦେଖୁଥାଏ ସେ ପାରାକୁ ଆଉ ପାରା ଦେଖୁଥାଏ ବାବୁଲାକୁ । ବାବୁଲା ଦେଖେ ପାରା ନଥିବାବେଳେ ସେ ବିଲେଇଟା ବାବୁଲା ଘର ପାଇପ୍ ଫାଙ୍କରେ ଛାତ ଉପରକୁ ଉଠି ଦାସବାବୁଙ୍କର ଛାତକୁ ଚଢିଯାଇ ପାରା ଛୁଆ ଙ୍କୁ ଖାଇଦିଏ । ବାବୁଲା ସବୁବେଳେ ତା ବାପାକୁ ପଚାରେ ' ବାପା ! ସେ ପାରା ଜାଣୁଛି ସେଇଠି ଅଣ୍ଡାଦେଲେ ବିଲେଇ ଖାଇଦେଉଛି । ପୁଣି ସେଇଠି କଣ ପାଇଁ ଅଣ୍ଡା ଦେଉଛି '? କିଛି କୁହନ୍ତିନି ବାବୁଲାର ବାପା । ଦିନେ ସକାଳୁ ସକାଳୁ ଦୁଇଟା ଛୁଆପାରା ଖଣ୍ଡି ଉଡାଦେଇ ବାବୁଲା ଘର ଛାତ ରେ ଆସି ବସିଥାଆନ୍ତି । ହଠାତ୍ ବାବୁଲାର ବାପା ବାବୁଲାକୁ କହିଲେ ' ଜାଣିଛୁ ସେ ପାରାଟା କଣ ପାଇଁ ସବୁବେଳେ ସେଇଠି ଅଣ୍ଡା ଦେଉଥିଲା ! କାହିଁକିନା ସେ ଦେଖୁଥିଲା ତୁ କେବେ ଅନୁତାପ କରି ତୋ କର୍ତ୍ତବ୍ୟ କରୁଛୁ ! ସେ ଜାଣିଥିଲା ତୁ ନିଶ୍ଚୟ ପାଇପ ଫାଙ୍କଟାକୁ ବନ୍ଦ କରିଦେବୁ ଆଉ ତା ଛୁଆମାନେ ଦିନେ ଖୋଲା ଆକାଶରେ ଉଡିଯିବେ ! ତେବେ ଆଜି ପାଇଁ ଏତିକି । ମୋତେ ବିଦାୟ ଦିଅନ୍ତୁ ଆପଣଙ୍କ ପ୍ରିୟ ଆର୍ ଜେ ଆକାଶକୁ " । ଆଜିର ଗପଟା କାହିଁକି କେଜାଣି ଭିନ୍ନଏକ ଅନୁଭୂତି ଦେଉଥିଲା ରାଜୁକୁ । ବିଛଣାରୁ ଉଠି ବାହାରକୁ ଗଲା ରାଜୁ । ଦେଖିଲା ବାପା ଆଜି ଘରେ ଅଛନ୍ତି । ହେଲେ ଅଟୋଟା ନାହିଁ । ଦୌଡିଗଲା ବାପା ପାଖକୁ ଆଉ ପଚାରିଲା " ବାପା ! ତୁମ ଅଟୋ "? ପଛରୁ ମା କହିଲେ " ସାର୍ କହୁଥିଲେ କୁଆଡେ ବହୁତ ଟଙ୍କା ବାକି ଅଛି । ନଦେଲେ ତୁ ପରୀକ୍ଷା ଦେଇପାରିବୁନି " । ରାଜୁ ଦେଖିଲା ବାପା ହାତରେ ଦୁଇ ହଜାର ଟଙ୍କାର ପତଳା ବିଡାଟିଏ । ସେହି କ୍ଷଣରେ ସେ ପତଳା ବିଡାଟା ଥାଏ ରାଜୁ ବାପାଙ୍କ ହାତରେ ଆଉ ରାଜୁ ତା ବାପାଙ୍କ ପାଦତଳେ ଜଳୁଥାଏ ଅନୁତାପର ଅଗ୍ନିରେ  ॥

॥  ଜ୍ୟୋତିରଞନ ସାହୁ  ॥
jrs.2013rediffmail@gmail.com