ନୂତନ ବର୍ଷ ର ପ୍ରଥମ ଦିନ । ଚାରିଆଡ ଉତ୍ସବ ମୂଖର ।କେଉଁଠି ସିନେମା ଗୀତ ର ତାଳେତାଳେ ଝୁମିଯାଉଛନ୍ତି ଯୁବଗୋଷ୍ଠୀ ତ କେଉଁଠାରୁ ଭାସି ଆସୁଛି ମଦ ମାଂସ ର ଉତ୍କଟ ଗନ୍ଧ ପୁଣି କିଏ ହାତପାତିଦେଉଛି କାଳିଆ ସାଆନ୍ତ ପାଖରେ । କିନ୍ତୁ ଆଜିଭଳି ଦିନରେ ଖୁବ୍ ଚୁପ୍ ଚାପ୍ ବସିଥାନ୍ତି ବଟ ବାବୁ । ମନରେ କାହିଁକି କେଜାଣି ଭରିରହିଛି ବିଷାଦ ର କଳାବାଦଲ । କିଛି ସମୟ ଚୁପ୍ ଚାପ୍ ବସିବା ପରେ ବଟ ବାବୁ ଚାଲିଗଲେ ନିଜ ବେଡରୁମ୍ କୁ । ବେଡତଳେ ଥିବା ପୁରୁଣା ଟ୍ରଙ୍କ ଭିତରୁ ବାହାର କଲେ ସେହି ପୁରୁଣା ଭଙ୍ଗା ଚଷମା ଟିକୁ । ଅତି ଯତ୍ନରେ ତାକୁ ନେଇ ରଖିଦେଲେ ନିଜ ସାର୍ଟ ପକେଟରେ । ନିଜର ପୁରୁଣା ସ୍କୁଟର ଟିକୁ ବାହାର କରୁକରୁ ବଟବାବୁ ଡାକ ପକାଇଲେ " ଶୁଣୁଛ ଲାଲି ! ବାହାରିଲଣି "? କିଛି ସମୟପରେ ଘର ଭିତରୁ ବାହାରିଲେ ବଟ ବାବୁଙ୍କ ସ୍ତ୍ରୀ ଲାଲି । ବଟ ବାବୁଙ୍କ ସ୍କୁଟର ପଛରେ ବସି କହିଲେ " ଚାଲ "। ଆଉ ଏହାପରେ ବଟବାବୁଙ୍କ ସ୍କୁଟର ଟି ମାଡିଚାଲିଲା ଆଗକୁ ଆଗକୁ । ପାଖାପାଖି ଗୋଟିଏ ଘଣ୍ଟା ସ୍କୁଟର ଟି ଚାଲିବାପରେ ହଠାତ୍ ଆଟକିଗଲା କେନାଲ ରୋଡ ର ଗୋଟିଏ  ମାଇଲ ଖୁଣ୍ଟ ପାଖରେ ଯେଉଁଥିରେ ଲେଖାଅଛି *** ବନ୍ଧ ୦୩କିମି. । ଗାଡିରୁ  ଓହ୍ଲାଇ ଦୁହେଁ ଚୁପ୍ ଚାପ୍ ଛିଡାହେଲେ ଆଉ ଦୀର୍ଘ ନିଶ୍ବାସ ଟିଏ ଛାଡି କିଛି ସମୟ ଚାହିଁରହିଲେ ନୀଳଆକାଶ କୁ । ବଟବାବୁ ପକେଟରେ ଥିବା ନିଜର ଭଙ୍ଗା ଚଷମା ଟିକୁ ବାହାର କରି ପିନ୍ଧିଲେ ଆଉ ଚାହିଁଲେ ଲାଲି କୁ । ଦୁହେଁ ଦୁହିଁଙ୍କୁ ଦେଖୁଥାନ୍ତି ଆଉ ଦୁହିଁଙ୍କ ନୟନ ରୁ ଝରିପଡୁଥାଏ ଉଷ୍ଣ ଜଳବିନ୍ଦୁ । ଆଖି ଆଗରେ ତାଙ୍କର ନାଚିଯାଉଥାଏ ସେଦିନର ଘଟଣା ।

                ଆଜିପରି ସେଦିନ ମଧ୍ୟ ଥିଲା ନବ ବର୍ଷ ର ପ୍ରଥମ ଦିନ ।   ବଟବାବୁଙ୍କ ମନ ବି ଥିଲା ଖୁବ୍ ଖୁସି । ପୁଅ ତାଙ୍କର ଚାରି ବର୍ଷ ପରେ  ଆମେରିକା ରୁ ଫେରିଛି । ବହୁତ ଦିନପରେ ପୂରା ପରିବାର ଏକାଠି ଥିଲା ନୂଆ ବର୍ଷ ର ପ୍ରଥମ ଦିନରେ । ସମ୍ ବଟବାବୁଙ୍କ ଏକମାତ୍ର ପୁତ୍ର । ଖୁବ୍ ଭଲ ପାଏ ବାପା ମା ଙ୍କୁ। ମା ଙ୍କ ପାଇଁ ସିଏ ଆମେରିକା ରୁ ଆଣିଥିଲା ଗୋଟିଏ ସୁନ୍ଦର ଡାଇମଣ୍ଡ ନେକଲେସ୍ । ସେହି ନେକଲେସ୍ ଟିକୁ ମା ଗଳାରେ ପିନ୍ଧେଇ ଦେଇ କହିଥିଲା " ଆଲ ମା '  ଏଇ ନେକଲେସ୍  ଟା ତୋତେ ଖୁବ୍ ମାନୁଛି "। ଏହା ଶୁଣି ବଟ ବାବୁ କହିଲେ " ମୋତେ କାହିଁ ଭଲ ଦେଖାଯାଉନି । ବୁଝିଲ ଲାଲି ଏଇଟା ତୁମକୁ ମାନିବ ନାହିଁ । ଏଇଟା ଆମ ଭାବି ବୋହୂ ଗଳାରେ ଭଲ ମାନିବ । ସମ୍ ଏହା ଶୁଣି କହିଲା " ହଁ ମୁଁ ଜାଣିଥିଲି । ତୁମକୁ ଭଲ ଲାଗିବନାହିଁ । ସେଇଥି ପାଇଁ ତୁମର ଏ ଚଷମା ଟା ଆଣିଛି । ବହୁତ ଦାମିକୀୟା । ଏଇ ଚଷମା ଭିତରୁ ମା କୁ ଭଲ କରି ଦେଖିଲ । ମା ସୁନ୍ଦର ଦିଶୁନି "! ବଟବାବୁ ହସିଦେଇ କହିଲେ " ତୁ ଟା ଭାରି ଦୁଃଷ୍ଟ ହୋଇଗଲୁଣି ଲାଗୁଛି ମାଡ ଅଭାବ ପଡିଲାଣି "। ଏହା ପରେ ଘର ଉଲ୍ଲସିତ ହୋଇଉଠିଲା ପରିବାର ର ଆତ୍ମୀୟତା ଭିତରେ । କିଛି ସମୟ ପରେ ସମ୍ କହିଲା "ବାପା ! ଚାଲୁନ ଟିକିଏ *** ଡ୍ୟାମ ପଟେ ବୁଲାବୁଲି କରି ଆସିବା । ବହୁତ ଦିନ ହୋଇଗଲା *** ଡ୍ୟାମ ପଟେ ଯାଇନି । ଆଜି ନୂଆ ବର୍ଷ ଟାରେ ସେପଟେ ଟିକିଏ ବୁଲିଆସିବା । ଆଉ ହଁ ମା ମୋ ପାଇଁ ଦେଶୀ ଚିକେନ କଷା ଟା ଗରମ କରିଦେଇଥିବୁ । ମୁଁ ସଂଧ୍ୟା ରେ ଫେରି ଆସିଲେ ଖାଇବି "। ଏହାକହି ବାହାରିଗଲେ ବାପ ପୁଅ ଦୁଇଜଣ । ବାଟରେ ସମ୍ ବଟବାବୁଙ୍କୁ କହୁଥାଏ " ବାପା ଚଷମା ଟା ଭଲ ହୋଇଛିନା "! ବଟବାବୁ କହିଲେ " ବଢିଆ ହୋଇଛି । ଅପଢା ଅଦେଖା ଲେଖାବି ସ୍ପଷ୍ଟ ପଢିହେଉଛି । ବିଦେଶୀ ଚଷମା ଟି । କଣ ଆମର ସାହୁ ଅପଟିକାଲସ୍ ର ଚଷମା ହୋଇଛି "! ଏହା କହି ବାପ ପୁଅ ହସାହସି ହୋଇ ସ୍କୁଟର ଟିରେ ମାଡିଚାଲିଥାନ୍ତି ଆଗକୁ ଆଗକୁ ।

                ସେଦିନ ସେହି ଡ୍ୟାମ କୁ ପିକନିକ କରିବାକୁ ଆସିଥିଲେ ଗୋଟିଏ ଯୁବଗୋଷ୍ଠୀ । ମଦ ମାଂସ ର ଆସର ସାଙ୍ଗକୁ ଡିଜେ ରେ ଅଶ୍ଳୀଳ ଗୀତ ର ତାଳେତାଳେ ଅଭଦ୍ର ନୃତ୍ୟ ର ଆସର ଜମିଥିଲା ଡ୍ୟାମ ର ପିକନିକ ସ୍ପଟରେ । ନୂଆ ବର୍ଷ ରେ ଜୀବନ କୁ ଉପଭୋଗ କରିବାର ଏହି ନିଆରା ପରମ୍ପରା ଟା ଜଣାନାହିଁ ଆମ ଓଡିଆ ଯୁବ ଗୋଷ୍ଠୀଙ୍କ ମଧ୍ୟରେ କେବେଠାରୁ ଆଦୃତହେଲା କିନ୍ତୁ ଏକଥା ସତ ଯେ ଏହା ଆମର ଓଡିଆତ୍ବ କୁ ନଷ୍ଟ କରିଦେଲା । ସେଦିନ ସେହି ନିଶାସକ୍ତ  ଯୁବଗୋଷ୍ଠୀ ପିକନିକ ସାରି ଫେରୁଥିବା ସମୟରେ ତାଙ୍କର ଗାଡି ଚଲାଉଥିବା ନିଶାଗ୍ରସ୍ତ ଡ୍ରାଇଭର କେନାଲ ଉପର ଅଣଓସାରିଆ ରାସ୍ତାରେ ଭାରସାମ୍ୟ ହରାଇ ଧକ୍କାଦେଲା ଗୋଟିଏ ସ୍କୁଟର କୁ । ଯେଉଁ ସ୍କୁଟର ଟିରେ ଆସୁଥିଲେ ବଟବାବୁ ଆଉ ତାଙ୍କ ପୁଅ ସମ୍ । ଧକ୍କା ହେବାପରେ ସ୍କୁଟର ଟି ଛିଟିକି ପଡିଲା ଅପରପାର୍ଶ୍ବର ଜଙ୍ଗଲିଆ ବୁଦା ଭିତରକୁ । ଏହା ଦେଖି ବିଚଳିତ ନିଶାଗ୍ରସ୍ତ ଡ୍ରାଇଭର ନିର୍ଜନତା ର ସୁଯୋଗନେଇ ଖସି ଚାଲିଗଲେ ।  ଏପଟେ କ୍ଷତାକ୍ତ ବାପ ପୁଅ ଦୁହେଁ ଦୁର୍ଘଟଣା ପରେ ହୋଇପଡିଥିଲେ ସଂଜ୍ଞାହୀନ । କାହାରି ନଜର ପଡିନଥିଲା ସେହି ବାପ ପୁଅଙ୍କ ଉପରେ । ସଂଞ ନଇଁ ଆସିଲା ଆଉ ମାଡିଆସୁଥିଲା ରାତ୍ରି  । ଶୀତୁଆ ସଞ ର କାକର ସ୍ପର୍ଶଟା ସତେ ଯେପରି ଡାକି ଉଠାଇଦେଲା  ବଟବାବୁ ଙ୍କୁ । ଆଖି ଖୋଲିଲେ ବଟବାବୁ । କଥା କହୁଥାଏ ଯନ୍ତ୍ରଣା ଶରୀର ର ପ୍ରତ୍ୟେକ ଟି ଅଙ୍ଗ ରୁ । ବହୁ କଷ୍ଟରେ ବଟବାବୁ ଡାକଲେ " ସମ୍ ! ବେଟା ସମ୍ "। କିନ୍ତୁ ଆସିଲାନି କିଛି ଉତ୍ତର । ପୁନରାୟ ଡାକିଲେ । କିନ୍ତୁ ତାଙ୍କ ସ୍ବର କୁ ଗ୍ରାସ କରୁଥାଏ ସେଠାକାର ନିର୍ଜନତା । ବଟ ବାବୁ କିନ୍ତୁ ଜାଣନ୍ତି ନିର୍ଜନତା ଭିତରେ ବି ତାଙ୍କର ସମ୍ ଏଇଠି କେଉଁଠି ଅଛି । ଏତିକିବେଳେ କାନ କୁ ଛୁଇଁଗଲା ଗୋଟିଏ ଶବ୍ଦ । ଆଉ ସେ ଶବ୍ଦ ଟା ଥିଲା ମୋବାଇଲ ର । କିନ୍ତୁ କେଉଁଠି ଥିଲା ମୋବାଇଲ ଟା ଝାପ୍ସା ଦେଖିଲେ ମୋବାଇଲ ର ଆଲୋକ । ଘୋସାରି ଘୋସାରି ହୋଇ ପହଞ୍ଚିଲେ ମୋବାଇଲ ପାଖରେ । କିଛି ସ୍ପଷ୍ଟ ଦେଖାଯାଉ ନଥାଏ ବଟବାବୁ ଙ୍କୁ। ଅପେକ୍ଷା କଲେ କଲ୍ କୁ । କିଛି ସମୟ ପରେ ପୁଣି ରିଙ୍ଗ୍ ହେଲା ଫୋନଟି । ଏଥର କଲ୍ କୁ ରିସିଭ୍ କଲେ ବଟବାବୁ । ସେପଟ ରୁ ବ୍ୟସ୍ତବିବ୍ରତ ଲାଲି ବିରକ୍ତ ହୋଇ କହିଲେ " କଣ ତୁମର କିଛି ବୁଦ୍ଧିବିବେକ ଅଛି ନା ନାହିଁ । ରାତି ୯ଟା ବାଜିଲାଣି । କେଉଁଠି ଅଛ "? ଏକ ନିଶ୍ବାସରେ ପ୍ରଶ୍ନ କରିଗଲେ ଲାଲି । ସେପଟ ରୁ ବଟବାବୁ ଏତିକି ମାତ୍ର କହିଲେ " ଆମର ସ୍କୁଟର ର ଶାଳବଣି କେନାଲ ଜଙ୍ଗଲ ପାଖରେ ଆକ୍ସିଡେଣ୍ଟ ହୋଇଯାଇଛି  "। ବାସ୍ ଆଉ କିଛି ଜାଣନ୍ତି ନାହିଁ ବଟବାବୁ । ତା ପରେ ନିଜକୁ ଠାବକଲେ ହସ୍ପିଟାଲ ର ବେଡ ଉପରେ । ସଂଜ୍ଞା ଫେରିବା ପରେ ତାଂକର ପ୍ରଥମ ପ୍ରଶ୍ନ ଥିଲା " ସମ୍ କାହିଁ ! କେଉଁଠି ଅଛି ମୋ ସମ୍ " ? ଏତିକିବେଳେ ୱାଡ ବାହାରେ ଶୁଣାଗଲା ଲାଲିଙ୍କ ହୃଦୟ ବିଦାରକ କ୍ରନ୍ଦନ ର ସ୍ବର । ବୁଝିବାକୁ ଆଉ କିଛି ବାକିନଥିଲା ବଟବାବୁଙ୍କର ।

         ଘଟଣା ର କିଛିଦିନ ପରେ ବଟବାବୁ ଆଉ ଲାଲି ଗଲେ ସେହି ଅଭିଶପ୍ତ କେନାଲ ପାଖକୁ । ବଟବାବୁ ଦେଖିଲେ ସେହି ମାଇଲ ଖୁଣ୍ଟ ଟି ଯେଉଁଥିରେ ସମ୍ ର ମୁଣ୍ଡ ଟି ଗଭୀର ଆଘାତ ପାଇଥିଲା ଆଉ ମୃତ୍ୟୁ କୁ ମିଳିଯାଇଥିଲା ଗୋଟିଏ ସୁନ୍ଦର ବାହାନା । ସେଦିନ ସେହି ମାଇଲ ଖୁଣ୍ଟ ଟିରେ ବଟ ବାବୁ ଦେଖିପାରୁଥିଲେ ସମ୍ ର ନିରୀହ ରକ୍ତ ଛିଟା । ହଠାତ୍ କଣ ଗୋଟିଏ ଚକଚକ ଦେଖାଗଲା ବଟ ବାବୁଙ୍କ ଆଖି କୁ । କିଛି ଗୋଟିଏ ମିଳିବା ଆଶାରେ ଦୌଡିଗଲେ ବଟବାବୁ । ଅତି ଯତ୍ନ ରେ ଉଠାଇଲେ ସେହି ଜଙ୍ଗଲିଆ ବୁଦା ଭିତରୁ ତାକୁ । ରାସ୍ତା ରୁ ଥାଇ ଲାଲି ପଚାରୁଥିଲେ " କଣ ପାଇଲ "? ବଟବାବୁ କହୁଥିଲେ " ଆରେ ଲାଲି ! ମୋ ସମ୍ ର ଶେଷ ସନ୍ତକ ଟା ରେ "!

        ଏକଥା ଭାବୁଭାବୁ ଲାଲି କହିଲେ ଚାଲ ଯିବା । ଏତିକି କହି ଲାଲି ସ୍କୁଟର ଡିକି ରୁ ବାହାର କଲେ ଟିଫିନ ଟା । ଦୁହେଁ ଗଲେ ସେହି ଜଙ୍ଗଲିଆ ବୁଦା ଆଡକୁ । ଆଉ ଲାଲି ଅତି ଯତ୍ନରେ ପରଶିଦେଲେ ଦେଶୀ କୁକୁଡା ମାଂସ ଗୋଟିଏ ଶାଳପତ୍ର ଖଲିରେ । ଆଉ କହିଲେ " ବାପାରେ ! କେବେ ଆସିବୁ । ମାଂସ ଥଣ୍ତା ହୋଇଯିବ ରେ"!

॥ ଜ୍ୟୋତିରଞନ ସାହୁ ॥
jrs.2013rediffmail@gmail.com