ଆକାଶରୁ ବର୍ଷୁଛି ନିଆଁ । ଗାଁ ସଡକର ଗୋଡି ମାଟି ସବୁ ଜଳନ୍ତା ଅଙ୍ଗାର ଭଳିଆ ହୋଇଛି । ସହରୀ ପିଲା ବୋଧେ ଖାଲିପାଦରେ ଚାଲିଗଲେ ପାଦଟା ଦରସିଝା ମାଂସର ଭ୍ରମ ସୃଷ୍ଟି କରିଦେବ । ସେଇମିତି ଏକ ଖରାବେଳେ ମୋତି ନାନୀ ତା ବଙ୍କୁଲି ବାଡିଟା ଧରି ଚାଲିଛି ଗାଁ ସଡକଟା ଉପରେ । ଏ ମୋତି ନାନୀ ସାରା ଗାଁଟା ପାଇଁ ନାନୀ । ସବୁଦିନ ପରି ଆଜିବି ତା ପାଦରେ ନା ଅଛି ଜୋତା ନା ଚପଲ । ତଥାପି ସେ ଚାଲିଛି । କାହିଁକିନା ତା ପାଦଟା  ଏମିତି ଚାଲିଚାଲି ବଧିରା ପଡିଗଲାଣି । ଏ ମୋତି ନାନୀର ବୟସ ଅଶୀ ଉପରେ ହେବ । ଦେହର କଙ୍କାଳଟା ଉପରେ ଚମଡା ଛାଉଣୀ । ସେହିଥିରେ ସେ ଚାଲିଛି ଭୋଟ ଦେବାକୁ । ବାଟରେ ଦେଖାହୋଇଗଲା ହରି ମାଷ୍ଟର ସହିତ । ସେ କହିଲେ " ଆରେ ଏ ମୋତି ! ଏ ଛତାଟାନେଇଯା । ବହୁତ ଖରା ହୋଇଛିରେ " ! ପାକୁଆ ପାଟିରେ  ଟିକିଏ ହସିଦେଇ ମୋତି ନାନୀ କହିଲା" ଭଗବାନ ତୋର ମଙ୍ଗଳ କରନ୍ତୁ ପୁଅ । ସିଏ ତୋ ପୁଅକୁ କୋଟି ପରମାୟୂ ଦିଅନ୍ତୁ " । ଏହା ଶୁଣି ହରି ମାଷ୍ଟ୍ରେ କହିଲେ " ନାନୀ ଲୋ ! ଯଦି ପାରୁଛୁ ଆଶୀର୍ବାଦ ଦେ ଯେମିତି ମୋ ପୁଅ ଏଥର ଡାକ୍ତର ଟିଏ ହେଉ " ! ଏତିକି ଶୁଣିଦେଇ ଖୁବ୍ ଜୋର୍ ରେ ହସିଦେଲା ମୋତି ନାନୀ । ଯାଉ ଯାଉ ହରି ମାଷ୍ଟ୍ରେ ଙ୍କୁ କହିଗଲା " ପୁଅ ! ତୁ ବହୁତ ଭଲ ପିଲାଟା । ଆଉ ତୋ ପୁଅ ! ସେଇଟା ତ ସୁନା ମୁଣ୍ଢାଟା । ଜାଣିଛୁ ପୁଅ ! ଏଇ ତୁମ ଭଳି ଭଲ ପିଲାମାନେ ଯଦି  ଏ ଦେଶର ହାତ ଟା ଧରିବାକୁ ଆଗେଇ ଆସନ୍ତେ ନା' , ତାହାହେଲେ ବୋଧହୁଏ ମୋତେ ନିଜକୁ ଟଙ୍କା ପାଞ୍ଚ ଶହ ରେ ବିକ୍ରି କରିବାକୁ ପଡୁନଥାନ୍ତା "। ଏହା ଭିତରେ କଳାଛତାର ପଛପଟେ ଲୁଚି ଯାଇଥିଲା ମୋତି ନାନୀର ମୁହଁଟା । ଆଉ ହରି ମାଷ୍ଟ୍ରେ ଅନେଇ ଥାଆନ୍ତି ରାସ୍ତାରେ ଢଳି ଢଳି ଯାଉଥିବା ତାଙ୍କ କଳାଛତାଟିକୁ ।

॥ ଜ୍ୟୋତିରଞନ ସାହୁ ॥
jrs.2013rediffmail@gmail.com