ଆଜି ଅନେକ ଦିନପରେ ନୀଳ ରଙ୍ଗ ଶାଢୀଟିଏ ପିନ୍ଧି ଦର୍ପଣ ଆଗରେ ନିଜକୁ ବାରମ୍ବାର ଦେଖୁଥାଆନ୍ତି କଲ୍ୟାଣୀ ।  ସ୍ମୃତିଟା ସତେଯେପରି ତାଙ୍କୁ ରହିରହି କହୁଥାଏ 'କଲ୍ୟାଣୀ ! ତୁମ ଦେହକୁ ନା'ନୀଳରଙ୍ଗଟା ଖୁବ୍ ମାନେ ' ।ମନଟା ଆଜିବି ଠିକ୍ ସେହିଭଳି ଅଛି ; ଖାଲିଯାହା ଯୌବନଟା ତାଙ୍କର ଲଗାମ ଛଡା ଘୋଡିଟିଏ ସାଜି ଦୌଡିପଳାଇଛି ।  ହେଲେ ଆଜିବି କଲ୍ୟାଣୀଙ୍କ ମନରୁ ଯାଇନାହିଁ ସମାଜର ଭୟ । ତେଣୁ ପୁଅ ବୋହୂ ନାତି ନାତୁଣୀ ସମସ୍ତଙ୍କ ଅନୁପସ୍ଥିତିରେ ନିଜକୁ ଘୋଡାଉ ଥାଆନ୍ତି ନୀଳ ରଙ୍ଗର ଶାଢୀଟା ଭିତରେ । ଜୀବନର ରଙ୍ଗଟା କେବେଠାରୁଯେ ବେରଙ୍ଗ ହୋଇଯାଇଛି , ସେଇଟା ଆଉ ତାଙ୍କର ମନେନାହିଁ । ମନେନାହିଁ କହିଲେ ଭୁଲ୍ ହେବ । ସେ ଜାଣିଶୁଣି କେବେହେଲେ ମନେରଖିବାକୁ ଚେଷ୍ଟାକରିନାହାନ୍ତି । ଋତୁଚକ୍ରର ଆବର୍ତ୍ତନରେ ଏହାଭିତରେ ବିତିଗଲାଣି ଅଠାବନଟି ବସନ୍ତ  । କିନ୍ତୁ ଆଜିକୁ ଛତିଶ ବର୍ଷ ପୂର୍ବରୁ ପତ୍ରଝଡା  ଦେଇସାରିଥିବା କଲ୍ୟାଣୀଙ୍କ ଶୁଷ୍କଜୀବନଟି ବୋଧହୁଏ ଆଜି ପ୍ରଥମକରି ନବପଲ୍ଲବରେ ପଲ୍ଲବିତ ହେବାକୁ ଚେଷ୍ଟିତ । ଆନନ୍ଦର ଛୋଟିଆ କୁଆଁଟିଏ ମୁଣ୍ଡଟେକି ପଲ୍ଲବ ପ୍ରସାରିତ କରିବାକୁ ବ୍ୟାକୁଳ । ତେଣୁ ବହୁସାହସ ଏକତ୍ରିତ କରି କଲ୍ୟାଣୀ ଆଜି ଧବଳ ରଙ୍ଗରୁ ନିଜକୁ ମୁକୁଳାଇ ଇନ୍ଦ୍ରଧନୁର ବର୍ଣ୍ଣାଳୀ ଭିତରେ ନିଜକୁ ହଜାଇଦେବାକୁ ବ୍ୟଗ୍ର । ଆଜି ତାଙ୍କର ମନେପଡିଯାଉଛି ଛତିଶ ବର୍ଷ ପୁରୁଣା ସେହି ଅନାଲୋଚିତ ପ୍ରେମ ସମ୍ପର୍କଟା ବିଷୟରେ ; ଯାହାକୁ ସିଏ ହୃଦୟର ସିନ୍ଦୁକ ଭିତରେ ଆଜିଯାଏ ଆବଦ୍ଧକରି ରଖିଥିଲେ  ସମାଜ ଆଉ ସମ୍ପର୍କର ଭୟରେ । ଏତେ ବର୍ଷ ହେଲାଣି ସେ ଖାଲି ସମାଜ ଆଉ ସମ୍ପର୍କକୁ ନେଇ ବଞ୍ଚିଚାଲିଛନ୍ତି । ନିଜ ପାଇଁ ବଞ୍ଚିବା ସେ କେବେଠାରୁ ଭୁଲିସାରିଲେଣି । ଜୀବନର ଚଲାପଥଟା ସରିବାକୁ ବୋଧହୁଏ ଆଉ ଅଳ୍ପ ନିଶ୍ବାସର ଦୂରତା । ତେଣୁ ନିଶ୍ବାସର ପଥଟା ସରିବା ଆଗରୁ  ଥରଟିଏ ନିଜପାଇଁ ବଞ୍ଚିବାକୁ ; ଥରଟିଏ ପଶ୍ଚାତାପର ଅଗ୍ନିରୁ ନିଜକୁ ମୁକୁଳିତ କରିବାକୁ କଲ୍ୟାଣୀ ଆଜି ଖୁବ୍ ବ୍ୟଗ୍ର । ଅନେକ ଦିନପରେ ସିଏ ଫେରିଛନ୍ତି ହରିପୁର ଗାଁକୁ । ପ୍ରକୃତରେ ସିଏ ଯେ ସ୍ବଇଚ୍ଛାରେ ଆସିଛନ୍ତି ଏଠାକୁ ସେକଥା ପରିବାର ଲୋକଙ୍କୁ ଅଜଣା । ଏହିକିଛିଦିନ ହେବ ସେ ହରିପୁର ଗାଁ ହାଇସ୍କୁଲକୁ  କିରାଣୀ ଭାବେ ଟ୍ରାନସଫର ନେଇ ଆସିଛନ୍ତି । ପନ୍ଦର ବର୍ଷ ପୂର୍ବରୁ ସ୍ବାମୀ ହରିହର ଦାଶଙ୍କ ଅକାଳ ବିୟୋଗ ପରେ ସରକାର କଲ୍ୟାଣୀ ଙ୍କୁ ଅନୁକମ୍ପା ମୂଳକ ଥଇଥାନ ପାଇଁ ତାଙ୍କୁ ଚାକିରିରେ ଅବସ୍ଥାପିତ କରିଛନ୍ତି ।  ପୁଅ, ଝିଅ, ନାତି, ନାତୁଣୀ ସମସ୍ତେ ହରିପୁର ଗାଁଠାରୁ ଶହେ କି.ମି. ଦୂର ସହରରେ ରହୁଛନ୍ତି , ଯେଉଁଠାରେ ଦାଶ ବାବୁଙ୍କ ଅନ୍ତେ କଲ୍ୟାଣୀ ଗଢିଛନ୍ତି ନିଜର ସ୍ଥାୟୀ ଠିକଣା । ଆଉ କେଇଟା ବର୍ଷର କର୍ମମୟ ସରକାରୀ ଜୀବନଟାକୁ କାଟିଦେଲେ ସେ ପୁଣି ଫେରିଯିବେ ସହରର ନିଜ ଠିକଣା ସ୍ଥାନକୁ । ତେଣୁ ଶେଷଥର ପାଇଁ ସିଏ ଆସିଛନ୍ତି ହରିପୁର ଗାଁରେ ଜୀବନର ଶେଷ କିଛିବର୍ଷ ଅତିବାହିତ କରିବାକୁ । ହଜାଇଦେଇଥିବା ନିଜ ଜୀବନର ସେହି ଶେଷ ବସନ୍ତଟିକୁ ପୁଣିଥରେ ଖୋଜିବାକୁ ।

                          ଆଜି ରବିବାରଟାରେ ସକାଳୁ ସକାଳୁ ନୀଳ ରଙ୍ଗର ଶାଢୀକୁ ଖୁବ୍ ଯତ୍ନରେ ପିନ୍ଧି କଲ୍ୟାଣୀ ବାହାରି ପଡିଲେ ଗୋଟିଏ ଲକ୍ଷ୍ୟହୀନ ପକ୍ଷୀପରି । ରାସ୍ତାରେ ଯାଉ ଯାଉ ଅନୁଧ୍ୟାନ କରୁଥାଆନ୍ତି ହରିପୁର ଗାଁ ର ହୋଇ ଥିବା ନବକଳେବର । ଏହାଭିତରେ ଗାଁଟା ଅନେକ ବଦଳିଗଲାଣି । ଗାଁରେ ଆଉ ଗାଁର ସୁଗନ୍ଧ ନାହିଁ । ଗାଁଟା କେମିତି ଗୋଟାଏ ସହରିଆ ସହରିଆ ବାସିଲାଣି କଲ୍ୟାଣୀ ଙ୍କୁ । ହଠାତ୍ ମନଟା କହିଲା 'ଆରେ ଗାଁ ପୋଷ୍ଟ ଅଫିସ୍ ପଛପଟେ ଥିବା ସେ ବଉଳ ଗଛଟା ଅଛି ନା କଟା ସରିଲାଣି '! ଏହି ବଉଳ ଗଛଟାତ ଥିଲା ତାଙ୍କ ପ୍ରେମର ପ୍ରଥମ,ଶେଷ ଆଉ ମୂକ ସାକ୍ଷୀ । ଏହି ବଉଳ ମୂଳଟାରେ ଆଦିତ୍ୟଙ୍କ ସହ  ତାଙ୍କର ପ୍ରଥମେ ଦେଖାହୋଇଥିଲା । ପ୍ରଥମ ଦେଖାରୁ ପରିଚୟ ପ୍ରେମ ଆଉ ତାପରେ... । ଏ ପ୍ରେମଟା ବି ଅଦ୍ଭୁତ ଜିନିଷ ଟିଏ । ପାଖରେ ଥିଲେ କିଛି ନଥାଇ ବି ସବୁଥାଏ ପୁଣି ପାଖରେ ନଥିଲେ ସବୁଥାଇ ବି କିଛି ନଥାଏ । ଆଦିତ୍ୟଙ୍କ ଭାବନାରେ ଭାସୁ ଭାସୁ ଅଜାଣତରେ କଲ୍ୟାଣୀଙ୍କ ଲକ୍ଷ୍ୟପଥଟା ମୋଡିଗଲା ଗାଁ ପୋଷ୍ଟ ଅଫିସ୍ ଆଡକୁ । ସେଇଠି ଯାଇ ଦେଖିଲେ ପୋଷ୍ଟ ଅଫିସ୍ଟାର ନବକଳେବର । ଏତେସବୁ ପରିବର୍ତ୍ତନ ପରେବି ଯଥାବତ୍ ସୁରକ୍ଷିତ ଅଛି ସେହି ବଉଳ ଗଛଟି । ଆଉ ତାରବି ଯୌବନଟା ନାହିଁ । ବିଶାଳ ଦ୍ରୁମଟିଏ ସାଜି ସେ ଆଜି ବୃଦ୍ଧଟିଏ ପରି ନଇଁପଡିଲାଣି । ଯେତେବେଳେ କଲ୍ୟାଣୀ ସେହି ବଉଳ ଗଛଟିକୁ ସ୍ପର୍ଶକଲେ ସତେଯେପରି ସେ ଅନୁଭବ କଲେ ତାର ସ୍ପନ୍ଦନ । ଠିକ୍ , କଲ୍ୟାଣୀ ଙ୍କ ହୃତସ୍ପନ୍ଦନ ସହ ଯେପରି ତାଳଦେଇ  ସ୍ପନ୍ଦିତ ହେଉଥିଲା ସିଏ । କଲ୍ୟାଣୀ ଙ୍କୁ ଲାଗୁଥିଲା ଯେପରି ସେ ବଉଳ ଗଛଟା ତାଙ୍କୁ ନୀରବରେ ଅନେକ କିଛି କହିବାକୁ ଚେଷ୍ଟା କରୁଛି । ସେ ବଉଳ ଗଛକୁ ଦେଖୁଦେଖୁ କଲ୍ୟାଣୀ ହଜିଗଲେ ଅତୀତର ସେହି ଅପାସରା ସ୍ମୃତିଭିତରେ ।

                       ଆଜିକୁ ଛତିଶ ବର୍ଷ ତଳେ ଏହି ବଉଳମୂଳରେ ପ୍ରେମ ବନ୍ଧନରେ ଆବଦ୍ଧ ଦୁଇ ପ୍ରେମ ପକ୍ଷୀ ଦୂର ଦେଶକୁ ଉଡିଯିବା ପାଇଁ ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ ; ତାହାପୁଣି ଦୁହିଁଙ୍କର ରକ୍ଷଣଶୀଳ ପରିବାରର ବିନା ଅନୁମତିରେ । ରାତି ପାହିଲେ ଦୁହେଁ ଉଡିଯାଇଥାଆନ୍ତେ କେଉଁ ଏକ ଅଜଣା ରାଇଜକୁ , ଯେଉଁଠାରେ ଦୁହେଁ ଦୁହିଁଙ୍କୁ ଛାଡିଦେଲେ ଆଉ କେହି ଯେପରି ତାଙ୍କୁ ନଚିହ୍ନିପାରନ୍ତେ ! ହେଲେ ସେହି ରାତି ଭିତରେ କଣସବୁ ଘଟିଗଲା , ସେଇଟା ଆଜିଯାଏ ଆଦିତ୍ୟଙ୍କୁ ଜଣାନାହିଁ । କିନ୍ତୁ ସେହି ରାତିଟା ହିଁ  ସଜେଇଦେଲା କଲ୍ୟାଣୀ ଙ୍କୁ ପ୍ରେମରେ ଜଣେ ପ୍ରତାରିକା । ଏକଥା ଭାବୁଭାବୁ କଲ୍ୟାଣୀ ଙ୍କ ଅଜାଣତରେ ଚକ୍ଷୁର ସୀମା ଲଂଘି ବହିଆସିଲା ଦି'ଟୋପା ଲୁହ । ପଡିଗଲା ଡାହାଣ ହାତ ପାପୁଲି ଉପରେ ଯେଉଁ ପାପୁଲିରେ ଥିଲା ଆଦିତ୍ୟଙ୍କ ଦିଆ ଶେଷ ଗୋଲାପ ଫୁଲଟି । ଆଜି ସେ ଫୁଲରେ ରଙ୍ଗ ନାହିଁ ସୁଗନ୍ଧ ନାହିଁ ନା ଅଛି ସତେଜତା । ତଥାପି ସେ ଶୁଖିଲା ଗୋଲାପଟା କଲ୍ୟାଣୀଙ୍କ ଭିତରେ ଭରିଦେଉଥାଏ ଉନ୍ମାଦନା । ଏତିକିବେଳେ ହଠାତ୍ ପଛରୁ କାହାର ଏକ ଅଜଣା ସ୍ବରରେ ଚମକିଉଠିଲେ କଲ୍ୟାଣୀ । ପଛକୁ ବୁଲି ଦେଖିଲେ ଚଉତିରିଶ/ ପଇଁତିରିଶ ବର୍ଷର ସୁନ୍ଦର ଯୁବକଟିଏ । ଅତି ନମ୍ର ଭାବେ ସେ କହିଲା " ଆପଣ କଣ କଲ୍ୟାଣୀ ମ୍ୟାଡାମ୍ "? ଜଣେ ଅଜଣା ଯୁବକର ଏତାଦୃଶ ପ୍ରଶ୍ନରେ ଚମକିଗଲେ କଲ୍ୟାଣୀ । ତାଙ୍କ ଆଶ୍ଚର୍ଯ୍ୟାନ୍ବିତ ମୁହଁଟିକୁ ଦେଖିଦେଇ ଯୁବକ ଜଣକ ହସିହସି କହିଲା " ନା'ନା' ! ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଆପଣଙ୍କୁ ଜାଣେ ନାହିଁ କି ଆପଣ ବି ମୋତେ ଜାଣନ୍ତି ନାହିଁ । ଏମିତି ପଚାରିଦେଲି । ମୁଁ ଏହି ଗାଁ ପୋଷ୍ଟ ‍ଅଫିସ୍ ର ପୋଷ୍ଟ ମାଷ୍ଟର । ଅଫିସ୍ ରେ ଟିକିଏ କାମ ଥିଲା ବୋଲି ଛୁଟିଦିନରେ ବି ଅଫିସ୍ କୁ ଆସିଥିଲି । ହଠାତ୍ ନଜରଟା ଆପଣଙ୍କ ଉପରେ ପଡିଗଲା । ଦେଖିଲିଣି ଅନେକବେଳୁ ଆପଣ ଏ ବଉଳ ଗଛଟାକୁ ଧରି କଣ ସବୁ ଭାବୁଛନ୍ତି । କଥା କଣ କି ଆଜିକୁ ତିନି ବର୍ଷ ହେଲାଣି ମୁଁ  ଜଣେ ବୁଢା ମଉସାଙ୍କୁ ଦେଖିଆସୁଛି । ସବୁଦିନ ସକାଳୁ ଏହି ବଉଳ ପିଣ୍ଡିରେ ଦୁଇ ତିନି ଘଣ୍ଟା ବସିବସି ଘରକୁ ଫେରନ୍ତି । ଲୋକେ କହନ୍ତି ଏହା ତାଙ୍କର ନିତିଦିନିଆ ଅଭ୍ୟାସ । ହେଲେ ତାଙ୍କ ଆଖକୁ ଦେଖିଲେ ଜଣାପଡେ ଯେପରି ସେମାନେ କାହାର ଅପେକ୍ଷାରେ ଅଛନ୍ତି । ଚୁପଚାପ୍ ସେ ବଉଳ ମୂଳରେ ରଘୁ ଚା'ବାଲା ପାଖରୁ ଦି କପ୍ ଚା ପିଇଦେଇ ମଉସା ଘରକୁ ଚାଲିଯାଆନ୍ତି । ପଚାରିବି ପଚାରିବି ବୋଲି ଭାବି ଦିନେ କୌତୁହଳ ବଶତଃ ପଚାରିଦେଲି । ଟିକିଏ ହସିଦେଇ ସେ କହିଲେ ' ବୁଝିଲୁ ମୁଁ ଆଜିକୁ ଛତିଶ ବର୍ଷ ହେଲାଣି ଏ ବଉଳ ମୂଳରେ ଜଣକୁ ଅପେକ୍ଷା କରିଛି । ସେ ଆସିଲେ ଆମେ ଦୁଇଜଣ ଫେରାର୍ ହୋଇ ବାହାହେବା '। ପ୍ରଥମେ ପ୍ରଥମେ ମୁଁ ଭାବିଥିଲି ବୋଧହୁଏ ମଉସାକଂର ମୁଣ୍ଡ ଦୋଷ ଅଛି । କିନ୍ତୁ ମିଶିଲାପରେ ଜାଣିଲି ତାଙ୍କ ପ୍ରେମର ଗଭୀରତା । ସେ ମୋତେ କହନ୍ତି ' ଦେଖିବୁ ଦିନେ ନିଶ୍ଚୟ ମୋ କଲ୍ୟାଣୀ ଆସିବ । ମୁଁ ଜାଣେ ସେ କେବେହେଲେ ଜଣେ ପ୍ରତାରିକା ନୁହେଁ । ସେ ଆସିବ । ତା ଦେହକୁ ନା'ନୀଳ ରଙ୍ଗଟା ଖୁବ୍ ମାନେ । ସେହି ନୀଳ ରଙ୍ଗରେ ନିଜକୁ ରଙ୍ଗେଇଦେଇ ହାତରେ ନାଲି ଗୋଲାପଟିଏ ଧରି ସେ ମୋପାଖକୁ ଆସି କହିବ 'ଚାଲ ଆମେ ପଳାଇବା କେଉଁଏକ ଏକାନ୍ତ ଜାଗାକୁ । ଯେଉଁଠି ଖାଲି ତୁମେ ଥିବ ଆଉ ମୁଁ ' । ସେଥିପାଇଁ ଆପଣଙ୍କ ନୀଳ ଶାଢୀ ଆଉ ହାତରେ ସେହି ଶୁଖିଲା ଗୋଲାପଟିକୁ ଦେଖି ମୁଁ ଭାବିନେଲି ଆପଣ ମୋ ମଉସାଙ୍କ ସେହି ପ୍ରେମିକା କଲ୍ୟାଣୀ ବୋଲି " । ଯୁବକଟିର ମୁହଁରୁ ଗୋଲାପର କଥାଶୁଣି ତରତର ହୋଇ ହାତରେ ଧରିଥିବା ଶୁଖିଲା ଗୋଲାପଟିକୁ ଯଥାସମ୍ଭବ ଲୁଚାଇଦେବାକୁ ଚେଷ୍ଟାକଲେ କଲ୍ୟାଣୀ । ଏହାପରେ ଯୁବକଟି ଅଧିକ କିଛିନକହି ଚୁପଚାପ ଯିବାକୁ ଉଦ୍ୟତ ହେଲେ । କିଛି ପାହୁଣ୍ଡ ଆଗକୁ ଯାଆନ୍ତେ ପଛରୁ କହିବାର ଶୁଣାଗଲା"ଜାଣିଛ ପୁଅ ! ଏ ଶୁଖିଲା ଗୋଲାପଟା ମୋତେ ସିଏ ଦେଇଥିଲେ । ସମୟଟା ମୋତେ ଆଗକୁ ନେଇଗଲା । କିନ୍ତୁ ମୋ ମନ ଆଜିବି ଏହି ଶୁଖିଲା ଗୋଲାପଟା ପାଖରେ ଅଟକିରହିଛି । ଠିକ୍ ସେଦିନର ସେହି ସଜ ଗୋଲାପଟି ପରି ଆଜିବି  ଏହା ମୋ ମନରେ ସତେଜ ହୋଇରହିଛି । ବିବଶତାର ଅନ୍ୟ ନାଁ ବୋଧେ ନାରୀ । ନିଜର ତନ ମନ ଯୌବନ କୌଣସି ଥିରେ ତାର ଅଧିକାର ନାହିଁ । ସବୁଥିରେ କେହି ନା କେହି ତାଉପରେ ନିଜର ଅଧିକାର ସାବ୍ୟସ୍ତ କରିଛି । ଇଏ ପରା ନାରୀ ନାସ୍ତି ଅରି ଯସ୍ୟା ସା । ନା ଇଏ ପୁରୁଷଙ୍କ ପରି କଠୋର ହୋଇପାରେ ନା ଜଣେ ପିତା ପରି ଆଦେଶ ଦେଇପାରେ ! ତାସହ ତ ପ୍ରତିଟି ସ୍ତରରେ ଛଳନା କରାହୁଏ । କେତେବେଳେ ତା ଆବେଗପ୍ରବଣତାକୁ ନେଇ ଏ ସମାଜ ଖେଳ ଖେଳେ ତ କେବେ ଦେବୀର ମାନ୍ୟତା ଦେଇ ତା ସହିଷ୍ଣୁତାର ପରୀକ୍ଷା ନିଆଯାଏ । ସତ କହୁଛି ପୁଅ ! ସେଦିନ ରାତିରେ ମଧ୍ୟ ମୋସହ ଏହିଭଳି କିଛି ଘଟଣା ଘଟିଥିଲା । କୌଣସି ସୂତ୍ରରୁ ଆମ ପ୍ରେମ ସମ୍ପର୍କ ବିଷୟରେ ଘର ଲୋକ ଜାଣିଯାଇଥିଲେ । ତାପର ଦିନର ସକାଳଟା ମୋ ପାଇଁ ଭିନ୍ନ ଏକ ପରିଚୟ ନେଇ ଆସିଥିଲା । ଆଉ ସେହିଦିନଠାରୁ ସମୟ କେବେ ମୋତେ ପଛକୁ ବୁଲି ଚାହିଁବାକୁ ସୁଯୋଗ ଦେଇନାହିଁ । ତେବେ ଛାଡ ସେକଥା । ପାଖାପାଖି ପନ୍ଦର ଦିନ ହେବଣି ମୁଁ ଏଗାଁ ହାଇସ୍କୁଲକୁ ଆସିଲିଣି । ବୋଧହୁଏ ତାଙ୍କୁ ଜଣାନାହିଁ ମୁଁ ଆସିଛି ବୋଲି । ଯଦି ଦେଖାହୁଏ କହିବେ କାଲି ସକାଳେ ମୁଁ ତାଙ୍କୁ ଏଇଠି ଏ ବଉଳ ମୂଳରେ ଅପେକ୍ଷା କରିଥିବି " । "ହଁ ! ନିଶ୍ଚୟ କହିବି ମ୍ୟାଡାମ୍" କହି କଲ୍ୟାଣୀଙ୍କ ପାଖରୁ ହସିହସି ବିଦାୟ ନେଲେ ଯୁବକ ଜଣକ ।

                 ପରଦିନର ସୂର୍ଯ୍ୟ ! ପୁଣି ନୂତନ ଏକ ସକାଳ ! ବହୁରୂପି ସମୟର ଭିନ୍ନ ଏକ ରୂପ । ବିରସ ମନରେ ସେହି ପୋଷ୍ଟ ମାଷ୍ଟର ଯୁବକ ଜଣକ ମାଡିଚାଲିଥାଆନ୍ତି ଆଗକୁ ଆଗକୁ । ମନରେ ଆବେଗିକ ଯନ୍ତ୍ରଣା ଆଉ ମୁହଁରେ ବିଷାଦର ଛିଟା । କାନ୍ଧର ବୋଝ ଠାରୁ ମନ ର ବୋଝଟାରେ ଯୁବକ ଜଣକ ଅଧିକ ଭାରାକ୍ରାନ୍ତ । କାହିଁକି ନହେବେ !!  କଲ୍ୟାଣୀଙ୍କ ଉପସ୍ଥିତିର ସମ୍ବାଦଟା ଦେବାରେ ତାଙ୍କର ବିଳମ୍ବ ହୋଇଗଲା । ହୁଏତ ଏହା ଶୁଣି ଥିଲେ ମଉସାଙ୍କ ହୃଦୟର ସ୍ପନ୍ଦନଟା ଥକିପଡିନଥାନ୍ତା । କିନ୍ତୁ ଏବେ ସେ ସମ୍ବାଦଟା ଶୁଣିବାପାଇଁ ଆଉ ମଉସା ସମର୍ଥ ନଥିଲେ । ଅପେକ୍ଷାଟା ତାଙ୍କର ଅନ୍ତହୀନ ହୋଇଯାଇଥିଲା । ଖୁସିର କ୍ଷୀଣ ଶିଖାଟିଏ ଜଳି ମଧ୍ୟ ମୂଲ୍ୟହୀନ ହୋଇଯାଇଥିଲା ମଉସାଙ୍କ ପାଇଁ ।  ହଠାତ୍ ପୋଷ୍ଟ ମାଷ୍ଟର ଯୁବକଙ୍କ ମନେପଡିଲା ବାଟରେ ପଡିବ ପୋଷ୍ଟ ଅଫିସ ଆଉ ସେ ବଉଳ ମୂଳରେ ଅପେକ୍ଷା କରିଥିବେ କଲ୍ୟାଣୀ ମ୍ୟାଡାମ୍ । କଣ କହିବେ ତାଙ୍କୁ । କେମିତି କହିବେ ତାଙ୍କ ଅପେକ୍ଷାଟା ସବୁଦିନ ପାଇଁ ଅପେକ୍ଷାରେ ହିଁ ରହିଗଲା ! ଏହାଭିତରେ ପୋଷ୍ଟ ଅଫିସ୍ ଟା ପାଖେଇ ଆସିଲା । ନଜର ବୁଲାଇଲେ ପୋଷ୍ଟ ମାଷ୍ଟର ଯୁବକ ଜଣକ । ଦେଖିଲେ କେହି ନଥିଲେ ବଉଳ ଗଛତଳେ । ବୋଧହୁଏ କଲ୍ୟାଣୀ ମ୍ୟାଡାମଙ୍କୁ ମଉସାଙ୍କ ଖବରଟା ମିଳିଯାଇଛି । ଦୀର୍ଘ ନିଶ୍ବାସଟିଏ ଛାଡିଲେ ସେ ପୋଷ୍ଟ ମାଷ୍ଟର ଯୁବକ ଜଣକ । ଏତିକିବେଳେ ଆଗଛକ ରାସ୍ତାରେ ଦେଖାଗଲା ସ୍କୁଲ ପିଲାଙ୍କ ଭିଡ । ଜଣାପଡିଲା ହାଇସ୍କୁଲକୁ ନୂଆ କରି ଆସିଥିବା ମ୍ୟାଡାମ ଗତରାତିରେ ହୃତ୍ଘାତରେ ମୃତ୍ୟୁବରଣ କରିଛନ୍ତି ଆଉ ସେହି କାରଣରୁ ସ୍କୁଲ୍ ଛୁଟି । ସେ ମ୍ୟାଡାମ୍ ଆଉ କେହି ନଥିଲେ; ଥିଲେ କଲ୍ୟାଣୀ । ଏହା ଜାଣି ନିରବିଗଲେ ସେହି ଯୁବକ । ଅପରାଧୀ ସମ ଅନୁଭବ କଲେ ନିଜକୁ । ଅନ୍ତିମ ସଂସ୍କାର ସାରି ଫେରିବା ବାଟରେ ପୋଷ୍ଟ ମାଷ୍ଟର ଯୁବକ ଜଣକ ପୋଷ୍ଟ ଅଫିସ୍ ପାଖରେ ଅଟକି ନିରବରେ ଚାହିଁରହିଲେ ସେ ବିଶାଳ ବଉଳ ଗଛଟିକୁ । କିଛି ସମୟର ନିରବତା ପରେ ଆପେଆପେ ମୁହଁରୁ ତାଙ୍କର ବାହାରି ଆସିଲା " ଅପେକ୍ଷା ପୁଣି ଥରେ " ॥

॥ଜ୍ୟୋତିରଞନ ସାହୁ॥
jrs.2013rediffmail@gmail.com