ଯଦି ସେଦିନ ମୋତେ କେହି ବୁଝାଇଦେଇ ପାରିଥାଆନ୍ତା ମୋ ପିଲାଦିନଟା ଆଉ କେବେ ଫେରିବ ନାହିଁ ବୋଲି ତେବେ ବୋଧହୁଏ ମୁଁ ଆଉ କିଛି ଅଧିକ ବାଲି ଘର ତୋଳିପାରିଥାଆନ୍ତି ; ଆଉ କିଛି ସମୟ ଅଧିକ ଡାଳ ମାଙ୍କୁଡି ଖେଳିପାରିଥାଆନ୍ତି ; ଆଉ କିଛିଟା ଅଧିକା ଆମ୍ବ ଜାମୁ ଚୋରିକରିପାରିଥାଆନ୍ତି ; ମୋଟାମୋଟି କହିବାକୁଗଲେ ଆଉ କିଛିଦିନ ମୁଁ ଜୀବନକୁ ସତରେ  ଜୀଇଁପାରିଥାଆନ୍ତି । ଏହା ଭିତରେ ସମୟଟା ସିନା ଆଗେଇଚାଲିଛି ହେଲେ ମୁଁ ସବୁକିଛି ହରେଇଚାଲିଛି । ସେଦିନର ମୋ ହିରୋ ଆଜି ବୁଢା ବୁଢା ଦିଶିଲେଣି । ସେଦିନର ବଳିଷ୍ଠ ହାତ ଦୁଇଟାକୁ ସମୟ ଏହାଭିତରେ ଦୁର୍ବଳ କରିସାରିଲାଣି । ଯେଉଁ ସିଂହାସନ ଉପରୁ ଦିନେ ସାରା  ଦୁନିଆଁଟାକୁ ଦେଖିପାରୁଥିଲି ସେହି ସିଂହାସନଟା ଏବେ ସ୍ବପ୍ନ ହୋଇଗଲାଣି । ଦିନେ ମୋର ସାହାରା ଥିବା ସେହି ବଳିଷ୍ଠ ଶରୀରଟା ଏବେ ସାହାରା ଖୋଜିଲାଣି । ଦେଖୁଦେଖୁ ମୋ ପିଲା ଦିନର ହିରୋକୁ ସ୍ମୃତିର କେଉଁ ଏକ ପୃଷ୍ଠାରେ ମୁଁ ଛାଡି ଆସିଲିଣି । ପିଲାଦିନର ସେ ସ୍ମୃତି ଉପରେ କେବେଠାରୁ ଜଉ ମୁଦ ମରାସରିଲାଣି । ହିରୋର ପରିଚୟଟା ଉପରେ ଏବେ ବାର୍ଦ୍ଧକ୍ୟର ପରିଚୟଟା ମାଡିବସିଲାଣି । ସମୟଟା କେଡେ ଚତୁର ସତେ ! ଛୋଟ ପିଲାଟିକୁ ଚକଲେଟ୍ ଦେଇ ଭୁଲାଇବା ଠାରୁ ମଧ୍ୟ କମ୍ ସମୟରେ ସିଏ ମୋ ଠାରୁ ସବୁକିଛି ଛାଡାଇନେଇ ମୋତେ ଭୁଲେଇଚାଲିଛି ।

        ଏଇ ସେଦିନର କଥା । ଅଫିସ୍ ଶୀଘ୍ର ପହଞ୍ଚିବା ପାଇଁ ବାଇକ୍ ଟା ଟିକେ ଜୋର୍ ମୋଡିଦେଲି  । ଅଫିସ୍ ଆଉ କିଛି ବାଟ । ଜାଣିପାରିଲିନି କଣ ହୋଇଗଲା । ସିଧା ସିଧା ମାଡିଚାଲିଥିବା ମୋ ବାଇକ୍ ଟା ଧଡାମ୍ ହୋଇ ରେଲୱେ କ୍ରସିଂ ଟା ଉପରେ ପଡିଗଲା । ଓଃ ! କି ଯନ୍ତ୍ରଣା !  କିଛି ବୁଝିବା ଆଗରୁ ମୃତ୍ୟୁର ପରିଭାଷାଟା ମୁଁ ବୁଝିପାରୁଥିଲି । ଜୀବନ ଆଉ ମୃତ୍ୟୁ ଭିତରେ ଥିବା ସମୟର ଲୁଚକାଳି ଖେଳ ଉପରୁ ବୋଧେ ପରଦା ଉଠିବାକୁ କିଛି ନିଶ୍ବାସର ଦୂରତା ବାକି ଥାଏ । ନା ମୁଁ ଶ୍ବାସ ଛାଡି ପାରୁଛି ନା ନେଇପାରୁଛି । ସମୟଟା ଯେପରି କିଛି ସମୟ ପାଇଁ ମୋ ଚାରିପାଖରେ ସ୍ଥିର ହୋଇ ରହିଯାଇଛି । ଟିକିଏ  ପବନର ଆସ୍ବାଦନ କରିବାପାଇଁ ଯନ୍ତ୍ରଣାରେ ମୁଁ ରାସ୍ତା ଉପରେ ଦୌଡିବୁଲୁଥାଏ । ହଠାତ୍ ଯେପରି ଚଳଚଞ୍ଚଳ ହୋଇଉଠିଲା ସମୟ । ମୃତ୍ୟୁ ଉପରୁ ପରଦାଟା ଉଠୁ ଉଠୁ ହଠାତ୍ ପୁଣି ଯେପରି ଖସିପଡିଲା ପରଦା । କୌଣସି ଏକ ଶକ୍ତି ରେ ପବନର ପ୍ରବାହଟା ଧକ୍କାମାରି ବାହାରି ଆସିଲା ମୋ ମୁହଁରୁ ଆଉ ବନ୍ଦ ହୋଇଯାଇଥିବା ଶ୍ବାସର ପ୍ରବାହଟା ପୁଣିଥରେ ଚଳଚଞ୍ଚଳ ହୋଇଉଠିଲା । ଜାଣିଲି ଏ ଦୁନିଆଁ ରଙ୍ଗମଞ୍ଚରେ ମୋର ବୋଧହୁଏ  ଆହୁରି କିଛି  ଅଭିନୟ  ବାକିଅଛି । ଯନ୍ତ୍ରଣା ଛଟପଟ ଶରୀରଟା ସେତେବେଳକୁ ଅବସ ହୋଇଆସିଲାଣି । ହସ୍ପିଟାଲରେ ଜଣାପଡିଲା କାନ୍ଧରେ ଗମ୍ଭୀର ଆଘାତ । ଡାହାଣ ପଟ କଲର ବନ୍ ଭାଙ୍ଗିଯାଇଛି । ଅପରେସନ ହେବା କଥା ଜାଣି ମୁଁ ବାପାଙ୍କ ହାତକୁ ଭୟରେ ଟାଣିଧରି କହିଲି " ବାପା ! ବହୁତ ଡର ଲାଗୁଛି " । ବାପା କହିଲେ " ମୁଁ ଅଛି ପରା । ଭୟ କରନା " । ହେଲେ ମୋଠାରୁ ବୋଧେ ଅଧିକ ଭୟ ମୋ ବାପାଙ୍କ ଆଖିରେ ବାରି ହୋଇପଡୁଥାଏ । ତା ପରଦିନ ହେଲା ଅପେରେସନ୍ । ଯନ୍ତ୍ରଣାରେ ଚୁପ୍ ଚାପ୍ ପଡିଥାଏ ମୋ ଶରୀରଟା ହସ୍ପିଟାଲର ଧଳାରଙ୍ଗ ବେଡ୍ ଟା ଉପରେ  । ପାଖରେ ବସିଥାଆନ୍ତି ମୋ ବାପା । ମୋ ଠାରୁ ବେଶୀ ଯନ୍ତ୍ରଣା ତାଙ୍କ ଆଖିରେ ; ମୋ ଠାରୁ ବେଶି ନିର୍ଜୀବ ଦିଶୁଥାଏ ତାଙ୍କ ଚଳଚଞ୍ଚଳ ଶରୀର । ମୁଁ ତାଙ୍କ ହାତପାପୁଲି ଟାକୁ ଜାବୁଡ଼ି ଧରିଲି। ସେତିକି ବେଳକୁ ଦୁଇବୁନ୍ଦା ପାଣି ଖସିପଡିଲା ମୋ ପାପୁଲି ଉପରେ । ବେଶ୍ କିଛି ସମୟ ପରେ ମୁଁ କହିଲି " ବାପା ! ଟିକିଏ ବାଥ୍ ରୁମ୍ ଯିବି । ମୋତେ ଉଠାଇ ପାରିବ " !  ନିର୍ଜୀବ ସମ ଶରୀରଟା ତାଙ୍କର ହଠାତ୍ ଚଳଚଞ୍ଚଳ ହୋଇଉଠିଲା । କହି ଉଠିଲେ " ଆରେ ଚାଲ୍ ! ତୋତେ ଉଠେଇ ପାରିବିନିତ କାହାକୁ ଉଠେଇବି ! ତୁ ତ ମୋର ସବୁକିଛି । ତୋ ବିନା ତ ମୋ ଦୁନିଆଁଟା ଅନ୍ଧାରରେ । ତୋ ପାଇଁତ ମୁଁ ସବୁ କରିପାରିବି " । ଏତିକି କହୁକହୁ ସେ ମୋତେ ସାବଧାନତାର ସହ ଭିଡି ଧରିଲେ ଉଠାଇବା ପାଇଁ । ମୋତେ ଲାଗୁଥାଏ ସତେକି ଆଉ ସ୍ମୃତିର ଜଉ ମୁଦଟାକୁ ଭାଙ୍ଗି ସମୟଟା ଫେରିଗଲା ମୋ ପିଲାଦିନକୁ । ଆଜି କାହିଁକି କେଜାଣି ମୋ ବାପାଙ୍କ ଦୁର୍ବଳ ଶରୀରଟା ମୋତେ ଖୁବ୍ ବଳିଷ୍ଠ ମନେହେଉଥାଏ ; ବାର୍ଦ୍ଧକ୍ୟରେ ଜର୍ଜରିତ ବିଶାଳ ଦ୍ରୁମଟା ସତେଯେପରି ଆଜି ନିଜ ଦୁର୍ବଳ ମୂଳ ଉପରେ ପୂର୍ଣ୍ଣ ବିଶ୍ବାସରେ ଦୃଢତାର ସହ ଛିଡା ହୋଇଥାଏ । ମୁଁ ଧନ୍ୟବାଦ ଦେଉଥାଏ ସମୟକୁ ମୋ ପିଲାଦିନର ସେ ହିରୋ ସହ ମୋତେ ପୁଣିଥରେ ସାକ୍ଷାତ କରାଇଥିବାରୁ । ଯନ୍ତ୍ରଣା ଭିତରେ ବି ମୁଁ ଅନୁଭବ କରିପାରୁଥାଏ ପିଲା ଦିନେ ମୋର ସେ ହିରୋ ସତରେ ଆଜିବି ମୋପାଇଁ  'ମୋ ହିରୋ' ।

॥ ଜ୍ୟୋତିରଞନ ସାହୁ ॥
jrs.2013rediffmail@gmail.com