ଛଅ ମାସପରେ ଆଜି ଖୁସି ଘରକୁ ଆସୁଛି । ବାପା ମା ଜେଜେମା ସମସ୍ତେ ବହୁତ ଖୁସି । ଖୁସିକୁ ଦମ୍ ବିରିୟାନୀ ଭଲ ଲାଗେ ବୋଲି ମା ତାର ମନ ପ୍ରାଣ ଦେଇ ବିରିୟାନୀ କରିଛି । ଯେବେଠାରୁ ଖୁସି ରାଜଧାନୀରେ ପଢିଲାଣି ସେବେଠାରୁ ଦମ୍ ବିରିୟାନୀଟା ତାର ଫେବରେଟ୍ ହୋଇଯାଇଛି । ଖାସ୍ ତାହାରି ପାଇଁ ମା ତାର ବହୁଆଡୁ ବୁଝାବୁଝି କରି ଏ ଦମ୍ ବିରିୟାନୀ ତିଆରି କରିବା ଶିଖିଛିନ୍ତି ।  ଛୋଟିଆ ସହର ତ ! ଏଇଠି କିଏ ବୁଝେ ବିରିୟାନୀ ! ଆଉ ତାପରେବି ଏଇଠି ଦମ୍ ବିରିୟାନୀ କେତେବେଳେ କେମିତି  ଛାଡିଦେଲେ ସବୁବେଳେ ମିଳେନା । ସେଇଥି ପାଇଁ ଖୁସିର ମା ଏତେ କଷ୍ଟ କରି ତା ପାଇଁ ଆଜି ବିରିୟାନୀ କରିଛନ୍ତି । ସଂଧ୍ୟା ଛଅଟା ଟ୍ରେନ ରେ ଖୁସି ଆସି ପହଞ୍ଚିଲା । ଘରେ ପଶୁ ପଶୁ ମା ତାର ହଠାତ୍ କହି ଉଠିଲେ " ଆଲୋ ଖୁସି ! ତୋ କାନ ମୂଳରେ କଣ ଗୋଟେ ଚାଲୁଛି " ? ଠୋ ଠୋ ହୋଇ ହସିଚାଲିଲା ଖୁସି । ମା'କୁ ବୁଝାଇ କହିଲା " ଆଲୋ ମା ! ଏଇଟା କିଛି ନୁହେଁ ଗୋଟେ ଟାଟୁ ! ଟାଟୁ ! ଜାଣିଛୁ ଟାଟୁ ଟା କଣ " ? ମା ତାର କହିଲେ " ଏ ଟାଟୁ ଫାଟୁ ମୋତେ କିଛି ଜଣା ନାହିଁ ଲୋ ମା ! ତୋର ସୁନ୍ଦରିଆ ମୁହଁଟାରେ ଏ ଅପରିଷ୍କାର ଚିତ୍ର କଣ ପାଇଁ କରିଛୁ ? ମୋ ଝିଅର ଗୋରା ଦେହଟା କେମିତି ଚିତିରି ବିତିରି ଦିଶୁଛି " ! ଦୁଲ୍ କରି ଘର ସୋଫାରେ ବସି ପଡି ଖୁସି କହିଲା " ଓହୋ ମା ! ତୁ ଟା ପୁରା ମଫ । କ୍ୟାପିଟାଲ ଷ୍ଟାଇଲ୍ ତୁ ଜମା ଜାଣିନୁ । ଏଇଟା ଆଜିକାଲିର ଫ୍ୟାସନ୍ । ତୁ କଣ ଚାହୁଁଛୁ ତୋ ଝିଅ ରାଜଧାନୀରେ ଗାଉଁଲୀଙ୍କ ଭଳିଆ ରହୁ ! ବୁଢୀ ମା'କୁ ଦେଖୁନୁ ! ସିଏବି ତା ହାତରେ କେମିତି ସୁନ୍ଦରିଆ ଚିତା କୁଟେଇଥିଲା " ! ତା କଥା ଶୁଣି ଦୁଆର ମୁହଁରେ ବସିଥିବା ଖୁସିର ବୁଢୀମା ଚିଡିଚିଡି ହୋଇ କହିଲା " ଆଲୋ ଆମବେଳେ ଏ ଇସ୍ଟାଲ୍ ଫିସ୍ଟାଇଲ୍ କଣ ଆମେ ଜାଣିନଥିଲୁ । କାଳେ କେଉଁ ଛୁଆଧରା ନେଇଯିବ ଅବା କେତେବେଳେ ମୁଁ କେଉଁଠି ହଜିଯିବି ! ସେଇଥିପାଇଁ ମୋ ବା' ମୋ ନାଁ ଟା ହାତରେ ଲେଖାକରେଇଥିଲା ' ସାବିତ୍ରୀ ' । ମୋ ହାତଟା ଖଣ୍ଡେ ଦୂର ରୁ ଦେଖିଦେଲେବି ସେ ସାଙ୍ଗେସାଙ୍ଗେ ଜାଣିଦେଇ ପାଟିକରୁଥିଲା 'ମୋ ସାବି ଆସିଗଲାରେ ' ! ତାପରେ ମୁଁ ତୋଭଳିଆ ଏମିତି ଫେସନ କରୁନଥିଲି " । " ବାସ୍ ବାସ୍ ! ମୁହଁ ଦେଖି ଲୋକ ଚିହ୍ନା ପଡୁନି ଯେ ଲୋକ ଟାଟୁ କୁ ଦେଖିଚିହ୍ନିବେ ! ବୁଝିଲୁ ଏବେ ଆଉ ଲୋକ ଚିହ୍ନିବା ପାଇଁ ଟାଟୁ କରାହେଉନି । ଏବେ ଫେସନ୍ ପାଇଁ କରାହେଉଛି । ହେଉ ହେଉ ! ମୋତେ ଭୋକ କଲାଣି ଖାଇବାକୁ ଦେ " କହି ଗୋଡ ହାତ ଧୋଇ ଖାଇବା ଟେବୁଲ ରେ ବସିପଡିଲା ଖୁସି ।

                       ଏହାଭିତରେ ଆଉ ଦୁଇ ମାସ ବିତିଗଲାଣି । ଖୁସି ଆଜି ତା ଲେଡିଜ୍ ମେସ୍ ର କିଛି ସାଥୀଙ୍କୁ ନେଇ ରାଜଧାନୀର ପାର୍କ ଆଡେ ବୁଲିବାକୁ ଆସିଛି । ପାର୍କ ଆଗରେ ଥିବା ଠେଲା ଗାଡିରୁ ସବୁ ସାଙ୍ଗମାନେ ମିଶି ରିତିମତ ଗୁପଚୁପ୍ ଖାଇବାରେ ଲାଗିପଡିଛନ୍ତି । ଗୁପଚୁପ୍ ଖାଉ ଖାଉ ଅନତି ଦୂରରେ କିଛି ଗୋଟେ ଦୃଷ୍ଟି ଆକର୍ଷଣ କଲା ଖୁସିର । ଗୁପଚୁପ ଖାଇବା ବନ୍ଦ କରି ଖୁସି କିଛି ସମୟ ଚାହିଁ ରହିଲା ସେହି ନିର୍ଦ୍ଧିଷ୍ଟ ଦିଗକୁ । କଥା କଣ କି ଅନତି ଦୂରରେ ଯୋଡିଏ ପ୍ରେମ ପକ୍ଷୀ ଦୃଷ୍ଟିକଟୁ ଅବସ୍ଥାରେ ବସିଥାଆନ୍ତି ।  ପିଲାର ମୁହଁଟା ଲୁଚିଯାଇଥାଏ ଝିଅଟିର କୃଷ୍ଣ କେଶରାଶିର ନିଘଞ୍ଚ କାନନରେ । କିନ୍ତୁ ଏକଣ ! ସେ ଝିଅର ବେକ ପାଖରେ ଥିବା ଟାଟୁ ଟା ଠିକ୍ ଖୁସିର ଟାଟୁ ଭଳି ' । ଖୁସିର ମନେ ପଡିଗଲା ଚାରିମାସ ପୂର୍ବର କଥା ଯେଉଁଦିନ ଅଭି ଖୁସିକୁ କହିଥିଲେ " ବୁଝିଲ ଖୁସି ! ଏ ଟାଟୁ ଟା ପୁରାପୁରି ୟୂନିକ୍ । ଏଇଟା ତୁମ ଦେହରେ ମୋ ପ୍ରେମର ଚିହ୍ନ ହୋଇରହିବ । ତୁମେ ଯେତେ ଏହାକୁ ସ୍ପର୍ଶ କରୁଥିବ ; ମୋ ପ୍ରେମର ସ୍ପର୍ଶଟା ସେତେସେତେ ଅନୁଭବ କରୁଥିବ । ଏ ଟାଟୁ ଟା ତୁମ ପାଇଁ ମୋ ପ୍ରେମର ପ୍ରତିକ " । ଆଖି ଜକେଇ ଆସିଲା ଖୁସିର । ' ତାମାନେ କଣ ଅଭି ମୋ ସହ... ' ଇଚ୍ଛା ହେଉଥିଲା ନିଜ ଶରୀରରୁ ସେ ଟାଟୁ ଟିକୁ  କାଟି  ଅଲଗା କରିଦେବ ଖୁସି । ନିଜକୁ ଆଉ ସମ୍ଭାଳି ନପାରି ସିଏ କାନ୍ଦି କାନ୍ଦି ଦୌଡିଗଲା ସେ ଝିଅ ପାଖକୁ । ହଠାତ୍ ଖୁସିକୁ ଦେଖି ଚମକି ପଡିଲା ଅଭି । ଖୁବ୍ ଜୋର୍ ଚାପୁଡା ଟା ମାରି ଖୁସି  ନିଜ ସାଙ୍ଗ ମାନଙ୍କ ସହ ଯାଇ ଅଟୋରେ ବସିଲା । ଗଲାବେଳେ ଭାବୁଥିଲା ' ଠିକ୍ କହିଥିଲା ବୁଢୀମା । ଖାଲି ମୁହଁରୁ ନୁହେଁ ବେଳେବେଳେ ଟାଟୁ ରୁ ମଧ୍ୟ ମଣିଷ ଚିହ୍ନା ପଡେ ' ॥

॥ ଜ୍ୟୋତିରଞନ ସାହୁ ॥
jrs.2013rediffmail@gmail.com