ଦିନେ ଏକ ସୁନ୍ଦର ସକାଳ ରେ ପ୍ରାତଃଭ୍ରମଣ ରୁ ଫେରୁଥିବା ସମୟରେ ମାଈ କୁକୁର ଟିଏ ମୋ ପଛେପଛେ କାହିଁକି କେଜାଣି ମୋ ଘର ପର୍ଯନ୍ତ ଚାଲିଆସିଲା।କ୍ଷୁଧାତୁର ତାର କରୁଣ ଚାହାଁଣିରେ ସେ ମୋତେ ବଶୀଭୁତ କରି ବିବଶ କଲା ରୁଟି ଦୁଇ ପଟ ଦେବାପାଇଁ । ରୁଟି ଦୁଇପଟ ମହାଆନନ୍ଦ ରେ ଖାଇଦେଇ ତାର ଦୁର୍ବଳ ଲାଙ୍ଗୁଡ ଟିକୁ ହଲାଇ ହଲାଇ ମୋ ଦୃଶ୍ୟପଟ୍ଟରୁ ଅଦୃଶ୍ୟ ହୋଇଗଲା ।ପରଦିନ ପୁଣି ଏହି ଘଟଣାର ପୁନୋରାବୃତ୍ତି ହେଲା।ଏହିପରି କଟିଗଲା କିଛିମାସ ।  ସମୟର ବିବର୍ତ୍ତନରେ କେଉଁଏକ ଅଜଣା ଡୋରିରେ ବାନ୍ଧିହୋଇଗଲୁ ଆମେଦୁଇ ଜଣ । ମୋ ପୁଅ ବିଟୁ ତା ନାଁ ଦେଇଥିଲା କାଳୀ ।ବୋଧହୁଏ ତାର କଳାରଂଗ ପାଇଁ । କାଳୀ ପାଇଁ ବିଟୁ ଆଖିରେ ଦେଖିଛି ମୁଁ ଅନାବିଳ ମମତା । ଆଦ୍ୟ ଶୈଶବରେ ବୋଧହୁଏ ଏହା ଥିଲା ବିଟୁପାଇଁ ପ୍ରଥମ ଶିକ୍ଷା । ଗୋଟିଏ ଦିନ ଖରାବେଳେ ବିଟୁ ଚୁପ୍ଚାପ୍ ଆସି ମୋ କାନ ପାଖରେ ଧିରେ କହିଲା" ବାବା କାଳୀ ର ୫ଟା କୁନୁ ବେବି ଅଛି " । ମୁଁ ତୁରନ୍ତ ବାହାରକୁ ଆସି ଦେଖିଲି କାଳୀ ପାଇଛି ମାତୃତ୍ବର ସ୍ପର୍ଶ । ରାସ୍ତା କଡ ନାଳପାଖ ଏକ ହୋମପାଇପ ହୋଇଛି ତାର ଆଶ୍ରୟସ୍ଥଳୀ । କିଛି ସମୟ ମଧ୍ୟରେ ମୁଁ ଅନୁଭବ କଲି କାଳୀ କ୍ଷୁଧାରେ ଆତୁର କିନ୍ତୁ ମାତୃହୃଦୟ ତାକୁ ବାରଣ କରୁଛି ଛାଡିଯିବାପାଇଁ । ମୁଁ ତୁରନ୍ତ କିଛି ଖାଦ୍ୟ ନେଇ ଦେଲି ତା ପାଖରେ ।ମହାଆନନ୍ଦରେ ସେତକ ଖାଇ ପୁଣି ଚାଲିଗଲା ତା ପିଲାମାନଂକ ପାଖ କୁ। ବିଟୁ ପାଇଁ ସତେ ମିଳିଯାଇଥିଲା  ଜୀବନ୍ତ କଣ୍ଢେଇସବୁ । ଏହିପରି ଚାଲିଗଲା କିଛିଦିନ। ସେଦିନ ମୁଁ ଅଫିସରେ କାର୍ଯବ୍ୟସ୍ତ ଥାଏ। ହଠାତ୍..... ଫୋନ ଆସିଲା ବିଟୁ ର ଏକ୍ସିଡେଣ୍ଟ ହୋଇଯାଇଛି ।ଅବସ୍ଥା ଶୋଚନୀୟ । ଏହା ଶୁଣି ମୋ ମୁଣ୍ଡରେ ଯେପରି ବଜ୍ରପାତ ହେଲା । ପିତୃପ୍ରାଣ ମୋର ବ୍ୟାକୁଳ ହୋଇଉଠିଲା । ଚିତ୍କାର କରି କାନ୍ଦିବାକୁ ଇଚ୍ଛା କରୁଥିବା ପିତୃତ୍ବଟା ସେଦିନ ପୌରୁଷର ଶିକୁଳି ରେ ସତେଅବା ବନ୍ଧାପଡିଗଲା । ବ୍ୟସ୍ତବିବ୍ରତ ଆଉ ଆଶଂକା ଭିତରେ ଘରେ ପହନ୍ଚି ଜାଣିଲି କୌଣସି ଏକ ଅଜଣା ବାଇକ୍ ଧକ୍କାରେ ବିଟୁ ର ଅବସ୍ଥା ସଂକଟାପର୍ଣ୍ଣ । ଖରାବେଳର ନିର୍ଜନତାର ସୁଯୋଗ ନେଇ ରାସ୍ତା ଉପରେ ନିରୀହ ପିଲାଟିକୁ ଧକ୍କାଦେଇ ସଂକଟାପର୍ଣ୍ଣ ଅବସ୍ଥାରେ ଛାଡିଦେଇଗଲାପରେ ମଧ୍ୟ ସେ ପାଲଟିଯାଇଥାଏ ନିର୍ଦୋଷ । ଲାଗୁଥିଲା ସତେବା ମାନବିକତା ପାଲଟିଯାଇଛି ଅଭିଧାନର ଏକ ଶବ୍ଦ ମାତ୍ର। କାଳୀ ର କରାଳ ଶବ୍ଦରୁ ଘରଲୋକେ ଘଟଣା ବିଷୟରେ ଅବଗତ ହେଲେ। ଆଉ କାଳବିଳମ୍ବ ନକରି ମୁଁ ବିଟୁକୁ ନେଇ ଛୁଟିଗଲି ଡାକ୍ତର ଖାନା।ଦୀର୍ଘ ଏକ ମାସ ର ଚିକିତ୍ସା ପରେ ବିଟୁ ହେଲା ବିପଦମୁକ୍ତ । ସଂପୂର୍ଣ ଏକ ମାସପରେ ଆମର ଘରକୁ ପ୍ରତ୍ୟାବର୍ତ୍ତନ ହେଲା। ଚିରାଚରିତ ଅଭ୍ୟାସପରି ମୁଁ ପରଦିନ ବାହାରିଲି ପ୍ରତଃଭ୍ରମଣରେ। କାହିଁକି କେଜାଣି ମୋ ମନ ବିବ୍ରତ ଥିଲାପରି ଲାଗୁଥିଲା । କିନ୍ତୁ ଏ କଣ!କାଳୀ ର ରହଣି ସ୍ଥାନଟା ଏପରି ଶୂନ୍ଯ ! ସେ ଶୂନ୍ୟତା ମୋ ମନରେ ଅନେକ ପ୍ରଶ୍ନବାଚୀ ସ୍ରୃଷ୍ଟି କରୁଥିଲା ।.

                     ମନରେ ଅନେକ ପ୍ରଶ୍ନ କୁ ସାଁଉଟି ମୁଁ ପାଦ ବଢାଇଲି ପାର୍କ ଆଡକୁ । ଭାବୁଥାଏ କୁକୁରଟା ତ ବୋଧହୁଏ ଚାଲିଯାଇଥିବ । ପାର୍କରେ ପହଞ୍ଚିବା କ୍ଷଣି ବନ୍ଧୁମାନେ ଘେରିଯାଇ ବିଟୁ ର ଅବସ୍ଥା କଥା ପଚାରିଲେ।ନିଜନିଜର ମତାମତଉପସ୍ଥାପନ କଲେ । ଏହା ଭିତରେ ଜଣେ ବନ୍ଧୁ ମୋତେ କହିଲେ"ଜାଣିଛୁ ତୁ ଡାକ୍ତର ଖାନା ଗଲାପରେ ସେଇ କାଳୀ କାହାରିକୁ ସେ ରାସ୍ତା ରେ ଆଉ ଯିବାକୁ ଦେଲାନାହିଁ । ରାତି ତ ଦୂରର କଥା ଦିନରେ ମଧ୍ୟ ସେ ରାସ୍ତାରେ ଯିବା ଅସମ୍ଭବ ହୋଇପଡିଲା । ଦୁର୍ଭାଗ୍ୟ କୁ ଯଦି ବାଇକ ବାଲା ତୋ ଘର ଦେଇଗଲା ତା ଭାଗ୍ୟ ଖରାପ ବୋଲି ଜାଣ । କୌଣସି ବାଇକ ବାଲା ଆଉ ସେବାଟ ଦେଇ ଯିବାକୁ ନିରାପଦ ମଣିଲେ ନାହିଁ ।ବାଧ୍ୟହୋଇ ମ୍ୟୁନିସିପାଲଟି ରେ ଅଭିଯୋଗ କରିବାରୁ ବହୁ କଷ୍ଟରେ କାଳୀକୁ ବିଷ ଦେଇମାରିଲେ । ଏବେ ଯାଇ ଟିକିଏ ଶାନ୍ତି" । ତାଙ୍କ ମୁହଁରୁ ଏତିକି ଶୁଣି ମୋ ହୃଦୟରେ ଖେଳିଗଲା ଏକ ଅଶାନ୍ତ ଝଡ । ବିଚଳିତ ମୋ ମନରେ ଖେଳିଗଲା ବିଦ୍ରୋହ ର ନିଁଆ । ସେଦିନ ପିତୃତ୍ବକୁ ପୌରୁଷ ର ଶିକୁଳି ବାନ୍ଧିପକାଇବା ପରି ଆଜି ମାନବିକତାକୁ କଥାକଥିତ ଭଦ୍ରମୁଖା ପିନ୍ଧା ସମାଜ ବାନ୍ଧିରଖିଥିଲା।ଆଖିରେ ନାଚିଯାଉଥିଲା କାଳୀ ଓ ତାର ନିଷ୍ପାପ ଶିଶୁ ଆଉ ତାଙ୍କ ସହ ମୋ ବିଟୁର ଅନାବିଳ ସ୍ନେହ । ଲାଗୁଥିଲା ଚତୁର୍ଦିଗ ଅନ୍ଧକାରମୟ । ଆଉ ମୋ ଅଜାଣତରେ କେତେବେଳେ ଅଶ୍ରୁ ର ଦୁଇଧାରା ମୋ ନେତ୍ରକୋଣ ଦେଇବହିଚାଲିଗଲା ଅଭିମାନ ଭରା ଉପମା ଦେଇ ।
 (ସମାପ୍ତ)

॥ ଜ୍ୟୋତିରଞନ ସାହୁ ॥
jrs.2013rediffmail@gmail.com