ଜୀବନ ଛଳଣା ମରଣ ଯନ୍ତ୍ରଣା
ମଝିରେ ନିଶ୍ବାସ ବାନ୍ଧିଛି ଡୋରୀ
ସେ ଡୋରୀ ଭିଡୁଛି ସଂସାର ବିନ୍ଧାଣୀ
ସମୟ ଲଟେଇ ହାତରେ ଧରି ॥

କେବେ ଲଟେଇରୁ  ସୂତା ଦି'ଖିଅ
ସୁଖ ରୁପେ ସିଏ ଦେଉଛି ଛାଡି
ସେହି ଦି'ଖିଅ ସୂତା ପାଇଗଲେ
ଜୀବନ ଗୁଡିଟା ଯାଉଛି ମାଡି ॥

ସଂସାର ଗଗନେ ଜୀବନର ଗୁଡି
ଉଡିବୁଲେ ସତେ ଯିବସେ ମାଡି
ଦୂର ଆକାଶର ମେଘମାଳା ଟପି
ମରଣ ଗୁଡିକୁ ପଛରେ ଛାଡି  ॥

ଯେବେ ଲଟେଇର ସୂତା ଖିଅଟିକୁ
ଭିଡଇ ବିନ୍ଧାଣୀ ହାତରେ ତାର
ଜୀବନର ଗୁଡି ଖସଇ ତଳକୁ
ଉପରେ ଥାଏ ତା' ଦୁଃଖର ଭାର ॥

ଯେତେ ଯେତେ ଭିଡେ ନିଶ୍ବାସ ଡୋରୀକୁ
ଫଡ ଫଡ ଡାକେ ଜୀବନ ଗୁଡି
ସମୟ ଲଟେଇ ହାତରେ ଯାହାର
ଜାଣେସେ କେତିକି ପାରିବ ଉଡି ॥

କେବେ ସୁଖ ପୁଣି କେତେବେଳେ ଦୁଃଖ
ଛାଡଇ ଟାଣଇ ସୂତା ଖିଅକୁ
ଉପରକୁ ଗଲେ ଦେଖିନପାରଇ
ଜୀବନ ଗୁଡିଟା ତା ବିନ୍ଧାଣୀକୁ ॥

ଯେତେ ଯେତେ ଖସେ ଜୀବନର ଗୁଡି
ତଳକୁ ତଳକୁ ପାରେସେ ଦେଖି
ନିଶ୍ବାସର ଡୋରୀ କଟିସାରିଲାଣି
କାଟିଛି ବିନ୍ଧାଣୀ ହାତେ କଇଁଛି ॥

ଖସିପଡୁଥାଏ ଜୀବନର ଗୁଡି
ଅନୁତପ୍ତ ସିଏ ବିଚ୍ଛେଦ ଦେଖି
ମରଣ ଗୁଡିଟା ଧୀରେ ନଭେ ଉଡେ
ଦୁଃଖ ବାଦଲରୁ ଅଶ୍ରୁ ସାଉଁଟି  ॥

॥ ଜ୍ୟୋତିରଞନ ସାହୁ ॥
jrs.2013rediffmail@gmail.com
8895156355