ପରାସ୍ତ ସୈନିକ ଜୀବନ ଯୁଦ୍ଧରେ
ମୁଁ ଜଣେ ଜାଣେନା ଜୟର ସ୍ବାଦ
ଦୁନିଆଁ ଜାଣିଛି ବିଜୟର ମୂଲ୍ୟ
ମୂଲ୍ୟହୀନ ପରାଜିତର ସ୍ବେଦ ॥

ଗ୍ରୀବାରେ ସଜ୍ଜିତ ହୁଏ ପୁଷ୍ପମାଳା
ବିଜୟ ଲଲାଟେ ଶୋଭେ ତିଳକ
ଗ୍ଳାନିର ସଜ୍ଜିତ ଅଗ୍ନିର ଶଯ୍ୟାରେ
ଦଗ୍ଧୀଭୂତ ହୁଏ ମୁଁ ପରାଜିତ  ॥

ପରାଜିତ କରେ ନୀରବ ଚିତ୍କାର
ବିଜୟ ହାସ୍ୟରେ ଧ୍ବନିତ ଧରା
ପରାଜୟ ମୋର ଚିରସହୋଦର
କ୍ଷଣିକ ଅତିଥି ବିଜୟ ପରା  ॥

ବାରମ୍ବାର ଆସେ ପରାଜୟ ସତେ
ଅବା ସେ ଅତିଥି ଅନିମନ୍ତ୍ରିତ  .
ଦୁଃଖ ଅବଶୋଷ ଗ୍ଳାନି ଅପମାନ
ଉପମାରେ ହୋଇ ସେ ଅଳଂକୃତ ॥

ଉପବିଶ ହୁଏ ପରାଜୟ ଯେହୁଁ
ଭୂପତିତ ହୁଏ ମାନ ସମ୍ମାନ
ହୁଏ ଯେହୁଁ ଜୟ ଉପବିଶ ସ୍କନ୍ଧେ
ଆକର୍ଷିତ ସର୍ବଜନକଂ ଧ୍ୟାନ ॥

କ୍ଳାନ୍ତ ମନୋରଥ କ୍ଳାନ୍ତ ଏଶରୀର
ପରାଜୟ ଗ୍ଳାନି ଭୀରୁ ଚିନ୍ତନ
ଇଚ୍ଛା ଅସୁମାରୀ ଦେହ ସମର୍ପିବି
ଅତିଷ୍ଠ ଶରୀରେ ଅନ୍ତର୍ଦହନ ॥

ଆରେ ଆରେ ଆରେ ପରାସ୍ତ ସୈନିକ
ବୋଲି ଉଚ୍ଚାରିଲା ଶିଖର ଦେଶୁ
କିଏ ବୋଲି ଯେବେ ଉର୍ଦ୍ଧକୁ ଦେଖିଲି
ଜୟ ଡାକେ ପୁଣି ପରାଜୟକୁ  ॥

ଗଗନ ଚୁମ୍ବିତ ଆସନ ଜୟର
ଶୀର୍ଷକୁ ଦେଖଇ ଦୁଇ ନୟନ
ଆଶ୍ରିତ ପରାଏ ପରାଜୟ ସ୍ତମ୍ଭେ
ବିଜୟ ଆସନ ବିଦ୍ୟମାନ  ॥

ଜୟ ର ଆସନୁ ବିଚ୍ଛୁରିତ ହୁଏ
ସତେ ନବ ରତ୍ନୁ ଆଲୋକ ଶିଖା
ଦେଖେ ପରାଜୟ ନବ ରତ୍ନ ନୁହେଁ
ସେ ପରାଜୟର ଜୀବନ ଗାଥା ॥

ହସି ଜୟ କହେ ଶୁଣ ପରାଜୟ
ତୋ ବିନା ନାହିଁ ମୋ ଅସ୍ତିତ୍ଵ କିଛି
ଦୁନିଆଁ ନବୁଝୁ ପରାଜୟ ମୂଲ
ଅମୂଲ ମୂଲ ତୁ ମୁଁ ଯେ ବୁଝିଛି  ॥

ଯେଦିନ ଜୟର ମଥାରେ ମୁକୁଟ
ଗ୍ରୀବା ଦେଶେ ହେବ ପୁଷ୍ପ ଶୋଭିତ
ଆଖିର ଲୋତକ ନିରବେ କହିବ
ମୂଲ ଏତ ପରାଜୟ  ପ୍ରଦତ୍ତ  ॥

॥  ଜ୍ୟୋତିରଞନ ସାହୁ  ॥
8895156355
jrs.2013rediffmail@gmail.com