ରାଜଧାନୀର ଗୋଟିଏ ନାଁ କରା ଇଂରାଜୀ ବିଦ୍ୟାଳୟର ଦ୍ବିତୀୟ ଶ୍ରେଣୀରେ ପଢେ ଶୁଭ । ବାପା ତାର ରାଜଧାନୀର ସରକାରୀ ଅଫିସ୍ ରେ ଜଣେ ଉଚ୍ଚ ପଦସ୍ଥ ଅଫିସର । ମାସକୁ ମୋଟା ଅଙ୍କ ର ଦରମା । ମା ମଧ୍ୟ ଜଣେ ବ୍ୟାଙ୍କ୍ ଅଫିସର୍ । ଘରେ ଅଭାବ ବୋଲି କିଛି ନାହିଁ । ନା'ନା' ଭୁଲ କହିଦେଲି ବୋଧେ । ଅଭାବ ଅଛି ! ଅଭାବ ଅଛି ବ୍ୟବହାର ରେ ଶାଳିନତାର ; ଅଭାବ ଅଛି ଅନ୍ୟ ପାଇଁ କିଛି ସମୟର ; ଅଭାବ ଅଛି ପରିବାର ଭିତରେ ପରସ୍ପର ସମନ୍ବୟର । ତେବେ ‍ଶୁଭର ପରିବାର କହିଲେ ତା ବାପା ଓ ମା । ଆଉ କାହାରିକୁ ସିଏ ଏପର୍ଯ୍ୟନ୍ତ ଭଲକରି ଚିହ୍ନିପାରିନାହିଁ । ବାପା ଦେବ ବାବୁ ଖୁବ୍ ଉଚ୍ଚାଭିଳାଷି ଆଉ ମା ରୁବି ମଧ୍ୟ ଜଣେ ଅତ୍ୟାଧୁନିକା ନାରୀ । ଦେବ ବାବୁ ତାଙ୍କ ବାପା ମା ଙ୍କର ତୃତୀୟ ସନ୍ତାନ । ବଡ ଦୁଇ ଭାଇଙ୍କ ଆର୍ଥିକ ସ୍ବଚ୍ଛଳତା ଟିକିଏ କମ୍ । ରାଜଧାନୀ ଠାରୁ ଅନେକ ଦୂରରେ ଗୋଟିଏ ଅନାମଧେୟ ଗାଁରେ ବଡ ଭାଇ ସହ ରହୁଥିଲେ ବାପା ଓ ମା । ହେଲେ ଅର୍ଥାଭାବର ଦ୍ବାହି ଦେଇ ବଡ ଭାଇ ବାପା ମା ଙ୍କର ଦାୟିତ୍ବରୁ ନିଜକୁ ମୁକୁଳାଇବାକୁ ବ୍ୟାକୁଳ । ମଝିଆଁ ଭାଇଟା ସମ୍ପତ୍ତି ବିବାଦ ଭିତରେ ନିଜକୁ ଅଲଗା କରିନେଇ ଗଢିତୋଳିଛି ନିଜର ନୂଆ ଠିକଣା । ସେହିଭଳି ସାନ ଭାଇ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇବାକୁ ବ୍ୟଗ୍ର ।ତିନି ଭାଇ ପରସ୍ପର ଉପରେ ଦୋଷାରୋପ କରିବାରେ ବ୍ୟସ୍ତ । କେହି ବାର୍ଦ୍ଧକ୍ୟର ଆଶାବାଡି ହେବାପାଇଁ ଇଚ୍ଛୁକ ନୁହନ୍ତି । ବାପା ମା ଙ୍କର ଦାୟିତ୍ବଟା ସେମାନଙ୍କୁ ଅଣନିଶ୍ବାସୀ କରିଦେଉଥାଏ । ବଡ ପାଖରେ ଅର୍ଥାଭାବର ବାହାନା , ମଝିଆଁଟା ଦାୟିତ୍ବ ନେବାକୁ ଅନିଚ୍ଛୁକ ଆଉ ସାନ ମାନେ ଦେବ ବାବୁଙ୍କ ପାଖରେ ଦାୟିତ୍ବ ବୁଝିବାକୁ ସମୟର ଅଭାବ ।  କାହିଁକିନା ଶୁଭ ମା'ଙ୍କ ରୋକଠୋକ୍ କଥା ' ମୋ ପାଖରେ ବୁଢା ବୁଢୀଙ୍କ ସେବା ପାଇଁ ସମୟ ନାହିଁ । ଅଫିସ୍ କାମ ଘର କାମ ଭିତରେ  ଶୁଭର କଥା ବୁଝିବାକୁ ମୋ ପାଖରେ ସମୟ ନାହିଁ ; ମୁଁ ପୁଣି ସେମାନଙ୍କ କଥା କଣ ବୁଝିବି ! ମୋ ଦେଇ ହୋଇପାରିବନି । ଯଦି ବାପା ମା ସେବା କରିବାର ଇଚ୍ଛା ଆଉ ଗୋଟିଏ ଘରେ ସେମାନଙ୍କୁ ରଖ । ଏଇଠି ରଖନାହିଁ " ।

                 ସେଦିନ ଘର ର କୌଣସି ପୁଅ ବାପା ମା ଙ୍କର ବାର୍ଦ୍ଧକ୍ୟ ଦାୟିତ୍ବ ନେବାକୁ ଅନିଚ୍ଛୁକ ହେବାର ଦେଖି ଦେବ ବାବୁଙ୍କ ମା ଦେବ ବାବୁଙ୍କ ପାଖକୁ ଆସି କହିଲେ " ବାବୁରେ ! ତୋ ବାପାର ଦେହଟା ଆଉ ଭଲ ରହୁନି । ତୁ ତ ସହର ରେ ରହୁଛୁ । ଆମକୁ ଟିକିଏ ତୋ ପାଖକୁ ନେଇଯା । ତୋ ବାପାକୁ ସହର ରେ ଭଲ ଡାକ୍ତରଙ୍କୁ ଦେଖାଇଲେ ସେ ଭଲ ହୋଇଯିବେ । ସେ ଥରେ ଭଲ ହୋଇଗଲେ ତୁ ଆମକୁ ଯେଉଁଠି ନେଇ ଛାଡିଦେବୁ ଆମେ ଦୁଇଜଣ ସେଇଠି ରହିଯିବୁ ।  ଆଜି ତୋ ବାପା ତୋ ମୁହଁକୁ ଚାହିଁବସିଛନ୍ତି । ତୁ ଆସିଲେ ତାଙ୍କୁ ସହରକୁ ନେଇଯିବୁ " । ଅନ୍ୟ ଉପାୟ ନପାଇ ଦେବ ବାବୁ ବାଧ୍ୟ ହୋଇ ବାପା ମା'ଙ୍କୁ ରାଜଧାନୀ ନେଇଆସିଲେ । ତେବେ ମନରେ ଥାଏ   କିପରି ଏହି ଗୁରୁ ଦାୟିତ୍ବରୁ ନିଜକୁ ମୁକ୍ତ କରିବେ ! କିପରି ପତ୍ନୀ ରୁବିଙ୍କୁ ବୁଝାଇବେ ଯେ ବାପା ମା କିଛିଦିନ ପାଇଁ ଘରକୁ ଆସିବେ ! ତେବେ ଶାଶୁ ଶ୍ୱଶୁରଙ୍କ କିଛିଦିନର ରହଣି ଭିତରେ ଅତିଷ୍ଠ ହୋଇଉଠିଲେ ରୁବି ମ୍ୟାଡାମ୍ । ଦେବ ବାବୁଙ୍କ ପାଖରେ ପ୍ରତିଦିନ ତାଙ୍କର ଅଭିଯୋଗର ଲମ୍ବା ଫର୍ଦ । ଦିନେ ଏହାକୁ ନେଇ ଅନେକ କିଛି ବିଚାର ବିମର୍ଶ କରୁଥାଆନ୍ତି ଦେବ ବାବୁ ଆଉ ରୁବି ମ୍ୟାଡାମ୍ ।  ଏତିକିବେଳେ  ପଛରୁ ହଠାତ୍ ଶୁଭ ପାଟିକରି ପଚାରିଲା " ଡ୍ୟାଡି ! କାଲି ମୋର ଫ୍ୟାନସି ଡ୍ରେସ୍ କମ୍ପିଟିସନ୍ । ମୁଁ ଗଡ୍ ହେବି । ଡ୍ୟାଡି ! ଗଡ୍ କିଏ "? ଶୁଭର ମୁଣ୍ଡକୁ  ଆଉଁଷି ଦେଉଦେଉ ଦେବ ବାବୁ କହିଲେ " ଯିଏ ଆମକୁ ଜନ୍ମ ଦେଇଛନ୍ତି ; ଯିଏ ଆମ କଥା ବୁଝୁଛନ୍ତି ; ଯାହାକୁ ଆମେ ଯେତେବେଳେ  ଯାହା ମାଗୁ ସିଏ ସାଙ୍ଗେସାଙ୍ଗେ ଦେଇଦିଅନ୍ତି ; ସିଏ ହେଲେ ଗଡ୍ " । ବାପାଙ୍କ ମୁହଁକୁ ବଲବଲ କରି କିଛି ସମୟ ପାଇଁ ଚାହିଁଦେଇ ଶୁଭ ଜେଜେବାପା ଜେଜେମାଙ୍କ ପାଖକୁ ଚାଲିଗଲା ।

                   ପରଦିନ ସ୍କୁଲରେ ଥାଏ ଫ୍ୟାନସି ଡ୍ରେସ୍ କମ୍ପିଟିସନ୍ ।  ଶୁଭ ଗଡ୍ ବେଶରେ ନିଜକୁ ସଜେଇ ହେଇ ସ୍କୁଲର ଷ୍ଟେଜ ଉପରକୁ ଉଠିଲା । କିଛି ସମୟ ପାଇଁ ଟିକିଏ ନର୍ଭସ୍ ହୋଇଗଲା ସିଏ । ପୁଣି ଆରମ୍ଭ କଲା " ମେରେ ଗ୍ରାଣ୍ଡ୍ ଫାଦର ଓଡିଆ ମେ ବୋଲନେ କେଲିଏ ବୋଲେହେଁ । ଗଡ୍ କିଏ ? ମୋ ଡ୍ୟାଡ୍ କହିଲେ ଯିଏ ଆମକୁ ଜନ୍ମ ଦେଇଛନ୍ତି ; ଯିଏ ଆମ କଥା ବୁଝୁଛନ୍ତି ; ଯିଏ ଆମେ ଯେତେବେଳେ ଯାହା ମାଗୁ ସାଙ୍ଗେସାଙ୍ଗେ ଦେଇଦିଅନ୍ତି  ସିଏ ହେଲେ ଗଡ୍ । ମୋ ଗ୍ରାଣ୍ଡ ପା' କହିଲେ ମୋ ଡ୍ୟାଡ୍ ହେଉଛନ୍ତି ମୋ ପାଇଁ ଗଡ୍ " ! କିଛି ସମୟ କଣ ଟିକିଏ ଚିନ୍ତା କରି ଶୁଭ ପୁଣି କହିଲା " ତା ହେଲେ ମୋ ଗ୍ରାଣ୍ଡ ପା' ମୋ ଡ୍ୟାଡଙ୍କର ଗଡ୍ । ମୋ ଗ୍ରାଣ୍ଡ ପା' କହନ୍ତି ମୁଁ ହେଉଛି ଛୋଟ ଗଡ୍ । ତାମାନେ ମୋ ଡ୍ୟାଡ୍ ବଡ ଗଡ୍ ଆଉ ମୋ ଗ୍ରାଣ୍ଡ୍ ପା' ! ସିଏ ସବୁଠାରୁ ବଡ ଗଡ୍ । ଆଉ ଯେତେବେଳେ ମୁଁ ସବୁଠାରୁ ବଡ ଗଡ୍ ହେବି ସେତେବେଳେ ମୁଁ ବି ଟେମ୍ପଲ୍ କୁ ଯିବି ; ଯେମିତି ମୋ ଗ୍ରାଣ୍ଡ  ପା' କାଲି ଟେମ୍ପଲ୍ କୁ ଯିବେ ! ମୋ ଗ୍ରାଣ୍ଡ ପା' କହୁଥିଲେ ସିଏ ଆଉ ଆମ ଘରେ ରହିପାରିବେନି । ସିଏ ସବୁଠାରୁ ବଡ ଗଡ୍ ନା ! ସେଇଥି ପାଇଁ ଏବେ ସେ ଟେମ୍ପଲକୁ ଯିବେ । ସେଠାରେ ବହୁତ ବଡ ବଡ ଗଡ୍ ଅଛନ୍ତି । କାଲି ମୋ ଗ୍ରାଣ୍ଡ ପା' ସେଠାକୁ  ଯିବେ । ତାପରେ ମୋ ଡ୍ୟାଡ୍ ଆଉ ତାପରେ ମୁଁ ଯେତେବେଳେ ସବୁଠାରୁ ବଡ ଗଡ୍ ହୋଇଯିବି ସେତେବେଳେ ମୁଁ ବି ସେ ଟେମ୍ପଲ କୁ ଯିବି । ଡ୍ୟାଡି ! କାଲି ଗ୍ରାଣ୍ଡ ପା' କୁ ଟେମ୍ପଲ ନେଲାବେଳେ ମୋତେ ବି ନେଇଯିବ । ମୁଁ ବି ସେ ଟେମ୍ପଲରେ ଥିବା ସବୁ ବଡ ଗଡ୍ ମାନଙ୍କୁ ଦେଖିବି ! ଡ୍ୟାଡି ! ମୋତେ ଟେମ୍ପଲ୍ କୁ ନେଇଯିବନା " ! ! ! ଶୁଭର କିଛି ସମୟର ସ୍ପିଚ୍ ଟା ସେଠାରେ ଉପସ୍ଥିତ ସମସ୍ତଙ୍କୁ ସ୍ପିଚ୍ ଲେସ୍ କରିସାରିଥିଲା । କିଛି ସମୟର ନିରବତାକୁ ଭଙ୍ଗକରି ଦେବ ବାବୁ ଷ୍ଟେଜ୍ ଉପରକୁ ଚଢିଗଲେ ଆଉ ଛାତିରେ ଭିଡିଧରିଲେ ଶୁଭକୁ । ଉପସ୍ଥିତ ଜନତାଙ୍କ କରତାଳି ଭିତରେ ବହିଚାଲିଥାଏ ରୁବି ମ୍ୟାଡାମ୍ ଙ୍କ ଆଖିରୁ ପଶ୍ଚାତାପର ଅଶ୍ରୁ ॥

॥ ଜ୍ୟୋତିରଞନ ସାହୁ ॥
jrs.2013rediffmail@gmail.com
8895156355