କୌଣସି ଏକ ଶକ୍ତ ପ୍ରହାରରେ ଶିହରି ଉଠିଲା ସମସ୍ତ ଶରୀର । ବୈଶାଖ ର ପ୍ରଚଣ୍ଡ ରୌଦ୍ର ପ୍ରହାରକୁ ପ୍ରତିହତ କରୁକରୁ ତାର ଝାଉଁଳା ଦେହଟାରେ ହଠାତ୍ ଆଉ କାହାର ପ୍ରହାର ଯେମିତି କଟା ଘା' ରେ ଚୂନ ସଦୃଶ କାମ କରୁଥିଲା ।  ନିଶବ୍ଦ ଦ୍ବିପ୍ରହର ରେ ବୈଶାଖ ର ନିରବତାକୁ  ଭାଙ୍ଗିଚାଲିଥାଏ କୁରାଢୀ ର ପ୍ରଚଣ୍ଡ ପ୍ରହାର ପରେ ପ୍ରହାର । ସୁଦୂର ଗ୍ରାମର ଶେଷପ୍ରାନ୍ତ ପର୍ଯ୍ୟନ୍ତ ଶୁଭୁଥାଏ କୁରାଢୀ ଚୋଟ ର ସେ କ୍ରୁର ଶବ୍ଦ । ଖାଲି ଯଦି ଶୁଭୁନଥାଏ ତାହାକେବଳ ସେ ବୁଢା ଆମ୍ବଗଛର ଯନ୍ତ୍ରଣା ଆଉ ସେ ଗଛରେ ପିଢ଼ି ପରେ ପିଢି ନିଜର ଭବିଷ୍ୟତ କୁ ପତ୍ରେପତ୍ରେ ଆଙ୍କିଥିବା ଶତ ଶତ ବିହଙ୍ଗ ଙ୍କ ପ୍ରତିବାଦର ସ୍ବର । ଅସ୍ତମିତ ସୂର୍ଯ୍ୟ ସହିତ ଶାନ୍ତ ହୋଇପଡିଲା କୁରାଢୀ ର ସେ ପ୍ରଚଣ୍ଡ ପ୍ରହାର ; ଆଉ ତା ସହିତ ଅବ୍ୟକ୍ତ ବେଦନାରେ ଅଶାନ୍ତ ହୋଇଉଠୁଥାଏ ରାଜପଥ ପାଖ ସେହି ବୁଢା ଆମ୍ବଗଛ ର ଚତୁପାର୍ଶ୍ବ ର ପରିବେଶ ।

            ହଁ , ସେହି ବୁଢା ଆମ୍ବଗଛ , ଯେଉଁ ଆମ୍ବଗଛ ତଳେ କେଜାଣି କେତେ କ୍ଳାନ୍ତି ର ହୋଇଛି ଅବସାନ ; ଆଉ କେତେ କ୍ଷୁଧାର ହୋଇଛି ନିବାରଣ ତାର ହିସାବ କରିବାରେ ବୋଧହୁଏ ଆଜିର ପିଢି ଅସମର୍ଥ । କିନ୍ତୁ ଏହି ହିସାବ ନିକାସ ର ସଂଖ୍ୟା ଭିତରେ ସେ ଆଜି ହୋଇପଡିଛି ଅଲୋଡା । ଠିକ୍ କଥା ; ଯେଉଁ ସମାଜରେ ପିତାମାତା ବାର୍ଦ୍ଧକ୍ୟରେ ଅଲୋଡା , ପ୍ରତିକ୍ଷଣ ସମ୍ପର୍କରେ ଯେଉଁଠି ସ୍ବାର୍ଥ ର ବାସ୍ନା , ସେଠାରେ ଏ ବୁଢା ଆମ୍ବଗଛ ର ଲାଭକ୍ଷତି ର ପରିମାଣ ହିସାବ କରୁଛି କିଏ ? ତେଣୁ ଆଉ ଗୋଟିଏ ସକାଳ; ବାସ୍ ଆଉ ତାପରେ ଏ ଧରା ପୃଷ୍ଠରୁ ଚିରଦିନ ପାଇଁ ତାକୁ ହରାଇବାକୁ ହେବ ତାର ଅସ୍ତିତ୍ବ । ଆଜିର ପ୍ରଚଣ୍ଡ ଯନ୍ତ୍ରଣା କୁ ନେଇ ତାକୁ ବଞ୍ଚି ରହିବାକୁ ହେବ ଆସନ୍ତା କାଲିର ଚିରନିଦ୍ରା ପର୍ଯ୍ଯନ୍ତ । ଏ ଶିକ୍ଷିତ ସମାଜ ସ୍ବାର୍ଥାନ୍ଧ ହୋଇଯାଇପରେ ; କିନ୍ତୁ ତା ଉପରେ ପିଢ଼ି ପରେ ପିଢି ନିର୍ଭରଶୀଳ ସେ ପକ୍ଷୀ ସମୂହ ହୋଇପାରିନାହାନ୍ତି ସ୍ବାର୍ଥପର । ସଂଧ୍ୟା ର ଆଗମନରେ ଲେଉଟାଣି ହୋଇଛି ପୁନଃ ସେ ବୁଢା ଆମ୍ବଗଛ କୁ ଆଉ ତାର ପ୍ରସାରିତ ବାହୁଛାୟା ମଧ୍ୟକୁ । ଅର୍ଦ୍ଧଛେଦିତ ସେ ଆମ୍ବଗଛ ର ଯନ୍ତ୍ରଣାରେ ନିରବି ଯାଇଛି ସଂଧ୍ୟା ସମୟର ସେ କୋଳାହଳମୟ ପରିବେଶ । ବିଷାଦଗ୍ରସ୍ତ ହୃଦୟପାଇଁ ଆଜି ନିରବିଯାଇଛି ପ୍ରକୃତି ର ପ୍ରକୃତି । ସତେକି ବହିଯାଉଛି ସେଠାରେ ଏକ ଅଦୃଶ୍ୟ ଗଙ୍ଗା , ଯେଉଁ ଗଙ୍ଗାରେ ଯଦି ଏ ସମାଜ ବୁଡଟିଏ ଦିଅନ୍ତା ତେବେ ବୋଧହୁଏ  ଜ୍ଞାନର ନୂତନ ସୂର୍ଯ୍ୟର ଆବିର୍ଭାବ ହୁଅନ୍ତା ।

          ହଠାତ୍ ଏକ ଚିତ୍କାର ରେ ଧ୍ୟାନ ଭଗ୍ନ ହେଲା ସମସ୍ତ ବିହଙ୍ଗ ଙ୍କର । ବଗଟିଏ ଚିତ୍କାର କରି କହିଲା " କେଡେ ବେଇମାନ ଏ ମଣିଷ ଜାତିଟା ! ନିଜକୁ ଜୀବଶ୍ରେଷ୍ଠ ବୋଲି ଆହ୍ବାନ ଦେଉଥିବା ମଣିଷ ର ଶ୍ରେଷ୍ଠତ୍ବ ର ପରିଭାଷା କଣ ଏଇଆ ! ସାରା ଜୀବନ ଅନ୍ୟପାଇଁ ସମର୍ପିଥିବା ଆମର ଏ ବୁଢା ଆମ୍ବଗଛ କୁ କଣ ପାଇଁ ଶ୍ରେଷ୍ଠ କହିନପାରିବା "? ନିରବତାକୁ ଭଙ୍ଗ କରି  ପ୍ରତିବାଦର ଏହାଥିଲା ପ୍ରଥମ ସ୍ବର । ଏଥୁଅନ୍ତେ କୁଆଟିଏ କହିଲା " ଭାଇ ! ଏ ମଣିଷ ସଂଖ୍ୟା ବଢିବଢି ଚାଲିଛିତ , ତେଣୁ ଏ ରାଜପଥ ର ସମ୍ପ୍ରସାରଣ ହେବ । ଗମନାଗମନ ର ସୁବିଧା ପାଇଁ ଏ ଆମ୍ବଗଛଟିର ଭୂପତିତ ହେବା ନିତ୍ୟାନ୍ତ ଆବଶ୍ୟକ " ।

ଏତିକି କହୁକହୁ ତାର କର୍କଶ ସ୍ବରଟି ବାଷ୍ପରୁଦ୍ଧ ହୋଇଉଠିଲା । ଦୁଃଖରେ ମ୍ରିୟମାଣ ହୋଇ ସେ ପୁଣି କହିଲା " ଏ ସ୍ବାର୍ଥବାଦୀ ମଣିଷ ର ସ୍ବାର୍ଥ ମଧ୍ୟରେ ଯିଏ ଆସିବ ତାହାକୁ ଏ ବୁଢା ଆମ୍ବଗଛ ର ପରାଭବ ଭୋଗିବାକୁ ପଡିବ "। ଏତିକିବେଳେ ପାଖ ଡାଳରେ  ଗୁମୁରି ଗୁମୁରି କାନ୍ଦୁଥିବା ବଣିଟିଏ ଅପଲକ ନେତ୍ର ରେ ଚାହିଁରହିଥାଏ ନିଜର ପ୍ରଥମ ମାତୃତ୍ବ ର ପ୍ରମାଣ କୁ । କିଛିଦିନ ର ବ୍ୟବଧାନ ରେ ସେ ହୁଏତ ପାଇପାରିଥାନ୍ତା ପୂର୍ଣ୍ଣ ମାତୃତ୍ବର ସ୍ବୀକୃତି, କିନ୍ତୁ ହାଏ ରେ ସମୟ ; କେତେ ନିଷ୍ଠୁର ତୁ ହୋଇପାରୁ ! ଆସନ୍ତା କାଲି ର ସୂର୍ଯ୍ୟ ଏମାନଙ୍କ ଭାଗ୍ୟରେ କାଲି ହୋଇ ରହିଯିବ । କେଉଁ ଜନ୍ମର କି ଦୋଷରେ ଏମାନେ ଅଭିଯୁକ୍ତ ! ଏକଥା ଭାବୁଭାବୁ ମାତୃହୃଦୟ ର ବ୍ୟଥା ନେତ୍ର ର କେଇବୁନ୍ଦା ଅଶ୍ରୁ ବ୍ୟାଖ୍ୟା କରିଯାଉଥାଏ ।  ପୀଡାରେ ଜର୍ଜରିତା ତାର ମାତୃହୃଦୟ କହିଲା " କାହାକୁ ନେଇ ଏ ମଣିଷ ତୁଳନା କରିବ ନିଜର ଶ୍ରେଷ୍ଠତ୍ବ ? କାହା ଉପରେ ଜାହିର କରିବ ନିଜର ପ୍ରଭୂତ୍ବ ? ଏ ନିରୀହ ଶିଶୁକଂ ପରି ଦିନ ଆସିବ ଏ ସଂସାର ଟା ତୁଳନା ଶୂନ୍ୟ ହୋଇଯିବ । କେତେକେତେ ପ୍ରଜାତି ଏ ଧରାପୃଷ୍ଠ ରୁ ବିଲୁପ୍ତ ହେଲେଣି । ଦିନେ ଆମେ ମଧ୍ୟ ଆମର ଅସ୍ତିତ୍ବ ହରାଇବା । ଖାଲି ରହିଯିବେ ଏ ମଣିଷ ଗୁଡାକ । ଆଉ ତାପରେ ? କାହା ସାଙ୍ଗେ ହେବ ଶ୍ରେଷ୍ଠତ୍ବ ର ତୁଳନା ? ସେତେବେଳେ ତୁଳନା ହେବ ଖାଲି ମଣିଷ ମଣିଷ ଭିତରେ  ।  ଆଉ ଏହି ତୁଳନା ର ମାୟା ଜାଳରେ ଡାଏନୋସୋର ପରି ଏ ଜାତି ଟା ନିଜେ ନିଜର ଶତ୍ରୁ ପାଲଟିଯିବେ ଆଉ ହରାଇ ବସିବେ ନିଜର ସତ୍ତା । ଏହା ମୋପରି ଅନେକ ମା ଙ୍କର  ବ୍ୟଥିତହୃଦୟ ର ଅବ୍ୟକ୍ତ ଅଭିଶାପ "।

       ଏହା ଶୁଣି ଚମକି ଉଠିଲା ସେ ବୁଢା ଆମ୍ବଗଛଟି । କହି ଉଠିଲା  " ନା ନା ! ଏଭଳି ଅଭିଶାପ ଦିଅନାହିଁ । ପ୍ରକୃତି ର ଏକ ଅଦୃଶ୍ୟ ଡୋରୀରେ ଆମ୍ଭେମାନେ ବନ୍ଧା । ପ୍ରକୃତି ପାଇଁ ଆମ୍ଭମାନଙ୍କର ସୃଷ୍ଟି । ତେଣୁ ଅଭିଶାପ ଦେବାର କ୍ଷମତା ଆମର ନାହିଁ । ଆମର ସୃଷ୍ଟି ଜଗତ କଲ୍ୟାଣ ପାଇଁ । ନହେଲେ ଜଗତ ର ନାଥ କଣ ହୋଇଥାନ୍ତେ ଦାରୁବ୍ରହ୍ମ ! ଦ୍ବାର କଣ ବୋଲାଇଥାନ୍ତା ସିଂହଦ୍ବାର "!  ଗଛ ର କୋରଡରେ ବିରସ ମନରେ ବସିଥିବା ପେଚାଟିଏ ଏହା ଶୁଣି କହିଲା " ହେ ମହାନୁଭାବ ! ଆପଣଙ୍କ ଏ ଉକ୍ତି ରୁ ମୁଁ ଯଥାର୍ଥରେ ବୁଝିପାରୁଛି କାହିଁକି ଏ ଧରାବକ୍ଷ ଆପଣଙ୍କୁ ହିଁ କେବଳ ତାର ରସ ଆସ୍ବାଦନ ପାଇଁ ଦେଇଛି ଅନୁମତି ! କାହିଁକି ପ୍ରକୃତି ର ଶକ୍ତିରେ ଆପଣ ଫଳାଇ ପାରୁଛନ୍ତି ଅମୃତର ଫଳ ! କାହିଁକି ମାଟି ପାଲଟି ଯାଉଛି ଆପଣଙ୍କ  ଉପସ୍ଥିତିରେ ସୁବର୍ଣ୍ଣ ଆଉ କାହିଁକି ଆପଣଙ୍କ ଅନୁପସ୍ଥିତି ସୃଷ୍ଟି କରୁଛି ପ୍ରକୃତିରେ ଅସନ୍ତୁଳନ ! ହେଲେ ନିଜକୁ ବିଜ୍ଞ ବୋଲି ପରିଚୟ ଦେଉଥିବା ଏ ଜାତିଟା କେତେଦିନ ପରେ ନିଜ ଅଜ୍ଞତା କୁ ବୁଝିବ ? ଦୁର୍ବଳ ବୋଲି ଆମେ ଆଉ କେତେଦିନ ଅତ୍ୟାଚାରିତ ହେବା ? କିଏ ଶୁଣିବ ଆମ ପ୍ରତିବାଦ ର ସ୍ବର ? ଏ ମଣିଷଗୁଡାଙ୍କ ଆବଶ୍ୟକତା ଠାରୁ ଅଧିକ ପ୍ରାପ୍ତି ର କାମନା ପାଲଟିଛି ଆମ ପାଇଁ ଅଭିଶାପ । କିଏ ନେବ ତେବେ ଆମ ଉପରେ ହେଉଥିବା ଅତ୍ୟାଚାର  ର ପ୍ରତିଶୋଧ " ? ନିରବି ରହିଥିବା ପକ୍ଷୀ ସମୂହ ସାମୂହିକ ଭାବେ ଚିତ୍କାର କରି ଉଠିଲେ " ହଁ ' ହଁ ! କିଏ ନେବ ଏ ମାନବ ସମାଜ ର ଆମପ୍ରତି ହେଉଥିବା ଅତ୍ୟାଚାର ର ପ୍ରତିଶୋଧ "?

         ଏତିକିବେଳେ ହଠାତ୍ ପ୍ରକୃତି ର ହେଲା ପରିବର୍ତ୍ତନ । ଦେଖାଦେଲା ଝଡବାତ୍ୟା ସହ କାଳବୈଶାଖୀ ର ପ୍ରକୋପ । ଉଡିଗଲା କେତେ ଚାଳ ଛପର । ସମସ୍ତ ନିରବତା କୁ ଭଙ୍ଗକରି ଚତୁର୍ଦ୍ଦିଗରେ ବିରାଜିତ ହେଲା ପବନ ର ପ୍ରକୋପ । ବାସ୍ତବିକ ଏ ପ୍ରକୃତିର ବୃକ୍ଷ ହିଁ ଏକମାତ୍ର  ସୃଷ୍ଟି ଯିଏ ପଞ୍ଚ ମହାଭୂତ କୁ କରେ ନିୟନ୍ତ୍ରଣ । ମାଟି କୁ ଧୋଇହେବାରୁ ରକ୍ଷାକରେ ; ବାତ୍ୟା ରୂପକ ପବନକୁ ପ୍ରତିହତ କରି ଜୀବନ ରୂପୀ ପବନକୁ ପ୍ରଦୂଷଣ ମୁକ୍ତ କରେ ଆଉ ପ୍ରଚଣ୍ଡ ରୌଦ୍ର ର ଅଗ୍ନି ବୃଷ୍ଟିକୁ ନିଜ ମଧ୍ୟରେ ସମାହିତ କରି ଅନନ୍ୟ ଶୀତଳତା ପ୍ରଦାନ କରେ ଓ ଶ୍ରାବଣ ର ଓଢଣୀ କୁ ଟେକିଦେଇ ଲାଜରୂପୀ ଜଳରେ ଭିଜାଇଦିଏ ତୃଷାର୍ତ୍ତ ଧରିତ୍ରୀ ର ପ୍ରତ୍ୟେକଟି ଅଙ୍ଗକୁ । କିନ୍ତୁ ଆଜି ନିୟନ୍ତ୍ରକ ନିଜେ ନିୟନ୍ତ୍ରିତ । ତେଣୁ ଏ ସଂସାର ରେ ଆଜି ପଞ୍ଚ ମହାଭୂତ ଉଗ୍ର ତାଣ୍ଡବରେ ଲିପ୍ତ ।  ଯେପରି ଆଜି ପବନ ଖେଳାଉଛି ତାଣ୍ଡବ ; ଆକାଶରୁ ବର୍ଷୁଛି ବିଜୁଳି । ଏହିପରି ଏକ ଶକ୍ତ ବିଜୁଳି ପ୍ରହାର ରେ ବିପର୍ଯ୍ୟସ୍ତ ହୋଇପଡିଲା ସେହି ରାଜପଥ ସଂଲଗ୍ନ ଏକ ଅନାମଧେୟ ଗ୍ରାମ । ସକାଳ ର ସୂର୍ଯ୍ୟୋଦୟରେ ଦୃଶ୍ୟମାନ ହେଉଥାଏ ଗ୍ରାମର ସୂର୍ଯ୍ୟାସ୍ତ । ଚତୁଃପାର୍ଶ୍ବରେ ବିଳାପର ସ୍ବର । ନେତା , ରାଜନେତା , ଅନୁକମ୍ପା ଆଉ ସହାନୁଭୂତି ସହିତ ରିଲିଫ ର ବିଶାଳ ଜୁଆର ମାଡିଆସିଲା ସେହି ରାଜପଥ ଦେଇ ଗାଁ ମୁଣ୍ଡ କୁ । ଏହି ଜୁଆର ର ଆଗମନ ପୂର୍ବରୁ କିନ୍ତୁ ଭୂପତିତ ହୋଇସାରିଥିଲା ସେହି ବୁଢା ଆମ୍ବଗଛ ଟି । ନେତା ଓ ମନ୍ତ୍ରୀ ଙ୍କ ପଥ ପ୍ରତିରୋଧ କରିବାର ଦୁଃସାହସ କରିଥିବାରୁ ସାଙ୍ଗେସାଙ୍ଗେ ଯନ୍ତ୍ର ସାହାଯ୍ୟରେ ତାକୁ କାଟି ରାଜପଥ ପରିଷ୍କାର କରାଗଲା । ଗ୍ରାମରେ ଶୋକସଭାର ଆୟୋଜନ ହେଲା । ମୃତ ବ୍ୟକ୍ତି ଙ୍କ  ମଧ୍ୟରେ ଥିଲେ ରାଜ୍ୟର ଜଣେ ନାମକରା ମନ୍ତ୍ରୀ । ସେ ଆସୁଥିଲେ ନିଜର ପୈତୃକ ଘର ପରିଦର୍ଶନରେ । କିନ୍ତୁ  ଅର୍ଦ୍ଧଛେଦିତ ସେ ବୁଢା ଆମ୍ବଗଛର ବିଶାଳ ବକ୍ଷରେ  ଗାଡିସହ ସେ ଶୋଇଯାଇଥିଲେ ଚିରନିଦ୍ରାରେ । ସମସ୍ତ ମୃତକ ଙ୍କ ପରି ତାଙ୍କ ମୃତ ଶରୀରକୁ ପୈତୃକ ଗ୍ରାମରେ ସଂସ୍କାର ପାଇଁ ବ୍ୟବସ୍ଥା କରାଗଲା । ହେଲେ ବିଚିତ୍ର ଏ ସମୟ ର ଗତି । ଅଣାଗଲା ସେହି ଭୁପତିତ ଆମ୍ବଗଛର ବିଶାଳ ଗଣ୍ଡି । ପୃଥକ ପୃଥକ ଭାବେ ସମସ୍ତ ଶବ ର କରାଗଲା ସେହି ଆମ୍ବକାଠ ରେ ସଂସ୍କାର । ଚତୁଃପାର୍ଶ୍ବରୁ ଭାସିଆସୁଥାଏ କଳାମୁଣ୍ଡିଆଙ୍କ ଚିତ୍କାର । ଦୂର ରେ ରହି ଏକ ବିଶାଳ ଶାଳଗଛ ଉପରୁ ଜୁଇ ନିଆଁ ରୁ ଉଠୁଥିବା ଧୂଆଁ କୁ ନିରୀକ୍ଷଣ କରୁଥିଲା ଶାଗୁଣାଟିଏ । ଲାଗୁଥିଲା ସତେଯେପରି ଜୁଇ ର ନିଆଁ ଭିତରୁ ଅଟ୍ଟହାସ୍ୟ କରୁଥିଲା ପ୍ରକୃତି । କିଛି ସମୟପରେ ଶାଗୁଣାଟି ଆନନ୍ଦରେ ପକ୍ଷ ଦ୍ବୟ ବିସ୍ତାରିତ କଲା ଓ ଉଡିଗଲା ଖାଦ୍ୟ ଅନ୍ବେଷଣରେ । ଆଉ ତାର ବିକଟାଳ ରାବରେ ବାରିହୋଇପଡୁଥିଲା ଏକ ନିରବ ପ୍ରତିଶୋଧ  ॥

॥  ଜ୍ୟୋତିରଞନ ସାହୁ  ॥
jrs.2013rediffmail@gmail.com