ଅଟ୍ଟହାସ୍ୟ କରି କହୁଛି ପ୍ରକୃତି
ନଗ୍ନ ଶରୀରକୁ ଦେଇଛି ସମର୍ପି
ବିକାଶର ଏକ ମିଥ୍ୟା ମରୀଚିକା
ହାତର ମୁଁ କ୍ରୀଡନକ
ତିଳତିଳ ଜାଳି ମୋରଏ ଶରୀର
ବାରାଙ୍ଗନା ସାଜି ସଭ୍ୟ ସମାଜର
ତୃପ୍ତ କରେ ମନ ତୃପ୍ତ କରେ ପ୍ରାଣ
ଧର୍ଷିତା ମୁଁ ଅବିରତ ॥

ହେଲେଣି ବିଲୁପ୍ତ କେତେ ଯେ ସନ୍ତାନ
ବିଳାପ କରୁଛି ମୋର ମାତୃ ମନ
ଆହୁରି କେତେଯେ ବିନାଶର ପର୍ବ
ଦେଖିବାକୁ ଅଛି ବାକି
ମୋହରି ବକ୍ଷରେ ଚିରନିଦ୍ରା ଯିବେ
ଗୋଟିଗୋଟି ହୋଇ ସନ୍ତାନ ମୋ ସର୍ବେ
ଶ୍ରେଷ୍ଠ ମାନବଟା ପାଲଟି ଯାଇଛି
ନିଜ ସୁଖ ପାଇଁ ସ୍ବାର୍ଥୀ ॥

ବିଷାକ୍ତ ମନରେ ବିଷର ଭଣ୍ଡାର
ମୁଖରୁ ନିଶୃତ ଶବ୍ଦ ହଳାହଳ
ବିଷର ସମ୍ଭାର ଆଜିର ମ‍ନବ
ସର୍ପ ଠାରୁ ଭୟଙ୍କର
ବୁଝେ ନାହିଁ ସିଏ ପର କି ଆପଣା
ଦଂଶନ ନିମିତ୍ତ ସଜ୍ଜିତ ତା ଫଣା
ବିଷର ଜ୍ବାଳାରେ ହାରି ଚିନ୍ତାଶକ୍ତି
ଧ୍ବଂସ ରଚେ ସଭିଙ୍କର  ॥

ନିମିଷେ ସ୍ବାର୍ଥକୁ କିଛି ମୁଠା ଅର୍ଥ
ରଚୁଛି ମାନବ ଧ୍ବଂସ ଅବିରତ
ପ୍ରକୃତିକୁ ସିଏ ସଜାଇ ବଇରି
ବିଜ୍ଞାନକୁ କରେ ଅସ୍ତ୍ର
ପଞ୍ଚ ମହାଭୂତ ଦୂଷିତ ବିଷାକ୍ତ
ବାଲ୍ୟ କାଳେ ହୁଏ ସିଏ ଜରାଗ୍ରସ୍ତ
ଭଳିଭଳି ବ୍ୟାଧି ବିସ୍ତାରୟୀ କାୟା
ନିରବ ଦ୍ରଷ୍ଟା ମୁଁ ମାତ୍ର ॥

ଖାଦ୍ୟରେ ଜହର ପାନୀୟର ଜଳ
ପାଇଁ ଚତୁର୍ଦିଗେ ପଡେ ହାହାକାର
ଲୁଚୁଛି ମୌସୁମୀ ନିଦାଘ ପ୍ରହାରେ
ମହାମାରି ଅଂଶୁଘାତ
ସହରୀକରଣ ମାୟାରେ ଜୀବନ
ପ୍ରଦୂଷିତ ଧରା ଦୂଷିତ ପବନ
ମଧୁମେହ କେବେ କର୍କଟ ଦଂଶନେ
ହୁଅନ୍ତି ସର୍ବେ ପୀଡିତ  ॥

କେତେ ପ୍ରଜାତିର ହତ୍ୟାକାରୀ ସାଜି
ମାନବ ଦାନବେ ରୂପାନ୍ତର ଆଜି
ତିଳ ତିଳ ହୋଇ ପାଇଯିବ ଧ୍ବଂସ
ମାନବ ସଭ୍ୟତା ଦିନେ
ଏବେଠାରୁ ଯଦି ହୋଇବ ସତର୍କ
ଯେବେ ସେ ଶୁଣିବ ପ୍ରକୃତିର ଡାକ
ଉପଶମ କରି କ୍ଷତ ପ୍ରକୃତିର
ପାଇପାର ରକ୍ଷା ତୁମେ  ॥

॥  ଜ୍ୟୋତିରଞନ ସାହୁ ॥
08895156355