ରାଧା ରାଧା ବୋଲି କେତେ ମୁଁ ଖୋଜିଲି
ରାଧାକୁ ପାଇଲି ନାହିଁ
କୁଞବନେ ଖାଲି କୃଷ୍ଣ ମାଳମାଳ
ରାଧାରାଣୀ ଦେଖାନାହିଁ ॥

ରାଧା ବିନା କାହ୍ନା ଲାଗେ ଅଧା ଅଧା
ସତେ ପ୍ରେମ ରସହୀନ
ରାଧା ର ବିହୁନେ ଆକୁଳ ବ୍ୟାକୁଳ
ଅଧା ପ୍ରେମ ନିବେଦନ  ॥

ରାଧା ଖୋଜିବାକୁ ଯେବେ କୃଷ୍ଣ ଧାଏଁ
ଯାଏ ତ୍ରିଭୁବନ ଖୋଜି
ଅଭିମାନି ରାଧା ମାନ କରି ଲୁଚେ
ନପାଏରେ କାହ୍ନୁ ଆଜି  ॥

ରାଧା ସାଜେ ଆଜି ମିଛ ମରୀଚିକା
କଳିଯୁଗେ କୃଷ୍ଣ ପାଇଁ
ଦ୍ବାପର ରେ କାହ୍ନୁ ଠକିଥିଲା ବୋଲି
ଠିକଣା ତା କହୁ ନାହିଁ  ॥

କେମିତି ମିଳିବ କହ୍ନେଇକୁ ରାଧା
ଅଲୋଡା ସେ କଳି ଯୁଗେ
ଦୁନିଆଁ ଆଲୋକ ଦେଖିବା ଆଗରୁ
ମାତୃଗର୍ଭୁ ସିଏ ହଜେ  ॥

ଥିଲା ବୋଲି ବୋଧେ ଲିଙ୍ଗ ଭେଦ
ରାଧା ଅବଳା ଦୁର୍ବଳା ଥିଲା
ସେଥିପାଇଁ କାହ୍ନୁ ଛାଡିଦେବା ପରେ
ନିରବେ ରାଧା କାନ୍ଦିଲା  ॥

କଳିଯୁଗେ କାହ୍ନୁ ତେଣୁ ପାରୁନାହିଁ
ଚିହ୍ନି ରାଧା ରୁପ ରଙ୍ଗ
ରାଧା ଆଜି ଭ୍ରମେ କୃଷ୍ଣ ବେଶ ନେଇ
ହଜାଇଣ ଭେଦ ଲିଙ୍ଗ  ॥

ଯେଉଁ ରାଧା ଦିନେ ଲୋକଲଜ୍ଜା ପାଇଁ
କାହ୍ନୁକୁ ପାଇଲା ନାହିଁ
ସେହି ରାଧା ଆଜି ଲୋକଲଜ୍ଜା ଭୁଲି
ବୁଲୁଅଛି ପ୍ରେମ ପାଇଁ ॥

ଶାନ୍ତ ସରଳା ଲଜ୍ଜା ଆଭୂଷଣ
ଦୂରେ ଫିଙ୍ଗିଦେଇ ରାଧା
ନୂବ ରୂପରଙ୍ଗେ ସଜାଇ ନିଜକୁ
ଭୁଲିଅଛି ପ୍ରେମ ସଂଜ୍ଞା ॥

ସେଥିପାଇଁ ଆଉ ରାଧାରାଣୀ ଆଜି
ଖୋଜିଲେତ ମିଳୁନାହିଁ
ହଜିଛି ତା ରଙ୍ଗ ଭୁଲିଛି ସେ ଢଙ୍ଗ
ସବୁତ କହ୍ନେଇ ପାଇଁ  ॥

॥ ଜ୍ୟୋତିରଞନ ସାହୁ  ॥
jrs.2013rediffmail@gmail.com