ସମୟ ରାତି ଏଗାରଟା ବାଜି ଦଶ ମିନିଟ୍ । ହଠାତ୍ ଲାଲିର ମୋବାଇଲ୍ ଫୋନ୍ ଟା ନିଶବ୍ଦ ରାତିର ଘନ ଅନ୍ଧାର ଭରା ବେଡ୍ ରୁମ୍ ଭିତରେ ଖୁବ୍ ଜୋର୍ ରେ ବାଜିଉଠିଲା । ଚମକିପଡି ଉଠିଗଲା ଲାଲି । ବଢି ଚାଲିଥିବା ଦୃତ ହୃତ୍ ସ୍ପନ୍ଦନର ତାଳେ ତାଳେ ମନକୁ ତାର ଛୁଇଁ ଯାଉଥାଏ ପାପ କିଛି ଅଘଟଣ ଘଟିଥିବାର । ଭଗବାନକୁଂ ଡାକିଡାକି ଫୋନ୍ ରିସିଭ୍ କଲା ଲାଲି । ତାର ଅନୁମାନଟା ପୁରାପୁରି ଠିକ୍ ଥିଲା । ଫୋନ୍ ସେପାଖରୁ ଭାସିଆସୁଥିଲା କ୍ରନ୍ଦନର ସ୍ବର "ଲାଲି ! ବାପା ଆଉ ନାହାନ୍ତିରେ..." ! ଏ ଖବରଟା ଶୁଣିଦେଇ ଲାଲିର ପାଦତଳେ ଭରିଗଲା ଶୀତଳତା । ବାକ୍ ଶୂନ୍ୟ ମୁହଁଟାକୁ ଦେଖି ଲାଲିର ସ୍ବାମୀ ଅଭି ପଚାରିଲେ " ଆରେ ! କଣ ହେଲା ? ଏମିତି ଚୁପଚାପ୍ ଆଉ ଗମ୍ଭୀର ହୋଇପଡିଲ ଯେ " ? ପ୍ରତିକ୍ରିୟା ଶୂନ୍ୟ ମୁହଁରେ ଲାଲି କହିଲା " ମୋ ବାପା ଆଉ ନାହାନ୍ତି " । ସାଂଗେସାଂଗେ ବାହାରିପଡିଲା ପୁରା ପରିବାର ରାଜଧାନୀରୁ ଲାଲିର ବାପାଘର ଅଭିମୁଖେ । ରାଜରାସ୍ତା ଉପରେ ଦ୍ରୁତ ଗତିରେ ମାଡିଯାଉଥାଏ ତାଂକର କାର୍ । ରାସ୍ତାଟା ସାରା ଲାଲି ଚୁପଚାପ ହୋଇବସିଥାଏ । ହେଲେ ରାଜ୍ ! ସେତ ଛଅ ବର୍ଷର ବାଳୁତ ପିଲାଟା । ସେ ଏତେକଥା କଣ ବୁଝିପାରୁଛି ! ବାଳୁତ ସୁଲଭ ଗୁଣରେ ସେ ଲାଲି କୁ ପଚାରି ଚାଲିଥାଏ ପ୍ରଶ୍ନ ପରେ ପ୍ରଶ୍ନ " ମମ୍ମି ! ଆମେ କୁଆଡେ ଯାଉଛୁ " ? " ମମ୍ମି ! ଆମେ କାହା ଘରକୁ ଯାଉଛୁ " ? ଏହିପରି ଅନେକ ପ୍ରଶ୍ନ ସେ ପଚାରିଥାଏ ଆଉ ଉତ୍ତର ! ଆଉ ଉତ୍ତର ରେ ସେହି ନିରବତା । ଚାରି ଘଣ୍ଟାର ଲଂଗ ଡ୍ରାଇଭ୍ ପରେ ଗାଡି ଯାଇ ପହନ୍ଚିଲା ଲାଲି ବାପଘରେ । କିଛି ବୁଝିବା ଆଗରୁ ଲାଲି ଦୌଡିଗଲା ବାପାକଂ ପାଖକୁ । ତା ଆଗରେ ମୌନ ହୋଇ ଶୋଇଥିଲେ  ତା ଜୀବନର ସବୁଠାରୁ ବିଶ୍ବସ୍ତ ପୁରୁଷ ଯାହା ପାଖରେ ନିଜକୁ ଖୁବ୍ ସୁରକ୍ଷିତ ମନେକରେ ଲାଲି । ଇଚ୍ଛା ହେଉଥିଲା ସେହି ମୁହୂର୍ତ୍ତରେ  ଚିତ୍କର କରି କହିବ ସେ " ବାପା ! ମୁଁ ଆଉ କାହା ହାତ ଧରିଦେଲି ବୋଲି କଣ ତୁମର ଏ ଅବୁଝା ଝିଅଟାର ହାତ ଛାଡିଦେଇ ତୁମେ ତାକୁ ପର କରିଦେଲ ! କାହିଁକି ବାପା କାହିଁକି ? ମୁଁ କଣ କେବେବି ତୁମ ପୁଅ ହୋଇପାରିଲିନି " ! ହେଲେ ସମ୍ଭାଳି ନେଲା ଲାଲି ନିଜକୁ ନିଜେ ଆଉ ଅଭିମାନ ଭରା ନଜର ରେ  ଚାହିଁରହିଲା ନିଜର ଦୁଇ ଭାଇକୁଂ । ଲାଲିର ଆଖିରେ ଆଖି ମିଶାଇବାକୁ ଆଉ ଦୁଇ ଭାଇକଂର ସାହସ ନଥିଲା । କେମିତି ନଜର ମିଶାନ୍ତେ ! ତାଂକ ପାଇଁତ ବାପାକଂ ଜୀବନରୁ ବଳି ଥିଲା ବାପାକଂର ଧନ ସମ୍ପତ୍ତି । ସେହି ଧନ ସମ୍ପତ୍ତିପାଇଁ ଦୁଇ ଭାଇକଂ ମଧ୍ୟରେ ମନାନ୍ତର ମତାନ୍ତର ସବୁକିଛି । କେଜାଣି କେତେ ବର୍ଷ ବିତିଯାଇଥିବ ଦୁଇ ଭାଇ ସ୍ନେହରେ ବାପାକୁଂ ବାପା ବୋଲି ଥରଟିଏ ସମ୍ବୋଧନ କରିଥିବାର । ନା ଲାଲି ଜାଣିଥିଲା ନା ତା ବାପା ଭାବିଥିଲେ ଯେ ତାଂକ ବାର୍ଦ୍ଧକ୍ୟର ଆଶାବାଡିକୁ ଲାଳସାର ଘୁଣ ଭିତରୁ ଭିତରୁ ପୋଲାକରିସାରିଲାଣି ବୋଲି ! ବେଳେବେଳେ ମାନସିକ ପୀଡାଟା ଶାରୀରିକ ପୀଡାର ଜନ୍ମଦାତ୍ରୀ ହୋଇଥାଏ । ଠିକ୍ ସେହିଭଳି କିଛି ଶାରୀରିକ ପୀଡା ଅସହ୍ୟ ହେବାରୁ  ଆଉ ସ୍ବାର୍ଥୀ  ପୁଅ ମାନେ ଯତ୍ନ ନନେବାରୁ ଏହି କିଛି ମାସ ଆଗରୁ ଲାଲି ତା ବାପାକୁଂ ନିଜ ପାଖକୁ ରାଜଧାନୀ ନେଇଆସିଥିଲା । ଏଇଠି ଡାକ୍ତରକୁଂ ବି ଦେଖାଇଲା । ହେଲେ ସେଦିନ ଯେତେବେଳେ ଅଭି ଲାଲିକୁ ପଚାରିଲେ " ତିନି ମାସ ହୋଇଗଲାଣି ଏହାଭିତରେ । ତୁମ ବାପା ଆଉ କେତେଦିନ ରହିବେ " ? ସେହିଦିନ ଲାଲି ପ୍ରଥମ କରି ଅନୁଭବ କଲା ସେ ପରା ଝିଅଟିଏ ! ତାର ନିର୍ଣ୍ଣୟ ନେବାର ଅଧିକାର କେବେଠାରୁ ହେଲା !  କିନ୍ତୁ ମନଟା ତାର ବିଦ୍ରୋହ କରିଉଠିଲା । ରୁଦ୍ଧ କଣ୍ଠରେ କହିଲା " ଜାଣିଛ ! ବାପାକଂ ସୁଗାର ବହୁତ ବଢିଯାଇଛି । ପେଟରେ ଅଲସର୍ ହୋଇ କ୍ୟାନସର୍ ହୋଇଯାଇଛି । ଆଉ ବେଶି ଦିନ ସେ ଆମକୁ କଷ୍ଟ ଦେବେନି । ମୋ କଥା ଶୁଣ ! ମା' ପାଇଁ ତ କିଛି କରିପାରିଲିନି । ବାପାକଂର ଟିକିଏ ସେବା କରେ ! ସେଇଥିପାଇଁ କହୁଥିଲି କି ବାପା ଆଉ କିଛିଦିନ ଏଇଠି ମୋ ପାଖରେ ରୁହନ୍ତୁ " । ନିରବ ରହିଲେ ଅଭି । ତାପରଦିନ କିନ୍ତୁ ଲାଲିର ବାପା ହଠାତ୍ କାହିଁକି କେଜାଣି ଜିଦ୍ ଧରିଲେ ସେ ଗାଁ କୁ ପୁଅ ମାନକଂ ପାଖକୁ ଯିବେ । ଲାଲିର ବାରଣ ସତ୍ତ୍ବେ ତା ମୁଣ୍ତକୁ ହାତରେ ଆଉଁଷିଦେଇ ହସିହସି କହିଲେ " ଆଲୋ ! ଝିଅ ପର‍ା ପରଧନ । ତୋ ଘରେ କେତେଦିନ ରହିବି ? ଲୋକେ କଣ କହିବେ ? ପୁଅ ବୋହୂ ସମସ୍ତେ  ଥାଉ ଥାଉ ବୁଢାଟା ଝିଅ ଘରେ ରହିଛି " । ସେହି ପୁଅ ! ଯେଉଁ ପୁଅ ପାଇଁ ବାପା ତାର ଝିଅକୁ ପରଧନ ବୋଲି କହିଦେଲା ସେହି ପୁଅମାନେ ଆଜି ଜଣେଜଣେ ପରୋକ୍ଷ ହତ୍ୟାକାରୀ । ହେଲେ କେମିତି କହିବ ଲାଲି ନିଜ ଭାଇମାନକୁଂ ହତ୍ୟାକାରୀ ବୋଲି । ଏହାଭିତରେ ନଅ ଦିନ ବିତିଗଲା ।
   
                   ଦଶମ ଦିନର ସକାଳୁ ସକାଳୁ ମୁଖାଗ୍ନି ଦେଇଥିବା ଲାଲିର ବଡ ଭାଇ ସମସ୍ତକୁଂ ଡାକି କହିଲେ " ବୁଝିଲ ! କାଲି ରାତିରେ ବାପା ଆସିଥିଲେ । କହୁଥିଲେ ' ଆରେ ବୁଲୁ ! ଘର ତୋତେ ଲାଗିଲା ' । ଆହୁରି ବି କହୁଥିଲେ ' ବହୁତ ଦିନ ହେଲା ମାଲପୁଆ ଖାଇନାହିଁ ରେ ! ମୋତେ ମାଲପୁଆ ନିହାତି ଖାଇବାକୁ ଦେବୁ ' । ଏତିକିବେଳେ ହଠାତ୍ ମୋ ନିଦଟା ଭାଂଗିଗଲା । ବାହାରେ  କୁକୁର ଗୁଡା କାନ୍ଦୁଥିଲେ । ମୋ ଦେହ ଭିତରଟା ଭୟରେ ହାଲୁକା ହୋଇଗଲା । ତାପରେ ଆଉ ସାରା ରାତି ଆଖିକୁ ନିଦ ନାହିଁ " । ବଡ ଭାଇ କଥା ଶୁଣି ସମ୍ପର୍କୀୟମାନେ ସାଂଗେସାଂଗେ କହିଲେ " ହଁ' ହଁ' ! ବୁଢାର ମାଲପୁଆ କୁ ବହୁତ ସରାଗ ଥିଲା । ମାଲ ହାଣ୍ଡି ଭିତରେ ମାଲପୁଆ ନିହାତି ଦେବରେ ! ନହେଲେ ବୁଢା ସମସ୍ତକୁଂ ଡରେଇବ " ! ଏତିକି ଶୁଣୁଶୁଣୁ ହାସ୍ୟରୋଳ ଖେଳିଗଲା ସଂମ୍ପୂର୍ଣ୍ଣ ପରିବେଶରେ । ଏସବୁ କିନ୍ତୁ ଖୁବ୍ ବିରକ୍ତି କର ଲାଗୁଥିଲା ଲାଲିକୁ । ମନେମନେ ଭାବୁଥିଲା " ବନ୍ଚି ଥିଲାବେଳେ ନା ଏମାନେ କେବେ ଆଦରରେ ଖାଇବା ଗଣ୍ଡିଏ ଦେଇଛନ୍ତି ନା ବାପାକଂ ମନ କଥା କେବେ ବୁଝିଛନ୍ତି ? ଆଉ ଆଜି ଆରପାରିରୁ ଏମାନକଂ ମାଲପୁଆ କୁ ବାପା କଣ ଜଗିଥିବେ ! ଜମାରୁ ନୁହେଁ " ! ତାର ଇଚ୍ଛା ହେଉଥିଲା  ସେହି ହାସ୍ୟରୋଳ ଭିତରେ ସେ ବର୍ଷା କରିଦେବ ଅନ୍ତରର କ୍ରୋଧାଗ୍ନି କୁ । ହେଲେ କାହିଁକି କେଜାଣି ଅଭି କଥା ଭାବି ନିରବ ରହିଗଲା ଲାଲି । ଏତିକିବେଳେ କିନ୍ତୁ ଲାଲିର ଛଅ ବର୍ଷର ପୁଅଟା ତା ମା କୋଳରୁ ଥାଇ କହିଲା " ବୁଲୁ ମାମୁଁ ! ତୁମେ କଣ ଅଜାକଂ କେୟାର କରନି କି ? ମମ୍ମି ! ତୁମେ ପରା କହୁଥିଲ ଅଜାକଂର ଡାଇବେଟିସ୍ ଅଛି ବୋଲି ! ତାଂକୁ ମିଠା ଦେଇହେବନି । ମାମୁଁ ! ତୁମେ  ମାଲପୁଆ ଦେଲେ ଅଜାକଂ ଦେହଟା ଖରାପ ହୋଇଯିବନି " ! ରାଜ୍ ର କଥା ଶୁଣି ସେଠାକାର ପରିବେଶରେ ହାସ୍ୟରୋଳଟା ଦି'ଗୁଣ ହୋଇଯାଇଥିଲା ।  ସେ ହସ ଭିତରେ ଲାଲି କିନ୍ତୁ ଠିକ୍ ବାରି ପାରୁଥିଲା ତାର ଦୁଇ ଭାଇ ଆଉ ସ୍ବାମୀ ଅଭି କଂର ଲଜ୍ଜିତ ମୁଖମଣ୍ଡଳ ଗୁଡିକୁ । ଲାଗୁଥିଲା ସତେଯେପରି ସେମାନକଂର ଗାଲସବୁ ବିନା ମାଡରେ ମାଲପୁଆ ଭଳି ହୋଇଯାଇଛି । ତେବେ ଏସବୁ ଭିତରେ ଲାଲି ମନେମନେ ଭାବୁଥିଲା ' ବାପା  ଭାଇକୁ  ଆଉ ଏଇ ମାଲପୁଆ କଥା କହୁନଥିଲେ ତ ' ? ?

॥ ଜ୍ୟୋତିରଞନ ସାହୁ ॥
୮୮୯୫୧୫୬୩୫୫