ବିଭୁଦତ୍ତ ଆଉ ବିଭୁକୃପା ଦୁଇଜଣ ପିଲାଦିନର ସାଙ୍ଗ । ବଡ ହେଲାପରେ ନିଜନିଜ କ୍ଷେତ୍ର ରେ ପ୍ରତିଷ୍ଠିତ ହୋଇବି ଦୁହିଁଙ୍କର ବନ୍ଧୁତା ଆଜିବି ଠିକ୍ ସେମିତି ଅଛି । ବିଭୁଦତ୍ତ ଏବେ ରାଜଧାନୀର ଜଣେ ନାଁ କରା ପୁସ୍ତକ ପ୍ରକାଶକ ଆଉ ତିନିତିନୋଟି ପ୍ରିଣ୍ଟିଂପ୍ରେସର ମାଲିକ । ଠିକ୍ ସେହିଭଳି ବିଭୁକୃପା ସୁଦୂର ବାଙ୍ଗାଲୁରୁ ରେ ଗୋଟିଏ ବିଖ୍ୟାତ ଆଇ ଟି କମ୍ପାନୀରେ କାର୍ଯ୍ୟରତ । ଏବର୍ଷ ଖରାଛୁଟିଟା ଗାଁରେ ବିତାଇ ବିଭୁକୃପା ପୁଣି ବାଙ୍ଗାଲୁରୁ ଫେରିଯିବାକୁ ବାହାରିଲା । ରାଜଧାନୀରୁ ଫ୍ଲାଇଟ୍ ଧରିବା ଆଗରୁ ସିଏ  ବିଭୁଦତ୍ତକୁ ଫୋନ୍ କରି କହିଲା " ଆରେ ବିଭୁ ! ଦିନ ତିନିଟାରେ ଫ୍ଲାଇଟ୍ । ଆହୁରି ତିନି ଘଣ୍ଟା ଅଛି । ଯଦି ଆସନ୍ତୁ ଉ..ଉ.. ! "। ବିଭୁକୃପା ମୁହଁରୁ କଥା ସରିବା ପୂର୍ବରୁ  ଫୋନ୍ କାଟିଦେଇ ଆଖି ପିଛୁଳାକେ ଆସି ବିଭୁଦତ୍ତ ହାଜର ହୋଇଗଲା ଏୟାରପୋର୍ଟରେ । " ଚାଲ୍ ଚାଲ୍ ! ଟିକିଏ ଟିଫିନ୍ କରି ଆସିବା । ଆସିବା ଖବରଟା ଆଗରୁ ସିନା ଦିଅନ୍ତୁ ! ହେଉ ହେଉ ଚାଲ୍ ଜଲଦି "କହି ଗାଡି ଷ୍ଟାର୍ଟକଲା ବିଭୁଦତ୍ତ । ଗାଡିଟିକୁ ନେଇ ଲଗାଇଦେଲା ଗୋଟିଏ ବଡ ରେଷ୍ଟୋରେଣ୍ଟ ପାଖରେ । ଟିଫିନ୍ କରୁକରୁ ବିଭୁକୃପା ପଚାରିଲା " ଆରେ ବିଭୁ ! ଖରାପ ଭାବିବୁନି ! ମୋର ଗୋଟିଏ ରିକ୍ୟୁଏଷ୍ଟ ଅଛି " । ବଡ ହସଟେ ହସିଦେଇ ବିଭୁଦତ୍ତ କହିଲା " ଏ କୃପା ! ଏମିତି କଣ କହୁଛୁ !  ତୁଟା ପରା ମୋର ସାଙ୍ଗ ! ପୁଣି ରିକ୍ୟୁଏଷ୍ଟ କଣ ! ଦାବି କର ଦାବି " ! ବିଭୁଦତ୍ତର କଥାଶୁଣି ବିଭୁକୃପା ଟିକିଏ ହସିଦେଇ କହିଲା " ନା ରେ ! ସେମିତି କିଛି ବଡକଥା ନୁହେଁ । ଆରେ ତୋର ମନେ ଅଛି ବେହେରା ସାର୍ ଙ୍କ କଥା ! ସେଇ ମ ! ଯିଏ ବହୁତ ସାହିତ୍ୟ ସରଳାର୍ଥ ଲେଖିବାକୁ କହୁଥିଲେ ? ରୋହିନାଥ ବେହେରା ! ମନେପଡିଲା " ! " ହଁ ହଁ ମନେପଡିଲା । ସେଇତ କଳା ହୋଇକି " ବୋଲି କହିଲା ବିଭୁକୃପା । "ହଁ । ସେଇ ବେହେରା ସାର୍ ମୁଁ ଗାଁରେ ଥିଲାବେଳେ ମୋ ପାଖକୁ ଆସି  ତାଙ୍କର ପାଣ୍ଡୁଲିପି ଟିଏ ଦେଇଗଲେ । କହିଲେ ଯଦି ପାରିବୁ ଏଇଟା ବିଭୁକୁ କହି ଟିକିଏ ପ୍ରକାଶିତ କରାଇଦେଲେ ମୁଁ ବହୁତ ଖୁସିହେବି । ମୋର ବହୁତ ଇଚ୍ଛା  ମଧୁବାବୁଙ୍କର ଜୀବନି ସବୁ ପିଲାମାନେ ପଢନ୍ତୁ । ତେଣୁ ମୋର ରିକ୍ୟୁଏଷ୍ଟ ସାର୍ ଙ୍କର ଲିଖିତ ଉତ୍କଳ ଗୌରବ  ମଧୁସୂଦନ ଦାସଙ୍କର ଏଇ ଜୀବନିଟା ତୁ ପ୍ରକାଶିତ କର " । କୃପାର କଥା ଶୁଣି ବିଭୁ ହସିଦେଇ କହିଲା " ବୁଝିଲୁ କୃପା ! ଆଜିକାଲି ମଧୁବାବୁ ଙ୍କର ଜୀବନି କିଏ ପଢୁଛି କହିଲୁ ! ତୁ କଣ ଭାବୁଛୁ ମାର୍କେଟ୍ ରେ ଏବହି ଚାଲିବ ! ତାପରେ ସାର୍ ଙ୍କୁ ଜାଣିଛି କିଏ ? କିଏ ତାଙ୍କ ବହି କିଣିବ ? ବଡବଡ ଲେଖକଙ୍କର ଓଡିଆ ବହି ବହୁତ କଷ୍ଟରେ କିଛି ବିକ୍ରି ହେଉଛି । ଆମାଜନ ରେ ବହି ବିକ୍ରିପାଇଁ ଏଡ୍ ଦେଲେ କିଛିଟା ବିକ୍ରି ହେଉଛି ; କିନ୍ତୁ ଓଡିଆ ବହି ! ସେଇଟା ପୁଣି ଜଣେ ଅଖ୍ୟାତ ଲେଖକର ! ବିକ୍ରିତ ଛାଡ୍ । ମୋ ହାତରୁ ଗୁଳାଏ ପଇସା ଯିବ । ହଁ ! ଯଦି କିଛି ଇଂଲିଶ ଆର୍ଟିକାଲ କି ନଭେଲ ହୁଅନ୍ତା ତାହାହେଲେ ହୁଏତ  ଭଲ ଚାଲନ୍ତା । କାହିଁକି ନା ଇଂରାଜୀଟା ଦେଶ କଣ ବିଶ୍ବସାରା ଲୋକ କିଣିବାକୁ ଇଚ୍ଛା କରିବେ । କିନ୍ତୁ ଓଡିଆ ଭାଷାରେ ଓଡିଶାରେ କେତେଟା ବହି ବିକ୍ରି ହେବ !! ମଧୁବାବୁ ବହି ମାର୍କେଟରେ ଚାଲିବନି । ଆଜିକାଲିର ପିଲାଙ୍କ ପାଇଁ ବୋଧହୁଏ ଆଉ ମଧୁବାବୁ ଲୋଡା ନାହିଁ " । ବିଭୁର ଲମ୍ବା ଚଉଡା ଭାଷଣ ଟା  ଶୁଣିବାପରେ କୃପା କହିଲା " ତୁ ବୋଧହୁଏ ଠିକ୍ କହିଛୁ । ସେଇଥିପାଇଁ ନିଜକୁ ଓଡିଆ ବୋଲି ପରିଚୟ ଦେବାକୁ ଆମକୁ ଲାଜ ଲାଗେ । ଆମଭଳି ଏକ ବିଶାଳ ପ୍ରତିଶତର ସ୍ବଚ୍ଛଳ ଓଡିଆ ପରିବାର ନିଜ ପିଲାଙ୍କୁ ଇଂରାଜୀ ସ୍କୁଲରେ ପଢାଇବାକୁ ବ୍ୟାକୁଳ । ଓଡିଆ ଭାଷାଟା ଆଜି ବିକୃତ ହୋଇଗଲାଣି । ମୋ ପୁଅତ ଅଣଓଡିଆ ଭଳି କଥା କହୁଛି  । ଓଡିଆ ବର୍ଣ୍ଣ କଣ ତାକୁ ଜଣାନାହିଁ । ଅଧିକାଂଶ ଓଡିଆ ବହି ଆଉ ଖବର କାଗଜରେ ଲକ୍ଷେ ବନାନ ଭୁଲ୍ ପାଇବୁ । ମୁଁ ସାର୍ ଙ୍କର ପାଣ୍ଡୁଲିପିଟା ପଢିଥିଲି । ସାର୍ ଲେଖିଥିଲେ ମଧୁବାବୁ ନିଜର ଗୋଟିଏ ଜୋତା କାରଖାନା ଖୋଲିଥିଲେ । ଜୋତାରେ ଟିକିଏ ଡିଫେକ୍ଟ ଦେଖିଲେ ସାଙ୍ଗେସାଙ୍ଗେ ସେଇଟିକୁ ପୋଡିଦେଉଥିଲେ । ମୂର୍ଖ ନହେଲେ ପାଗଳ ଥିଲେ ସିଏ । ଆଜିକାଲିକା ଓଡ଼ିଆଙ୍କ ଭଳି ବୁଦ୍ଧିଆ ନଥିଲେ  ସିଏ । ସେଇଥିପାଇଁ ପଚାରିଲେ କହୁଥିଲେ ' ଖରାପ ଜୋତା ଯଦି ବଜାରକୁ ଗଲା ତାହେଲେ ମୋ ଓଡିଶାର ନାଁ ତଳେପଡିବ । ଓଡିଆ ବଦନାମ ହେବେ । ମୋର ପଛେ କ୍ଷତି ହେଉ କିନ୍ତୁ ବିଶ୍ବରେ ଓଡ଼ିଆଙ୍କ ସମ୍ମାନ ତଳେନପଡୁ ' । ସେହି ଚିନ୍ତାଧାରା ପାଇଁ କିଛିଦିନ ଭିତରେ କ୍ଷତି ସହିସହି କାରଖାନାଟା ବନ୍ଦ ହୋଇଗଲା ସିନା କିନ୍ତୁ ଓଡିଆ ପାଇଁ ପ୍ରେମଟା ବଦଳିଲା ନାହିଁ । ଓଡିଶା ଆଉ ଓଡିଆ ଭାଷାର ଟେକ ପାଇଁ ସାରା ଜୀବନ ତାଙ୍କର ସଂଘର୍ଷରେ କଟିଗଲା । ଏଭଳି ଲୋକଟିର ଜୀବନିକୁ ଓଡିଆ କାହିଁକି ପଢିବେ ? ନା' ତୁ କ୍ଷତି ଭୟରେ କାହିଁକି ରିସ୍କ ନେଇ ଛାପିବୁ !! ଆରେ ; ଚାଲ ଚାଲ । ଫ୍ଲାଇଟ୍ ଟାଇମ୍ ହୋଇଗଲାଣି " । ଏହାପରେ ଦୁହେଁ  କାର୍ ରେ ଚାଲିଲେ ଏୟାରପୋର୍ଟ ଅଭିମୂଖେ ।  ତରତର ହୋଇ କାର୍ ରୁ ଏୟାରପୋର୍ଟ ଭିତରକୁ ଯିବାପାଇଁ କିଛି ପାହୁଣ୍ଡ ଆଗେଇଯାଇ ବିଭୁର ଡାକରେ ପୁଣି ପଛକୁ ଫେରିଆସିଲା କୃପା । ଗାଡି ଡୋର୍ ପାଖରୁ ଭିତରକୁ ବୁଭୁ ଉଦ୍ଦେଶ୍ୟରେ ବେହେରା ସାର୍ ଙ୍କର ପାଣ୍ଡୁ ଲିପିଟା ବଢାଇଦେଉଦେଉ କହିଲା " ମାଳମାଳ ଡାକ୍ତର ଆଉ ଇଞ୍ଜିନିୟର ଭିତରେ ଏ ସୁପ୍ତ ଜାତିକୁ ଆଜି ଦରକାର ଆଉଥରେ ସେଦିନର ସେ ମଧୁବାବୁ । ଆଉ ତୁ ଆଣିଦେ ସବୁ ଓଡିଆଙ୍କ ପାଇଁ ପୁଣିଥରେ ମଧୁବାବୁଙ୍କୁ ॥

॥  ଜ୍ୟୋତିରଞନ ସାହୁ ।
jrs.2013rediffmail@gmail.com